ଝରଣାଟିଏ ମୁଁ
ଝରଣାଟିଏ ମୁଁ
ଝରଣାଟିଏ ମୁଁ ଯାଉଅଛି ବହି କୁଳୁକୁଳୁ ଗୀତ ଗାଇ
ପାହାଡ଼ିକନ୍ୟା ମୁଁ ଚାଲିଛି ଆଗେଇ ଆଖିଏ ସପନ ନେଇ ।
ମାନେ ନାହିଁ କିଛି ବାଧାବନ୍ଧନ ମୁଁ ଶୁଣେନା କାହାରି ବ୍ୟଙ୍ଗ
ହସ ହସ ମନେ ବହି ଯାଉଛି ମୁଁ ଖେଳାଇ ଦେହେ ତରଙ୍ଗ ।
ସରଳ ଚପଳ ଶିଶୁ ହୃଦୟରେ ଆଶାର ସୁରୁଯ ଉଇଁ
ଅବାଧ୍ୟ ମନେ ମୋ ଭରିଛି ଉତ୍କଣ୍ଠା ପୂର୍ଣ୍ଣତାର ପ୍ରାପ୍ତି ପାଇଁ ।
ଆସୁ ଯେତେ ଝଡ଼ ଗତି ପଥ ମୋର କରିବାକୁ ଅବରୋଧ
କରିବି ସାକାର ସପନକୁ ମୋର କରିଛି ଦୃଢ଼ ଶପଥ ।
ନିର୍ବିକାର ହୋଇ ବହିଯିବି ପଥ ହେଉ ପଛେ କଣ୍ଟକିତ
ସରିତରେ ଯେବେ ମିଶିବି ମୁଁ ଯାଇ ମନ ହେବ ପୁଲକିତ ।
ନଦୀଟିଏ ହୋଇ ବହିଯିବି ଏକ ଉଛୁଳା ଯୌବନ ନେଇ
ପବିତ୍ର କରିବି ଜଳକୁ ମୋର ମୁଁ ତୃଷାର୍ତ୍ତର ମୁଖେ ଦେଇ ।
ପ୍ରଖର ସ୍ରୋତରେ ନାଚି ନାଚି ଯିବି ଅଙ୍କା ବଙ୍କା ପଥ ଦେଇ
ଚଳଚଞ୍ଚଳ ମୋ ଶରୀରରେ ନେବି ସବୁ ଆବର୍ଜନା ବହି ।
ନୀଳ ସାଗରରେ ମିଶିବି ଯେବେ ମୁଁ ଆଶା ମୋ ହେବ ପୁରଣ
ପଖାଳି ଦେବି ମୁଁ ସଭିଙ୍କ ପୟର ମଣିବି ନିଜକୁ ଧନ୍ୟ ।