ଉତ୍ସର୍ଗ
ଉତ୍ସର୍ଗ
ମୋ ମନର ଝରକା ଦେଇ
ନୀଳ ଗଗନକୁ ଯେବେ ଦିଏ ଚାହିଁ
ମୋ ଆଖିରେ ନାଚିଯାଏ
ତୁମର ସରଳ ମୁହଁ
ମଧୁଭରା ହସ
ଅଗଣିତ ସ୍ବପ୍ନଭରା ଚକ୍ଷୁଦ୍ବୟ
ମନେ ପଡ଼ିଯାଏ ଦିନେ
ସେ ସ୍ୱପ୍ନର ବନ୍ଧ ଡେଇଁ
ଉଛୁଳି ଉଠିଲା କୋହ
ଯେଉଁଦିନ ତୁମ ବିରସ ବଦନରେ
ଅଶ୍ରୁସିକ୍ତ ନୟନରେ ଦେଇଥିଲ ବିଦାୟ
ହୃଦୟ ତୁମର ଥିଲା କୋହଭରା
ନୟନରେ ଥିଲା ତୁମ ଅଶ୍ରୁଧାରା
ଚାହାଣୀ ମମତାଭରା
ସେ ଦୃଶ୍ୟ ଯନ୍ତ୍ରଣାଭରା
କରିଥିଲା କଣ୍ଠ ମୋର ବାଷ୍ପରୁଦ୍ଧ
ସେ ସ୍ମୃତି ଆଘାତଭରା
କରିଦିଏ ହୃଦୟ ମୋ ଅସ୍ତବ୍ୟସ୍ତ
ଫେରାଇଦିଏ ମତେ ମୋ
ଶୁନ୍ୟ କୋଠରୀକୁ
ସେଦିନ
ଢଳଢଳ ଆଖିରେ ମୋ
ଥିଲା କିଛି ସ୍ବପ୍ନ, କିଛି ଆଶା
ଆଉ ଅବ୍ୟକ୍ତ ବେଦନା
ମନ ଥିଲା ଭାରାକ୍ରାନ୍ତ
ଲକ୍ଷ ଥିଲା "ବିଜୟ"
ସ୍ନେହମୟୀ ଜନନୀ ଗୋ
ମୋ' ସ୍ବପ୍ନକୁ ସମର୍ପିଲି
ତୁମ ସ୍ବପ୍ନ ନିକଟେ
ଲକ୍ଷ୍ୟକୁ ମୋ ସାଥୀକରି
ଚାଲିଲି ମୁଁ ତା' ପଥେ
ବିଜୟ ମୁଁ ପାଇଲି ନିଶ୍ଚିତ
ତା'ରି ମଧ୍ୟେ ପାଇଗଲି
ତୁମକୁ ସମର୍ପିଥିବା ସ୍ବପ୍ନ ଆଉ ଆଶା
ତେଣୁ ଏ ବିଜୟ ମୋର
ତୁମପାଇଁ ଉତ୍ସର୍ଗୀକୃତ