କଥା କିଛି ବ୍ୟଥା କିଛି
କଥା କିଛି ବ୍ୟଥା କିଛି
କଲମ ମୋ କଥା ମାନୁନି
ବାଉଳା କିଛି ବୁଝୁନି
କଥା ଲେଖୁଲେଖୁ ବ୍ୟଥା ଜମିଯାଏ
ତଥାପି ଲୁହ ଝରୁନି ।
କାଳି ଯେତେ ଥିଲା ନିଗିଡ଼ି ଗଲାଣି
ଅଚିହ୍ନା ମୁହଁରୁ ମୋହ ଝଡ଼ିଲାଣି
ପଡ଼ି ଉଠି ପୁଣି ଝାଡ଼ିଝୁଡ଼ି ହୋଇ
ଦଉଡୁଛି ବାଧା ମାନୁନି ।
ସାହାରା ବି ନାହିଁ ସାଉଁଟି ନେବାକୁ
ଆଶ୍ୱାସନା ବୋଳି ବହଲେଇବାକୁ
ନୁଖୁରା ମୁନରେ କାଗଜ ଛାତିରେ
ଲେଖୁଛି ଦେଖା ଯାଉନି ।
ବୁଝେଇଲେ ଟିକେ ବୁଝି ବି ଯାଉଛି
ଟିକେ ପରେ ପୁଣି ଅବୁଝା ହେଉଛି
ହେଳା ହତାଦର ଖାତିର କରେନା
ଚଗଲା କଥା ଶୁଣୁନି ।
ଜୀବନର ଚିତ୍ର ଚିରି ଚରି ଯାଏ
ନିଜ ଛାଇ ପାଶୁଁ ଅପସରି ଯାଏ
ସରି ଯାଏ ରାତି ଘାରି ହୁଏ ଆଖି
ତଥାପି ନିଦ ଆସୁନି ।
ଆଖି ବୁଜିଦେଲେ ଅନ୍ଧାର ହୁଏନା
ଆଲୁଆର ନିଶା ତଥାପି ସରେନା
ତନ୍ଦ୍ରାଶକ୍ତ ସିକ୍ତ ପଲକ ତଳୁ ମୋ
ସପନ ଧୋଇ ଗଲାଣି ।
ଲେଖୁଥାଉ କଥା ଆଙ୍କୁଥାଉ ବ୍ୟଥା
ଥମି ଯିବା ଯାଏ ଆଙ୍ଗୁଳିର ଯାତ୍ରା
ଧମନୀର ଧାରେ ରୁଧିର ପ୍ରବାହ
ବହୁଛି ରହି ଯାଇନି ।