ମାୟାଧର ନକରିବ ମାୟା ହେ
ମାୟାଧର ନକରିବ ମାୟା ହେ
ଲଳିତା ଲବଙ୍ଗ ଲତା ରମଣୀୟ କାନ୍ତି
ଲବଣୀ ପିତୁଳା ମୋ ଧନ ଦିବ୍ୟ ମୂରତି
ସେ ମୋ କଳା ମଣିକ
ଆବିଳ ପୂର୍ଣ୍ଣ ହୃଦ ସର ପଦ୍ମ କୋରକ ।
ମୟୂର ମୁକୁଟ ଧାରି ରତନ ଖଚିତ
ଝଲସି ଉଠୁଛି ମଥା କି ସୂର୍ଯ୍ୟ ଆଲୋକ
ତହୁଁ ଦିଶୁଛି ବଳି
କୋଟି କାମ ରୂପକୁ ସେ ଦେଉଅଛି ଦଳି ।
ଗଳେ ଗଜ ମୁକ୍ତାହାର ଇନ୍ଦ୍ର ନୀଳମଣି
ପଦକ ଶୋଭିତ ଗଳା ଜ୍ୟୋତିଷ୍କ ରୋଷଣି
ଦିଶେ ସତେ କି ଗଳେ
ସହସ୍ର ବ୍ରହ୍ମାଣ୍ଡ ତହିଁ ମାଳ ହୋଇ ଝୁଲେ ।
ପିତ ଉତ୍ତରୀୟ ସ୍କନ୍ଧେ ସୁବର୍ଣ୍ଣ ପଇତା
ଚନ୍ଦନ ଚର୍ଚିତ ନାଶା ବସଣୀ
ଶୋଭିତା
ରଙ୍ଗ ଅଧରେ “ମୃଦୁ
ହସ” ତା ନିନ୍ଦଛୁ ଶାରଦ ପୂନେଇଁ ଇନ୍ଦୁ ।
ନୀଳମଣି ଜିଣି କାନ୍ତି ପରେ ପିତାମ୍ଵରି
କଳା ଘନେ ସୌଦାମିନୀ ଖେଳଇ ଯେପରି
ସେ ସୌର୍ଯ୍ୟ ପରକାଶେ
ରତନ ମେଖଳା ସତେ କି ରୁଚିର ଦିଶେ ।
ହାତରେ ସ୍ଵର୍ଣ୍ଣ କଙ୍କଣ ବାହୁରେ ବାହୁଟି
ମୋହନ ମୁରଲୀ ଛନ୍ଦ ତ୍ରିଭଙ୍ଗେ ନଟି
କଦମ୍ଵ ମୂଳେ ଦେଖ
ରାଧା ରାଧା ବୋଲି ବଂଶୀ ଗାଉଅଛି ଗୀତ ।
ନୀଳୋତ୍ପଳ ନେତ୍ର ଚନ୍ଦ୍ର ସୂରୁଯ ପ୍ରକାର
ରକ୍ତପଦ୍ମ ପାଦେ ମୁଁ ତା ଚରଣ କିଙ୍କର
କରିଥିବ ଦୟା ହେ
ମାୟାଧର ମୋ ସହିତ ନକରିବ ମାୟା ହେ ।