STORYMIRROR

Kishore Nayak

Classics

4  

Kishore Nayak

Classics

ଜିଇଁବାର ଅଧିକାର

ଜିଇଁବାର ଅଧିକାର

1 min
311


ଏ ଜୀବନ ପଥ ନୁହେଁ ସାଧା ସିଧା 

ଅଟେ ଭାରି ଅଙ୍କା ବଙ୍କା 

କେବେ ଖୁସି କେବେ ନିରାଶ ଭାବନା 

ମନରେ ଜଗାଏ ଶଙ୍କା ll

ଆଷାଢ଼ର ମେଘ ବଦଳାଏ ଦିଗ 

ସମୟର ନିର୍ଦ୍ଦେଶରେ 

ଜୀବନର ଗତି ସେଇପରି ଏଠି 

ବଦଳାଏ ମୋଡ଼ ଧିରେ ll

ଋତୁ ଚକ୍ର ପରି ଏ ଜୀବନ ଚକ୍ର 

ବଦଳାଏ ତା'ର ଗତି 

ରାତି ପରେ ଦିନ ହୁଏ ମଂଚାସୀନ 

ଦିନ ପରେ ପୁଣି ରାତି ll

ଭସା ମେଘ ପରି ଏ ଜୀବନ କେବେ 

ଖୁସିରେ ବରଷି ଯାଏ 

କେବେ ପୁଣି ଖାଲି ଗରଜି ଗରଜି 

ଶୂନ୍ୟକୁ ଅନାଇଁ ଥାଏ ll

କେବେ ଏଇ ମେଘ ଢାଙ୍କି ଦିଏ ପୁଣି 

ଗୁମ୍ ସୁମ୍ ନୀରବତା 

ସେଇ ନୀରବରେ ଥାଏ ଏ ଜୀବନେ 

କେତେଯେ ଅକୁହା କଥା ll

ବଞ୍ଚିବାର ମୋହ କରଇ ଅଥୟ 

ମାୟାର ମଙ୍ଗକୁ ଧରି 

ସୁଖ ଦୁଃଖ ସବୁ ଧାଉଁଥାନ୍ତି ନିତି 

ପବନର ବେଗ ପରି ll

ସ୍ବପ୍ନର କିରୀଟ ଭାବନା ରାଇଜେ 

ଦିନରେ ଦେଖାଏ ଆଶା 

ସେଇ ଆଶା ପୁଣି ନିରାଶା ଗର୍ତ୍ତରେ 

ପଡି ହୁଏ ଲୋକହସା ll

ନିଜର ଦକ୍ଷତା ପାରିବା ପଣିଆ 

ନିଜକୁ ତଉଲେ ଏଠି 

ଅଧିକାର ଆଉ ସଂଘର୍ଷ ପାଲଟେ 

ଜୀବନର ମାପକାଠି ll

ଦ୍ଵନ୍ଦ ଆଶଙ୍କାରେ ପଡି ଏ ଜୀବନ 

ହୁଏ ଖାଲି ହରବର 

ପ୍ରଶ୍ନବାଚୀ ହୋଇ ରହିଯାଏ କାହିଁ 

ଜିଇଁବାର ଅଧିକାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics