ଯାଦୁ
ଯାଦୁ
ଯାଦୁର ନଗରୀ ଯାଦୁର ସହର
ଯାଦୁରେ କରିଛି ଘର
ଯାଦୁ ସରିଗଲେ ଯବନିକା ପଡେ
ଦୃଶ୍ୟପଟୁ ହୁଏ ଦୂର ।
ଆଖି ଝଲସାଏ ଖୁସି ଭରି ଦିଏ
ମନରେ ପୁଲକ ଜାଗେ
କ୍ଷଣିକ ଭିତରେ ତିନି ଭୁବନର
ଦୃଶ୍ୟ ଭାସେ ଆଖି ଆଗେ ।
ଲାଗୁ ଥିଲା ଯାହା ସତ ତାହା ପୁଣି
ଚାହୁଁ ଚାହୁଁ ମିଛ ହୁଏ
ସପନ ପରିକା ହୁଏ ସେ ଉଭାନ
ମରୀଚିକା ହେଇଯାଏ ।
ଯାଦୁଗର ତାର ଯାଦୁର କୁହୁକ
ପେଡି ଯେବେ ଖୋଲି ଦିଏ
ଅସମ୍ଭବ ସବୁ ସମ୍ଭବ ହୁଅଇ
ହେଉ କ୍ଷଣସ୍ଥାୟୀ ସିଏ ।
କୁହୁକ ବାଡିଟି ହାତେ ଧରି ଯାଦୁ
ଦେଖାଏ ସେ ଯାଦୁଗର
କୁହୁକ ପେଡିରେ କେତେ ଯେ କୁହକ
ନାହିଁ ତାର ପଟ୍ଟାନ୍ତର ।
ମନ୍ତ୍ର ଉଚ୍ଚାରିଣ ଯାହା ସେ କହଇ
ସେ ଯାଦୁ ବାଡିକି ଧରି
ଖୁସି ମନେ ନର ଦେଖୁଥାନ୍ତି ହସି
ତାର ଚାରି ପଟେ ଘେରି ।
ଲୋକଙ୍କ ମନରେ ଖୁସି ଭରି ଦିଏ
ହେଉ ସେ ସମୟ ଅଳ୍ପ
ମନେ ଭରି ଦିଏ ଅନେକ ସପନ
ହେଉ ପଛେ ସିଏ ଗଳ୍ପ ।
ଯାଦୁଗର ତାର ଯାଦୁର ପୋଷାକ
ଯାଦୁର ପଗଡି ନେଇ
ଯିଏ ଯାହା ଦେଖିବାକୁ କହି ଥାଏ
ଦେଖାଏ ସେ ଖୁସି ହେଇ ।
ଅଭାବଟି କେବେ ହୁଏନା ତା ଦୂର
ଯେତେ ଯାଦୁ ଦେଖାଇଲେ
ଯଦୁ ଖେଳ କରି ଯାଦୁ ବାଜିଗର
ଅନ୍ୟେ ଖୁସି ଦିଏ ଭଲେ ।
ଯେମିତି ଅଭାବ ରହି ଥାଏ ତାର
ସେମିତି ସେ ରହି ଥାଏ
ଅନ୍ୟ ଓଠେ ହସ ଦେଉ ଥାଏ ଯିଏ
ଯାଦୁ ବାଜିଗର ସିଏ ।।
