ଭଦ୍ରାକାଳେ ରାକ୍ଷୀ ମନା
ଭଦ୍ରାକାଳେ ରାକ୍ଷୀ ମନା
ଭଦ୍ରାକାଳ ଆଜି ପାଞ୍ଜି ଲେଖିଅଛି
ବାନ୍ଧିବି ନି ତୋତେ ରାକ୍ଷୀ
ସକାଳୁ ସକାଳୁ କାଲି ଡାକି ଦେବି
ରଖିବିନି କିଛି ବାକି l
ଅଝଟ କରନି କୁନି ଭାଇ ମୋର
ସଭିଙ୍କ ଜୀବନ ଧନ
ଘରର ଭବିଷ୍ୟ ତୋହରି ହାତରେ
ବାପା ବୋଉଙ୍କ ଜୀବନ l
ଭଦ୍ରାକାଳ କଥା ବୁଝାଇଦେ ଦିଦି
ହେବିନି କେବେ ଅଝଟ
ସବୁ ସାଙ୍ଗ ମୋର ରାକ୍ଷୀ ବାନ୍ଧିଛନ୍ତି
କାହିଁକି କରୁ ଆକଟ l
ବଡ଼ ସରଧାରେ କୋଳେ ଧରି ମୁନା
ଆରମ୍ଭ କରିଲି କଥା
ବଡ଼ ଦିଦି ତୋର ମାଆ ମୁଁ ସମାନ
ଦେଖିବି ନି ତୋର ବ୍ୟଥା l
ସୂର୍ଯ୍ୟଙ୍କ ଔରଷୁ ଜନ୍ମି ଥିଲେ ଭଦ୍ରା
ଶନି ଦେବଙ୍କ ଭଗିନୀ
ଭାଇ ପରି ତାର କଠୋର ସ୍ଵଭାଵ
କରିଲେ ସର୍ବେ ଭାଳେଣି l
ସବୁ ହୋମ ଯଜ୍ଞ ବାଧା ଦେଉଥିଲା
କ୍ରୋଧିତ ହୋଇଲେ ବ୍ରହ୍ମା
ଦେଲେ ଅଭିଶାପ ଭଦ୍ରା କାଳେ କାର୍ଯ୍ୟ
ସଫଳ ହେବନି ଜମା l
ଭଦ୍ରାକାଳ ଯଦି ଅଶୁଭ ସଂକେତ
ମନରେ ଆସଇ ଭୀତି
ଯଦି ବାନ୍ଧି ଦେବି ରାକ୍ଷୀ ତୋର ହାତେ
ହୋଇଯିବ କାଳେ କ୍ଷତି l
ରାବଣ ଭଉଣୀ ସୂର୍ପଣେଖା ଦିନେ
ବାନ୍ଧି ରାକ୍ଷୀ ଭଦ୍ରା କାଳେ
ଶ୍ରୀରାମଙ୍କ ହାତେ ରାବଣ ମରିଲା
ଶେଷର ବନ୍ଧନ ବେଳେ l
ମହା ଭାରତର ଗ୍ରନ୍ଥେ ଲେଖାଅଛି
ଭଦ୍ରାର କାଳ ପ୍ରବେଶ
ଗୋଟି ଗୋଟି କରି ପାଣ୍ଡବଙ୍କ ଭାଇ
ହୋଇଥିଲେ ସବୁ ନାଶ l
ଯମ କହିଥିଲେ ମାରିବେ ଯମୁନା
ଭଦ୍ରା କାଳେ ଦେଲେ ରାକ୍ଷୀ
ଭଉଣୀ ହେଲେବି ଛାଡ଼ିବନି କେବେ
କାଳର ସେ ଅଟେ ସାକ୍ଷୀ I
ସବୁ କଥା ବୁଝି ମୁନା ଶୋଇଗଲା
ହୋଇଲାନି ସେ ଅଝଟ
ପାହାନ୍ତା ପ୍ରହରୁ ବାନ୍ଧି ଦେଲି ରାକ୍ଷୀ
ଲଗାଇ ମୁଣ୍ଡେ ମୁକୁଟ l
ହସୁ ଥିଲା ମୁନା ଖିଲି ଖିଲି ହୋଇ
ମାଗିଲି ଯେବେ ଦକ୍ଷିଣା
ଆଜିଠୁ ପ୍ରହରୀ ହେଲି ଦିଦି ତୋର
ନେବିନି ତୋଠୁ ପାଉଣା l
ପ୍ରେମ ବନ୍ଧନରେ ଚୁମା ଦେଲା ମଥେ
ନୟନୁ ଝରିଲା ନିର
ଭାଇ ଭଉଣୀଙ୍କ ଅତୁଟ ବନ୍ଧନ
ପ୍ରଭୁ ରହୁ ନିରନ୍ତର l
ଭାଇ ଭଉଣୀର ନିଆରା କାହାଣୀ
ସ୍ନେହ ବନ୍ଧନ ପ୍ରତୀକ
ପିତା ମାତା ପରି ସ୍ନେହ ଦେଉ ଥିବୁ
ରକ୍ଷାରେ ପରିପୂରକ l
