ଆଉ ଥରେ ଆସ ପ୍ରଭୁ ଚକ୍ରଧର
ଆଉ ଥରେ ଆସ ପ୍ରଭୁ ଚକ୍ରଧର
କୃଷ୍ଣ ବାସୁଦେବ ଦେବକୀନନ୍ଦନ
ନନ୍ଦସୁତ ଗୋପବାଳ ।
ଘେନ ନିବେଦନ ଆହେ ଘନଶ୍ଯାମ
ପ୍ରଭୁ ଗୋବିନ୍ଦ ଗୋପାଳ ।
ଆହେ ବନଚାରୀ ଚରାଅ ବାଛୁରୀ
କାନନେ ଭାଇଙ୍କ ସାଥେ ।
ଗୋପାଳ ବାଳକେ ଝୁରନ୍ତି ତୁମକୁ
ଫେରି କି ଆସିବ ସତେ ।
ଝୁରେ ବୃନ୍ଦାବନ ନିକୁଞ୍ଜ କାନନ
ଝୁୁରେ ଗୋପଦାଣ୍ଡ ଆଜି ।
ଖେଳା ଲୀଳା କଲ ଦ୍ବାପର ଯୁଗରେ
ନନ୍ଦ ଗୋପସୁତ ସାଜି ॥
ଜନମ କାଳରେ ଏନ୍ତୁଡି ଶାଳରେ
ଶୋଷିଲ ପୂତନା ପ୍ରାଣ ।
ଅଘା ବକାସୁର ଶକଟା ନାଶିଲ
କଲ ଯାମଳା ଭଞ୍ଜନ ॥
କାଳିନ୍ଦୀ ଜଳରେ କାଳୀୟ ଶିରରେ
ତୁମେ କରିଲ ନର୍ତ୍ତନ ।
ବିଷ ଜଳକୁ ସେ ଅମୃତ କରିଲା
ରଖିଲ ତାର ଜୀବନ ॥
ଇନ୍ଦ୍ର ବିିତ୍ପାତରୁ ଗୋପକୁ ରଖିଲ
କରେ ଧରି ଗୋବର୍ଦ୍ଧନ ।
ରାଧା ପ୍ରାଣଧନ ହେ ନନ୍ଦନନ୍ଦନ
ତୁମେ ଗୋପୀଙ୍କ ଜୀବନ ॥
କଂସକୁ ସଂହାରି ଦୁଷ୍ଟ ନାଶ କରି
ସନ୍ଥ କରିଲ ପାଳନ ।
ହେ ପାଣ୍ଡବ ପ୍ରିୟ ଗୋ ବ୍ରାହ୍ମଣ ପ୍ରିୟ
ସଂହାରିଲ ନିଜ ଜନ ॥
ଭକତି ଡୋରରେ ବିଦୁରର ଘରେ
ଶାକ କରିଲ ଭୋଜନ ।
କୁବୁଜା ସୁରୂପା ହୋଇଲା ତୁମର
ପରଶ ଲଭି ତକ୍ଷଣ ॥
ଊଦ୍ଧବଙ୍କୁ ଦେଲ ଦିବ୍ଯ ଜ୍ଞାନ ଜନ୍ମ
କରମ ଦିବ୍ଯ ତୁମର ।
ଧନ୍ୟ ହେଲେ ଗୋପୀ ଗୋପାଳ ସକଳେ
ଲଭି ତୁମକୁ ଗୋପର ॥
ସ୍ବଧାମ ଗମନ କରିଛ ବୁଡାଇ
ପ୍ରଭାସରେ ନିଜ ଘର ।
ଝୁରୁଛି ଯମୁନା ଝୁରେ ଗୋପପୁର
ଫେରିଆସ ଚକ୍ରଧର ॥
ଆଉ ଥରେ ଆସ ପ୍ରଭୁ ଚକ୍ରଧର
ବଇଁଶୀ ବାଇ ତୁମର ।
ହସୁ ଗୋପପୁର ଯମୁନାର ତୀର
ହର ଅବନୀର ଭାର ॥
