ଭାବର ଠାକୁର
ଭାବର ଠାକୁର
ଭାବର ଠାକୁର ବୋଲାନ୍ତି
ପ୍ରଭୁ ଶ୍ରୀଜଗନ୍ନାଥ ।
ରତ୍ନସିଂହାସନେ ବିଜୟ
ଭାଇ ଭଉଣୀ ସାଥ ।
କଳପ ବଟର ମୂଳରେ
ମହୋଦଧି ତଟରେ ।
ବଡଦେଉଳରେ ପ୍ରଭୁଙ୍କୁ
ଆସି ଦେଖିବା ଥରେ ।
ଭାବର ଶରଧାବାଲିକୁ
ନେଇ ମୁଣ୍ଡରେ ବୋଳି ।
ଜଗନ୍ନାଥ ନାମ ଉଚ୍ଚାରି
ଯିବା ମନ୍ଦିରେ ଚଳି ।
ପତିତପାବନ ପତାକା
ଉଡେ ନୀଳଚକ୍ରରେ ।
ଦରଶନ କର ଦୂରରୁ
ତାକୁ ବଡଦାଣ୍ଡରେ ।
ଭାବର ଦିଅଁଙ୍କୁ ଭକତ
ଭାବେ ଦେଲା ନଡିଆ ।
ହାତ ବଢ଼ାଇ ଗଲେ ନେଇ
ତାକୁ ଜଗା କାଳିଆ ।
ଭାବେ ବଳରାମ ଦାସଙ୍କ
ବାଲିରଥେ ବସିଲେ ।
ସାଲବେଗ ଭାବକୁ ଘେନି
ରଥକୁ ରଖାଇଲେ ।
ତଳଚ୍ଛୁ ଭାବରେ ମଥାରେ
ତାଙ୍କ ଉଠିଲା କେଶ ।
ଭକତ ଭାବରେ ଧରନ୍ତି
ପ୍ରଭୁ ଅନେକ ବେଶ ।
ଭାବରେ ବନ୍ଧାହୋଇ ରତ୍ନ
ସିଂହାସନ ଉପରେ ।
ବସି ମାନବୀୟ ଲୀଳାରେ
ରତ ତିନି ଠାକୁରେ ।
ଭାବକୁ ନିକଟ ଅଭାବକୁ
ସେ ଅନେକ ଦୂର ।
ଭାବ ବିନୋଦିଆ ବୋଲାନ୍ତି
ସେ ଭାବର ଠାକୁର ।