ଆକାଶ ଦୀପ
ଆକାଶ ଦୀପ
ପବିତ୍ର ଏଇ ତ ପୂଣ୍ୟ କାର୍ତ୍ତିକରେ
ଆକାଶ ଦୀପଟି ଜଳେ
ପାହାନ୍ତା ପହରେ ଭକତି ମନରେ
ଭକତ ଗାଧାଏ ଜଳେ ।
ସକାଳେ ତୁଳସୀ ଚଉରା ମୂଳରେ
ତୁଳସୀଙ୍କୁ ପୂଜି ସିଏ
ସନ୍ଧ୍ୟା ଆସିଗଲେ ସଞ୍ଜବତୀ ଦେଇ
ତୁଳସୀଙ୍କୁ ସେବି ଥାଏ ।
ବାଉଁଶ ଦେହରେ ଆକାଶ ଦୀପକୁ
ଆକାଶରେ ଜଳା ଯାଏ
ଯେତିକି ଊର୍ଦ୍ଧ୍ବରେ ଜଳେ ଆକାଶରେ
ସେତେ ପୂଣ୍ୟ ଫଳ ପାଏ ।
ଏ ଆକାଶ ଦୀପ ମନ୍ଦିର ଅଗଣେ
ଆକାଶରେ ଜଳା ଯାଏ
ଆକାଶ ମାର୍ଗଟି ହୁଏ ଆଲୋକିତ
ତନୁ ମନ ମୋହି ନିଏ ।
ଆକାଶ ଦୀପରେ ହାଣ୍ତି ଘୋଡା ହୁଏ
ହାଣ୍ଡି ଦେହେ କଣା ଥାଏ
ଏ ଆକାଶ ଦୀପ ଦର୍ଶନ କରିଲେ
ପାପ କ୍ଷୟ ହେଇ ଯାଏ ।
ଆକାଶ ଦୀପଟି ଆକାଶରେ ଥାଇ
ଅନ୍ଧାର ହଟେଇ ଥାଏ
ଯେତେ ଆଲୋକିତ ହେଉ ଥାଏ ସିଏ
ଜୀବନ ଉଜ୍ଜଳ ହୁଏ ।
ଅଁଳା ନବମୀ ଦିନରେ କୋଉଠି
ଆକାଶ ଦୀପ ଜଳାନ୍ତି
କାର୍ତ୍ତିକ ପୂର୍ଣ୍ଣିମା ଦିବସ ତିଥିରେ
ଉଦ୍ ଯାପନ କରିଥାନ୍ତି ।
ଆକାଶ ଦୀପଟି ଦେଶର ଉନ୍ନତି
ସଂକେତଟି ଦେଇଥାଏ
ଏ ଆକାଶ ଦୀପ ପୂଣ୍ୟ ଫଳ ବଳେ
ଦେଶ ଅଗ୍ରଗତି ହୁଏ ।
ଏଇତ ମଣିଷ ପାପ କରେ ନାଶ
ଆକାଶ ଦୀପଟି ଜାଳି
ଅମା ଅନ୍ଧକାର ଦୂର କରେ ଯେହ୍ନେ
ଆକାଶରେ ଅଂଶୁମାଳି ।
ବରଷକୁ ଥରେ ମହା କାର୍ତ୍ତିକରେ
ଆକାଶ ଦୀପଟି ଜଳେ
ଏ ସାରା ଜଗତ ହସୁଥାଏ ତାର
ସେଇ ଆଶୀର୍ବାଦ ଫଳେ ।
ଭକ୍ତି ସହକାରେ ବିଶ୍ବାସ ଅନ୍ତରେ
ପରିକ୍ରମଣକୁ କରି
ଆକାଶ ଦୀପଟି ଆକାଶେ ଜଳାଇ
ହସାଏ ସେ ବସୁନ୍ଧରୀ ।।
