କିଏ ସେ ନିଜର
କିଏ ସେ ନିଜର
କିଏ ସେ ନିଜର ଅତି ଆପଣାର
କହରେ କାଳିଆ ତୁ
ଯାହାକୁ ଦେଖିଲେ ତାହାରି ଭିତରେ
ଛଳନା ଦେଖୁଛି ମୁଁ ।
ସ୍ବାର୍ଥରେ ଏଇଠି ସମ୍ପର୍କ ବାନ୍ଧନ୍ତି
ଭିତରେ ଜହର ଭରି
ଭଲ ପାଇବାର ନାଟକ କରନ୍ତି
ନୁହଁନ୍ତି କେହି କାହାରି ।
ରକ୍ତର ସମ୍ପର୍କ ମିଛ ଏଠି ହୁଏ
ଅବିଶ୍ବାସ ପୂରି ଥାଏ
ସମ୍ପତ୍ତି ଲୋଭରେ ଭଲ ପାଇବାର
ନାଟକ ରଚନ୍ତି ସିଏ ।
କପଟ ଛଳନେ ଚାଲନ୍ତି ଏଇଠି
କରି ଥାନ୍ତି ବାଟବଣା
ନିଜ ସ୍ବାର୍ଥ ପାଇଁ ଖେଳେଇ ଶେଷରେ
ହଜାଏ ସତ ଠିକଣା ।
ଧୋକାବାଜ ଏଠି କରନ୍ତି ସଭିଁ ଏ
ବିଶ୍ବାସରେ ଅବିଶ୍ବାସ
ମାୟାରେ ଫସେଇ ଦେଇଣ ଶେଷରେ
ଜୀବନ କରନ୍ତି ଶେଷ ।
ରକତ ଏଇଠି ଧୋକା ଦେଇ ଥାଏ
ପର ହୁଏ ଆପଣାର
ନିଜର ଯାହାକୁ ମନ ଭାବୁ ଥାଏ
କରଇ ସିଏ ସଂହାର ।
ଏମିତି ସେ ମାୟା ଜାଲ ବୁଣି ଥାଏ
ମୁକୁଳିବା କଷ୍ଟ ଥାଏ
ଯନ୍ତ୍ରଣାରେ ସିଏ ଛଟପଟ ହୁଏ
ଯେ କପଟି ହସେ ସିଏ ।
ଯାହାକୁ ପର ସେ ଭାବୁଥିଲା ଦିନେ
ବଞ୍ଚେଇଲା ଆଜି ସିଏ
କେମିତି କହିବି ସମ୍ପର୍କ ମୋ ନାହିଁ
ଚିହ୍ନିନି ମୁଁ ସିଏ କିଏ ?
ଦୁଃଖ ବେଳେ ଯିଏ ସାଥେ ରହି ଅଛି
ସିଏ କି ନିଜର ହେବ
ରକ୍ତର ସମ୍ପର୍କ ମିଛ ଏଠି ହୁଏ
କେମିତି ମନ ମାନିବ ?
ଏଇ ମନ ମୋର ତୋତେ ଦେଖୁ ଅଛି
ନିଜର ଭାବୁଛି ତୋତେ
ହେଲେ ତୁ କାଳିଆ କିଏ ସେ ନିଜର
କହି ଦେ ତୁ ଥରେ ମୋତେ ।।