STORYMIRROR

Akhilesh Bishi

Abstract

4  

Akhilesh Bishi

Abstract

ଶୀତ ଆସିଛି

ଶୀତ ଆସିଛି

1 min
38


ଶୀତ ଆସେ ମର୍ତ୍ତ୍ୟେ ବସନ୍ତକୁ କହି

    ଯାଉଛି ମୁଁ ଆଗେ ଆଗେ,

କାର୍ତ୍ତିକରେ ଯାଇ ଚାରିମାସ ରହି

    ବାହୁଡିବି ଶେଷ ମାଘେ।


ମୁହିଁ ଗଲେ ଯାଇ ବରଷା କମିବ

    ଶୁଖିବ ଧରଣୀ ବକ୍ଷ,

ଦିନମଣି ତାପ ହେବ କ୍ଷୀଣତ୍ତର

    ବଢିବ ରଜନୀ ଚାପ।


ଉତ୍ତର ଦିଗରୁ ତୁହାଇ ତୁହାଇ

    ବହିବ ହେମାଳ ବାଆ,

ଶୈବଳିନୀ ଧାର କୃଶ ହୋଇଯିବ

     କୂଳେ ରହିଯିବ ନାଆ।


ଶୀତଳ ସମୀର ପରଶକୁ ପାଇ

     ଫୁଟିବ ଗେଣ୍ଡୁ, ସେବତୀ,

ପୁଷ୍କରିଣୀ ଜଳ ହେବ ପ୍ରତିକୁଳ

      କମଳିନୀ,କଇଁ ପ୍ରତି ।


ଛାତିଥରା ଶୀତ ରୋକି ପାରିବନି

      ପାରିବାର କୃଷକକୁ,

କୋଶଳା,ପାଳଙ୍ଗ,ମୂଳା, ଫୁଲକୋବି

      ଯୋଗାଇବ ଜଗତକୁ।


ଶିମ୍ବ, କନ୍ଦମୂଳ, ବିନ୍ସି, ବିଲାତି,

      ଆଳୁ, ବନ୍ଧାକୋବି, କେତେ,

ଉତ୍ପାଦନ କରି ସବୁଜ ପରିବା

      ଆଣିବେ ଯାହାକୁ ଯେତେ।


ପାଚିଲା ଧାନରେ କେଦାର ହସିବ

     ସବୁଜିମା ଯିବ ଚାଲି,

ଶୀତୁଆ ପବନେ ପକ୍ବ ଧାନଶାଳି

     ନାଚିବ ହଲି ଦୋହଲି।


ନଦୀପଠା ହେବ କନକବରଣ

    ପେନ୍ଥୀ ଶୋରିଷର ଫୁଲେ,

ମଧୁମକ୍ଷିକା ର ମଧୁ ଗୁଞ୍ଜରଣ

    ଉପେକ୍ଷିତ ଖରାବେଳେ।


ହାତେ ଘେନି ଦାଆ କୃଷକ ବାପୁଡ଼ା

    କାଟିବ ପାଚିଲା ଧାନ,

ଧାନ କଚଡାରେ ଭରିଯିବ କ୍ଷେତ

     ଦୁର୍ଲ୍ଲଭ ହୋଇବ ପାନ।


ଆଦ୍ୟ ମାର୍ଗଶୀରେ ଧାନମେଣ୍ଟା କରି

    କୁଳ ସିମନ୍ତିନୀ ଗଣ,

ଘରଦ୍ୱାର ଲେଖି ଚାଉଳର ଚିତା

     ପୂଜିବେ ଲକ୍ଷ୍ମୀ ଚରଣ।


ମାର୍ଗଶିରେ ପାଳି ପ୍ରଥମାଅଷ୍ଟମୀ

      ପୋଢୁଆଁ ଆଦ୍ୟ ସନ୍ତାନେ,

ଶ୍ରୀ ମନ୍ଦିରେ ପିନ୍ଧି ନୂତନ ବସନ

       ପୋଢୁଆଁ ବିଗ୍ରହମାନେ।


ଚଞ୍ଚଳା-କମଳା କୃପା ଲାଭକରି

     ପୂରିବ ଚାଷୀ ଅମାର,

ସାରାବରଷର ହାଡ଼ଭଙ୍ଗା ଶ୍ରମ

     ମୂଲ୍ୟ ମିଳିବ ଚାଷୀର।


ଆନନ୍ଦେ ହସିବ ସୁନ୍ଦର ଧରଣୀ

    ହସିବେ ଜଗତଜନ,

ଶୀତଳ ପବନ ହାଡଥରା ଜାଡ

   ବୃଦ୍ଧଙ୍କୁ ଦେବ କଷଣ।


ଶୀତଳ ମଣୋହି ତେଜିବେ ସକଳେ

    ଭୁଞ୍ଜିବେ ଗରମ ଖାଦ୍ୟ,

ଶୀତ ପୋଷାକର ବେହରଣ ନେଇ

   କମ୍ବଳ ଭିତରେ ନିଦ।


ଦୀର୍ଘ ରାତ୍ରୀକାଳ ହେବ ସୁଖଦାୟୀ

    ତୁଳିତଳ୍ପ ଉଷ୍ଣ ଶେଜେ,

ଶୀତୁଆ ସକାଳ ନିଆଁ ଉହ୍ମେଇର

     ଫାଇଦା ଲୋଡ଼ିବେ ଜେଜେ।


କଷ୍ଟଦାୟୀ ସିନା ହାଡ଼ଭଙ୍ଗା ଶୀତ

     ଶରୀର ହିତ ସାଧକ,

ଶୁଷ୍କ ହୁଏ ତନୁ,ବଢାଏ ମାନବ

     ରୋଗର ପ୍ରତିରୋଧକ।


ସୁବିଧା ହେଉ ବା ଅସୁବିଧା ହେଉ

      ଋତୁଚକ୍ର ଆବର୍ତ୍ତନେ,

ଗ୍ରୀଷ୍ମ, ବର୍ଷା, ଶୀତ ମୁଖ୍ୟ ତିନି ଋତୁ

      ଆସିବେ ଧରା ଅଙ୍ଗନେ।


ଶୀତ ଆସିଅଛି ଯାତନା ଦେଉଛି

      ଆନନ୍ଦ ଦେଉଛି ବେଶୀ,

ଶୀତ ଚାଲିଯିବ ଆସିବ ବସନ୍ତ

      ଫୁଲ ବିମାନରେ ବସି।


Rate this content
Log in

Similar oriya poem from Abstract