ମୌସୁମୀ
ମୌସୁମୀ
ପ୍ରଥମ ପାବଳ
ଅନୁପ୍ରବେଶ, ଆତଂକର ଉପପାଦ୍ୟ
ଅର୍ଥଲୋଭୀ ଗୃଧ୍ରକ ଦେଶଦ୍ରୋହ
କର୍ଦ୍ଦମାକ୍ତ ଶରୀର ହୀନମନ୍ୟତାର
ଅକ୍ଷତ ଯୌବନା ମୋହିନୀର ଆଗମନ
ଅପ୍ରତିମ ସୌଦର୍ଯ୍ୟର ରୋପଣୀ
ଦ୍ଵିତୀୟ ପ୍ରହର
ଝିକାରୀର ଝି ଝି ଶବ୍ଦର କରାଳୋଳ
ରାତ୍ରିର ଘନ ସାଂଦ୍ରତାର ଆତ୍ମମନେପଦୀ
ଶିହରଣ ଓ ରୋମାଂଚର ଝଡ
ସଂଗମର ଆପେକ୍ଷିକ ଆସ୍ତରଣ
ଅଂଜିତା ଓ ସଂଜିତ ମାନଂକର
ମଧ୍ୟପଦ ଲୋପୀ କର୍ମଧାୟ
ତୃତୀୟ ନୟନ
ଯେତେସବୁ ସଂଦେହ ଓ ଅବିଶ୍ଵାସର ହଳାହଳ
ପାନ କରି ମୁଁ ଆଜି ସାଜିଛି ନୀଳକଂଠ
ବିରହୀ ଯକ୍ଷର ଚିଟାଉ ନେଇ
ମେଘାମ୍ବରୀ ଆଣିଛି ଶ୍ଵେତପଦ୍ମା
ସୃଷ୍ଟିର ଆଦ୍ୟ ଅକ୍ଷରରୁ
ଏକବିଂଶ ଶତାବ୍ଦୀର ଜିଡିଟାଲ ଯୁଗ
ଯେତେସବୁ ଫକା ଆୱାଜ୍ ସାଇରନ୍
ତୃତୀୟ ନୟନରୁ ଉଦ୍ରିତ ଲାଭା
ଲାଲ ଗହୀରର ଇତି କଥାରେ
ରଚାଯାଏ ଆଧୁନିକ ରାମାୟଣ ।
ଅଂତିମ ଅଂକ
ତୁମେ ଏକ ଅସମାପିକା କ୍ରିୟା
ହାମ୍ଲେଟ୍ର ନଂଦ ଓ ଅଭିମନ୍ୟୁ ବଧ
ଭଗ୍ନ ଏକ କୋଣାର୍କର ଅବଧାରିତ ଆକର୍ଷଣ
ସମସ୍ତ ଲୋଭ, ମୋହର ମଂଦ ମଳୟରେ
ଝାଉଁବଣ ପାଲଟିଯାଏ ନଂଦନକାନନ
ସ୍ଥପତିର ଶେଷସ୍ପର୍ଶରେ
ଦେଖାଯାଏ ସୃଜନଶୀଳତାର ଭିନ୍ନ ଏକ ଦିଗଂତ ।।
