ବର୍ଷା
ବର୍ଷା


ବର୍ଷା ଆସିଛି : ବିଳଂବିତ ମୌସୁମୀର ବିଙବିତ ପଦପାତରେ
ଆତଂକିତ ଜନଜୀବନର ଆଶଂକା ଆଢୁଆଳରେ
ଗ୍ରାମ୍ୟ କିଶୋରୀର ସଲ୍ଲଜ ହସରେ- ବ୍ରୀଡାବତୀର ଅନନ୍ୟା ଅବଙ୍ଗୁଠନରେ
ବର୍ଷା ଆସେ : ମୌସୁମୀ ମନସ୍କା ମୋ ପ୍ରିୟାଂକ ସଂଗୁପ୍ତ ଚାହାଣୀରେ
ନାଟି ଟୁକୁଟୁକୁ ସାଧବ ବୋହୂର ଅପାପବିଦ୍ଧ ଭାବରେ
ସଂତାପିତ ଜନଜୀବନରେ ଆଶ୍ବସ୍ତିର ସଂଦେଶରେ ।
ପ୍ରତିଶ୍ରୁତି ଓ ପ୍ରତାରଣାର ବାର୍ଷିକ ସମୀକ୍ଷାରେ
କାଦୁଅ ଫିଗା, ପଂକିଳ ରାଜନୀତିର ଛଦପତନରେ
ନିରନ୍ନ ଜନତାର ଭୋକର ଭୂଗୋଳରେ- ଦାରିଦ୍ର୍ୟର ଅର୍ଥନୀତିରେ ।
ବର୍ଷା ଆସିବ : ସ୍ଵଚ୍ଛ, ଉତ୍ତରଦାୟୀ ସଂସ୍କୃତିସଂପନ୍ନ ପ୍ରଶାସନରେ
ପ୍ରଗତି ଓ ପରିବର୍ତନର ମୃଦୁମଳୟରେ
ବର୍ଷା ଆସିଛି:
ସୁରମ୍ୟ ସଂପର୍କଭରା ବ୍ୟତିକ୍ରମ ଏକ ଶ୍ରାବଣୀ କବିତାରେ ।।