ପ୍ରେମ ଅଢେଇ ଅକ୍ଷର
ପ୍ରେମ ଅଢେଇ ଅକ୍ଷର
ପ୍ରେମ ଅଟେ ସିନା ଅଢେଇ ଅକ୍ଷର
ହୃଦୟରୁ ଝରେ ସିଏ
ସେନେହ ମମତା ପ୍ରେମର ପ୍ରୀତିରେ
ଭଲ ପାଇବାଟି ଥାଏ ।
ଅଢେଇ ଅକ୍ଷର କହନ୍ତି ସଭିଁଏ
ହେଲେ ଚିରସ୍ଥାୟୀ ଇଏ
ହୃଦୟ ଭିତରୁ ଅବିରତ ପ୍ରେମ
ନିର୍ଝରିଣୀ ଝରୁ ଥାଏ ।
ସେନେହ ଶ୍ରଦ୍ଧାରେ ଭଲ ପାଇବାରେ
ସମ୍ପର୍କଟି ବାନ୍ଧି ଥାଏ
ସେଇତ ସମ୍ପର୍କ ପ୍ରେମେ ମଜବୁତ୍
ହେଇ ରହିଥାଏ ସିଏ ।
ସେଇ ପ୍ରେମେ ପାଗଳିନୀ ରାଧା କାହ୍ନୁ
ବାହୁରେ ଯେ ଝୁଲୁ ଥାଏ
କୁଞ୍ଜବନେ ସଞ୍ଜ ହେଉ ଥାଏ ନିତି
ନିନ୍ଦା ପଛେ ପାଏ ସିଏ ।
ପ୍ରେମ ତ ଅଟଇ ପବିତ୍ର ଶାଶ୍ବତ
ତାହାକୁ ନା ଭୁଲି ହୁଏ
ଏଇ ପ୍ରେମ ଅଟେ ଏମିତି ଗୋଟିଏ
ହୃଦୟକୁ ଛୁଇଁ ଥାଏ ।
ପର ଆପଣାର ସମ୍ପର୍କ ଖୋଜେନା
ପ୍ରେମେ ବନ୍ଧା ହୁଏ ସିଏ
ସେଇ ପ୍ରେମ ଯୋଗୁଁ ପର ବି ଆପଣା
ଆପଣା ନିଜର ହୁଏ ।
ଟଙ୍କା ଦେଇ ପ୍ରେମ କିଣି ତ ହୁଏନା
ହୃଦୟ ଜିତିବା ହୁଏ
ହୃଦୟ ଜିତିଲେ ଭଲ ପାଇବାରୁ
ପ୍ରେମ ଆପେ ଆସି ଥାଏ ।
ଅଢେଇ ଅକ୍ଷର ଅଟେ ଏଇ ପ୍ରେମ
ନା କେବେ ତାକୁ ଭୁଲି ହୁଏ
ସବୁରି ମନର ହୃଦୟ ଭିତରେ
ବସା କରି ରହି ଥାଏ ।
ଅଢେଇ ଅକ୍ଷର ହେଉ ପଛେ ସିଏ
ବଞ୍ଚିବା ଶିଖେଇ ଦିଏ
ସେଇ ପ୍ରେମ ପାଇଁ ଆଖିରେ ତାହାର
ଅନେକ ସପନ ଥାଏ ।
