STORYMIRROR

Pranati Mahapatra

Children

4  

Pranati Mahapatra

Children

ତୁମ ପରି ପିଲାଟିଏ

ତୁମ ପରି ପିଲାଟିଏ

2 mins
326


ଜାଣିଛ କି ପିଲେ ଜାଣିଛ କି

ଥିଲେ ତୁମ ପରି ପିଲାଟିଏ ।

କାଦୁଅରେ ଗୋଡ଼ ଖସିଗଲା ବୋଲି

ସାଙ୍ଗସାଥି ମିଶି ଛୁଟିଦିନ ଦେଖି

ପକାଇଲେ ବାଲି ଗୋଡି ମାଟି

ସମତୁଲ କଲେ ବାଟ ସିଏ ।

ମଧୁ ବାରିଷ୍ଟର ଆଉ କିଏ

ଥିଲେ ତୁମ ପରି ପିଲାଟିଏ ।


ସ୍ବତନ୍ତ୍ର ଥିଲେ ସେ ସବୁଥିରେ

ତ୍ୟାଗ ,ସଂଘର୍ଷ ପରିସ୍ଥିତିରେ

କୁଳବୃଦ୍ଧ ମଧୁ ବାରିଷ୍ଟର

ସ୍ବାଭିମାନ ଓଡ଼ିଆ ଜାତିର

ଜନ୍ମ କଟକ ସତ୍ୟଭାମାପୁରରେ

ଜୀବିତେ କିମ୍ବଦନ୍ତୀ ପୁରୁଷ ସିଏ

ଥିଲେ ତୁମପରି ପିଲାଟିଏ।


ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ

ଓଡିଶା ରାଜ୍ୟ ଗଠନ ପାଇଁ

ସଂଘର୍ଷମୟ ଜୀବନ ସଂଘର୍ଷରେ

ସ୍ବାଭିମାନକୁ ନ ଭୁଲି ଜୀବନରେ

ଶ୍ରୀମନ୍ଦିର ପରିଚାଳନା ବିବାଦରେ

ସଦା ବିଜୟ ଟୀକା ପିନ୍ଧନ୍ତି ସିଏ

ଥିଲେ ତୁମପରି ପିଲାଟିଏ ।


ଜାଣିଛ କି ପିଲେ ଜାଣିଛ କି

ଥିଲେ ତୁମ ପରି ପିଲାଟିଏ ।

ବାରବରଷର ବାଳକଟିଏ ସେ

ଘୋର ଅନ୍ଧକାର ମେଘୁଆ ରାତିରେ

ଡ଼ଙ୍ଗା ଧରି ଘାଟ ପାରିକରେ ,

ଗୋରା ବିଦେଶୀଙ୍କୁ ଖାତିରି ନକରି

ବଳିଦାନ କରିଥିଲେ ଯିଏ ।

ଥିଲେ ତୁମପରି ପିଲାଟିଏ ।


ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର

ଗରୀବ ଖଣ୍ଡାୟତ ପରିବାର

ପିଲାବେଳୁ ବାପାଙ୍କୁ ହରାଇ

ଦୁଃଖ କଷ୍ଟେ ଦିନ ଯାଏ ବହି

ଢେଙ୍କାନାଳ ରାଜା ଅତ୍ୟାଚାର

ଯୋଗ ଦେଲେ ପ୍ରଜାମଣ୍ଡଳର

କୋମଳମତି ବାଜିଆ ସିଏ

ଥିଲେ ତୁମପରି ପିଲାଟିଏ ।


ଜନ୍ମ ୧୯୨୬ ପାଞ୍ଚ ଅକ୍ଟୋବର 

ମୃତ୍ୟୁ ୧୯୩୮ଏଗାର ଅକ୍ଟୋବର

ବୟସ ହୋଇଥିଲା ଏଗାର

ସର୍ବକନିଷ୍ଠ ଶହୀଦ ଆମ ଦେଶର

ଆଦେଶ ଯେ ପ୍ରଜାମଣ୍ଡଳର

ଅନ୍ୟାୟ ପାଖେ ନ ନୁଆଁଇ ଶିର

ଡ଼ଙ୍ଗାରେ ଗୋରାଙ୍କୁ ପାରି ନ କରି 

କର୍ତ୍ତବ୍ୟ ପାଳନେ ଯେ ଆଗୁସରି ।

ବୀରର ପରିଚୟ ଦେଇ ସିଏ

ଥିଲେ ତୁମପରି ପିଲାଟିଏ ।


ଜାଣିଛ କି ପିଲେ ଜାଣିଛ କି

ଥିଲେ ତୁମ ପରି ପିଲାଟିଏ ।

ବାରବରଷର ବାଳକଟିଏ ସେ

କାରିଗର କୁଳ ମଣିଟିଏ ।

ରାଜା ନରସିଂହ ଗଙ୍ଗ ବଂଶର

ସୂର୍ଯ୍ୟ ଉପାସନା ପାଇଁ ମନ୍ଦିର 

ତଟ ଥିଲା ବଙ୍ଗୋପସାଗର

ନିୟୋଜିତ ବାର ଶ' କାରିଗର


ବାର ବରଷ ଲାଗି କାରିଗର

ମୁଣ୍ଡି ନ ମରିଲା ସେ ମନ୍ଦିର

ନିର୍ଦ୍ଦେଶ ଥିଲା ନୃପତିଙ୍କର

ଆସନ୍ତା ସୂର୍ଯ୍ୟୋଦୟ ପ୍ରଭାତର

ନ ହେଲେ ସମାପ୍ତ ମନ୍ଦିରର

ଶିରଚ୍ଛେଦ ସର୍ବ କାରିଗର

ପ୍ରମାଦ ଗଣିଲେ ଶିଳ୍ପୀ କୁଳ

ଧରମା ଉଭାହେଲା ସେ ସ୍ଥଳ 

ଅଚିରେ ମନ୍ଦିର ମୁଣ୍ଡି ମାରି

ସାଗରେ ଲମ୍ଫ ପ୍ରଦାନ କରି ।

ବାରଶ'ଜୀବନ ରଖି ସିଏ

ଅମର ହେଇ ରହିଲେ ଯିଏ ।

ଥିଲେ ତୁମପରି ପିଲାଟିଏ ।


ଜାଣିଛ କି ପିଲେ ଜାଣିଛ କି

ଥିଲେ ତୁମ ପରି ପିଲାଟିଏ ।

ବାରବରଷର ବାଳକଟିଏ ସେ

ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ

କିଛି ଘଣ୍ଟା ପରେ ଦେଖିଥିଲେ ।

ଗାନ୍ଧୀବାଦୀ କିଷାନଙ୍କ ପୁଅ

ଭଗତ ସିଂହ ନାମେ ପରିଚୟ

ସ୍ବାଧୀନତା ସଂଗ୍ରାମ ବିଷୟରେ

ଜ୍ଞାତ ହେଲେ ତେର ବର୍ଷରେ

ସଂଗ୍ରାମ ଜୀବନ ସଂଗ୍ରାମୀଟିଏ

ଥିଲେ ତୁମପରି ପିଲାଟିଏ ।


ସୁଯୋଗ୍ୟ ଦାୟାଦ ଭାରତର

ଦେଶପ୍ରୀତି ଥିଲା ଜୀବନର

ସ୍ବାଧୀନତା ପାଇଁ ଯେ ମାଆର

ପଣ କରିଥିଲେ ଭଗତ ବୀର

ମାତ୍ର ୨୪ ବର୍ଷ ବୟସରେ

 ଶହୀଦ ହୋଇଗଲେ ଫାଶୀରେ

ଦେଶର ଅମୂଲ୍ୟ ରତ୍ନ ସିଏ

ଥିଲେ ତୁମପରି ପିଲାଟିଏ ।


ଶିବାଜୀଙ୍କୁ ଜାଣିଛ କି କିଏ

ଜୀଜାବାଇଙ୍କର ପୁଅ ସିଏ

ନିଜ ଜନ୍ମଭୂମି ବିଦେଶୀଙ୍କ ଠାରୁ

ମୁକ୍ତକରିବାକୁ ପଣ କରି ଯିଏ

ହିନ୍ଦୁ ଜାତି ହିନ୍ଦୁ ଧର୍ମର ରକ୍ଷା 

କରିବା ପାଇଁ ଜୀବନର ବ୍ରତ କରି ସିଏ

ଥିଲେ ତୁମପରି ପିଲାଟିଏ ।


ଯୁଦ୍ଧବିଦ୍ୟା ଶିକ୍ଷା ଅଶ୍ୱାରୋହଣ 

ଶିଖି ଗଢିଥିଲେ ସୈନ୍ୟଦଳ

ବିଜାପୁର ତୋର୍ଣ୍ଣା ଦୁର୍ଗ ଦଖଲ

ରାୟଗଡ଼ ଦୁର୍ଗ କରି ନିର୍ମାଣ

ମରାଠା ବିଜୟ ସାମ୍ରାଜ୍ୟ ପ୍ରତିଷ୍ଠା

ସୁଲତାନ ଅଫଜଲ ଖାନକୁ ପରାସ୍ତ

ବାଘନଖରେ ଅଫଜଲ ମାରିଲେ

ବୀରତ୍ବର ପରାକାଷ୍ଠା ପ୍ରମାଣିଲେ ।


ବାଘାଯତୀନ ନାମେ ପିଲାଟିଏ

ବାଲେଶ୍ଵର ଚଷାଖଣ୍ଡେ ସିଏ

କ୍ରାନ୍ତିକାରୀ ବୀର ବାଘାଯତୀନ

ଦେଶଭକ୍ତି ଓ ସଂଘର୍ଷମୟ ଜୀବନ

ଦେଶପ୍ରେମୀ ସ୍ବାଧୀନତା ସଂଗ୍ରାମୀ

ବାଘ ସାଥେ ଲଢି ବାଘାଯତୀନ

ରେଳରେ ସଂଗ୍ରାମ କରି ଗୋରାଙ୍କୁ

କାବୁ କଲେ ଚାରି ଚାରିଜଣଙ୍କୁ ।


ଦେଶ ସ୍ବାଧୀନତା ପାଇଁ ନିଜକୁ

ଉତ୍ସର୍ଗ କଲେ ଭୁଲି ସୁଖକୁ

ବିଦେଶୀଙ୍କ ସହ ଲଢେଇ କରି

କ୍ଷତାକ୍ତକୁ ସେ ଖାତିରି ନକରି

ଡାକ୍ତରଖାନାରେ ଅପରେସନ

ଚେତା ଆସିଲାରୁ କରି ଗର୍ଜନ

ଛିଡେଇ ଦେଲେ ତାକୁ ନିର୍ଭୟରେ

ଥିବାଯାଏ ଶେଷ ରକ୍ତବିନ୍ଦୁ ଏ ଶରୀରେ

ଲଢିବି ସ୍ବାଧୀନତା ପାଇଁ ବୀର ଦର୍ପରେ ।


କେତେ କେତେ ବୀର ସନ୍ତାନ

ଏ ଦେଶ ମାଟି ପାଇଁ ଦେଇ ବଳୀଦାନ

ରଖିଛନ୍ତି ଦେଶର ଗୌରବ ଅକ୍ଷୁର୍ଣ୍ଣ

ପଢିଲେ ଜାଣିବ ନିଶ୍ଚେ ତାଙ୍କ ଗୁଣମାନ

ଇତିହାସରେ ରହିବେ ଯୁଗ ଯୁଗ ଯିଏ

ଏ ଦେଶ ଦାୟାଦ ତୁମ ପରି ପିଲା ସିଏ ।


Rate this content
Log in

Similar oriya poem from Children