ଜୀବନ ପଥେ ସତ୍ୟ
ଜୀବନ ପଥେ ସତ୍ୟ


କୁନି କୁନି ଶିଶୁ ଆମେ
ସତ୍ୟ ପଥେ ଚାଲିବୁ,
ଗୁରୁ ଗୁରୁଜନ ଆଜ୍ଞା
ଅବଜ୍ଞା ନ କରିବୁ ।
ଜନ୍ମଦାତ୍ରୀ ସତ୍ୟପଥେ
ଚାଲିବାକୁ କହନ୍ତି,
ଜନ୍ମଦାତା ପିତା ଆମ
ଧର୍ମ ବାଣୀ ଶୁଣାନ୍ତି ।
ସତ୍ୟପଥେ ଚାଲିବାଟା
ଅଟେ ବଡ଼ କଠିନ,
ତଥାପି ଏ ସତ୍ୟପଥ
ସଦା ସଦ୍ୟ ସୁମନ ।
ଆସୁ ଯେତେ ଦୁଃଖ କଷ୍ଟ
ସତ୍ୟ ବାଣୀ କହିବା,
ସତ୍ୟର ଆଲୋକ ସ୍ବଚ୍ଛ
ଶୁଭ୍ର ଜ୍ୟୋତ୍ସ୍ନା ପାଇବା ।।
ସତ୍ୟ ସନାତନ ସତ୍ୟ
ଚିରନ୍ତନ ଶାଶ୍ୱତ,
ସତ୍ୟରେ ସଂସାର ଗତି
ସତ୍ୟରେ ଜୀବନ୍ତ ।
ସ୍ନେହ ଶ୍ରଦ୍ଧା ପ୍ରେମ ମଧ୍ୟେ
ଆଦର୍ଶ ପରିବାର
ଜନମ ମରଣ ମଝିରେ
ଜୀବନ ସଂସାର ।
ବିଧାତା ବିଧାନ ଅଟେ
ଶ୍ରେଷ୍ଠ ଜଗତର,
ନିରନ୍ତର ଗଡୁଥାଏ
ଚକ ସମୟର ,
ବୁଝେନା ମଣିଷ ମନ
ଦର୍ଶନେ ଅନ୍ଧାର ।
ବହିଯିବା ପାଣି କହି
ଦେଇଥିବା କଥା
ଫେରେନା ଆଉ ସେ ଦିନ
ଦେଇଥାଏ ବ୍ୟଥା ।।
ସତ୍ୟରେ ବିଜୟ ଥାଏ
ପରାଜୟ ନାହିଁ,
ସତ୍ୟେ ସୁଖ ଶାନ୍ତି ମିଳେ
ଆଶୀଷ ମିଳଇ ।
ସତ୍ୟପଥଟି ଉନ୍ମୁକ୍ତ
ଅସତ୍ୟେ ବନ୍ଧନ,
ସତ୍ୟ ସୂର୍ଯ୍ୟ ଦିବାଲୋକ
ପ୍ରଫୁଲ୍ଲିତ ଏ ମନ ।
ସତ କହିବାକୁ କିଆଁ
ଡ଼ରିବା ଜୀବନରେ,
ଜୀବ ଚାଲିଯାଉ ପଛେ
ସତ୍ୟେ ସଦା ଯିବାରେ ।।