ହେ ଗୁରୁଦେବ
ହେ ଗୁରୁଦେବ
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ମହେଶ୍ୱର ବିଶ୍ବେ
ପୁରାଣ ଶାସ୍ତ୍ରରେ କେବେ ଠାରୁ ବର୍ଣ୍ଣିତ
ଗୁରଙ୍କ ଚରଣେ ମତି ଶିକ୍ଷା ଗ୍ରହଣରେ ବ୍ରତୀ
ସେ ଶିଷ୍ୟ ଜଗତେ ଶ୍ରେଷ୍ଠ ଯେ ପରିଚିତ
ସର୍ବେ ଗୁରୁ ସେବା କରିବା
ଗୁରୁ ଉପଦେଶ ମାନି ପଥ ଚାଲିବା ।(୧)
ପିତା ମାତା ଗୁରୁଜନ ତାଙ୍କ ଉପଦେଶ ମାନ
ଅକ୍ଷରେ ଅକ୍ଷରେ ଯେହୁ ପାଳନ କରେ,
ମାତାପିତା ଆଦ୍ୟଗୁରୁ ନିତ୍ୟ ପାଦେ ସେବା କରୁ
ଈଶ୍ବରଙ୍କ ଆଶୀଷ ସେ ସନ୍ତାନେ ଥାଏ
ସତ୍ୟ ଧର୍ମ ପଥେ ରହିଲେ
ତାଙ୍କ ସୁକଲ୍ୟାଣେ ସୁଖୀ ହୋଇବ ଭଲେ । (୨)
ଜଣେ ଶିଷ୍ୟ ଅରଜୁନ ଗୁରୁ ଯେ ତାଙ୍କର ଦ୍ରୋଣ
ଅଧ୍ୟବସାୟ ନିଷ୍ଠାରେ ସର୍ବଦା ମଗ୍ନ,
ଗୁରୁ ପଦଧ୍ୟାୟୀ ନିତି ପାରଙ୍ଗମ ଯୁଦ୍ଧ ନୀତି
ବିଜୟ ଆଶୀଷ ଗୁରୁଙ୍କ ଠୁ ଲଭନ୍ତି
ଗୁରୁଭକ୍ତି ଯା'ର ଯେମନ୍ତ
ଗୁରୁ ଆଶୀର୍ବାଦ ଲଭେ ଶିଷ୍ୟ ତେମନ୍ତ ।
ଏକଲବ୍ୟ ଶିଷ୍ୟ ଥିଲେ ଗୁରୁଙ୍କ ପିତୁଳା କଲେ
ଦୂରରୁ ଗୁରୁ ମଣି ସେ ଶିକ୍ଷା ଲଭିଲେ
ଗୁରୁ ବିଷ୍ଣୁ ରୂପେ ଆବିର୍ଭୁତ ଶିଷ୍ୟର ପାଶେ ତ
ସେ ଭକ୍ତିର ପଟ୍ଟାନ୍ତର ନାହିଁ ଜଗତେ
ତାଙ୍କୁ ଅନୁସରଣ କରି
ତାଙ୍କ ଗୁରୁଭକ୍ତି ଜନଶ୍ରୃତି ମରତେ ।
ଧୌମ୍ୟ ଋଷିଙ୍କର ଶିଷ୍ୟ ନାମ ଆରୁଣୀ ତାଙ୍କର
ଗୁରୁଙ୍କ ଆଜ୍ଞାରେ କ୍ଷେତ ହିଡେ ଶୋଇଲେ
ଉପମନ୍ୟୁ ଆନ ଏକ ଶିଷ୍ୟ ଭାବେ ପରିଚିତ
ଅନାହାରେ ସିଜୁ ପତ୍ର ଖାଇଣ ଅନ୍ଧ
ଗୁରୁଙ୍କୁ ଦେବତା ମଣନ୍ତି
ଗୁରୁ ଆଜ୍ଞାକୁ ଅବଜ୍ଞା ସେ ନକରନ୍ତି।
ଦ୍ରୁପଦ ରାଜାଙ୍କ ଅପମାନ ସହି ବନେ ଭ୍ରମି
ଭୀଷ୍ମଙ୍କ ପ୍ରସ୍ତାବେ ଶିକ୍ଷା ରାଜକୁମାରେ
କୁରୁ ପାଣ୍ଡବଙ୍କ ପୁତ୍ର ହୋଇଥିଲେ ତାଙ୍କ ଶିଷ୍ୟ
ଦ୍ରୁପଦ ପ୍ରତିଶୋଧ ବର୍ଣ୍ଣନା ଯେ କଲେ
ସର୍ବ ଶିଷ୍ୟ ହେଲେ ନୀରବ
ଗୁରୁଙ୍କ ଆଜ୍ଞାରେ କଲେ ପୂର୍ଣ୍ଣ ସେ କାର୍ଯ୍ୟ ।
କହନ୍ତି ବୁଝାଇ ଜେଜେ ମନପ୍ରାଣେ କୁନା ବୁଝେ
ପୁରାଣ ମହାଭାରତେ ସେ ଉପାଖ୍ୟାନ,
ଏକନିଷ୍ଠ ହୋଇ ଯେବେ ଗୁରୁ ପଦ ଧ୍ୟାୟୀ ତେବେ
ବିଷ୍ଣୁ ନାରାୟଣ ସମ ବାକ୍ୟ ତାଙ୍କର
ଅର୍ଜୁନ ଏକଲବ୍ୟ ଭଳି
ବହୁ ଜ୍ଞାନ ଲବ୍ଧେ ଶ୍ରେଷ୍ଠ ମାନବେ ଚଳି ।