ଆସିଲା ଶୀତ
ଆସିଲା ଶୀତ
ଆସିଲା ଶୀତ ବସିଲା ମିତ
ଆମ କୁନା ସାଥିରେ,
ଗାଇଲା ଗୀତ ପଢିଲା ପାଠ
ବସି କଅଁଳ ଖରାରେ ।
ଖାଇଲା ମୁଢି ପଖାଳ ବଢି
ଅତି ଆନନ୍ଦ ମନରେ,
ଶାଗ ଖରଡା ପୋଇ ରାଇତା
ଆହା କି ଖୁସି ମନରେ ।
ଶୋଇଲା ଯାଇ ନରମ ଶେଯେ
ପଶି କମଳ ଭିତରେ,
ଶୁଣିଲା ଜେଜେ ଗପ ପେଡିକୁ
ଖୋଜିଲା କାହାଣୀରେ ।।
ହୁଁ ମାରିଲା ହାଇ ମାରିଲା
ଗପ ଅଧା ରହିଲା,
ବାଉଳି ହେଲା ଘୁଙ୍ଗୁଡ଼ି ଦେଲା
ନିଦରେ ଘଡିକିଲା ।
ଜେଜେ ହସିଲେ ଥଟ୍ଟା କରିଲେ
କହିଲେ ବଗୁଲିଆ,
ରାତି ପାହିଲେ କହିବ ଗେହ୍ଲେ
ଅଧା ଗପ ଶୁଣିବା ।।
ଗର
ମ ଭାତ ଗରମ ତୁଣ
ଆହାକି ମଜା ହେବ,
ଖାଇବା ବେଳେ ଟାକରା ମାରି
ବଡ଼ ଖୁସି ହୋଇବ ।
ଗାଆଁ ପୋଖରୀ ଥଣ୍ଡା ପାଣିରେ
ସିନାନ କରିବ ଯାଇ,
ଆମ୍ବୁଲ ଆଉ ରସୁଣ ଦଳି
ବାସି ପଖାଳ ଖାଇ ।
ଗାଆଁ ଗୋହିରୀ ଭିତରେ ପଶି
ଦେଖିବ ମାଛଧରା,
ଗଡିଶା ଚେଙ୍ଗ ପଙ୍କ ଭିତରୁ
ଆଣିବ ବୋହି ପରା ।
ଚୁଲିରେ ପୋଡ଼ି ପିଆଜ ବଢି
ମାଆ ଛେଚିଣ ଦେବେ,
କଞ୍ଚାଲଙ୍କାକୁ ଜେଜେମା ପୁଣି
ଟିକେ ଚକୁଡି ଦେବେ ।
ଜେଜେ ଜେଜେମା ପାଖରେ ରହି
କେତେ ମଜା କରିବ,
ଶୀତ ବି ମିତ ସାଥିରେ ରହି
ମଜା ଉଠାଉ ଥିବ ।।