ନିଷ୍ଠୁର ସମୟ
ନିଷ୍ଠୁର ସମୟ
ଆଜି ଆଉ ସ୍ବପ୍ନ ଦେଖିବାକୁ
ବେଳ ନାହିଁ କି ବଳ ବି ନାହିଁ
ଜୀବନ ଜୀଇଁବାର କସରତରେ
ସରି ସରି ଆସୁଛି ଆୟୁଷ
ହଳାହଳ ବିଷ ମଧ୍ୟରେ ତଥାପି
ଖୋଜା ଚାଲିଛି ଅମରତ୍ବର ପିୟୁଷ।
ଚାରିଆଡ଼େ ଅବିଶ୍ଵାସର ବଳୟ
ଭୂମିରୁ ଭୂମା ସବୁଠିଁ ଯୁଦ୍ଧର ହୁଙ୍କାର
ମଣିଷ ରକ୍ତରେ ମଣିଷ ହୋଲି
ଖେଳିବା ପାଇଁକି ସଜକରୁଛି ହତିଆର
ସତେ ଅବା ମାନବ ସଭ୍ୟତାର
ଧ୍ବଂସ ପାଇଁକି ବଦ୍ଧପରିକର।
ଶାନ୍ତି ମୈତ୍ରୀ ସଂପ୍ରୀତିର କଥା
ଶୁଣିବାକୁ ବୁଝିବାକୁ ସଭିଏଁ ଅସମର୍ଥ
ଅହମିକାର ପ୍ରାବଲ୍ୟରେ ହୋଇଣ ପ୍ରମତ୍ତ
ଜୀବ ଶ୍ରେଷ୍ଠ ମଣିଷ ସ୍ବେଚ୍ଛାରେ
ଘୃଣା ହିଂସା ରକ୍ତପାତରେ ଲିପ୍ତ
ସବୁଠି ଶୁଭୁଛି ଯୁଦ୍ଧଂ ଦେହୀର କୁହାଟ।
ଦୁର୍ବଳ ଉପରେ ସବଳର ଅତ୍ୟାଚାର
"ଜୋର୍ ଯା'ର ମୂଲକ ତା'ର"
ମାନବତା କରୁଛି ବିଳାପ ରକ୍ଷା କର
ଚଉଦିଗେ ଶୁଭୁଛି ବୁଭୁକ୍ଷୁ ଜନତାର ହାହାକାର
ଭାଇ ଭାଇର ସଙ୍କଟ ସୃଷ୍ଟି ହୋଇଛି ମହାଭାରତ
ନ୍ଯସ୍ତ ସ୍ବାର୍ଥୀ ନପୁଂସକ ଚାହିଁରହି ଦେଖନ୍ତି ସୁକୁଟ।
ଆକାଶରୁ ବି ଆଉ ଝରୁନାହିଁ ପ୍ରେମର ଫଲଗୁ ଧାରା
ବର୍ଷୁଅଛି ଗୁଳିଗୋଳା ଲାଗିଛି ତହିଁ ବାରୁଦର ମେଳା
ନିରବିଗଲେଣି ନଦନଦୀ ହଜିଗଲାଣି ଶ୍ୟାମଳିମା
ସର୍ବଗ୍ରାସୀ ଷଡଯନ୍ତ୍ରେ ଷଡଋତୁ ହୋଇଲେଣି ଦିଶାହରା
ପ୍ରୀତି ବିହୁନେ ବନ୍ଧ୍ୟା ପାଲଟିଗଲାଣି ସସାଗରାଧରା
କିଏ ଅବା ଦେବ ଅରକ୍ଷିତ ମଣିଷକୁ ସାହାରା ।
ହେ ଈଶ୍ବର!
ତୁମ୍ଭର ଦ୍ବାହି ଦେଇ ଅଙ୍କୁରିତ ଆଜି ଏଠି
ଧାର୍ମିକ ବିଦ୍ବେଷର ପୃଥିଧ୍ବଂସୀ ମହାଦ୍ରୁମ
ପାରୁନାହଁ କିବା ଦେଖି ତୁମ୍ଭ ସୃଷ୍ଟିର ବିନାଶ
ସେଥିପାଇଁ ତୁମ୍ଭେ ହୋଇଲ କି ନିରୁଦ୍ଦିଷ୍ଟ
ବାରେ ଆସ ଅବତରୀ ପୋଛି ଦେବାକୁ
ଏଇ ଜୀବାତ୍ମା ଆଖିରୁ ଲହୁର ଲୋତକ।