ଖଇଫୁଟା ବରଗଛ
ଖଇଫୁଟା ବରଗଛ
ଢିଙ୍କିଆ ରୁ ତଣ୍ଡା ରାସ୍ତା ଭାରି ଶୂନ୍ ଶାନ୍
ତ୍ରିଲୋଚନ ପୁର ଦେଇ କରିଛି ପ୍ରସ୍ଥାନ।
ସେ ରାସ୍ତା ଦେଇ ଆସନ୍ତି କେତେଯେ କୃଷକ
ରାସ୍ତା ଛୋଟ ହେତୁ ଜମି ହୋଇଥାଏ ପାଖ।
ସେ ରାସ୍ତା କଡ଼ରେ ଅଛି ଝଙ୍କାଳିଆ ଗଛ
ନାଆଁ ଟି ତାହାର ଖଇଫୁଟା ବରଗଛ।
ଇତିହାସ ପୃଷ୍ଠା ରେ ତା ନାହିଁ ଚିହ୍ନ ବର୍ଣ୍ଣ
ଚାରିଖଣ୍ଡ ଗାଁ ରେ ପରିଚିତ ଏହି ନାମ।
ତା ଉପରେ ବହୁ ଭୂତ କରରୁଥାନ୍ତି ବାସ
ରାତ୍ରି ହେଲେ ଜନତା ହୁଅନ୍ତି ଭୀତତ୍ରସ୍ତ।
ବହୁବାର ଲୋକଦେହେ ଭୂତ ଯେ ସବାର
ଗୁଣିଆଁ ଛଡାନ୍ତି ଭୂତ କରି ତନ୍ତ୍ର ମନ୍ତ୍ର ।
ବରଗଛ ଖଣ୍ଡେ ଦୂରେ ରହିଛି ମଶାଣି
ସେଠାରେ ବାସ କରଇ ଆମ ରାଖି ନାନୀ।
ଶାଶୁଘରେ ଥିଲା ସିଏ ଆସନ୍ନ ପ୍ରସବା
ଅକାଳ ବିୟୋଗ ହେଲା ସର୍ବଜନ କାବା।
ମଶାଣିରେ ପୋତାହେଲା ହୋଇ ଅହ୍ଯରାଣୀ
ଅତୃପ୍ତ ରହିଲା ଆତ୍ମା ହେଲା ଚିରୁଗୁଣୀ।
ମଧ୍ଯ ରାତ୍ରି ରେ ପାଟିରୁ ନିଆଁ ଜାଳି ସେହି
ପିଲାମାନଙ୍କୁ ତାହାର ନିତି ସେକୁଥାଇ।
କେତେ ରମଣୀଙ୍କ ଦେହେ ହୋଇଛି ପ୍ରବେଶ
ବର୍ଣ୍ଣନା କରିଛି ତାର ଜୀବନର କ୍ଳେଶ।
ଗୁଣି ଛଡାଇ ପାରେନି କଲେ ଶତଚେଷ୍ଟା
ଇଛା କରି ଯାଏ ସିଏ କରି ହଟହଟା।
ମଶାଣିରେ ରାଖି ଭୟ ବରଗଛେ ଭୂତ
ରାତି ହେଲେ ଲୋକ ହେଉଥାନ୍ତି ଭୟଭୀତ।
ତ୍ରିଲୋଚନ ପୁରେ ହୁଏ ରାମଲୀଳା ଯାତ୍ରା
ଦଳ ବଳ ଘେନି ଯାଉ ସେପଥରେ ସଦା
ରାଖି ନାନୀ କରିନାହିଁ ଆମକୁ ହୀନସ୍ତା
ତା ଉପରେ ଥାଏ ସଦା ଆମର ଯେ ଆସ୍ଥା।
ଖଇଫୁଟା ବରଗଛ କଲେ ଅତିକ୍ରମ
ମନରେ ଭୂତ ସବାର ହୁଏ ସେହିକ୍ଷଣ।
ଗଛରୁ ପଡଇ ଯେବେ ଖସି ଗୋଟେ ପତ୍ର
ଭାବି ନେଉଁ ନିଶ୍ଚୟ ଏ ଭୂତର ଚକ୍ରାନ୍ତ ।
ଏବେ ଆଉ ନାହିଁ ସେହି କିମ୍ବଦନ୍ତୀ ଗଛ
ସେ ସ୍ଥାନରେ ନାହିଁ ଆଉ ଭୂତଙ୍କର ବାସ।
ରହିଲେଣି ସେ ସ୍ଥାନରେ ବହୁ ପରିବାର
କାହା ଦେହେ ଭୂତ ଆଉ ହେଉନି ସବାର।
ରାଖି ନାନୀ ଆତ୍ମା ଶାନ୍ତି ପାଇଲାଣି ବୋଲି
ମଶାଣୀ ରେ ନାହିଁ ଭୟ ଆଉ ଆଜିକାଲି।
ରାଖି ନାନୀ ଭୂତ ଖଇଫୁଟା ବରଗଛ
ବିସ୍ମୃତି ଗର୍ଭରେ ଆଜି ପୁଣି ଲୁକ୍କାୟିତ ।
ଗୁଣିଆଁ ଭୁଲି ଗଲେଣି ତନ୍ତ୍ର ମନ୍ତ୍ର ଯନ୍ତ୍ର
ଖଇଫୁଟା ବରଗଛ ହାରିଛି ଅସ୍ତିତ୍ବ ।
ଜନ ଜନମାନସରେ କିନ୍ତୁ ଆଜି ବି ଜୀବିତ
ମନେ ପଡିଯାନ୍ତି ସବୁ ସେ ପୁରୁଣା ଭୂତ।