ସମୟ ଚକରେ ସଂସାର ରଥ
ସମୟ ଚକରେ ସଂସାର ରଥ
ସମୟ ଚକରେ ସଂସାର ରଥ |କେତେବେଳେ ଚକ କେଉଁ ଦିଗକୁ ଓ କେଉଁ ରାସ୍ତା ଦେଇ ଗତି କରିବ କେହି ଜାଣିପାରିବେନି |ଆଉ ସେହି ରାସ୍ତା ମଧ୍ୟ କେବେ ଦୁଃଖ ରୂପକ ଝଡ, ଆଉକେବେ ମାନ ଅପମାନ ରୂପକ କଣ୍ଟା ତ ଆଉକେବେ ଲୁହାନଈର ସଂଘର୍ଷ ଦେଇ ଗତିକରିଥାଏ |ସବୁଠୁ ବଡ କଥା ହେଲା ସେଇ ସଂସାର ରଥ ମାଲିକ ଜଣେ, ସେ ଯଦି ସେହି ରାସ୍ତା ପାରକରିଦିଏ ପଥିକ ଯେତେ କଷ୍ଟ ହେଲେବି ଶେଷରେ ସୁଖ ପାଖରେ ପହଞ୍ଚି ପାରିଥାଏ |ଏମିତି ଏକ ଘଟଣା ଘଟିଥିଲା ଇନ୍ଦ୍ରପୁର ଗ୍ରାମରେ |ଦୁଇଝିଅ ଓ ଗୋଟିଏ ପୁଅକୁ ନେଇ ତେଲଲୁଣର ସଂସାର, ଶାନ୍ତିନାନୀର |ନାଁ ଟା ସିନା ଶାନ୍ତି, ହେଲେ ସବୁବେଳେ ଅଭାବ ଅନାଟନ ରେ ଅଶାନ୍ତିରେ ଚଳେ ତା ପରିବାର |ଦୁଇଓଳି ମୁଲ ଲାଗିଲେ ଗଣ୍ଡେ ଖାଇବାକୁ ପାଉଥିଲେ |ତଥାପି ସ୍ୱାମୀସ୍ତ୍ରୀ କେବେ ଦୁଃଖ କରି ନ ଥିଲେ, ଏପଟେ ଦୁଇଝିଅର ବାପା ବୋଲି ସବୁବେଳେ ମନରେ ଚିନ୍ତା ଘାରୁଥାଏ |ଶାନ୍ତିନାନୀ ଟିକେ ପ୍ରଭୁ ଭକ୍ତ ଥିଲେ |ସେ ସବୁବେଳେ ପ୍ରଭୁଙ୍କୁ ତୁମ ଇଚ୍ଛା ପୂର୍ଣ୍ଣ ହେଉ ବୋଲି କହୁଥିଲେ |କିନ୍ତୁ କିଏ ଜାଣିଥିଲା, ଅଚାନକ ଦିନେ ପ୍ରଭୁଙ୍କ ଇଚ୍ଛା ଏତେ ବଡ ଦୁଃଖର ପାହାଡ଼ ହୋଇ ଶାନ୍ତିନାନୀର ଧୈର୍ଯ୍ୟ ର ଏମିତି ପରୀକ୍ଷା ନେବ ବୋଲି!ଯେଉଁ ସାପକୁ ସେ ନିତି ପୂଜା କରି କ୍ଷୀର ପିଇବାକୁ ଦେଉଥିଲା, ସେ ସର୍ପ ଦଂଶନରେ ତା ସଂସାର ଉଛୁନ୍ନ ହେଇଯିବ ବୋଲି ସେ କଳ୍ପନା କରି ନ ଥିଲା |ସ୍ୱାମୀର ହଠାତ ବିୟୋଗ ସେ ବିଶ୍ୱାସ କରିପାରୁନଥିଲା |ତଥାପି ହୃଦୟରେ ପଥର ରଖି ସେ ପିଲାମାନଙ୍କ ଓ ଶାଶୁ ଶ୍ୱଶୁରଙ୍କ ଦାୟିତ୍ୱ ବହନ କଲା |ସମୟ ଗଡି ଚାଲିଥାଏ, ପିଲାମାନେ ଟିକେ ବଡ ହୋଇଗଲେଣି |ବୋଉଙ୍କ କଷ୍ଟ ଦେଖି ଦୁଇଝିଅ ପାଠ ପଢି ଚାକିରୀ କରିବେ ଓ ବୋଉଙ୍କ ଦୁଃଖ ଦୂର କରିବେ ଭାବୁଥିଲେ |ହେଲେ ମଣିଷ ର ଇଚ୍ଛା ତ ତା ଅନୁସାରେ ହୋଇଯାଏନି |ଯୋଉଠି ସ୍ବପ୍ନ ସେଇଠି ବାଧାବିଘ୍ନ ନିମନ୍ତ୍ରଣ ମିଳିଲା ପରି ଠିଆ ହୋଇଯାଏ |ବଡପୁଅ ଟିକେ ବାଳୁଙ୍ଗା ପରି, ଏପଟେ ବାପ ନ ଥିବାରୁ ବାହାର କାମ ଦାମ କରି ଦି ପଇସା ଆଣେ |ଏମିତି ହିଁ ସେ ପାଠପଢ଼ାରେ ମନ ଦିଏନି |ଏତିକି ବେଳେ ବଡ଼ଝିଅ ରିତା ସହ ମୋର ପରିଚୟ ହୁଏ ଦଶମ ଶ୍ରେଣୀ ବେଳକୁ |ମୋ ସାନଭାଇର କ୍ଲାସ ମେଟ ସିଏ, ପୁଣି ମୋଠାରୁ ଗୋଟେ ବର୍ଷ ସାନ |ଭଲ ପାଠ ପଢେ, କିନ୍ତୁ ନାନୀଙ୍କ ଏକାଜିଦ କୋଉ ଚାକିରୀ ଆଜିକାଲି ମିଳୁଛି ଯେ, ଦଶମପରେ ପାଠ ପଢ଼ା ବନ୍ଦ |ଝିଅ ପିଲା ପୁଣି ବାପ ଛେମୁଣ୍ଡ, ଭାଇ ତ ଅଷ୍ଟମ ପଢି ରହିଲା, ଝିଅଟିକୁ ଘର କରଣା ଶିଖାଇ ହାତକୁ ଦି ହାତ କରିଦେଲେ ପୁଣି ଦୁଇବର୍ଷ ପରେ ଆଉ ଗୋଟେ ଝିଅ ବାହାରିବ, ମୋ ମୁଣ୍ଡରୁ ଅଳିଆ ଯିବ, କେତେବେଳେ କୋଉ ଘଟଣା |ମୁଁ ଏହା ଶୁଣି ପରୀକ୍ଷା ପରେ ରିତା ସହ ତାଙ୍କ ଘରକୁ ଗଲି |ନାନୀଙ୍କୁ କେତେ ବୁଝେଇଲି, ଆଉ ରିତାକୁ ମୋ ବହିପତ୍ର ଦେଇ ପଢିବାରେ ସାହାଯ୍ୟ କରିବି କହିଲି,ତଥାପି ନାରାଜ କିନ୍ତୁ ପ୍ରଭୁ ବୋଧେ ଚାଁହୁଥିଲେ ରିତା ଆଗକୁ ପଢୁ, ସେଥିପାଇଁ ତା ଭାଇ ଝିଅ ପଢିବାରେ ସମତି କଲେ ଆଉ ନାନୀ ମଧ୍ୟ ମୋ ସହଯୋଗ ମାନି ରାଜି ହୋଇଗଲେ |ଏମିତି ରିତାର କଲେଜ ପଢ଼ା ସରିଲା |ସେ ତାର ସାନ ଭଉଣୀ ପଢିବା କଥା ଅଧିକ ଚିନ୍ତା କରୁଥାଏ |ତେଣୁ ପ୍ରାଇଭେଟ ସ୍କୁଲ ରେ ଚାକିରୀଟିଏ କଲା ଓ ଟିଉସନ କରି ଭଲ ଦି ପଇସା ରୋଜଗାର କରି ସାନଭଉଣୀକୁ ପଢ଼ାଇଲା |ଦୁଇଝିଅଙ୍କ ସଂଘର୍ଷ ଦେଖି ମାଆ ଓ ଭାଇ ସହ ଗାଁ ଲୋକଙ୍କ ଆଶୀର୍ବାଦ ଝରିପଡୁଥାଏ |ଝିଅ ଦୁଇ ଦେଖିବାକୁ ଯେମିତି ସୁନ୍ଦର, ସେମିତି ଶାନ୍ତ ଶିଷ୍ଟ ଓ ପରିଶ୍ରମୀ |କୋଉ ଗୁଣରେ କମ ନୁହନ୍ତି |ବଳକା ସମୟରେ ରିତା ସିଲାସିଲି କରି ବେଶ ଦୁଇ ପଇସା ରୋଜଗାର କଲା |ଆଉ ସାନ ଭଉଣୀକୁ ଶିକ୍ଷକ ତାଲିମ କରାଇଲା |ଏତିକି ବେଳେ ତାର ବି ବାହାଘର ପ୍ରସ୍ତାବ ଆସିଲା, ଇଛା ନ ଥିଲେ ବି ବୋଉଙ୍କୁ ଖୁସି କରିବା ପାଇଁ ରାଜି ହେଇଗଲା, ତଥାପି ସଂଘର୍ଷ ସରିନଥିଲା ତାର |ସେ ଚେଷ୍ଟା କରି ଅଙ୍ଗନବାଡି ଚାକିରୀଟିଏ ପାଇଗଲା |ଭଗବାନ ବି କେତେ କଷ୍ଟ ଆଉ ଦେଇଥାନ୍ତେ, ଶେଷରେ ଦୁଇ ଭଉଣୀଙ୍କ ଦୁଃଖ ଶୁଣିଲେ |ସାନ ଭଉଣୀ ବି ଶିକ୍ଷକ ଚାକିରୀ ପାଇଲା |ଆଉ ବାପା ବୋଉଙ୍କ ସ୍ବପ୍ନ ପୂରଣ କରି ଭାଇ ଓ ବୋଉର କଷ୍ଟ ଦୂର କଲା |ଭଲ ଘର ଟିଏ କଲା, ଆଗରୁ ବାକିଧାର ସବୁ ସୁଝିଲା |ଏହାପରେ ବାହାଘର ପାଇଁ ରାଜିହେଲା |ଆଉ ନିଜେ ଶିକ୍ଷକ ହୋଇଥିବାରୁ ଅଧ୍ୟାପକ ପ୍ରସ୍ତାବ ଟିଏ ଆସିଥିଲା ଗୀତା ପାଇଁ |ଏତେଦିନ ଦୁଃଖ ପାଇବାପରେ ହଠାତ ଖୁସି ବେଳକୁ ମଧ୍ୟ କେହି ପାଖରେ ନ ଥିଲେ, ଶାନ୍ତି ନାନୀର |ଦିନେ ସେ ମିଠା ଧରି ଆସିଲେ ଆମଘରକୁ, ମୋତେ ଖୁସିରେ କୁଣ୍ଢେଇ ପକେଇଲେ |କହିଲେ ମାଆରେ ତୋ ସହଯୋଗ ଆଉ ଚେଷ୍ଟା ଯୋଗୁଁ ମୋ ପିଲାଏ ମଣିଷ ହୋଇଗଲେ |ମୁଁ ଖୁସିରେ କାନ୍ଦି ପକେଇଲି |ପାଖରେ ବିଷ୍ଣୁଙ୍କ ଫୋଟୋ ଟିଏ ଥିଲା, ତାକୁ ଚାହିଁ କହିଲି ନାନୀ ସବୁ ପ୍ରଭୁଙ୍କ ଇଚ୍ଛା, ସେ ଅଭିମାନ କରି କହିଲେ ନାହିଁରେ ମାଆ, ମୁଁ ତ ଏହା କହି ପ୍ରଭୁଙ୍କୁ କେତେ ଡ଼ାକିଥିଲି, ସେ କଣ କଲେ? ମୁଁ କହିଲି ନାନୀ ସେ ଗୋଟେ ରାସ୍ତା ବନ୍ଦ କରି ଆଉଗୋଟିଏ ରାସ୍ତାରେ ଦେଲେ, ଆଜି ବାପା ଥିଲେ ହୁଏ ତ ଏ ସଂଘର୍ଷ ଦୁଇ ଭଉଣୀ କରି ନ ଥାନ୍ତେ ନା ଏ ଫଳ ପାଇଥାନ୍ତେ |ସେ କହିଲେ ହଁ ରେ ମା, ସମୟ ଚକରେ ସଂସାର ରଥ, କିଏ କେତେବେଳେ କୋଉ ରାସ୍ତା ଦେଇ ଯିବ, ସବୁ ମାଲିକ ହିଁ ଜାଣିଛି |ମୋର ସେପଟେ କାମ ଅଛି, ତୋ କଥା ମନେପଡ଼ିଲା ତ ଆସିଲି ତୋତେ ଦେଖିବାକୁ |ମୁଁ ଭାବୁଥିଲି ପ୍ରଭୁ ତୁମ ଇଚ୍ଛା ମୁଁ ମାଧ୍ୟମ ନିମିତ୍ତ ମାତ୍ର |ତୁମ ସଂସାର ରଥରେ ସମୟ ଚକ ଲଗାଇ ତୁମେ କେଉଁ ଦିଗରେ ଗତି କରାଇବ ତାହା କିଏ ବା ଜାଣିବ ।