ଚାନ୍ଦିନୀ :
ଚାନ୍ଦିନୀ :


ପାହାଡ଼, ନଈ, ବିଲବନ ଘେରା ଛୋଟିଆ ଗାଁଟିଏ, ଛାମୁଣ୍ଡା |ସେଇ ଗାଁରେ ଦଶ ବର୍ଷ ହେଲା ରହିଆସୁଛନ୍ତି ସୁଧାର ପରିବାର |ସୁଧା, ମଧ୍ୟବିତ୍ତ ପରିବାରର ଝିଅଟିଏ | ଜେଜେ,ଜେଜୀମା, ଦାଦାଖୁଡି, ଦୁଇଭାଇ ଓ ବାପାମାଆଙ୍କ ସହ ସେ ବାସକରେ |ସେତେବେଳକୁ ସୁଧା ସପ୍ତମଶ୍ରେଣୀରେ ପଢୁଥାଏ |ବଡ଼ପରିବାର ହେତୁ ଦାଦାଖୁଡି ଅଲଗା ରହିଲେ |ସୁଧାର ବାପା ହୋଟେଲଟିଏ କରିଥାନ୍ତି, ମା ସୁଗୃହିଣୀ ଅଟନ୍ତି |ଏତିକି ବେଳେ ପଡୋଶୀ ଘରେ ଦୂରସମ୍ପର୍କୀୟ ମାମୁଁ ତାଙ୍କର ତିନିଝିଅ, ପତ୍ନୀ, ଗୋଟେ ଶୁଆ, ଦୁଇଟି ଗାଈଙ୍କୁ ନେଇ ଆସି ରହିଲେ |ଯେହେତୁ ସମ୍ପର୍କୀୟ ତେଣୁ, ସେମାନେ ବେଳେବେଳେ ଆମ ଘରକୁ ଆସନ୍ତି, ଦୁଃଖସୁଖ ହୁଅନ୍ତି |ଏମିତି ବହୁଦିନ ଚାଲିଗଲା |ଏବେ ସୁଧା, 2ଦ୍ଵିତୀୟ ବର୍ଷର ଛାତ୍ରୀ |ପିଲାଦିନୁ ହିଁ ବାରିପଟ ଅଗଣାରେ ବସି ପାଠ ପଢିବା, ବିଭିନ୍ନ ପଶୁପକ୍ଷୀଙ୍କ ରାବ ଶୁଣିବା, ନେପୂର ମୂଷାକୁ ବାଦାମ ଦେବା ଗୋଟେ ଅଭ୍ୟାସ ହୋଇଯାଇଥିଲା ସୁଧାର |ସେମିତି ହିଁ ଗାଈମାନଙ୍କୁ ଘାସ ହାତରେ ଖୁଆଇବା ଥିଲା ଆନନ୍ଦ ପୂର୍ଣ୍ଣ କାମ |ପଡୋଶୀ ମାମୁଁ ଆଉ ଆମଘର ମଝିରେ କୂଅଟିଏ ଥାଏ, ସେଇ କୂଅବାଟେ ପାଣି କାଢ଼ିବାବେଳେ ସୁଧାର ନଜର ପଡେ ମାମୁଁଙ୍କ ଗାଈ ଉପରେ |ସେ ସେହି ଗାଈକୁ ନନ୍ଦିନୀ ବୋଲି ଡାକେ, କଦଳୀ ଚୋପା ଖାଇବାକୁ ଦିଏ |ନନ୍ଦିନୀ ଡାକ ସହ ମାଆ ଗାଈଟି ଯେମିତି ପରିଚିତ ହୋଇଯାଇଥିଲା, ସେ ସୁଧା କୁଅ ମୂଳକୁ ଆସିବାମାତ୍ରେ ଉଠିଆସେ, ସୁଧା ମଧ୍ୟ ରୁଟି ହେଉ ଅବା ପରିବା କିଛି ଧରି ଆସିଥାଏ |କହେ, ନନ୍ଦିନୀ!ଆଜି କଣ ଖାଇଛୁ? ହଉ ନେ ଆଜି ଏତିକି, ଆଉ କିଛି ନାହିଁ, ଯାଆ, ଶୋଇବୁ ନଚେତ ତୋ ମାଲିକାଣି ଦେଖିଲେ ମୋତେ ରାଗ ହେବ |ନନ୍ଦିନୀ ବୁଝିଲାପରି ଚାଲିଯାଏ |ଏମିତି କେତେଦିନ ଗଲାପରେ, ସୁଧାକୁ ସହରକୁ ପଢିବାକୁ ଯିବାକୁ ପଡିଲା |ସେ ଯିବାପୂର୍ବରୁ ନନ୍ଦିନୀକୁ କଦଳୀ ଦୁଇଟା ଧରି, କୂଅ ବାଟେ ଆସି ଡାକିଲା, ନନ୍ଦିନୀ ପାଟିଶୁଣି ଦୌଡ଼ି ଆସିଲା, କୂଅ ପାଖକୁ|ସୁଧା କହିଲା ନନ୍ଦିନୀ, ଆଜିଠୁ ମୁଁ ସହର ଯାଉଛି, ଛୁଟିରେ ଆସିଲେ ତୋତେ ଦେଖା କରିବି ମୋତେ ଭୁଲିବୁନି |ଲାଗୁଥାଏ, ନନ୍ଦିନୀ ଯେପରି ମନଦୁଃଖରେ ଚାଁହି କିଛି ଭାବୁଛି |ଏମିତି ମାସେ ବିତିଗଲା ପୂଜା ଛୁଟିରେ ସୁଧା ଘରକୁ ଫେରିଲା, ସେ ଘରେ ପଶୁ ପଶୁ ବ୍ୟାଗ ରଖି ବାରିପଟେ ଦୌଡିଲା, ବୋଉ କଣ ହେଲା ପଚାରିଲେ ମଧ୍ୟ କିଛି କହିଲା ନାହିଁ |ବୋଉ, କିନ୍ତୁ ବୁଝିସାରିଥାନ୍ତି ସେ ଗାଈଟିକୁ ଦେଖିବାକୁ ଯାଉଛି |ସେ ଯାଇ କୂଅ ବାଟେ କବାଟ ଖୋଲି ଦେଖିଲା, ତା ଆବାଜ ଶୁଣି ନନ୍ଦିନୀ ଆଗରୁ ଆସି ଠିଆ ହୋଇଛି |ସେ ହାତରେ ଆଉଁସି ଦେଇ ଭଲ ଅଛୁ ନନ୍ଦିନୀ, ପଚାରି ବ୍ରେଡ ଦିଟା ଖାଇବାକୁ ଦେଲା |ପଡୋଶୀ ମାଇଁ ଆସି କହିଲେ ଝିଅ, ସେ ଗର୍ଭବତୀ ଅଛି, ତୁମକୁ ଝୁରି ଝୁରି ଦୁର୍ବଳ ହୋଇଯାଇଛି, ତୁମେ ପୁଣି ଥରେ ତାକୁ ଡାକିକି ଖାଇବାକୁ ଦେଲ |ମୁଁ କହିଲି ମାଇଁ ସେ ପରା ଆମ ମାଆ, ହଉ ମୁଁ ପୁଣି କାଲି ଯିବିହେରି, ଆରଥରକୁ ଆସିଲାବେଳକୁ ଚାନ୍ଦିନୀ ଆସିଥାଉ ମାଅl ଝିଅ ଦୁହିଁଙ୍କୁ ଦେଖିବି, ମାଇଁ କହିଲେ ତୁମ ତୁଣ୍ଡ ସୁତୁଣ୍ଡ ହେଉ ଝିଅ, ତା ନାମ ଚାନ୍ଦିନୀ ହିଁ ଦେବି |ମୁଁ ଏଥର ନନ୍ଦିନୀଠୁ ବିଦାୟ ନେଇ ସହରକୁ ଚାଲିଗଲି |ଏହିଥର କିନ୍ତୁ ଲମ୍ବା ଛୁଟି ମିଳିଲାନି |ଦୀର୍ଘ ଦୁଇମାସ ପରେ ସୁଧା ଘରକୁ ଫେରି ଦେଖେ ନନ୍ଦିନୀର ଝିଅଟେ ହୋଇଛି |ଇସ, କି ଗୁଲୁଗୁଲିଆ ସୁନ୍ଦର ଚେହେରାଟି, ଇଚ୍ଛା ହେଉଥାଏ ତାକୁ କାଖକରି ଗେଲ କରିବାକୁ, ସେମିତି ପାଚିଲା କଦଳୀ ଓ ବ୍ରେଡ ଦୁଇଟା ନେଇ ଖୁଆଇଦେଲl ମାଝୀଅଙ୍କୁ, କହିଲl ନନ୍ଦିନୀ ତୋ ଝିଅ ଚାନ୍ଦିନୀ ଭାରି ସୁନ୍ଦର ହୋଇଛି, ତୋ ଠୁ ଆହୁରି ଅଧିକ |ନନ୍ଦିନୀ ଚାଟିକି ଗେଲକରୁଥାଏ ଚାନ୍ଦିନୀକୁ, ମାଇଁ ଆସି କହିଲେ ସୁଧା, ଏଥର ତୁମ ଚାନ୍ଦିନୀକୁ ଖୁଆଓ, କିନ୍ତୁ କୂଅବାଟେ ଡ଼ାକିବନି, ପିଲାଟା ପଡ଼ିଯିବ କାଳେ!ସୁଧା ଏଥର ଜଗିକି ଚଳିଲା, ତଥାପି ଅଭ୍ୟାସ ଛାଡୁଚି କୁଆଡୁ? ଏଥର ଆଉ ନନ୍ଦିନୀ ନୁହଁ, ଚାନ୍ଦିନୀ!ଡାକିବାକୁବି ପଡୁନି, କବାଟ ଖୋଲିବାମାତ୍ରେ ଚାନ୍ଦିନୀ ଦଉଡିଆସି ହାଜର, ଟିକେ ଗେଲ କରି ଖୁଆଇଦେଲେ କିଛି, ପଳେଇଯାଏ ତା ମାଆ ନନ୍ଦିନୀପାଖକୁ |ଆସ୍ତେ ଆସ୍ତେ ଚାନ୍ଦିନୀ ବଡହେଲା |ନନ୍ଦିନୀ ପରିବାରରେ ଏବେ ଚାରିଜଣ |ଏପଟେ ସୁଧାର ବି ପଢାପଢି ସରି ବାହାଘର ଠିକ ହୋଇଯାଇଥାଏ |ଏମିତିରେ ବାହାଘର ବି ସରିଲା, ଦଶଦିନପରେ ସୁଧା ନିଜ ସ୍ୱାମୀଙ୍କ ସହ କୋଠାମରଣ ପାଇଁ ଆସିଲା |ପଡୋଶୀ ମାଇଁ ମଧ୍ୟ ନିମନ୍ତ୍ରଣ କଲେ ନବ ଦମ୍ପତୀଙ୍କୁ ଖାଇବାକୁ |ସେଦିନ ଦୁହେଁ ମାଇଁଙ୍କ ଘରକୁ ଗଲେ, ଖାଇବା ପୂର୍ବରୁ ସୁଧା କହିଲା ମାଇଁ ତୁମେ ମାମୁଁ ଓ ଜ୍ୱାଇଁଙ୍କି ଖାଇବାକୁ ଦିଅ ମୁଁ ନନ୍ଦିନୀ ଆଉ ଚାନ୍ଦିନୀ ସହ ଦେଖାକରି ଆସୁଛି |କିଛି ସମୟ ପରେ ସୁଧା ଆସିଲା |ତା ସ୍ୱାମୀ ଭାବିଲେ ଇୟେ କାହାକୁ ଦେଖା କରିବାକୁ ଗଲା, ତାଙ୍କ ମନରେ ସନ୍ଦେହ ହେଲା, ସେ କଣ ମାମୁଁଙ୍କ ଦୁଇ ଝିଅ, ଯଦି ହଁ, ତାହେଲେ ତାଙ୍କୁ ବାରିପଟ ଘରେ ଲୁଚାଇ ରଖିଛନ୍ତି ନା କଣ |ସୁଧା ଖାଇସାରିବା ପରେ ତା ସ୍ୱାମୀ କହିଲେ, ସୁଧା ତୁମ ନନ୍ଦିନୀ, ଚାନ୍ଦିନୀ ସହ ମୋତେ ଦେଖା କରିବନି, ସୁଧା କହିଲା ହେଉ, ଚାଲ, ସେ ବାରି ପଟେ ଗଲାବେଳେ ଡାକଦେଲା ଚାନ୍ଦିନୀ...., ଏତିକି ବେଳେ କବାଟ ଖୋଲି ଦଉଡି ଆସିଲା ଚାନ୍ଦିନୀ, ସୁଧା ତାକୁ ଧରି ଭାରି ଗେଲ କଲା, କହିଲା ଦେଖ ଏଇ ମୋ ଚାନ୍ଦିନୀ, ଆଉ ସେ ତା ମାଆ ନନ୍ଦିନୀ |ତା ସ୍ୱାମୀ ଆଶ୍ଚର୍ଯ୍ୟ ତ ହେଲେ କିନ୍ତୁ ଖୁସିରେ ଆଉଁସି ଦେଇ ଗେଲ କରିଲେ ଚାନ୍ଦିନୀକୁ, କହିଲେ ମୁଁ ତ ଭାବିଥିଲି ଆଉ କିଏ ମୋ ଶାଳୀ ହୋଇଥିବ, ସମସ୍ତେ ହସିଲେ |ସୁଧା ବି ପରଦିନ ଶାଶୁ ଘରକୁ ଫେରିଗଲା, ଚାନ୍ଦିନୀ ଚାଁହି ରହିଥାଏ, ସୁଧା କାନ୍ଦିକାନ୍ଦି ଯାଉଥାଏ, କହିଲା ଚାନ୍ଦିନୀ, ମୁଁ ଫେରିବା ପରେ ତୋ ଭଉଣୀ ବନ୍ଦିନୀ ଆସିଥାଉ, ମିଶିକି ଖେଳିବା |କେତେଦିନ ପରେ ସୁଧା ଫେରିକି ଦେଖେତ କୂଅ ସେପଟେ କିଛି ଶବ୍ଦ ଶୁଭୁନି |ସେ ଚାନ୍ଦିନୀ, ନନ୍ଦିନୀ ଡାକିଲେ ବି କେହି ଆସିଲେନି, କଣ ହେଇଚି? ମାଙ୍କୁ ପଚାରିବାରୁ କହିଲେ ଟଙ୍କା ଦରକାର ହେବାରୁ ଦୁଇ ଜଣକୁ ମାମୁଁ ବିକିଦେଇଛନ୍ତି |ଶୁଣି ଭାରି ଦୁଃଖ ଲାଗିଲା,ସୁଧାକୁ ଭାବୁଥିଲା କାଳେ ସେ କିଣି ପାରିଥାନ୍ତା କେମିତି ଥିବେ ତା ନନ୍ଦିନୀ, ଆଉ ଚାନ୍ଦିନୀ|ଭଗବାନଙ୍କୁ ଦୋଷ ଦେଇ ଭାବୁଥିଲା ସୁଧା |ହେଲେ ସେବେଠୁ ସେ ଆଉ ଚାନ୍ଦିନୀକୁ ଦେଖିନି କି ପାଇନି, କିନ୍ତୁ ପାଇବା ଆଶାରେ ସବୁ ଗାଈକୁ ଦେଖିଲେ ଚାନ୍ଦିନୀ ବୋଲି ଡାକିଦିଏ, କାଳେ.. ଚାନ୍ଦିନୀ ଜାଣିପାରିବ ¡ହେଲେ ଆଉ ଚାନ୍ଦିନୀ ଆସିନି |ଆଜିବି ସୁଧା ଅପେକ୍ଷା କରିଛି ଚାନ୍ଦିନୀକୁ |