madhusmita rath

Fantasy Others

3.3  

madhusmita rath

Fantasy Others

ତର୍ପଣ

ତର୍ପଣ

9 mins
428


ସରୁ ହିଡ ଟିଏ ଗୋଟେ ଜମିକୁ ଆଉ ଗୋଟେ ଜମିରୁ ଅଲଗା କରୁଥିଲା । ଗୋଟେ ପଟେ ହଳ ଲଙ୍ଗଳ ଜୋଚି, ବଳଦ ଦୁହିଁ ଙ୍କୁ ମଣ କରିବାକୁ ଚେଷ୍ଟା ଚଳେଇଥାଏ ପହଲି କକେଇ ଆଉ ମୁଁ ସେଇ ହିଡ ଉପରେ ନୂଆ କରି ଶିଖିଥିବା ୱାନ,ଟୁ ,ଥ୍ରୀ,ଫୋର ଡାକି ଡ଼ାକି ନିଜ ପାଦ କୁ ଗଣି ଗଣି ଚାଲିଥାଏ।

-ଏ.....ପହଲି କକେଇ ....

ହିଡ ଉପରେ ଅଟକି ଚିଲେଇଲି ମୁଁ ...

ଉ........ସେପଟୁ ପହଲି କକେଇ ତା ର ଜବାବ ରଖିଲା ଆଉ ପାଞ୍ଚଣ ଟା ଫୋପାଡ଼ି ଦେଇ ସିଧା ମୋ ପାଖରେ ପହଁଚି ଯାଇ କାନ୍ଧ ରେ ପକେଇଥିବା ନାଲି ଗାମୁଛା ରେ ପୋଛି ପକେଇଲା ମୋ ମୁହଁ ଆଉ କହିଲା "ଯା... ଘର କୁ, ମାଇଁ ଖୋଜୁଥିବେ କାଇଁ ବୁଲୁଚୁ ଖରା ରେ , ଏଇ ଯୋଉ ବାଉଁଶ ବଣ ଦିଶୁଚି ସେଇଠି ଅଛି ଲୋ ପିଶାଚୁଣି,ତୁ ପୁଣି ଚୁଟି ମୁକୁଳା କରି ଆସିଛୁ, ଯା ..ଜଲଦି " ।

ପୁଣି ସେମିତି ନିଜ ପାଦ ଗଣି ଗଣି ମୁଁ ଫେରିଲି ଘର ଆଡ଼କୁ। ତା ମାଇଁ ମାନେ ମୋ ଜେଜେମା, ଲୁଗାକାନି ରେ ମୋତେ ପୋଛି ପକେଇ ବଡ ପାଟି ରେ ଡାକ ପକେଇଲା ମୋ ରାଣୀ ଆସିଲାଣି କଣ ଖାଇବାକୁ ଦିଅ ତାକୁ। ମୋ ଜେଜେମା କଥା କୁ ବେଖାତିର କରିବାର କ୍ଷମତା କାହାର ନଥିଲା, ଆଉ ମୋତେ ଅଣଦେଖା କରିବାର କ୍ଷମତା ବି ମୋ ଜେଜେମା ର ନଥିଲା । ମୋର କିଛି କଥା କୁ ସେ ମାନେନି, ଯେମିତି ମୋର ଇଚ୍ଛା ଆମେ ସବୁ ଯୋଉ ବାସନ ରେ ଖାଉ, ଚା ପିଉ ପହଲି କକେଇ ବି ସେଇଥିରେ ଖାଉ, ଯୋଉଟା ସେ ଶୁଣେନି । ମୁଁ କହେ ଆମ ପରି ପହଲି କକେଇ ବି ମାଛ ଖାଉ କି ମାଂସ ତରକାରୀ ଟିକେ ତାର ଆଲୁମିନିୟମ କଂସା ରେ ଢଳା ହଉ।

କିନ୍ତୁ ମୋ ଇଚ୍ଛା ସବୁ ଇଚ୍ଛା ରେ ରହିଯାଏ, ପହଲି କକେଇ ଖାଏ କିଛି ବଳିଯାଇଥିବା ଖାଦ୍ୟ, ଯଦିଓ ଭାତ, ଡାଲି ଖୁବ ବେସି ବେସି ତାର ସେଇ ଅଧାଚେପା ଅଲମିନିୟମ ବାସନ ରେ ଦିଆଯାଏ ମୋ ଜେଜେମା ର ଦାଗିଦ ରେ । ସିଏ ରହେ ଆମ ଘର ଠୁ ଟିକେ ଦୂର ରେ ଥିବା ଗୁହାଳ ପାଖରେ ଥିବା ଗୋଟିଏ ଚାଳ ଘରେ ।

ତା ରୁମ ରେ କିଛି ପୁରୁଣା କନ୍ଥା, କଳା ରଙ୍ଗର ପୁରୁଣା କମ୍ବଳ ,ଗୋଟେ ଟିଣ ଟ୍ରଙ୍କ, ଯୋଉ ଟ୍ରଙ୍କ ରେ କଣ ଅଛି ଜାଣିବାକୁ ମୋର ଭାରି ଇଚ୍ଛାଟିକୁ ମୁଁ ମାଡିମକଚି ମନ ରେ ରଖିଥାଏ।

ପ୍ରାୟ ସମୟ ରେ ସେ ନିଜ କାମ ରେ ମସଗୁଲ ଥାଏ କାମ ମାନେ ଆଉ କଣ କି ଆମର ଏକର ଏକର ଜମି,ବଡ଼, ବଡ଼ ତୋଟା ଆଉ ପୋଖରୀ ସହ ସବୁ ଗଲା ଆଇଲା ବନ୍ଧୁ ବାନ୍ଧବ ଙ୍କ ଦେଖାରେଖା।

ତେଣ୍ଡା ରେ ପାଣି ଉଠାଇ ଆଳୁ ବିଲ ରେ ପାଣି ମଡେଇବା ହଉ କି ଗଡ଼ିଆ ରୁ ମାଛ ଧରିବା ହଉ ସବୁ କାମ ରେ ସେ ପାରଙ୍ଗମ।

ସମସ୍ତ ଙ୍କ ମନ ପସନ୍ଦ ର ,ମାଛ ଗଡ଼ିଆ ରୁ ଧୁ ଧୁ ଖରା ରେ ଧରିଆଣୁଥିବା ଲୋକ ଟି ଯେ କାହିଁକି ଶାଗ ,ପରିବା ତରକାରୀ ରେ ସନ୍ତୁଷ୍ଟ ହୁଏ ମୁଁ ବୁଝିପାରେନି।କେବେ କେବେ ଖୁବ ଯୁକ୍ତି ବି କରେ ବଡ଼ ମାନଙ୍କ ସହ କିନ୍ତୁ ମୁଁ ଚାହୁଁଥିବା ଉତ୍ତର ମୋତେ କେବେ ମିଳେନି।

ପହଲି କକେଇ ପାଖରେ ଥିବା ଅନେକ ଜିନିଷ ମୋତେ ଆରବିଆନ ନାଇଟ କାହାଣୀ ର ଅଜବ ଗଜବ ଦେଶ ରେ ଥିବା ଚମତ୍କାରୀ ଜିନିଷ ଆଉ ଜିନ, ଜିନ୍ନତ କୁ ମନେପକାଇଦିଏ।ତା ରୁମ ବାହାରେ ଟଙ୍ଗା ଯାଇଥିବା ନୀଳ ରଙ୍ଗ ର ମାଛ ଧରା ଜାଲ, ଗୋଟେ ତାସ ପ୍ୟାକେଟ ଆଉ ବଡ ଗୋଟେ ଟର୍ଚ୍ଚ ,କେହି କେହି ବନ୍ଧୁ ବାନ୍ଧବ ଗଲା ବେଳେ ବିଦାକି ରେ ଦେଇଥିବା କିଛି ଖୁଚୁରା ଟଙ୍କା,ଟିକେ ପାଉଡର ଥିବା ଟିଣ ପଣ୍ଡସ ପାଉଡର ଡବା। କିଛି ରଙ୍ଗ ବେରଙ୍ଗ ଲାଇଟର ଯୋଉଟା କେବେ ଜଳୁଥିଲା କି ନାଇଁ ମୁଁ ଜାଣେନି। ଭାରି ଯତ୍ନ ରେ ଖବରକାଗଜ ଗୁଡା ହେଇଥିବା ମୋ ଦଦେଇ ଙ୍କ ପୁରୁଣା ବ୍ୟବହୃତ ମାଟିଆ ରଙ୍ଗ ର କୋଟ।ଏଇ ସବୁ ତା ସାମ୍ରାଜ୍ୟ ର ଅମୂଲ୍ୟ ଧନ ଥିଲେ ଯାହା ପ୍ରତି ସେ ଖୁବ ଯତ୍ନବାନ ଥିଲା।

ତିରିଶ ,ଚାଳିଶ ଟି ପାରା ଆଉ ଚାରି ପାଞ୍ଚଟି କୁକୁର ତା, ର ପ୍ରଜା ଗଣ ଥିଲେ ଯାହାଙ୍କୁ ନେଇ ସିଏ ଅନେକ ପରୀକ୍ଷା ନିରୀକ୍ଷା କରେ ଯେମିତି ସେମାନେ ଙ୍କ ନାମ ନେଇ ଡାକିଲେ ସେମାନେ ଶୁଣିବେକି ନାହିଁ।ତାଙ୍କୁ ଘରୁ ବାହାର କରିଦେଲେ ସେମାନେ ଘର ଚିନ୍ହି ଫେରିପାରିବେ କି ନାଇଁ।ପିଲାବେଳେ ଲାଗୁଥିଲା ସେ ଗୋଟେ ବାଦଶାହ କିନ୍ତୁ ମୁଁ ଯେବେ ପ୍ରାଇମେରି ସ୍କୁଲ ଛାଡି ହାଇସ୍କୁଲ ରେ ପାଦ ଦେଲି ବହୁତ ଭଲ ଭାବେ ବୁଝିଗଲି ମୁଁ ବାଦଶାହ ଭାବୁଥିବା ଲୋକ ଟି ଗୋଟେ ନିତାନ୍ତ ଭାଗ୍ୟହୀନ ଆଉ ନାଚାର ମଣିଷ।

ପହଲି କକେଇ ଏ ଘର ର ପୁଅ ନୁହଁ,ବରଂ ପୁରା ଘର ଟିକୁ ମୁଣ୍ଡ ରେ ମୁଣ୍ଡାଇ ସମସ୍ତ ଙ୍କୁ ଭଲ ପାଉଥିବା ନିଃସ୍ୱାର୍ଥପର ମଣିଷ ଟିଏ।ସେ ହେଉଛି ଘର ର ସମସ୍ତ ଙ୍କୁ ନିଜର ଭାବୁଥିବ ପ୍ରହଲ୍ଲାଦ ସାହୁ,ତା କାନ୍ଧ ରେ ଆମ ଦଦେଇ, କକେଇ ଙ୍କ ପରି ପଇତା ନଥିଲା କିନ୍ତୁ ମଣିଷ ପଣିଆ ରେ ଭରିଥିଲା ତା ହୃଦୟ। ଜେଜେମା କହୁଥିଲା ପହଲି କକେଇ କୁ ଯେତେବେଳେ ତେର କି ଚଉଦ ବର୍ଷ ହେଇଥିଲା ସେ କୁଆଡେ ଘର ଛାଡ଼ି ପଳେଇଆସିଥିଲା ନିଜ ଭଉଣୀ, ଭିଣେଇ ଙ୍କ ଗାଳି ସହିନପାରି।

ଆଉ ତା ବାପା ,ମା?

ମୋ ପ୍ରଶ୍ନ ର ଉତ୍ତର ରେ ଜେକେମା କହିଥିଲା ଯଦି ତା ବାପା ମା ଥାନ୍ତେ ତେବେ କଣ ସେ ଭଉଣୀ ,ଭିଣେଇ ଙ୍କ ଘରେ ରହିଥାନ୍ତା।

କଣ କେମିତି କରି ସେ ଆମ ଗାଁ ମୁଣ୍ଡ ରେ ବୁଲୁଥିବା ବେଳେ ମୋ ଜେଜେମା ର ଭାଇ ତାକୁ ଆଣି ଆମ ଘରେ ଛାଡିଥିଲେ ।ସେବେଠୁ ସେ ରହିଯାଇଥିଲା ଆମ ଘରେ ମୋ ଜେଜେମା ର ପାଞ୍ଚ ପୁଅ ଙ୍କ ସହ ଆଉ ଗୋଟେ ପୁଅ ହେଇ।ମୋ ଜେଜେମା ଆଉ ଜେଜେ ଙ୍କୁ ମାଇଁ ,ମାମୁଁ ସମ୍ବୋଧନ କରେ ଆଉ ବଡ଼ ଠୁ ସାନ ସବୁ କକେଇ ଦଦେଇ ,ବାପା ଙ୍କୁ ନନା ବୋଲି ଡାକେ ଆଉ ପିଉସୀ ମାନଙ୍କୁ ନାନୀ ।

ତାର ବୟସ ହିସାବ କରି ଜେଜେମା କହେ ପହଲି କକେଇ କୁଆଡେ ମୋ ଦଦେଇ ଙ୍କ ଠୁ ଅଳ୍ପ ସାନ।

ସେ ଯାହା ହଉନା କାହିଁ ସେ ଆମ ପିଲା ମାନଙ୍କ ପାଇଁ ପହଲି କକେଇ ଆଉ ପିଉସୀ ମାନଙ୍କ ପିଲା ଙ୍କ ପାଇଁ ପହଲି ମାମୁଁ ହି ଥିଲା।

ସମସ୍ତେ ସବୁ କାମ ରେ ଲୋଡୁଥିଲେ ତାକୁ ।ପିଲାଙ୍କୁ କାନ୍ଧ ରେ ବସେଇ ଦୋଳ ମେଲଣ ବୁଲେଇବାକୁ ହଉ କି ବାଡ଼ି ରେ ମାଙ୍କଡ ପଶିଗଲେ ବାଜା ବଜେଇ ଘଉଡେଇବାକୁ ହଉ ।ଆଉ ଦେଠେଇ , ଖୁଡି କେହି ବାପଘର କୁ ବାହାରିଲେ ତାଙ୍କ ପାଇଁ ରିକ୍ସା ଡାକିଦେଇ ସେଇ ରିକ୍ସା ରେ ଜେଜେମା ର ଆଦେଶ ହିସାବ ରେ ରଖିଦେଉଥିଲା ତା ହାତ ଗଢା ବଗିଚା ର ଫଳ ,ପରିବା ସବୁ।

ଆଉ ଗୁହାଳ ର ଦୁଇଯୋଡ଼ା ବଳଦ ଆଉ ତିନିଟି ଗାଈ ବାଛୁରି ପହଲି କକେଇ ସୈନ୍ୟ ବାହିନୀ ର ଆଗୁଆ ସୈନ୍ଯ ସବୁ।

କୋଉ ଜମି ରେ କୋଉ ଚାଉଳ ହୁଏ ଆଉ କୋଉ ଚାଉଳ ର ବାସ୍ନା ବେସି ଆଉ କୋଉ ଚାଉଳ କୁ ସାଇତା ହବ ମାର୍ଗଶିର ମାସ ଲଷ୍ମୀପୂଜା ପାଇଁ,ଆଉ କୋଉ ଚାଉଳ ଉଆପଖିଆ ହେଇ ପ୍ରଥମାଅଷ୍ଟମୀ ପାଇଁ ରହିବ ସବୁ ସେ ଜାଣେ।

ହଁ ଖାଲି ଲଷ୍ମୀପୂଜା ଭୋଗ ରୁ ବଞ୍ଚିତ ହୁଏ ସେ ,ବାହାର ଲୋକ ଙ୍କୁ ଏ ଭୋଗ ଦିଆହୁଏନି ଯେ।

ପେଟ ବୁଝୁଥିବା ମୋ ଜେଜେମା କିନ୍ତୁ ଭାରି ଆଗ୍ରହ ରେ ପର୍ବ ପର୍ବାଣୀ ମାନଙ୍କ ରେ ପହଲି କକେଇ କୁ ନିଜ ପାଖାପାଖି ବସେଇ ଖୁଆଏ ଆଉ ନିଘା ରଖେ ଯେମିତି ସବୁ ପ୍ରକାର ପିଠା ପହଲି କକେଇ ଥାଳି ରେ ରୁହେ।

ସମୟ ସହ ସମସ୍ତ ଙ୍କ ବାହାଘର ଆଉ ତାପରେ ପିଲା ମାନଙ୍କୁ ନେଇ ଘର ଭରପୁର ହେଇଯାଇଥିଲା ଆଉ କମିଯାଇଥିଲା ପହଲି କକେଇ ର ପରିସୀମା।ଧୀରେ ସେ ଘର ବାହାରେ ଥିବା ଗୁହାଳ ପାଖ ଛୋଟ ଅସ୍ଥାୟୀ ଚାଳଘର ର ସ୍ଥାୟୀ ବାସିନ୍ଦା ହେଇଯାଇଥିଲା।

ସମୟ ସହ ଦୁର୍ବଳ ହଉଥିଲା ଘର ର ବଡ ପିଢ଼ି ଆଉ ଭଦ୍ରାମି ଭୁଲୁଥିଲା ନୂଆ ପିଢ଼ି, ଏଇ ନୂଆ ପିଢ଼ି ପହଲି କକେଇ କୁ ଆଉ କକେଇ ସମ୍ବୋଧନ ନକରି ଏଣିକି ପହଲି ବୋଲି ଡାକିବା ଆରମ୍ଭ କରିସାରିଥିଲା,

ସେଥିରେ ବି ହସ ଟିକେ ଲେଉଟେଇ ଦେଉଥିଲା ପହଲି କକେଇ, ମାସ ରେ ଥରେ ସାଇକେଲ ଚଢି ଲୋକ ଟିଏ କିଛି ମେଡିସିନ ଦେଇ ଯାଉଥିଲା , ଏ ସବୁ ମେଡିସିନ କୁଆଡେ ମାଗଣା ମିଳେ ସରକାର ଙ୍କ ଠୁ,ଏ ମେଡ଼ିସିନ ସହ ଆଉ ଟିକେ ତଳ କୁ ହେଇଯାଉଥିଲା ପହଲି କକେଇ ର ନଜର, ଏଣିକି ତା ଗୁହାଳ ପାଖ ରୁମ କୁ ଆଉ କେହି ଯାଉନଥିଲେ, ପହଲି କକେଇ ଶରୀର ରେ କୁଆଡେ ଛଉ ଟେ ଥିଲା ଆଉ କୁଷ୍ଠ ବୋଲି କିଏ ଜଣେ ଚିହ୍ନଟ କରିଥିଲା,

ବଡ ଙ୍କ ତାଗିଦ ,ଛୋଟ ଙ୍କ ବିଦ୍ରୁପ ଭରା ହସ କିନ୍ତୁ ବଦଳେଇ ପାରି ନଥିଲା ମୋ ପରି ଆଉ କିଛି ଜଣ ଙ୍କର ପହଲି କକେଇ ପ୍ରତି ଥିବା ସ୍ନେହ ଆଉ ଦରଦ ଟିକେ କୁ।

ଦିନେ ଶୀତ ସକାଳ ରେ ଖବର ଟିଏ ଚହଲେଇ ଦେଇଥିଲା ଆମର ସେ ଛୋଟ ଗାଁ କୁ,ପହଲି କକେଇ କୁଆଡେ ଶୋଇ ପଡ଼ିଥିଲା ଘର ଆଗରେ ଥିବା ବଡ ଚଉରା ଉପରେ ମୁଣ୍ଡ ରଖି।

କାହିଁକି ସେ ନିଦ ରୁ ଉଠି ଚଉରା ପାଖୁ ଯାଇଥିଲା ଆଉ ତାର ସେଇ ପ୍ରିୟ ଟିଣ ଟ୍ରଙ୍କ କୁଆଡେ ଗଲା ସେଇ ରହସ୍ୟ ପହଲି କକେଇ ସହ ପୋତା ହେଇଗଲେ ଗାଁ ସ୍ମଶାନ ରେ। ଅନେକ ଲୋକ ଅନେକ କଥା କହିଲେ ଜୀବନ ଯାକ ଠାକୁର ଘର କେମିତି ଦେଖିନଥିବା ମଣିଷ ଟିର ମୃତ୍ୟୁ ଦେହ ଯେ ତୁଳସୀ ବଣ ଘେରା ତୁଳସୀ ଚଉରା ମୂଳେ ହେଇଥିଲା ସେଇଟା କିଛି ଲୋକ ଙ୍କୁ ଆଚମ୍ବିତ କରୁଥିଲା।

କେହି କେହି କହୁଥିଲେ ଅରକ୍ଷିତ କୁ ଦଇବ ସାହା,ବିଚରା ଟିର କେହି ନିଜର ନଥିଲେ ପୁଣି ଶରୀର ରେ ବଡ଼ରୋଗ କିଏ କରିଥାନ୍ତା ତାର ଦେହ ବାଧକା ରେ।

କାହାର କିଛି ଫରକ ପଡିଥିଲା କି ନପଡିଥିଲା ଜାଣିନି କିନ୍ତୁ ଖୁବ ଗୋଟେ ବଡ ଭୋଜି କରାଯାଇଥିଲା ଏକାଦଶ ଦିନ।

ସମୟ ସହ ଆହୁରି ଆହୁରି ଭାଙ୍ଗି ଯାଉଥଲା ତାର ଗୁହାଳ ପାଖ ବଖୁରିଏ ଘର ଆଉ କମି ଯାଉଥିଲେ ସେ ପାଳିଥିବା ପାରା ସଂଖ୍ୟା,ଆଉ ଆଗ ଭଳି ଗୋଲ ଗୋଲ ବୁଲି ଘୁମୁରୁ ନଥିଲା ମୁଣ୍ଡ ରେ ଛୋଟ ଚୂଳ ଥାଇ ଅନ୍ୟମାନଙ୍କ ଠାରୁ ଟିକେ ଅଲଗା ଦିଶୁଥିବା କ୍ଷୀର ଭଳି ଧଳା ପାରା।ଯାହା ଗୋଟେ ଗୋଡ ରେ ତାର କୁ ଗୁଡ଼ାଇ ପାଉଁଜି ପରି ପିନ୍ଧେଇ ଦେଇଥିଲା ପହଲି କକେଇ। ଆଉ ତା ସହ ପାଳିଦେଇ ଘର ର ଶ୍ରୀ ବି କମିଯାଉଥିଲା।

ସମୟ ସହ ସବୁ ବଦଳୁଥିଲେ ବି ପହଲି କକେଇ ର ସ୍ମୃତି ସେମିତି ତାଜା ହେଇ ରହିଥାଏ, କେମିତି ବି ଭୁଲି ହେବ ଜୀବନ ରେ ସୁଖ ର ସ୍ମୃତି ଯେମିତି ଜୀବନ କୁ ସତେଜ କରାଏ, ଦୁଃଖ ସ୍ମୃତି ବି ତ କମ ନାକେଦମ କରେନି।

ମୋର ଗାଁ କୁ ଯିବା କୋଉ କାଳ ରୁ କମିଗଲାଣି, ଏଇ ଯେବେଠୁ ମୋ ରାଣୀ ବୋଲି ଡାକୁଥିବା ମୋ ଜେଜେମା ର ସ୍ୱର ନିରବି ଯାଇଛି ସେବେଠୁ ଗାଁ ପ୍ରତି ଆକର୍ଷଣ ପୁରା ଶୁନ।

ଫୁଦ ଫୁଦ କରି ଡେଉଁଥିବା ଗେଲ୍ହା ଝିଅ କୁ ସମୟ କସଟି ରେ ପରଖି ପରଖି ମାଠି ମୁଠି ଅଭିଜ୍ଞ କରିବାରେ ଲାଗିଗଲା ଏଇ ପ୍ରାୟ ପନ୍ଦର ବର୍ଷ।

ଯେତେବେଳେବି ଗୁଆଅର୍ଚ୍ଚନା ଟିଏ ଆସେ ବାହା ,ବ୍ରତ ପାଇଁ ମୋତେ ଲାଗେ ଏ ବୋଧେ ଅର୍ଚ୍ଚନା ନିଜ ଅତୀତ ସହ ଏକାତ୍ମ ହବାପାଇଁ। ଲାଗେ ଏବେ ପହଁଚିଯିବି ଗାଁ ରେ ଆଉ ବାଉଁଶବଣ ରେ ଶୋଇଥିବା ମୋ ଜେଜେମା ଉଠିଆସି ମୋତେ କହିବ କି ହେଇଟି ମୋ ରାଣୀ ଆସିଲାଣି କିନ୍ତୁ ସେମିତି ହେବନି କେବେ ସେଥିପାଇଁ ତ ମୁଁ ଏଡେଇଯାଏ ଏ ସବୁ ସମାଜ ର ନିୟମ ମାନଙ୍କୁ ।

ଏଥର କିନ୍ତୁ ଆଉ ଏଡେଇ ହେଲାନି ,ଘର ର ଶେଷ ବାହାଘର ଯେମିତି ହେଲେ ଯିବାକୁ ହିଁ ହବ।ବିଲକୁଲ ଯିବାବାକୁ ଇଛା ନଥିଲେ ବି କର୍ତବ୍ୟ ଦାୟ ରେ ମୁଁ ପୁଣି ଠିଆହେଇଥିଲି ମୋ ଗାଁ ମାଟି ରେ ,ବାଉଁଶ ବଣ ରେ ଶୋଇପଡିଥିବା ମୋ ଜେଜେମା ,ଜେଜେ ଆଉ ଏକରକମ ମାଟି ରେ ମିଶିବାକୁ ଯାଉଥିବା ପହଲି କକେଇ ର ସେଇ ନୁଆଁଣିଆ ବଖୁରିକ ଚାଳଘର ମୋତେ ଯେମିତି ହାତ ଠାରି ନିଜ ପାଖୁ ଡାକୁଥିଲେ।

ଭୋଜି ଗହଳି, ଚକଚକ ଲାଇଟ କୁ ପଛ କରି ମୁଁ ଆଗେଇ ଚାଲିଲି ଆମ ଲମ୍ବା ବାଡ଼ି ଯୋଉଠି ସରିଛି ସେଇଠି ଆରମ୍ଭ ହେଇଥିବା ବାଉଁଶ ବଣ ଆଡକୁ ,ପଛ ରୁ କେହି ଜଣେ କହିଲେ ଆରେ ଯା ,ନି ସେ ମଶାଣି ଆଡେ ,ମୁଁ ଏଇ ଆସୁଛି... କହି ଆଗେଇଚାଲିଲି, ଏୟା ଭାବି ଯେ ବଞ୍ଚିଥିବା ଲୋକ ଙ୍କ ଆନ୍ତରିକ ବିହିନ ଚର୍ଚ୍ଚା ଆଉ କୃତ୍ରିମ ହସ ଠାରୁ ଢେର ଭଲ ନଥିବା ଲୋକ ଙ୍କ ନିରବ ପ୍ରେମ ଆଉ ଖାଦବିହୀନ ଆନ୍ତରିକତା।

ଆଉ ସତ ରେ ବି ନିର୍ଭୟ ଭାବେ ମୁଁ ଠିଆ ହେଇଥିଲି ସେ ମଶାଣି କୁ ଚାହିଁ , ଶିଉଳି ଲଗା ଛୋଟ ,ଛୋଟ ଧଳା ସମାଧି ଭିତରେ ଦେଖାଯାଉଥିଲା ମୋ ଜେଜେମା ର ବଡ଼ ସିନ୍ଦୁର ଲଗା ସୁନ୍ଦର ମୁହଁ ଆଉ ଜେଜେ ଙ୍କ ହସ ହସ ମୁହଁ।

ସେଠୁ ଫେରି ପୁଣି ମୋ ପାଦ ଅଟକିଗଲା ପହଲି କକେଇ ର ନୁଆଁଣିଆ ଘର ଆଗରେ ।ଲାଗିଲା ଯେମିତି ଆଜି ବି ପହଲି କକେଇ ସେଇଠି ସେମିତି ଅଛି।ନଇଁ କରି ପାଦ ବଢ଼େଇଲି ତା ଘର ଭିତର କୁ।ଘର ଭିତରେ କେମିତି ଗୋଟେ ମାଟି ର ଗନ୍ଧ ,ଫଡ ଫଡ କରି ପାରା ଦୁଇଟି ଉଡିଗଲେ। ପହଲି କକେଇ ଗଲା ପର ଠାରୁ ପାରା ତ ଆଉ ଘରେ ନାହିଁ ନିଜକୁ ନିଜେ ବୁଝାଉଥିଲି ହେଇଥିବେ ଜଙ୍ଗଲି ପାରା ,ପରିତ୍ୟକ୍ତ ଘର ଦେଖି ବୋଧେ ବସା ବାନ୍ଧିବାକୁ ଆସିଥିବେ।

ମନ ରେ କଣ ଆସିଲା କେଜାଣି କିଛି ମାଟି ସେ ସନ୍ତସନ୍ତିଆ ଲାଗୁଥିବା ଚଟାଣ ରୁ ଆଣି ମୁଣ୍ଡ ରେ ମାରି ମୋ ଧଳା ରୁମାଲ ରେ ବାନ୍ଧି ବ୍ୟାଗ ରେ ରଖିଦେଲି,ମାଟି ନୁହଁ ତ ଲାଗିଲା ଯେମିତି ପହଲି କକେଇ ସହ ମୋ ପିଲାବେଳ ର ସ୍ମୃତି ଆଉ ସେ ଦେଇଥିବା ସ୍ନେହ କୁ ଗଣ୍ଠି ବାନ୍ଧି ରଖିଦେଲି ମୋ ହୃଦୟ ର ସାତତାଳ ପୋଖରୀ ଭିତରେ।

ସମୟ ସହ ପୁଣି ଗାଁ ଆଉ ପହଲି କକେଇ ଲୁଚିଗଲେ ମନ ର ମଝି କୋଠରୀ ରେ ମାନେ ମନବିଜ୍ଞାନ ଭାଷା ରେ ଅର୍ଧଚେତନ ରେ ଯୋଉଠୁ କେବେକେବେ ନିବୁଜ, ନିଶବ୍ଦ ଅଝଟିଆ ସ୍ମୃତି ମାନେ ଉଙ୍କି ମାରନ୍ତି ।

ପବିତ୍ର ମହଳୟା ରେ ଖଚାଖଚ ଭରିଥିବା ବିନ୍ଦୁସାଗର ର ଗୋଟେ ଅପେକ୍ଷାକୃତ ଖାଲି ଆଉ ନିରୋଳା ଜାଗା ରେ ବସିପଡି ଦେଖୁଥିଲି ପୂର୍ବପୁରୁଷ ଙ୍କ ପାଇଁ ଉତ୍ତର ପୁରୁଷ ର ଶ୍ରଦ୍ଧା କୁ।ଛଲକି ଗଲା ମନ.... ଆଉ ତା ସାଥେ ଆଖି ବି।ଲୁଚେଇବାକୁ ଚେଷ୍ଟା କରି ଦେଖେ ତ ଅତି ନିଷ୍ଠୁର ଭାବେ ମୁଁ ଧରା ପଡିଯାଇଛି ହଳେ ଆଖି ଆଗରେ।

ସେ ଆଖି ମୋତେ ସିଧା ପଚାରିଲା" କିଛି କହିବ ମା,?"

ମୋ ମନ ର ଇଛା ଏଣିକି ଶବ୍ଦ ର ରୂପ ନେଲା।

-ମଉସା ,କେହି କଣ ଶ୍ରଦ୍ଧା ବାଢିପାରେ ଧର୍ମ କି ରକ୍ତ ରେ ବାନ୍ଧିହେଇନଥିବା ସମ୍ପର୍କ ପାଇଁ।

-ଶାସ୍ତ୍ର ତ ବହୁତ ବିସ୍ତୃତ ମା ,ମୁଁ କିନ୍ତୁ ଏତିକି ବୁଝେ ମନ ର ସମ୍ପର୍କ ଠୁ ଆଉ ଶ୍ରେଷ୍ଠ କଣ ହେଇପାରେ।

-କିନ୍ତୁ ମଉସା ମୁଁ ତ ନାରୀଟିଏ ସମାଜ, ଶାସ୍ତ୍ର କଣ ମୋତେ ଏ ଅଧିକାର ଦେବ?

ମୁହଁ ରେ ହସ ଖେଳାଇ ପଚସ୍ତରୀ ରୁ ଉର୍ଦ୍ଧ୍ବ ମଉସା ଜଣ ଙ୍କ କହିଲେ ମା ତୁମେ କଣ ଶୁଣିନ ସୀତା ଙ୍କ ବାଲିପିଣ୍ଡ କଥା।

-କିନ୍ତ ....

-କିନ୍ତୁ ନୁହଁ କୁହ କାହା ପାଇଁ ତର୍ପଣ କରିବ।

-ତାଙ୍କ ନାଁ ପ୍ରହଲ୍ଲାଦ ସାହୁ ଆଉ ତାଙ୍କର ଗୋତ୍ର କଣ ଆଉ ବଂଶ ପରିଚୟ  ମୁଁ କିଛି ବି ଜାଣେନି।

ସେଇ ନିର୍ମଳ ହସ ସହ ସେ ମଉସା ସଜାଡି ସାରିଥିଲେ ଶ୍ରାଦ୍ଧ ର ସବୁ ଜିନିଷ ।ମନ୍ତ୍ର କଣ ପଢୁଥିଲେ ମୁଁ କିଛି ବୁଝୁଥିଲି ଆଉ କିଛି ଅବୁଝା ମୋ ପାଇଁ ।ବାସ ତାଙ୍କ କଥା ମୁତାବକ ମୁଁ ଛୁଇଁ

ଦେଉଯାଉଥିଲି ସେ ତିଆରି କରିଥିବା ବର୍ତ୍ତୃଳ ପିଣ୍ଡ ସବୁକୁ।କେବେ ଚଳେ ତିଳ ପକା ପାଣି କୁ ଅଜାଡି ଦେଉଥିଲି ତ ,କେବେ ଦୁଇହାତ ଯୋଡି ମଥା ରେ ଲଗାଇ ଦେଉଥିଲି।

ମନ କିନ୍ତୁ ନୀରବରେ ରେ ଜପି ଚଳିଥାଏ ମୋ ମନ ଭିତରେ ବର୍ଷବର୍ଷ ଧରି ପ୍ରତିଧ୍ୱନିତ ହେଉଥିବା ବାକ୍ୟ କେତୋଟି।

"ହେ ପୃଥୀ,ଅଗ୍ନି,ନଭ ,ଜଳ ,ବାୟୁ ,ସୂର୍ଯ୍ୟ ଦେବତା ନିଜ ଶକ୍ତି ଦେଇ, ନିଜ କୃପା ବିଛୁରି ମୁକ୍ତି ଦିଅ ମୋ ପହଲି କକେଇ କୁ ଏ ଜନ୍ମ ,ମୃତ୍ୟୁ ର ବନ୍ଧନ ରୁ ମୁକ୍ତ କର ତାକୁ ସେ ପାଇଥିବା ସବୁ ଦୁଃଖ ,ସବୁ ଅବଶୋଷ ରୁ . "

ସରିଗଲା ତର୍ପଣ ଆଉ ଜଳୁଥିବା ମନ ରେ ଥଣ୍ଡା ପାଣି ଛାଟିଦେଲା କିଏ ଯେମିତି।

ମଉସା ଙ୍କୁ ଦକ୍ଷିଣା ଦବା କୁ ବ୍ୟାଗ ଖୋଲିଲି ,ଅଟକେଇ ଦେଲେ ମଉସା ମୁଣ୍ଡ ରେ ହାତ ରଖି ଅଦୃଶ୍ୟ ହେଇଗଲେ ଭିଡ଼ ଭିତରେ। ନଜର ରେ ପଡିଲା ବ୍ୟାଗ ଭିତରେ ଥିବା ଧଳା ରୁମାଲ ରେ ବନ୍ଧା ଥିବା ପହଲି କକେଇ ସାମ୍ରାଜ୍ୟ ର ମାଟି।

ବ୍ୟାଗ ରୁ ରୁମାଲ ଟି କାଢି ଆଗେଇ ଚାଲିଲି ବିନ୍ଦୁସାଗର ର ଢେଉଢେଉକା ପାଣି ପାଖୁ, ଇଚ୍ଛାହଉଥିଲା ପିଲା ବେଳ ପରି ଜୋର ରେ ଡାକିବି... ଏ..... ପହଲି କକେଇ ....

ଯଦିଓ ଆକାଶ ର ବୁକୁଚିରି ତାର ଉ....ଡାକ ମୋ କାନ ଯାଏ ଆସିବାର କୌଣସି ସମ୍ଭାବନା ନଥିଲା।

ତଥାପି ମନେ ମନେ ଡାକିଲି ପହଲି କକେଇ....ଆଉ ରୁମାଲ ର ଗଣ୍ଠି ଖୋଲି ,ମାଟି ସବୁ ପାଣି ରେ ଭସେଇ ଦେଇ ପ୍ରଣିପାତ କଲି ସେ ସମ୍ପର୍କକୁ ଯାହା ମଉସାଙ୍କ ଭାଷାରେ ମନ ର ସମ୍ପର୍କ।

ଆକାଶ ର ନିଳିମା ରେ ମୋତେ ହସ ହସ ମୁହଁ ରେ ଦିଶୁଥିଲା ପହଲି କକେଇ ର ମୁହଁ। ଧୀରେ ସେ ହସ ସହ ଲିଭି ଲିଭି ଯାଉଥିଲା ପହଲି କକେଇ ର ଅବୟବ ଆଉ ଆକାଶ ପୂର୍ବପରି ଶାନ୍ତ ଆଉ ଗାଢ଼ ନୀଳ ହିଁ ଥିଲା ଗୋଟେ ହାଲୁକା ମନ ଆଉ ଆତ୍ମତୃପ୍ତି ସହ ମୁଁ ଫେରୁଥିଲି ବିନ୍ଦୁସାଗରକୁ ପଛରେ ପକାଇ।



Rate this content
Log in

Similar oriya story from Fantasy