ପ୍ରଥାମାଷ୍ଟମୀ
ପ୍ରଥାମାଷ୍ଟମୀ
ସକାଳୁ ଆଖି ଖୋଲୁ ଖୋଲୁ ଭାରି ଗୋଟେ କୁଲୁରୁ କୁଲୁରୁ ଲାଗୁଥିଲା ।ରାଜା ଭଳି ଉଠି ହଲି,ଦୋହଲି ଗାଧୁଆଘର କୁ ଯାଇ ନୂଆ ବ୍ରସ ରେ ପୁଳେ ଟୂଥପେଷ୍ଟ ଲଗାଇ ଦାନ୍ତ ଘଷି ପକେଇଲି,ସେପଟୁ ବୋଉ ରଡି କଲା "ଆରେ ତୋ ବ୍ରସ ରେ ଦାନ୍ତ ଘସ କାହିଁକି ସେ ନୂଆ ବ୍ରସ ଟା ରେ ଘସୁଛୁ।"
ଛେପ ସହ ଗୁଡ଼େ ବିରକ୍ତି କୁ ଥୁ ....କରି ଫୋପାଡି ଦେଇ ଦୁମ ଦୁମ ହେଇ ମୋର ସେଇ ଫିକା ସବୁଜ ରଙ୍ଗ ର ବ୍ରସ ଟିକୁ ପାଟି ରେ ପୁରେଇ ବ୍ରସ କଲା ବେଳେ ଭାରି ଗୋଟେ ଆତ୍ମସନ୍ତୋଷ ମୋତେ ମିଳୁଥିଲା ଏୟାଭାବି ଯେ ଯାହ ହଉ ଭାଇ ଆଜି ସେଇ ନୂଆ ବ୍ରସ ରେ ବ୍ରସ କରିପାରିବନି।
ଆଜି ତ ତା'ଦିନ ,ପ୍ରଥାମାଷ୍ଟମୀ ନା ଆଜି,ନୂଆ ବ୍ରସ ରେ ଦାନ୍ତ ଘସିବ ,ନୂଆ ଡ୍ରେସ ପିନ୍ଧିବ ଓଃ ...ଭାରି ଗୋଟେ ଷ୍ଟାଇଲ ମାରି ବୁଲିଥାନ୍ତା ।
ଭଲ ହେଇଛି ନୂଆ ବ୍ରସ ଟିକୁ ଆଗ ପାଟି ରେ ପୁରେଇ ନଷ୍ଟ କରିଦେଇଛି ।
ସେମିତି ଭାବି ..ଭାବି.. ମନେ ମନେ କୁରୁଳୁ ଥିବା ବେଳେ
ମୋ ଖୁସି ରେ ଗୋଟେ ବଡ଼ ବ୍ରେକ ଲାଗିଯାଏ ଯେତେବେଳ ଦେଖେ ଭାଇ ନୂଆ ଡ୍ରେସ ପିନ୍ଧି ଠାକୁର ଘରେ ବସିଛି ଆଉ ବୋଉ ତାକୁ ଚନ୍ଦନ ,ସିନ୍ଦୁର ଲଗେଇ ବରକୋଳି ପତ୍ର, ଦୁବ ପକେଇ ବନ୍ଦାପନା କରି ,ପିଠା ରୁ ଟିକେ ଭାଙ୍ଗି ପାଟି ରେ ଖୁଆଇଦଉଚି।
ମୁଁ ହାତ ବଢ଼ାଏ ବଡ଼ ପିତ୍ତଳ ଥାଳି ରେ ଥୁଆ ହେଇଥିବା ଥାଳିଏ ସବୁଜ ହଳଦି ପତ୍ର ଗୁଡା ନହକା ସୁନ୍ଦରୀ ଙ୍କ ଆଡକୁ ,ପୁଣି ବୋଉ ର ତାଗିଦ ଶୁଭେ ' ଏ ରହ ଛୁଇଁବୁନି .....ଗାଧେଇନୁ ରେ ଅଳସୁଆ , ଭୋଗ ପରା ତୁ ଯା ଗାଧେଇକି ଆ ଖାଇବୁ "
ତରତର ହେଇ ମାମୁଁ ଘରୁ ଆସିଥିବା ଗୋଲାପି ଲକ୍ସ ସାବୁନ ଲଗେଇ ଗାଧେଇ ଆସିଲାବେଳ କୁ ,ଭାଇ ଖାଇ ସାରିଥାଏ ମୋର ସବୁଠୁ ପ୍ରିୟ ବୋଉ ହାତ ତିଆରି ତାଜା ହଳଦି ପତ୍ର ବାସ୍ନା ସହ ଛେନା ନଡ଼ିଆ ପୁର ର ବାସ୍ନା ଆସୁଥିବା ଏଣ୍ଡୁରି ପିଠା କୁ।
ଅଲଗା ଗୋଟେ ଥାଳିରେ ବୋଉ ମୋ ପାଇଁ ବି ପିଠା ସଜାଏ କିନ୍ତୁ କାଇଁ କେଜାଣି ଭାଇ ଖାଉଥିବା ସେ ପିଠା ର ବାସ୍ନା କି ସ୍ୱାଦ ମୋ ପିଠା ରେ ମୁଁ ପାଏନି।
ସ୍କୁଲ ଯିବାକୁ ରେଡି ହେଉ ଆମେ ଦୁଇଭାଇ ,ଭାଇ ମାମୁଁଘରୁ ଆସିଥିବା ନୂଆ ଡ୍ରେସ୍ ବଦଳେଇ ସ୍କୁଲ ଇଉନିଫର୍ମ ପିନ୍ଧି ସାରିଥାଏ,ବୋଉ ଟିଫିନ ଭର୍ତ୍ତି ଏଣ୍ଡୁରି ପିଠା, ଭାଇ ବ୍ୟାଗ ରେ ରଖି ତାକୁ ବାରମ୍ବାର ମନ ପକାଏ ଖେଳଛୁଟି ରେ ସାଙ୍ଗ ମାନଙ୍କ ସହ ମନକରି ପିଠା ଖାଇବାକୁ।
ମୋ ଆଡ଼କୁ ଟିକେ ବୁଲିପଡ଼ି ବୋଉ ପଚାରେ..
" ଦେବିକିରେ ପିଠା ତୋ ଟିଫିନ ରେ ସାଙ୍ଗ ମାନଙ୍କ ସହ ଖାଇବୁ"
ମୁଁ କଣ ଭାବେ କେଜାଣି ବୋଉ ମୁହଁକୁ ନଚାହିଁ କହେ ନା ମୋତେ ଟଙ୍କା ଦେଇଦେ ମୁଁ କଣ କିଣିକି ଖାଇବି।
ବୋଉ ପାଞ୍ଚ ଟଙ୍କା ଧରାଇଦିଏ ମୋ ହାତ ରେ।ଅତିବେସିରେ ଦୁଇ ଟଙ୍କା ମିଳୁଥିବାରୁ ବୋଉ ଦେଇଥିବା ପାଞ୍ଚ ଟଙ୍କା ରେ କଣ ଖାଇବି ଭାବି ଭାବି ପହଞ୍ଚି ଯାଏ ସ୍କୁଲରେ ।
ଭାରି ଗୋଟେ ରାଗ ଚିଡୁଥାଏ ,ସେଇ ରାଗ ଟା କେତେବେଳେ ବୋଉ ଉପର କୁ କୁଦି ପଡୁଥାଏ ତ କେତେବେଳେ ନୂଆ ଡ୍ରେସ ସହ ନୂଆ ସାବୁନ , ବ୍ରସ ,ହଳଦିପତ୍ର ପଠେଇଥିବା ମୋ ଅଜା, ଆଈ ଙ୍କ ଉପର କୁ ମାଡିଯାଉଥାଏ।
ସବୁଠୁ ରାଗ ଚିଡୁଥାଏ ଭାଇ ଉପରେ।
ଓଃ ଆଗ ଜନ୍ମ ହେଇ ଭାରି ଗୋଟେ ବଡ଼ କାମ କରିଛି।ସବୁବେଳେ ସବୁଥିରେ ଆଗ ଆଉ ବେସି ଭାଗ ତାର ଏମିତି କି ବାପା, ବୋଉ ଙ୍କ ସ୍ନେହ ଆଉ ବିଶ୍ୱାସ ରେ ବି ତାର ବେସି ଭାଗ।
ଖେଳଛୁଟିରେ ଭାଇ ତା ସାଙ୍ଗ ମାନଙ୍କ ସହ ପିଠା ଭାଗ କରି ଖାଇବା ଆଗରୁ ଥରେ ମୋ କ୍ଲାସ ଆଡେ ଆସେ ମୋତେ ଡାକିବାକୁ ତା ସହ ଖାଇବାକୁ , ବଡ଼ ଜୋରରେ ମୁଁ ଖାଇବିନି କହି ବେପରୁଆ ହେଇ ବୋଉ ଦେଇଥିବା ପାଞ୍ଚ ଟଙ୍କା ଟା କୁ ହାତ ରେ ଧରି ମୁଁ ଦଉଡେ ସ୍କୁଲ ଗେଟ ବାହାରେ ବିକାହଉଥିବା ଗୁଗୁନି ,ଚାଟଠେଲା ପାଖକୁ।
ଖେଳ ପଡିଆ ରେ ଭାଇ ଫୁଟବଲ ଖେଳ ରେ ଗୋଲ କରେ ଆଉ ମୁଁ ଚୋବୋଉଥାଏ ,ଚାଟ ଖାଇସାରିବା ପରେ ଅବଶିଷ୍ଟ ପଇସା ରେ କିଣିଥିବା ବାଦାମ ।
ମୋ ଭିତରେ ବଢୁଥାଏ ଭାଇ ଆଉ ଭାଇ ପାଇଁ ବୋଉ କରୁଥିବା ପ୍ରଥାମାଷ୍ଟମୀ ପାଇଁ ଏକ ଅଜବ ଅନୁଭବ .....ସେଇ ଅନୁଭବ ର ନାମ ଇର୍ଷା କି ରାଗ ଜାଣିବାକୁ ବୋଧ ହୁଏ ମୋର ବୟସ ହେଇନଥିଲା।
ସ୍କୁଲ ଆଉ କଲେଜ ର ଦୁଇବର୍ଷ ପାଠ ସରିବା ପରେ ଭାଇ ଗଲା ଇଞ୍ଜିନିୟରିଂ କଲେଜ ର ହଷ୍ଟେଲ। ଓଃ ବୋଉ ର କି କାନ୍ଦ ସତେକି ଝିଅ ବାହାହେଇକି ଶାଶୂଘର କୁ ଯାଉଛି।ଉପରେ ଚୁପ ଥିଲେ ବି ମୁଁ ଅନୁଭବ କରୁଥିଲି ଗୋଟେ ଅଲଗା ପ୍ରକାର ଖୁସି ଏଣିକି ସବୁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ମୁଁ ହେବି, କାହା ଛାଇ ରେ ଆଉ ନୁହଁ ମୁଁ ମୋ ଭଳି ରହିବି କେହି ମୋତେ ଭାଇ ଭଳି ହେବାକୁ ବାଧ୍ୟ କରିବେନି କି ଆଶା ବି କରିବେନି।
ସିଏ ଗଲା ପରେ ମୁଁ ଏଣିକି ରୁମ କୁ ମୋ ହିସାବ ରେ ସଜାଡ଼ିଲି ଆଉ ଆମ ରୁମ ନକହି ମୋ ରୁମ ବୋଲି କହିଲି ଆଉ କହିଲା ବେଳେ ମୋ ଶବ୍ଦ ଟା ବି ଖୁବ ଦମଦାର ଶୁଭୁଥିଲା ।
କି ସୁନ୍ଦର ସେଇ ଦିନ ଗୁଡା ଥିଲା ଯେ .....କାହା ସହ ସିଧା ସଳଖ ଭାବରେ ଆଉ ଓଜନ କରାଯାଉନଥିଲା ମୋତେ।
କେବେ କେବେ ଅବଶ୍ୟ ବିରକ୍ତି ହେଉଥିଲି ବୋଉ ର ଅଯଥା ଡ୍ରାମା ରେ ,ପୂଜା ପର୍ବାଣୀ ଲୁହ ଗଡେଇ, ତା ବଡ଼ ପୁଅ କୁ ଝୁରୁଥିଲା।
ବଡ଼ ନା ରଡ଼ ଯେ ଯେତେସବୁ ବାଜେ ସେଣ୍ଟିମେଣ୍ଟ ସେଇ ଏକା ପୁଅ ନା କଣ ।
ଖୁସି ଦିନ ସବୁ ଅଳ୍ପାୟୁ, ସେବେ ଜାଣିଲି ଯେବେ ପାଠ ପରେ ଭାଇ,ଆମର ସହର ରେ ହିଁ ସରକାରୀ ଚାକିରୀ ରେ ଜଏନ କଲା।
ପୁଣି ଭାଇ ହେଇଗଲା ବାପା ବୋଉ ଙ୍କ ବିଶ୍ୱାସ ଆଉ ସ୍ନେହ ର ପ୍ରଥମ ଅଧିକାରୀ ଆଉ ମୁଁ ତା ଛାଇ ରେ ହନ୍ତସନ୍ତ ହେଉଥିବା ଅସହାୟ ଜୀବନ ଟେ।
ଏଣିକି କଲେଜ ଗଲା ବେଳେ ,ସାଙ୍ଗ ସାଥି ସହ ଖର୍ଚ୍ଚ ପାଇଁ ଭାଇ ବି କିଛି ଟଙ୍କା ଗୁଞ୍ଜିଦିଏ ମୋ ପକେଟ ରେ ,ହଁ କଣ ଅଧିକା କରୁଛି କି ଦେଖେଇହଉଛି ବାପା ବୋଉ ଙ୍କ ଆଗରେ ।
ସେଇସବୁ ଗତାନୁଗତିକ ଟେକନିକାଲ ,ପ୍ରଫେସନଲ ପାଠ ପାଇଁ ମୋ ମନ ସବୁବେଳ ବିତସୃହ ,ଭାବିଲି ସ୍ୱାଧୀନ ଜୀବନ ବଞ୍ଚିବାକୁ ଇଛୁକ ମୋ ଭଳି ମଣିଷ ପାଇଁ ଜର୍ଣ୍ଣାଲିଜିମ ହି ଉପଯୁକ୍ତ ପାଠ ।
ବାପା ଟିକେ ବିରକ୍ତ ହେଉଥିଲେ ଏ କାରିଅର କଥା ଶୁଣି
ବୋଉ ପଚାରିଲା -"ହଇରେ ସେ ଚାକିରୀ ରେ ଦରମା ମିଳେ ଟି?"
ଯେତେସବୁ ବେକାର କଥା କେମିତି ଯେ ବୁଝେଇବି ଏମାନଙ୍କୁ।
ଅବଶ୍ୟ କିଛିଦିନ ପରେ ବାପା ବୁଝିଲେ ଆଉ ମୋତେ ଦିନେ ଡାକି କରି କହିଲେ "ଭାଇ କଣ କହୁଥିଲା ଜର୍ଣ୍ଣାଲିଜିମ ପାଠ ପଢି ବି ଅନେକ ଲୋକ ଏଷ୍ଟାବ୍ଳସ୍ ହେଉଛନ୍ତି ହଉ ତୁ ଆଡ଼ମିଶନ କରିଦେ"।
ଆଡ଼ମିଶନ ବେଳେ ଭାଇ ଧରେଇ ଦେଇଥିଲା ଆଡ଼ମିଶନ ଫି ,ହଁ ଦଉଥାଉ, ଦେଖେଇହେବା ଗୁଣ ତ ତାର ପିଲାବେଳୁ।
ନିଜକୁ ମହାନ ଦେଖେଇହେବାର ଗୋଟେ ରାସ୍ତା ବାହାର କରିଛି ।
କିଛି ବର୍ଷ ପରେ ଭାଇ ର ବାହାଘର ହେଲା ,ଖୁବ ଜାକଜମକ ରେ ବାପା ବୋଉ ତା ବାହାଘର କଲେ ,ନକରିବେ ବି କେମିତି ସିଏ ପା ବଡ଼ପୁଅ ।
ଆଉ ଘର କୁ ଭାଉଜ ବି ଆସିଗଲେ ,
ଭାଉଜ ଆସିବାର କିଛି ଦିନ ପରେ ଘର ର ଶାନ୍ତି ଉପରେ ଯେମିତି କାହାର କଳା ଛାଇ ପଡିଯାଇଥିଲା।
ଭାଉଜ ଙ୍କ ବ୍ୟବହାର ରେ ଖୁବ ବ୍ୟସ୍ତ ହେଇପଡୁଥିଲି।
ଯେଉଁଦିନ ଘର ର ସବୁ କାମ ସାରିଲା ପରେ , ବୋଉ କୁ ଭାତ ରେ ପାଣି ପୁରେଇ କଡେଇ ରେ ପଡିଥିବା ତଲତଳିଆ କିଛି ଭଜା ସହ ଖାଇବାର ଦେଖିଲି ,ଖୁବ ଜୋର ରେ ରାଗି ଯାଇଥିଲି ଭାଉଜ ଙ୍କ ଉପରେ ।
ତାଙ୍କ ଉପରେ ଥିବା ରାଗ କୁ ବୋଉ ଉପରେ ସାରି ଚିଲେଇକି କହିଲି ,,"ଆହୁରି ମୁଣ୍ଡ ରେ ବସା ,ବଡ ପୁଅ ପା ତୋର ତା ସ୍ତ୍ରୀ କଣ କରୁଛି ଦେଖିପାରୁନି କି ସେ ।ମୋ ସ୍ତ୍ରୀ ଯଦି ଏମିତି କରିଥାନ୍ତା ଠିଆ ଚିରିଦେଇଥାନ୍ତି ତାକୁ।"
ବୋଉ ଚୁପ କି ଲୁହ ପୋଛିଲା।
ଘର ର ପରିସ୍ଥିତି ଦିନ କୁ ଦିନ ଖରାପ ହେଉଥିଲା ,ବୋଉ ଘର କାମ ସହ ଭାଇ ଙ୍କ କୁନିପୁଅର ସବୁ କାମ ସାରି ,ଦିନ ତିନିଟା ବେଳେ ଭାତ ସହ କେତେବେଳେ ଟମାଟୋ ପୋଡ଼ା କି ଆଳୁ ଚକଟା ଧରି ବସୁଥିଲା।
ସେଇ ଭିତରେ ମୁଁ ଜର୍ଣ୍ଣାଲିଜମ ସାରି ଗୋଟେ ନାମୀ ନିଉଜ ଚ୍ୟାନେଲ ରେ ଜଏନ କରିସାରିଥିଲି ।
ବୋଉ ଏବେ ମୋ ବାହାଘର କଥା ଉଠଉଥିଲା କିନ୍ତୁ ମୁଁ ଭାଇ ପରି ସ୍ୱାର୍ଥପର ନୁହଁ ଯେ ଯାହାକୁ ତାକୁ ବାହାହେଇ ବାପା ବୋଉ ଙ୍କୁ କଷ୍ଟ ଦେବି। ମୁଁ ଯାହାକୁ ବି ବାହାହୁଏ ସିଏ କିନ୍ତୁ ଭାଉଜ ଙ୍କ ପରି ନ ହେଇଥାଉ ରେ ଏଇଟା ହିଁ ମୋ ଆନ୍ତରିକ ଇଛା ଥିଲା।
ଭାବିଲି ନିଜ ପସନ୍ଦ ର ବାହାହେବି ଯିଏ ମୋ ପରିବାର କୁ ଠିକ ମୋ ପରି ଭଲ ପାଇବ।
ସିପ୍ରା କୁ ଦେଖୁ ଦେଖୁ ଲାଗିଲା ଆରେ ଇଏ ତ ସିଏ ଯାହାକୁ ମୁଁ ଏତେ ଦିନ ଧରି ଖୋଜୁଥିଲି।ପରିବାର କୁ ନିଜର କରି ଚଳୁଥିବା ଝିଅ ଟିଏ ।
ରୂପ ଆଉ ପାଠ ରେ ବି ଅତୁଳନୀୟା
ବେସି ଡେରି ନକରି ସିପ୍ରା ଆଉ ମୁଁ ବାହାହେବାକୁ ସ୍ଥିର କରିଦେଲୁ।
ବାହାଘର ଦିନ ,ବାପା ,ବୋଉ ଙ୍କ ଖୁସି ଖୁସି ମୁହଁ ଦେଖି ଭିତରୁ ଗୋଟେ ଶାନ୍ତି ମିଳୁଥାଏ।
ସମୟ ସବୁ ଖୁବସୁନ୍ଦର ଭାବରେ ବିତିଯାଉଥାଏ।
ସେଦିନ ଅଫିସ୍ ରେ କିଛି କାମ ଥିଲା ଯୋଉଥିପାଇଁ ମୋତେ ଟିକେ ଲେଟ ଯାଏ କାମ କରିବାର ଥିଲା ଘରେ ଥିବା କିଛି ଅଫିସିଆଲ ଡକୁମେଣ୍ଟ ନବାକୁ ଘର କୁ ଆସି ଦେଖେ ତ, ବୋଉ ବଳିଥିବା ଭାତ ରେ ପାଣି ପୁରେଇ ଟମାଟୋ ଚକଟା ସହ ଖାଇ ବସିଛି ,ମୋତେ ଦେଖି କେମିତି ଆଡେଇ ଆଡେଇ ହେଲା ।
ମୁଁ ବଡ଼ ପାଟି କରିବାକୁ ବାହାରି ପୁଣି ଚୁପ ହେଇଗଲି।ସିପ୍ରା କୁ ବୁଝେଇଲି ଟିକେ ବୋଉ ର ଖାଇବା କଥା ତ ବୁଝ ।
ବିଚାରି କେତେ କଷ୍ଟ ରେ ଆମକୁ ମଣିଷ କରିଛି।
ଗେଲେଇ ହେଇ ସିପ୍ରା କହିଲା "କେତେ ଆଉ କରିବି କହିଲ,ଆମର ଗୋଟେ ଭଲ ରୋଷେଇଆ ରଖିଦେଲେ ହୁଅନ୍ତାନି"
ଅନେକ କଥା କହିଆସୁଥିବା ମୋ ଜିଭ କେମିତି କେଜାଣି ଜଡ ହେଇଗଲା ସେଦିନ।
ବାପା ବୋଉ ଚୁପ ଥିଲେ ବି ଅନେକ ଜିନିଷ ସହକ ଲାଗୁନଥିଲା। ଘରେ ଛୋଟ ଛୋଟ କାମ କୁ ନେଇ ଭାଉଜ ଆଉ ସିପ୍ରା ଭିତରେ କଥା କଟାକଟି ,ବୋଉ ର ନଇଁ ଯାଉଥିବା ଶରୀର ଉପରେ ଭାଇ ଙ୍କ ଛ ବର୍ଷ ପୁଅ ଆଉ ମୋର ଦୁଇବର୍ଷ ପୁଅ ର ଦାୟିତ୍ୱ ,ଭାରି ଅଣନିଶ୍ୱାସୀ ପରିବେଶ ହେଇଯାଉଥିଲା ଆମ ଘର ।
ଏ ସବୁ ଦେଖି ଦେଖି ଭାବିଲି କାହାପାଇଁ ସୀମା କି ପରିସୀମା ନିର୍ଦ୍ଧାରଣ କରିବା ମୋ ହାତ ରେ ନାହିଁ ଆଉ ଶତ ଚେଷ୍ଟା ପରେ ବି ଯେବେ ଅସୁବିଧା ର ସମାଧାନ ବାଟ ନମିଳେ ତାକୁ ସତ୍ୟ ବୋଲି ଗ୍ରହଣ କରିନେବା ହିଁ ବୁଦ୍ଧିମତା।
ଅଚାନକ ଭାବିଲି ଆମର ଅଲଗା ହେଇ ରହି, ଅଲଗା ରାନ୍ଧି ଖାଇବା ଉଚିତ ଆଉ ଅଲଗା ହେଲେ ବୋଧେ ସିପ୍ରା ବୁଝିବ ନିଜ ଦାୟିତ୍ୱ,ବହୁତ ଭାବି ବୋଉ କୁ ଆଗ ନିଜ ମନ କଥା କହିଲି , ବୋଉ ବାପା ଙ୍କୁ କଣ ବୁଝେଇଲା କେଜାଣି
ବାପା କହିଲେ "ଯେତେ ଭାଇ ସେତେ ଘର ମୋ ବଞ୍ଚିଥିବା ଭିତରେ ଏ ଝାମେଲା ତୁଟିଯିବ ଭଲ "।
ବୋଉ ନୀରବ ରେ ଦୁଇଠୋପା ଲୁହ ଗଡେଇ ଦେଇ ଉଠିଗଲା।
କିଛି ଦିନ ଭିତରେ ଓକିଲ ଡାକି ବାପା ଗାଁ ଘର, ଜମି ସବୁ କୁ ଦୁଇଭାଗ କରିଦେଲେ କଟକ ରେ ଥିବା ତିନିଗୁଣ୍ଠ ଜମି ଉପରେ ଥିବା ଦୁଇମହଲା ଘର ଟିକୁ ଭାଇ ନାଁ ରେ ଆଉ ଦୁଇଗୁଣ୍ଠ ଜମି
ଉପରେ ଥିବା ଛୋଟ ଏକାମହଲା ଘର ଟିକୁ ମୋ ନାଁ ରେ କରିଦେଲାବେଳେ କେଜାଣି କାହିଁକି ବାପା ବୋଉ ମୋତେ ଭାଇ ଭଳି ସ୍ୱାର୍ଥପର ଲାଗିଲେ।
ଜମି ରେ ଲୋଭ ପାଇଁ ନୁହଁ ମୋତେ ଲାଗିଲା ବାପା ବୋଉ ମୋତେ କେବେବି ଭଲ ପାଇନାହାନ୍ତି ବୋଧହୁଏ ତାଙ୍କର ସବୁ ସୂକ୍ଷ୍ମ ଭାବନା କେବଳ ଭାଇ ନାହି,ମୋର ଅସ୍ତିତ୍ବ ହିଁ ନାହିଁ ସେମାନ ଙ୍କ ଜୀବନ ରେ।
ବେସି ଖରାପ ଲାଗୁଥିଲା ମୋତେ ସିପ୍ରା ର ଦାନ୍ତ ଚିପା ହସ ଆଉ କିଛି କମେଣ୍ଟ ମରା କଥା।
-ବୋଉ କୁ ସିଧା ଚାହିଁ ପଚାରିଲି ....
-କାହିଁକି ଏ ଅବିଚାର ବାପା ଙ୍କର?
- ଜ୍ୟୋଷ୍ଠ ଅଂଶ ରେ ବାପା
ବୋଉ ଚୁପ ରହିଲା
-ଆଛା ତେବେ ତୁ ଆଉ ବାପା ମୋ ସହ ରହିପାରିଥାନ୍ତା ,କଣ ପାଇଁ ଭାଇ କୁ ହିଁ ବାଛିଲ ।ସମ୍ପତି ରେ ବଡ଼ଅଂଶ ରେ ଭାଗିଦାର ହେବା ଅଲଗା କଥା ବାପାମା ଙ୍କ ସ୍ନେହ ବି କଣ ସବୁତକ ତାର ?
ଏତିକି କହି ଦୁମ ,ଦୁମ କି ଘରୁ ବାହାରି ଆସିଲି ବୋଉ ପଛରେ ଗୋଡେଇ, ଗୋଡେଇ କଣ କହି କହି ଗେଟ ଯାଏ ଆସୁଥିଲା।ତା କଥା ଶୁଣିବାକୁ ମୋର ଜମା ବି ଇଛା ନଥିଲା।
ନିହାତି ଅବାଞ୍ଚିତ, ଅଲୋଡ଼ା ଆଉ ସବୁଠୁ ବଡ଼ କଥା ହେଲା।ମୋତେ ଅନାଥ ଭଳି ଲାଗୁଥିଲା।ମୋ ମନ କଥା ସିପ୍ରା ଆଗରେ ବାଣ୍ଟି ଆଉ ତା' ଉପହାସ ର ପାତ୍ର ହବାକୁ ମୋର ବିଲକୁଲ ବି ଇଛା ନଥିଲା।
ସେଦିନ ଅଫିସ ସରୁ ,ସରୁ ପାଖ କାଫେ ରେ ବସି କଫି ପିବାକୁ ଭାବିଲି ଏମିତି ବି ମନ ଟା କିଛିଦିନ ହେଲା ଜମା ଭଲ ଲାଗୁନି।
"ଆରେ ତୁ ତନୟ ର ସାନଭାଇ ନା...."
ପଛରୁ ରୁ କାହା ସ୍ୱର ଶୁଣି ଚାହିଁ ଦେଖେ ତ ଅଜଣା କେହି ଜଣେ ହସହସ ମୁହଁ ରେ ମୋତେ ଚାହିଁରହିଛନ୍ତି।
ଥଙ୍ଗ ଥଙ୍ଗ ହେଇ ହଁ କହିଲା ବେଳ କୁ ସେ ଆସି ବସିସାରିଥିଲେ ମୋ ସାମ୍ନା ଚେୟାର ରେ ।
--ମୋର କଣ ନିଜର ନାଁ , ନାହିଁ ଯିଏ... ସିଏ ,କଣ ମୋ ନାଁ ଗୋଟେ ଦେଇଦଉଛନ୍ତି।
ତନୟ ର ସାନ ଭାଇ ନା ଚୋପା–
ନିଜ ମନ ଭାବ କୁ ଲୁଚେଇ ,ଡାହାଣ ହାତ ତାଙ୍କ ଆଡକୁ ବଢ଼େଇ ନିହାତି ଭଦ୍ର ଭାବରେ କହିଲି
-ମୁଁ ଶାଶ୍ୱତ ..
-ହଁ ତୁମ ନାଁ ଆଉ ଆଉ ମନ ନାହିଁ ,ଆମେ ସ୍କୁଲ ରେ ତୁମକୁ ତନୟ ର ଭାଇ କହି ହିଁ ଡାକୁଥିଲୁ। ବହୁତ ଭଲ ଫୁଟବଲ ଖେଳୁଥିଲା ତନୟ ଖେଳ କୁ କାରିଅର ସିନା କରିପାରିଲାନି କିନ୍ତୁ ତା ପାଇଁ ଆମେ ଅନେକ ଥର ଜିତିଚୁ ନାସନଲ ଟୁର୍ଣ୍ଣାମେଂଟ ରେ । ଭଲ ଚାକିରୀ ମିଳିବ ବୋଲି ଖେଳ ଠୁ ଏକଦମ ଦୁରେଇ ଯାଇ ଇଂଜିନିୟରିଂ କୁ କାରିଅର ଭାବରେ ନେଲା।
ଭାଇ ପୁଣି ଭଲ ଖେଳୁଥିଲା ଶୁଣି ଟିକେ ଅଖାଡୁଆ ଲାଗିଲା ,ହେଇଥିବ ମୁଁ ତ କାଇଁ ଜାଣିନି।
ଉଠୁ ଉଠୁ ସେ କହିଲେ ଆରେ ତନୟ କୁ କହିଦବୁ ପୁରବୀ ବାହାହେଇ ଗଲାଣି ।
-ସିଏ କିଏ?
-ତୁ କଣ ଜାଣିନୁ ତନୟ ପୁରବୀ କୁ ଖୁବ ଭଲ ପାଉଥିଲା ଦୁହେଁ ସଂସାର କରିବେ ବୋଲି ଆଗେଇଲା ବେଳକୁ କରଣ ଘର ଝିଅ କୁ ବୋହୁ କରିବେନି ବୋଲି ମାଉସୀ ପା ଅଡ଼ି ବସିଲେ ଆଉ ତନୟ ବି ମଉସା, ମାଉସୀ ଙ୍କ ଇଛା ରେ ଆଉ ପସନ୍ଦ ରେ ଅନ୍ୟ ଜାଗା ରେ ବାହାହେଇଗଲା।
ବିଚାରୀ ପୁରବୀ ଟା ବହୁତ କଷ୍ଟ ପାଇଲା।
ହଉ ଛାଡ଼ ସେସବୁ ତୋ ସହ ଦେଖା ହେଇ ଭଲ ଲାଗିଲା।
ଆଉ କପେ କଫି ମଗେଇ ମୁଁ ଢକ ଢକ କରି ଗରମ କଫି ଗୁଡା ପି ଦେଇ ଭାବୁଥିଲି ମୋ ପସନ୍ଦ ର ଜୀବିକା ଆଉ ଜୀବନସାଥି ବାଛିଲା ପରେ ଯଦି ମୁଁ ଆଜି ଏତେ ଅଣନିଶ୍ୱାସୀ ହେଇଯାଉଛି ତେବେ ଭାଇ କେମିତି ବଞ୍ଚିଥିବ ଏଇ ତାର ସମ୍ପୂର୍ଣ୍ଣ ସାଲିସ କରା ଜୀବନ କୁ ।
ସେଇ ବର୍ଷ ପ୍ରଥାମାଷ୍ଟମୀ ରେ ବୋଉ ର ଫୋନ ପାଇ ମୁଁ ପହଁଚି ଯାଇଥିଲି ଠିକ ପୂଜା ଟାଇମ ରେ ଯଦିଓ ପୂଜା ରେ ମୋର କିଛି ଆବଶ୍ୟକତା ନଥିଲା।
ମାମୁଁ ଘରୁ ନୂଆ ଡ୍ରେସ ଆସିବା ତ ଅନେକ ଦିନ ରୁ ବନ୍ଦ ହେଇ ଗଲାଣି ଏଣିକି ବୋଉ ବରାଦ ରେ କେବେ ବାପା କି କେବେ ଭାଇ କିନିଆଣନ୍ତି ନୂଆ ଡ୍ରେସହଳେ।
ସବୁବର୍ଷ ଭଳି ପିଢ଼ା ଉପରେ ଭାଇ କୁ ବସେଇ ବୋଉ ଦୁବ, ବରକୋଳି ପତ୍ର ଦେଇ ବନ୍ଦେଇଲା ।
ଭାଇ ଚୁପ ହେଇ ବସିଥାନ୍ତି ପୂଜା ପାଖରେ ବାକି ସବୁ ବର୍ଷ ଭଳି କାହିଁ କେଜାଣି ମୋତେ ସେଠି ଭାଇ ଙ୍କ ଶାନ୍ତ ମୁହଁ ନୁହଁ ବରଂ ବଳି ଦିଆଯିବା ପୂର୍ବ ର ଛେଳି ର ନିରୀହ ଆଖି ଦିଶୁଥିଲା।ଭାଇ ଆଖି ସେ ନିରବ ଚାହାଣୀ ରେ କେତେ ବିବସତ ଥିଲା ସତରେ ଯାହାକୁ ମୁଁ ବୁଝିବା ତ ଦୂର ର କଥା କେବେ ଜାଣିବାକୁ ବି ଇଛା କରିନି।
ମୋ ଭିତର ଥିବା ବର୍ଷ ବର୍ଷ ର ଇର୍ଷା ତରଳି କି କେତେବେଳେ ଆଖି ର ଲୁହ ଆଉ ଛାତି ରେ କୋଜ ହେଇସାରିଥିଲା।
କଣ ଭାବି ମୁଁ କୁଣ୍ଢେଇପକେଇଲି ଭାଇ କୁ କିଛି ସମୟ ପାଇଁ ଲାଗିଲା ଯେମିତି ମୋ ହାତ ମୁଠାରେ ଦୁନିଆଟା ବନ୍ଦ ହେଇଯାଇଚି।,ଭାଇ ବି କୋଳେଇ ନେଲା ମୋତେ ଆଉ ମୁଁ ,ବୋଉ କୁ ବଡ଼ ପାଟିରେ କହିଲି ଲଞ୍ଚ ପାଇଁ ଭାଇ ପାଇଁ ଯେମିତି ଟିଫିନରେ ଏଣ୍ଡୁରି ପିଠା ଦେବୁ ମୋତେ ବି ସେମିତି ଦେଇଦେ ।