madhusmita rath

Others

3  

madhusmita rath

Others

ସୁନେଇ ର ମା

ସୁନେଇ ର ମା

8 mins
41


ରୁଟି ଦୁଇ ଖଣ୍ଡ ଶୁଖି ଟାଣ ହେଇଗଲାଣି, ଦୁଇଦିନ ହେଲା ସେମିତି ପଡିରହିଛି।ମନ କୁ ଗଲାନି ବୋଧେ ସୁନେଇ ର କାଇଁ ଖାଇଲାନି ତ, ମୋଟା ମୋଟା ଚକୁଳି ଦିଖଣ୍ଡ ରଖିଥିଲେ ଯେ ସିଏ ବି ସେମିତି ନିରୀମାଖି ହେଇ ପଡିଛି,ପିମ୍ପୁଡି ଧାରେ ଲାଗିଗଲେଣି।

ମନ ଛଟପଟ ହେଲା, ଆଉ ଯେତେକ ଦୁର୍ଭାବନା ଟିକ ଟିକ କଲେ ମସ୍ତିଷ୍କ ରେ। ଆଜିଯାଏ କେବେ ଏମିତି ହେଇନି ।ସମୟ ହେଲେ ନିଜେ ଆସେ ,ଯଦି ଗେଟ ଖୋଲା ଥାଏ ତ ଭଲ ଖାଇଦେଇ ସୁନା ପିଲା ଙ୍କ ପରି ବାହାରିଯିବ ନହେଲେ ଗେଟ ନଖୋଲିବା ଯାଏ ତାର ଉତ୍ପାତ କାହିଁ ରେ କଣ ।

ହଉ ଛାଡ ଆଜି ଆଉ ଆସିବନି ବୋଧେ। ଗେଟ ବନ୍ଦ କରି ଉପର କୁ ଆସିଲେ ସେ ।ଆଗ ପଛ ହେଇ ଲାଣ୍ଡ ଲାଇନ ଆଉ ମୋବାଇଲ ଫୋନ ଗର୍ଜି ଚାଲିଥିଲା, ଫୋନ ଉଠଉ ଉଠଉ ବଡ଼ ଝିଅ ବ୍ୟସ୍ତ ଆଉ ଉଦାସ ସ୍ୱର ରେ କହିଲା

ବୋଉ ,ମିସକାରେଜ ହେଇଗଲା ।

ହେଲୋ..ହେଲୋ ....

ଫୋନ କାଟିଦେଲା କି କଟିଗଲା ...

ବାହାଘର ର ସାତ ବର୍ଷ ହେଇଗଲାଣି ,ଆଜି ବି କୋଳ ଶୂନ୍ୟ ତାର, କହେନି କିଛି କିନ୍ତୁ ମା ହିସାବରେ ସିଏ ପଢିପାରନ୍ତି ତା ଅନ୍ତର ।ନାରୀ ଟିଏ କଣ ତାର ସବୁ ଦୁଃଖ କହିପାରେ ,କେବେ ମାଡି ମକଚି ଆଉ କେବେ ଆକଟ କରି ସିଏ ଲୁଚାଏ ବ୍ୟଥା ସବୁକୁ ସାତ ତାଳ ପୋଖରୀ ଭିତରେ।ଆଉ ମୁହଁ ରେ ତାଲା ପକେଇ ପୁଣି ଚାଲେ ସଂସାର ସହ । କଣ ଇଛା ତାର ନା କିଏ ପଚାରେ ନା ନାରୀ ଟି ସ୍ୱଚ୍ଛନ୍ଦ ରେ କହିପାରେ।

ଝିଅ ର ଶୁଖିଲା ମୁହଁ ଆଉ ଓଦା କଣ୍ଠ ମନେପଡି ଛାତି କଣ ହେଇଗଲା ,ଯାହା ତୁମ ଇଚ୍ଛା ବଇଁଶୀ ଵାଲା ।

ଗେଟ ରେ ଶବ୍ଦ ରେ ମନ ପୁଣି ଟାଣିହେଲା ସୁନେଇ ଆଡକୁ, ଆସିଲାକି?ଗେଟ ଖୋଲୁଖୋଲୁ ମାଡି ଆସିଲା ସୁନେଇ, ଥୁଆହେଇଥିବା ରୁଟି କି ପିଠା ଆଡେ ନଚାହିଁ ଲମ୍ବା ଜିଭ କାଢ଼ି ସଡ଼... ସଡ଼... କି ,ପି ଗଲା ବାଲଟି ଭର୍ତ୍ତି ଅରୁଆ ଭାତ ର ପେଜ,ଆଉ ବିରି ଚୋପା, ପି ସାରି ତା ଗାଢ଼ କଳା ଆଖି ଉଠାଇ ଚାହିଁଲା ବେକ ଟିକେ ଘଷି ଆଣିଲା ହାତ ରେ।

କମ ଉଚ୍ଚତା ଗାଢ଼ କଳା ଶରୀର ,ଛୋଟ ଛୋଟ ସିଙ୍ଗ କୁ ମୁଣ୍ଡ ରେ ଧଳା ର ଚାନ୍ଦ।ପ୍ରଥମ ଦେଖାରୁ ଭାରି ନିଜର ଲାଗିଥିଲା, ଝିଅ ମାନେ ହସିଥିଲେ ,କହିଲେ ବୋଉ ତିନି ଝିଅ କଣ କମ ହେଲେ କି ଆଉ ଗୋଟେ ଝିଅ ବନେଇଦେଲୁ।ସାନ ଝିଅ ଚିଡ଼େଇ କହିଲା ଆମେ ସବୁ ଗୋରା ପା, ବୋଉ ର ଗୋଟେ ଶ୍ୟାମଳ ଝିଅ ଦରକାର ଥିଲା ବୋଧେ।ଉତ୍ତର ରେ ଖାଲି ହସ ଟିଏ ଫେରେଇଦେଲେ।

ସମୟ ସହ ସୁନେଇ ଆଉ ଗୋଟେ ଝିଅ ହେଇଗଲା। ଏଇ ସୁନେଇ ନାମ ଟି ଭାରି ଶ୍ରଦ୍ଧା ରେ ସିଏ ବାଛିଥିଲେ ଝିଅ ମାନଙ୍କ ନାମ ସହ ମିସେଇ ,ଆଉ ସୁନେଇ ବି ଶୁଣେ ଏଇ ନାମ ରେ ଡାକିଲେ ଛୋଟ ଅଳ୍ପ ବଙ୍କା ଶିଙ୍ଗ କୁ ହଲେଇ ବେକ ଘଷି ଦିଏ ତାଙ୍କ ହାତ ରେ।

ଭାରି ଖାଦ୍ୟ ପ୍ରିୟ ସୁନେଇ ,ଯୋଉ ଦିନ ଭଲ କିଛି ରାନ୍ଧିଥିବେ ତା ନିର୍ଦ୍ଧାରିତ ସମୟ ଆଗରୁ ଆସି ହାଜର ହେଇଯାଏ।ସୁନେଇ ମନଭରି ଖାଇଲେ ତାଙ୍କ ମନ ଖୁସି ହେଇଯାଏ ।ମଝିଆଁ ଝିଅ ମଜା କରି କହେ ବୋଉ ତୁ ଆନିମଲ ସାଇକୋଲୋଜି ରେ

ପି ଏଚ ଡି କରିଚୁ ବୋଧେ ସୁନେଇ ଖୁସି ହେଲା କି ନହେଲା ବୁଝିପାରୁଚୁ।

ଝିଅ କୁ ପାଖରେ ବସେଇ ବୁଝାନ୍ତି ,କାହା ମନ ବୁଝିବାକୁ ବହି ପଢିବା ବା କୌଣସି ଡିଗ୍ରୀ ର ଆବଶ୍ୟକତା ନାହିଁ। ମା ଟିଏ ବୁଝିପାରେ ତା ସନ୍ତାନ ର ଆଵଶ୍ୟକତା, ତୁ ମା ହୋ ବୁଝିପାରିବୁ।ମଝିଆଁ ଝିଅ ଯୁକ୍ତି ନକରି ତା ବହି ଖାତା ଗୋଟେଇ ପଳାଏ ପାଠ ପଢିବାକୁ।

ଚକୁଳି କଲେ ମୋଟା କରି ଚକୁଳି କରନ୍ତି ପେଟ କାଳେ ନପୁରିବ ସୁନେଇ ର।ଭାତ ଗାଳିଲା ବେଳେ ପେଜ ଫୋପାଡିଦେଲେ ଝିଅ ମାନଙ୍କ ଉପରେ ରାଗନ୍ତି।ସୁନେଇ ଭଲ ପାଏ କେମିତି ଫୋପାଡ଼ିଦେଲ।ସେଦିନ ଯୋଉ ବଡ଼ଝିଅ ଭାତ ହାଣ୍ଡି ଟା କଚାଡି ଦେଇ ପଳେଇଲା ବଡ ପାଟି ରେ ଶୁଣେଇ ଶୁଣେଇ କହିଲା ଆଉ ଯେମିତି ରୋଷେଇ କରିବାକୁ କୁହାନଯାଏ ତାକୁ ,ଆଉ କହିଲେ ସିଏ ଭାତ ଗାଳିଲା ବେଳେ ପେଜ ରଖିବ କି ଫୋପାଡିବ ସେଇଟା ସିଏ ନିଷ୍ପତି ନବ।

ସେଦିନ ରୁଟି ଦିଖଣ୍ଡ ସୁନେଇ କୁ ଦେଇ କହିଥିଲେ, ଆଜି ଆକୁ ଖାଇଦେ ସୁନେଇ, ତୋ ନାନୀ ସବୁ ପେଜ ଢାଳିଦେଇଛି,ମୁଁ ରଖିଥିବି ,କାଲି ଆସିଲେ ଖାଇବୁ।ବଡ ଝିଅ କାନ ରେ ପଡିଗଲା ତାଙ୍କ କଥା, ଚିଲେଇଲା ମୁଁ କାଇଁ ସେ ଗାଈ ର ନାନୀ ହେବି,ବୋଉ ତୋର ଯୋଉ କଥା।ଦୁମ ଦୁମ ହେଇ ଘର କୁ ଗଲା।

ସେଇ ଚଣ୍ଡୀ ଆଜି ଜୀବନ ର ଦୋଛକି ରେ ,ପିଲାଟିଏ ପାଇଁ କେତେ ହୀନିମାନ ହଉଚି ,କେତେ କଷ୍ଟକର ମେଡିକାଲ ଟେଷ୍ଟ କୁ ସାମ୍ନା କରୁଛି ଆଉ କିଛି କଥା ଶୁଣେ ଯାହା ନାରୀ ର ମନ କୁ ଚିରି ଦି ଫାଳ କରିଦିଏ।

କାହା କଥା ରେ କଣ ଅଛି ନିଜକୁ ଦୃଢ କର ମା , ଅନେକ ଲୋକ ଅନେକ କଥା କହନ୍ତି ଏୟା ଜାଣି ବି ସେ କଥା ର ସତ୍ୟତା ନାହିଁ ଅନେକ ଲୋକ ଅନେକ କଥା ଶୁଣନ୍ତି ଏୟା ଜାଣି ବି ସେ କଥା ତାଙ୍କ ଜୀବନ କୁ କିଛି ପ୍ରଭାବିତ କରିବନି।

ଲୋକ ଙ୍କ ପାଟି କୁ ଆମେ କଣ ବନ୍ଦ କରିପାରିବା, ମୁଣ୍ଡ ସାଉଁଳେଇ କହନ୍ତି ସେ ଝିଅ କୁ।କିଛି ଉତ୍ତର ଦିଏନି।ଆଗପରି ଆଉ ଅଭିମାନ କରେନି ,ନା ଗୋଡ କଚାଡେ ବାସ ଖାଲି ଡ଼ବଡବ ଆଖି ରେ ଚାହେଁ।ସେ ଚାହାଣି ତାଙ୍କୁ କଷ୍ଟ ଦିଏ, ସନ୍ତାନ ର କଷ୍ଟ ହି ମା କୁ କଲବଲ କରେ।ନହେଲେ ବଡ ବଡ ତୋଫାନ କୁ ଛାତି ପତେଇ ସହିପାରେ ନିରୀହ ମା ଟିଏ।

ବଇଁଶୀଵାଲା କୁ ନେହୁରା ହୁଅନ୍ତି କେମିତି ତାଙ୍କ ଝିଅ ମୁହଁ ରେ ହସ ଫେରିଆସୁ, ଆଗ ପରି ସିଏ ସଜେଇ ହଉ, ଭଳି ଭଳି ପିଠା ଗଢିଦବାକୁ ବରାଦ କରୁ। କିନ୍ତୁ ସେମିତି କିଛି ହୁଏନି ଖୁବ କମ କଥା ,ପ୍ଲେଟ ରେ ଥିବା ଖାଦ୍ୟ ଖାଇଦିଏ, କଣ ଲାଗୁଚି ପଚାରିଲେ ଚୁପ ରହେ |

ସାନ ଦୁଇ ଝିଅ ବି ବାହାହେଇ ନିଜ ନିଜ ସଂସାର ରେ ବ୍ୟସ୍ତ। ସମୟ କଣ କାହାକୁ ଅପେକ୍ଷା କରେ।

ଠାକୁର ଘରେ ବଇଁଶୀ ଵାଲା ଆଉ ବାହାରେ ସୁନେଇ କୁ ନେଇ ତାଙ୍କ ଜୀବନ। ଠାକୁର ଘର କାମ ସାରିଦେଇ ସେ

ରାନ୍ଧନ୍ତି ନିଜପାଇ ସୁନେଇ ପାଇଁ ସାଇତି ରଖନ୍ତି ପେଜ, ପିଠା କି ରୁଟି ଟିକେ ,ପେଜ ରେ କିଛି ଭାତ ପକେଇ ଅପେକ୍ଷା କରନ୍ତି କେତେବେଳେ ସୁନେଇ ଆସିବ, ଗାଈ ଟିଏ ହେଲେ କଣ ହେଲା ଭାରି ବୁଦ୍ଧି ତାର ,ତାରି ଖାଇବା ରେ ହି ମୁହଁ ଲଗେଇବ ଅନ୍ୟ ଗଛ କି କୌଣସି ରେ ମୁହଁ ନ ଲଗେଇ ଟିକେ ମୁହଁ ଘସିହେଇ ଚୁପଚାପ ଦୋହଲି ଦୋହଲି ପଳେଇଯିବ।

କେବେ କେମିତି ବଡ ଝିଅ ଆସେ ,ଅନାଗ୍ରହୀ ମନନେଇ ଯାହାଦେଲେ ଖାଇଦେବ ଆଉ କେବେ କେବେ ନିଜେ ରୋଷେଇ କରି ତାଙ୍କ ପାଇଁ ରଖିଦେଇଯାଏ। ସେଇ ଗୋଟେ ସହର ରେ ରହୁଥିଲେ ବି ବେସି ଆସିପାରେନା ସେ,ସାନ ଦୁଇଜଣ ତ ରାଜ୍ୟ ବାହାରେ ସେଇ ବର୍ଷ କୁ ଥରେ ଯାହା ଆସନ୍ତି।

ସକାଳୁ ବଡଝିଅ ଫୋନ କରିଥିଲା ଆଜି ଆସିବ ବୋଲି।

ଆଜି ସକାଳୁ ବଇଁଶୀଵାଲା କୁ ଗାଧେଇ ,ଫୁଲ ରେ ସଜେଇ କଦଳୀ ଟିକେ ଭୋଗ କରିଦେଇ ରୋଷେଇ ଘରେ ପଶିଲେ ସେ ସବୁ ପରିବା ପକେଇ ଗୋବିନ୍ଦଭୋଗ ଚାଉଳ ରେ ଖେଚେଡି, ଡାଲମା, କଦଳୀ ଭଜା, ଶାଗ, ଆମ୍ବ ଖଟା ଚକୁଳି ଆଉ କ୍ଷୀରି କରିଦେଲେ ,ସବୁ ତାଙ୍କ ଅଲିଅଳି ପ୍ରଥମା ର ପ୍ରିୟ।

ଖେଚେଡ଼ି ଆଇ ଚକୁଳି ସୁନେଇ ପାଇଁ ବି ରଖିଦେଲେ।

କାଇ କେଜାଣି ଝିଅ ଆହୁରି ଶୁଖିଲା ଦିଶୁଥିଲା ଆଗ ଅପେକ୍ଷା ,ଥାଳି ରେ ସବୁ ଖାଇବା ସେମିତି ପଡି ରହିଲା ,ପାଟିରେ ଟିକେ ହେଲେ ଦେଇଥାନ୍ତା କଣ। କଣ ଦେହ ଖରାପ ହେଲା କି ମା କାଇଁ କିଛି ଖାଇଲୁନି।

ନା ବୋଉ କନସିଭ କରିଛି, ଖୁସି ଠାରୁ ଭୟ ବେସି ତା ମୁହଁ ରେ ,ହଁ ଅନାଗତ ସନ୍ତାନ କୁ ଥରେ ନୁହଁ ତିନିଥର ହରାଇବା ପରେ ଏ ଡର ଅମୂଳକ ନୁହଁ ।ପୁଣି ବି ଶାଢ଼ୀ କାନି ରେ ଝିଅ ମୁହଁ ପୋଛି ଦେଇ ବଇଁଶୀଵାଲା ଉପରେ ଆସ୍ଥା ରଖିବାକୁ କହିଲେ।

ଝିଅ ଫେରିଗଲା କିଛି ଆଶ୍ୱସ୍ତି ଆଉ କିଛି ଅସ୍ବସ୍ତି କୁ ଧରି।

ଦିନ ଟି ଖୁବ ଲମ୍ବା ଲାଗୁଥିଲା ,ଠିକ ଚାରିଟା ବେଳ କୁ ସୁନେଇ

ଆସିଲା ତା ଭାଗ ଖାଇବା ଖାଇଦେଇ ଘସିହେଇ ଫେରିଗଲା।

ଆଜିକାଲି ଏତେ କାମ କୁ ପାରନ୍ତିନି ସେ, ଟିକେ ଟିକେ ରେ ଥକି ପଡନ୍ତି ଝିଅ ମାନେ କହନ୍ତି ଲୋକ ଟିଏ ରଖ ବୋଉ ଆଉ କେତେ ଖଟିବୁ। ହଁ ପାରୁଚିତ ,ନପାରିଲେ ଦେଖିବା କହି କଥା ଟାଳି ଦିଅନ୍ତି ।ବଇଁଶୀ ଵାଲା କୁ ଆଉ ସଜାନ୍ତିନି ଭଳି ଭଳି ହଳଦି ଫୁଲ ରେ,ରାଧା ତମାଳ ଲତା ବି ଶୁଖିଗଲାଣି। କୁଣ୍ଡରେ ଲଗାଯାଇଥିବା ଫୁଲ ରୁ କିଛି ଆଣି ପୂଜା ସାରି ଦିଅନ୍ତି।ନିଜେ ଟିକେ କଣ ଖାଇ ସୁନେଇ ପାଇଁ ରଖିଦିଅନ୍ତି।

ସୁନେଇ ବି ଆଜିକାଲି ଦିନେ ଆସିଲେ ଦିନେ ଆସେନି ଆଉ ଯେବେ ଆସେ ରଖିଥିବା ପେଜ ଭାତ ରେ ପେଟ ପୁରେନି ତାର, ଆଉ ଟିକେ କଣ ଖାଇବାକୁ ମନ କରେ ,କେବେ ବିସ୍କୁଟ ରୁ କିଛି ତ କେବେ ଚୁଡା ଦେଇ ଦିଅନ୍ତି ଦୋହଲି ଦୋହଲି ଫେରିଯାଏ ସୁନେଇ ,କାଲି ଆସିବୁ ତ? ତାଙ୍କର ଏ ପ୍ରଶ୍ନ ରେ ସୁନେଇ ବୁଲିଚାହେଁ ,ସିଙ୍ଗ ଦୁଇଟି ହଲେଇ ପଳାଏ ।କଣ କହିଲା ସୁନେଇ ଆସିବ ନା ଆସିବନି କିଛି ବୁଝା ପଡେନି।କିନ୍ତୁ ସିଏ ରଖନ୍ତି ଖାଇବା ସୁନେଇ ପାଇଁ।

ଝିଅ କୁ ଫୋନ କରି ଭଲ ମନ୍ଦ ବୁଝନ୍ତି,ତା ଆସିବାକୁ ଅପେକ୍ଷା ନକରି ଅଟୋ ଭଡା କରି ଝିଅ ଘରୁ ବୁଲି ଯାନ୍ତି ,ସୁନେଇ ର ଆସିବା ସମୟ ପୂର୍ବ ରୁ ଘରେ ପହଞ୍ଚି ବାକୁ ତରବର ହୁଅନ୍ତି।ଦିନ କୁ ଦିନ ନିରବ ଆଉ ନିସ୍ତେଜ ହଉଥିବା ଝିଅ କୁ ଦମ୍ଭ ଦେଇ ,ନିଜେ ଦମ୍ଭ ଖୋଜନ୍ତି ବଇଁଶୀ ବାଲା ପାଖରେ।

ସୁନେଇ ତା ମନମାନି କରେ କେବେ ଖାଏ ତ କେବେ ନାହିଁ। ସେଦିନ ସୁନେଇ ଖାଇ କି ଯିବାବେଳେ ଲକ୍ଷ୍ୟ କଲେ ସୁନେଇ ର ଚାଲି ଆଗ ଠାରୁ ଆହୁରି ଧୀର ହେଇଯାଇଛି।ଝିଅ ଚିନ୍ତା ରେ ସେ ଲକ୍ଷ କରିପାରିନଥିଲେ ସୁନେଇ ମା ହବ ଯେ।

ଏଣିକି ସେ ଅଧିକ ଟିକେ ଭାତ ରାନ୍ଧନ୍ତି ,ପେଜ ରେ ଭାତ ପକେଇ ବାଲଟି ରେ ଭରି ରଖନ୍ତି।ଚକୁଳି ପିଠା ବାରମ୍ବାର କରନ୍ତି ।ବିରି ଚୋପା କୁ ବି ପେଜ ରେ ପକାନ୍ତି। ଆଗ ଅପେକ୍ଷା ସୁନେଇ ବେସି ଟିକେ ଗେଲ୍ହା ହୁଏ।

ଝିଅ ଘର କୁ ଯାନ୍ତି ତା ପସନ୍ଦ ର ଖାଇବା ନେଇ କେବେ ସେ ଖାଏ ତ କେବେ ନୁହଁ। ଡାକ୍ତର କହନ୍ତି ସବୁ ଭଲ ଅଛି ,ଟିକେ ଜୀବନ ଆସେ ତାଙ୍କ ଦେହ ରେ।ଝିଅ କୁ କହନ୍ତି ନଡ଼ରିବାକୁ ,କେତେ କେତେ ପ୍ରାର୍ଥନା ଶିଖାନ୍ତି ।

ମନ ର ଡର କୁ ମନ ରେ ରଖି ବଇଁଶୀ ଵାଲା କୁ ଅଳି କରନ୍ତି ତାଙ୍କ ଅଲିଅଳି ପାଇଁ।

ନ ମାସ ସରିଆସିଲାଣି, ସିଏ ସଜାଡିଛନ୍ତି ପୁରୁଣା ନରମ ସୁତା ଲୁଗା କେତେ ଖଣ୍ଡ, ,ଡେଟଲ, ନଡ଼ିଆ ତେଲ, ନରମ ଫିତା ରେ ଛୋଟ ଘଣ୍ଟି ଟିଏ ବାନ୍ଧିଛନ୍ତି।

ଆଜି ସକାଳୁ ଦେହ ଟା କାଇ ଭଲ ଲାଗୁନି।ବଇଁଶୀଵାଲା କୁ ଫୁଲ ନୈବେଦ୍ୟ ଦେଇ ସେଇଠି ଟିକେ ବସିପଡିଲେ ,ଲାଣ୍ଡଫୋନ ଅନବରତ ରିଙ୍ଗ ହେଇ ଚାଲିଛି ହେଲୋ .....କହିଛନ୍ତି କି ନାଇଁ ,ସେପଟୁ ବଡଜୋଇଁ ଙ୍କ କୋହ ଭରା ସ୍ୱର ବୋଉ ରିତୁ ସିରିଅସ ଅଛି ,ଇମିଡ଼ିଏଟ ଅପରେସନ ଦରକାର ଆମେ ସବୁ ହସ୍ପିଟାଲ ରେ।

ସେମିତି ସେଇଠି ବସିପଡିଲେ ,ତୁ ଯାହା କରିବୁ ବଇଁଶୀଵାଲା

ଏମିତି କେତେ ସମୟ ବିତିଗଲାଣି କେଜାଣି ।ଲାଣ୍ଡଫୋନ ଆଉ ମୋବାଇଲେ ଅନବରତ ବାଜି ଚାଲୁଥାଏ,

ଅନେକ ସମୟ ପରେ ଫୋନ ଉଠାଇଲେ ଆଉ ନିଜକୁ ପ୍ରସ୍ତୁତ କରୁଥିଲେ କିଛି ଗୋଟେ ଝଡ ର ମୁହାଁମୁହିଁ ହବାକୁ।

ସେପଟୁ ସାନ ଝିଅ କହିଲା ତୁ କାଇ ଫୋନ ଉଠଉନୁ ବୋଉ ଭାଇନା ଫୋନ୍ କରି କରି ଥକି ଗଲେଣି,ନାନୀ ର ଝିଅ ଟିଏ ହେଇଚି ,ପୁରା ଗୋରା ନାନୀ ପରିକା। ନାନୀ ଆଉ ଝିଅ ଭଲ ଅଛନ୍ତି।

ବଇଁଶୀ ଵାଲା କୁ ଚାହିଁଲେ ସେ ଭାରି ଖୁସି ଦିଶୁଥାଏ ତା ମୁହଁ।

ମିଠାକାନିକା କରି ଭୋଗ ଲଗାଇଲେ , ସୁନେଇ ପାଇଁ କିଛି ମିଠା କାନିକା ରଖିଦେଲେ।

ତାଙ୍କୁ ବାହାରିବାକୁ ହେବ ହସ୍ପିଟାଲ କୁ ତାଙ୍କ ଝିଅ ଏକା ଥିବା। ଘଣ୍ଟି ଲଗା ଫିତା ଟିକୁ ହାତ ବ୍ୟାଗ ରେ ରଖି ଆଉ ସବୁ ଜିନିଷ କୁ ଏକାଠି କଲେ ସୁନେଇ ର ପେଜ ବାଲ୍ଟି ଆଉ କିଛି ମିଠା ଖେଚେଡ଼ି ଗେଟ ବାହାରେ ରଖି ତାଲା ପକେଇଲା ବେଳେ କାହାର କୋମଳ ସ୍ପର୍ଶ ରେ ପଛକୁ ଚାହଁ ଦେଖନ୍ତି ତ ....

ସୁନେଇ ଠିଆ ହେଇଚି ତାର ଠିକ ପଛ କୁ ତାକୁ ଲାଗିକି ଠିଆ ହେଇଛି କୁନି ବାଛୁରୀ ,ସୁନେଇ ଭଳି ତା ମୁଣ୍ଡ ରେ ବି ଧଳା ଚାନ୍ଦ। ପେଜ ବାଲ୍ଟି ଟି ସୁନେଇ ମୁହଁ ପାଖରେ ଦେଇ ବ୍ୟାଗ ରୁ ଘଣ୍ଟି ଲଗା ଫିତା ସୁନେଇ ର ଛୋଟ ବାଛୁରି ବେକ ରେ ବାନ୍ଧି ଦେଲେ। ଅଟୋ ଆସି ସାରିଥିଲା ,ଅଟୋ ରେ ବସି ପଛକୁ ବୁଲି ଚାହିଁଲେ ,ବାଛୁରୀ କୁ ଗେଲ୍ହ ରେ ଚାଟୁଥିଲା ସୁନେଇ,ହସ ଆସିଛୁଇଁଗଲା ତାଙ୍କ ଓଠ, ଆଖି ଆଉ ଆତ୍ମା କୁ ଠିକ ସେଇ ସମୟ ରେ ଲୁହ ବି ଭିଜଉଥିଲା ସେଇ ଓଠ ଆଉ ଆଖି।

ଝିଅ ମୁଣ୍ଡ କୁ ଆଉଁସି ଦେଇ ,ଦୋଳି ରେ ସୋଇଥିବା ଛୋଟ ପରୀ କୁ କୋଳ କୁ ନେଲେ, ଜାଣିଥିବା ସବୁ ମନ୍ତ୍ର କୁ ପଢ଼ିଗଲେ ମନେମନେ ।

ଶଙ୍ଖ ପରି ଧଳା ଲମ୍ବାଳିଆ ଶରୀର କଳା କଳା ଛୋଟ ଛୋଟ ଆଖି ନାଲି ଗୋଲାପୀ ମିସା ଓଠ ।ମୁଣ୍ଡ ରେ ହାତ ରଖି ସୁଦର୍ଶନ ମନ୍ତ ଜପକଲେ।

ଅନେକ ଦିନ ପରେ ଝିଅ ମୁହଁ ରେ ଆଗର ସେ ହସ ଦେଖିଲେ।ଯିଏ ଯନ୍ତ୍ରଣା ସତ୍ୱେ ବି ହସିପାରେ ସେଇ ହିଁ ତ ମା।

ସମସ୍ତ ଙ୍କ ମୁହଁ ରେ ହସ ଦେଖି ଅନେକ ଦିନ ପରେ ମନ ଶାନ୍ତି ଲାଗୁଥିଲା।

ଆଜି ହସ୍ପିଟାଲ ରେ ରହିଯାଉନୁ ବୋଉ ଝିଅ ର ଅନୁରୋଧ।ଅନୁରୋଧ ନୁହଁ ପିଲାମାନଙ୍କ ଅଳି କୁ ମା ଝୁରେ।

ହଁ ରହିବି ପା ମୋ ଲୁଗାପଟା ଦରକାରୀ ଜିନିଷ  ବ୍ୟାଗ ରେ ପକେଇଦେଇଥିଲି।କାଲି ସକାଳୁ କିନ୍ତୁ ଜଲଦି ବାହାରିଯିବି ,ସୁନେଇ ର ଝିଅ ଟେ ହେଇଚି ପା ,ପିଲାହେଲା ପରେ ବହୁତ ଭୋକ ହୁଏ ଲୋ ମା ,ଏମିତି ତ ପେଟବିକଳି ଟା ସୁନେଇ।

ବୋଉ ର ହାତ କୁ ନିଜ ହାତ ରେ ଧରି ବଡ ଝିଅ ହସିକି କହିଲା ହଁ ବୋଉ ମୁଁ ଡାକିଦେବି ସକାଳୁ ତୋତେ।

ସେ ହସ ଟା ତାଙ୍କ ଝିଅ ର ନୁହଁ, ସେଇ ଦୋଳି ରେ ଯୋଉ ପରୀ ଶୋଇଛି ତା ମା ର।

ସୁନେଇ ଆଉ ତା ଝିଅ ପାଇଁ କାଲି କଣ କଣ ଖାଇବାକୁ କରିବେ ଭାବି ଭାବି ଟିକେ ଜଲଦି ଶୋଇପଡିଲେ,ପୁଣି ସକାଳେ ଜଲଦି ଉଠିବାର ଅଛି ଯେ।



Rate this content
Log in