ନିଃଶବ୍ଦ
ନିଃଶବ୍ଦ
ଠିକ୍ ସକାଳ ଆଠଟା ପନ୍ଦରରେ ରାମ ସାଇକଲ ଲଗାଇଲା ସାରଙ୍କ ଗେଟ ପାଖରେ । ଟିକେ ଡର ସହ କାକୁସ୍ଥ ଭାବଟା ମିଶି ମୁହଁଟା କେମିତି ଗୋଟେ ଦିଶୁଥିଲା। ସାଇକଲକୁ ଗେଟ ପାଖରେ ଆଉଜେଇ ଦେଇ ତରତର ହେଇ ଘରେ ପଶି ଖୁବ ସନ୍ତର୍ପଣରେ ସାର ଆଉ ମା'ଙ୍କୁ ନମସ୍କାର କରି କାମମନସ୍କ ହେଲା।
ଅନ୍ୟଦିନ ସବୁ ଭଳି ଆଜି ବି ସାର ଖବର କାଗଜରେ ମୁହଁ ଲୁଚେଇଲେ ଆଉ ମାଙ୍କ ମୁହଁରେ ସବୁଦିନିଆ ଅସନ୍ତୋଷ ଭାବ ଲେସି ହେଇଯାଇଥିଲା। ନିଜ ଭିତରେ ଟିକେ ସଙ୍କୁଚିତ ହେଲା ରାମ ତା ଧଳା ପାଣ୍ଟସାର୍ଟକୁ ବଦଳେଇ ଗାମୁଛା ଗୋଟେ ପିନ୍ଧିପକେଇ ପ୍ଲାଷ୍ଟିକ ବାଲ୍ଟିରେ ପାଣି ଫିନାଇଲ ମିସେଇ ରଖିଦେଲା ଅଭ୍ୟସ୍ତ ହାତରେ ଘର ଅଗଣା ଝାଡୁ କରି ଚଟାଣକୁ ଭଲରେ ରଗଡି ପୋଛି ପକେଇଲା। ବହୁତ ଚେଷ୍ଟା କରେ ସେ ସାର ଆଉ ମା'ଙ୍କ ମନରେ ଟିକେ ଖୁସି ଦବାକୁ । କୋଉ ହେଇପାରୁଛି ଯେ ....ଖୁସି ତ ଆଉ ତା ବାଡ଼ି ଗଛରେ ଫଳୁଥିବା ପିଜୁଳି ନୁହଁ ଯେ ଗୋଟେ ଖେପାରେ ହାତରେ ଆସିଯିବ। ଭିନ୍ନ ଭିନ୍ନ ରାସ୍ତାରେ ସିଏ କିନ୍ତୁ ଚେଷ୍ଟା କରିଚାଲିଥାଏ ଏଇ ଖୁସିଟିକୁ ହାସଲ କରି ସାର ଆଉ ମା'ଙ୍କ ହାତରେ ଧରେଇବାକୁ।
ସିଏ ଚେଷ୍ଟା କରେ ସକାଳୁ ଟିକେ ଜଲଦି ଘରୁ ବାହାରି ଯିବାକୁ କିନ୍ତୁ ସବୁଦିନ ଚିହ୍ନା ଅଚିହ୍ନା କାରଣ ମାନେ ତା ବାଟ ଓଗାଳନ୍ତି ସକାଳୁ ନିଜ ଘର ବାଡ଼ି ଓଳେଇ ଠାକୁର ପୂଜା ସାରି ପନ୍ଦର କିଲୋମିଟର ବାଟ ସାଇକଲ ଚଳାଇଲା ପରେ ତାକୁ ସାମ୍ନା କରିବାକୁ ହୁଏ ମା ଆଉ ସାରଙ୍କ ବିରକ୍ତି ।
ଆଉ ବେଳେବେଳେ ସାଇକଲ ବି ଶତ୍ରୁ ଠୁ ବଳିଯାଏ। କେବେ ଚେନ ଛିଡେ ତ କେବେ ଆଉ କଣ...ସକାଳୁ କୋଉ ଗାଁ ସାଇକଲ ଦୋକାନ ଖୋଲିଥାଏ ଯେ ସଜାଡ଼ିବ ଆଉ ସତ କଥା ହଉଚି ସେ ଟଙ୍କା ଦେଇ ସଜାଡ଼ିବାକୁ ଚାହେଁନି ବି ଥାଉ କିଛି ଟଙ୍କା ପକେଟରେ ତା ଘର ଖର୍ଚ୍ଚ ବି ତ ଅସଜଡା ଠିକ ତା ଜୀବନ ଭଳି। ତା ନନା ବୋଉ ବୁଝାନ୍ତି ତାକୁ ଆଉ କିଛି ଦିନ ଟିକେ ସହିଯିବାକୁ ଖାଲି ଥରେ ତା ଚାକିରୀଟା ସ୍ଥାୟୀ ହେଇଯାଉ ତେଣିକି ଆଉ ଚିନ୍ତା ନାହିଁ।
ଆଖିରେ ସ୍ୱପ୍ନ ଭରିଯାଏ ଆଉ ଅନେକ ମିଠା ସ୍ୱପ୍ନ ଡେଣା ଝାଡେ ଯେବେ ସିଏ ଗୋଟେ ପରମାନେଣ୍ଟ ସରକାରୀ ଚାକିରୀ କଥା ଭାବେ। କାମ କରିବାକୁ ଛାତିରେ ବଳ ଆସେ। କାମ ଆଉ କଣ କି ବେଶି ନୁହେଁ। ଥ୍ରୀ ଆର କ୍ୱାର୍ଟଏରକୁ ଭଲଭାବେ ଓଳା ପୋଛା କରି ସାରି ବଗିଚାରେ ପାଣି ଦେଇଦିଏ ଆଉ ଋତୁ ଅନୁସାରେ ଫୁଲ ଫଳ ଲଗାଏ ସକାଳ ଓଳି ଏ କାମ ହେଇଗଲେ ଭଲ। ଜଳଖିଆ ତିଆରି କରି ସାର ମା ଆଉ ତାଙ୍କ ଦୁଇ ପୁଅଝିଅଙ୍କୁ ଦେଇଦିଏ। ହଁ ସିଏ ବି ଖାଏ ବଳିଯାଇଥିବା କିଛି ପାଟି ସୁଆଦିଆ ଜଳଖିଆ କି ଗତ ରାତିର ବଳିଥିବା ରୁଟି ସହ ଚା କପଟେ ଅଲଗା କରି ତା ପାଇଁ ମା ରଖିଥାନ୍ତି ଗୋଟେ ମୋଟା ବାଦାମୀ କପ ।
ସୁଆଦିଆ ଜଳଖିଆ ମିଳିଲେ ତାର ଭାରି ମନ ପଡେ ତା ସାନ ଝିଅ କଥା ଏଇ ଛ ବର୍ଷ ପଶିଲା ଏଇ ମାର୍ଗଶିରରେ।ହୁଣ୍ଡିଟା ତା ଜେଜେମା ଠୁ ଶୁଣିଶୁଣି ସିଏ ବି କହେ" ନନା ତମ ଚାକିରୀ ପରମାନେଣ୍ଟ ହେଇଗଲେ ମୋତେ ସେଇ ଆଖି ଧପଧପ କରୁଥିବା କଣ୍ଢେଇ ଆଣିଦେବ ନା..."
ଏଇ ଝିଅଟି ପାଖରେ ସିଏ କାଇଁ ଟିକେ ବେଶି ଦବି ଯାଏ ଆଉ ତା ପୁଅ ଦି' ଟା ତ ଦଣ୍ଡା ବାଳୁଙ୍ଗା, ଚାଲିଲା ଶଗଡ଼ରେ ହାତ ଦେବେ। ବଡ଼ ପୁଅକୁ ନ ବର୍ଷ ପଶିବା ପଶିବା ହେଲାଣି।ତା ବୋଉ ଆଉ ଜେଜେମା ଲଗେଇଛନ୍ତି ବ୍ରତଘର ସାରିଦବାକୁ। ଠିକା ପିଅନର ତେରଶହ ପଚାଶ ଟଙ୍କା ଦରମାରେ ସେ ଡରିଯାଏ ଏ ବାହା ନିମିତ କଥା ଭାବିଲେ। ତାକୁ ବି ତା ନନା ବ୍ରତ କରିଥିଲେ ପାଠ ପଢେଇ ଥିଲେ ତାଙ୍କ ଯଯମାନ କାମ ଆଉ କିଛି ଜମି ସାହାଯ୍ୟରେ ବଡ କଷ୍ଟରେ ମାଟ୍ରିକ ପାସ କଲା ଆଉ ଜଣାଶୁଣା ଚିହ୍ନା ପରିଚୟ କରି ନନା ହିଁ ରଖେଇ ଦେଇଥିଲେ ଏଇ ଚାକିରୀରେ। ଆଉ ଜମି ନାହିଁ କି ନନାଙ୍କ ଯଯମାନ ବି ନାହିଁଖାଲି ଘର ଡିହ ପଡିଛି। ବେଳେବେଳେ ଭାବେ କିଛି କର୍ମକାଣ୍ଡ ଶିଖିଥିଲେ ନନାଙ୍କ ପାଖରୁ ହେଇଥାନ୍ତା ଆଜି ଦିନ ବୋଧେ ଅଲଗା ହେଇଥାନ୍ତା। ନନାଙ୍କ ଯୁକ୍ତି କିନ୍ତୁ ଅଲଗା କହନ୍ତି ସରକାରୀ ଚାକିରୀର ମର୍ଯ୍ୟାଦା ଆଉ କୋଉଠି ନାହିଁ। ସବୁଦିନ ପରି ଆଜି ବି ନନାଙ୍କ ଜିଦ ଆଗରେ ସେ ନାଚାର।
କିନ୍ତୁ ଆଉ ଅପେକ୍ଷା ଯେ ଆଉକେତେଦିନ ସେ ନିଜେ ଜାଣେନି। ଚାକିରୀରେ ଆରମ୍ଭରୁ ଛ ଜଣ ସାର ଗଲେଣି ଏଇ କ୍ୱାର୍ଟରରୁ କିନ୍ତୁ ସିଏ ସେଇଠି ଅଛି। ସବୁଥର ସାରଙ୍କ ଜିନିଷ ଟ୍ରକରେ ଆଉ ସାର ମାଡମ କାରରେ ବସିବା ପରେ ସିଏ ଟିକେ ବିକଳ ହେଇ ଆଉ ଥରେ ମନେପକାଇ ଦିଏ ନିଜ ଚାକିରୀ କଥା ସାର ମାଡମ ବି ହଁ ହଁ କହନ୍ତି କିନ୍ତୁ କିଏ ଜାଣେ କେବେ ଆସିବ ସେ ଦିନ।
ମା ଙ୍କ ଡାକରେ ତା ଭାବନାକୁ ସେଠି ରଖିଦେଇ ସିଏ ଦିପହର ଖାଇବା ଯୋଗାଡିବାକୁ ଆସିଲା ଦିନେ ଦିନେ ଅବଶ୍ୟ ମା ତାକୁ ସାହାଯ୍ୟ କରନ୍ତି ରୋଷେଇରେ। ରାତି ରୋଷେଇ ବାସନ ସଫା କରି ସିଏ ପୁଣି ସାଇକଲ ବୁଲାଏ ତା ଗାଁକୁ । ବୋଉ ଆଉ ସ୍ତ୍ରୀକୁ ଛାଡିଦେଲେ ଛ ବର୍ଷର ଝିଅ ତା ଆସିବା ବାଟକୁ ଚାହିଁ ବସିଥାଏ। ପୁଅ ଦିଟା ତ ଖାଇ ସାରି ତାଙ୍କ ଜେଜେ ପାଖରେ ଅଧା ନିଦ ସାରିଦେଇଥାନ୍ତି। କାଇଁ ତା ଚାକିରି ପରମାନେଣ୍ଟ ହଉନି ସିଏ ବୁଝେଇ ପାରେନି ତା ନନାଙ୍କୁ।ନା କୈଫତ ଦେଇପାରେ ତା ସ୍ୱପ୍ନ ଦେଖୁଥିବା ସ୍ତ୍ରୀ କି ବୋଉକୁ।
ଏବେ.... ରାମର ନିତିଦିନିଆ କାମ ସହ ଆଉ ଗୋଟେ ନୂଆ କାମ ଯୋଡିଯାଇଛି ଠିକ ପାଞ୍ଚଟା ବାଜିଲେ ସାରଙ୍କ ସାନଝିଅକୁ ସାଇକଲ ଶିଖେଇବା କାମ । ଭାରି ସୁନ୍ଦର ନାଲି ରଙ୍ଗର ସାଇକଲର ଟିକେ ଉଚ୍ଚା ହୋଇ କଳା ରଙ୍ଗର ସିଟ ଏଇ ବର୍ଷ ଛୋଟ ମାଙ୍କ ଜନ୍ମଦିନରେ ସାର ପା କିଣିଆଣିଥିଲେ କି ଖୁସି ହେଇଥିଲେ ଛୋଟ ମା। ଏଇ ସାଇକଲ ଶିଖେଇବା କାମଟି ମା ଦେଇଚନ୍ତି ଏବେ ରାମକୁ। ଏଇଟା କୋଉ ବଡ଼ କାମଟା ଯେ ପିଲାବେଳେ କେତେ ପିଲାଙ୍କୁ ସିଏ ସାଇକଲ ଶିଖେଇଛି । ଆଗ ସାଇକଲ ଧରା ଗଡା ହାଫ ସାଇକଲ ଚଲା ଆଉ ତାପରେ ସିଟ ଉପରେ ବସି ପ୍ୟାଡଲ ମାରି ପବନ ସହ କଥା ହେଇ ...ହେଇ... ଯିବାକଥା ।
ଏଠି କିନ୍ତୁ ଟିକେ କଥା ଅଲଗା ଛୋଟ ମାଙ୍କର ନୂଆ ସାଇକଲ ଆଉ ଛ ବର୍ଷର ଛୋଟ ମା ଟିକେ ବେଶି ସାବଧାନ ହବାକୁ ପଡେ ଆଉ ସାଇକଲଟିକୁ ପଛରୁ ଜୋର ଜାବୁଡି ଧରି ଅନ୍ୟ ଦିନ ସବୁ ପରି ରାମ ଗୋଟେ କଥା ଭାବେ ଛୋଟ ମା ଯଦି ଭଲରେ ସାଇକଲ ଶିଖିଯିବେ ନା ....ସାର ଆଉ ମା ବି ଭାରି ଖୁସି ହେବେ ଆଉ ତା ଚାକିରୀଟା ସ୍ଥାୟୀ ହେଇଯିବ।
ବେଳେବେଳେ କଳ୍ପନାରେ ସିଏ ତା ନିଜ ଝିଅକୁ ସେଇ ସୁନ୍ଦରିଆ ସାଇକଲ ଉପରେ ବସାଏ ମନଟା ହନ୍ତସନ୍ତ ହୁଏ ମନେପଡେ ପୁଣି ଝିଅ ବରାଦ କରିଥିବା ଆଖି ଧପଧପ କରୁଥିବା ସୁନେଲି କେଶ ଥିବା କଣ୍ଢେଇ କଥା।
ଆଖିରେ ଉଚ୍ଛୁଳି ଆସୁଥିବା ଜିଦିଆ ପାଣିକୁ ପୋଛୁ ପୋଛୁ ଅନୁଭବ କଲା ତା ହାତ ଢିଲା ହେଇଯାଉଥିବାର ସାଇକଲ ଉପରୁ ଆଉ ଦେଖୁ ଦେଖୁ ... ନାଲି ସାଇକଲ ସହ ତଳେ ପଡିଥି
ଲେ ଛୋଟ ମା ଛୋଟ ମା'ଙ୍କ ଆଣ୍ଠୁ ଆଉ ହାତ ରାମ୍ପୁଡି ହେଇଯାଇ ରକ୍ତ ଟିକେ ବାହାରି ଆସିଥାଏ କହୁଣୀ ପାଖରୁ ଚମଡା ଛିଡିଯାଇ ଟିକେ ବେଶି ଲାଲ ଦିଶୁଥିଲା ଖୁବ ଜୋରରେ ରାହା ଧରି କାନ୍ଦୁଥାନ୍ତି ଛୋଟ ମା। ତାଙ୍କ କାନ୍ଦ ଶୁଣି ସାର ଆଉ ମା ଦଉଡି ଆସିଲେ ।
ଡର ଆଉ ଦୁଃଖରେ ଜୁଡ଼ବୁଡ଼ ମନ ଆଉ ଶରୀରକୁ ଖୁବ ଜୋରରେ ଠେଲିଦେଇ ସାର ଚିଲଉଥିଲେ "ଦେଖିବୁ ...ରାମ୍ପୁଡି ହେଲେ ଖଣ୍ଡିଆ ହେଲେ କେମିତି ଲାଗେ କହୁ କହୁ ତାଙ୍କ ହାତ କେତେବେଳେ ଯାଇ ରାମ୍ପୁଡି ସାରିଥିଲା ରାମର ଟାଣୁଆ ଠାକରା ଗାଲକୁ।
ଛୋଟ ମା'ଙ୍କ କାନ୍ଦ ଧୀରେ ଧୀରେ କମୁଥିଲା ଆଉ ତା ସହ ବଢ଼ୁଥିଲା ରାମ ଗାଲର ସାରଙ୍କ ନଖ ରାମ୍ପୁଡା ଲମ୍ବା ଲମ୍ବା ଘା ଆଉ ତା ଠୁ ବି ବେଶି ଯନ୍ତ୍ରଣା ଦଉଥିଲା ମନ କାନ ପାଖରେ ବାରମ୍ବାର ବାଡେଇ ହଉଥିବା ସାରଙ୍କ ରାଗ ମିଶା ଚିତ୍କାର ........"ଶଳା ତୋ ଚାକିରୀ ଖାଇବି ଛୋଟ ଲୋକ ଗୁଡାଙ୍କୁ ମୁଣ୍ଡରେ ବସେଇଲେ ଏୟା ହୁଏ" ।
ଯଦି ଚାକିରୀ ନରହେ ତେବେ ଅସହାୟ ହେଇ ସିଏ ହାତରେ ଜାବୁଡି ଧରିଲା କାନ୍ଧରେ ପଡିଥିବା ଛ ଖିଅ ସୁତାକୁ। ନନା କହନ୍ତି ଏଥିରେ କୁଆଡେ ବ୍ରହ୍ମଗଣ୍ଠି ଅଛି ବେଳେବେଳେ ଅସହାୟ ହେଇ ସିଏ ବ୍ରହ୍ମଗଣ୍ଠି ଅଛି ଭାବି ଏମିତି ଜାବୁଡି ଧରେ ପଇତାକୁ। ଅଛି କି ନାହିଁ ସେ ଜାଣିନି ସେ ଖାଲି ବୁଝେ ତା ପରିବାରର ଖୁସି ଯାହା ନିର୍ଭର କରେ ତା ଚାକିରୀ ଉପରେ।
ଆଗଭଳି ତା ଜୀବନ ଆରମ୍ଭ ହଉଥିଲା ସେଇ ସକାଳ ଆଠଟା ପନ୍ଦରରେ ଆଉ ସରୁଥିଲା ତା ଘରେ ରାତି ଖାଇବା ପରେ। କିନ୍ତୁ ସରୁନଥିଲା ତା ମନ ଭିତରେ ଚାଲିଥିବା ଅନାବନା ଭାବନା।ସେଇ ଘଟଣା ପରେ ତାକୁ ବହୁତ ଡରାଉଥିଲା ରାତି ଆଉ ବେଶି ଅସହାୟ କରୁଥିଲା ଦିନ ଗୁଡା । ପୁଣି ସେଇ ଦିନ ଆସିଲା ସାରଙ୍କ ଜିନିଷ ଲଦା ହେଲା ଟ୍ରକରେ ଆଉ ସେ ସଙ୍କୋଚରେ ଆଉ ମନ ବି ପକେଇଲାନି ତା ଚାକିରୀକୁ ପରମାନେଣ୍ଟ କରିବାକୁ...ନା...ସାର କି ମା ଦୟାଦୃଷ୍ଟି ଦେଇଥିଲେ ତା ଉପରେ।
ବୋଧହୁଏ ସାର ଭୁଲିନଥିଲେ ତାଙ୍କ ଝିଅର ରାଞ୍ଚୁଡି ଯାଇଥିବା ହାତ କି କହୁଣୀର ଦାଗ...ସ୍ନେହରେ ଛୋଟ ମା'ଙ୍କ ମୁଣ୍ଡରେ ହାତ ବୁଲେଇ ଦେଇ ମନେ ମନେ ନିଜ ଦାୟିତ୍ବହୀନତାର କ୍ଷମା ମାଗିଥିଲା ରାମ ।
ସାରଙ୍କ କାର ଆଗକୁ ଗଡିଚାଲିଥିଲା କିଛି ଧୂଳି ଧୂଆଁ ଥ୍ରୀ ଆର କ୍ୱାଟର ଆଉ ରାମର ଚାକିରୀର ଅନିଶ୍ଚିନ୍ତତାକୁ ପଛରେ ଛାଡ଼ିଦେଇ। ପରିସ୍ଥିତି ବଦଳୁ କି ନ ବଦଳୁ ସମୟ କିନ୍ତୁ ବଦଳେ ହଁ ସମୟ ବହୁତ ବଦଳିଯାଇଥିଲା ତା ଛୋଟ ଝିଅ ଏବେ ଗୋଟେ ଆଖି ଧପଧପ କରୁଥିବା କଣ୍ଢେଇ ଭଳି ଦିଶୁଥିବା ଚାରିବର୍ଷ ଝିଅର ମା। ପୁଅ ଦିଜଣଙ୍କର ପାଠ ତ ହେଲାନି ବ୍ୟବସାୟ କରି ଭଲ ରୋଜଗାର କରି ନିଜ ନିଜ ପରିବାର ସହ ଭଲରେ ଅଛନ୍ତି। ନନା ବୋଉ ଅନେକ ଦିନରୁ ସ୍ୱର୍ଗରେ ଶେଷ ସମୟରେ ଅବଶ୍ୟ ନନା ଆଖି ବୁଜିଥିଲେ ଏଇ ଆତ୍ମସନ୍ତୋଷ ସହ ଯେ ଆଉ କିଛି ହଇରଣ ହବନି ତାଙ୍କ ଡରୁଆ ଦରବୁଢ଼ା ପୁଅତା ପାଖରେ ପରମାନେଣ୍ଟ ସରକାରୀ ଚାକିରୀଟେ ଅଛି। ଏବେ ଆଉ କଣ କାମ ଅଛି ଏଇ ଝିଅ ପୁଅ ନାତିନାତୁଣୀଙ୍କ ମେଳରେ ସମୟ କାଟିଦେବ କଥା । ହୃଦୟର ଗୋଟେ ବଡ ଜାଗା ତା ଝିଅର ଝିଅ ମାନେ ନାତୁଣୀ ପାଇଁ ସେଥିପାଇଁ ତ ସିଏ ଦଉଡି଼ ଆସେ ପୁରୀ ।
ନରେନ୍ଦ୍ର କୋଣରେ ଭଡା ଘର ଟିରେ ରହନ୍ତି ତା ଝିଅ ଜୋଇଁ ନାତୁଣୀ ସେ ଯୁଆଡେ ବି ଯାଏ ଏଇ ନାତୁଣୀଟି ତାର ଆଉ ଗୋଟେ ଛାଇ ପରି ତା ସାଙ୍ଗରେ ଥାଏ। ଏବେ ସେ ମନ ଇଚ୍ଛା କଣ୍ଢେଇ କିଣିପାରେ ନାତୁଣୀ ପାଇଁ କେହି ଆଉ ଭାଗ ବସାନ୍ତିନି ତା ପେନସନ ଟଙ୍କାରେ।
ଏମିତି ଦିନେ କାଳିଆ ଦର୍ଶନ ସାରି ବସିପଡ଼ିଲା ବାଇଶି ପାହାଚ ଉପରେ ଝାପ୍ସା ଆଖିରେ ଅନେକ ଦିନ ପରେ ଦେଖିଲା ସାରଙ୍କୁ । ଏକୁଟିଆ ସାର ମା ଆଉ ପିଲାମାନେ କେହି ଆସିନାହାନ୍ତି ବୋଧେ ପାଖକୁ ଯାଇ ନିଜ ପରିଚୟ ଦେଲା ସାର ମୁହଁ ଟେକି ଚାହିଁଲେ ଓଠରେ ଆତ୍ମୀୟତାର ହସ ଧାରେ ଖେଳିଗଲା । ଗୋଟେ ସମୟ ପରେ ଧନୀ ଗରିବ ପଦ ପଦବୀ ସବୁ ଗୁରୁତ୍ୱ ହରାଇ ବସେ ଖାଲି ଗୋଟେ ହୃଦୟ କହେ ଆଉ ଗୋଟେ ହୃଦୟ ଶୁଣେ....ଆଉ ଅନେକ ସମୟରେ ଶବ୍ଦ ବି ହାଲୁକା ହେଇଯାଏ ଭାବନା ଆଗରେ ବିନା ପ୍ରୟାସରେ ନୀରବତା ବି ପଢିହୁଏ ବୁଝିହୁଏ । ରାମ ଆଉ ସାର ସମୟର ସେଇ ପାହାଚରେ ଯେମିତି ଏକାଠି ଠିଆ ହେଇଥିଲେ।
ଟିକେ ସମୟ ପରେ ସାର ଉଠିଲେ ...
ପାଖରେ ଥୁଆ ହେଇଥିବା ଅବଢ଼ା ହାଣ୍ଡିବନ୍ଧା ପୁଡ଼ିଆକୁ ଟେକି ନେଇ ରାମ କହିଲା ଚାଲନ୍ତୁ... ମୁଁ ଛାଡ଼ି ଦେଇଆସିବି ଗାଡି ପାଖରେ। ଆଗେ ଆଗେ ସାର ପଛେ ପଛେ ରାମ ।
ଏଥର ଖୁବ ସାବଧାନ ସେ ପୁରୁଣା ଭୁଲର ପୁନରାବୃତ୍ତି ଚାହେଁନି । ଭୁଲରୁ ଅନେକ କିଛି ଶିଖେ ମଣିଷ ଆଉ ଏମିତି କିଛି ଭୁଲ ଭିତରେ ଅନେକ ଅଛିଣ୍ଡା ସମସ୍ୟାର ସମାଧାନ ବି ଲୁଚିଥାଏ।
ଗାଡି ଡିକିରେ ମହାପ୍ରସାଦ ରଖିଦେଲା ରାମ ସାର ନିହାତି ଭାବେ ମିଠା କାନିକା ନେଇଥିବେ ଛୋଟ ମା ଭାରି ଭଲପାନ୍ତି ବାହାସାହା ହେଇ ପିଲାର ମା ବି ହେବେଣି ଛୋଟ ମା । ତାରି ଝିଅ ସାଙ୍ଗର ତ....
ଭାରି ସଂକୋଚରେ ପଚାରିଲା ସାର ଛୋଟ ମା କେମିତି ଅଛନ୍ତି ?
ସାର ବୁଲିଚାହିଁଲେ ଗୋଟେ ଫାଙ୍କା ଦୃଷ୍ଟିରେ ଟିକେ ନୀଳାଚଳ ଚକ୍ର ଉପରେ ଉଡୁଥିବା ପତିତପାବନ ଆଡେ ଆଉ ଟିକେ ତା ନାତୁଣୀ ଆଡେ ଚାହିଁ କହିଲେ ....
ରାସ୍ତା ପାର ହଉଥିବା ବେଳେ ଟ୍ରକ ଚାପିଦେଇଥିଲା ସତର ବର୍ଷ ଝିଅଟାର ମାଂସ ପିଣ୍ଡୁଳା ଭଳି ଶବକୁ ମୋ ଝିଅ କହିବାକୁ ମନ କହୁନଥିଲା କିନ୍ତୁ ମନକୁ ମନେଇବାକୁ ଗୁଡାଏ ସମୟ ଲାଗିଥିଲା। ସେ ଅନେକ ଦିନ ହେଇଗଲାଣି ପ୍ରାୟ ଅଠର ବର୍ଷ ମୁଁ ଭାବିଥିଲି ତୁମେ ସବୁ ଶୁଣିଥିବ। ଶେଷ ବେଳକୁ ସାରଙ୍କ କଣ୍ଠ ଭାରି ହେଇ ଆସୁଥିଲା , ବଡଦାଣ୍ଡର କୋଳାହଳ ଯେମିତି କିଛି ମୁହୂର୍ତ୍ତ ପାଇଁ ଅଟକି ଗଲା । ଦୁଃଖ ସେ ଆଠ ମିନିଟ ପୂର୍ବର ହଉ କି ଅଠର ବର୍ଷ ପୂର୍ବର ଭାରି ଜିଦ ଖୋର । କୁଆଡେ ବି ଯାଏନି ହୃଦୟର ସବୁଠାରୁ କୋମଳ ଜାଗାକୁ ଅକ୍ତିଆର କରି ସେଇଠି ସେମିତି ଜମାଟ ବାନ୍ଧିଯାଏ । କେବେ ହୁତୁହୁତୁ ଜଳୁଥିବା ନିଆଁ ଭଳି ତ ଆଉ କେବେ ପରସ୍ତ ପରସ୍ତ ଜମିଥିବା ବରଫ ପାହାଡ଼ ହେଇ ବାସ୍ ବାହାନା ଖୋଜେ ବାହାରକୁ ଆସିବାକୁ ଆଉ ସମୟ ଦେଖି ନିଜ ସ୍ଥିତି ଜାହିର କରୁଥାଏ। ଦୁଃଖର ବି ଗୋଟେ ଅଜବ ଖୁସି ଥାଏ ଭାରି ଖୁସି ହୁଏ ସେ ଯେବେ କାହା ହୃଦୟକୁ ଟିକେ ଡହଳ ବିକଳ କରେ ଆଉ କାୟା ବଦଳେଇ ପାଣି ହେଇ ଲହଡି ଭାଙ୍ଗେ ଆଖିରେ ....
ସାରଙ୍କ ଆଖି ଭିଜୁଥିଲା ଆଉ ସେଇ ଦୁଃଖ ସଞ୍ଚାରିତ ହଉଥିଲା ଧୀରେ ଧୀରେ ରାମ ଆଖିକୁ ବି। ରାମର ଛୋଟ ନାତୁଣୀର ମୁଣ୍ଡ ଆଉଁସି ଦେଇ ସାର ଗାଡିରେ ବସିଲେ । କିଛି ଧୂଳି ଆଉ ଧୂଆଁ ସହ ବଡଦାଣ୍ଡର କୋଳାହଳ ଶ୍ରୀମନ୍ଦିର ରାମ ଆଉ ତା ଚାରିବର୍ଷର ନାତୁଣୀକୁ ପଛରେ ଛାଡି ସାରଙ୍କ ଗାଡି ଗଡୁଥିଲା ଆଗକୁ ।