ମୁଠାଏ ଅଣୁ ଗପ
ମୁଠାଏ ଅଣୁ ଗପ
ଝୁଡ଼ି ରେ ଝୁଡ଼ିଏ ପଣସ କଠା ମୁଣ୍ଡେଇ ଏ ସାହି ରୁ ସେ ସାହି ବୁଲିଚାଲିଥିଲା, ଯେତେ ଜଲଦି ଝୁଡ଼ି ଖାଲି ହବ ସେତେ ଜଲଦି ଘର କୁ ଫେରିଯିବ।
ଖରା ରେ ପାଟି ,ତଣ୍ଟି ସୁଖି ଅଠା। ଶେଷ ପଣସ କଠା ଟି ବିକି ହାତରେ ଟଙ୍କା ଧରିବା ବେଳେ ବଡ ଆଶା ରେ ପାଣି ପାଇଁ ଚାହିଁଲା ବାବୁ ଘର ମା ଙ୍କୁ। ମା କଣ ଭାବିଲେ କେଜାଣି ବଡ ଗ୍ଲାସରେ ଥଣ୍ଡା ପାଣି ସହ କିଛି ଛଣା ପିଠା ଦେଇ ଆଖି ରେ ଇସାରା ଦେଲେ ଖାଇ ଦବାକୁ। ଗୋଟେ ପିଠା ଖାଇ ପାଣି ପି, ମା ଙ୍କୁ ପଲିଥିନ ଟେ ମାଗି ବାକି ପିଠା ଭରିଲା ବେଳକୁ ମା ଙ୍କ ପ୍ରଶ୍ନର ଉତ୍ତର ରେ କହିଲା ଘରେ ମୋ ପିଲା ମାନେ ଅଛନ୍ତି ।
ମାଛ ଦୋକାନ ଆଗରେ ଏତେ ଭିଡ ଦେଖି ହଡ଼ବଡେଇ ଗଲା ନିରୀହ ବାପ ,କେମିତି ଯେ ନେବି ଏ ଭିଡ ଭିତରୁ ଝିଅ ପସନ୍ଦ ର ମିରିକାଳି।
ମନ କୁ ଟାଣ କରି ନିର୍ଧୁମ ଖରାରେ ଘଣ୍ଟେ ଠିଆ ହେଇ, ଝିଅ ପସନ୍ଦ ର ବଡ ମାଛ ,ଛୋଟ ମାଛ ଝିଅ ହାତକୁ ବଢ଼େଇ ଦେଲେ ସରଳିଆ ହସ ସହ।
ମାଛ ଧୋଉ ଧୋଉ ଝିଅ ଭାବୁଥିଲା କେମିତି ଯେ ତା ଆଜନ୍ମ ନିରାମିଷାସି ବାପା ମାଛ ଦୋକାନ ଆଗରେ ଘଣ୍ଟେ ଠିଆ ହେଇ ମାଛ ଆଣନ୍ତି।
ନିଜ ମାର୍କସିଟ କୁ ଦେଖି କାନ୍ଦ କାନ୍ଦ ହେଇ ସିଏ ଭାବୁଥିଲା କୋଉ ଭଲ କଲେଜରେ ସିଟ ମିଳିବନି, କେଜାଣି କ'ଣ ଅନର୍ସ ମିଳିବ ଭାରି ଅସହାୟ ଲାଗୁଥିଲା। ବାପା ଙ୍କ ଡାକରେ ଲୁହ ପୋଛି ପାଖକୁ ଆସିଲା ସବୁ ପ୍ରଶ୍ନ କୁ ମନ ରେ ଚାପିଦେଇ।
ବାପା କ'ଣ ବୁଝିଲେ କ
େଜାଣି କହିଲେ କମ ମାର୍କ ପାଇଁ ଚିନ୍ତା କରନି ମା , ମୁଁ ତ ଚିନ୍ତା କରୁନି ତୁ କାଇଁ ଭାବୁଛୁ।ସିଂହର ବଳ ଆସିଗଲା ତାର ଭାବିଲା ଏଥର ନହେଲେ କ'ଣ ହେଲା ଆର ଥର ନିହାତି ଭଲ ମାର୍କ ଆସିବ। ବାପା ଚା ଆଣିବି କି ?କହି ଆତ୍ମ ବିଶ୍ୱାସ ସହ ରୋଷେଇ ଘରକୁ ଗଲା ।
ବାପ ଘରର ଭଙ୍ଗା ଘର ଟିକୁ ନୂଆ କରି ତିଆରି କରିବାକୁ ଦୁଇ ଲକ୍ଷ ଟଙ୍କା ବାପାଙ୍କ ଆକାଉଣ୍ଟ ପଠେଇ ଝିଅ ଟି ଟିକେ ଶାନ୍ତିରେ ନିଶ୍ୱାସ ନେଲା ।ମନପଡ଼ିଲା ପିଲା ଦିନେ କୋଲଡ଼ ଡ୍ରିଂକ୍ସ ପିବାକୁ ଅଝଟ ହୁଏ ବୋଲି ଶିବମନ୍ଦିର ରେ ପୂଜକ ଥିବା ତା ବାପା ପୂଜା ପରେ ସେଇପିତଳ ଲୋଟାରେ ପାଣି ପୁରାଇ କୋଲଡ଼ ଡ୍ରିଂକ୍ସ ବଟଲ ବୁଡାଇ ସାଇକଲ ରେ ତରତର ହେଇ ଆସନ୍ତି ଯେମିଟି କୋଲଡ଼ ଡ୍ରିଂକ୍ସ ର ଥଣ୍ଡା ନ କମିଯାଉ।
ଦାମି ଦାମି ଡ୍ରେସ ପିନ୍ଧି ପାର୍କରେ ଘୁରି ବୁଲୁଥିଲେ କଣ୍ଢେଇ ପରି ପିଲା ମାନେ, ସେମାନେଙ୍କ ମେଳ ରେ ବେଖାପ ଲାଗୁଥିଲା ତା ପୁଅ, ଛୁଆ ଟା କ'ଣ ବୁଝୁଥିଲା ,ଏକା ଜିଦ ନାଲି ତିନିଚକିଆ ସାଇକେଲ ଚଳାଇବ,ଏ ମାସ ସେ ମାସ କରି ଟାଳି ଚାଲିଥିଲା, କୋଉ କିଣିପାରୁଥିଲା ଯେ ,ବଡ ସାହସ କରି ସେଇ ନିଳ ଡ୍ରେସ ପିନ୍ଧା କଣ୍ଢେଇ ପରି ପିଲାଟିର ବାପା ଙ୍କୁ ଅନୁରୋଧ କଲା ଟିକେ ସମୟ ପାଇଁ ସାଇକେଲ ଟିକେ ଚଲେଇବାକୁ ଦିଅନ୍ତେ ହେଲେ ତା ପୁଅ କୁ , ବାବୁ ଜଣକ କ'ଣ ବୁଝିଲେ କେଜାଣି ନିଜ ପୁଅ କୁ ସାଇକେଲ ରୁ କୋଳ କୁ ନେଇ ନାଲି ସାଇକେଲ ଚଲାଇବାକୁ ଅନୁମତି ଦେଲେ, କେମିତି ମନା କରିଥାନ୍ତେ ଯେ ସେ ବି ତ ବାପା ଟିଏ।