STORYMIRROR

madhusmita rath

Others

4  

madhusmita rath

Others

ପୁନଶ୍ଚ

ପୁନଶ୍ଚ

8 mins
261


ଡାକ୍ତର ଙ୍କ ଛୋଟିଆ ଚାମ୍ବର ରେ ମୁହଁ ଶୁଖେଇ ବସିଥିଲା କୌନନ୍ୟ ଆଉ ସାଙ୍ଗରେ ସ୍ତ୍ରୀ ଆହୁତି ।

ଫର୍ଦ ପରେ ଫର୍ଦ୍ ଓଲଟେଇ ଚାଲିଥାନ୍ତି ଡାକ୍ତର।ସବୁବେଳେ ସେ ଏକୁଟିଆ ଆସେ ଡାକ୍ତର ଙ୍କ ଚାମ୍ବର କୁ କିନ୍ତୁ ଆଜି କାହିଁ ଏତେ ଡର ।ଦଦରା ଜିନିଷ ରେ କାହିଁ ଏତେ ଲୋଭ।ଆହୁତି ବୁଝେଇଛି ରାତି ସାରା କିନ୍ତୁ ମନ ମାନୁନି ।ଏତେ ସହଜ କଣ ନିଜ ମୂଳରୁ ଅଲଗା ହବା।ଗଛରୁ ଡାଳକୁ ଅଲଗା କଲାବେଳେ ଖାଲି କଣ ଗଛକୁ କଷ୍ଟ ହୁଏ ଡାଳକୁ ନୁହେଁ।

ତଣ୍ଟି ଟିକେ ଶୁଖି ଯାଉଥିଲା କୌନନ୍ୟର।ଆହୁତି ବୁଝିପାରିଲା ,ଚୁପ କି ନିଜ ହାତକୁ ତା ହାତରେ ରଖି ଆଖିରେ ଇସାରା କଲା ।ହଁ ଏଇ ଭରସା ତ ତାର ସର୍ବଶ୍ରେଷ୍ଠ ସମ୍ପତି।

ଡାକ୍ତର ମୁହଁ ଉଠେଇ କୌନନ୍ୟକୁ ଚାହିଁ କହିଲେ ଘରକୁ ନେଇଯାନ୍ତୁ ମାଙ୍କୁ ।ଚେଷ୍ଟା କରନ୍ତୁ ଖୁସି ରଖିବାକୁ ।ଆଉ ଇଛା ସବୁ ପୁରା କରନ୍ତୁ।

ଭାରି ବିକଳିଆ ଆଉ କାନ୍ଦୁରା ଦିଶିଲା କୌନନ୍ୟର ଗୋରା ,ଦମ୍ଭିଲା ମୁହଁ ।

ଆହୁତି ସମ୍ଭାଳିନେଲା

ହଁ ଏମିତି ତ ଜୀବନ ସମ୍ଭାଳିନବାକୁ ହୁଏ ଅନେକ ମୁହୂର୍ତ୍ତକୁ।ଅସଜଡ଼ା ମୁହୂର୍ତ୍ତ କୁ ଗୋଟେଇ ସାଇତି ରଖିବାକୁ ହୁଏ ଆଗାମୀ କାଲି ପାଇଁ ,ଆଉ ଛାତି ଟାଣ କରି ଅପେକ୍ଷା କରିବାକୁ ହୁଏ ଭାଙ୍ଗିବାଯାଏ ଗୋଟେ ସମ୍ପୂର୍ଣ ସଜାଡି ହେଇଥିବା ଜୀବନ ଆଉ ସମ୍ପର୍କ ।

ମା ଙ୍କ ରୁମକୁ ସଜାଡ଼ିଲା ଆଜି କୌନନ୍ୟ ,ଯେମିତି ମା ସଜାଡୁଥିଲେ ତା ବ୍ୟାଗ ,ଖେଳନା, ଜିତିଥିବା କିଛି ପ୍ରାଇଜ଼ ,ଆହୁତି ଦେଇଥିବା କିଛି ଗିଫ୍ଟ।

ସଫେଦ ବିଛଣା ଚାଦର ମା ଙ୍କର ଭାରିପ୍ରିୟ।

ସିଏ ସଜାଡ଼ିଲା ମା ଙ୍କ ପ୍ରିୟ ବହି ଥାକ।ଝରକା ସେପଟ କୁ ରଖିଲା ମଲ୍ଲି ଫୁଲର କୁଣ୍ଡ ,ମା ଙ୍କର ଭାରି ପ୍ରିୟ ଏଇ ସାଧସିଧା ମଲ୍ଲି ଆଉ ତା ବାସ୍ନା।

ମା ଙ୍କୁ ହୁଇଲ ଚେୟାର ରେ ଆଣି ଶୁଆଇଦେଲା ବେଡ଼ ଉପରେ।ଅଳ୍ପ ହସି କର୍ତବ୍ୟନିଷ୍ଟ ନର୍ସ ଆଶ୍ୱାସନା ଦେଲେ ସମସ୍ତ କାମ ସୁଚାରୁ ରୁପେ କରିବ ବୋଲି।

କାନ୍ଥ ରେ ଟଙ୍ଗା ହେଇ ଫ୍ୟାନ ପବନ ରେ ଫଡ ଫଡ ହଉଥିବା

କୋହିନୁର ପ୍ରେସ କ୍ୟାଲେଣ୍ଡର କୁ ଚାହିଁଲା କୌନନ୍ୟ କଣ ଗୋଟେ ରୁଟ ରୁତ ହେଲା ମନ ଭିତରେ।

ଆଉ କେତେଦିନ ?

ବାରମ୍ବାର କ୍ୟାଲେଣ୍ଡର ଦେଖିବା ତା ମନସ୍ତତ୍ ର ଗୋଟେ ଅଜବ ଦିଗ ,ଯେତେବେଳେ ବି ସେ ଅପେକ୍ଷା କରେ ପରୀକ୍ଷାଫଳ କି କିଛି ବି ଫଳାଫଳ କୁଏମିତି ସେ ଦେଖିଚାଲେ କ୍ୟାଲେଣ୍ଡର

ମା ଅନେକ ଚେଷ୍ଟା କରିଥିଲେ ଏ ଅଭ୍ୟାସ କୁ ବଦଳେଇବାକୁ। କିନ୍ତୁ ସିଏ କଣ ମୁକ୍ତ ହେଇପାଟିଛି ଏ ମାନସିକତା ରୁ ।ମଣିଷ କେବେ ବି ମୁକ୍ତ ପାଇପରେନି ବୋଧେ ଏଇ ନିଜ ମାନସିକତା ର ଚକ୍ରବ୍ୟୁହ ରୁ।

ସମୟ ସବୁଠୁ ବିଶ୍ୱସ୍ତ ଆଉ ବେଇମାନ ବି ,ଖୋଜିଲା ବେଳ କୁ ମିଳେନି ଆଉ ମିଳିଲା ବେଳ କୁ ସମୟ ସରିଯାଇଥାଏ।

ଆହୁତି ଆସି ବସିଲା ନିଶବ୍ଦ ରେ ତା ପାଖରେ ଆଉଁସି ଦେଲା ମୁଣ୍ଡ କୁ,ଠିକ ଯେମିତି ମା ଆଉଁସି ଦେଉଥିଲେ ତା ଗହଳିଆ ଚୁଟି କୁ,ଲୋକେ ଠିକ କହନ୍ତି ସବୁ ସ୍ତ୍ରୀ ଭିତରେ ସ୍ନେହ ଛଳଛଳ ମା ଟିଏ ଲୁଚିରହିଥାଏ ।

ଆହୁତି ବି ସେମିତି ତା ମା ପରି ସ୍ନେହି,କିନ୍ତୁ ସେ କଣ ହେଇପାରିଛି ଭଲ ସ୍ୱାମୀ ନା ହେଇପାରିଲା ଭଲ ପୁଅ।

ସେ କଣ ବୁଝି ପାରିଥିଲା ମା ଭିତରେ ଲୁଚିଥିବା ଗୋଟେ ସ୍ତ୍ରୀ ର ମନ କୁ।

ସେ ଖାଲି ବୁଝିଥିଲା ଉଚିତ ଅନୁଚିତ ର ଖେଳ ଆଉ ଆନ୍ତରିକ ଇଚ୍ଛା ଟିଏ ବି ରଖିଥିଲା ସବୁ ଦିନ ପରି ଏଥର ବି ଉଚିତ ହି ଜିତୁ,ସତ୍ୟ ଆଉ ନ୍ୟାୟ ହିଁ ଜିତୁ।ଏଇଟା ଚାହିଁବା କଣ ତାର ଭୁଲ ,ଉଚିତ ର ବିଜୟ ହଉ ଆଉ ଧର୍ମ ର ରକ୍ଷା ହଉ ଏ କଥା ମା ଠୁ ତ ସିଏ ଶିଖିଥିଲା।

ପୁଣି କାଇଁ ମା ନେଇପାରିଲା ଅନୁଚିତ ର ପକ୍ଷ ।ଆଉ ସେଇ ଅଭିମାନ ରେ ସିଏ ଛାଡିଦେଲା ମା ର ପଣତ ସହ ପଣତ ର ବାସ୍ନା ଖେଳୁଥିବା ସେଇ ସହର କୁ।ଯୋଉ ସହର ରେ ସେ ପ୍ରଥମ କରି ସ୍କୁଲ ଯାଇଥିଲା ମା ର ହାତ ଧରି।

ମା ର ଝାଳବୁହା ଟଙ୍କା ରେ କିଣା ନୂଆ ଚକଚକ ସାଇକଲ ଧରି କଲେଜ ଯାଇଥିବା ର ସୁନେଲି ଦିନସବୁ।

କେମିତି ସେ ଭୁଲିଯାଇପାରିଲା ତା ଚାହୁଁଥିବା ମ୍ୟାନେଜମେଣ୍ଟ କଲେଜ ରେ ଆଡମିସନ ବେଳେ ମା ତାର ଶେଷ ଇ.ପି.ଫ ସବୁ ଉଠେଇ ଦେଇଥିଲା।

କାଇଁକି ମା ଅମାନିଆ ହେଲା।କାଇଁ ସେ ଲୋକ ଟା ପାଇଁ ତାକୁ ଆଡେଇ ଦେଇ ଚାଲିଗଲା।

ଗଲା ତ ଗଲା ବଡ ପାଟି ରେ କହିଦେଇ ଗଲା

-ସେ ଲୋକ ଟା ସେଲୋକ ଟା କଣ ବାପା ବୋଲି କହ।

ବାପା ଏ ଶବ୍ଦ ଟା ଉଚ୍ଚାରଣ ସେ ଅଚେତନ ମନ ରେ ବି କେବେ କରିବାକୁ ଚାହେଁନି।ବାପା ସବୁ କଣ ଏମିତି ,ରୋଗଣା ଛୁଆ ,ଅସୁସ୍ଥ ସ୍ତ୍ରୀ କୁ ଆଡେଇ ଦେଇ ଅନ୍ୟ ଗୋଟେ ସଂସାର କରିପାରେ।

ଯଦି ଦାୟିତ୍ୱ ନେଇପାରିବାର ସାମର୍ଥ୍ୟ ନାହିଁ ତେବେ କାଇଁ ଜଣେ ପିଲା କଥା ଭାବେ।

ପୁରୁଷ କୁ ଘୃଣା କରୁଥିବା ପୁରୁଷ ଟିଏ ଯିଏ ଗୋଟେ ନାରୀର ସାହାରା ରେ ଆଜି ସମର୍ଥ ପୁରୁଷ ଟିଏ ହେଇପାରିଛି।

କେମିତି ଯେ ଜଣେ ଏତେ ହୃଦୟହିନ ହେଇପାରେ ,କେମିତି ସାତ ବର୍ଷର ସମ୍ପର୍କ ଆଉ ପାଞ୍ଚ ବର୍ଷ ର ପିତୃତ୍ୱ କୁ ଭୁଲିପାରେ ,ଆଉ କେମିତି ଜଣେ ଏତେ ବଡ଼ ଧୋକେବାଜି କୁ ଭୁଲି କ୍ଷମା କରିପାରେ ସେ କଥା ଭାବିଲେ କୌନନ୍ୟ ର ମୁଣ୍ଡ ନର୍ଭ ସବୁ ଏପଟ ସେପଟ ହେଇଯାନ୍ତି।ମଣିଷ ର କୁଆଡେ ଛ ଟି ମୂଳ ଆବେଗ ଅଛି ସେ କିନ୍ତୁ ବର୍ଷ ବର୍ଷ ଧରି ଦୁଇଟି ଆବେଗ ର କବଳଳିତ ଗୋଟିଏ ଦୁଃଖ ଆଉ ଗୋଟେ ରାଗ।

ପ୍ରେମ ଏଇଟା କଣ ?ଅଜବ ଦୃଷ୍ଟି ରେ ଥରେ ପଚାରିଥିଲା ଆହୁତି କୁ।

ବଦଳରେ ଆହୁତି ର ଡିମା ଡିମା ଆଖି ର ଚାହାଣୀ ରେ ହସି ପକେଇଥିଲା କୌନନ୍ୟ ।

ଆହୁତି ବୁଝେଇଥିଲା ଏଇ ଯୋଉ ଅକାରଣେ ହସେ ମଣିଷ ଇଏ ବି ତ ଏକ ପ୍ରକାର ପ୍ରେମ। ଆଉ ଧିରେ ବୁଝେଇ ଥିଲା

ପ୍ରେମ ର ବି ଜାଗା ଅଛି ତା ମନ ରେ ।

ଖୁବ ଗୋଟେ ନରମ ଅମେରୁଦଣ୍ଡି ଝଗଡା ଟେ ଚାଲିଥିଲା ଶାନ୍ତ ସରଳ ଆଉ ପୁଅ କୁ ନିଜ ପୃଥିବୀ ଭାବୁଥିବା ମା ଆଉ ଆଜ୍ଞାବହ ପୁଅ ଭିତରେ ।

ଝଗଡା ଆଉ କଣ ଯେ ସେଇ କିଛି ବର୍ଷ ଧରି ମା ପୁଅ ର ଦୁନିଆ ରେ ଆତତାୟୀ ଭାବେ ଅନୁପ୍ରବେଶ କରିଥିବା ତା ଜନ୍ମ କଲା ବାପା ଆଉ ତାଙ୍କର ଅତ୍ୟଧିକ ଚିନ୍ତା କରି ଭାଙ୍ଗିଯାଉଥିବା ମା ର ଏ ରୂପ କୁ କୌନନ୍ୟ  ଜମାରୁ ଗ୍ରହଣ କରିପାରିନଥିଲା।ତାର ଏକା ଜିଦ ଥିଲା ଯେ ଯାଇଛି ସେ ଯାଇଛି,ଯେ ନିଜର କୌଣସି କର୍ତବ୍ୟ କରିନି ତା ପାଇଁ ଲୁହ କି ଦୟାର କଣ ଦରକାର।

ଆଉ ମା ବି ଜିଦ କରିଥିଲା ମୃତ୍ୟୁ ର ଶେଷ ପାହାଚ ରେ ଠିଆ ହେଇଥିବା ଲୋକ ଉପରେ ରାଗ ବା ଅଭିମାନ ର ଅର୍ଥ କିଛି ନଥାଏ।

ଜିତ କାହାର ହେଇଥିଲା ମା ବିଲକୁଲ ବୁଝିନଥିଲା ଆଉ ନା ବୁଝିଥିଲା କୌନନ୍ୟ।ଛୋଟ ବ୍ୟାଗ ରେ ଦୁଇଚାରିଖଣ୍ଡ ଡ୍ରେସ ଆଉ ନିଜର ସବୁତକ ସାର୍ଟିଫିକେଟ ନେଇ ସେଇ ଘରୁ ବାହାରି ଆସିଥିଲା ଯେ ଆଉ କେବେ ବି ମୁହଁ ବୁଲେଇ ଚାହିଁ ନଥିଲା ନା ମା କୁ ନା ଝୁରି ହେଇଥିଲା ତା ମମତା ଭିଜା କାନି କୁ।

ଚାକିରୀ , ବାହାଘର କି ପୁଅର ଜନ୍ମ ବେଳେ ବି ନୁହଁ ମା ତା ପାଇଁ ସମ୍ପୂର୍ଣ ଅଲୋଡ଼ା ହେଇସାରିଥିଲା।

ଆହୁତି ବୁଝେଇଥିଲା ଅତ୍ୟନ୍ତ ପକ୍ଷେ ଥରେ ଯିବାକୁ ମା ର ସେଇ ଦୁଇବଖୁର ଭଡା ଘର କୁ।

ସେ କିନ୍ତୁ ମନା କଲା ଆଉ

ଜମା ବି ଭୁଲି ପରିନଥିଲା ସେ ଘର ଛାଡ଼ି ଯିବା ଆଗରୁ ,ମା ର ସେ ଶେଷ ଵାକ୍ୟ "ଯାଉଛୁ ଯଦି ଯା,କିନ୍ତୁ ତୁ ଦିନେ ବୁଝିପାରିବୁ ମୋତେ ଆଉ ଯେବେ ବୁଝିବୁ ସେତେବେଳେ ଫେରିଆଦିବୁ ,ମୁଁ ଏଇଠି ଏମିତି ଚାହିଁ ବସିଥିବି ତୋ ଆସିବା ରାସ୍ତା କୁ"।

ଟିକେ ବି ବିଚଳିତ କରିନଥିଲା ସେଦିନ ମା ର ଲୁହ ତାକୁ।

ଖାଲି ଗୋଟେ କଥା ସେ ବୁଝିଥିଲା ମା ତା ପୁଅ ଠୁ ସେଇ ଲୋକ ଟା କୁ ବେସି ଭଲପାଏ।ଯାହା ପାଇଁ ସେ ସାଙ୍ଗ ମାନଙ୍କ ଆଗରେ ସହଜ ହେଇପାରେନି।ବାପା ଙ୍କ ନାମ କଣ ପଚାରିଲେ ଅନ୍ୟ ମାନଙ୍କ ପରି ଗର୍ବ ରେ ଛାତି ଫୁଲିଉଠେନି।

ମା ର କମ ଦରମା ରେ ପେଟ ପୁରିଲେ ବି ପିଠି ପୁରେନି,ଟାଣଟୁଣ ର ସଂସାର ରେ ମା କୁ ଛଟପଟ ,ଅଣନିଶ୍ୱାସୀ ହଵା ର ସେ ଅନେକ ସମୟ ରେ ଅନୁଭବ କଲେ ବି କିଛି ନ କରିପାରିବା ର ଅସହାୟତା ତାକୁ କଷ୍ଟ ଦିଏ।

ଆଉ ସେଇ କଷ୍ଟ ତା ଘୃଣା କୁ ବଢାଏ ସେଇ ଲୋକ ଟା ପ୍ରତି ଯାହାର ନାମ ବାପା ନାଁ ଜାଗା ରେ ସେ ଲେଖେ ତା ସାର୍ଟିଫିକେଟ ରେ।

ଅଯଥା ସନ୍ଦେହ କୁ ନେଇ ନା ନିଜ ଖୁସି ପାଇଁ ଜଣେ ଏମିତି ନିଷ୍ପତି ନିଏ।

ଘର ର ଆର୍ଥିକ ଅବସ୍ଥା କୁ ସଜାଡିବାକୁ ତ ମା ଛୋଟ ସ୍କୁଲ ରେ ପଢେଇବା ଆରମ୍ଭ କରିଥିଲେ। କିନ୍ତୁ ମା ରକ୍ଷାପାଇନଥିଲେ ବାପା ଙ୍କ ସନ୍ଦେହ ଆଉ ଅତ୍ୟାଚାର ରୁ।

ଟିକେ ଖୁସି ହେଲେ,ଭଲ ପିନ୍ଧିଲେ ନାଇଲେ ଶୁଣିବାକୁ ମିଳୁଥିଲା ଆଜି କାହା ପାଇଁ1 ଏତେ ପରିପାଟି।

ପ୍ରଥମେ ଏ ସବୁ କୁ ସାଧାରଣ କଥା ଭାବିଅଣଦେଖା କରିଦଉଥିବା ମା କିନ୍ତୁ ଖୁବ ଭାଙ୍ଗିପଡୁଥିଲେ ଭିତରେ।

ଶେଷ ରେ ମାଡ଼ ପିଟି ଆଉ ଦେହ ଖରାପ ଥିବା ମା କୁ ଧକାଦେଇ ପାଞ୍ଚ ବର୍ଷ ଛୁଆ ର ମୁହଁ କୁ ନ ଚାହିଁ ଗୋଟେ ମୁହଁ ରେ ବାହାରି ଯାଇଥିଲେ ବାପା।

ବେଳେବେଳେ ଭାବେ କୌନନ୍ୟ ପିଲା ଟିଏ କଣ ଖାଲି ମା ର ,ବାପା ର କୌଣସି ପରୋକ୍ଷ କି ପ୍ରତ୍ୟକ୍ଷ ଦାୟିତ୍ୱ ନଥାଏ।

ସେ କେବେ ବି ତା ବାପା ପରି ବାପା ଟିଏ ହବନି ଏଇ ଚୁକ୍ତିତ କରିଥିଲା ସେ ନିଜସହ , ତା ବଢି ଉଠୁଥିବା ବୟସ ରେ ।

କିନ୍ତୁ ସେଦିନ ମା ଯେତେବେଳେ ଜିଦ କରି ସେଇ ଲୋକ ଟାକୁ ଭେଟିବାକୁ ହସ୍ପିଟାଲ ବାହାରିଗଲା ଆଉ ଯୋଉଦିନ ସେ ଜାଣିଲା ଖାଲି ଆଜି ନୁହଁ ଗତ ସପ୍ତାହେ ଧରି ମା ସେ ଲୋକ ଟାକୁ ଦେଖାକରିବାକୁ ଯାଉଛି ସେ ସେଦିନ ବାହାରି ଯାଇଥିଲା ରାଗ ରେ ।

ଆଉ ଆଜି ଅନେକ ବର୍ଷ ପରେ ଆହୁତି ର ଟ୍ରାନ୍ସଫର ତାର ସେଇ ପୁରୁଣା ସହର କୁ।

ସହର ରେ ପାଦ ଦବା ପରେ ସେ ବୁଝିପାରିଥିଲା କିଛି ପୁରୁଣା ଜିନିଷ ର ମୋହ କେବେ ତୁଟେନା,ସହର ପୁରୁଣା ହେଲେ କଣ ହେଲା ନୂଆ ପାଣି ଟିକେ ଛିଞ୍ଚି ହେଇ ଆଧୁନିକ ଆଉ ଚକଚକ ଦିଶୁଥିଲା ତା ସହର ,ସେ ଖୋଜିଲା ତା ସ୍କୁଲ,କଲେଜ ,ପତଳା ନାଲି ରାସ୍ତା ଯେଉପଟେ ସେ ଟିଉସନ ଯାଉଥିଲା ।

ଆଉ ମନ ବହୁତ ଅଧିକ ଖୋଜିଲା ମା କୁ।

ପୁଣି ଠିଆ ହେଲା ମା ର ସେଇ ଦୁଇବଖରା ର ଭଡାଘର ଆଗରେ ଖୁବ ବେସି ନହେଲେ ବି କିଛି କିଛି ବଦଳି ଯାଇଛି ଘରର ଆକୃତି।

ବଡ଼ ସଂକୋଚ ରେ ସିଏ କଲିଙ୍ଗବେଳ ଉପରେ ଆଙ୍ଗୁଠି ରଖିଲା।ମନ କ୍ଷଣେ କହୁଥାଏ ମା ଅଛି ଏଠି ପରକ୍ଷଣ ରେ କହୁଥାଏ ଏତେ ବର୍ଷ ପରେ ମା ଏଠି କାଇଁ ରହିବ।

ତା ଅନୁମାନ ଠିକ ଥିଲା ଘର ର କବାଟ ଖୋଲିଲେ ଜଣେ ଅଜଣା ମୁହଁ। ଅଜଣା ମୁହଁ ରେ ତା ପାଇଁ ଚିହ୍ନା ହସ ଦେଖି ସେ ହଡ଼ବଡେଇ ଫେରିବାକୁ ବାହାରିଲା ବେଳ କୁ ପଛ ରୁ ମା ଆସି ତା ହାତ ଧରିନେଲା।

ଇଏ କଣ ତା ମା, ରୋଗା ପାଣ୍ଡୁର ଚେହେରା ,ମୁଣ୍ଡ ରେ ଗୋଟେ ବି ଚୁଟି ନାହଁ,ନାଇଁ ନାଇଁ ତା ମା ତ ଠାକୁର ଘରେ ଥୁଆ ହେଇଥିବା ମହାଲଷ୍ମୀ ଙ୍କ ଫୋଟୋ ପରି ଖୁବ ସୁନ୍ଦର।

ମା କୁ ଜାବୁଡି ଧରି ଭୋ ଭୋ କି କାନ୍ଦି ପକେଇଲା କୌନନ୍ୟ,କିନ୍ତୁ ମା ଚୁପ ଥିଲା।

ସେ ଲୋକ ଟା କଣ କହୁଥିଲା ତାର ଶୁଣିବାର ଆଗ୍ରହ ନଥିଲା ହଁ ଖାଲି ଏତିକି ବୁଝିଲା ମା କୁ ଭଲ ଡାକ୍ତର ଦରକାର ଆଉ ସିଏ ସେୟା କଲା ବି ।ଆଉ କୋଉଥିରେ ଅଭାବ ରଖୁନଥିଲା ମା ର କିନ୍ତୁ ମା ପାଖରେ ସମୟ ର ଖୁବ ଅଭାବ ସିଏ ପ୍ରତି ମୁହୂର୍ତ୍ତ ରେ ଅନୁଭବ କରୁଥିଲା।

ସେ ଲୋକ ଟାକୁ ଦେଖିଲେ ତା ମନ ବିଷେଇ ଉଠୁଥିଲା ଇଚ୍ଛା ହଉଥିଲା ମାରିଦେବାକୁ କି ମନଇଚ୍ଛା ଗାଳି କରିବାକୁ।

ତା ଘରେ ମା ସହ ସିଏ ଜମା ରୁ ସହିପାରୁନଥିଲା ଆଉ କାହାର ଉପସ୍ଥିତି ଖାସ କରି ସେଇ ଲୋକ ଯିଏ ମା ର ଦୁରାବସ୍ତା ପାଇଁ ଦାୟୀ।

ତା ରାଗ ସୀମା ଟପୁଥିଲା,ସେଥିରେ ଲଗାମ କସିଲା ଆହୁତି ର ପଦେ କଥା ।

ଆହୁତି ତା ମୁଣ୍ଡ କୁ ସାଉଁଳେଇ କହିଲା

-କାଇଁ କାନ୍ଦୁଛ ,ଆଉ କାହା ପାଇଁ କାନ୍ଦୁଛ।

-ମା ଙ୍କୁ ବିଦା କରିବା ପାଇଁ ଯୋଉ ମାନସିକ ପ୍ରସ୍ତୁତି ସେଠି ତୁମେ ହାରୁମନଯେ ତୁମେ ହରିଯାଉଚ ମା ଙ୍କ ପାଖରେ ତୁମ ବାପା ଙ୍କ ଉପସ୍ଥିତି ଦେଖି।

-ଆଜି ମା ଙ୍କର ଯୋଉ ଅବସ୍ଥା ସେଥିପାଇଁ ତୁମେ ବି ଦାୟୀ।

ସ୍ୱାମୀ ହେଇ ସିଏ ଯଦି ନ ବୁଝିପାରିଲେ ତାଙ୍କ ସ୍ତ୍ରୀ ର ମନ କି ପିଲା ର ସ୍ନେହ ,ଆଉ ତାଙ୍କୁ ଦଣ୍ଡ ପାଇବାର ଯୋଗ୍ୟ ଭାବି ତୁମେ ତାଙ୍କୁ ନୁହଁ ନିଜକୁ ଆଉ ନିଜ ମା ଙ୍କୁ ମାନସିକ ଭାବେ ଜଳାଇଭଳିଲା। ତୁମେ ବି କୋଉ ବୁଝିଲ ତୁମ ନିଜ ଜନ୍ମକଲା ମା ର ଦୁଃଖ।

ଅନ୍ୟ କୁ ଦୋଷୀ ବୋଲି ଭାବି ଫାଶୀଦଣ୍ଡ ଦେବା ଆଗରୁ ଥରେ ଭାବିଲନି ସେ କଣ ସତରେ ସେ ଦଣ୍ଡ ର ଯୋଗ୍ୟ।

-ହସ୍ପିଟାଲ ରେ ପଡିଥିବା ତାଙ୍କ ସ୍ୱାମୀ ଙ୍କୁ ସିଏ କେମିତି ଛାଡ଼ିଦେଇଥାନ୍ତେ ଏକା ଯୁଝିବାକୁ ରୋଗ ଆଉ ନିଜ ଭାଗ୍ୟ ସହ।

ସିଏ ତାଙ୍କ କର୍ତ୍ତବ୍ୟ ଯୋଉଥି ପାଇଁ ତୁମ ବାପା ଆଜି ବି ତୁମ ସହ ଅଛନ୍ତି।

-ଆଉ ତୁମେ ଯଦି ରାଗୁଛ ତେବେ ଥରେ ଭାବ ସେ କଣ କେବେ ନିଜ ମା ର କର୍ତ୍ତବ୍ୟ ରୁ ଓହରିଛନ୍ତି।

-ଥରେ ବି ଭାବିଲନି କେମିତି ବଞ୍ଚିବେ ମା ତୁମ ବିନା।

ବର୍ଷ ବର୍ଷ ର ଅନ୍ତର୍ଦ୍ୱନ୍ଦ ରେ ଯେମିତି ବିରତି ର ବିଗୁଲ ବାଜୁଥିଲା।

-ଜୀବନ ବଞ୍ଚିବାର ସାଧରଣ ସୂତ୍ର ଟିଏ କ୍ଷମା ଏତିକି ନ ବୁଝି କଠିନ ରୁ କଠିନ ସୂତ୍ର ପ୍ରୟୋଗ କରି ଜୀବନ କୁ ଜଟିଳ କଲ ...ପାଇଲା କଣ ନିଜକୁ ପଚାର ତୁମେ କଣ ସତ ରେ ଖୁସି ଥିଲ ବିଗତ କିଛିବର୍ଷ।

-ନା ଆଜି ଖୁସି ହେଇପାରୁଛ ମା ଙ୍କୁ ଦଣ୍ଡ ଦେଇ ପାରିଥିବାର ଆତ୍ମା6ସନ୍ତୋଷ ନେଇ।

-ଦୁଇ ପୁରୁଷ ଙ୍କ ଈଗୋ ଭିତରେ ସବୁ ମୁହୁର୍ତ୍ତ ଛଟପଟ ହଉଥିବା ନାରୀ ର ମନ କୁ ବୁଝିଲା କିଏ?

ଆଉ କିଛିଶୁଣିବା ଅବସ୍ଥା ରେ ନଥିଲା କୌନନ୍ୟ।

ଧଡ଼ କରି ଉଠିଗଲା ସେ ମା ଙ୍କ ରୁମ କୁ,ଖୁବ ଦୃଢ଼ କଲା ନିଜକୁ।

ଆରାମ ରେ କଥା ହବାକୁ ଆରମ୍ଭ କଲା ମା ଙ୍କ ସହ ।

ପୁଅ ର ଦୁଷ୍ଟାମୀ ର ଗପ ଶୁଣି ମା ଙ୍କ ହସ ବନ୍ଦ ହଉନଥାଏ।

ଖୁବ ଗୁଡ଼େ ଗପିଲା ପରେ ତାକୁ ଲାଗିଲା ମା ଯେମିତି ଟିକେ ଶୋଇବାକୁ ଚାହୁଁଛନ୍ତି, ଏତେ ସମୟ ବି କୋଉ ବସିପାରୁଛନ୍ତି ସେ ଚେୟାର ଉପରେ।

ଖୁବ ସହଜ ଭାବେ କୌନନ୍ୟ କହିଲା "ବାପା ଟିକେ ମା କୁ ଧରିଲ ,ଶୁଆଇଦବା ବେଡ଼ରେ

ଦୁଇଟି ଶିରାଳ ହାତ ଲମ୍ବିଆସୁଥିଲା କୌନନ୍ୟ ଆଡେ।

ଆହୁତି ଓଠର ସନ୍ତୋଷର ହସ  ଲିଭୁନଥିଲା।

ଝରକା ସେପଟେ ଫୁଟିଥିବା ମଲ୍ଲି ଫୁଲର ବାସ୍ନା ସେ ଘର ସାରା ଖେଳିଯାଇଥିଲା।



Rate this content
Log in