Sunanda Mohanty

Fantasy Inspirational Thriller

4  

Sunanda Mohanty

Fantasy Inspirational Thriller

ଦେବୀ ପକ୍ଷ

ଦେବୀ ପକ୍ଷ

12 mins
246


ଚନ୍ଦ୍ରଯାନ, ଚନ୍ଦ୍ର ପୃଷ୍ଠରେ ପହଁଚିଲା ପରେ ପରେ ସେଠାକୁ କେମିତି ମଣିଷ ଯାଇ ପାରିବ ଭାବନା ଘାରିଛି ବୈଜ୍ଞାନିକମାନଙ୍କୁ ତ ଏଲିଅନ ମାନେ ପୃଥିବୀ ପୃଷ୍ଠରେ ଧୁମ ମଚେଇଲେଣିଚର୍ଚ୍ଚା ଚାଲିଛି . ରାତିରେ ଏଲିଅନମାନଙ୍କ ଛାଇ ଦେଖିବାକୁ ମିଳୁଛି ବୋଲି ଅନେକ କହିବା ଆରମ୍ଭ କଲେଣି.। ଏଲିଅନମାନେ ଯଦି ପୃଥିବୀକୁ ଆସୁଛନ୍ତି ତେବେ କୋଉଥିରେ??, କୋଉ ପକ୍ଷରେ, ପୂର୍ଣ୍ଣମୀ ନା ଅମାବାସ୍ୟା,ନା ସେମାନଙ୍କର ଉଡିବାର କ୍ଷମତା ଅଛି.। ଏସବୁ ଜାଣିବା ମଧ୍ୟ ଜରୁରୀ ଅଟେ.। ପୃଥିବୀ ପୃଷ୍ଠରେ ଏଲିଅନ ଯଦି ଜୀବନ ବଞ୍ଚାଇ ପାରୁଛି ତେବେ ମଣିଷ ଚନ୍ଦ୍ରପୃଷ୍ଠରେ ବସବାସ କରିପାରିବାଟା ନିଶ୍ଚିନ୍ତ. ଏମିତି ଏମିତି ଚିନ୍ତା କରି କରି ଜଣେ ବୈଜ୍ଞାନିକ ମୃତ୍ୟୁ ବରଣ କରିବା ପରେ ତାଙ୍କ ପୁଅ ବାପାଙ୍କ ପଥ ଅନୁସରଣ କରି ପୁଣି ପ୍ରଥମରୁ ଆରମ୍ଭ କରିବେ ଭାବି, ତାଙ୍କୁ ତିରିଶ ହେବା ବୟସରୁ ଅଶୀ ବର୍ଷ ହେବା ଯାଏଁ, ପଚାଶ ବର୍ଷ ଧରି ଗୋଟେ ଛାଇ ପାଖରୁ କିଛି ବାର୍ତ୍ତା ପାଉଥିଲେ ପଢି ବିନି ଟିକେ ଚିନ୍ତାଶୀଳ ହୋଇ ଭାବିବାକୁ ଲାଗିଲେ. ଛାଇ ମାନେ କାହାର ଛାଇ ନିଜ ବୈଜ୍ଞାନିକ ପିତାଙ୍କର, ନା କୌଣସି ଛାଇ ଆଲୁଅର କାହାଣୀ ଏହା. ଯେମିତି ତାଙ୍କ ପିଲାବେଳେ ଭୁତର ଅସ୍ତିତ୍ୱ ନାହିଁ କେବଳ ମନର ଭ୍ରମ ଓ ଛାଇ ଆଲୁଅର ଖେଳ ବୋଲି ପ୍ରମାଣିତ କରିଥିଲେ ବିନି. କଥାଟି ଏମିତି ଥିଲା.।

        ସେ କଳାର ଛାତ୍ରୀ, ନୂଆକରି କଲେଜରେ ପାଦ ଦେଇଥାଏ. ସ୍କୁଲ ସାଙ୍ଗ ଛାଡି ମାମୁଁଘର ପୁରୀ ସହରରେ, ମହିଳା କଲେଜରେ ନାମ ଲେଖାଇ ଥାଏ.ଆଉ ବାପା ମାଆ ଭାଇ ଭଉଣୀଙ୍କୁ ଛାଡି ଆଇଙ୍କ ହେପାଜତରେ ରହିଥାଏ ମାମୁଁଘରେ,ଏକମାତ୍ର ଭଉଣୀର ବଡ଼ଝିଅ ହିସାବରେ. ସେତେବେଳେ ଆଇ.ଏ ର ପ୍ରଥମ ବର୍ଷ ମୋର. ତିନିମାମୁଁ, ତିନିମାଇଁ ଓ ଛୋଟ ବଡ଼ ଭାଇଭଉଣୀମାନଙ୍କର ସବୁରି ପ୍ରିୟ ମୁଁ ହେଲେ ରଥାସାହିରେ ଥିବା ଲଗାଲଗି ତିନିଗୋଟି ଘର ଭିତରୁ ମୁଁ ଶୁଏ ଆଈଙ୍କ ସହ ଗୋଟିଏ ଘରେ ସେତେବେଳେ. ସହରୀଲୋକମାନଙ୍କର ଜମିଦାରୀ ଥାଏ ଗାଁରେ ତ, ମୋ ମାମୁଁଘରର ଜମିଦାରୀ ମଧ୍ୟ ଥାଏ ବ୍ରହ୍ମଗିରି ଅଞ୍ଚଳର ସାତିକପୁର ଠାରେ, ତ ମାମୁଁମାନେ ବିଭିର୍ଣ୍ଣ କାର୍ଯ୍ୟରେ ବେସ୍ତ ଥିବାରୁ ଆଇ ହିଁ ଯାଆନ୍ତି ଧାନଅମଳ ସମୟରେ, ପ୍ରଜାଙ୍କ ଘର ପାଖେ ରହି, ଧାନ ସବୁ ବିଲରୁ କଟା ହୋଇ ଆସି ଖଳାରେ ରୁହେ ତା ପରେ ବସ୍ତା ସବୁ ଶଗଡ଼ରେ ଲଦା ହୋଇ ପୁରୀକୁ ଆସିବା ପର୍ଯ୍ୟନ୍ତ. ଆଉ ସେ ବର୍ଷ ଥାଏ ଉଣେଇଶଶହଅଶୀ ମସିହା. ଆଇ ବାହାରିଲେ ଧାନ ଅମଳ କରି ଆଣିବାକୁ, ଆଉ ମତେ ଶୋଇବାକୁ ପଡିଲା ଏକା, କାରଣ କୌଣସି ମାମୁଁଙ୍କ ପୁଅ ଝିଅଙ୍କୁ ସେଘର ମନା ଥାଏ ତ ଆଈଙ୍କ ଅନୁପସ୍ଥିତିରେ କେହି ରାଜି ହୁଅନ୍ତି ନାହିଁ ସେ ଘରକୁ ଆସି ମୋ ପାଖରେ ଶୋଇବାକୁ, ମୁଁ ବି ରାଜିହୁଏନି ମୋ ବହିପତ୍ର, ମୋ ଜିନିଷପତ୍ର ଛାଡି ସେମାନଙ୍କ ପାଖେ ଯାଇ ଅନ୍ୟ ଘରେ ଶୋଇବାକୁ, ତ ମୁଁ ଶୁଏ ଏକା. ମୁଁ ଶୋଉଥିବା ଘର ଆଗରେ ଏକ ବଡ଼ ଚଉତରା ଓ ତା ଆଗକୁ ଧାଡି ଧାଡି ଘର, ଘର ଓ ଚଉତରା ମଝିରେ ବିରାଟ କୂଅଟିଏ.ତା ଉପରେ ନଳକୂପ ଓ ଠିକ ତା ତଳକୁ ମୁନିସିପାଲଟି କଳ.ମୁଁ ଶୋଉଥିବା ରୁମର ଝରକା ଦେଇ ଚାହିଁଲେ ସେସବୁ ଦେଖାଯାଏ ଏବଂ ଚଉତରା ଓ କୂଅ ଟପି ଯାହାର ଘର, ସେ କ୍ଷତିମାଉସୀ, ମରିଯାଇଥାଆନ୍ତି, ଆଇ ଧାନ ଅମଳ କରିଯିବାର ଠିକ ଦୁଇ କି ଚାରି ଦିନ ପୁର୍ବରୁ. ।

       ସେତେବେଳେ ଧାଡି ଧାଡି ଚାଳଘର ମଝିରେ ମଝିରେ ଛାତଘର, କ୍ଷତିମାଉସୀ, ଯେଉଁ ଘରେ ମରିଥିଲେ ସେଠାରେ କେହି ନଥିଲେ, ତାଙ୍କ ଝିଅ ଅନେକ ଦିନୁ ବାହାହୋଇ ତାଙ୍କ ସଂସାରରେ ଥିଲେ, ପୁଅଟି କୁଆଡେ ଯାତ୍ରୀ କାମରେ ଲାଗିଥାଏ, ମଝିରେ ମଝିରେ ଆସେ. ଶାରୀରିକ ଅସୁସ୍ଥତା ଭିତରେ କ୍ଷତିମାଉସୀଙ୍କ ଯନ୍ତ୍ରଣାରେ ବିଗଳିତ ହୋଇ ମୋ ମାଇଁମାନେ କେତେଥର ମୋ ହାତରେ ତାଙ୍କ ପାଇଁ ଖାଇବା ପଠାନ୍ତି.ମୁଁ ଗଲେ, ସେ ମୋ ବୋଉ ବାପାଙ୍କ କଥା ପଚାରନ୍ତି ଓ ମୁଣ୍ଡ ଆଉଁସି ଦିଅନ୍ତି.କାଳକ୍ରମେ ରୋଗ ଓ କ୍ଷୁଧା ଜନିତ କଷ୍ଟରେ ସେ ମୃତ୍ୟୁ ବରଣ କଲେ.।

  କ୍ଷତିମାଉସୀ ମରିବା ପରେ ସାହିପଡିଶା ଓ ମାଇଁମାନେ ବହୁତ ଦୁଃଖ ତ କଲେ କିନ୍ତୁ ତାଙ୍କର ବହୁତ ଅବଶୋଷ ରହିଗଲା ଓ ସେଥିପାଇଁ ପୁଅକୁ ନଦେଖି ମରିଥିବାରୁ ସେ ସ୍ୱଶରୀରରେ ମୃତ୍ୟୁ ପରେ ବି ଧଳାଲୁଗା ପିନ୍ଧି ଠିଆହେଉଛନ୍ତି ଭଳି କଥାବାର୍ତ୍ତା ମୋ କାନରେ ପଡେ, ତାଙ୍କ ପରିବାର ବା ତାଙ୍କ ଇତିହାସ ତ ମୁଁ ଭଲକି ଜାଣିନଥାଏ ହେଲେ ମତେ ଦେଖିଲେ ତାଙ୍କ ବିଷୟରେ କଥାବାର୍ତ୍ତା ବନ୍ଦ କରି ଚୁପ ହେଇଯାନ୍ତି ସମସ୍ତେ ଆଉ ପଛରୁ କହିବାର ମୁଁ ଶୁଣିପାରେ ପିଲାଲୋକ ଡରିବେ, ଏକୁଟିଆ ଶୋଉଛନ୍ତି, ମୁଁ ବି ମନେ ମନେ ହସିକି ଚାଲିଯାଏ କିଛି ନଜାଣିଲା ଭଳିଆ ଆଉ ବସିଯାଏ ମୋ ରୁମର ମୋ ଖଟଉପରେ, ହାତପାଖ ସେଲ୍ଫରେ ବହି ଥାକ ଥାକ, ପଢା ବହି ସହ ବିଭୁତି ପଟ୍ଟନାୟକ ଓ ପ୍ରତିଭା ରାଏଙ୍କର କିଛି କିଛି ବହି ତଥା ମୋ ହାତଲେଖା କବିତା ଓ ଆଧୁନିକ ଗୀତ ଓ ଶିଶୁଗୀତ ଖାତା, ତା ଭିତରେ କିଛି ଆର୍ଟ ବି ମୁଁ କରେ କେବେ କେବେ, ଖାଇବାବେଳ ହେଲେ ଯାଏ ଆରପଟ ଘରକୁ ଚଉତରା ଟପି ତ, ସେଦିନ ବଡମାଇଁ କହିଲେ ଝିଅ ମୁଁ ତୁମଘରେ ତୁମ ରୁମରେ ଖାଇବା ଦେଇଆସିବି ତମେ ଆଉ ରାତିରେ ବାହାରକୁ ଚଉତରା ଟପି ଏ ଘରକୁ ଆସନାହିଁ.ତାଙ୍କ ସଙ୍ଗେ ତାଳ ଧରୁଥିଲେ ମଝିଆଁ ଓ ସାନମାଇଁ, କାହିଁକିର ଉତ୍ତର ସିନା ସେମାନେ ଆଡେଇ ଯାଇଥିଲେ ହେଲେ ମୁଁ ଠିକ ଜାଣିଛି ଏଵେ କୁଆଡେ ମରିଯାଇଥିବା କ୍ଷତିମାଉସୀ ଆସି ଠିଆହେଉଛନ୍ତି ତାଙ୍କ ଘରକୁ ଲାଗି,କେବେ ବି ବସି ରହୁଛନ୍ତି ପୁଣି ଆଣ୍ଠୁମାଡ଼ି ତ ପୁଣି କେବେ ଗୋଡ଼ଲମ୍ବେଇ, ଏକଥା ମତେ ପ୍ରତ୍ୟକ୍ଷରେ କେହି ନକହିଲେବି ଆଲୋଚନାର ମୁଖ୍ୟାଂଶରୁ ମୁଁ ଜାଣିସାରିଥାଏ ଆଉ ସେଦିନ ସାନ ଦୁଇମାଇଁ ଚଉତରା ଦେଇ ରାସ୍ତା ପାଖ ଘରଯାଏଁ ଛାଡ଼ିଦେଇ ଗଲେ ଆଉ ଝରକା ବନ୍ଦ କରିବାକୁ ତାଗିଦ କରିଗଲେ.କିଛି ନଜାଣିଲା ଭଳି ମୁଁ, ହଁ ହଁ ମୋର କିଛି ଅସୁବିଧା ନାହିଁ କହି ତାଙ୍କୁ ବିଦାୟ ଦେଲି ସତ ହେଲେ ଝରକା ଦେଇ ଅକ୍ଷୟ ମହାନ୍ତିଙ୍କ "ସ୍ମୃତି ତୁମେ.... "ଓ ଅନେକ ଆଧୁନିକ ଗୀତ ଗୁଣୁଗୁଣେଇବା ସହ ବାପା ମାଆ ଭାଇ ଭଉଣୀଙ୍କୁ ଛାଡି ଆଈଙ୍କ ଅନୁପସ୍ଥିତି ଓ କ୍ଷତିମାଉସୀଙ୍କ ମୃତ୍ୟୁର ଅସାଧାରଣ ଗୁଜବ ସବୁକୁ ନେଇ ବାପାଙ୍କ ପାଖକୁ ଚିଠି ଲେଖି ବସିଲି, ଲେଖିସାରିବା ପରେ ଜହ୍ନମାମୁଁ ପଢୁ ପଢୁ ମୋ ଝରକା ଦେଇ ଚାହିଁଲି କ୍ଷତିମାଉସୀ ଓ ଜଣେ ସାରଙ୍କ ଘର ମଝିରେ ଛୋଟ କହିଲେ ଭୁଲ ହେବ ମଧ୍ୟମ ଧରଣର ପଡ଼ିଆଟିଏ ସେଠି. ସାରଙ୍କ ଘରଲୋକ ପ୍ରାୟ ଦାଣ୍ଡପଟେ ନଥାନ୍ତି ଆଉ କ୍ଷତିମାଉସୀଙ୍କ ଘରେ ତାଲା.ତାପରେ ଯେଉଁ ଘର ସବୁ ମତେ ଦେଖାଯାଏନା.ଆଉ ଏପଟେ ସାରଙ୍କ ଘର ପରେ ପରେ ବୁଲୁମାମୁଁଙ୍କ ଘର, କୋଉଠି ଅଧ୍ୟାପକ ସିଏ.ଢେର ରାତିଯାଏଁ ଲେଖାପଢ଼ା କରନ୍ତି ଦାଣ୍ଡପଟେ.ଏଵେ ସେ ରହୁନାହାନ୍ତି, ତାପରେ ଚତୁର୍ଭୁଜ ପରି ବଙ୍କେଇ ଯାଇଛି ମୋ ଅନ୍ୟ ମାମୁଁ ମାଇଁମାନଙ୍କ ଘର ଯାଏଁ.ପୁଣି ଜଣେ ସାରଙ୍କ ଘର ଛାଡି ମୁଁ ରହୁଥିବା ଘର, ତଳପଟ ଚାବି, ଉପରପଟେ ମୁଁ.ଘରଟା ରାସ୍ତାକୁ ଲାଗିଛି, ଗହଳି ଚହଳି ପ୍ରାୟ ଥାଏ .ଆଇ ଥିଲାବେଳେ କବାଟ ବି ଦିଆଯାଏନା ଆଉ ଏଵେ ମୁଁ ସେତିକି ଜଗେ ନିହାତି, ଆଉ ସେଇ ଖୋଲା ଝରକା ଦେଇ ଭାବେ, କ୍ଷତିମାଉସୀ ଘରକୁ ଚାହେଁ,ସତରେ କଣ ମୃତ୍ୟୁ ପରେ ମାଉସୀଙ୍କ ଆତ୍ମା ଆସୁଛି?ସେ ମରିଗଲା ପରଠୁ ପୁଅ ଆସିନି, ଝିଅ ଜୋଇଁ ଯଥାକଥା କ୍ରିୟାକର୍ମ କଲେ, ଏମିତି ସବୁ ମରିଗଲା ପରେ ଯାହା ମନରେ ଯାହାଥାଏ ସେସବୁ ପୂରଣ କରିବାକୁ ମଣିଷ ପ୍ରେତାତ୍ମା ହୋଇ ଘୁରି ବୁଲେ?

    ଏଵେ କଲେଜକୁ ଆସିବା ପରେ ମୋ ନୂଆ ସାଙ୍ଗ କିଏ କେମିତି 'ଉଇଜଡ଼ମ 'ନାମରେ ପତ୍ରିକା ଆଣନ୍ତି, ଇଂରାଜି, ବୁଝିବାକୁ କଷ୍ଟ ହେଲେବି କେତେକଥା ଏଇ ପ୍ରେତାତ୍ମାର ଅସ୍ତିତ୍ବ ବିଷୟରେ ମୁଁ ପଢିଛି, ଯେମିତିକି, "ଥରେ ଗୋଟିଏ ଝିଅ ରିକ୍ସାରୁ ଓଲ୍ହେଇ ରିକ୍ସାବାଲାକୁ ପଇସା ଦେଲାବେଳେ ଦିଖିଛି ରିକ୍ସାବାଲାର ଲମ୍ବିଆସିଥିବା ହାତଟି ଗୋଟିଏ ଲୋମଶ ଓ ନଖ ବଡ଼ବଡ଼ ବଣମଣିଷ ହାତ ଭଳି, ତ ଝିଅଟି ଚମକି ଉଠିଛି ହେଲେ ନିଜର କିଛି ଭୁଲ ଭାବି କଲେଜରେ ଯେତେବେଳେ ଲାଇବ୍ରେରିଆନ ପାଖରୁ ବହି ନେଇଛି ତାଙ୍କ ହାତଟି ସେମିତି ଦିଖିଛି, ଟିକେ ଡରିଯାଇଛି ଝିଅଟି ତଥାପି ସାହାସ କରି ଆଖିର ଦୋଷ ଭାବି ଅଟୋରେ ଫେରିବାବେଳେ ଅଟୋବାଲାକୁ ପଇସା ଦେବାକୁ ଯାଇ, ତାର ସେମିତି ହାତ ଦିଖିଛି ତ, ଦୌଡିବାକୁ ଲାଗିଛି, ସବୁକଥା ନିଜ ଭିତରେ ଚାପିରଖି ଜେଜେମା ପାଖରେ ଶୋଇ ସବୁକଥା କହିଛି ତ ଯେଜେମା ଆଉଁସି ଦେଉଥିବା ହାତଟି ଠିକ ସେହିପରି ଦେଖି ଦଉଡିଆସି ମାଆ ପାଖେ ସବୁ କହିଛି ତ ମାଆ ସାନ୍ତ୍ୱନା ଦେବା ପାଇଁ ତା ହାତ ଧରିନେଇଛନ୍ତି ତ ମାଆଙ୍କ ହାତଟି ସେମିତି ଦେଖି ଝିଅଟି ହାର୍ଟଫେଲ କରିଯାଇଛି ", ଏହି ଗଳ୍ପ ବା କଥାବସ୍ତୁ ସମେସ୍ତେ ସତ କଥା କହି ସିରିଏସ ହେଲାବେଳେ, ମୁଁ କିନ୍ତୁ ହସେ କୁହେ ଗପଟିଏ ହୁଏତ ହୋଇଥିବ, ଏମିତି ଏମିତି ଅନେକ କଥା ସେ ବହିରେ ବାହାରେ.।

    ଥରେ ଜଣେ ଡାକ୍ତର ରାତିରେ ହସ୍ପିଟାଲରେ କାମ କରୁଥିଲା ବେଳେ ଶବଟି ଶଯ୍ୟା ଉପରୁ ଉଠି ବସିଯିବା କଥା ଓ ଥରେ କେମିତି ଚାରିସାଙ୍ଗ ସମ୍ପର୍କୀୟଙ୍କ ଶବ ଜଗି ତାସ ଖେଳୁଥିଲା ବେଳେ ଶବ ଆଡକୁ ଚାଂହିଥିବା ସାଙ୍ଗ ଦେଖିଛି ଶବ ଉଠିଆସୁଛି ଅଣ୍ଟା ଯାଏଁ ତ କିଛି ନକହି ସେ ବାହାରକୁ ଚାଲିଯାଇଛି ତା ପରେ ପରେ ଦ୍ୱିତୀୟ ଓ ତୃତୀୟ ସାଙ୍ଗ ବି ସେମିତି କିଛି ଦେଖି ବାହାରକୁ ଯିବା ପରେ ଚତୁର୍ଥ ସାଙ୍ଗ ଦିଖିଛି ଶବଟି ବିଞ୍ଛଣାରେ ବସିଛି ତ ସେ ସେଇଠି ହାର୍ଟଫେଲ କରିଯାଇଛି.ଏକଥା ପଢି ସମେସ୍ତେ ଖାଲି ଭୂତ ପ୍ରେତ ବିଷୟରେ କେତେ ନା କେତେ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି ତ, ମୁଁ କୁହେ ଆରେ ମରିଯିବା ପରେ ଶିରା ପ୍ରଶିରା ସକ୍ରିୟ ଥାଏ ତ ଏମିତି ସଂକୋଚନ ପ୍ରସାରଣ ହୋଇପାରେ, ଦ୍ୱିତୀୟ କଥା ମରିଯାଇଥିବା ଲୋକ ବଞ୍ଚିଛି ଦେଖି ସତ୍ୟସତ ପରୀକ୍ଷା କରି ଖୁସି ହେବା କଥା, ଡର କାହିଁକି? ତୃତୀୟରେ ଜଣେ ଅନ୍ୟ ଜଣଙ୍କୁ କହିବା କଥା, ମୋ କଥା ଶୁଣି ସମେସ୍ତେ କହନ୍ତି ସେମିତି କହନା, ତୋ ସଙ୍ଗେ ସେମିତି ହେଲେ ଜାଣିବୁ, ମୁଁ ଚୁପ ରହେ ଆଉ ଦିନକର ଏମିତି ଏକ ଗଳ୍ପ ବା ସତ ଘଟଣା ଆଧାରିତ କଥାରେ ମୁଁ ମୋ ବିଶ୍ୱାସକୁ ବଢ଼େଇ ଦେଇଥିଲି ଦୁଇଗୁଣା, ଯେମିତିକି ଜଣେ ଡାକ୍ତର ମୋରି ଭଳି ଭୂତ ପ୍ରେତର ବିଶ୍ୱାସୀ ନଥିଲେ, ତ ସାଙ୍ଗମାନେ ତାଙ୍କ ସହ ଯୁକ୍ତି କରିଥିଲେ ଆଉ ବାଜି ରଖିଥିଲେ, ତୁ ଯଦି ରାତି ବାରଟାରେ ଶବଟିଏ ହାତରେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲା ଭଳି କଣ୍ଟା ବାଡେଇ ପାରିବୁ ତ ଆମେ ଜାଣିବୁ. ହଁ ପାରିବି କହି ସେଦିନ ରାତି ବାରଟାରେ ବାହାରିଗଲେ ଡାକ୍ତରବାବୁ, ଆଉ ଶବ ଟିଏ ଠିଆ କରେଇ ଏକା ଏକା ତା ହାତ କାଂଥରେ ରଖି ପିଟିବାକୁ ଲାଗିଲେ କଣ୍ଟା ହେଲେ ଏକୁଟିଆ, ଶବକୁ କାଂଥରେ ଠିଆ କରିରଖିବା, ହାତ ନେଇ କାନ୍ଥରେ ଲାଗାଇ କଣ୍ଟା ପିଟିବାରେ ସେ ଭୟ ନୁହେଁ ବରଂ ପରିଶ୍ରମ କରି ଝାଳ ସରସର ହୋଇଯାଇଥିଲେ ବି କରିପାରିଥିଲେ, ହେଲେ ପଛକୁ ବୁଲି ଆସିବା ବେଳକୁ ଦେଖିଲେ କେହି ତାଙ୍କୁ ଭିଡି ଧରୁଛି, ତାଙ୍କ ଚିତ୍କାର ଶୁଣି ସାଙ୍ଗ ମାନେ ଯାଇ ଦେଖିଲା ବେଳକୁ ଡାକ୍ତର ମୃତ.ଆଉ ଶବ ହାତରେ କଣ୍ଟା ସହ ଡାକ୍ତରଙ୍କ ଧୋତିର କିଛି ଅଂଶ ପିଟିହୋଇ ଲାଗିଛି କଣ୍ଟା ସହ."ସମେସ୍ତେ ଏହା ପରେ କିଛି କିଛି ଏକମତ ହୋଇଥିଲେ ଯେ ପ୍ରକୃତରେ ଭୟ ହିଁ ବଡ ଶତ୍ରୁ, ହେଲେ ଭୂତ ପ୍ରେତର ଅସ୍ତିତ୍ବ ଯେ ଅଛି ସେମାନେ ଦୃଢ଼ତାର ସହ କୁହନ୍ତି ତ ମୁଁ ହସିଦିଏ ତ ସେମାନେ ପୁଣି କପ ସାହାଯ୍ୟରେ କେମିତି ଆତ୍ମା କୁ ଡକାଯାଏ, ପ୍ରଶ୍ନ ପଚରାଯାଏ, ଏମିତିକି ଦେଶର ବଡ଼ବଡ଼ ଜନନାୟକଙ୍କୁ ବି ଡକାଯାଏ ଓ ସେମାନେ କପ ମାଧ୍ୟମରେ ଆତ୍ମା ପଠେଇ ସବୁ ପ୍ରଶ୍ନର ଉତ୍ତର ସହ ଆଶୁ ସମସ୍ୟାର ସମାଧାନର ପ୍ରଣାଳୀ ସବୁ ବାଖ୍ୟା କରନ୍ତି କେମିତି ଉତ୍ତରରେ,ମୁଁ ନିର୍ଭିକ ଭାବେ କୁହେ ହାତ ଏତେ ସମୟ ଧରି କପ ଉପରେ ରଖିଲେ ନିଶ୍ଚୟ ଖସିବ ଏଣେ ତେଣେ ଆଉ କପ ଯୁଆଡେ ଗଲା ସେଇ ସିମ୍ବଲ ବା ଲେଖାକୁ ପ୍ରତାତ୍ମା କହିଲା ବୋଲି ଧରିନିଆଯାଏ, ହେଲେ ଆତ୍ମା କହିବା ମୁଁ ମାନିନେଇପାରିବିନି ତ ମୁଁହ ମୋଡ଼ି ସାଙ୍ଗମାନେ ଚାଲିଯାନ୍ତି, ସେହିସବୁ କଥା ମନେପକାଇ ଶୋଇବାକୁ ଚେଷ୍ଟା କଲି ମୁଁ ହେଲେ ଲାଇଟ ଲିଭେଇ ନୁହେଁ ବରଂ ଜଳେଇ ଓ ପ୍ରଥମ ଥର ମୁଁହ ଘୋଡେଇ ଆଉ ହନୁମାନ ଚାଳିଶା ବୋଲି ବୋଲି.।

 ତା ପରଦିନ ସବୁ ସ୍ୱାଭାବିକ ହେଲେ ମାଇଁମାନଙ୍କ ସନ୍ଦିଗ୍ଧ ଦୃଷ୍ଟି ମତେ କେମିତି କେମିତି ଲାଗେ. ସେମାନେ ଗୋଟିଏ ଜିଦ କରୁଥିଲେ ଯେ ଏପଟ ଘରକୁ ଆସ, ଆଉ ମୋର ଗୋଟିଏ ଉତ୍ତର ବହି ପଢ଼ାପଢ଼ି ଲେଖାଲେଖି ଅସୁବିଧା ହେବ, ଲାଇବ୍ରେରୀ ବହିରୁ ଟିପି ନୋଟ ନକଲେ ଅନ୍ୟ ପିଲାଙ୍କୁ ଦେବି କେମିତି?? ତ ମାମୁଁ ଝିଅ ଭଉଣୀ ଜଣେ ରୀନା ସେ ହିଁ ଶୋଇଲା ମୋ ପାଖେ ହେଲେ ତା ଆଚରଣ, କାର୍ଯ୍ୟକଳାପ କ୍ଷତିମାଉସୀଙ୍କ ଭୂତଠୁ ବି ଟିକିଏ ବେଶୀ ଥିଲା ଲାଇବ୍ରେରୀ ଆଇଡେଣ୍ଟିଟି କାର୍ଡରୁ ଫଟୋ ଖୋଲି ନେଲା, ମୁଁ ଖୋଜିଲା ବେଳକୁ ମୋ ଗାଉନ ଉଭାନ, କେତେବେଳେ ଚୁଡିଦାର ଉପର ଗାଉନ ସେ ନେଇଯାଇଛି, ତ କେତେବେଳେ ମୋ କବିତା ଖାତାର ପୃଷ୍ଠା ଚିରି ଦେଇଛି ପୁଣି କେତେବେଳେ ମୋ ମୋ ପଇସା ନିଅଣ୍ଟ ଓ ଗାଏବ, ଯାହା କହିହେବନି ତ ମୁଁ ତାକୁ ମୋଠୁ ଦୁରେଇବା ପାଇଁ ଜବରଦସ୍ତ ଝରକା ଖୋଲା ରଖି ଶୋଇବାକୁ ଲାଗିଲି, ତ ତାର ଭୀଷଣ ବିରୋଧ.ପ୍ରଥମ ଅଭିଯୋଗ ମଶା ଆସିବେ, ତ ଆମେ ମଶାରୀ ଟାଣୁଥିଲୁ, ଦ୍ୱିତୀୟ ଅଭିଯୋଗ ରାସ୍ତା ଲୋକ ଉଠିଆସି କାଳେ ଆମକୁ ଦେଖିବେ ତ ଯିବା ଆସିବା ଚାଲିଛି ଆଉ କ୍ଷତିମାଉସୀଙ୍କ ଦାଣ୍ଡ ଦୁଆରେ ଥିବା ଇଲେକ୍ଟ୍ରି ଲାଇଟ ତ ସିଧା ଆମ ଦୁଆରେ ପଡେ, କିଏ ସାହସ କରି ପାହାଚ ଚଢି ପିଣ୍ଡା ଉଠି ଝରକା ବାଟେ ଆମକୁ ଦେଖିବ, ପୁଣି ଝରକା ସେପଟେ ଦେଖିଲେ ବା କଣ କରିପାରିବ? ତ ସେ ଚିହିଁକି ଉଠିଲା ତୁ ଯଦି ଝରକା ଖୋଲି ଶୋଇବୁ ଶୁଅ, ମୁଁ ତୋ ପାଖେ ଶୋଇବି ନାହିଁ, କାହିଁକି ଉତ୍ତରରେ, ସମସ୍ତେ ଯେଉଁଟା ଖୋଲି କହୁନଥିଲେ କହିଦେଲା ସତମିଛ ଦ୍ଵିଗୁଣ କରି ଯେ କ୍ଷତି ମାଉସୀ ସେଇ ପଡିଆରେ ଠିଆ ହେଉଛି ଆଉ ବସୁଛି ବେଳେବେଳେ, କାନ୍ଦୁଛି ଆଉ ଏଇ ଦୁଆର ଯାଏଁ ବି ଆସୁଛି, ହଁ ହଁ ହେଇଥିବ, ହେଲେ ଝରକା ଦେଇ ମୁଁ ଘରର ଭେଣ୍ଟିଲେସନ ପ୍ରତିହତ କରି ଶୋଇପାରିବି ନାହିଁ, ତ ମୋ ବୁଦ୍ଧିରେ ରୀନା ମୋ ପାଖେ ଶୋଇବା ବନ୍ଦ ଆଉ ମାମୁଁ ମାଇଁଙ୍କ ତାଗିଦ ରେ ମୁଁ ଆଠଟା ରେ ଖାଇ ଚାଲିଆସେ ବା ନେଇକି ଚାଲିଆସେ ରୁମକୁ.।

    ସେଦିନ ରାତି ପ୍ରାୟ ଆଠଟା ହେବ ବଡମାଇଁ ଆସି କହିଦେଇଗଲେ, ଝିଅ ରୁଟି କରିବା ଆଜି ଡେରି ହେବ ତମେ ଭାତ ଖାଇ ନିଅ, ମୁଁ ମନାକଲି, ମୋ ପାଖେ ରହୁଥିବା ଛୋଟ ମୋଟ ଜଳଖିଆ ଯେମିତିକି ପାଉଁରୁଟି କେକ, ବିସ୍କୁଟ, ମିକ୍ସଚର, ଛଣାସେଉ, ବୁଟଭଜା, ଚୁଡା ଓ ମୁଢି ଭଜା ଇତ୍ୟାଦିରୁ ମୁଁ କିଛି କିଛି ଖାଇଛି, ଭୋଖ ନାହିଁ, ରୁଟି କାରିବା ଡେରି ହେଲେ ଚଳିବ, ମୁଁ ନଅ ଟାରେ ଖାଇବାକୁଯିବି.ନାଇଁ ନାଇଁ ତମେ ଆସିବନି, ମୁଁ ଆସି ଦେଇଯିବି, ତମେ ପଢୁଥା.ତ ସେ ଚାଲିଯିବା ପରେ, ବାପାଙ୍କଠୁଁ ଆସିଥିବା ଚିଠି ସବୁ ପଢ଼ିଲି, ଛୋଟ ଭାଇ ଭଉଣୀ ବି କିଛି କିଛି ଲେଖିଥିବା କଥା ପଢି ଲୁହ ଜଡ଼ସଡ଼ ରେ ଝରକା ଦେଇ ଚାହିଁଲି ବାହାରକୁ. ଚତୁର୍ଭୁଜାକାର ସ୍ଥାନଟିର ରାସ୍ତାପଟକୁ ଘରଟିରେ ମୁଁ, ତେଣୁ କ୍ଷତିମାଉସୀଙ୍କ ଘରଯାଏଁ ମୋ ଆଖିପାଏ, ଆଉ ଆଜି ରାସ୍ତାରେ ଗହଳି ଚହଳି ନଥିଲା ସେମିତି ତ ଆପଣା ଛାଏଁ ମୁନିସପାଲଟି ଲାଇଟଖୁଣ୍ଟି ସିଧା ଥିବା, କ୍ଷତିମାଉସୀଙ୍କ ଘରକୁ ଲାଗିଥିବା ପଡିଆଟି ଉପରକୁ ମୋ ନଜର ଚାଲିଗଲା.ଆଉ ତାଆ ଭିତରେ ମୁଁ ଦେଖୁଥିଲି ମୋ ନିଜ ହୃଦୟରେ ଯେଉଁମାନଙ୍କୁ ଝୁରୁଥିଲି, ସତେ ଯେମିତି ମୋ ବାପା ବୋଉ ମୋ ଭାଇଭଉଣୀ ଙ୍କ ସାଙ୍ଗରେ ବିତିଥିବା ଦିନ, ଆଉ କଲେଜ ଛୁଟି ହେବାକୁ ଢେର ଦିନ ବାକି, ମୋ ସ୍ମୃତିରେ ସତ ସାଉଁଟୁ ସାଉଁଟୁ ମୁଁ ହଠାତ ଜଡ଼ସଡ଼ ହୋଇ ଚମକି ପଡିଲି, ସତରେ ମତେ ଲାଗିଲା ଶୁଭ୍ର ବସ୍ତ୍ର ପରିହିତା କେହିଜଣେ ସେହି ଖୋଲା ପଡିଆରେ କ୍ଷତିମାଉସୀ କାନ୍ଥକୁ ଆଉଜି, ହଠାତ କେମିତି ଗୋଟେ ଲାଗିଲା ମତେ, ଆଉ ମୁଁ ସ୍ଥିର ହୋଇଗଲି, ଅବିଚଳିତ ହୋଇଗଲି, ସତରେ ତ ଖାଲି ଠିଆ ହୋଇନାହାନ୍ତି, ଏପଟ ସେପଟ ବି ହଉଛନ୍ତି ମୋର ଏତେ ଦିନର ବିଶ୍ୱାସକୁ ଖିନଭିନ କରି, ତଥାପି ମୁଁ ସନ୍ତର୍ପଣରେ ଦାଣ୍ଡକବାଟ ଖୋଲି ଦାଣ୍ଡପିଣ୍ଡାକୁ ଆସିଲି.ପିଣ୍ଡାକୁ ଲାଗି ରାସ୍ତା ପଟକୁ ଦୁଆରେ ଗୋଟେ ସିମେଣ୍ଟ ଚୌକି, ବସିଲି ସେଠି, ଚାହିଁଲି, ସାମନାରେ ଚଉତରା, ଚଉତରା ସେପଟେ କୂଅ ଓ କୂଅ ଉପରେ ନଳକୂପ, ତା ତଳକୁ ମୁନିସପାଲଟି ନଳ ଓ ପାଖକୁ ଲାଗି ଇଲେକଟ୍ରିଖୁଣ୍ଟ, ଖୁଣ୍ଟି ସିଧାରେ ସାରଙ୍କ ଘର ଖୁଂଟିର ତୀର୍ଯ୍ୟକ ସେ ପଡିଆ ଓ ତା ପରକୁ କ୍ଷତିମାଉସୀଙ୍କ ଘର ଆଉ ସେଇ କାନ୍ଥରେ କ୍ଷତି ମାଉସୀ. ନହେଲେ ବି କେହି ଜଣେ !

   ଆଜି ପର୍ଯ୍ୟନ୍ତ ଥିବା ବିଶ୍ୱାସକୁ ଅବିଶ୍ୱାସ ରେ ପରିଣତ କରିବାର ସାହାସ ଓ ଧର୍ଯ୍ୟ ତଥା ମୋ ମନର ବଳିଷ୍ଠ ପ୍ରମାଣ ମତେ ପାହାଚ ଦେଇ ଚଉତରାର ଗୋଟିଏ ମୁଣ୍ଡରେ ଠିଆ ହେବା ଯାଏଁ ରାସ୍ତା କଢ଼େଇଲା. ମୋ ଡାହାଣ ପାର୍ଶ୍ୱରେ ଦୁରକୁ ଚାହିଁଲେ ବଡମାଇଁ ରୁଟି କରି ଡାଲମାର ଛୁଙ୍କ ଦେଉଛନ୍ତି ବୋଧହୁଏ, ଅନ୍ୟ ଘରର ଝରକା କବାଟ ଫାଙ୍କ ଦେଇ କିଛି ଲାଇଟ ପଡୁଛି, ହେଲେ ବାହାରେ କେହି ନାହିଁ, ତଥାପି ରାସ୍ତା ରେ କାଁ ଭାଁ କିଏ ପାଦରେ ତ କିଏ ସାଇକେଲରେ ତ କେବେ କେବେ ରିକ୍ସା ବାଲାଟିଏ ଯାଉଛି ଯାତ୍ରୀ ନେଇ ବା କେବେ ଘଣ୍ଟି ଟିନ ଟିନ କରି, ତ ସାହାସ ବଢିଯାଉଛି ମୋର, ଅବିଚଳିତ ଅବସ୍ଥାରେ ରାତିରେ ସେ ନିଛାଟିଆ ପଡିଆରେ ସତରେ କଣ କ୍ଷତିମାଉସୀଙ୍କ ପ୍ରେତାତ୍ମା? ଆଉ ଟିକେ ଆଗକୁ ଗଲି, କୂଅ ମୂଳରୁ ଆସିଥିବା ନଳା, ଚଉତରା ଧାରେ ଧାରେ, ସେଥିରେ ଗୋଡ଼ ପଶିଗଲା ତଥାପି ମୋ ନିଜ କଥା ମୁଁ ଦୋହରେଇ ଆଗକୁ ବଢ଼ିଲି ଆଉ ଭାବିଲି ଯଦି ପ୍ରକୃତରେ କ୍ଷତିମାଉସୀ ତେବେ ଡରିବାର କଣ ଅଛି??? ହେଲେ ଗୋଟାପଣେ ଝାଳ ଦେହସାରା, ଆଉଟିକେ ବଢ଼ିଲି, ଚଉତରାର ଚତୁର୍ପାର୍ଶ୍ୱରେ ବସିବାପାଇଁ ଉଦିଷ୍ଟ ଚାରିଗୋଟି ଚୌକି ଭିତରୁ ପ୍ରଥମଟି ମୋ ରୁମ ସାମନା, ତାକୁ ଟପି ସାରି ମୁଁ ଦ୍ୱିତୀୟ ଚୌକି ପାଖାପାଖି, ତାକୁ ଲାଗି କୂଅ, ମୁଁ ସେ ଯାଏଁ ସ୍ଥିର ଅପଲକ ଦୃଷ୍ଟି ରେ ଚାହିଁଲି, ସତରେ କଣ କ୍ଷତି ମାଉସୀ?ଏଵେ ମୁଁ ଆଉ ବଡମାଇଁଙ୍କୁ ଦେଖିପାରୁନଥିଲି, ବରଂ କାଁ ଭାଁ ଯାଉଥିବା ଲୋକ ମୋ ଆଡକୁ ଦୃଷ୍ଟି ପହଁରେଇ ନେଉଥିଲେ, ମୁଁ ବି ଭାବୁଥିଲି ପଛକୁ ଫେରିଯାଇ ପାହାଚ ଚଢି ଦାଣ୍ଡଦୁଆର ଟପି ଦାଣ୍ଡ କବାଟ କିଳି ଶୋଇଯିବି ନହେଲେ ବଡମାଇଁଙ୍କ ପାଖକୁ ଦଉଡିଯାଇ କହିବି ରୁଟି ସରିଲାଣି କି ମତେ ଖାଇବାକୁ ଦିଅ, ହେଲେ ସେ ଯଦି ମତେ ପଚାରନ୍ତି, ଏମିତି ଝାଳ କାହିଁ ବୋହି ଯାଉଛି? ଯଦି ପଚାରନ୍ତି ମୁଁ ତ ନେଇ ଦେଇ ଆସିବି କହିଥିଲି ତମେ କାହିଁ ଆସିଲ? କି ଉତ୍ତର ଦେବି??? 

    ତଥାପି ସାହସ କରି ଚାହିଁଲି ପଡିଆକୁ ଆଉ ହାତ ଗୋଡ଼ ଲମ୍ବେଇ କ୍ଷତିମାଉସୀ ବସିଥିବାର ଦେଖିପାରିଲି, ତଥାପି ବିସ୍ଲେସଣ କରିବାକୁ ଲାଗିଲି, ଚାଳଘରୁ ଓହଳିଥିବା ବିଭିର୍ଣ୍ଣ ସାଇଜର କୁଟା ମହଳଣ ଆଲୋକ ଭିତରେ କିଛି କିଛି ଛବି ସୃଷ୍ଟି କରୁଛି, ତା ସାଙ୍ଗକୁ ମୃଦୁ ପବନର ହାଲକା ଦୋଳନ ମଧ୍ୟ ଛବିଟିକୁ କେବେ ବସିଲା ଭଳି କେବେ ଠିଆ ହେଲାଭଳି ଦୃଶ୍ୟ ଗୋଚର ହେଉଛି, ଆଉ ନହେଲେ ଗୋଟେ ପଲକ ଭିତରେ ଛବିଟି ଏତେ ବଦଳୁଛି କେମିତି,??? ଆଉ ଧଳା ଲୁଗା ଆଉ କିଛି ନୁହେଁ, କ୍ଷତିମାଉସୀଙ୍କ କାନ୍ଥର ଧଳା ଚୁନରଙ୍ଗରେ ଲାଇଟ ପଡି ତା ସହ ନଡା ଓ କୁଟା ମାନଙ୍କର ଦୋଳାୟିତ ଛବିର ଫେଣ୍ଟାଫେଣ୍ଟି ସମ୍ମିଶ୍ରଣ ଯେ କ୍ଷତିମାଉସୀଙ୍କ ଭୂତ, ଏଥିରେ ମୋର ସନ୍ଦେହ ନଥିଲା, ଫେରିଲି ଘରକୁ, ଦୁଆର ବି ଦେଲି, ଲାଇଟ ଲିଭାଇ ଲଣ୍ଠନ ଜାଳିଲି, ଲଣ୍ଠନ ଆଲୁଅ ଭିତରେ ମୋ ହାତରେ ବିଭିର୍ଣ୍ଣ ଭଙ୍ଗୀ ସୃଷ୍ଟି କରି ଚାହିଁଲି ଧଳା ଚୂନବୋଳା କାନ୍ଥକୁ ଆଉ ନିଉଟନ ଇଉରେକା କହିଲା ଭଳି, ମୁଁ ପାଇଗଲି ମୋ ଉତ୍ତର, ହସିଉଠିଲି, ତ ମାଇଁ ଡାକୁଥିଲେ ଦୁଆରେ, ମୁଁ ହସୁଥିବାର ଦେଖି କହିଲେ କଣ ହେଲା? ମୁଁ କହିଲି ନାଇଁ ଗୋଟେ ମଜ୍ଜା ଗପ ପଢ଼ୁଥିଲି ତ, ତମକୁ କାଲି କହିବି, ଖାଇବା ଦେଇ, ମୋ ଦୁଇ କବାଟ ଆଗ ଓ ପଛ ଠିକ ସେ ଦିଆହେଲା କି ନାହିଁ ସବୁ ତଦାରଖ କରି ଝରକା ଦେଇ ଓ ଝରକାରେ କୋଲପ ପକେଇ ଲଣ୍ଠନ ଲିଭେଇ ଲାଇଟ ଜାଳି ମୁଁ ଭିତରୁ କବାଟ ଦେଲାପରେ ସେ ଚାଲିଗଲେ, ଆଉ ମୁଁ ସେଦିନ ପରମ ଆଶ୍ବସ୍ତିରେ ମୁଁହରୁ ଚାଦର କାଢି ଇଲେକ୍ଟ୍ରି ଲାଇଟ ବନ୍ଦ କରି ଶୋଇଗଲି ଶାନ୍ତିରେ. 

      ତା ଆରଦିନ ସବୁକଥା କହିଥିଲି ତିନିମାଇଁକୁ, ଗାଳି ଖାଇଥିଲି, ମାମୁଁମାନଙ୍କୁ କୁହାଯିବାର ଧମକ ପାଇଥିଲି ଆଇଙ୍କୁ ଏକଥା କୁହାଯିବ ଧମକରେ ମୁଁ ଶୀହରିତ ହୋଇଥିଲି.ପ୍ରତିମାସ ଶେଷରେ ବାପା ଯେବେ ଆସିଥିଲେ ତାଙ୍କ ଆଗରେ ସବୁକଥା ମଝିଆଁ ମାଇଁ କହିଥିଲେ ତ ବାପା ମତେ ଖୁବ ରାଗିଥିଲେ ସତ ହେଲେ ଫେରି ଯାଉ ଯାଉ ମାଇଁଙ୍କୁ "ଅନୁ ସେ କାହା ଝିଅ ଜାଣିଛ ତ? "କହି ରସିକତା କରିବା ଏବେବି ମୋ କାନରେ ଗୁଞ୍ଜରିତ ହୁଏ, କିନ୍ତୁ ସତରେ ପ୍ରେତାତ୍ମା ଅଛିକି ନାହିଁର ଅସ୍ତିତ୍ବର ବିବାଦ ଘେରରୁ ମୁଁ ଦୁରେଇ ରୁହେ ସତରେ.

  ଏବେ ବାପା ଆଉ ନାହାଁନ୍ତି ସତ ହେଲେ ତାଙ୍କ ଛାଇ ମତେ ଭରସା ଦିଏ, ପ୍ରେରଣା ଦିଏ ଆଉ ପଥ ଓ ପାଥେୟ ନିର୍ଣ୍ଣୟ କରିବାରେ ସାହାୟକ ହୁଏ. ଭୁଲ ଠିକ ସତ୍ୟ ଅସତ୍ୟ, ବାଛିବା ବେଳେ ମୋ ନିଜ ଅଲକ୍ଷରେ ବାପାଙ୍କ ଛାଇ ମତେ ହାତ ଧରି ବା କାନରେ କହିଦେଇ ଯାଆନ୍ତି ଯେମିତି, ପିଲାଦିନେ କହୁଥିଲେ, ଆଜି ବି କହୁଥିଲେ, ପାଠ ପଢିଲା ବେଳେ ଯେମିତି ନିର୍ଭିକ, ସାହାସୀ ତଥା ପଙ୍କରେ ପଶୁନା କି ଗୋଡ଼ଧୋଉନା ନୀତି ଆଦର୍ଶ ସବୁ ମାନି ଚଳୁଥିଲୁ, ଆଜିବି ଆଖି ଦେଖିଥିବା କଥାକୁ ଛାଡ଼ି ଅନ୍ୟ କିଛି ମାନିଯିବା ଦରକାର ନାହିଁ.ମୁଁ ଚୁପ ଚୁପ କହୁଥିଲି ଦୁନିଆଁ ବଦଳି ଗଲାଣି ବାପା, ପଙ୍କକୁ ନପଶିଲେ କିଛିବି ସତ୍ୟାସତ୍ୟ ଜାଣି ହେବନି ବାପା, ବାପା କହୁଥିଲେ ସେଇଟା ମୁଁ ତତେ ଏବେ ବାଧ୍ୟ କରିପାରିବିନି. ତୁମେ ସବୁ ବିଜ୍ଞାନ ଯୁଗର ପିଲା ଥିଲ, ଅଛ ଓ ଥିବ କିନ୍ତୁ ଧର୍ମୀୟ ଭାବଧାରା ମଣିଷକୁ ସବୁ ବିପଦ ଆପଦରୁ ରକ୍ଷା କରେ ନା ମାଆ. ଚନ୍ଦ୍ରରେ ମଣିଷ ଘର କରିବା ଯାଏଁ ସମୟ ଆସୁ. ମୋ ଝିଅ ସେମିତି ଦାମ୍ଭିକ ଭାବେ ସ୍ଥିରମସ୍ତିଷ୍କ ସମ୍ପର୍ଣ୍ଣ ରହିଥାଉ. ଏଲିଅନ କଣ ସତ ବାପା?? ବାପାଙ୍କ ଛାଇ ଫେରିପଡ଼ୁ ପଡୁ କହୁଥିଲେ,ଧର୍ଯ୍ୟର ସହିତ ଅପେକ୍ଷା କରେ ମାଆ, ମୁଁ ଜାଣେ ମୋ ଝିଅ କାଲିବି ହାରିନଥିଲା, ଆଜି ନୁହେଁ କି ଆସନ୍ତାକାଲି ବି ନୁହେଁ. ବିନି ଚାହିଁଥିଲେ ଶୂନ୍ୟରେ ବାପାଙ୍କ ଛାଇ ମିଳାଇ ଯାଉଥିଲେ.ଯାଉ ଯାଉ ବାପା କହୁଥିଲେ ଦେବୀପକ୍ଷ ଯାଉ ମାଆ,ମୁଁ ପୁଣି ଆସିଲେ କଥା ହେବା.ସେ ପର୍ଯ୍ୟନ୍ତ ତୁ ଯେମିତି ଥିଲୁ ସେମିତି ନିର୍ଭିକ ରହି ଗୁଜବରେ ବିଶ୍ୱାସ କରିବା ପୂର୍ବରୁ ଆଖି ଦେଖା କଥାକୁ ବିଶ୍ୱାସ କରୁଥା.ବିନିଙ୍କର କିନ୍ତୁ ବିଶ୍ୱାସ ଆସିଯାଇଥିଲା, ଯୁବ ବୈଜ୍ଞାନିକ ନିଶ୍ଚୟ ତାଙ୍କ ବାପାଙ୍କ ଛାଇଙ୍କୁ ଭେଟି ପ୍ରେରଣା ପାଉଛନ୍ତି, ସେ ମଧ୍ୟ ଅପେକ୍ଷା କରିଥିଲେ, ଦେବୀ ପକ୍ଷ ଯାଉ ।


Rate this content
Log in

Similar oriya story from Fantasy