ଧନ ରେ
ଧନ ରେ
ବୟସ ପାଖାପାଖି ଅଶୀ ବର୍ଷ ହେବ । ଆଖିକୁ ଝାପ୍ସା ଦେଖା ଯାଉଛି। ଷାଠିଏ ପାୱାର ଲାଇଟ୍ ରେ ଘର ଟା ଯାକ ଆଲୁଅ ରେ ଛାଇ ଯାଇଛି। କଲ୍ୟାଣି ଙ୍କୁ ନିଦ ନାହିଁ । ନିଦ ବଟିକା ଖାଇବା ପରେ ମଧ୍ୟ ନିଦ ଆସୁନି। ହାଇ ବିପି ଯୋଗୁ ଥରେ ହାର୍ଟ ଆଟାକ୍ ମଧ୍ୟ ହୋଇ ସାରିଛି କିନ୍ତୁ ତାଙ୍କର ନିଜ ଜୀବନ ପ୍ରତି ଖାତିର୍ ନାହିଁ । ଖଟ ରୁ ଉଠି ପୁରୁଣା କାଠ ଆଲମାରୀ ରେ କୋଉ କାଳରୁ ପଡ଼ି ଥିବା ଅଧା ଚିରା ଚିଠି କୁ ପଢ଼ି ଚାଲିଛନ୍ତି । ସେ ପୁରୁଣା ଲଫାଫା ଟା ତାଙ୍କ ପୁଅ ର। ଯିଏ କି ଦୀର୍ଘ ପାଞ୍ଚ ବର୍ଷ ତଳେ ସ୍ୱର୍ଗ ର ବାସିନ୍ଦା ହୋଇ ଯାଇଛନ୍ତି, ଅଧା ବୟସ ରେ। ଗଲା ବେଳେ ବୁଢ଼ୀ "ମା" ଙ୍କର କୋଳ ରେ ନିଜ ପୁଅ କୁ ଛାଡ଼ି ଦେଇ ଯାଇଛନ୍ତି। ଚଷମା ଟା ଅଣ୍ଡାଳି ଅଣ୍ଡାଳି କଲ୍ୟାଣି ଶେଷରେ ଖଟ ର ଧାର ରୁ ପାଇଗଲେ। ଗୋଲ ଗୋଲ ଗାନ୍ଧିଜୀ ଙ୍କ ଅମଳ ର ଚଷମା। ଆଖିରେ ଲଗେଇ ଖୁବ୍ କଷ୍ଟ ରେ ଚିଠି ଟିଏ ପଢ଼ିଲେ। ଚିଠି ଟା କୋଡ଼ିଏ ବର୍ଷ ତଳର। ଅନେକ ଥର ଏ ଚିଠି ଟିକୁ ପଢ଼ିଛନ୍ତି ତେବେ ବି ପୁଅ ର ଶେଷ ଚିଠି ବୋଲି ସାଇତି ରଖିଛନ୍ତି। କଲ୍ୟାଣି ଚିଠି ପଢ଼ିବା ଆରମ୍ଭ କଲାବେଳେ ଶୁଖିଲା ଆଖିରେ ଲୁହ ଟିଏ ବୋହି ଆସିଲା। କାନି ରେ ଲୁହ କୁ ପୋଛି ଦେଇ ଦୀର୍ଘ ନିଶ୍ଵାସ ଟିଏ ମାରି ପୁଣି ପଢ଼ିବା ଆରମ୍ଭ କଲେ....
ପୂଜନୀୟା ମା , ମୋ ପ୍ରଣାମ ନେବ। ମା ଗୋ ମୋ ଦେହ , ମନ ଭଲ ରହୁନାହିଁ। ଭାବୁଛି ତୁମ କୁ ମୋ ପାଖକୁ ନେଇ ଆସିବି। ଏକୁଟିଆ ଜୀବନ ଟା ଖୁବ କଷ୍ଟ ଲାଗୁଛି। ତୁମ ବହୁ "ମାନି" ଚାଲିଗଲା ପରେ ଯେଉଁ ଛୋଟ ପୁଅ କୁ ମୋ କୋଳ ରେ ଛାଡି ଦେଇ ଯାଇଛି ,ତାକୁ କେମିତି ବଡ଼ କରିବି କିଛି ବୁଝି ପାରୁନାହିଁ। ସେ ଦୁଇ ବର୍ଷ ର ହୋଇ ଗଲାଣି ବହୁତ ଦୁଷ୍ଟ ହେଉଛି ତାକୁ ଏକୁଟିଆ ସମ୍ଭାଳିବା ମୋ ପାଇଁ ଅସମ୍ଭାଳ ହୋଇ ପଡୁଛି। ଯଦିବା ତା' କଥା ବୁଝିବା ପାଇଁ ଦୁଇଟା ଆୟା ରଖିଛି କିନ୍ତୁ ଆୟା ମାନେ କେତେ ବା ତା'ର ଯତ୍ନ ନେବେ ?? ମୁଁ ତ ଅଫିସ ଚାଲିଯାଉଛି ସେତିକି ସମୟ ପୁଅ ଏକୁଟିଆ ଆୟା ମାନଙ୍କ ପାଖରେ ରହୁଛି। ତା'କୁ ସେମାନେ କେମିତି ରଖୁଛନ୍ତି ମୁଁ ଜାଣି ପାରୁନି। ଅଫିସ ରୁ ଫେରିଲେ ଯାଇ ତା' କଥା ମୁଁ ବୁଝୁଛି। ତମେ ଯଦି ମୋ ପାଖକୁ ଆସି ପାରନ୍ତ ତେବେ ମୁଁ ଶାନ୍ତି ରେ ଅଫିସ କାମ କରି ପାରନ୍ତି।
ମା ଗୋ !! ମୁଁ ଜାଣିଛି ଯେଉଁ ବୟସ ରେ ମୁଁ ତୁମ ସେବା କରିବା କଥା ତୁମ କୁ ସେଇ ବୟସ ରେ ମଧ୍ୟ ତୁମଠୁ ସାହାର୍ଯ୍ୟ ଚାହୁଁଛି। ମୁଁ କ'ଣ କରିବି ମୋର କିଛି ଉପାୟ ନାହିଁ।ଜାଣେ ନାହିଁ ଏମିତି ଜୀବନ ଆଉ କେତେ ବର୍ଷ ମୋତେ ବିତେଇବା କୁ ପଡ଼ିବ?? ତୁମେ ଯଦି ଆସିବା କୁ ଚାହିଁବ ତାହାଲେ ମୁଁ ଆସିବାର ବନ୍ଦୋବସ୍ତ କରିଦେବି। ରହିଲି ଇତି ସୁନିଲ୍ ।
ପୁଅ ର ଚିଠି ପଢ଼ି କଲ୍ୟାଣି ଙ୍କ ମନରେ ସେଦିନ କୋହ ଭରି ଯାଇଥିଲା।ଦୀର୍ଘ ନିଶ୍ଵାସ ଟିଏ ମାରି କାଠ ଆଲମାରୀ ରେ ଚିଠି ଟିକୁ ସାଇତି ରଖିଲେ।
ଯେଉଁ ପୁଅ କୁ ପାଇବା ପାଇଁ କେତେ ଉପାସ ବ୍ରତ କରି ଜନ୍ମ ଦେଇଥିଲେ , କେତେ ଗେଲବସର ରେ ପଣତ କାନି ରେ ଘୋଡେ଼ଇ ରଖିଥିଲେ , ତେତ୍ରୀସ କୋଟି ଦିଅଁ ଦେବତା ଙ୍କୁ ମନାସୀ ଥିଲେ, "ଠାକୁରେ ମୋ ପୁଅ କୁ ଆଶ୍ରିର୍ବାଦ ଦିଅ ତା'ର ଭବିଷ୍ୟତ ଉଜ୍ଜ୍ୱଳ ହୋଇ ଯାଉ" ବୋଲି କିନ୍ତୁ ପୁଅ ର ଭାଗ୍ୟରେ ଅମାବାସ୍ୟା ର ଅନ୍ଧକାର ଟିଏ ଆଜି ଘୋଡେ଼ଇ ଯାଇଛି। କେତେ ଖୁସି ରେ ବୋହୂ କରି ଆଣିଥିବା ପାଖ ଗାଁ ର ସୁନ୍ଦରୀ ଝିଅ ଟିର ଯୁବତୀ ବୟସ ରେ ସଧବା ହୋଇ ଚାଲିଗଲା ପରେ ସେ ପୁଅ କୁ ଭାଙ୍ଗି ପଡ଼ିବାର ଦେଖିଥିଲେ। ସେ ଦିନ କଲ୍ୟାଣି ଦେବୀ ଦୁର୍ଗାଙ୍କ ପାଖରେ ସଞ୍ଜ ଆଳତୀ ଦେଲା ବେଳେ ବହେ କାନ୍ଦିଥିଲେ। "ଏମିତି କାହିଁକି ମୋ ପୁଅ ର ଭାଗ୍ୟ କୁ କଲ ମା ?? ଛୋଟ କଅଁଳ ଛୁଆ ଟିକୁ ସେ କେମିତି ଏକୁଟିଆ ପାଳିବ ?? କଲ୍ୟାଣି ଙ୍କ ଆଖିରେ ସ୍ମୃତି ସବୁ ଅସରନ୍ତି ଧଳା ଫର୍ଦ୍ଦ ଫର୍ଦ୍ଦ ହୋଇ ଉଡ଼ି ଯାଉଥିଲା। ପୁଅ ର ଚିଠି ପାଇଲା ପରେ ସେ ଯେଉଁ ଭିଟା ମାଟି କୁ ଜିଦ୍ଦି କରି ଛାଡ଼ିକି ସହର କୁ ଯିବି ନାହିଁ ବୋଲି ପଣ କରିଥିଲେ, ସେ ଜିଦ୍ଦି ବି ପାଣି ଫୋଟୋକା ପରି ମିଳେଇ ଯାଇଥିଲା। ଘର , ଡିହ, ଜମି ବାଡ଼ି ସବୁ ର ଦାୟିତ୍ୱ ଚାଷ କାମ ବୁଝୁଥିବା ଲୋକ "ଗୋପାଳ" କୁ ଦେଇ ସେ ପୁଅ ପାଖକୁ ଯିବାକୁ ବାହାରିଲେ।
ପୁଅ ସୁନୀଲ ରାଉରକେଲା ର ଆଇରନ୍ ଫେକ୍ଟ୍ରି ର ଜଣେ ଇଞ୍ଜିନିୟର। ପୁଅ କୁ ବହୁତ ଭରସା ଦେଇ ଚିଠି ଟିଏ ଲେଖିଲେ,
"ବାବୁ ରେ !! ତୁ ଜମା ବ୍ୟସ୍ତ ହଅନା ମୁଁ ତୋ ପାଖକୁ ଯିବି। ତୋ ପୁଅ ର ସବୁ କଥା ବୁଝିବି। ତୋ ମାଆ ପରା ବଞ୍ଚିଛି ତୁ ପୁଣି ଚିନ୍ତା କରୁଛୁ କାହିଁକି ? ମୁଁ ତା'ର ଦେଖ୍ ଭାଲ୍ କରିବି। ତୁ ଗାଡ଼ି ପଠେଇ ମୋତେ ନେଇ ଯା। ଘର ର ସବୁ ଦାୟିତ୍ୱ ଗୋପାଳ ବୁଝୁଥିବ" ଇତି ତୋର ମାଆ।
ନୀଳ ଲଫାଫା ଟେ ଯେତେବେଳେ ସୁନୀଲ ପାଇଲେ ବହୁତ ଖୁସି ହୋଇ ଯାଇଥିଲେ ସେଦିନ।
ତା' ପର ଦିନ ମାଆ ଙ୍କୁ ନବାକୁ ବ୍ୟବସ୍ଥା ସେ କରିଥିଲେ। ରାଉରକେଲା ରେ ପହଞ୍ଚିଲା ପରେ ଛୋଟ ନାତି ର ସବୁ ଦାୟିତ୍ୱ ସେ ନେଇ ଯାଇଥିଲେ। ଗାଁ ର ଘର କଥା ମନେ ପଡ଼ିଲେ ଗୋପାଳ କୁ ହଳଦିଆ ପୋଷ୍ଟ କାର୍ଡ଼ ରେ ସବୁ କଥା ଲେଖି ପଠେଇ ଦିଅନ୍ତି ତ କେତେବେଳେ ବାଡ଼ ଘେରା ଓ ଚାଷ ବାସ ପାଇଁ ପୁଅ କୁ କହି ଗୋପାଳ କୁ ଟଙ୍କା ମନି ଅଡ଼ର୍ କରି ଦିଅନ୍ତି।
କଲ୍ୟାଣି ନାତି କୁ ଜୀବନ ଠୁ ଅଧିକ ଭଲ ପାଉଥିଲେ, ଆଉ ସେ ବି ଜେଜେମା ଙ୍କୁ ଦଣ୍ଡେ ନଦେଖିଲେ ରହି ପାରୁନଥିଲା। ନାତି ର ସବୁ କାମ ସେ ନିଜେ କରୁଥିଲେ। ଅତି ସ୍ନେହ ରେ ନାତି ର ନାମ ରଖିଥିଲେ "ଅକ୍ଷୟ"। ଯାହାର କ୍ଷୟ ହିଁ ନାହିଁ। ଅକ୍ଷୟ ଯେମିତି କଲ୍ୟାଣି ଙ୍କର ଜୀବନ ହି ଥିଲା। ଅକ୍ଷୟ ଧୀରେ ଧୀରେ ବଡ଼ ହେବା ପରେ ମଧ୍ୟ କଲ୍ୟାଣି ଙ୍କ ପାଖେ ପାଖେ ସବୁବେଳେ ରହୁଥିଲା। ଅକ୍ଷୟ ର ସ୍କୁଲ ଯିବା ବୟସ ହୋଇ ଯାଇଥିଲା। ତା'କୁ ସୁନୀଲ କନଭେଣ୍ଟ ସ୍କୁଲ ରେ ନାମ ଲେଖାଇ ଦେଇଥିଲେ। ସ୍କୁଲ ବସ୍ ଘର ପାଖ ଛକ କୁ ଆସୁଥିଲେ ମଧ୍ୟ କଲ୍ୟାଣି ତାକୁ ବସ୍ ରେ ଛାଡ଼ୁ ନଥିଲେ। ଗୋଟେ ଜଣାଶୁଣା ଭେନ୍ ଡ୍ରାଇଭର୍ ସହ ସ୍କୁଲ କୁ ପଠାଉ ଥିଲେ। ଡ୍ରାଇଭର୍ ଗଲାବେଳେ ତାକୁ କେତେ କଥା ବୁଝାଇ ପଠାଉ ଥିଲେ," ଠିକ୍ ସେ ମୋ ନାତି କୁ ସ୍କୁଲ ରେ ଛାଡ଼ିବ, ସ୍କୁଲ ବେଗ୍ କୁ ନେଇ ତା'ଟେବୁଲ ରେ ଥୋଇବ, ସେ ଛୋଟ ପିଲା ଏତେ ବହି ର ଭାର ଉଠେଇ ପାରିବ ନାହିଁ ଇତ୍ୟାଦି ଇତ୍ୟାଦି।
କଲ୍ୟାଣି ନାତିକୁ ସ୍କୁଲରେ ଛାଡ଼ିବାକୁ ଗଲାବେଳେ ଏତେ ଵ୍ୟସ୍ତ ହୋଇ ପଡ଼ନ୍ତି ଯେ ସେ ଭେନ୍ ର ଡ୍ରାଇଭର ପଛରେ ଗାଡ଼ି ଷ୍ଟାଟ୍ ହେଲା ପର୍ଯ୍ୟନ୍ତ ପଡ଼ିଥାନ୍ତି। ଭେନ୍ ର ଡ୍ରାଇଭର୍ ମଧ୍ୟ ଭଲ ଲୋକ ଟେ ଥିଲା ସେ କଲ୍ୟାଣି ଙ୍କ କଥା ସବୁ ଶୁଣେ ଏବଂ ହସି ଦେଇ ହଁ ଆଜ୍ଞା!! ବୋଲି କହି ସାଙ୍ଗରେ ଅକ୍ଷୟ କୁ ନେଇ ସ୍କୁଲ ରେ ଛାଡ଼େ ଆଉ ଆଣେ ମଧ୍ୟ । ସ୍କୁଲକୁ ଗଲା ପରେବି ଅକ୍ଷୟ ଘରକୁ ନଫେରିବା ପର୍ଯ୍ୟନ୍ତ ସେ ଦୁଆର ଘର ହେଉଥାଆନ୍ତି ଯେମିତି ତାଙ୍କର ଜୀବନଟା ନାତି ପାଖରେ ଅଟକି ଯାଇଛି।
ଅକ୍ଷୟ ଯେତେବେଳେ ସପ୍ତମ ଶ୍ରେଣୀ ରେ ପଢୁ ଥିଲା ସେତେବେଳେ ତା' ବାପା ସୁନୀଲ ଅସାଧ୍ୟ ରୋଗ ରେ ପୀଡ଼ିତ ହୋଇ ସବୁ ଦିନ ପାଇଁ ଆଖି ବୁଜିଲେ। କଲ୍ୟାଣି ପୁଅ କୁ ହରେଇ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଲେ । ସେ ଆଉ ରାଉରକେଲା ରେ ରହିବାକୁ ଚାହିଁଲେ ନାହିଁ ନିଜ ଭିଟାମାଟି କୁ ଫେରି ଆସିବାକୁ ଚାହିଁଲେ। ନାତି ଅକ୍ଷୟ କୁ ଧରି ସେ ପୁଣି ଭଦ୍ରକ ଜିଲ୍ଲା କୁ ଫେରି ଆସିଲେ। ଘର ପାଖ ପବ୍ଲିକ ସ୍କୁଲ ରେ ଅକ୍ଷୟ ର ନାମ ଲେଖାଇ ଦେଲେ। ତାଙ୍କର ସଂସାରରେ ଅକ୍ଷୟ ଛଡ଼ା କେହି ବି ନିଜର ନଥିଲେ। ବୃଦ୍ଧା ବୟସ ରେ ବି ସେ ସବୁ ଦାୟିତ୍ୱ ନେଇ ନିଜ ନାତି କୁ ଭଲ ମଣିଷ ଟିଏ କରିବାରେ ଲାଗି ପଡ଼ିଲେ। କିଛି ବର୍ଷ ପରେ ଅକ୍ଷୟ ପବ୍ଲିକ ସ୍କୁଲରେ ମ୍ୟାଟ୍ରିକ ପାସ୍ କଲା ଓ ପରେ କଲେଜ ରେ ନାମ ଲେଖାଇଲା। ଘରେ ଜମିଚାଷ ଭାଗିଦାରୀ ରେ ଯେତେ ଧାନ ଆସୁଥିଲା, ସେ ସେହି ଧାନ କୁ ବିକ୍ରି କରି ନିଜ ନାତି କୁ ପାଠ ପଢ଼ାଉ ଥିଲେ। କଲେଜ ରେ ଗ୍ରାଜୁଏସନ କରି ସାରିବା ପରେ ଅକ୍ଷୟ ଅଧିକ ପାଠ ପଢ଼ିବା ପାଇଁ ବଡ଼ ସହର କୁ ଯିବାକୁ ଚାହୁଁଥିଲା। ଅକ୍ଷୟ ଯାହା ଚାହୁଁଥିଲା କଲ୍ୟାଣି ତା'ର ସବୁକଥା କଷ୍ଟେ ମଷ୍ଟେ ପୂରଣ କରୁଥିଲେ। ନିଜ ବାହାଘର ବେଳେ ପାଇଥିବା ସୁନା ହାର ଓ କିଛି ଗହଣା କୁ ସେ ବିକ୍ରି କରି ଅକ୍ଷୟ ର ସବୁ ପାଠ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ଦିନ ରାତି ତାଙ୍କର କେବଳ ଅକ୍ଷୟ ର ଚିନ୍ତା ଥିଲା। ଅକ୍ଷୟ ର ପାଠ ପଢ଼ା କେବେ ସରିବ ଆଉ ଚାକିରୀ ଟେ ପାଇଲେ ସେ ଦାୟିତ୍ବ ରୁ ମୁକ୍ତ ହେବେ ସେଇଆ ହିଁ ଚିନ୍ତା କରୁଥିଲେ। ସେଥିପାଇଁ ସେ କେତେ ଜ୍ୟାତିଷ ଙ୍କ ପାଖରେ ଅକ୍ଷୟ ର ଜନ୍ମ କୁଣ୍ଡଳୀ କୁ ଦେଖାଉଥିଲେ। ଯିଏ ଯାହା କହୁଥିଲା ପୂଜା ପାଠ ଓ ପ୍ରତିକାର ସବୁ କରୁଥିଲେ। ଅକ୍ଷୟ ଗ୍ରାଜୁଏସନ୍ କରିବା ପରେ ଚାକିରୀ ପାଇଁ ଇଣ୍ଟଭ୍ୟୁ ସବୁ ଦେଉଥିଲା ହେଲେ ଘରେ ବସି ବସି ସେ କେତେ କୁଆଡ଼େ ଚେଷ୍ଟା କରିବ ସେଥିପାଇଁ ସେ ଭୁବନେଶ୍ୱରରେ ରହି କିଛି କରିବ ବୋଲି ଭାବି ଜେଜେମାଆଙ୍କୁ ତା'ର ଯିବା କଥା ଜଣେଇଲା। କଲ୍ୟାଣି ବାଧ୍ୟ ହୋଇ ଯିବାକୁ ଅନୁମତି ଦେଲେ ହେଲେ ଅନ୍ତର ଭିତରଟା ତା'ଙ୍କର କାନ୍ଦିଉଠୁଥିଲା। ଅକ୍ଷୟ ଗଲାବେଳେ କଲ୍ୟାଣିଙ୍କୁ ପ୍ରଣାମ କଲାବେଳେ କଲ୍ୟାଣି ବହୁତ କଷ୍ଟରେ ନିଜ ଲୁହକୁ ଚାପି ରଖିଥିଲେ କିନ୍ତୁ ଅକ୍ଷୟ ଘରୁ ଚାଲିଗଲା ପରେ ସେ ଭୋ ଭୋ ହୋଇ ବହୁତ କାନ୍ଦିଥିଲେ। ନାତି ବଡ଼ ସହର କୁ ଗଲା ପରଠୁ ତାଙ୍କ ଆଖିରେ ନିଦ ହଜି ଯାଇଥିଲା। ରେଡ଼ିଓ ରୁ ସମାଚାର ଟିଏ ଯଦି ଶୁଣି ଦେଉଥିଲେ ଯେ ଝଡ଼ ବାତ୍ୟା ଟିଏ କେଉଁଠି ହବାର ଅଛି ସେ ଧାଇଁ ଯାଇ ହଜାରେ ମୁଣ୍ଡିଆ ମାରି ପକାଉଥିଲେ। ଏମିତି ଦିନ ଗଡ଼ି ଗଡ଼ି ଯାଉଥିଲା। କଲ୍ୟାଣି ପ୍ରତି ସପ୍ତାହ ନାତି ପାଖକୁ ଚିଠି ଟିଏ ଦେଉଥିଲେ।ଅକ୍ଷୟ ମଧ୍ୟ ପ୍ରତିଉତ୍ତର ଦେଉଥିଲା। କିଛି ମାସ ଭୁବନେଶ୍ୱରରେ ରହିବା ପରେ ଅକ୍ଷୟ କୁ ଗୋଟେ ପ୍ରାଇଭେଟ୍ ବ୍ୟାଙ୍କ ରେ ଚାକିରୀ ମିଳିଗଲା। ସେଦିନ ସେ ଖୁବ ଖୁସିରେ ଘରକୁ ଫେରି ଆସି କଲ୍ୟାଣି ଙ୍କୁ କୁଣ୍ଢେଇ ବହେ ନାଚି ଯାଇଥିଲା ଆଉ କହିଥିଲା " ଜେଜେମା ଏଥର ତମେ ଆଉ ମୋତେ ଛାଡ଼ି ଏକୁଟିଆ ରହିବ ନାହିଁ। ମୁଁ ବ୍ୟାଙ୍କ ରେ ଜଏନ୍ କଲେ ଭଲ ଘର ଟେ ଖୋଜି ତୁମକୁ ମୋ ପାଖକୁ ନେଇ ଯିବି । " କଲ୍ୟାଣି ଙ୍କ ଖୁସି କହିଲେ ନସରେ ସେ ଦିନ ଗୋପାଳ କୁ କହି ପାଖ ପଡ଼ୋଶୀ ମାନଙ୍କୁ ମିଠା ବାଣ୍ଟି ଥିଲେ ଆଉ ଖୁସି ରେ ଗଦ୍ ଗଦ୍ ହୋଇ କହିଥିଲେ ଏଥର ମୁଁ ମୋ ନାତିଆ ସହ ଯାଇ ସହରରେ ରହିବି। ଅକ୍ଷୟ କଲ୍ୟାଣି ଙ୍କ ଗୋଡ଼ ଛୁଇଁ ଆଶୀର୍ବାଦ ନେଇ ନିଜ କର୍ମ ସ୍ଥାନ କୁ ଚାଲି ଯାଇଥିଲା। ନାତି କୁ ଖୁବ ଖୁସିରେ ସେ ବିଦାୟ ଦେଇଥିଲେ ସେ ଦିନ। ଗଲାବେଳେ କହିଥିଲେ ଚିଠି ଦେବୁ ଯେତେ ପର୍ଯ୍ୟନ୍ତ ଘର ନ ପାଇଛୁ କେମିତି ରହିବା ବ୍ୟବସ୍ଥା କଲୁ ଜଣାଇବୁ। ଅକ୍ଷୟ ହଁ ମାରି ଚାଲି ଯାଇଥିଲା ।
ଅକ୍ଷୟ ଯିବାର ତିନି ଚାରି ମାସ ବିତି ଗଲାଣି କିନ୍ତୁ ଯିବା ପରେ କେବେ ଆସିବ ଆଉ ଜଣେଇ ନାହିଁ। କଲ୍ୟାଣି ତାହାରି ଅପେକ୍ଷା ରେ ବସି ବସି ତାଙ୍କ ନିଦ ହଜିଯାଇଛି କେବେଠାରୁ। ତାଙ୍କୁ ନିଦ ନହେବାରୁ ସେ ତାଙ୍କ ପୁଅ ର ପୁରୁଣା ଚିଠି କାଢ଼ି ସବୁଦିନ ପଢ଼ନ୍ତି। ତାଙ୍କୁ ଏମିତି ମନେ ହୁଏ ଯେମିତି ତାଙ୍କର ପୁଅ ପାଖରେ ବସି କହୁଛି "ମା ମୁଁ ତୁମ ପାଖରେ ସବୁବେଳେ ଅଛି ବ୍ୟସ୍ତ ହୁଅନା"। ପୁଅର ଫୋଟୋ ଆଉ ନାତିର ଫୋଟୋକୁ ସବୁଦିନ ଚୁଁମ୍ବନ କରି ନିଜକୁ ହାଲ୍କା କରି ଦିଅନ୍ତି। ରାତି ବିତି ସକାଳ ହୋଇ ଯାଉଥିଲା। କଲ୍ୟାଣି ସବୁ ଦିନ ପରି ପୋଷ୍ଟ ପିଅନ ର ଅପେକ୍ଷା ରେ ବସିଥାନ୍ତି।ପୋଷ୍ଟ ପିଅନ ର ଘଣ୍ଟି ଶୁଣିଲେ ଦାଣ୍ଡ କୁ ଆସି ଛିଡ଼ା ହୁଅନ୍ତି କାଳେ ନାତି ଚିଠି ଦେଇଥିବ । ସେଇ ଆଶା ରେ ଦିନ ଦିନ ମାସ ମାସ ବିତି ଯାଉଥାଏ। ଆଖିର ପାଣି ଶୁଖି ଶୁଖି ଶେଷରେ ଆଶାଟିଏ ହୋଇ ରହିଯାଇଥିଲା । ଦିନେ ଅକ୍ଷୟ ର ଚିଠି ଟିଏ ଆସିଲା। ସେ ଚିଠି ରେ ଲେଖା ଥିଲା ,ମୁଁ ଭଲ ରେ ଅଛି ଜେଜେମା। ଅଫିସ ରେ ବହୁତ କାମ ପଡୁଛି ସେଥିପାଇଁ ଚିଠି ଦେଇ ପାରି ନଥିଲି। ଏଥର ଛୁଟି ମିଳିଲେ ଶନି ବାର ଦିନ ଯିବି। କଲ୍ୟାଣି ଚିଠି ପଢ଼ି ଖୁସି ରେ ଅଧିର ହୋଇ ଗଲେ। ପଡ଼ୋଶୀ ମାନଙ୍କୁ ଅକ୍ଷୟ ର ଚିଠି ଦେଖାଇଲେ। ଗୋପଳ କୁ କହିଲେ ସବୁ ଆଡ଼େ ସଫା ସୁତୁରା କରି ଦେ। ମୋ ନାତି ଆସିବ। ବଡ଼ ସହର ରେ ରହୁଛି ଅସନା , ମଇଳା ଦେଖିଲେ ରାଗିବ। ଗୋପାଳ ତା' କାମ ରେ ଲାଗି ପଡ଼ିଲା। ଶନିବାର ଦିନ ଆସି ଆଉ ଚାଲିଗଲା କିନ୍ତୁ କଲ୍ୟାଣି ଙ୍କ ଆଶା ରେ ଶେଷ ନଥିଲା। ସେ ସବୁ ଶନିବାର ଦିନ ନାତି ଆସିବାକୁ ଅପେକ୍ଷା ରଖୁଥିଲେ ଆଉ ନାତି ପାଇଁ ମିଠା ମଗଉ ଥିଲେ। ନିଜେ ଖାଉ ନଥିଲେ କି କାହାକୁ ମିଠା ଦେଉ ନଥିଲେ। ଗୋପାଳ ବେଳେବେଳେ ଯଦି କହେ ମା' ମିଠା ସବୁ ଶନିବାର ଆଣୁଛ କିନ୍ତୁ ଛୁଆ ବାବୁ ତ ଆସୁ ନାହାଁନ୍ତି ଆଉ ମିଠା ଆଣନ୍ତୁ ନାହିଁ। ସେତିକି ଶୁଣି ଦେଲେ କଲ୍ୟାଣି ରାଗି ଯାଆନ୍ତି ଆଉ କହନ୍ତି ସେ କାମ ରେ ବ୍ୟସ୍ତ ଅଛି ତାକୁ ଛୁଟି ମିଳିଲେ ସେ ଆସିବ ନିଶ୍ଚୟ। ତୋର ମୁଣ୍ଡ ଖେଳାଇବା ଦରକାର ନାହିଁ। ତୁ ଯା ତୋ କାମ କର୍ ...। ଗୋପାଳ କିଛି ନକହି ଚାଲିଯାଏ। ସକାଳ ହୋଇ ସନ୍ଧ୍ୟା ହୋଇ ଯାଏ ସନ୍ଧ୍ୟା ଆଳତୀ ଜାଳି ନାତି ର ଶୁଭ ମନାଶନ୍ତି କଲ୍ୟାଣି।
ଦିନେ ସେ ଧର୍ଯ୍ୟ ହରା ହୋଇ ଚିଠି ଟିଏ ଲେଖିଲେ, "ଧନ ରେ କେବେ ଆସିବୁ ? ତୋ ବାଟ କୁ ଚାହିଁ ଚାହିଁ ମୋ ଆଖିରେ ପାଣି ମରି ଗଲାଣି। ଏଥର ଯେମିତି ହେଲେ ଛୁଟି ନେଇ ଆସିବୁ। ଅକ୍ଷୟ ଚିଠି ପାଇ ଉତ୍ତର ଦେଇଥିଲା । "ଜେଜେମା ଏଥର ନିଶ୍ଚୟ ଯିବି ଆଉ ତମ କୁ ସାଙ୍ଗରେ ନେଇ ଆସିବି। ଏଥର ଶନିବାର ଛୁଟି ସହ ପୂଜା ଛୁଟି ବି ସାଙ୍ଗରେ ପଡୁଛି ତେଣୁ ମୋତେ ସୁବିଧା ହେବ"। ନାତି ପୂଜା ବେଳେ ଆସିବ ବୋଲି ଚିଠି ପାଇବା ପରଠୁ କଲ୍ୟାଣି ସବୁଦିନ ପାଞ୍ଜି ଦେଖା ଅଭ୍ୟାସ କରି ଦେଇଛନ୍ତି। କ୍ୟାଲେଣ୍ଡର ରେ ଦୁର୍ଗା ପୂଜା ପଡୁଥିବା ତାରିଖ କୁ ଲାଲ ପେନ୍ ରେ ଗୋଲ କରି ରଖିଛନ୍ତି। ସବୁଦିନ ସେ ଗୋଲ ମାର୍କା କୁ ଦେଖି ହସି ଦିଅନ୍ତି। ଗୋପାଳ କୁ ପଠେଇ କେତେ ମିଠା ଆଣନ୍ତି। ଅକ୍ଷୟ "ପାନ ତୁଆ " ଖାଇବାକୁ ଭଲପାଏ ସେଥିପାଇଁ ପାନ ତୁଆ ଆଣି ରଖନ୍ତି ।
ଦୁର୍ଗାପୂଜା ଆସିବାକୁ ଆଉ ପାଞ୍ଚ ଦିନ ବାକି ଥାଏ। କଲ୍ୟାଣି ନାତି ପାଇଁ ନୂଆଁ ଜାମା ହଳେ ଆଣି ରଖିଥାନ୍ତି। ନିଜେ ଯିବାକୁ ବାକ୍ସ ରେ ନିଜ ଲୁଗାପଟା ସଜାଡ଼ି ଦେଇଥାନ୍ତି। ମନେ ମନେ ଭାବି ରଖିଥାନ୍ତି ଏଥର ନାତିସହ ସେ ନିଶ୍ଚିତ ଚାଲିଯିବେ ଆଉ ଏକୁଟିଆ ଏଠି ପଡ଼ି ରହିବେ ନାହିଁ। ଭୋର ଚାରିଟା ରେ ସବୁଦିନ ଉଠନ୍ତି। ଗୋପାଳ ସକାଳ ଛଅ ଟା ରେ ଆସେ। ଯାବତୀୟ କାମ ତାକୁ କଲ୍ୟାଣି ବରାତ କରନ୍ତି। ସେଇଟା ତାଙ୍କର ନିତିଦିନିଆ କଥା। ଦିନେ କଲ୍ୟାଣି ଗୋପାଳ କୁ କହିଲେ ଜାଣିଛୁ ଏଥର ଦୁର୍ଗା ପୂଜା ତିରିଶ ତାରିଖରେ ପଡୁଛି ରେ ଗୋପାଳ।ଛୁଆ ବାବୁ ଆସିବ ତୁ କାଲି ଠୁ ସବୁ ବାକି କାମ ସାରିଦେବୁ। ଛୁଆ ବାବୁ ଆସିଲେ ତା' କାମ ସବୁ କରିବୁ। ହଉ କହି ଗୋପାଳ ତା' ଘରକୁ ଫେରି ଗଲା। ତା' ପରଦିନ ସେ ଯେମିତି ସବୁଦିନ ଆସେ ସେମିତି ସକାଳୁ ଆସି ହାଜର ହୋଇ ଗଲା। ତା' ବାବୁଆଣି ଙ୍କୁ ଚାରିଆଡ଼େ ଖୋଜିଲା। ସକାଳୁ ଗୋପାଳ ଆସିଲା ମାତ୍ରେ ଚାହା ମୁଢ଼ି ସବୁଦିନ କଲ୍ୟାଣି ଖାଇବାକୁ ଦିଅନ୍ତି ତା'ପରେ ଯାହା ଜଳଖିଆ ନିଜେ ଖାଆନ୍ତି ସେତିକି ମଧ୍ୟ ଗୋପାଳ କୁ ଦିଅନ୍ତି। ସେଦିନ କିନ୍ତୁ ଗୋପାଳ ଦାଣ୍ଡ କବାଟ ପଡ଼ି ଥିବାର ଦେଖିଲା ସେ ମାଆ.... ମାଆ ବୋଲି ବହୁତ ଡାକିଲା।ପାଖ ପଡ଼ୋଶୀ ଘରକୁ ଯାଇ କଲ୍ୟାଣି ଙ୍କ କଥା ପଚାରିଲା। କେହି ମଧ୍ୟ କଲ୍ୟାଣି ଙ୍କ ବିଷୟ ରେ ଜାଣି ନଥିଲେ। ଗୋପାଳ ଭାବିଲା ମାଆ ବୋଧେ ରାତିରେ ଶୋଇ ନଥିବାରୁ ସକାଳୁ ସକାଳୁ ନିଦ ଆସି ଯାଇଛି। ସେ ଅନେକ ସମୟ ଗେଟ୍ ପାଖେ ବସିଲା। ତା'ପରେ ଗେଟ୍ ଡେଇଁ ପଛ ପଟ କବାଟ ର ତାଲା ଖୋଲି ସେ କଲ୍ୟାଣି ଙ୍କ ଶୋଇବା ଘରେ ପଶିଲା। ଦେଖିଲା କଲ୍ୟାଣି ଶୋଇ ଛନ୍ତି। ସେ କଲ୍ୟାଣି ଙ୍କୁ ଉଠେଇବା କୁ ଚେଷ୍ଟା କଲା କିନ୍ତୁ କଲ୍ୟାଣି ଆଉ ଉଠିଲେ ନାହିଁ। ସବୁଦିନ ପାଇଁ ସେ ଶୋଇ ପଡ଼ିଥିଲେ। ଗୋପାଳ ମୁଣ୍ଡ ପିଟି ପିଟି ବହୁତ କାନ୍ଦିଲା। ଅକ୍ଷୟ ଙ୍କ ଠିକଣା ବାହାର କରି ତାଙ୍କୁ ଖବର ପଠେଇବା କୁ ପଡ଼ୋଶୀ ଘର କୁ କହିଲା। ପଡ଼ୋଶୀ ଘରର ଜଣେ ସଦସ୍ୟ ଅକ୍ଷୟ ଚାକିରୀ କରୁଥିବା ବ୍ୟାଙ୍କ କୁ ଖବର ଦେଲେ ଯେ ତା' ଜେଜେମା ଙ୍କ ଦେହ ବହୁତ ଖରାପ ଅଛି। ଅକ୍ଷୟ ଖବର ପାଇ ଶୀଘ୍ର ଜେଜେମା ଙ୍କୁ ଦେଖିବା କୁ ପହଁଚିଲା ପରେ ଜାଣିଲା ଯେ ତା' ଜେଜେମା ଆଉ ସଂସାର ରେ ନାହାଁନ୍ତି। ସେ ପୁରା ବିକଳ ହୋଇ କାନ୍ଦିଲା। ପଡ଼ୋଶୀ ଘର ଲୋକ ତାକୁ ବୁଝାଇ ତାକୁ ତୁନି କରେଇଲେ ଓ ତାକୁ ସାହାଯ୍ୟ କରି ତା' ହାତରେ ଦଶାହ କର୍ମ ସବୁ କରେଇଲେ। ଦଶାହ କର୍ମ ସରିଲା ପରେ ସେ ଯେତେବେଳେ ଫେରିଯିବା କୁ ଚାହିଁଲା, ଗୋପାଳ ତାକୁ ଅଟକାଇ କହିଲା, " ମାଆ ଙ୍କ କାଠ ଆଲମାରୀ ରେ ତାଙ୍କର ଟଙ୍କା, ପଇସା, ଗହଣା ସବୁ ରଖିଥିବେ। ଛୁଆ ବାବୁ ତମେ ସେ ସବୁ ସାଙ୍ଗରେ ନେଇ ଯାଅ। ଏତିକି କହି ସେ କଲ୍ୟାଣି ଙ୍କ ତକିଆ ତଳୁ ଆଲମାରୀ ର ଚାବିକାଠି କାଢ଼ି ଅକ୍ଷୟ ର ହାତକୁ ବଢ଼ାଇ ଦେଲା। ପଡ଼ୋଶୀ ଘର ଲୋକ ମାନେ ସବୁ ଠୁଳ ହୋଇ ଯାଇଥିଲେ। ସମସ୍ତେ ଉତ୍ସୁକତା ର ସହ ଦେଖିବାକୁ ଚାହୁଁଥିଲେ ଯେ କଲ୍ୟାଣି କେତେ କେତେ ଟଙ୍କା, ସୁନା ଗହଣା ରଖିଛନ୍ତି। ସମସ୍ତ ଙ୍କ ସମ୍ମୁଖରେ ଆଲମାରୀକୁ ଅକ୍ଷୟ ଖୋଲିଲା। କାଠ ଆଲମାରୀ ଭିତରେ ଯାହା ଥିଲା ତାହା ଦେଖିଲା ପରେ ତା' ମୁହଁରୁ କୌଣସି ଶବ୍ଦ ବାହାରିଲା ନାହିଁ। ସେ ମୁକ ହୋଇ ସେମିତି ଛିଡ଼ା ହୋଇ ଥିଲା। ପଡ଼ୋଶୀ ମାନେ କୌତୁହଳ ହୋଇ ପାଖକୁ ଆସି ଯାହା ଦେଖିଲେ ସେମାନେ ପୁରା ଆଶ୍ଚର୍ଯ୍ୟ ହୋଇ ଗଲେ। ଗୋପାଳ ମଧ୍ୟ ଦୌଡ଼ି ଆସି ଦେଖିଲା ଏବଂ ଭୋ ଭୋ କାନ୍ଦି ପକେଇଲା। କାଠ ଆଲମାରୀ ଭିତରେ ଟଙ୍କା ଥିଲା ନା କିଛି ସୁନା ଗହଣା ଥିଲା ଯଦି ବା ଥିଲା ଖାଲି ମିଠା ପ୍ୟାକେଟ୍, ପାନ ତୁଆ ର ଦନା ,ମାଳ ମାଳ ଜନ୍ଦା, ପିମ୍ପୁଡ଼ି ଆଉ ଥାକ ଥାକ ମିଠା ଦନା। ଗୋପାଳ କାନ୍ଦି କାନ୍ଦି କହିଲା," ଛୁଆ ବାବୁ ତୁମରି ଆସିବା ଅପେକ୍ଷା ରେ ମାଆ ସବୁଦିନ ବସୁଥିଲେ ଆଉ ମିଠା ମଗାଉ ଥିଲେ। ମୁଁ ଭାବୁଥିଲି ସେ ବୋଧେ ସବୁଦିନ ମିଠା ଖାଇ ଦେଉଛନ୍ତି କିନ୍ତୁ ସେ ସବୁ ଏଇ ଆଲମାରୀ ରେ କୁଢ଼ଉ ଥିଲେ। ଅକ୍ଷୟ ସବୁ ଶୁଣୁ ଥିଲା ଆଉ ତା'ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା।। -- ସମାପ୍ତ --
