Lunar Das

Tragedy Others

4  

Lunar Das

Tragedy Others

ଅଫେରା ମଣିଷ

ଅଫେରା ମଣିଷ

4 mins
51


ରାତ୍ରିର ଘନ ଅନ୍ଧକାର ଭିତରେ ଆକାଶକୁ ଚାହିଁ କ'ଣ ଦେଖୁଥିଲା କେଜାଣି,ତା' ପାଖକୁ ଯାଇ ପଚାରିଲି କ'ଣ ଦେଖୁଛୁ..?

ସେ ଆଖି ଛଳ ଛଳ କରି କହିଲା...! ମୋ ବାବାକୁ ଆଉ ଜେଜେଙ୍କୁ ଖୋଜୁଛି । ସମସ୍ତେ କହନ୍ତି ସେ ତାରା ହୋଇ ଯାଇଛନ୍ତି । ଏଇ ଆକାଶରେ ହିଁ ଅଛନ୍ତି ।

ତା' କଥା ଶୁଣିଲା ପରେ ମୋ ଆଖିରୁ ଦୁଇ ବିନ୍ଦୁ ଅଶ୍ରୁ ଝରି ପଡ଼ିଲା । ତା'ର ସ୍ଥାନରେ ମୁଁ ମୋ ନିଜକୁ ଦେଖିଲି, ଅତୀତର କିଛି ପୁରୁଣା ସ୍ମୃତି ଭାବମୟ ହୋଇ ମୋ ହୃଦୟକୁ ଖଣ୍ଡ ଖଣ୍ଡ କରିଦେଲା ଯେମିତି ।


ଅସହାୟତା ମଧ୍ୟରେ ନିରୀହର ସମ୍ମିଶ୍ରଣ କିଛି ଯୁଗ୍ମ ଶବ୍ଦ ହତାଶାର ଅବିବାହିକା ଦେଇ ବୋହିଗଲା ଯେମିତି । ଯେଉଁ ବୟସରେ ଶୈଶବର ଚପଳତା ସୃଷ୍ଟି ହୁଏ ସେହି ବୟସରେ ସେ ଖୋଜୁଛି ତା ଆତ୍ମୀୟଙ୍କୁ ।


ମୁଁ ବି ଦିନେ ଏଇମିତି ଖୋଜୁଥିଲି । ଶୂନ୍ୟର ଆବରଣ ତଳେ ଜେଜେ ବୋଲି ଡାକିଛି ଅନେକ ଥର କିନ୍ତୁ ଓ ଜେଜେ ଆଉ ଫେରି ନାହାନ୍ତି ।


ଶୈଶବର ପ୍ରଥମ ପାହାଚରେ ମୋର ପ୍ରଥମ ପ୍ରେମ,ମୋର ପ୍ରଥମ ସାଙ୍ଗ ମୋ ଜେଜେ ହିଁ ତ ଥିଲେ । ସବୁଦିନ ମୋ ଜେଜେ ବାଘ ଶିକାରର ଗଳ୍ପ କହନ୍ତି । ଆଉ 'ଜିମ୍ କରବେଟ୍'ଙ୍କ ଗଳ୍ପ କହନ୍ତି ।

ମୁଁ ତା'ଙ୍କ ପେଟ ଉପରେ ମୁଣ୍ଡ ରଖି ସବୁ ଦିନ ଗପ ଶୁଣେ । ଗପ ଶୁଣୁ ଶୁଣୁ କେତେବେଳେ ଯେ ଶୋଇପଡ଼େ କେଜାଣି,ଯେତେବେଳେ ଭୋର ଚାରିଟା ବାଜେ, ମୁଁ ଦେଖେ ମୋ ଜେଜେ ପଦ୍ମାସନରେ ବସି ନାକ ବାଟେ ଗୋଟେ ଗ୍ଲାସ ପାଣି ଶେଷ କରନ୍ତି ।


ଦିନେ ମୁଁ ବି ଚେଷ୍ଟା କଲି ନାକ ବାଟେ ପାଣି ପିଇବାକୁ କିନ୍ତୁ ମୋର ଅବସ୍ଥା ଖରାପ ହୋଇଗଲା ।

ସେଦିନ ଜେଜେ ଖୁବ୍ ଜୋରରେ ହସିଥିଲେ, ଆଉ କହିଥିଲେ "ଏଇଟା ଯୋଗ" ସମସ୍ତେ କରିପାରିବେ ନାହିଁ । ସେଦିନ ଗୋଟେ ନୂଆ 'ଶବ୍ଦ' ମୁଁ ଶୁଣିଲି 'ଯୋଗ' ବୋଲି କିଛି ଗୋଟେ ଅଭ୍ୟାସ ଅଛି ।


ସକାଳ ହେଲେ ଜେଜେ ମୋର ଗୋଟେ ଚେୟାର ପକାଇ ବାହାରେ ବସନ୍ତି ମୁଁ ବି ମୋର ସ୍ୱତନ୍ତ୍ର

ସ୍ଥାନରେ ବସେ ମୋ ଜେଜେଙ୍କ କୋଳ । ସବୁଦିନ ଦାଣ୍ଡ ଦୁଆରେ କେତେ ଲୋକଙ୍କ ସହ ଜେଜେଙ୍କର ସାକ୍ଷାତ ହୁଏ । ମୁଁ ବି ବହୁତ ଖୁସି ହୁଏ ଙ୍କ କାରଣ ମୋତେ ମାଗଣାରେ ଗେଲ ମିଳିଯାଏ ।


ଜେଜେ ମୋ ସହ ଭାଲୁ ଖେଳ ଖେଳନ୍ତି କମ୍ବଳ ଭିତରେ ଲୁଚି ଭାଲୁ ଭଳି ଏକଟିଂ କରନ୍ତି ତ କେତେ ବେଳେ ଘୋଡ଼ା ହୋଇ ମୋତେ ତାଙ୍କ ମାଲିକ ବନାନ୍ତି । ମୋତେ ଖୁବ ଭଲ ଲାଗେ ଜେଜେଙ୍କ ସାନ୍ନିଧ୍ୟ । ତାଙ୍କ ସ୍ନେହର ଅଶ୍ରୁରେ ଖସିପଡୁଥିବା ଶେଷ ବିନ୍ଦୁ ମୁଁ ହିଁ ଥିଲି ।


ଦିନେ ଜେଜେଙ୍କ ଦେହ ବହୁତ ଖରାପ ହେଲା, ଜେଜେ ଅଚେତ ହୋଇଗଲେ । ଡାକ୍ତରଙ୍କୁ ଡକାଗଲା ଡାକ୍ତର ଆସିଲେ ଆଉ ଦେହ ଭଲ ରହିବାକୁ ତାଙ୍କୁ କ'ଣ ସବୁ ପରାମର୍ଶ ଦେଲେ । ସେଦିନ ଜାଣିଲି ମୋ ଜେଜେଙ୍କ ହୃଦୟରେ କ'ଣ ଗୋଟେ ବେମାରୀଟେ ହେଇଛି। ସମସ୍ତେ ତାଙ୍କୁ ବହୁତ ଧ୍ୟାନ ଦେଉଥିଲେ । ସେ ଦିନଠୁ ଜେଜେ ଆଉ ଆଗ ଭଳିଆ ମୋ ସହ ଖେଳି ବୁଲି ପାରିଲେ ନାହିଁ । କିନ୍ତୁ ତା'ଙ୍କ ପ୍ରିୟ "ଜିମ୍ କରବେଟ୍"ଙ୍କ ଗପ ତାଙ୍କର ଜାରି ରହିଲା ।


ଜୀବନର ଶେଷ ପ୍ରହର ଆଉ ଜୀବନର ଆଦ୍ୟ ପ୍ରହର ମଧ୍ୟରେ ଅନେକ ସାମଞ୍ଜସ୍ୟ ଅଛି । ଜୀବନର ଶେଷ ପାହାଚରେ ଜଣେ ପୁଣି ଛୋଟ ପିଲା ପରି ହୋଇଯାଏ ଏବଂ ଶୈଶବର ମୁକ୍ତା ବିନ୍ଦୁକୁ ଗୋଟାଇ ସେମାନେ ପୁଣି ଆଉଥରେ ଛୋଟ ଶିଶୁମାନଙ୍କ ସହ ବନ୍ଧୁତା କରି ବସନ୍ତି । ନା ଥାଏ ସେହି ସମ୍ପର୍କରେ ବୟସର ତାରତମ୍ୟ ନା ଥାଏ ଆବିଳତା । ସେଥିପାଇଁ ମୁଁ ମୋ ଜେଜେଙ୍କର ଖୁବ୍ ପ୍ରିୟ ଥିଲି ।

ଜେଜେ ଯେ ମୋତେ ଛାଡ଼ି ଦିନେ ଚାଲିଯିବେ ସେ ଧାରଣା ମୋର ନଥିଲା । ଦିନେ ବାଘ ଗପ ଶୁଣୁ ଶୁଣୁ ମୁଁ, ଜେଜେଙ୍କ ଛାତିରେ ଶୋଇ ପଡ଼ିଥିଲି । ସବୁଦିନ ପରି ଜେଜେ ଠିକ୍ ଭୋର ଚାରିଟା

ବେଳେ ଶଯ୍ୟା ତ୍ୟାଗ କଲେ କିନ୍ତୁ ସେଦିନ ଜେଜେ ଆଉ ନାକ ବାଟେ ପାଣି ପିଇଲେ ନାହିଁ କିମ୍ବା ପରିଶ୍ରା କରିବାକୁ ଖଟରୁ ଓହ୍ଲେଇ ପାରିଲେ ନାହିଁ ସେ ନିଃଶ୍ୱାସରେ ଯନ୍ତ୍ରଣା ଅନୁଭବ କରୁଥିଲେ।


ମୁଁ ଜେଜେଙ୍କର ସ୍ୱାସ୍ଥ୍ୟ ବିଷୟରେ ବେଶିକିଛି ଜାଣି ନ ଥିଲି ପୁରମାତ୍ରାରେ ବୁଦ୍ଦୁ ଥିଲି। ମୁଁ ପୁଣି ଜେଜେଙ୍କୁ ଗପ ଶୁଣିବାକୁ ବାଧ୍ୟ କଲି । ଜେଜେ ଆଉ ମୋତେ ମନା କରିପାରିଲେ ନାହିଁ, ରହି ରହି ଗପ କହିବା ଆରମ୍ଭ କଲେ.........। ସେ ଅଧା ଗପ କହି ଜେଜେ ନିରବ ହୋଇ ଗଲେ । ମୁଁ ଜେଜେଙ୍କୁ ଯେତେ ଡାକିଲି ଜେଜେ ଆଉ ଶୁଣିଲେ ନାହିଁ ମୁଁ ଜିଦ୍ଦି କଲି 'ଜେଜେ'!! କୁହନା ତା'ପରେ କ'ଣ ହେଲା.......? ମୋ ଜେଜେ ଆଉ ଉଠିଲେ ନାହିଁ ସେ, ଚିରନିଦ୍ରାରେ ଶୋଇ ପଡ଼ିଥିଲେ ।


ମୁଁ ଧାଇଁ ଯାଇ ମୋ ଜେଜେମାଙ୍କୁ କହିଲି, ସମସ୍ତେ ଧାଇଁ ଆସିଲେ ଜେଜେଙ୍କ ମୁହଁରେ ତୁଳସୀ ପତ୍ର ମିଶା ପାଣି ଦେଲେ କିନ୍ତୁ ଜେଜେଙ୍କ ପାଟି ଆଉ ଖୋଲିଲା ନାହିଁ । ତାଙ୍କ ଆଖି ମଧ୍ୟ ସ୍ଥିର ହୋଇ ଯାଇଥିଲା । ମୁଁ କିଛି ବୁଝି ପାରୁନଥିଲି । ଘର ସାରା କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ।

ସମସ୍ତଙ୍କ ମୁହଁକୁ ମୁଁ ବଲ ବଲ କରି ଦେଖୁଥିଲି । ମୋ ଜେଜେ ତ ଶୋଇଛନ୍ତି, ଏମାନେ କାହିଁକି

କାନ୍ଦୁଛନ୍ତି......? ମୁଁ ଜେଜେଙ୍କ ପାଖରୁ ଜମା ଉଠୁନଥିଲି କାରଣ ମୋର ଧାରଣା ଥିଲା ଜେଜେ ପୁଣି ଶୋଇ କି ଉଠିଲେ ଗପ କହିବେ ।


ସମୟ ଗଡ଼ି ଚାଲିଲା.......!!! ଜେଜେ ଆଉ ଉଠିଲେ ନାହିଁ । ଶେଷରେ ଜେଜେଙ୍କ ଶରୀରକୁ ଛଅ ଖଣ୍ଡ କାଠ ଉପରେ ବାନ୍ଧି ଦିଆଗଲା । ମୋ ଜେଜେଙ୍କୁ ମୋ ଆଖି ଆଗରେ ବାନ୍ଧି ଦିଆଯାଉଥିବାରୁ ମୁଁ ସହିପାରିଲି ନାହିଁ । ସମସ୍ତଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲି । ମୋ ଜେଜେଙ୍କୁ କାହିଁକି ବାନ୍ଧୁଛ... ମୋ ଜେଜେ ଶୋଇଛନ୍ତି । ଶେଷରେ ମୋତେ ଘର ଭିତରେ କବାଟ ବନ୍ଦ କରି ଦିଆଗଲା ।

ମୁଁ କାନ୍ଦି କାନ୍ଦି ଅପେକ୍ଷା କଲି ଜେଜେ ଫେରିଆସି କବାଟ ଖୋଲିବେ ମୋତେ ଗେଲ କରିବେ । କିନ୍ତୁ ଜେଜେ ଆଉ ଫେରିଲେ ନାହିଁ । ସେଦିନ ପ୍ରଥମ ଥର ପାଇଁ ଶୁଣିଲି 'ମୃତ୍ୟୁ' ଶବ୍ଦ । ମୋ ଜେଜେଙ୍କ ମୃତ୍ୟୁ ହୋଇଛି। 'ମୃତ୍ୟୁ' ଶବ୍ଦର ଅର୍ଥ କ'ଣ ମୁଁ 'ପାପା'ଙ୍କୁ ପଚାରିଲି । ପାପା କହିଲେ ଜେଜେ ତାରା ହୋଇଗଲେ ଏବେ ଆକାଶରେ ଥାଇ ତୋତେ ଦେଖି ପାରିବେ । ସେଦିନ ଜାଣିଲି , ମୋ ଜେଜେ ଆଉ ଫେରିବେ ନାହିଁ ।'ମୃତ୍ୟୁ'ର ଅର୍ଥ ଅଫେରା ମଣିଷ ।


ମୁଁ ବହୁତ କାନ୍ଦିଲି ଆଉ ଖାଦ୍ୟ ଖାଇଲି ନାହିଁ । ମୋ ମନରେ ଗୋଟିଏ ଚିନ୍ତା ଥିଲା, ଜେଜେ ପୁଣି ଆକାଶରୁ କେମିତି ଫେରିପାରିବେ.......। ଜେଜେଙ୍କୁ ଖୋଜି ଖୋଜି ମୁଁ ଖାଇବା ଛାଡ଼ିଦେଲି । ମୋତେ ବହୁତ ଜ୍ୱର ହେଲା । ମୁଁ ଆଉ ଉଠିପାରିଲିନି । ଶେଷରେ ଦିନେ ଦେଖିଲି ଜେଜେ ମୋ,

ପାଖରେ ବସିଛନ୍ତି ମୁଁ ତାଙ୍କ ସହ କଥା ହେଲି ଘନ ଅନ୍ଧକାର ଭିତରେ....। ସମସ୍ତେ ଦେଖିଲେ ରାତିରେ ମୁଁ ଉଠି ଏକୁଟିଆ ଏକୁଟିଆ କଥା ହେଉଛି । ମୋତେ ପଚାରିଲେ ତୁ କାହା ସହ କଥା ହେଉଛୁ ମୁଁ କହିଲି ! "ଜେଜେଙ୍କ ସହ କଥା ହେଉଥିଲି "।

ତା'ପର ଦିନ ଗୁଣିଆ ଡାକି ମୋତେ କବଚ ବାନ୍ଧି ଦିଆଗଲା । ମୁଁ ଆଉ ଜେଜେଙ୍କୁ ଦେଖି ପାରିଲିନାହିଁ । କିନ୍ତୁ ମନରେ ରହିଗଲା, ଜେଜେ ମୋତେ ଆକାଶରେ ଥାଇ ନିଶ୍ଚୟ ଦେଖୁଥିବେ ।


ଜେଜେଙ୍କ ପରେ ମୁଁ ଆଉ କାହା ସହ ମିଶି ପାରିଲି ନାହିଁ । ରାତିକୁ ଅପେକ୍ଷା କରୁଥିଲି । ତାରାମାନଙ୍କ ଗହଣରେ ଜେଜେଙ୍କୁ ଖୋଜୁଥିଲି । ଯେତେ ଦିନ ପର୍ଯ୍ୟନ୍ତ ପ୍ରକୃତିର ବାସ୍ତବସତ୍ୟକୁ ବୁଝିନଥିଲି ସେତେ ଦିନ ପର୍ଯ୍ୟନ୍ତ ମୁଁ ରାତିର ଅପେକ୍ଷା କରୁଥିଲି ।


ମଣିଷର ଜନ୍ମ ସତ୍ୟ ହେଲେ ମୃତ୍ୟୁ ବି ସତ୍ୟ । ସବୁ ଜାଣି ସୁଦ୍ଧା ମୁଁ ନିଜକୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଠାରୁ ମୁକ୍ତ ରଖି ପାରେନି, ଯେଉଁମାନେ ମୋତେ କ୍ଷଣିକ ପାଇଁ ମଧ୍ୟ ସ୍ନେହ ଆଦର ଦେଇଛନ୍ତି,ପ୍ରତ୍ୟେକ ମୁହୂର୍ତ୍ତରେ ଅଶ୍ରୁରେ ଭିଜି ଭିଜି ସେମାନଙ୍କୁ ଖୋଜୁଥାଏ । ଏ ଅବୁଝା ମନ ତ କିଛିବି ବୁଝେନି । କେବଳ ସ୍ନେହର ଦାସତ୍ୱ ସ୍ୱୀକାର କରେ।



Rate this content
Log in

Similar oriya story from Tragedy