Er.Sasanka Sekhar Panda

Tragedy

5.0  

Er.Sasanka Sekhar Panda

Tragedy

ଅଦେଖା ଲୁହ

ଅଦେଖା ଲୁହ

11 mins
866


ବୈଶାଖ ମାସର ସକାଳ, ବିମଳେନ୍ଦୁ ବାବୁ ଧୋତି ଆଉ ପାଇ ଜାମା ଖଣ୍ଡେ ପିନ୍ଧି ବାହାରି ପଡ଼ିଲେ । ତାଙ୍କର ବେଶ ଦେଖି ତାଙ୍କର ପତ୍ନୀ ରମାଦେବୀ କହିଲେ, ଏତେ ସହଳୁ ତରବରିଆ ଭାବରେ କୁଆଡ଼େ ବାହାରିଛ କି ? ନୂଆ ଧୋତି ତା ସାଙ୍ଗକୁ ବିନା ଇସ୍ତ୍ରୀ ଦିଆ ପାଇ ଜାମା, ପୁଣି ନାଲି ଗାମୁଛା । କ'ଣ ଆମ ମିନୁ ପାଇଁ ପୁଅ ଦେଖିବାକୁ ଯାଉଛ କି...? ସାମାନ୍ୟ ବିରକ୍ତି ହୋଇ ବିମଳେନ୍ଦୁ କହିଲେ- ଆରେ ନାଇଁମ ତୁମର ଖାଲି ସେଇ କଥା, କୁମ୍ଭୀର ନେଇ ମଝି ନଈରେ କଲାଣି ତଥାପି ତୁମର ନିଦ ଭାଙ୍ଗୁନି । ଟିକେ ଚଢା ଗଳାରେ ରମାଦେବୀ କହିଲେ ମଲା, ତୁମେ ଏମିତି ଚିଡୁଛ କାହିଁକି, ମୁଁ କ'ଣ ଟିକିଏ କହିଦେଲି ସେଇ କଥାକୁ ନେଇ ମୋତେ ଏମିତି କହିବ ? ତା'ଛଡ଼ା ତୁମେ ସକାଳୁ ଏମିତି ସଜବାଜ ହୋଇ କୁଆଡ଼େ ଯାଉଛ, ସେ କଥା ମୁଁ ଜାଣିବିନି ତ ଆଉ କିଏ ଜାଣିବ । ହଉ ହେଲା, ତୁମେ ଯୁଆଡ଼େ ଯାଉଛ ଯାଅ ମୋର ମନା ନାହିଁ, ହେଲେ ଶକ୍ତିର ପରୀକ୍ଷା ପାଖେଇ ଆସିଲାଣି ତାର ଫରମ ଫିଲପ ପାଇଁ ଟଙ୍କା ଦରକାର ଏ କଥା ଯେମିତି ଭୁଲି ନ ଯାଅ । ଆରେ ମୋତେ କଣ ଜଣା ନାହିଁ ଯେ ମୋର ମନେ ପକାଇ ଦେଉଛ । ମୁଁ ତ ସେଇ ଚେଷ୍ଟାରେ ବାହାରୁଛି, ଦେଖା ଯାଉ କ'ଣ ହେଉଛି । ଓ...ହୋ...ଯଦି ମୋ ଅନୁମାନ ଠିକ ହୁଏ ତା'ହେଲେ ତୁମେ ଭୁବେନେଶ୍ୱର ଯାଉଛ ଶ୍ୟାମଳେନ୍ଦୁଙ୍କୁ ଦେଖା କରିବା ପାଇଁ, ନୁହେଁ । ଭଲ କଥା ଯାଅ, ସେ.. ତ ବଡ଼ ଚାକିରୀ କରିଛନ୍ତି, ଅନେକ ଟଙ୍କା ଦରମା ପାଉଥିବେ । ଯଦି ସେ ଆମ ଦୁଃଖ କଥା ଶୁଣିବେ ନାଁ ମୋର ବିଶ୍ୱାସ ସେ ନିଶ୍ଚୟ ସାହାଯ୍ୟ କରିବେ । ଶୁଣ ତୁମେ ଯେମିତି ହେଲେ ଆମର ସବୁ ସମସ୍ୟା କଥା ତାଙ୍କୁ କହିବ ।


ରମାଦେବୀ ନିଜ ଭରସା ଆଉ ବିଶ୍ୱାସକୁ ଆଖି ଆଗରେ ରଖି ଅନେକ କଥା କହିଗଲେ । ଏକ ଧ୍ୟାନରେ ରଘୁନାଥ ବାବୁ ରମାଦେବୀଙ୍କ କଥା ଶୁଣୁଥାନ୍ତି । ହଁ ଶୁଣ ! ତୁମେ ଟିକେ ରୁହ, ମୁଁ ଦି'ଟା ଚୁଡ଼ାଘସା କରି ଦେଉଛି । ଶ୍ୟାମଳେନ୍ଦୁଙ୍କୁ ଚୁଡ଼ାଘସା ଖାଇବାକୁ ଭାରି ଭଲ ଲାଗେ । ବିମଳେନ୍ଦୁ ଉତ୍ତର ଦେଲେ - ରମା ମୋର ଡେରି ହୋଇ ଯାଉଛି, ତେଣେ ବସ କେତେବେଳେ ନେଇ ରାଜଧାନୀରେ ପହଁଚେଇବ ସେ କଥା ମୁଁ ଜାଣିନି, ତେଣୁ ଶୀଘ୍ର ନ ଗଲେ ଫେରିବା ବି ଡେରି ହୋଇଯିବ । ଓ ହୋ ତୁମେ କାହିଁକି ବ୍ୟସ୍ତ ହଉଛ କହିଲ ? ମୁଁ ଏଇ ସାଙ୍ଗେ-ସାଙ୍ଗେ ଗଲି ଆଉ ଆସିଲି । ହଁ ଏଇ ସମୟ ଭିତରେ ତୁମେ ଟିକେ ଗଲ ଗୋରୁଙ୍କ ପାଖରେ ଛଣ ଦି ବିଡ଼ା ପକେଇ ଦେଇ ଆସିବ, ତୁମେ ଆସୁ ଆସୁ ମୋର ହୋଇ ଯାଇଥିବ । ହଉ ହଉ ତୁମେ ଯାହା କରିବା କଥା ଶୀଘ୍ର କର, ମୁଁ ଗୁହାଳ ଘରୁ ଫେରିବା ଭିତରେ ତୁମର ଯେମିତି ସରି ଯାଇଥିବ । ବିମଳେନ୍ଦୁ ଯିବାକୁ ଉଦ୍ୟତ ହେଉଥିବା ବେଳେ ପୁଣି ରମାଦେବୀ ପଛରୁ ଡାକି କହିଛନ୍ତି - ହେଇଟି ଗୁହାଳ ଘରୁ ଫେରିବା ବେଳେ ଦେଖିବଟି ସେ ଚାଳରେ ଯେଉଁ କଖାରୁ ଗଛ ମାଡ଼ିଥିଲା ସେଥିରେ କଖାରୁ ହୋଇଛି କି ନାହିଁ । ଆଉ ଯଦି ହେଇଥିବ ତା'ହେଲେ ନେଇ ଆସିବ, କଷି କଖାରୁ ସାଙ୍ଗରେ ପୋଇ ଚଡ଼ଚଡ଼ି ଶ୍ୟାମଳେନ୍ଦୁଙ୍କୁ ଭାରି ଭଲ ଲାଗେ । ବିମଳେନ୍ଦୁ ଟିକେ ଭାବାତ୍ମକ ହୋଇ କହିଲେ - ଯାହା ହେଉ ତୁମର ତା'ହେଲେ ସବୁ ମନେ ଅଛି ରମା । ସତରେ ତୁମେ ତା'ର ମା' ସମାନ ଭାଉଜ ଥିଲ । ହେଲେ ଭାଗ୍ୟର ବିଡ଼ମ୍ବନା, ସେ ଆଜକୁ ପନ୍ଦର ବର୍ଷ ହେବ ଆମଠୁଁ ଅଲଗା ହୋଇ ବଡ଼ ଚାକିରୀ କରି ରାଜଧାନୀରେ ରହୁଛି । ଦେଖା ଯାଉ ଭଗବାନଙ୍କର କ'ଣ ଇଛା ।


କିଛି ସମୟ ପରେ ବିମଳେନ୍ଦୁ ହାତରେ ବ୍ୟାଗ ଖଣ୍ଡିଏ ଧରି ରାଜଧାନୀ ଅଭିମୁଖେ ବାହାରି ଆସିଲେ । ବସ ଷ୍ଟାଣ୍ଡରେ ଛିଡ଼ା ହୋଇ ଦେଖିଲେ ଦୂରରୁ ଗୋଟେ ବସ ଆସୁଛି, ହେଲେ ପାଖକୁ ଆସିବା ପରେ ଜାଣିଲେ ସେ ବସଟି ରାଉଲକେଲା ଯିବ । ପାଖରେ ଛିଡ଼ା ହୋଇଥିବା ଲୋକଙ୍କୁ ପଚାରିଲେ ଆଜ୍ଞା ଭୁବେନେଶ୍ୱର ବସ କେତେବେଳେ ଆସିବ ? ଲୋକଙ୍କ ମଧ୍ୟରୁ ଜଣେ କହିଲେ ଏବେ ଆସିବ, ତୁମେ କଣ ଭୁବନେଶ୍ୱର ଯିବ ? ବିମଳେନ୍ଦୁ କହିଲେ ଆଜ୍ଞା । ଠିକ ସେହି ସମୟରେ କଟକ- ଭୁବନେଶ୍ୱର ବସ ଆସି ଲାଗିଲା, ବସରେ ପ୍ରବଳ ଭିଡ଼, ତଥାପି ବସ ହେଲ୍ପର ଡାକୁଥାଏ ସିଟ ଖାଲି ସିଟ ଖାଲି, କଟକ - ଭୁବନେଶ୍ୱର ସିଟ ଖାଲି । ବିମଳେନ୍ଦୁ ଭାବିଲେ ଯାହା ହେଉ ଭୁବନେଶ୍ୱର ଯାଏଁ ସିଟ ଖଣ୍ଡେ ମିଳିବ । ଲୋକେ ଚଢ଼ିବାକୁ ଲାଗିଲେ, ତାରି ଭିତରେ ବିମଳେନ୍ଦୁ ବି ବସ ଉପରକୁ ଚଢ଼ିଗଲେ । ହେଲେ ଏ କ'ଣ ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ବସ ଭିତରେ ଛିଡ଼ା ହେବାକୁ ବି ଜାଗା ନାହିଁ, କିନ୍ତୁ ସିଟ ଖାଲି - ସିଟ ଖାଲି ଡାକ ଛାଡୁଥିଲେ । କିଛି ସମୟ ପରେ ବସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କଲା । ବସ କଣ୍ଡେକଟର ଆସି କହିଲା - ଚାଲ ଚାଲ ଭିତରକୁ ଚାଲ, ଭିତରେ କେତେ ଜାଗା ଫାଙ୍କା ଅଛି, ସବୁ ଏଇ ଦୁଆର ମୁହଁରେ । ହେଲେ ଭିତରେ ଯିଏ ଯେଉଁଠି ଛିଡ଼ା ହୋଇଛନ୍ତି ସେଇଠି, ଟିକେ ଶରୀର ବୁଲେଇବାକୁ ଜାଗା ନାହିଁ । ବିମଳେନ୍ଦୁ ଚିନ୍ତାକଲେ ଯାହା ଯେମିତି ହେଉ ଠିଆ ହେଇକି ପଳେଇ ଯିବା । ବସ କଣ୍ଡେକଟର ଆସି ଭଡ଼ା ମାଗିଲା, ଦିଅ-ଦିଅ ଭଡ଼ା ଦିଅ । ଅନେକ ଲୋକ କହିଲେ ଆମକୁ ସିଟ ଖାଲି କହି ଡାକି ଆଣିଲ,ହେଲେ ସିଟ କାହିଁବା । ଆଉ ଭଡ଼ା ମାଗିବାକୁ ଚାଲି ଆସିଲା । ଏବେ କିଛି ଦେଇ ହେବନି, ଯେତେବେଳେ ସିଟରେ ବସାଇବ ସେତେବେଳେ ଭଡ଼ା ଦିଆଯିବ । ହେଲେ କଣ୍ଡେକଟର କୋଉ ଛାଡ଼ିବା ଲୋକ, ସେମାନଙ୍କରତ ଏସବୁ ନୀତି ଦିନିଆ ଅଭ୍ୟାସ ଟିକେ ଜୋରରେ କହିଲା କିଛି ଶୁଣି ହେବନି ଭଡ଼ା ଦିଅ ନ ହେଲେ ଓଲେଇ ଯାଅ । ଛିଡ଼ା ହୋଇଥିବା ଲୋକଙ୍କ ଭିତରୁ ଜଣେ କହିଲା ଦେବା ଭଡ଼ା ଦେବା ହେଲେ ଅଧା ଭଡ଼ା ଦେବା । କଣ୍ଡେକଟର କହିଲା ବସିବା ଲୋକର ଯେତିକି ଭଡ଼ା, ଠିଆ ହୋଇଥିବା ଲୋକର ବି ସେତିକି ଭଡ଼ା । ଲୋକେ କହିଲେ ବି କଣ୍ଡେକଟର କିଛି ଶୁଣିବାର ନାହିଁ । ବିମଳେନ୍ଦୁକୁ ପଚାରିଲା ତୁମେ କଉଠିକୁ ଯିବ ? ବିମଳେନ୍ଦୁ କହିଲେ - ମୁଁ ଭୁବନେଶ୍ୱର ଯିବି, ହେଲେ ବସିବା ପାଇଁ ସିଟ ଖଣ୍ଡେ ନାହିଁ । କାହିଁକି ସିଟ ଖାଲି ସିଟ ଖାଲି କହି ଲୋକଙ୍କୁ ହଇରାଣ କରୁଛ ? କଣ୍ଡେକଟର କହିଲା ଆଛା ହଉ, ତୁମେ ବସିବାକୁ ଚାହୁଁଛ ତ.. ଦିଅ ଭଡ଼ା ଦିଅ ଆଉ ଏ ଟିକେଟ ନିଅ ଏଥରେ ସିଟ ନମ୍ବର ଲେଖି ଦେଉଛି, ଲୋକଙ୍କୁ ଆଡ଼େଇ ସିଧା ପଛ ସିଟ ପାଖକୁ ଚାଲିଯାଅ । ଆଗରେ ଲୋକ ଓଲେଇ ପଡ଼ିବେ ବସ ଫାଙ୍କା ହୋଇଯିବ, ହେଲା । ବିମଳେନ୍ଦୁ ଭାବିଲେ ଲୋକଙ୍କୁ ଆଡ଼େଇ ଯିବା ଅପେକ୍ଷା ଏଇଠି ଛିଡ଼ା ହେବା ଭଲ, ଲୋକ ତ ଆଗରେ ଓଲେଇବେ ତା'ପରେ ଦେଖିବା । ଏମିତି କିଛି ସମୟ ପରେ ଧିରେ ଧିରେ ଲୋକ ଓଲେଇ ପଡ଼ିଲେ, ବିମଳେନ୍ଦୁ ଯାଇ ନିଜ ସିଟରେ ବସିଲେ । ଭାଗ୍ୟକୁ ସିଟଟି ଝରକା ପାଖରେ, ଯାହା ହେଉ କିଛି ନ ହେଲେ ଟିକେ ଥଣ୍ଡା ପବନ ତ ଦେହରେ ବାଜିବ, ଏମିତି କେତେ କଥା ଚିନ୍ତା କରୁଥାନ୍ତି ।


ବସ ଆସି ଭୁବନେଶ୍ୱରରେ ପହଁଚିଗଲା ସବୁଲୋକ ଓଲେଇ ପଡ଼ିଲେ, ହେଲେ ବିମଳେନ୍ଦୁ ସେମିତି ସିଟରେ ବସିଥାନ୍ତି । ହେଲ୍ପର ଆସି କହିଲା - ମଉସା ! ଓଲେଇ ପଡ଼ ଭୁବନେଶ୍ୱର ହେଇଗଲା, ଗାଡ଼ି ଆଉ ଆଗକୁ ଯିବନି । ବିମଳେନ୍ଦୁ କହିଲେ ଭୁବନେଶ୍ୱର ହେଇଗଲା ? ହଉ ହଉ ମୁଁ ଓଲେଇ ପଡୁଛି । ଏତକ କହି ବସରୁ ଓଲେଇ ପଡ଼ିଲେ, ସେତେବେଳକୁ ସୂର୍ଯ୍ୟ ମୁଣ୍ଡ ଉପରେ । ବୈଶାଖ ମାସ ଖରା, ତେଣୁ ତାତିରେ ଦେହ ପୋଡ଼ି ପକାଉଥାଏ । ଟିକିଏ ଇଆଡ଼େ ସିଆଡ଼େ ବିମଳେନ୍ଦୁ ଚାହିଁଲେ, ରାଜଧାନୀ ଯୁଆଡ଼େ ଚାହିଁଲେ ବଡ଼ ବଡ଼ କୋଠା, ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । କାହାକୁ ପଚାରିବେ ଆଉ କ'ଣ ପଚାରିବେ ସେ କଥା ଚିନ୍ତା କରି ପାରୁ ନ ଥାନ୍ତି । ମନକୁ କ'ଣ ଆସିଲା କେଜାଣି କାହାକୁ କିଛି ନ ପଚାରି ଆଗେଇ ଚାଲିଲେ । କିଛି ବାଟ ଯିବା ପରେ ଦେଖିଲେ ରାସ୍ତା କଡ଼ରେ ଏକ ବୋଡ଼ ଲଗାଯାଇଛି, ସେଥିରେ ଲେଖା ଯାଇଛି, ରାଜଭବନକୁ ରାସ୍ତା । ବିମଳେନ୍ଦୁ ଭାବିଲେ ବୋଧ ହୁଏ ଏଇ ପଟେ ମୋ ଶ୍ୟାମ ରହୁଥିବ, ଯାଏଁ ଦେଖେ ନ ହେଲେ କାହାକୁ ପଚାରିବି । ଯିବା ବାଟରେ ଗୋଟେ ଜଳଖିଆ ଦୋକାନ ଦେଖିଲେ, ପାଖକୁ ଯାଇ ପଚାରିଲେ ଆଜ୍ଞା କହି ପାରିବେ କି କଲେକ୍ଟରଙ୍କ ବାସଭବନଟି କେଉଁଠି ? ଦୋକାନୀ କହିଲା କେଉଁ କଲେକ୍ଟର କଥା କହୁଛନ୍ତି । ତାଙ୍କ ନାଁ କ'ଣ ? ବିମଳେନ୍ଦୁ କହିଲେ ତାଙ୍କ ନାଁ ଶ୍ୟାମଳେନ୍ଦୁ ମହାପାତ୍ର । ଦୋକାନୀ ମନେ ମନେ କହିଲା ଶ୍ୟାମଳେନ୍ଦୁ ମହାପାତ୍ର ! ପାଖରେ ବସିଥିବା ଲୋକଙ୍କୁ ପଚାରିଲା ଆରେ ଭାଇ ଏପଟରେ କଲେକ୍ଟର ଶ୍ୟାମଳେନ୍ଦୁ ମହାପାତ୍ର ରହୁଛନ୍ତି କି ? ଲୋକଙ୍କ ମଧ୍ୟରୁ କେହି ଜଣେ କହିଲା - ଜଣା ନାହିଁ, ତଥାପି ମୋତେ ଲାଗୁଛି ଭି.ଆଇ.ପି କଲୋନୀ ଭିତରେ କେଉଁଠି ରହୁଥିବେ । ମଉସା ତୁମେ ଗୋଟେ କାମ କର ଏଇ ରାସ୍ତାରେ ଯାଅ, କିଛି ବାଟ ଯିବା ପରେ ଆଗରେ ଗୋଟେ ମୋଡ଼ ପଡ଼ିବ, ସେଇଠୁ ଡାହାଣ ପଟେ ଯିବ, ତାପରେ କିଛି ବାଟ ଯିବା ପରେ ଦେଖିବ ଗୋଟେ ବଡ଼ ପାଣି ଟାଙ୍କି ଥିବ, ସେଇଠୁ ବାମ ପଟକୁ ମୋଡ଼ି ଯିବ । ସାମ୍ନାରେ ଭି.ଆଇ.ପି କଲୋନୀ ଅଛି । ମୁଁ ଭାବୁଛି କଲେକ୍ଟର ସେଇଠି କେଉଁଠି ରହୁଥିବେ ।


ବିମଳେନ୍ଦୁ କହିଲେ - ଆପଣଙ୍କ ପରାମର୍ଶ ପାଇଁ ଧନ୍ୟବାଦ ଆଜ୍ଞା । ଦୋକାନୀ ମୁଁହକୁ ଚାହିଁ କହିଲେ ଆଜ୍ଞା ଟିକେ ପାଣି ମିଳିବ ? ଦୋକାନୀ ଅତି ଉତ୍ସାହିତ ହୋଇ କହିଲା କି କଥା କହୁଛନ୍ତି ! ବୈଶାଖ ମାସରେ ଲୋକେ ଧର୍ମ କରିବା ପାଇଁ ଜାଗାବର ଜାଗା ଜଳଛତ୍ର ଖୋଲୁଛନ୍ତି । ମୁଁ ପାଣି ମନା କରିବି, ନିଅ ଏଇ ନିଅ ଆଉ ଏଇଠି ବସି ପାଣି ପିଅ । ବିମଳେନ୍ଦୁ ଧିରେ ଆଗକୁ ଯାଇ ପାଣି ଗ୍ଲାସଟିକୁ ଆଣି ବସି ପଡ଼ିଲେ ଓ ପାଣି ପିଇଲେ । ପାଖରେ ବସିଥିବା ଲୋକ ପଚାରିଲା, ମଉସା ଖରାପ ଭାବିବ ନାହିଁ, ତୁମେ ବୋଧ ହୁଏ ରାଜଧାନୀକୁ ପ୍ରଥମେ ଆସୁଛ । ବିମଳେନ୍ଦୁ କହିଲେ ଏଥିରେ ଖରାପ ଭାବିବାର କଣ ଅଛି, ଆପଣଙ୍କ କହିବା ଠିକ ମୁଁ ପ୍ରଥମଥର ପାଇଁ ରାଜଧାନୀ ଆସିଛି । ତେବେ କଲେକ୍ଟରଙ୍କ ବାସଭବନରେ ତୁମର କାମ କଣ ? ଯଦି କିଛି କାମ ଅଛି ତାଙ୍କୁ କଲେକ୍ଟର ଅଫିସରେ ଯାଇ ଦେଖା କର । ବିମଳେନ୍ଦୁ ଭାବିଲେ କେମିତି କହିବେ କଲେକ୍ଟର ଶ୍ୟାମଳେନ୍ଦୁ ମହାପାତ୍ର ତାଙ୍କର ଭାଇ, ଆଉ ଯଦି ଏକଥା କୁହେ ତାହେଲେ କେହି ବି ଏଠି ବିଶ୍ୱାସ କରିବେ ନାହିଁ । ଠିକ ସେତିକି ବେଳେ ଆଉ ଜଣେ ଲୋକ କହିଲା ଭାଇନା ତୁମେ ବୁଝୁନ, କଲେକ୍ଟରଙ୍କର ବାଡ଼ି ଘର କାମ କରିବାକୁ ଲୋକ ଦରକାର ହେଇଥିବ ଆଉ ସେଥିପାଇଁ ତାଙ୍କ ଗାଁରୁ ବୋଧେ ଏଙ୍କୁ ଡାକିଛନ୍ତି । ବିମଳେନ୍ଦୁ ସାଙ୍ଗେ ସାଙ୍ଗେ କହିଲେ ହଁ ହଁ କଲେକ୍ଟର ଶ୍ୟାମଳେନ୍ଦୁ ମହାପାତ୍ର ଘର ଆମ ଗାଁରେ, ମୋତେ ତାଙ୍କ ବାଡ଼ି ବଗିଚା କାମ କରିବାକୁ ଡକରା ପଠାଇଥିଲେ ଆଉ ସେଇଥି ପାଇଁ ମୁଁ ଆସିଛି । ଲୋକ କହିଲେ ହଉ ହଉ ତୁମେ ଯାଅ ।


 ବିମଳେନ୍ଦୁ ଉଠିପଡ଼ି ଆଗେଇ ଚାଲିଲେ । ଭି.ଆଇ.ପି କଲୋନୀ ଭିତରେ ପ୍ରବେଶ କରି ଦେଖିଲେ ସବୁ କୋଠା ଗୁଡିକ ଏକା ପରି । ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଲା, ସତରେ କଣ ମୁଁ ଶ୍ୟାମଳେନ୍ଦୁର ଘର ଖୋଜି ପାଇବି ? ଏମିତି ଭାବୁ ଭାବୁ ଗୋଟିଏ ଘର ଫାଟକକୁ ଦେଖି ଅଟକି ଗଲେ, ଫାଟକରେ ଲେଖା ଯାଇଛି କଲେକ୍ଟର ଶ୍ୟାମଳେନ୍ଦୁ ମହାପାତ୍ର । ନାଁ ଟିକୁ ପଢି ନିଜକୁ ସଂଯତ କରି ନେଲେ, ପିନ୍ଧିଥିବା ଧୋତିଟିକୁ ଟିକେ ତଳକୁ ଟାଣି ଦେଲେ, ବିନା ଇସ୍ତ୍ରୀ ଦିଆ କୁର୍ତାଟିକୁ ଦୁଇ ହାତର ପାପୁଲିରେ ଇସ୍ତ୍ରୀ ଦେବା ଭଳି ଚାରିପଟେ ବୁଲାଇ ଆଣିଲେ । ବ୍ୟାଗଟିକୁ ଧରି ଫାଟକ ପାଖକୁ ଗଲେ । ଟିକେ ଦୂରରେ ବନ୍ଧା ହୋଇଥିବା ପୋଷା କୁକୁରଟି ଭୋ - ଭୋ ହୋଇ ଭୁକିବାକୁ ଲାଗିଲା । ଘର ଭିତରୁ ଜଣେ ବାହାରି ଆସି କହିଲା ବାବୁ ଘରେ ନାହାନ୍ତି ୫ଟା ବେଳେ ଆସ । କହିବା ଶୈଳୀ ଆଉ ବେଶ ପୋଷାକରୁ ଲାଗିଥିଲା ସିଏ ଯେମିତି ସେ ଘରର ଚାକର । ହେଲେ ଏମିତି କଡ଼ା ହୁକୁମକୁ ଶୁଣି ଦୁଇ ପାଦ ପଛକୁ ଫେରାଇ ଆଣିଲେ ବିମଳେନ୍ଦୁ । ଆଉ ନିକଟରେ ଥିବା ବରଗଛ ମୂଳେ ଗାମୁଛା ଖଣ୍ଡେ ବିଛାଇ ଦେଇ ଥକ୍କାମାରି ବସି ପଡ଼ିଲେ । ଗଛ ଛାଇ ସାଙ୍ଗକୁ ହାଲକା ପବନ ଦେଉଥାଏ, ଏ ସବୁ ଭିତରେ ବିମଳେନ୍ଦୁଙ୍କର ସାମାନ୍ୟ ଆଖି ଲାଗି ଯାଇଛି ।


 କିଛି ସମୟ ପରେ ଗୋଟିଏ ଗାଡ଼ିର ହର୍ନ ଶୁଣି ତରଛରିଆ ଭାବେ ଆଖି ମଳି ଉଠି ପଡ଼ିଲେ ବିମେଳେନ୍ଦୁ । ଦେଖିଲେ ଶ୍ୟାମଳେନ୍ଦୁ ଗାଡ଼ିରୁ ଓଲେଇ ଘର ଭିତରକୁ ଗଲା । ଟିକିଏ ଭଗବାନ ସ୍ମରଣ କରି ବିମଳେନ୍ଦୁ କହିଲେ ଯାହା ହେଉ ପ୍ରଭୁ ମୋ ଶ୍ୟାମକୁ ଭଲରେ ରଖିଛନ୍ତି । ତରକୁ ଯିବା ପାଇଁ ତତ୍ପରତାର ସହ ଆଗେଇ ଗଲେ ବିମଳେନ୍ଦୁ । ପୁଣି ସେହି ଚଢା ଗଳାର ଶବ୍ଦ ଗୁଂଜରିତ ହେଲା- ମୁଁ ତୁମକୁ କହିଥିଲି ନାଁ ସାରଙ୍କ ସାଙ୍ଗରେ ୫ ଟା ପରେ ଦେଖା ହେବ । ଆଜି ସାର ଟିକେ ଶୀଘ୍ର ଆସିଯାଇଛନ୍ତି । ତେଣୁ ସିଏ କିଛି ସମୟ ବିଶ୍ରାମ ନେବେ, ତା' ପରେ ମୁଁ ତାଙ୍କୁ ତୁମ କଥା କହିବି । ହଁ, ତୁମେ କେଉଁଠୁ ଆସିଥିଲ ? ତୁମ ନାଁ କ'ଣ ? ସାରଙ୍କ ପାଖରେ ତୁମର କି କାମ ଅଛି ? ଏ ସବୁ ବିଷୟରେ ମୋତେ କୁହ, ନଚେତ ଭେଟ ହୋଇ ପାରିବ ନାହିଁ । ବିମଳେନ୍ଦୁ କ'ଣ କହିବେ କିଛି ବି ଭାବି ପାରିଲେ ନାହିଁ । ମନେ ମନେ ଚିନ୍ତା କଲେ, ଯଦି ସତ କଥା କହିବି ତା'ହେଲେ ହୁଏତ ଏ ଚାକର ଟୋକା ମୋତେ ଏଠୁ ବାହାର କରିଦେବ । ମୋର ଏମିତି ବେଶ ପୋଷାକ ଦେଖି ସେ ନିଶ୍ଚୟ ଭାବିବ ମୁଁ ମିଛ କହୁଛି ଆଉ ଟଙ୍କା ଲୋଭରେ ଏଠିକି ଆସିଛି । ବିମଳେନ୍ଦୁ ଚୁପ ରହିବା ଦେଖି ଚାକର ଟୋକା କହିଲା କଣ ଭାବୁଛ ? ଶୀଘ୍ର ତୁମର ଠିକଣା ଦିଅ ନ ହେଲେ ବାବୁଙ୍କ ସାଙ୍ଗରେ ଭେଟ ହୋଇ ପାରିବ ନାହିଁ । ବିମଳେନ୍ଦୁ କହିଲେ ନାଇଁ ଆଜ୍ଞା ସେମିତି କୁହନ୍ତୁ ନାହିଁ, ବଡ଼ ଆଶା ନେଇ ମୁଁ ଏଠିକି ଆସିଛି । ଥରେ ଖାଲି ତୁମ ବାବୁଙ୍କ ସାଙ୍ଗରେ ଦେଖା କରାଇ ଦିଅ ମୁଁ ତୁମକୁ ହାତ ଯୋଡୁଛି । ଚାକର ଟୋକାର ଟିକିଏ ଦୟା ଆସିଲା ହଉ ହେଲା ମୋତେ ହାତ ଯୋଡ଼ିବା ଦରକାର ନାହିଁ, ଖାଲି ତୁମର ନାଁ ଆଉ ଠିକଣା କହି ଦିଅ ମୁଁ ବାବୁଙ୍କ ସାଙ୍ଗରେ ଭେଟ କରାଇ ଦେବି । ବିମଳେନ୍ଦୁ କହିଲେ ଖାଲି କହିବ ତାଙ୍କ ଗାଁରୁ କେହି ଜଣେ ସମ୍ପର୍କୀୟ ଆସିଛନ୍ତି । ଚାକର କହିଲା ହଉ ହେଲା, ଯଦି ସେ ତୁମ ସହିତ ଦେଖା କରିବାକୁ ଚାହିଁବେ ତାହେଲେ ମୋତେ କହିବେ, ନଚେତ ତୁମର ଦେଖା କରିବାର ଆଶା ଆଶାରେ ରହିଯିବ । ତଥାବି ମୁଁ ଚେଷ୍ଟା କରୁଛି । ହଉ ତୁମେ ଗୋଟେ କାମ କର, ଗେଟ ପାରି ହୋଇ ତ ଭିତରକୁ ଆସି ଯାଇଛ, ଏବେ ଯାଇ ସେଇ କୋଣରେ ଛିଡ଼ା ହୋଇଥାଅ । ମୁଁ କହିଲେ ଆସିବ, ବିମଳେନ୍ଦୁ ଚାକର ଟୋକାର କଥାରେ ହଁ ଭରି ଯାଇଁ ଟିକେ ଦୂରରେ ଅପେକ୍ଷା କଲେ । କିଛି ସମୟ ପରେ ଘର ଭିତରୁ ଡାକରା ଆସିଲା । ତତକ୍ଷଣାତ ବିମଳେନ୍ଦୁ ଉଠି ପଡ଼ି ଉତ୍ସାହ ସହକାରେ ଘର ଭିତରକୁ ଯିବାକୁ ଉଦ୍ୟମ କଲେ । ହେଲେ ଚାକର ଟୋକା କହିଲା - ବାବୁ ପଛ ପଟ ବଗିଚାରେ ବସିଛନ୍ତି, ଚାଲ ମୁଁ ଏପଟେ ତୁମକୁ ତାଙ୍କ ପାଖକୁ ନେଇ ଯାଉଛି । ସେତେବେଳକୁ ଶ୍ୟାମଳେନ୍ଦୁ ହାତରେ ଚା କପ ଓ ପତ୍ରିକାଟିଏ ଧରି ଘର ପଛପଟ ବଗିଚାରେ ବସିଥାନ୍ତି । ବିମଳେନ୍ଦୁ କିଛି ନ କହି ଚୁପଚାପ ଯାଇଁ ଶ୍ୟାମଳେନ୍ଦୁଙ୍କ ପଛରେ ଛିଡ଼ା ହେଲେ,ସାଥିରେ ଥିବା ଚାକର ଟୋକା କହିଲା - ବାବୁ ଏ ଲୋକ ଆପଣଙ୍କୁ ଦେଖା କରିବା ପାଇଁ ବହୁତ ବେଳୁ ଆସିଲେଣି... । ଶ୍ୟାମଳେନ୍ଦୁ ଅନ୍ୟ ମନସ୍କ ଭାବେ କହିଲେ " ହଁ... କ'ଣ ହେଲା, ଯାହା କିଛି କହିବାର ଅଛି ଶୀଘ୍ର କୁହ । ମୋର କାମ ଅଛି, ବିମଳେନ୍ଦୁକୁ ନ ଦେଖି ଏ ସବୁ କହି ଗଲେ । ଧିରେ ଧିରେ ବିମଳେନ୍ଦୁ ଆଗକୁ ବଢିଲେ ଆଉ ଥର ଥର ହୋଇ କହିଲେ - ମୁଁ ଆସିଥିଲି ! ଓ ତୁମେ ଆସିଛ ? ହଉ ବସ, ଚାକରକୁ କହିଲେ ଟିକେ ଚା କରି ଆଣିବୁ । ଶ୍ୟାମଳେନ୍ଦୁଙ୍କ କଥା ଛଡ଼ାଇ ବିମଳେନ୍ଦୁ କହିଲେ ନାଇଁ ଥାଉ ମୋର ଚା ଦରକାର ନାହିଁ, ପାରୁଛ ଯଦି ପାଣି ଗିଲାସଟିଏ ନେଇ ଆସ । ଚାକର ଟୋକା ହଁ ମାରି ପାଣି ଆଣିବା ପାଇଁ ଭିତରକୁ ଚାଲିଗଲା ।


ପାଖରେ କେହି ନ ଥିବା ଦେଖି ବିମଳେନ୍ଦୁ କହିଲେ - ଗାଁରୁ ତୋ ମନ ପସନ୍ଦର କିଛି ଜିନିଷ ଆଣିଥିଲି ଯଦି ରଖିଥାନ୍ତୁ ତାହେଲେ.....। ହଉ ଠିକ ଅଛି ଯାହାବି ଆଣିଛ ଦେଇଦିଅ, ସେହି ସମୟରେ ଚାକର ଟୋକା ପାଣି ଆଣି ଦେଲା, ଶ୍ୟାମଳେନ୍ଦୁ ଚାକର ଟୋକାକୁ କହିଲେ ଏ ବ୍ୟାଗଟା ନେଇଯା । ହଁ ଏବେ କୁହ କ'ଣ ପାଇଁ ଆସିଥିଲ ? ବିମଳେନ୍ଦୁ କହିଲେ - କଣ କହିବି, କେଉଁଠୁ କହିବି ଆଉ କାହା କଥା କହିବି... ଶ୍ୟାମଳେନ୍ଦୁ ଉତ୍ତର ଦେଲେ ଯାହା କିଛି କହିବାର ଅଛି ଶୀଘ୍ର କୁହ, ମୋର ବହୁତ କାମ ଅଛି । ଏମିତି ବ୍ୟସ୍ତତା ଦେଖି ବିମଳେନ୍ଦୁ ଏତିକି କହିଲେ- ଦେଖ ଶ୍ୟାମ ଏଥର ଚାଷରେ ପୋକ ଲାଗି ସବୁ ନଷ୍ଟ ହୋଇ ଯାଇଛି, ଘରେ ଖାଇବା ପାଇଁ ଚାଉଳର ଅଭାବ,ତେଣେ ମିନୁର ବାହାଘର ବୟସ ହୋଇ ଯାଇଥିଲେ ବି ତାର ଜିଦ ସେ ପାଠ ପଢିବ, ତୋ ଭଳି ଚାକିରୀ କରିବ । ହେଲେ ଟଙ୍କା ଅଭାବରୁ ମୁଁ ତାକୁ ଉଚ୍ଚ ଶିକ୍ଷା ଦେଇ ପାରୁ ନାହିଁ, ଶକ୍ତିର ସମାନ ଜିଦ, ଖାଲି ଯାହା ଟିଉସନ କରି ମିନୁ ନିଜେ ନିଜର ପାଠ ପଢା ଖର୍ଚ୍ଚ ବହନ କରୁଛି । ତୁ ତ ସବୁ ଜାଣିଛୁ, ତୋରି ପାଠ ପଢା ପାଇଁ ସବୁକିଛି ଚାଲି ଯାଇଛି, ଆଉ ଯାହା କିଛି ଅଛି ସେଥିରେ ଚଳିବା କଷ୍ଟ ହେଉଛିରେ... । ତୁ ଯଦି ଚାହାନ୍ତୁ ତା'ହେଲେ ସବୁ ଠିକ ହୋଇଯାନ୍ତା । ଶ୍ୟାମଳେନ୍ଦୁ ଉତ୍ତର ଦେଲେ ଦେଖ ଭାଇ ତୁମେ ଯଦି କହୁଛ ତାହେଲେ ମିନୁ ବାହାଘର ପାଇଁ ମୁଁ କିଛି ଟଙ୍କା ଦେଇ ଦେବି । ହେଲେ ମୋ ପାଇଁ ସବୁ ଚାଲିଯାଇଛି ଏ କଥା ଶୁଣିବାକୁ ମୁଁ ବିଲକୁଲ ପସନ୍ଦ କରେନି, ତା'ଛଡା ବାପାଙ୍କର ଯାହାବି ସମ୍ପତ୍ତି ଥିଲା ସେଥିରେ ଆମେ ଦୁଇ ଭାଇ ଭାଗିଦାରୀ । ମୋ ପାଠ ପଢା ପାଇଁ ଯଦି ଜମି କିଛି ବିକ୍ରି ହୋଇ ଯାଇଛି ତା'ହେଲେ ଅସୁବିଧା କେଉଁଠି ରହିଲା । ବିମଳେନ୍ଦୁ କହିଲେ ମୁଁ ସେ କଥା କହୁନିରେ ଶ୍ୟାମ....ମୁଁ କହୁଥିଲି କି...., ସଙ୍ଗେ ସଙ୍ଗେ ଶ୍ୟାମଳେନ୍ଦୁ କହିଲେ ତୁମର କିଛି କହିବା ଦରକାର ନାହିଁ । ତୁମର ଉଦେଶ୍ୟ ମୁଁ ଭଲଭାବରେ ଜାଣିଚି, ଭାଗ ନେବା ପାଇଁ ମୋତେ ଖୋଜି ଖୋଜି ଗାଁରୁ ସହର ପର୍ଯ୍ୟନ୍ତ ଚାଲି ଆସିଲ ନାଇଁ । ବିମଳେନ୍ଦୁ କହିଲେ ତୁ ଏ ସବୁ କଣ କହୁଚୁ ଶ୍ୟାମ ..? ମୁଁ ଠିକ କହୁଛି, ତୁମର ଯଦି ଭାଗ ନେବା ପାଇଁ ଏତେ ଇଛା ତାହେଲେ ଗୋଟେ କାମ କର । ଆମର ସମସ୍ତ ସମ୍ପତି କେତେ ତାର ହିସାବ ବାହାର କର । ମୋ ପାଠ ପଢା ପାଇଁ କେତେ ଜମି ବିକ୍ରି ହୋଇଛି ତାରବି ହିସାବ କର, ବାକି ରହିଲା ଘର,ବାଡ଼ି ଆଉ ଚାଷ ଜମି, ଏ ସବୁର ବର୍ତ୍ତମାନ ମୂଲ୍ୟ କେତେ ତାର ହିସାବ କର । ଯଦି ବିକ୍ରି ହୋଇଥିବା ସମ୍ପତି ଠାରୁ ବର୍ତ୍ତମାନ ତୁମେ ଭୋଗ କରୁଥିବା ସମ୍ପତିର ମୂଲ୍ୟ କମ ହୁଏ ତାହେଲେ ମୋତେ କହିବ ମୁଁ ଦେଇ ଦେବି ।


ବାଃ..ବାଃରେ ଶ୍ୟାମ ବାଃ, ତୁ ମୋତେ ଆଉ କଣ ଦେବୁରେ, ମୁଁ ଆଜି ଯେଉଁ ଉପହାର ପାଇଲି ତାକୁ ନେଇ ସାରା ଜୀବନ କାଟିଲେ ବି ସରିବନି । ଖାଲି ଏତିକି ଭାବୁଛି ସବୁ ସହରୀ ବାବୁ କ'ଣ ଏମିତି ଜନ୍ମଦାତ୍ରୀ ଗାଁ ମାଟିକୁ ଭୁଲିଯାନ୍ତି ? ଶ୍ୟାମଳେନ୍ଦୁ ବିରକ୍ତି ହୋଇ କହିଲେ - ଛାଡ଼ ତୁମର ଭାଷଣ ଶୁଣିବାକୁ ମୋ ପାଖରେ ସମୟ ନାହିଁ, ଡ୍ରାଇଭରକୁ ଗାଡ଼ି ବାହାର କରବା ପାଇଁ କହି ଚାଲିଗଲେ । ଠିକ ସେତିକି ବେଳେ ଚାକର ଟୋକା ଆସି ଖାଲି ବ୍ୟାଗଟିକୁ ବିମଳେନ୍ଦୁ ହାତରେ ଧରାଇ ଦେଇ କହିଲା- ଏବେ ତୁମେ ଆସିପାର,ବାବୁ ବାହାରି ଗଲେଣି । ମୋର ଯାହା ଅନୁମାନ ତୁମେ ଯେଉଁଥି ପାଇଁ ଆସିଥିଲ ସେଇଟା ନିଶ୍ଚୟ ପୂରଣ ହୋଇଥିବ, କାହିଁକି ନାଁ ଆମ ବାବୁ ଭାରି ଦୟାଳୁ, ଗରିବ ଲୋକଙ୍କୁ ଦେଖିଲେ ସେ ଜମା ସହି ପାରନ୍ତି ନାହିଁ । ସଙ୍ଗେ ସଙ୍ଗେ ତାଙ୍କର ଇଛା ପୂରଣ କରି ଦିଅନ୍ତି । ହଉ ତୁମେ ଏଥର ଯାଅ, ଆଉ ଆସିବ ନାହିଁ । କାହିଁକି ନାଁ ବାବୁ ଯାହାକୁ ଥରେ ଦିଅନ୍ତି ଆଉ ଦ୍ୱିତୀୟଥର ଦିଅନ୍ତି ନାହିଁ । ବିମଳେନ୍ଦୁ କହିଲେ ନାଇଁ ନାଇଁ ମୁଁ ଯେତିକି ପାଇଛି ବହୁତ ପାଇଛି, ଆଉ ଦରକାର ନାହିଁ ଏବେ ମୁଁ ଆସୁଛି । ଏତକ କହି ବିମଳେନ୍ଦୁ ଫେରି ଆସିଲେ, ଅବ୍ୟକ୍ତ ଯନ୍ତ୍ରଣା ତାଙ୍କୁ ଅନେକ କଷ୍ଟ ଦେଉଥିଲା । କାନ୍ଦିବାକୁ ଇଛା ନ ଥିଲେ ବି ଆପେ ଆପେ ଆଖି କୋଣରୁ ଝରି ପଡୁଥିଲା କେଇ ଟୋପା ଲୁହ, ଆଖି ମଳି-ମଳି ଧୀରେ ଧୀରେ ଆଗେଇ ଯାଆନ୍ତି ବିମଳେନ୍ଦୁ, ଠିକ ସେହି ସମୟରେ ଦ୍ରୁତ ଗତିରେ ତାଙ୍କୁ ଟପିଯାଏ ଶ୍ୟାମଳେନ୍ଦୁଙ୍କ ଗାଡ଼ି । ରାସ୍ତାର ଧୂଳି ଆଉ ଗାଡ଼ିର ଧୂଆଁରେ ବିମଳେନ୍ଦୁଙ୍କ ଦୁଇ ଆଖି ବନ୍ଦ ହେଇ ଯାଉଥାଏ.....  ।    


Rate this content
Log in

Similar oriya story from Tragedy