Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rozalini Mishra

Tragedy Inspirational

3.5  

Rozalini Mishra

Tragedy Inspirational

ଭିଟାମାଟି

ଭିଟାମାଟି

13 mins
864



   ଭାଗବତ ଟୁଙ୍ଗୀର ବାରଣ୍ଡାରେ ବସିଛନ୍ତି ସୁରଞ୍ଜନ । ଯିଏ ଯାହା ବାଟରେ ଚାଲିଗଲେଣି ସବୁ । ଘରକୁ ଯିବାକୁ ଇଚ୍ଛା ନାହିଁ ତାଙ୍କର । ଘରକୁ ଗଲେ ଏବେ ପୁଣି ସେଇ ଆଲୋଚନା । ବୋଉର ପୁଣି ସେଇ ଜିଦ୍ ଆଉ ଅନୁପମାଙ୍କର ସେଇ ଶୁଖିଲା ହତାସିଆ ଆଉ ବିକଳିଆ ଚାହାଣୀ । ଏ ସବୁ ଭିତରେ ପେଶୀ ହୋଇଗଲେଣି ସିଏ ଏଇ କିଛି ଦିନ ଭିତରେ । କାହା ମୋହ ରଖିବେ ଆଉ କାହା ମୋହ ତୁଟେଇବେ ?? ଏଣୁ ମାରିଲେ ବ୍ରହ୍ମ ହତ୍ୟା ଆଉ ସେଣୁ ମାରିଲେ ଗୋ ହତ୍ୟା । କିନ୍ତୁ ଘରକୁ ତ ଫେରିବାକୁ ପଡିବ । ଆଉ କିଛି ଉପାୟ ନାହିଁ ।


      ସୁରଞ୍ଜନଙ୍କ ବାପା ଶଙ୍କର୍ଷଣ ଚୌଧୁରୀ ଥିଲେ ଜମିଦାରିଆ ଲୋକ । ବାଟି ବାଟି ସମ୍ପତ୍ତି ଥିଲା ହାତରେ । ବଞ୍ଚିଥିଲା ବେଳେ ଜମିଦାରୀ ଠାଣିରେ ଖର୍ଚ୍ଚବାର୍ଚ୍ଚ ଦାନଧର୍ମ କରି ବହୁତ ସମ୍ପତ୍ତି ଉଡେଇଛନ୍ତି । ଆଉ ଯାହା ଥିଲା ସବୁ ଭାଇଭାଗ ବଣ୍ଟରାରେ ଯାଇଛି । ଏବେ ଯେତିକି ବଞ୍ଚିଛି ତାହା ସମୁଦ୍ରରୁ ଶଙ୍ଖେ । ମଲାବେଳେ ସେତିକିକୁ ଶଙ୍କର୍ଷଣ ଚୌଧୁରୀ ନିଜ ଧର୍ମପତ୍ନୀ କମଳା ଦେବୀଙ୍କ ହାତରେ ଦାୟିତ୍ୱରେ ଦେଇ କହିଥିଲେ , " ଯାହା ଯାଇଛି ଯାଇଛି ଆଉ ଯାହା ଅଛି ସବୁ ତୁମକୁ ଲାଗିଲା । ମୋ ବାପା ଗୋସେଇଁବାପା ଅମଳର ଭିଟାମାଟି ଯେମିତି ଭଗାରୀଙ୍କ ହାତକୁ ନ ଯାଏ । ଘରର ଜ୍ୟେଷ୍ଠ ପୁତ୍ର ବୋଲି ଜ୍ୟେଷ୍ଠ ଭାଗ ହିସାବରେ ଏ ଘରଟି ମୁଁ ଉତ୍ତରାଧିକାରୀ ସୂତ୍ରରେ ପାଇଛି । "

      ଶଙ୍କର୍ଷଣ ଚୌଧୁରୀ ମଲା ବେଳକୁ ସୁରଞ୍ଜନର ବୟସ ମୋଟେ ତେର ବର୍ଷ । କମଳାଦେବୀ ଘରବାହାର ଆଉ ଛୁଆର ପାଠ ପଢା ସବୁ ବୁଝି ଆସିଛନ୍ତି ଆଜି ଯାଏ । ସେଦିନର ସେ ଜମିଦାରୀ ଥାଟ ଆଉ ନାହିଁ କିନ୍ତୁ ନିଜ ଦାୟିତ୍ବରୁ କେବେ ପଛଘୁଞ୍ଚା ଦେଇ ନାହାନ୍ତି କମଳା ଦେବୀ । ସେଥିପାଇଁ କୌଣସି ଦିନ ମାତୃଆଜ୍ଞାକୁ ଅବଜ୍ଞା କରି ପାରନ୍ତି ନାହିଁ ସୁରଞ୍ଜନ ।


       ସୁରଞ୍ଜନର ବାହାଘର ପରେ ବୋହୁ ଅନୁପମା ହାତରେ ଘରର ଦାୟିତ୍ୱ ଦେଇ କିଛି ମାତ୍ରାରେ ନିଶ୍ଚିତ ହୋଇଥିଲେ କମଳା ଦେବୀ । ଯେଉଁଦିନ ଜାଣିଲେ ତାଙ୍କର ଆଗାମୀ ବଂଶଧର ଆଉ କେତୁଟା ମାସ ପରେ ତାଙ୍କ ଅଗଣାରେ ପାଦ ଦେବାକୁ ଯାଉଛି ସେଦିନ ଆଉ ତଳେ ପାଦ ଲାଗିନଥିଲା ତାଙ୍କର ଖୁସିରେ । ଅନୁପମାଙ୍କୁ ଆଉ କୁଟା ଖଣ୍ଡକ ଦି ଖଣ୍ଡ କରିବାକୁ ଦେଇ ନ ଥିଲେ ସେ ।


       ଆୟୋଜନ ଆରମ୍ଭ କରିଦେଇଥିଲେ କମଳା ଦେବୀ । ନାତି ପାଇଁ ସୁନାର ଖଡୁ, ଚେନ, ମୁଦି , ଅଣ୍ଟାବିଚ୍ଛା ସବୁ ବରାଦ ଦେଇ ତିଆରି କରେଇ ଆଣିଲେ । କେବେଠାରୁ ସାଇତି ରଖିଥିବା ଗୋଟିଏ ବାଘନଖରେ ସୁନାର ପାତ ମାନ ବସେଇ ସୁନ୍ଦର ପଦକଟିଏ ମଧ୍ୟ ତିଆରି କରିଥିଲେ ନାତି ପାଇଁ ।


    କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ଅନୁପମାଙ୍କର ଝିଅଟିଏ ହେଲା । ସବୁ ସରାଗ ପାଣି ଫୋଟକା ପରି ମିଳେଇଗଲା କମଳା ଦେବୀଙ୍କର । ସବୁ ଆୟୋଜନ ପାଣିରେ ପଡିଗଲା ପରି ଲାଗିଲା ତାଙ୍କୁ । ସୁରଞ୍ଜନଙ୍କର ବି ମନରେ ସରାଗ ନାହିଁ । ଯୋଉଠି ବସିଲେ ଚୁପଚାପ । ଆଗପରି ପ୍ରଗଳ୍ଭତା ନାହିଁ କଥାବାର୍ତ୍ତାରେ ।


        ଏମିତିରେ ଚାଲିଲା କିଛି ଦିନ । କମଳା ଦେବୀ ଅନୁପମାଙ୍କୁ ପାଖରେ ବସି ବୁଝାଇଲେ ଗୋଟେଦିନ । କହିଲେ " ଶୁଣ ମା' , ମୋ ବାହାଘରର କେତେବର୍ଷ ଯାଏ ବି ପିଲାପିଲି କିଛି ହେଲାନି ମୋର । ଡାକ୍ତର ଔଷଦ ଆଉ ଟୁଣୁକା ଟୁଣୁକି କିଛି କାମ କଲାନି । ଆଉ ପିଲାଛୁଆ ହେବନି ଭାବି ତୋ ଗୋସେଇଁ ଶାଶୁ ତୋ ଶଶୁରଙ୍କୁ ଆଉ ଥରେ ବାହା କରିବା ପାଇଁ ବାହାରିଥିଲେ । ତା ପରେ ମୁଁ ମା ମଙ୍ଗଳାଙ୍କ ବ୍ରତ ରଖିଥିଲି । ମାଙ୍କ ଦୟାରୁ ବାହାଘରର ପାଞ୍ଚବର୍ଷ ପରେ ସୁରର ଜନ୍ମ । ସେହି ମା ମଙ୍ଗଳା ତୋତେ ସାହା ହେବେ । ତୁ ତାଙ୍କରି ବ୍ରତ ରଖ । ଦେଖିବୁ ଆର ଥରକୁ ନିଶ୍ଚୟ ତୋ କୋଳରେ ପୁଅଟିଏ ଦେବେ ମା' । ଝିଅ ତ ପରଘରକୁ ଚାଲିଯିବ । ପୁଅଟିଏ ନଥିଲେ ପୂର୍ବପୁରୁଷର ଏ ଭିଟାମାଟିକୁ ବଞ୍ଚେଇ ରଖିବ କିଏ । ମୋର କୋଉ ଛଅଟା ନା ନଅଟା । ସୁର ତ ଗୋଟିଏ ବୋଲି ପୁଅ । ସବୁ ଆଶା ମୋର ତାରି ପାଖରୁ । "


    ଚୁପଚାପ ପଥର ପରି ବସିଥିଲେ ଅନୁପମା ଶାଶୁଙ୍କ କଥାର କିଛି ଉତ୍ତର ନଦେଇ । ସୁରଞ୍ଜନ କହିଲେ ଏଇଟା ଆଉ ସମ୍ଭବ ନୁହେଁ ବୋଉ । ଝିଅ ଜନ୍ମବେଳେ କେତେଗୁଡିଏ ଅସୁବିଧା ପାଇଁ ଅନୁପମାର ଗର୍ଭାଶୟକୁ କାଢି ଦିଆ ଯାଇଛି । ନହେଲେ ତାର ଜୀବନ ପ୍ରତି ବିପଦ ଥିଲା । ତୋତେ ଜଣେଇବା ପାଇଁ ସାହସ ଜୁଟେଇ ପାରୁନଥିଲି ଆଜିଯାଏ ।


     ପାଦତଳୁ ମାଟି ଖସିଗଲା କମଳା ଦେବୀଙ୍କର । ଏ ଚୌଧୁରୀ ବଂଶ ଉପରେ କାହିଁକି ଏମିତି କୋପ କଲେ ଭଗବାନ । ଏ ବଂଶ ଆଗକୁ ବଢିବ କେମିତି?? ମୋ କୁଳ ଦେବତା କଣ ଅପୂଜା ରହିଯିବେ??ମୋ ପିତୃପୁରୁଷଙ୍କୁ ପିଣ୍ଡ କିଏ ବାଢ଼ିଦେବ?? ଝିଅ ତ ବାହାହୋଇ ପରଗୋତ୍ରୀ ହୋଇଯିବ , ଆଉ ସୁର ପରେ...... ଏ ଡିହରେ କଣ ବିଲୁଆ କୁକୁର ଡେଇଁବେ?? ନା ...ନା... ମୁଁ ବଞ୍ଚି ଥାଉ ଥାଉ ତା ହେବାକୁ ଦେବିନି ।


     ତା ପରଠାରୁ କମଳା ଦେବୀଙ୍କର ଦିନରାତି ଗୋଟିଏ ଜିଦ୍ । ସୁର ଆଉଥରେ ବାହା ହଉ । ପୁଅଟିଏ ନ ଥିବାର ଅଭାବବୋଧ ଯେ ବେଳେବେଳେ ସୁରଞ୍ଜନଙ୍କୁ ଉଦାସ ନ କରିଦିଏ ସେ କଥା ନୁହେଁ କିନ୍ତୁ ଅନୁପମାଙ୍କ ପ୍ରତି ଅନ୍ୟାୟ କରିବା ପାଇଁ ବିବେକ ବାଧା ଦିଏ ତାଙ୍କୁ । ଅନୁପମା ବି ଅନୁଭଵ କରନ୍ତି ଯେ କୋଉଠି ନା କୋଉଠି ସୁରଞ୍ଜନଙ୍କ ମନର ନିଭୃତ କୋଣରେ ଦୁଃଖ ରହିଯାଇଛି ଟିକେ । କିନ୍ତୁ ସେ ଦୁଃଖ ଦୁରେଇବା ପାଇଁ ସେ ଅସମର୍ଥ ।


      ଘର ଅପେକ୍ଷା ଗାଁ ମଝିରେ ଥିବା ଭାଗବତ ଟୁଙ୍ଗିଟା ଆଜିକାଲି ବେଶୀ ଶାନ୍ତିପ୍ରଦ ଲାଗେ ସୁରଞ୍ଜନଙ୍କୁ । ରାତି ବହୁତ ହେଲାଣି । ଘରକୁ ଯିବାକୁ ପଡ଼ିବ ଏବେ । ବସିବା ଜାଗାରୁ ଉଠିଲେ ସୁରଞ୍ଜନ । ଘରେ ପହଞ୍ଚି ଗୋଡହାତ ଧୋଇ ଖାଇବାକୁ ବସିଛନ୍ତି ପାଖରେ ଆସି ବସିଲେ କମଳା ଦେବୀ ।

   ---ତୁ କ'ଣ ଚିନ୍ତା କଲୁ ସୁର ?


   ସୁରଞ୍ଜନ କିନ୍ତୁ ସମ୍ପୂର୍ଣ ରୂପେ ନୀରବ ।    


  --- ଚୁପ୍ ରହି ତୁ କଣ ଜଣେଇବାକୁ ଚାହୁଁଛୁ ମୋତେ । ତୁ କ'ଣ ଚାହୁଁଛୁ ତୋ ପରେ ଏ ବଂଶର ଉତ୍ତରଦାୟାଦ ଭାବେ ଏ ଘରେ କେହି ନ ରହନ୍ତୁ ବୋଲି !! କି ଉତ୍ତର ଦେବି ମୁଁ ତୋ ବାପାଙ୍କର ଦିବଂଗତ ଆତ୍ମାକୁ ?

  

  --- କିନ୍ତୁ ବୋଉ ....


 ---କିଛି ଶୁଣିବିନି ମୁଁ । ଆସନ୍ତା ତିଥିରେ ତୋର ବାହାଘର ହେବ । ଝିଅ ମୁଁ ଠିକ କରି ସାରିଛି । ଅନୁପମା ଏ ଘରେ ଯେମିତି ରହୁଛି ସେମିତି ରହିବ । କେହି ତା ଅଧିକାରରେ ହସ୍ତକ୍ଷେପ କରିବେନି । ଆଉ ଯଦି ତୁ ମୋ କଥାରେ ରାଜି ନ ହେଉ ତାହେଲେ ମୁଁ ଆଜି ଠାରୁ ଠାକୁରଙ୍କ ପାଖରେ ନିର୍ଜ୍ଜଳା ଉପବାସ ରହି ଅଧିଆ ପଡିବି ପ୍ରାଣତ୍ୟାଗ କରିବା ଯାଏ ।


      ନିର୍ଦ୍ଦିଷ୍ଟ ତିଥିରେ ବାହାଘର ସରିଗଲା ସୁରଞ୍ଜନ ଙ୍କର ଚାରୁଲତାଙ୍କ ସହ । ବାହାଘରର ମାତ୍ର ଦୁଇ ବର୍ଷରେ ଚାରି ମାସର ଛୁଆକୁ କୋଳରେ ଧରି ଅଲଗା ରହିବାକୁ ପଡିଲା ଅନୁପମାଙ୍କୁ । ସେ ଆଗ ପରି ଘରର ସବୁ କାମ କରୁଥିଲେ , ଖାଉଥିଲେ , ଶୋଉଥିଲେ କିନ୍ତୁ ଗୋଟେ ନାରୀର ଅଧିକାର କ'ଣ ଏତିକିରେ ସୀମିତ !ଗୋଟେ ନାରୀର ସିନ୍ଦୁର ଦୁଇଭାଗ ହୋଇଯିବାଟା ଯେ କେତେ କଷ୍ଟଦାୟକ ସେ କଷ୍ଟ ତାଙ୍କର କେହି ବୁଝିଲେନି । ତାଙ୍କ ଅନ୍ତରର ଦୁଃଖକୁ କେହି ଦେଖି ପାରିଲେନି ।


      ଧୀରେ ଧୀରେ ସୁରଞ୍ଜନ ଆଉ ଅନୁପମାଙ୍କ ଭିତରେ ଦୂରତ୍ୱ ଏତେ ବଢ଼ିଗଲା ଯେ ଅନୁପମାଙ୍କୁ ଲାଗେ ସୁରଞ୍ଜନ ତାଙ୍କ ପାଇଁ ଗୋଟେ ପରପୁରୁଷ , ଗୋଟେ ଅପରିଚିତ ମଣିଷ । ଏ କ'ଣ ସେଇ ସୁରଞ୍ଜନ ଯାହାଙ୍କ ଔରସର ସନ୍ତାନକୁ ସେ କୋଳରେ ଧରିଛନ୍ତି !ଭାବିଲେ ଆଶ୍ଚର୍ଯ୍ୟ ଲାଗେ ତାଙ୍କୁ । କାନ୍ଦିକାନ୍ଦି ରାତିରେ ତକିଆ ଭିଜେଇ ଦିଅନ୍ତି ଅନୁପମା । ଦିନକୁ ଦିନ ଅସହ୍ୟ ହୋଇଉଠେ ସମସ୍ତଙ୍କ ଅବହେଳା ଆଉ ଅଣଦେଖା ତାଙ୍କ ପାଇଁ । ସେ କ'ଣ ଖାଲି ଗଣ୍ଡାଏ ଖାଇବା ପାଇଁ ପଡି ରହିଛନ୍ତି ଏଠି ?ଏ ଘରେ ସେ କିଏ ? ତାଙ୍କର ଅସ୍ତିତ୍ବ କ'ଣ ?


   ପାଞ୍ଚ ବର୍ଷରେ ତିନିଟି ପୁତ୍ର ସନ୍ତାନର ଜନନୀ ହୋଇ ଗର୍ବରେ ଫାଟି ପଡୁଥିଲେ ଚାରୁଲତା । ଶାଶୁଙ୍କର ସବୁ ସ୍ନେହ ଆଶୀର୍ବାଦ ଅଜାଡି ହୋଇ ପଡୁଥିଲା ଚାରୁଲତା ଆଉ ତାଙ୍କ ପୁତ୍ର ମାନଙ୍କ ଉପରେ । ଅନୁପମା ଯେମିତି ସେ ଘରେ ଗୋଟିଏ ଅଲୋଡା ଵସ୍ତୁ ।


       ଦିନେ ସକାଳୁ କମଳା ଦେବୀ ଉଠି ଦେଖିଲେ ଦାଣ୍ଡ ଦୁଆର ଖରକା ହୋଇନି । ବାସି ପାଇଟି ସେମିତି ପଡିଛି ସବୁ । ଅନୁ କଣ ଆଜି ଉଠିନି କି? ଆଉଜା ହୋଇଥିବା ଘର ଦରଜାକୁ ଠେଲି ଘର ଭିତରେ ପଶି ଦେଖିଲେ ଚାରି ଚଉତା ହୋଇଥିବା କାଗଜ ଖଣ୍ଡିଏ ସୁରଞ୍ଜନଙ୍କ ଉଦ୍ଦେଶ୍ୟରେ । କାଗଜ ଖୋଲି ପଢିଲେ , "ମୁଁ ଜାଣେ ତୁମେ ବହୁତ ଅଶାନ୍ତି ମୋ ଉପରେ । କି ବେଳାରେ ଏ ଘରକୁ ବୋହୁ ହୋଇ ଆସିଥିଲି କେଜାଣି , କାହାକୁ ବି ଖୁସି କରି ପାରିଲିନି । ବୋଉ ତ ପ୍ରକାଶ୍ୟରେ ଅଶାନ୍ତି ମୋ ଉପରେ । କିନ୍ତୁ ତାଙ୍କ କଥା ମୋତେ ଯେତିକି କଷ୍ଟ ନ ଦେଉଛି ତା ଠାରୁ ଢେର ଗୁଣରେ ଅଧିକା କଷ୍ଟ ଦେଉଛି ମୋତେ ତୁମ ନୀରବତା । କେତେ ସହିବି !!!ମୋତେ ଲାଗୁଛି ଏ ଘରେ ମୁଁ ଗୋଟିଏ ଅଲୋଡା ବସ୍ତୁ । ଗୋଟିଏ ଅଦରକାରୀ ଜିନିଷ ପରି ଘର ଭିତରେ ଏଠି ସେଠି ପଡି ରହି ଘରର ଆବର୍ଜନା ବଢ଼େଇବା ଅପେକ୍ଷା ମୁଁ ବରଂ ଚାଲିଯାଉଛି ଏ ଘରୁ ସବୁଦିନ ପାଇଁ । ଭାଗ୍ୟରେ ଥିଲେ ଏ ଜନ୍ମରେ ନିଶ୍ଚୟ ଆଉ ଥରେ ଦେଖା ହେବ । "


       ଅନୁପମାଙ୍କ ଉପସ୍ଥିତିରେ କାହାକୁ କିଛି ଫରକ ପଡୁ ନଥିଲା । ଆଉ ଏବେ ଅନୁପମାଙ୍କ ଅନୁପସ୍ଥିତିରେ ବି କେହି ଦୁଃଖୀ ହେଲେ ନାହିଁ । ହଁ.... ଯାଇଥିବ କୋଉ ବନ୍ଧୁ ଘରକୁ କହି କଥାଟାକୁ ହାଲକା କରିଦେଲେ କମଳା ଦେବୀ ।


        ସକାଳୁ ସକାଳୁ ଗାଁ ବସଷ୍ଟାଣ୍ଡରୁ ବସ୍ ରେ ଚଢି ସେ କୋଉ ଜାଗାରେ ଓହ୍ଲେଇଲେ ପୁଣି ସେଠୁ କୁଆଡେ ଗଲେ କିଛି ଜଣାନାହିଁ ଅନୁପମାଙ୍କୁ । ଗୋଟେ ଲକ୍ଷ୍ୟହୀନ ଭାବରେ ଗୁଡ଼ାଏ ବାଟ ଚାଲି ଆସିଲେ ଘରଠାରୁ ଦୂରକୁ । ବାହାଘରର କିଛି ବର୍ଷ ହୋଇଛି ମାତ୍ର । ଶାଶୁ ଘରର ଦାଣ୍ଡ ବାରଣ୍ଡା ବି ଭଲରେ ଦେଖି ନଥିଲେ ସିଏ ଆଉ ରାସ୍ତାଘାଟ କଥା କେମିତି ବା ଜାଣିବେ ।


        ମନ୍ଦିର ବେଢାରେ ବସିଛନ୍ତି ଅନୁପମା । ବୁଢ଼ୀଟିଏ ଆସି ପଚାରିଲା , " ଆଲୋ ମା' ଏଠି ଏ କଅଁଳା ଛୁଆଟାକୁ ଧରି କାହିଁକି ବସିଛୁ । ଆଗରୁ ତୋତେ ତ ଏ ଗାଁରେ ମୁଁ ଦେଖିନି କେବେ । କାହା ଘରକୁ ବୁଲି ଆସିଛୁ କି ମା ?"କାନ୍ଦି କାନ୍ଦି ସବୁକଥା କହିଲେ ଅନୁପମା । କହିଲେ , " ଏ କୋଉ ଜାଗା , ମୁଁ କୁଆଡେ ଯିବି କଣ କରିବି କିଛି ଜାଣିପାରୁନି ମାଉସୀ ।


       ସବୁ ଶୁଣିସାରି ବୁଢ଼ୀ ଜଣଙ୍କ ଅନୁପମାଙ୍କୁ ସାନ୍ତ୍ୱନା ଦେଇ କହିଲେ, " ହଉ ମା' ଵ୍ୟସ୍ତ ହୁଅନା । ମୋର ବି କେହି ନାହାନ୍ତି । ବୁଢ଼ୀଲୋକଟାଏ ମୁଁ । କାମଧନ୍ଦାକୁ ପାରୁନି । ବଡ ହଇରାଣ ହଉଛି ରୋଷେଇ ଗଣ୍ଡେ ପାଇଁ । ତୁ ଚାଲ ମୋ ପାଖେ ରହିବୁ । ଭାତ ମୁଠାଟେ ଆଉ ଶାଗମୁଗ ଯାହା ଗଣ୍ଡେ ଫୁଟେଇଦବୁ ସବୁଦିନ । ତୋର ମୋର ସୁଖେ ଦୁଃଖେ ଚଳିଯିବା ।


     ବୁଡ଼ିଗଲା ଲୋକ କୁଟାଖିଅକୁ ଆଶ୍ରା କଲା ପରି ଟିକେ ସାହସ ପାଇଲେ ଅନୁପମା । ବୁଢ଼ୀ ସହ ଚାଲିଗଲେ ତା ଘରକୁ । ଛୋଟିଆ ଚାଳ ଛପର ଘରଟିଏ । ଘରର ଚାରିପଟେ ସୁନ୍ଦର ସୁନ୍ଦର କିଛି ଫୁଲଗଛ । ଅନୁପମା ଜାଣିବାକୁ ପାଇଲେ ଯେ ବୁଢ଼ୀ ମାଉସୀ ସବୁଦିନ ମନ୍ଦିରରେ ଫୁଲ ଆଉ ତୁଳସୀମାଳା ବିକ୍ରି କରି ଚଳନ୍ତି । ଧୀରେ ଧୀରେ ସେ ଘରକୁ ନିଜର କରିନେଲେ ଅନୁପମା । ଆହୁରି ଫୁଲଗଛ ଆଉ ତୁଳସୀ ଗଛ ଲଗାଇଲେ । ଘର ପଛପଟେ ପରିବା ଚାଷ ବି ଆରମ୍ଭ କରିଦେଲେ । ତା ସହ ତୁଳା ବଳିତା ତିଆରି କରି ମଧ୍ଯ ବୁଢ଼ୀ ମାଉସୀଙ୍କୁ ଦେଲେ ବିକ୍ରି କରିବା ପାଇଁ । ବେଶ ଦି ପଇସା ରୋଜଗାର ହୋଇ ପାରିଲା ତିନି ପ୍ରାଣୀ ଚଳିବା ପାଇଁ । ଅନୁପମାଙ୍କର ରୂପ ,ଗୁଣ ,ବ୍ୟବହାର ଆଉ ଘରକରଣା ବୁଦ୍ଧିରେ ଖୁସି ହୋଇ ବୁଢ଼ୀ ମାଉସୀ କୁହନ୍ତି , "କେଡ଼େ ଗୁଣର ଝିଅଟିଏ ! ୟାକୁ ପୁଣି ଶାଶୂଘର ଲୋକ ଅଣଦେଖା କରି ପାରିଲେ !!ଧର୍ମ ନ ସହୁ ସେ ଚୌଧୁରୀ ଵଂଶକୁ । "


     ଇତି ମଧ୍ୟରେ ବିତିଗଲାଣି ପନ୍ଦର ବର୍ଷ । ବୁଢ଼ୀ ମାଉସୀ ଚାଲିଗଲେଣି ଆରପାରିକୁ । ଅନୁପମାଙ୍କ ଝିଅ ଶେଫାଳି ଏବେ ଏକୋଇଶି ବର୍ଷରେ ପାଦ ଦେଇଛି ଦେଖିବାକୁ ଯେମିତି ସୁନ୍ଦର ପାଠପଢାରେ ବି ସେମିତି ବିଚକ୍ଷଣ । ହଷ୍ଟେଲରେ ରହି ଡାକ୍ତରୀ ପାଠ ପଢୁଛି । ପାଠ ପଢା ଆହୁରି ଦୁଇ ବର୍ଷ ବାକି ଅଛି । ଅରକ୍ଷିତକୁ ଦଇବ ସାହା ପରି ସ୍କୁଲ ଶିକ୍ଷକ ମାନଙ୍କ ସହାୟତା ଆଉ ନିଜେ ପାଉଥିବା ବୃତ୍ତି ଟଙ୍କାରେ ଏତେ ବାଟ ଆସି ପାରିଛି ଶେଫାଳି । ଟଙ୍କା ପଇସା ପାଇଁ ବେଶୀ କିଛି ହଇରାଣ ହେବାକୁ ପଡିନି ଅନୁପମାଙ୍କୁ ।


      ନିଜ ଦୁଃଖ କାହାଣୀକୁ ଗୋଟିଗୋଟି କରି ସବୁ କହିଛନ୍ତି ଅନୁପମା ନିଜ ଝିଅ ଆଗରେ । ତା ପାଇଁ ଯେ ତା ମା ଏତେ କଷ୍ଟ କରିଛି ଆଉ ଚୌଧୁରୀ ଘରର କୂଳବଧୁ ଏ ଚାଳ ଘରେ ରହି ଫୁଲବିକ୍ରି କରିଛି କେବଳ ତାକୁ ମଣିଷ କରିବା ପାଇଁ ଭାବିଦେଲେ ଶେଫାଳିର ମନଟା ଭକ୍ତି , କରୁଣା ଆଉ ଦୁଃଖରେ ବିଗଳିତ ହୋଇ ଉଠେ ।


       ସମୟର କାଳଚକ୍ରରେ ସମସ୍ତେ ବନ୍ଧା । ସେଠି କାହାରି ଇଚ୍ଛା ଅନିଚ୍ଛାର କୌଣସି ସ୍ଥାନ ନାହିଁ । ସମୟ ସହ ତାଳ ଦେଇ ଜୀବନର ଏ ଅଙ୍କାବଙ୍କା ବନ୍ଧୁର ରାସ୍ତାକୁ ଅତିକ୍ରମ କରିବାକୁ ପଡିବ ସମସ୍ତଙ୍କୁ । ପ୍ରତ୍ୟେକଙ୍କର ଲକ୍ଷ୍ୟସ୍ଥଳ ସେଇ ଗୋଟିଏ -- କାହାପାଇଁ ମୃତ୍ୟୁ ତ କାହା ପାଇଁ ମୋକ୍ଷ ।


      କମଳା ଦେବୀ ଚାଲିଗଲେଣି ଆରପାରିକୁ । ସୁରଞ୍ଜନଙ୍କର ତିନିଟି ଯାକ ପୁଅ ସହରରେ ଚାକିରୀ କରୁଛନ୍ତି । ଗାଁର ଚାଷବାସ ଜମିବାଡିକୁ ନାପସନ୍ଦ କରି ଆଦରି ନେଇଛନ୍ତି ସେମାନେ ସହରର ଚାକଚକ୍ୟକୁ । ସୁରଞ୍ଜନଙ୍କର ଆକଟ , ଚାରୁଲତାଙ୍କର ମମତା ଆଉ ଚୌଧୁରୀ ବଂଶର ଭିଟାମାଟିର ମୋହ ଅଟକେଇ ପାରିନି ସେମାନଙ୍କୁ ।


       ଶେଫାଳି ପାଠପଢା ସାରି ଯୋଗ ଦେଇଛି ଏକ ସରକାରୀ ଡାକ୍ତରଖାନାରେ ନ୍ୟୁରୋ ବିଶେଷଜ୍ଞ ଭାବରେ । ତା ସହ କ୍ଲିନିକଟିଏ ମଧ୍ୟ ଖୋଲିଛି । ଡାକ୍ତରଖାନା ପାଖରେ ଭଲ ଘରଟିଏ ନେଇ ରହୁଛନ୍ତି ମା ଝିଅ । ଆର୍ଥିକ ଅବସ୍ଥାରେ ବି ବହୁତ ସ୍ୱଚ୍ଛଳତା ଆସିଛି ।


       ଶେଫାଳି ଡାକ୍ତରଖାନାକୁ ଚାଲିଗଲା ପରେ ଅନୁପମା ପୁରା ଏକା ଘର ଭିତରଟାରେ । ଆଗରୁ ସିନା ବାଡ଼ି

ବଗିଚା , ପରିବା ଚାଷ ଆଉ ଫୁଲବିକ୍ରି କାମରେ ଦିନଟା କଟି ଯାଉଥିଲା । ଏବେ ତ ଆଉ ସେ ଧନ୍ଦା ନାହିଁ । ଏକା ଏକା ବସିଲେ ପୁରୁଣା ଅତୀତ ସବୁ ଧସେଇ ପଶନ୍ତି ମନ ଭିତରକୁ । ବହୁତ ମନେ ପଡନ୍ତି ସୁରଞ୍ଜନ । କେମିତି ଥିବେ କେଜାଣି ?ପୁଅମାନେ ବଡ଼ବଡ଼ ହୋଇଯିବେଣି । ବାହାସାହା ହେଲେଣି କି ନାହିଁ ? ଚାରୁଲତା କ'ଣ ଆଉ ତାଙ୍କୁ ମନେ ରଖିଥିବେ ?ଶାଶୁ କ'ଣ ଆଉ ଏତେ ଦିନ ବଞ୍ଚିଥିବେ ?ବୋହୁ ହିସାବରେ ତାଙ୍କ ପାଇଁ କିଛି କରି ପାରିଲିନି ମୁଁ । ଏ ଜନ୍ମରେ କ'ଣ ଆଉ ସୁରଞ୍ଜନଙ୍କ ସହ ଦେଖା ହବନି ମୋର ?ଦେଖିଲେ କ'ଣ ସେ ଆଉ ଚିହ୍ନି ପାରିବେ ମୋତେ ? ମୋ ଝିଅଟା କ'ଣ ତା ଜନ୍ମଦାତାଙ୍କୁ ଦେଖିବାର ସୁଯୋଗ ପାଇବନି ଆଉ ?ଏମିତି ବହୁତ ଚିନ୍ତା ତାଙ୍କୁ ବ୍ୟାକୁଳିତ କରେ । କିନ୍ତୁ କାହାଠାରୁ କିଛି ଖବର ପାଇବାର ସୁଯୋଗ ସେ ପାଆନ୍ତି ନାହିଁ । ସବୁଦିନ ସନ୍ଧ୍ୟାବେଳେ ଠାକୁରଙ୍କ ଆଗରେ ହାତ ଟେକି ଦିଅନ୍ତି ସମସ୍ତଙ୍କର ସର୍ବମଙ୍ଗଳ ଉଦ୍ଦେଶ୍ୟରେ ।


       ଚାରୁଲତା ଭୀଷଣ ଅସୁସ୍ଥ । ମୁଣ୍ଡ ବୁଲେଇ ଚେତାଶୂନ୍ୟ ହୋଇ ପଡୁଛନ୍ତି ମଝିରେ ମଝିରେ । ଘରେ ଆହା ସାହା କେହି ନାହିଁ । ଏକା ସୁରଞ୍ଜନ । ପିଲାମାନେ ତ ସବୁ ବାହାରେ । ପିଲା ମାନଙ୍କୁ ଅପେକ୍ଷା କଲେ ଚାରୁଲତାଙ୍କ ଜୀବନ ପ୍ରତି ବିପଦ ଆସିପାରେ । କଣ କରିବେ ନ କରିବେ ଭାବି ଭାବି ଡାକ୍ତରଖାନାକୁ ନେଇ ଆସିଲେ ଚାରୁଲତାଙ୍କୁ ସୁରଞ୍ଜନ । ବାହାରେ ବେଞ୍ଚରେ ଚାରୁଲତାଙ୍କୁ ବସେଇ ଦେଇ ଅପେକ୍ଷା କଲେ ସୁରଞ୍ଜନ ନିଜ ନମ୍ବର ପଡିବା ଯାଏ ।


      ଶେଫାଳି ରୋଗୀ ଦେଖାରେ ବ୍ୟସ୍ତ । ସୁରଞ୍ଜନ ଭିତରକୁ ଗଲେ ଚାରୁଲତାଙ୍କୁ ନେଇ । ଶେଫାଳି ଉପରେ ନଜର ପଡୁ ପଡୁ କେମିତି ଗୋଟେ ମୋହାବିଷ୍ଟ ହୋଇଗଲେ ସୁରଞ୍ଜନ କିଛି ସମୟ ପାଇଁ ।

 --- ମାଉସୀ କ'ଣ ହେଉଛି ତୁମର ? ଶେଫାଳି ପଚାରିଲା ଚାରୁଲତାଙ୍କୁ । ଗୋଟି ଗୋଟି କରି ସବୁ ଅସୁବିଧା କହିଲେ ଚାରୁଲତା ।


 --- ଠିକ ଅଛି ମାଉସୀ । କିଛି ଟେଷ୍ଟ କରିବାକୁ ପଡିବ । ମୁଁ ପ୍ରେସକ୍ରିପ୍ସନ ଲେଖିଦେଉଛି । ତୁମ ନାଁ ଟା କଣ ?


--- ଚାରୁଲତା ଚୌଧୁରୀ ।


  ଚମକି ପଡିଲା ଶେଫାଳି । ଏ ନାଁ ଟା ବହୁତ ଥର ଶୁଣିଛି ତା ମା' ମୁହଁରୁ । ସଂସାରରେ ତ ଏଇ ନାଁ ରେ ବହୁତ ଲୋକ ଥିବେ କିନ୍ତୁ ଏ ଆଉ ସେ ଚାରୁଲତା ନୁହେଁ ତ ?? କେମିତି ଜାଣିବ ସିଏ ??

 --- ଆଚ୍ଛା ମଉସା ଆପଣଙ୍କ ନାଁ ଟା ଟିକେ କହିବେ କି ?


 --- ସୁରଞ୍ଜନ ଚୌଧୁରୀ ।


 --- ଘର ??


--- ପାଟଣା ଗଡ ।

  ଆଉ କିଛି ଅଧିକା ପରିଚୟ ଜାଣିବା ଦରକାର ନ ଥିଲା ଶେଫାଳିର । ଆଖି ପୁରେଇ ଦେଖିନେଲା ତା ଜନ୍ମଦାତାଙ୍କୁ ।

    ଆଗରୁ ମା ଠାରୁ ଘର କଥା ଶୁଣିଲା ବେଳେ ତାର ପ୍ରବଳ ରାଗ ହୁଏ ସୁରଞ୍ଜନଙ୍କ ଉପରେ । ପ୍ରତିଶୋଧର ଭାବନା ଜାଗିଉଠେ ମନରେ । ଆଜି ସେଇ ସୁରଞ୍ଜନ ଚୌଧୁରୀ ତା ସାମ୍ନାରେ କିନ୍ତୁ ତା ରାଗ ଅଭିମାନ ସବୁ କୁଆଡେ ଉଭେଇ ଗଲା ? ଇଚ୍ଛା ହଉଛି ପାଦ ଛୁଇଁ ପ୍ରଣାମ କରିବା ପାଇଁ , ଆଶୀର୍ବାଦ ନେବା ପାଇଁ ।


 --- ନା... ନା ... ଆଜି ନୁହେଁ .. ହଠାତ ଏମିତି ପରିଚୟ ଦେବାଟା ଠିକ ଲାଗୁନି ।

 --- ଠିକ ଅଛି ମାଉସୀ ଏ ପ୍ରେସକ୍ରିପ୍ସନଟା ନିଅ । ସବୁ ଟେଷ୍ଟ କରି କାଲି ଆସି ଦେଖା କରିବ ।


       ଖୁସିରେ ଫାଟି ପଡୁଛନ୍ତି ଅନୁପମା । ଶେଫାଳି ଠାରୁ ସବୁ ଶୁଣିଲା ପରେ ଆନନ୍ଦରେ ଆତ୍ମହରା ହୋଇ ଉଠିଛନ୍ତି । ଆନନ୍ଦାଶ୍ରୁ ବୋଲ ମାନୁନି ଆଉ । ବୋହି ଯାଉଛି ଛାଁ କୁ ଛାଁ । କେମିତି ରାତି ପାହିବ ଆଉ ସେ ସୁରଞ୍ଜନଙ୍କୁ ଟିକିଏ ଦେଖିବେ ।

      ଡାକ୍ତରଖାନାରେ ବସିଛନ୍ତି ଅନୁପମା । ସୁରଞ୍ଜନ ପହଞ୍ଚିଲେ ଚାରୁଲତାଙ୍କୁ ଧରି । ସୁରଞ୍ଜନଙ୍କ ଦୃଷ୍ଟି ଆଢୁଆଳରେ ରହି ମନ ଭରି ଆଖି ପୁରେଇ ଦେଖିନେଲେ ଅନୁପମା ତାଙ୍କର ସ୍ୱାମୀଙ୍କୁ ।


     ଭିତରକୁ ଟେଷ୍ଟ ରିପୋର୍ଟ ଧରି ଗଲେ ସୁରଞ୍ଜନ । ରିପୋର୍ଟ ଦେଖି ଦୁଃଖରେ ଭାଙ୍ଗିପଡିଲା ଶେଫାଳି । ଚାରୁଲତାଙ୍କର cerebral artery ରେ blockage ଅଛି । Angioplasty ଦରକାର । ଆଉ କିଛି ଉପାୟ ନାହିଁ । କେମିତି ଜଣେଇବ ସୁରଞ୍ଜନଙ୍କୁ ଭାବି ଭାବି କହିଲା , ମଉସା ଆପଣ ମାଉସୀଙ୍କୁ ଏଠି ଆଡ଼ମିଟ କରିଦିଅନ୍ତୁ । ତାଙ୍କର ବ୍ରେନ ରେ ଟିକେ ପ୍ରୋବ୍ଲେମ ଅଛି । ଅପରେସନ ଦରକାର । କିଛି ଡରିବାର ନାହିଁ ମଉସା । ମାଉସୀ ଭଲ ହୋଇଯିବେ କିନ୍ତୁ ଗୁଡ଼ାଏ ଟଙ୍କା ଦରକାର ଏବେ ।


       ଅସହାୟ ହୋଇ ପଡିଲେ ସୁରଞ୍ଜନ । ପୁଅ ମାନଙ୍କ ପାଖକୁ ଖବର ଦିଆଗଲା । ପୁଅମାନେ ଆସି ସବୁ ଶୁଣିଲେ କିନ୍ତୁ ଏତେ ଟଙ୍କା ଆସିବ କୋଉଠୁ ଏତେ କମ୍ ଦିନ ଭିତରେ । ବଡ଼ପୁଅ କହିଲା ଏ ଘରଟା ବିକ୍ରି କରିଦେଲେ ଠିକ ହେବ । ଏ କୋଉ ପୁରୁଣା ଅମଳର ଦରଭଙ୍ଗା ଘର । ବହୁତ ଦିନରୁ ମରାମତି ହୋଇନି । କାନ୍ଥରୁ ଛାତରୁ ପଲସ୍ତରା ଛାଡି ଗଲାଣି । ଏ ଘର ମରାମତିରେ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ଏଇଟାକୁ ବିକ୍ରି କରିଦେବା ଭଲ । ସେ ପଇସାରେ ବୋଉର ଚିକିତ୍ସା ହୋଇ ପାରିବ । ତା ପରେ ବାପା ବୋଉ ବି ଆମ ପାଖରେ ସବୁବେଳେ ରହି ପାରିବେ । ତାଙ୍କର ଆଉ ଏଠି ରହିବା ଦରକାର ନାହିଁ କି ଆମର ବି ଆଉ ଏଠିକି ହଇରାଣ ହୋଇ ଆସିବା ଦରକାର ନାହିଁ । ଅନ୍ୟମାନେ ବି ବଡଭାଇ କଥାରେ ସହମତ ହେଲେ ।


        ପିଲାମାନଙ୍କ ନିଷ୍ପତ୍ତି ଶୁଣି ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡିଲା ସୁରଞ୍ଜନଙ୍କର । ଚୌଧୁରୀ ବଂଶର ଏ ଭିଟାମାଟି ବିକ୍ରି ହେବ ଆଉ କାହାକୁ ? ତିନି ତିନିଟା ପୁଅ ଥାଉ ଥାଉ ଏ ଡିହରେ ରାଜୁତି କରିବ ଆଉ କିଏ ?ନା.. ... ଅସମ୍ଭବ... । ଏ ଭିଟାମାଟିକୁ ବଞ୍ଚେଇବା ପାଇଁ ମୋ ବୋଉ ବାପାଙ୍କୁ ମଲାବେଳେ ବଚନ ଦେଇଥିଲା । ଏଇ ଭିଟାମାଟି ପାଇଁ ମୁଁ ଦ୍ୱିତୀୟ ବିବାହ କରିବାକୁ ରାଜି ହେଲି । ଏହାରି ପାଇଁ ଅନୁପମା ଘର ଛାଡ଼ି ଚାଲିଗଲା । ଏ ଘରର ସୁରକ୍ଷା ପାଇଁ ଦ୍ୱିତୀୟ ବିବାହ କରି ଯେଉଁମାନଙ୍କୁ ସଂସାରକୁ ଆଣିଲି ସେଇମାନେ ଏବେ କହୁଛନ୍ତି ଏ ଘରକୁ ବିକ୍ରି କରିବା ପାଇଁ!! 

      ପିଲାମାନଙ୍କର ଘୋର ବିରୋଧ କଲେ ସୁରଞ୍ଜନ । ବିରକ୍ତ ହୋଇ ଉଠିଲେ ପିଲାମାନେ ସୁରଞ୍ଜନଙ୍କ ପୁରୁଣାକାଳିଆ ଚିନ୍ତାଧାରାରେ ।


--- ତାହେଲେ ଠିକ ଅଛି । ଆମ ପାଖରେ ଯେତିକି ଟଙ୍କା ଅଛି ଆମେ ସେତିକି ଦେଇ ଦଉଛୁ । ବାକି କଥା ତୁମେ ବୁଝ । କୋଉଠୁ ଟଙ୍କା ଯୋଗାଡ କରିବ ସେ କଥା ତୁମେ ଜାଣିଥିବ । ପଛରେ ଆମକୁ ଆଉ ଦୋଷ ଦେବନି । ମଣିଷ ପଛେ ମରିବାକୁ ବସିଲାଣି ତୁମକୁ ଘରମୋହ ଛାଡ଼ୁନି । କର୍ପୁର ତ ଉଡ଼ିଗଲାଣି କୋଉକାଳରୁ ଖାଲି ଯାହା କନା ଖଣ୍ଡେ ପଡିଛି । ସେ କନା ଖଣ୍ଡକୁ ଜାବୁଡି ଧରି ବସିଥାଅ ଏଇ ଭିଟାମାଟି ଉପରେ । ଆମେ ସବୁ ଚାଲି ଯାଉଛୁ କାଲି ସକାଳେ ।


   ଅଗତ୍ୟା ବାଧ୍ୟ ହୋଇ ସୁରଞ୍ଜନ ରାଜି ହେଲେ ନିଜର ଅନିଚ୍ଛା ସତ୍ତ୍ୱେ ।

   ଡାକ୍ତରଖାନାରେ ଚାରୁଲତାଙ୍କୁ ଆଡ଼ମିଟ କରିସାରି ବାହାରେ ଠିଆ ହୋଇଛନ୍ତି ସୁରଞ୍ଜନ । ଦୂରରେ ଥାଇ ଦେଖୁଛନ୍ତି ଅନୁପମା ସବୁଦିନ ପରି । ହଠାତ ନଜର ପଡିଗଲା ସୁରଞ୍ଜନଙ୍କର ଅନୁପମାଙ୍କ ଉପରେ । ଚମକି ପଡି ମୁଁହ ବୁଲେଇନେଲେ ଅନୁପମା । ଆଶ୍ଚର୍ଯ୍ୟ ହୋଇଗଲେ ସୁରଞ୍ଜନ । ଅନୁପମା !!! ଏ କଣ ଅନୁପମା !!! ନାଁ ତାଙ୍କ ଆଖି ଠିକ ଦେଖିଛି । ଏ ହିଁ ଅନୁପମା । ବୟସାଧିକ୍ୟ ଯୋଗୁଁ ଚେହେରାରେ ପରିବର୍ତ୍ତନ ଆସିଛି ନିଶ୍ଚୟ କିନ୍ତୁ ସେଇ ଆଖି ସେଇ ମୁଁହ ସେଇ ନୀରିହ ଚାହାଣୀ । ମନେ ମନେ କେତେ ନ ଖୋଜିଛନ୍ତି ସେ ଅନୁପମାଙ୍କୁ ! ଆଉ ଆଜି ଏଠି ....


     ଧୀରେ ଧୀରେ ପାଖକୁ ଗଲେ ସୁରଞ୍ଜନ । ପାଖରେ ଠିଆ ହୋଇ ଧୀର ସ୍ବରରେ ଡାକିଲେ ଅନୁପମା... । ବୁଲି ଚାହିଁଲେ ଅନୁପମା ସୁରଞ୍ଜନଙ୍କୁ । ଦୀର୍ଘ କୋଡିଏ ବର୍ଷ ପରେ ହେଲା ଚାରି ଚକ୍ଷୁର ମିଳନ । କାହାରି ମୁହଁରେ ଭାଷା ନାହିଁ । ଖାଲି ବୋହି ଯାଉଛି ଧାର ଧାର ଅଶ୍ରୁ ବାଧାବନ୍ଧ ନ ମାନି ।


      ଶେଫାଳି ବିଷୟରେ ସବୁ ଶୁଣିଲେ ସୁରଞ୍ଜନ । ଖୁସିରେ ଗଦ୍ ଗଦ୍ ହୋଇ ଉଠିଲେ ଶେଫାଳି ତାଙ୍କ ଝିଅ ବୋଲି ଜାଣିଲା ପରେ । ଲଜ୍ଜିତ ହୋଇ ହାତ ଧରି କ୍ଷମା ମାଗିଲେ ଅନୁପମାଙ୍କୁ ନିଜର କୃତକର୍ମ ପାଇଁ । ଅନୁପମାଙ୍କ ଆଗରେ ଅପରେସନ ଆଉ ଘର ବିକ୍ରି ସବୁ କଥା କହିଲେ ସୁରଞ୍ଜନ । କହିଲେ , " ବୁଝିଲ ଅନୁପମା , ଭଗବାନ ମୋତେ ଠିକ ଦଣ୍ଡ ଦେଇଛନ୍ତି । ଆହୁରି ବି ଦେବେ । ଯେଉଁ ଭିଟାମାଟିକୁ ବଞ୍ଚେଇବା ପାଇଁ ତୁମକୁ ମୁଁ ହତାଦର କରିଥିଲି ତାକୁ କିନ୍ତୁ ମୁଁ ସାଇତି ରଖି ପାରିଲିନି । କିଛିଦିନ ଭିତରେ ବିକ୍ରି ହେଇଯିବ ସେଇ ଘର ଟା । ତୁମକୁ ରାସ୍ତା ଉପରେ ଠିଆ କରିଥିଲି ଆଜି ମୋତେ ଭଗବାନ ରାସ୍ତା ଉପରେ ଠିଆ କରିଦେଲେ " ।


        ଭଲରେ ଭଲରେ ଅପରେସନ ସରିଗଲା । ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଚାରୁଲତା । ଚାରୁଲତା ଆଉ ସୁରଞ୍ଜନଙ୍କୁ ଘରକୁ ଡାକିନେଲେ ଅନୁପମା । ନିଜ ହାତରେ ରାନ୍ଧି ଖୁଆଇଲେ ବହୁତ ଦିନ ପରେ । ଖାଇ ସାରି ଯିବାକୁ ବାହାରିଲେ ସୁରଞ୍ଜନ । ଗଲାବେଳକୁ ପାଦ ଛୁଇଁ ପ୍ରଣାମ କଲା ଶେଫାଳି । ପଚାରିଲା ବାପା , ଏବେ କୁଆଡେ ଯିବ ??ସୁରଞ୍ଜନ କହିଲେ ଆଉ କୁଆଡେ ଯିବି ରେ ମା' । ତୋ ସାନ ମା'ର ଅପରେସନ ପାଇଁ ଘରଟା ବିକ୍ରି କରିଦେଲି । ଏବେ ଯାଉଛି ପୁଅ ମାନଙ୍କ ପାଖକୁ । ଆଉ ଗାଁରେ କୋଉଠି ରହିବି ମୁଁ ?


       ଶେଫାଳି ଆଣି ଧରେଇ ଦେଲା ଲଫାପା ଟିଏ ସୁରଞ୍ଜନଙ୍କ ହାତରେ । କହିଲା , " ବାପା , ଏଇ ନିଅ ତୁମ ଘରର କାଗଜପତ୍ର । ଘରବିକ୍ରି ବିଷୟରେ ମା ସବୁ କହିଛି ମୋ ଆଗରେ । ସେ ଘର ସେତେବେଳେ ବି ତୁମର ଥିଲା ଆଉ ଏବେ ବି ତୁମର ଅଛି । ଆଉ କାହାକୁ ବିକ୍ରୀ ହେବା ଆଗରୁ ସେ ଘରକୁ ମୁଁ କିଣିଦେଇଛି ବାପା । "



Rate this content
Log in

More oriya story from Rozalini Mishra

Similar oriya story from Tragedy