STORYMIRROR

Rozalini Mishra

Inspirational

3  

Rozalini Mishra

Inspirational

ପୋଖରୀ ତୁଠର ହାଲଚାଲ

ପୋଖରୀ ତୁଠର ହାଲଚାଲ

2 mins
58



   ପୋଖରୀ ତୁଠରେ ସବୁଦିନେ ସକାଳେ ଏକାଠି ହୁଅନ୍ତି ଗାଁର କିଛି ସ୍ତ୍ରୀ ଲୋକ ଗାଧୋଇବା ପାଇଁ। କଥାବାର୍ତ୍ତା ଦୁଃଖସୁଖ ଭିତରେ ଖୋଲିଯାଏ ସେମାନଙ୍କ ତେଲଲୁଣ ସଂସାରର ଗପ ପସରା।    ଏମିତି ଦିନେ ପୋଖରୀ ତୁଠରେ ରାଧୁଆ ମା' କୁ ଦେଖି ସନା ମା' ପଚାରିଲା ....

___ ଆଲୋ ତୋର କ'ଣ ଆଜି ଏତେ ଡେରି ? କୁଆଡେ ଯାଇଥିଲୁ କି ??

 ରାଧୁଆ ମା' କହିଲା ....

___ ହଁ .... ମୁଁ କ'ଣ ତୋ ପରି ଭାଗ୍ୟ ପାଇଛି ଯେ ବସିକି ଖାଇବି । ସକାଳୁ ଉଠିଲେ ଆଗ ମୋର ବାଡ଼ିବଗିଚା କାମ । ଆଜି ସକାଳୁ ଉଠି ବାଡିରୁ ପରିବା ତୋଳି ବେପାରୀକୁ ଦେଲି। ତା ପରେ ଜଳଖିଆ ଟିକେ କଲି ଯେ ରାଧୁଆ ଖାଇକି ଗଲା ତା ଦୋକାନ ଖୋଲିବା ପାଇଁ।ଏବେ ଚଞ୍ଚଳ ଗଲେ ରୋଷେଇ ସାରିବି ଯେ ସେ ଖରାବେଳ ଖାଇବାଟା ଖାଇଦେଇ ଯିବ ତା ଦୋକାନ ପାଇଁ ଟିକେ ସଉଦା ପତ୍ର ଆଣିବାକୁ।ଏଇ ତେଜରାତି ଦୋକାନ ଆଉ ବାଡ଼ି ବଗିଚା ଯୋଗୁ ତ ମୋ ସଂସାର ଚାଲିଛି।

  ରାଧୁଆ ମା' କଥା ଶୁଣି ଗର୍ବରେ ଫାଟି ପଡିଲା ସନା ମା'। ଆଉ କହିଲା ....

___ ହଁ ଲୋ ରାଧୁଆ ମା' କଥା ପଦେ କହିଲୁ ଯାହା। ସତରେ ବସି ଖାଇକି ମୋ ଦିନ ଯାଉଛି। ସନା ଆମର ପ୍ରତି ମାସରେ ଟଙ୍କା ପଠାଉଛି କଲିକତାରୁ। ମୋର ଏ ବାଡ଼ି ବଗିଚା ଧନ୍ଦା କିଏ କରିବ ଲୋ ମା .... ମୋ ପୁଅ ପଇସା ତ ମୋର ଖାଇ ପିଇକି ବଳୁଛି ।ଏ ଗାଁ ରେ ମୋ ପରି ଭାଗ୍ୟ ଆଉ କାହାର ଅଛି ?

 ୟା ଭିତରେ ବିତି ଗଲାଣି କିଛି ଦିନ।

   ଦିନେ ସେଇ ପୋଖରୀ ତୁଠରେ ସନା ମା' କୁ ଦେଖି ରାଧୁଆ ମା' ପଚାରିଲା ......

____ଆଲୋ କ'ଣ ହେଇଛି ତୋର .? ମୁଁହଟା ଏମିତି ଶୁଖେଇଛୁ ଯେ !!

____ କଅଣ ଆଉ କହିବି ତୋତେ .... କି କରୋନା ଆସିଲା ଲୋ ମା ...ସନା ସ୍ତ୍ରୀ ପିଲାଙ୍କୁ ଧରି କାମ ଛାଡି ଆସି ଘରେ ବସିଛି ପନ୍ଦର ଦିନ ହେଲାଣି। କାମ ନାହିଁ ବୋଲି ମାଲିକ ପଇସା ପଠେଇଲାନି ଆଉ ଏ ମାସରେ। ଦୋକାନ ବଜାର ତ ସବୁ ବନ୍ଦ। ସେଥିରେ ପୁଣି ପରିବା ପତ୍ର ଯୋଉ ଚଢା ରେଟ୍ ଯେ ଆମ ପରି ଲୋକ କେତେ କିଣିକି ଖାଇବ।ତା ଛଡା ବସି ଖାଇଲେ ନଈବାଲି ବି ସରେ। କାଲି ସନା ପରିବା ଦି ଟା ଆଣିଥିଲା ଯେ ସେତକ ସରିବାକୁ ବସିଲାଣି। କାଲିକୁ ପୁଣି କ'ଣ ହେବ କେଜାଣି।

___ ଓଃ ....ହୋ .... ଏଥିପାଇଁ ମୁଁହ ଶୁଖେଇଛୁ ? ହଁ ....ଯାହା କହିଲୁ ସବୁ ଠିକ ଯେ .... ମୋର କିନ୍ତୁ ସେ ଚିନ୍ତା ନାହିଁ।ରାଧୁଆ ତା ତେଜରାତି ଦୋକାନ ଖୋଲୁଛି ସବୁଦିନ। ଆଉ ମୋ ବାଡ଼ିରେ ତ ପରିବା ଯାହାକୁ ଯେତେ।ଖାଇ ପିଇକି ବଳୁଛି ମୋର।    ହେଇଟି ସନା ମା' ..... ଆଜି ସକାଳେ ବାଡିରୁ ଭେଣ୍ଡି, ପୋଟଳ, ବାଇଗଣ, ଜହ୍ନି, ଝୁଡୁଙ୍ଗ, କଞ୍ଚାଲଙ୍କା ସବୁ ତୋଳିକି ରଖିଛି। ସନ୍ଧ୍ୟାବେଳେ ଘରଆଡେ ଟିକେ ଆସୁନୁ...ପରିବା ଦି ଟା ଦିଅନ୍ତି ତୋତେ .....।   ସନା ମା' ଗୋଟିଏ ପିତାତରଡ଼ାରେ ଦେହରୁ ମଳି ଛଡଉ ଛଡଉ କହିଲା ....ହଉ ଯିବି ଆଜି ସଞ୍ଜ ବୁଡ଼କୁ।

   ଦେହର ମଳି ସହ ସନା ମା' ର ଗର୍ବ ଫୁଟାଣି ସବୁ ମିଳେଇ ଯାଉଥିଲା ଧିରେଧୀରେ ସେ ପୋଖରୀର ପାଣି ଭିତରେ।



Rate this content
Log in

Similar oriya story from Inspirational