The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Rozalini Mishra

Tragedy Inspirational

4.0  

Rozalini Mishra

Tragedy Inspirational

ପ୍ରବାସରୁ ଚିଠି ଖଣ୍ଡେ

ପ୍ରବାସରୁ ଚିଠି ଖଣ୍ଡେ

7 mins
145



    ପିଲାଦିନରୁ ସୋମେନ ଦେଖେ ତା ବୋଉକୁ କମ୍ବଳ ଖଣ୍ଡେ ମୁଣ୍ଡ ତଳେ ଦେଇ ଶୋଇବାର । " କମ୍ବଳ କିଏ ମୁଣ୍ଡ ତଳେ ଦେଇ ଶୁଏ ଯେ ... ସମସ୍ତେ ତ ତକିଆ ଦେଇ ଶୁଅନ୍ତି । ତୋର ଯେତେ ସବୁ ଅଦ୍ଭୁତ ବାଗ । ସେଥିପାଇଁ ବେଳେବେଳେ ତୋର କାନ୍ଧ ଦରଜ ହେଉଛି । ଆଜି ଠାରୁ ତକିଆ ଦେଇ ଶୋଇବା ଅଭ୍ୟାସ କର ତୁ " । ସୋମେନର ଏ କଥାକୁ କିନ୍ତୁ ହସିକି ଉଡେଇ ଦିଅନ୍ତି ସୋମେନର ବୋଉ ମାଳତୀ ଦେବୀ । ଆଉ କୁହନ୍ତି, " ତକିଆରେ ଭଲ ନିଦ ଆସୁନିରେ ମୋତେ ... ଏ କମ୍ବଳଟିରେ କେତେ ଶାନ୍ତି !!    କମ୍ବଳଟିର ଇତିହାସ କ'ଣ ତାହା ଜାଣିପାରେନି ସୋମେନ । ସେ ଦେଖେ ସକାଳୁ ଉଠିଲା ମାତ୍ରେ ବୋଉ କମ୍ବଳଟିକୁ ଟିକେ ଝାଡ଼ି ଆଣେ ହାତରେ । ଚାଦର ଖଣ୍ଡିଏ ଚଉତିକି ପକେଇ ଦିଏ ତା ଉପରେ । ଆଉ ତା’ପରେ ଯାଏ ନିତ୍ୟକର୍ମ ସାରିବା ପାଇଁ । ରାତିରେ ଶୋଇଲା ବେଳେ ଛୋଟ ଟାୱେଲ ଖଣ୍ଡିଏ କମ୍ବଳ ଉପରେ ପକେଇକି ଶୁଏ କାଳେ ତେଲ ଚିକିଟା ଲାଗି କମ୍ବଳଟା ଖରାପ ହେଇଯିବ ବୋଲି । ସେଇଟିକୁ କେବେ ବି ଖୋଲିକି ଦେହରେ ଘୋଡେଇ ହେବା କେହି ଦେଖିନି ଆଜିଯାଏ । ବେଳେବେଳେ ମାଳତୀ ଦେବୀ କମ୍ବଳଟିକୁ ନେଇ ଖରା ଦିଅନ୍ତି ଛାତ ଉପରେ । ବୋହୁ ସୁନୈନା ବାରମ୍ବାର ତାଗିଦ କରି କୁହେ, "ବୋଉ ....କ'ଣ ପାଇଁ ଏତେ ଥର ତଳ ଉପର ହେଉଛନ୍ତି । ପୁଣି ଆଣ୍ଠୁବାତ ବାହାରିଯିବ ଯେ । ରଖନ୍ତୁ ... ମୁଁ ନେଇ ଖରାରେ ପକେଇ ଦେବି । " କିନ୍ତୁ ନା ... କାହାକୁ ବି ହାତ ମରେଇ ଦିଅନ୍ତିନି ମାଳତୀ ସେଥିରେ । ନିଜେ ନେଇ ଛାତ ଉପରେ ପକେଇ ସେମିତି ଏପଟ ସେପଟ ହେଉଥାନ୍ତି ସେଇଠି । କମ୍ବଳଟିକୁ ଓଲଟ ପାଲଟ କରି ଖରା ଦେଇ ସାରିଲା ପରେ ପୁଣି ତାକୁ ଯତ୍ନରେ ଭଙ୍ଗାଭଙ୍ଗି କରି ଖଟ ଉପରେ ଥୋଇ ଦିଅନ୍ତି । ଗୋଟେ ଦୁଇଦିନ ପାଇଁ ଯଦି କୁଆଡେ ଯିବାକୁ ପଡେ ତାହେଲେ କମ୍ବଳଟିକୁ ବାକ୍ସ ଭିତରେ ପୁରେଇ ତାଲା ପକେଇ ଦେଇ ଯାଆନ୍ତି ମାଳତୀ । ସାମାନ୍ୟ କମ୍ବଳ ପ୍ରତି ଏତେଟା ଆସକ୍ତି ବେଳେବେଳେ ସୁନୈନା ଦେହରେ ଯାଏନି । କେବେକେବେ କେହି ନ ଦେଖିଲା ପରି ମୁଁହ ମୋଡ଼ିଦେଇ କୁହେ, "ଓଃ....ଆଉ ଯଦି ଦାମିକିଆ କମ୍ବଳଟା ହୋଇଥାନ୍ତା ....ଏ କମ୍ବଳ ଆଉ ଆଜି କାଲି କିଏ ରଖୁଛି ଘରେ । ଘୋଡେଇ ହେଲେ ମୋଟା ଦରି ପକେଇଲା ପରି ଲାଗିବ ଦେହରେ । ଆଉ ଦେହ ହାତ ଫୋଡିଫୋଡି ହେଇ କୁଣ୍ଡେଇ ବି ହେବ । ଏବେ ତ କେଡେ ସୁନ୍ଦର ସୁନ୍ଦର ଫୁଲ ପରି ନରମ ପୋଲାର ଫ୍ଲିସ ବ୍ଲାଙ୍କେଟ, ଭେଲଭେଟ କଭର ବ୍ଲାଙ୍କେଟ, ଫ୍ଲୋରଲ ଦୋହର, ଏସି କମ୍ଫୋର୍ଟର ଆଦି ସବୁ ମିଳୁଛି । କି ରସ ଲାଗିଛି କେଜାଣି ସେ ପୁରୁଣା କାଳିଆ କମ୍ବଳଟାରେ । " ସ୍ୱାମୀ ଚାଲିଗଲା ପରେ ପୁରା ଘରଟା ଭିତରେ ଅନେକ ପ୍ରିୟ ଜିନିଷ ଭିତରୁ ମାଳତୀ ଦେବୀଙ୍କର ଅତିରୁ ଅତି ପ୍ରିୟ ଏହି ଦୁଇଟି ଜିନିଷ । ଗୋଟିଏ ହେଲା ଏକଦମ ଗାଢ଼ ଖଇରିଆ ରଙ୍ଗ ଉପରେ ବଡ଼ବଡ଼ ହଳଦିଆ ଗୋଲାପ ଫୁଲ ଫୁଟିଥିବା ଏହି କମ୍ବଳଟି । ଆଉ ଆରଟି ହେଲା ଗୋଟେ ପୁରୁଣା କାଳିଆ ଟିଣ ବାକ୍ସ । ମାଳତୀ ଦେବୀଙ୍କ ରୁମର ଗୋଟେ କଡ଼କୁ ପୁରୁଣା କାଳିଆ ଟିଣ ବାକ୍ସଟିଏ ଥାଏ ସବୁବେଳେ ତାଲା ପଡି ଆଉ ତାଲାର ଚାବି ଝୁଲୁଥାଏ ସବୁବେଳେ ମାଳତୀ ଦେବୀଙ୍କ ଶାଢ଼ୀ କାନିରେ । ଯେତେବେଳେ ବି ମାଳତୀ ଦେବୀ ବାକ୍ସଟିକୁ ଖୋଲନ୍ତି ସୁନୈନା କିଛି ନା କିଛି ବାହାନାରେ ଚାଲିଆସେ ସେ ରୁମକୁ । ବାଆଁରେଇ ବାଆଁରେଇ ବାକ୍ସ ଭିତରକୁ ଉଣ୍ଡିକି ଚାହେଁ । ବାକ୍ସ ଭିତରେ ସାଇତା ହୋଇ ରହିଥାଏ ଶାଶୁଙ୍କର ବାହାଘର ବେଳର କାଞ୍ଜିବରମ ପାଟ ଖଣ୍ଡିଏ । କମଳା ରଙ୍ଗର ପାଟଶାଢ଼ୀ ଉପରେ ସବୁଜ ରଙ୍ଗର ଧଡି ଆଉ ତା ଉପରେ ସୁନେଲି ସୁତାର କାରୁକାର୍ଯ୍ୟ । ଭାରି ସୁନ୍ଦର ଶାଢ଼ୀଟିଏ । ଶାଢ଼ୀ ତଳେ ଥାଏ ରୁପା ତାରକସି କାମର ସିନ୍ଦୂର ଫରୁଆ ଆଉ ଗୋଟିଏ ମେରୁନ କଲରର ଚୁଡିଡବା । ଆଉ ତା ତଳେ ଥାଏ ଶଶୁରଙ୍କର ଠାକୁର ପୂଜା ମଠାଟିଏ । ବାକ୍ସ ଭିତରେ ପଡିଥାଏ କିଛି ଗନ୍ଧକର୍ପୁର ଆଉ କିଛି ଶୁଖିଲା ନିମ୍ବପତ୍ର । ସୁନୈନାର ନଜରଟା ଥାଏ ସେ 'ଦୟାଲ ଜୁଏଲର୍ସ' ଲେଖାଥିବା ଚୁଡିଡବା ଉପରେ । ସୋମେନ ଠାରୁ ଥରେ ଶୁଣିଥିଲା ଶାଶୁଙ୍କର ସୁନ୍ଦର ମଗରମୁଁହା ଖଡୁ ଦୁଇଟା ଅଛି ବୋଲି । ବୋଧେ ସେଇ ଡବା ଭିତରେ ରଖିଛନ୍ତି । ଖଡୁ ଦୁଇଟାର ଡିଜାଇନ ଦେଖିବା ପାଇଁ ବ୍ୟାକୁଳ ହୋଇଉଠେ ସୁନୈନା କିନ୍ତୁ ସେ ଡବା କେବେ ବି ଖୋଲା ହୁଏନି । ପର ମୁହୂର୍ତ୍ତରେ ନିଜ ମନକୁ ନିଜେ ବୁଝେଇ ଦିଏ ' ହଁ... ମ... ରଖିଥାନ୍ତୁ ଲୁଚେଇକି । ତାଙ୍କ ଅନ୍ତେ ସବୁ ତ ମୋର । ଆଉ କିଏ ଅଛି ଯେ ଭାଗ ବସେଇବ । କି ଲୋଭୀ ଲୋକ କେଜାଣି ....ଆଜି ଯାଏ ନିଜେ ବି ଦିନେ ପିନ୍ଧିବା ଦେଖିନି ମୁଁ । ସତେ କି ସାଙ୍ଗରେ ନେଇକି ସ୍ୱର୍ଗକୁ ଯିବେ ' । ******

   ଏ ସଂସାରରେ କିଏ କ'ଣ ନେଇକି ସ୍ୱର୍ଗକୁ ଗଲାଣି ଯେ ମାଳତୀ ଦେବୀ ନେଇକି ଯାଇଥାନ୍ତେ । ସବୁ ଲୋଭ, ମୋହ, ମାୟା ତ ଶେଷ ନିଃଶ୍ୱାସ ଥିବା ଯାଏ । ତା’ପରେ ମଣିଷ ଛଅ ଖଣ୍ଡ କାଠ ଆଉ ଚାରିଟା କାନ୍ଧକୁ ଆଶ୍ରା କରି ଚାଲିଯାଏ ତାର ଗନ୍ତବ୍ୟ ସ୍ଥଳକୁ । ଆଉ ସବୁ ରହିଯାଏ ପଛରେ । ସେମିତି ଦିନେ ମାଳତୀ ଦେବୀ ଚାଲିଗଲେ ସବୁକୁ ପର କରି । ପଛରେ ଛାଡ଼ିଗଲେ ପୁଅ, ବୋହୁ, ବନ୍ଧୁପରିଜନ,ଅତି ପ୍ରିୟ ପୁରୁଣା ଟିଣ ବାକ୍ସ ଆଉ କମ୍ବଳ ଖଣ୍ଡିକ ବି । ମା' ସ୍ନେହର ଅଭାବବୋଧ ଖୁବ ଘାରେ ସୋମେନକୁ । ମନ ଝୁରେ ସେଇ ସ୍ନେହବୋଳା ସ୍ପର୍ଶକୁ । ବୋଉର ଅନୁପସ୍ଥିତିରେ ତା ଟିଣବାକ୍ସ ଭିତରେ ସାଇତା ତାର ପ୍ରିୟ ଜିନିଷ ଗୁଡ଼ାକ ଉପରେ ହାତ ବୁଲେଇ ସେଥିରେ ଲାଗିଥିବା ବୋଉର ସ୍ପର୍ଶକୁ ଅନୁଭବ କରିବାକୁ ଦିନେ ଖୁବ ଇଚ୍ଛା ହେଲା ସୋମେନର । ବାକ୍ସ ଖୋଲି ହାତ ବୁଲେଇ ଆଣିଲା ସେ ବୋଉର କାଞ୍ଜିବରମ ପାଟ ଉପରେ । ପାଟ ତଳେ ସିନ୍ଦୂର ଫରୁଆ ଆଉ ଚୁଡି ଡବା । ତା ତଳେ ବାପାଙ୍କର ମଠା । ମଠାଟିକୁ କାଢୁ କାଢୁ ତା ଭିତରୁ ଖସି ପଡ଼ିଲା ଲଫାପା ଟିଏ । ଲଫାପା ଭିତରେ ଚିଠି ଖଣ୍ଡିଏ । ଚିଠିଟିକୁ ଖୋଲିଲା ସୋମେନ । ଚିଠିର ଅକ୍ଷର ଗୁଡ଼ାକ କିଛି ମାତ୍ରାରେ ଫିକା ପଡି ଆସିଲାଣି କାଳିର ରଙ୍ଗ ଉଡିଯାଇ । ସାତକାମୁଡ଼ା ପୋକର ଦୌରାତ୍ମ୍ୟର ଚିହ୍ନ ସ୍ୱରୂପ ଚିଠିଟିର ଛାତିରେ କୁନି କୁନି କେତୋଟି କଣା । କୌତୁହଳ ବଶତଃ ଚିଠିଟିକୁ ପଢି ବସିଲା ସୋମେନ । 

  ସୋମୁ ବୋଉ,    

  ମୋର ସ୍ନେହ ନେବ । ସୋମୁକୁ ମୋର ସ୍ନେହ ଜଣେଇ ଦବ । ଚିଠି ଲେଖିବାର କାରଣ ଏହିକି ଯେ, ମୁଁ ଏ ମାସରେ ଆଉ ଘରକୁ ଯାଇ ପାରିବି ନାହିଁ । ଯଦି ହେବ ଆରମାସରେ ସୁବିଧା କରି ଆଠଦିନ ପାଇଁ ଯିବି ବୋଲି ଭାବିଛି । ତୁମେ କାଳେ ଅପେକ୍ଷା କରି ବସିଥିବ ଆଉ କିଛି ଖବର ନ ପାଇ ବ୍ୟସ୍ତ ହେବ ସେଥିପାଇଁ ତୁମକୁ ଚିଠି ଲେଖିଲି ମୁଁ । ଡାକରେ ଚିଠି ସହ କିଛି ଟଙ୍କା ପଠେଇଛି । ଦେଖି ଚାହିଁ ଘର ଚଳେଇ ନେବ । ମନ ଦୁଃଖ କରିବନି । ବାଂଲାଦେଶର ମୁଶିରାବାଦ ବଜାରରୁ ତୁମ ପାଇଁ ଚିନାମାଟିର ପଥରବସା ଚୁଡି ଚାରିପଟ ଆଉ ଗୋଟିଏ ସୁନ୍ଦର କମ୍ବଳଟିଏ କିଣିଛି ଏଥର । ତୁମେ ସେଦିନ ଅରୁଣା ଘରେ ଯେଉଁ ରଙ୍ଗର କମ୍ବଳଟି ଦେଖି ଲୋଭରେ ଅନେଇ ରହିଥିଲ ଠିକ ସେଇ ରଙ୍ଗର । ଏଥର ଗଲା ବେଳେ ସାଙ୍ଗରେ ନେଇକି ଯିବି ତୁମପାଇଁ । ଏଥର ଘରକୁ ଗଲେ ତୁମପାଇଁ ସୁନାର ଖଡୁ ଦୁଇଟା କିଣିଦେବି ବୋଲି ଭାବିଥିଲି । କିନ୍ତୁ ହୋଇପାରିଲାନି । କ'ଣ କରିବି ସୋମୁବୋଉ ଭାରି ମନ ଦୁଃଖ ଲାଗୁଛି ମୋର । ଏ ଜୀବନରେ କିଛି ଦେଇ ପାରିଲିନି ତୁମକୁ ମୁଁ । ଓଲଟା ତୁମ ପାଖରୁ ନେଇ ନେଇ ତୁମ ପାଖରେ ଋଣୀ ହୋଇ ରହିଗଲି ସବୁଦିନ ପାଇଁ । ସୁନିର ବାହାଘର ବେଳେ ତା ପାଇଁ ହାରଟିଏ କରିପାରିଲିନି ବୋଲି ବହୁତ ମନଦୁଃଖରେ ଥିଲି ମୁଁ । ବାପା ମାଆ ଛେଉଣ୍ଡ ନଣନ୍ଦଟା ତୁମର ମା' ବାପାଙ୍କ ଅଭାବକୁ ଅନୁଭବ ନକରୁ ସେଥିପାଇଁ ବାପଘରୁ ଆଣିଥିବା ହାରଟାକୁ ନିଜ ବେକରୁ ଖୋଲି ପିନ୍ଧେଇ ଦେଇଥିଲ ତୁମେ ସୁନି ବେକରେ ବାହାଘର ଦିନ । କୃତଜ୍ଞତାର ଅଶ୍ରୁରେ ଭାରି ହୋଇଯାଇଥିଲା ଆଖିପତା ମୋର । ସେଦିନ ମନେମନେ ଭାବିଥିଲି ଯୋଉଠୁ ଯେମିତି ବି ହେଉ କିଛି ଟଙ୍କା ସଞ୍ଚୟ କରି ଯେତେ ଶୀଘ୍ର ସମ୍ଭବ ତୁମ ପାଇଁ ହାରଟିଏ କିଣିଦେବି ବୋଲି । କିନ୍ତୁ ପାରିଲିନି । ଲମ୍ବ ପଣତ ସିନା ସବୁ ଆଡକୁ ପାଏ କିନ୍ତୁ ଆମର ତ ଛୋଟ ପଣତ । ଗୋଟେ ପଟକୁ ଭିଡ଼ିଲେ ଆରପଟ ଫାଙ୍କା । ହାର ତ କିଣି ପାରିଲିନି ...ରୁପାର ସିନ୍ଦୂର ଫରୁଆଟିଏ ନେଇଥିଲି ତୁମ ପାଇଁ ଉପହାର ସ୍ୱରୂପ । ବହୁତ ଖୁସି ଆଉ ଆଗ୍ରହ ସହକାରେ ଗ୍ରହଣ କରିଥିଲ ତୁମେ ଆଉ ମିଠା ମିଠା ଗାଳି ବି କରିଥିଲ ମୋତେ । କହିଥିଲ, " ଏତେ ପଇସା ଖର୍ଚ୍ଚ କରିବା କ'ଣ ଦରକାର ଥିଲା ଯେ.... ଦି ପଇସା ସଞ୍ଚିଲେ ଆମ ପୁଅର ପାଠପଢା କାମରେ ଲାଗନ୍ତା ନାହିଁ । ଏଣିକି ଦେଖି ଚାହିଁ ଖର୍ଚ୍ଚ କର । "    ସୋମୁର କଲେଜ ଆଡ଼ମିଶନ ଆଉ ହଷ୍ଟେଲ ଖର୍ଚ୍ଚ ପାଇଁ ମୁଁ ଯେତେବେଳେ ବାରଦୁଆର ଶୁଣ୍ଢିପିଣ୍ଡା ହୋଇ ହତାଶ ହୋଇ ପଡ଼ିଥିଲି ସେତେବେଳେ ତୁମେ ମୋ ହାତକୁ ବଢ଼େଇ ଦେଇଥିଲ ଟଙ୍କା ବିଡାଟିଏ । ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଲି ତୁମ ମୁଁହକୁ ଆଉ ତୁମେ ତଳକୁ ମୁଁହ ପୋତିଦେଇଥିଲ କିଛି ଭୁଲ କରିଦେଲା ପରି । ତୁମର ଶୂନ୍ୟ ହାତକୁ ଦେଖି ସବୁ ବୁଝିଯାଇଥିଲି ମୁଁ । ଚାରି ଚାରି ପଟ ପାଣିଚୁଡ଼ି ମଝିରେ ସବୁବେଳେ ପିନ୍ଧୁଥିବା ତୁମ ମଗରମୁଁହା ଖଡୁ ଦୁଇଟା ନଥିଲା ତୁମ ହାତରେ । ବିକି ଦେଇଥିଲ ତୁମେ ଚନ୍ଦୁ ବଣିଆ ଦୋକାନରେ ପୁଅର ପାଠପଢା ପାଇଁ । ପୁଣିଥରେ ମୁଁ ଚାପି ହୋଇଗଲି ତୁମ ଋଣଭାର ତଳେ । ସେଦିନ ବି ଭାବିଥିଲି କେବେ ନା କେବେ ମଗରମୁଁହା ଖଡୁ ଦୁଇଟା ତୁମ ପାଇଁ କରିଦେବି ବୋଲି କିନ୍ତୁ କ'ଣ କରିବି ...ସୋମୁ ଖବର ଦେଲା ଟଙ୍କା ପଠେଇବା ପାଇଁ । ବାହାରେ ରହୁଛି ପିଲାଟା । ସୁବିଧା ଅସୁବିଧା ଥିବ ଭାବି ସବୁ ଟଙ୍କା ତାକୁ ପଠେଇଦେଲି । ମଗରମୁଁହା ଖଡୁ ସିନା କିଣି ପାରିଲିନି କିନ୍ତୁ ଏଥର ତୁମ ପାଇଁ ଯେଉଁ ଚିନାମାଟିର ଚୁଡି ନେଇକି ଯିବି ଦେଖିବ ତୁମ ହାତକୁ ଭାରି ସୁନ୍ଦର ମାନିବ । ତୁମ ଖାଲି ବେକ ଆଉ ହାତକୁ ଦେଖିଲେ ବେଳେବେଳେ ନିଜକୁ ଛୋଟ ଲାଗେ ବହୁତ । ବାହାହୋଇ ତୁମ ହାତ ଧରି ତୁମକୁ ମୋ ସଂସାରକୁ ଆଣିଲି ସତ କିନ୍ତୁ କିଛି ସୁଖ ଦେଇ ପାରିନି ମୁଁ । ଓଲଟା ମୋ ସଂସାରର ବୋଝକୁ ତୁମ ମୁଣ୍ଡରେ ଥୋଇଦେଇ ଏଠି ଆସି ବାଂଲାଦେଶରେ ପଡିରହିଲି ଜୀବିକା ଉପାର୍ଜ୍ଜନର ଦାୟରେ । ଛଅ ମାସରେ ଥରେ ଘରକୁ ଯାଏ କୁଣିଆଟିଏ ପରି ଦୁଇଚାରି ଦିନ ପାଇଁ । ବହୁତ ମନକଷ୍ଟ ହୁଏ କିନ୍ତୁ କହି ପାରେନି କିଛି ତୁମକୁ । ଆଜି ଚିଠି ଲେଖିବା ବେଳକୁ ମନକଥା ଗୁଡ଼ାକ ବାହାରି ଯାଉଛି ସବୁ ଆପେଆପେ । ମନଦୁଃଖ କରିବନି ସୋମୁବୋଉ । ଆର ମାସରେ ଗଲେ ଦେଖାହେବ ।   

     ଇତି       

  ତୁମର ସ୍ୱାମୀ

   ଚିଠିର ଶେଷ ଆଡକୁ ସବୁ ଜାଲୁଜାଲୁଆ ଦିଶିଲା ସୋମେନକୁ । ଅଜାଣତରେ ଆଖି ଭର୍ତ୍ତି ହୋଇ ଆସିଲାଣି ଲୁହରେ । ସେଇ ଜାଲୁଜାଲୁଆ ଦୃଷ୍ଟିରେ ସେ ଚେଷ୍ଟା କଲା ଚିଠି ଭିତରେ ତା ବାପାଙ୍କ ମୁଁହ ଦେଖିବା ପାଇଁ । ଛୋଟ ପିଲା ପରି କଇଁକଇଁ ହୋଇ କାନ୍ଦି ପକେଇବ କି ଏବେ ସିଏ !! କିନ୍ତୁ କାହା କାନ୍ଧରେ ମୁଣ୍ଡ ରଖି କାନ୍ଦିବ ? କାହା ପଣତରେ ଲୁହ ପୋଛିବ ?? ଲୁହ ପୋଛୁପୋଛୁ କିଏ ଆଉ ତାକୁ ଛାତିରେ ଚାପି ଧରିବ ??? ଏ ଭିତରେ ପହଞ୍ଚି ଯାଇଥିଲା ସୁନୈନା । କିଛି ନ ହେଲା ପରି ପୁଣି ଥରେ ବାକ୍ସ ଭିତରେ ସବୁ ସଜେଇବାକୁ ଲାଗିଲା ସୋମେନ । ସୁନୈନା ଆସି ବାକ୍ସ ଭିତରକୁ ଝାଙ୍କିଲା ଆଉ ଝାମ୍ପି ନେଲା ଚୁଡି ଡବାଟିକୁ । ଆହାଃ ....କେତେଦିନରୁ ମନ ଖୋଜୁଥିଲା ଏ ମଗରମୁଁହା ଖଡୁ ଦି ପଟକୁ ।  ଏ କ'ଣ !!! ଏଥିରେ ତ ଚିନାମାଟିର ଚୁଡି ଚାରିପଟ ଅଛି । ସେଥିରୁ ପୁଣି ଠାଏ ଠାଏ ପଥର ଖସି ପଡିଛି । ରାଗରେ ସର୍ବାଙ୍ଗ ଶରୀରରେ ନିଆଁ ଲାଗିଗଲା ଯେମିତି ସୁନୈନାର । ଚୁଡି ଚାରିପଟକୁ ବାକ୍ସ ଭିତରକୁ ଫିଙ୍ଗି ଦେଇ କହିଲା, ___ ଏଇ ସମ୍ପତ୍ତିକୁ ଆଜି ଯାଏ ତାଲା ଦେଇ ରଖିଥିଲେ ତୁମ ବୋଉ ?? ଛିଃ ...ଛିଃ ... ମୁଁ ସମସ୍ତଙ୍କୁ ମୋ ବାପଘରେ କହି ସାରିଛି ମଗରମୁଁହା ଖଡୁ କଥା । ଏବେ କାହାକୁ ମୁଁହ ଦେଖେଇବି ମୁଁ ??ଗୋଟିଏ ବୋଲି ବୋହୁ ମୁଁ ଘରର ..ତୁମ ବୋଉ କ'ଣ ରଖି ଯାଇଛନ୍ତି ମୋ ପାଇଁ ??ଫୋପାଡ଼ ଏ ଜିନିଷ ନେଇ ସବୁ ବାହାରେ । ବେକାର ଜିନିଷ ରଖି ଘର ଅଳିଆ କରିବା କିଛି ଦରକାର ନାହିଁ । ଜଟିଆ ମା' କାଲି ମାଗୁଥିଲା ପୁରୁଣା ଚାଦର ଖଣ୍ଡେ । ତୁମ ବୋଉଙ୍କ କମ୍ବଳଟା ନେଇ ଯାଉଛି ତାକୁ ଦେଇଦେବି କହି କମ୍ବଳ ଟାକୁ ହାତରେ ଧରିଲା ସୁନୈନା । ____ ରଖ ସେ କମ୍ବଳ ଯୋଉଠି ଥିଲା । 

 ____ କ'ଣ କରିବ ୟାକୁ ରଖିକି । ଯୋଉ ତ କମ୍ବଳ ....ସେଥିରୁ ପୁଣି ଫୁରୁକୁଟିଆ ଗନ୍ଧ ବାହାରୁଛି । 

 ____ ରଖ ପରା କହିଲି ଯୋଉଠି ଥିଲା । 

 ____ ନା ....

 ____ ଚୁଉପ୍ .....ଏକଦମ ଚୁଉପ୍ ...... ଜୋରରେ ଚିଲ୍ଲେଇଲା ସୋମେନ । ଚମକି ପଡି ଠିଆ ହୋଇଗଲା ସୁନୈନା । ସୁନୈନା ହାତକୁ ଚିଠି ଖଣ୍ଡିକ ବଢ଼େଇ ଦେଇ ସେ ରୁମରୁ ବାହାରିଗଲା ସୋମେନ କମ୍ବଳଟିକୁ ଛାତିରେ ଜାକିଧରି । 



Rate this content
Log in

Similar oriya story from Tragedy