ସେ ଆଉ ମୁଁ
ସେ ଆଉ ମୁଁ


ସେ ଚରିତ୍ରହୀନା ଜାଣିବା ପରେ ମୁଁ ତା ଠାରୁ ଦୂରେଇ ଯିବାକୁ ଚାଁହୁଥିଲି।ତାକୁ ମନରୁ ବାହାର କରି ଫୋପାଡ଼ି ଦେବାର ଚେଷ୍ଟାରେ ବାରମ୍ବାର ବିଫଳ ହେବା ପରେ ମଧ୍ୟ ମୁଁ ଚେଷ୍ଟା ଜାରି ରଖିଥିଲି। ମୁଁ ମୋ ଚାକିରୀ ଜାଗା ଭୁବନେଶ୍ୱରରୁ ଫେରିବା ଏ ଭିତରେ ପନ୍ଦର ଦିନ ବିତି ଯାଇଥିଲା।ରାଗ ଅଭିମାନରେ ମୁଁ ତାକୁ ଦେଖା କରି ନଥିଲି କି ସେ ବି ମୋତେ ଦେଖା କରିବା ପାଇଁ ଆଗ୍ରହୀ ଥିବା ଭଳି ଜଣା ପଡୁ ନଥିଲା।
ମୁଁ ଚାକିରୀରୁ ପନ୍ଦର ଦିନ ପାଇଁ ଛୁଟି ନେଇ ଗାଁକୁ ଆସିଥିଲି ଜାଗର ଯାତ୍ରା ପାଇଁ। ଏମିତିରେ ମୁଁ ଟିକେ ନାସ୍ତିକ ପ୍ରକୃତିର।ମନ୍ଦିର ଯିବା ଆସିବା ଏତେ ନଥାଏ ମୋର। ସେଦିନ କିନ୍ତୁ ଗୋଟେ ସାଙ୍ଗ ସହ ଆସିଥିଲି କୁମୁଡ଼ା ପାହାଡ଼ ତଳେ ଥିବା ଧବଳେଶ୍ବରଙ୍କ ଦର୍ଶନ ପାଇଁ । ତା ସହ ମୋର ଦେଖା ହୋଇଥିଲା ଧବଳେଶ୍ବରଙ୍କ ମନ୍ଦିର ଭିତରେ।
କୁମୁଡ଼ା ପାହାଡ଼ର ପାଦ ଦେଶରେ ଗୋଟେ ଏକଦମ କମ ଉଚ୍ଚତା ବିଶିଷ୍ଟ ଗୁମ୍ଫା ଭିତରେ ବିରାଜମାନ ହୋଇଛନ୍ତି ପ୍ରଭୁ ଭୋଲେନାଥ। ଗୁମ୍ଫାର ଉଚ୍ଚତା ଏତେ କମ ଯେ ତା ଭିତରେ ନଇଁକି ରହି ଠାକୁର ଦର୍ଶନ କରିବାକୁ ପଡେ। ପୂଜା ପାଉଥିବା ମୁଖ୍ୟ ଦେବତା ଶିବଲିଙ୍ଗଙ୍କ ପଛ ପାର୍ଶ୍ଵରେ ଅଛି ସୁଡୁଙ୍ଗ ଆକାରର ଆଉ ଗୋଟେ ଛୋଟ ଗୁମ୍ଫା।ସେଠି ପୂଜା ପାଉଛନ୍ତି ମା ପାର୍ବତୀ ଭୋଲେନାଥଙ୍କ ସହ ମୂର୍ତ୍ତି ରୂପରେ।ସୁଡୁଙ୍ଗଟି ଏତେ ଛୋଟ ଯେ ପୂଜା କରିବା ପାଇଁ ପୂଜାରୀଙ୍କୁ ସେଠିକୁ ପେଟେଇ ପେଟେଇ ଯିବାକୁ ପଡେ । ଆଉ ସେମିତି ପେଟେଇକି ଶୋଇକି ହିଁ ପୂଜା କରିବାକୁ ପଡେ। ମୁଁ ନଇଁ ନଇଁ ଠାକୁର ଦର୍ଶନ ସାରି ଫେରୁଥିଲି। ହଠାତ ମୋ ଆଖି ତା ଉପରେ ପଡ଼ିଲା। ସେ ଶିବଲିଙ୍ଗ ଉପରେ କ୍ଷୀର ଚଢଉଥିଲା। ପୂଜା ସାରି ସେ ଠାକୁରଙ୍କୁ ଆଣ୍ଠୁ ମାଡି ମୁଣ୍ଡିଆ ମାରିଲା ଆଉ ତା ପରେ ପୂଜାରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲା।ପୂଜାରୀ ନନା ତା ମୁଣ୍ଡ ଉପରେ ହାତ ଥୋଇ ବଡ଼ ପାଟିରେ ଆଶୀର୍ବାଦ ଦେଲେ ..... କନ୍ୟାର ମନବାଞ୍ଛା ପୂର୍ଣ୍ଣ କର ହେ ଭୋଲେବାବା। ରୂପବାନ ଗୁଣବାନ ଜୀବନସାଥୀ ପ୍ରାପ୍ତ ହେଉ କନ୍ୟାକୁ। ଆଶୀର୍ବାଦ ଶୁଣି ସେ ଟିକେ ଲାଜେଇକି ହସିଦେଲା। ତା ଗାଲରେ ଖେଳିଗଲା ଏକ ଭଉଁରୀ । ମୋ ଆଖି ଲାଖି ଯାଇଥିଲା ତା ଗାଲର ଭଉଁରୀ ଉପରେ।ମୁଁ ବାରବାର ଚାଁହୁଥିଲି ତା ମୁହଁକୁ।କେମିତି ଗୋଟାଏ ଅଜଣା ଆକର୍ଷଣରେ ବାନ୍ଧି ହୋଇ ଯାଇଥିଲି ମୁଁ। ସାଙ୍ଗଠାରୁ ଖବର ନେଇ ଜାଣିଲି ସେ ଆମ ଗାଁ ପରିଆ ଦା' ଝିଅ। ଗାଁ ଦାଣ୍ଡରେ କୁକୁଡ଼ା ଚିଆଁ ପଛରେ ଗୋଡ଼ାଉଥିବା ଝିଅଟା ୟା ଭିତରେ ଏତେ ବଡ଼ ଆଉ ଏତେ ସୁନ୍ଦର ହୋଇଗଲାଣି !!! ମୋତେ ଲାଗୁଥିଲା ମୁଁ ତା ଗାଲର ଭଉଁରୀ ଭିତରେ ଧୀରେ ଧୀରେ ଡୁବିବା ଆରମ୍ଭ କରିଛି।
ମୋତେ ତାକୁ ଦେଖିବାକୁ ଭଲ ଲାଗୁଥିଲା।ତା ଗାଲର ଭଉଁରୀ ଭିତରେ ବୁଡି ନିଜକୁ ନିଶ୍ଚିହ୍ନ କରିଦେବାକୁ ଇଚ୍ଛା ହେଉଥିଲା।ଯିବା ଆସିବା ରାସ୍ତାରେ ମନ୍ଦିରର ଗହଳି ଭିତରେ ମୁଁ ଜାଣିଜାଣି ନିଜକୁ ଟିକେ ଛୁଆଇଁ ଦେଉଥିଲି ତା ଦେହରେ।କେମିତି ଗୋଟାଏ ଅଦ୍ଭୁତ ଆନନ୍ଦରେ ଶିହିରି ଉଠୁଥିଲି ମୁଁ।ଆଶ୍ଚର୍ଯ୍ୟ !!! ସେ ବି କିଛି ଆପତ୍ତି କରୁ ନଥିଲା।
ସେ ସବୁଦିନେ ସନ୍ଧ୍ୟାବେଳେ ପାହାଡ଼ ତଳ ଶିବ ମନ୍ଦିରକୁ ସଞ୍ଜଦୀପ ଜାଳିବାକୁ ଆସୁଥିଲା।ଏ କଥା ଜାଣିଲା ପରେ ମୁଁ ବି ସନ୍ଧ୍ୟାବେଳେ ମନ୍ଦିର ଯିବା ଆରମ୍ଭ କରିଦେଲି। ତାକୁ ଦେଖିବା ପାଇଁ ମୁଁ ମନ୍ଦିର ପାହାଚରେ ବସି ରହୁଥିଲି।ତାକୁ ଦୂରରୁ ଦେଖିପାରି ଆଙ୍ଗୁଳିରେ ନିଜ ବାଳକୁ ଟିକେ ସଜେଇ ଦେଉଥିଲି।ସାର୍ଟର କଲାର୍ ଆଉ ବଟନ ସବୁ ପରଖି ନେଉଥିଲି।ଆଉ ମୋର ଦାମୀ ମୋବାଇଲଟି ତାକୁ ଦେଖେଇଲା ପରି ବସି ଟିପୁଥିଲି । ଯାହାହେଲେ ବି ମୁଁ ଭୁବନେଶ୍ୱର ଫେରନ୍ତା ନା... ମୋର ପୁଣି ଗାଁ ରେ ଗୋଟେ ଇଜ୍ଜତ ଅଛି ନା ନାହିଁ !! ସେ ପାହାଚ ଚଢି ଚଢି ବେଢା ଉପରକୁ ଉଠୁଥିଲା ଆଉ ମୋତେ ପାରି ହୋଇ ମନ୍ଦିର ଭିତରେ ପଶି ଦୀପ ଲଗେଇ ଚାଲି ଯାଉଥିଲା । ବେଳେବେଳେ ମୋତେ ଦେଖିବାକୁ ଚେଷ୍ଟା ବି କରୁଥିଲା।ମୁଁ ଖୋଲା ଆଖିରେ ସ୍ୱପ୍ନ ଦେଖୁଥିଲି।ସେ ପାହାଚରୁ ଓହ୍ଲାଉ ଓହ୍ଲାଉ ପଡି ଯାଉଛି ଆଉ ମୁଁ ତାକୁ ଫିଲ୍ମି ଷ୍ଟାଇଲରେ ଧରି ପକାଉଛି।ମାତ୍ର ସେମିତି କିଛି କେବେ ବି ହେଉ ନଥିଲା। ବେଳେବେଳେ ଦୀପ ଜାଳିସାରି ସେ ଚୁପଚାପ ଯାଇ କିଛି ସମୟ ବସୁଥିଲା କୁମୁଡ଼ା ପାହାଡ଼ ଉପରେ ଉଡୁଥିବା ତ୍ରିରଙ୍ଗା ପତାକା ତଳେ। ମୁଁ ବି ତା ପଛେ ପଛେ ଯାଇ ବସୁଥିଲି ତା ଠାରୁ ଖଣ୍ଡେ ଦୂରରେ ତା ମୁଁହକୁ ଚାହିଁ କିଛି ନ ଜାଣିଲା ପରି। ସେ ବି ମୋତେ କଡେଇ କଡେଇ ଚାହିଁବା ଆରମ୍ଭ କରି ଦେଇଥିଲା। ମୋତେ ଦେଖିଲେ ତା ଓଠରେ ହସ ନ ଖେଳିଲେ ବି ଆଖିରେ ଗୋଟେ ଅଦ୍ଭୁତ ଚମକ ଖେଳି ଯାଉଥିଲା।
ଦିନେ ମୁଁ ମନ୍ଦିର ବେଢାରେ ବସି ତାକୁ ଅପେକ୍ଷା କରିଥିଲି। ସେ ସଞ୍ଜବତୀ ଜାଳି ସାରି ଯାଉଯାଉ ମୋତେ କହିଲା " ମୁଁ କାଲି ଆସିବିନି " ।ମୋତେ ପୁଅ ଘର ଦେଖିବାକୁ ଆସିବେ କାଲି ସଞ୍ଜବେଳେ।ବାପା ମନା କରିଛି ଘରୁ ବାହାରିବା ପାଇଁ।ମୁଁ ଆଶ୍ଚର୍ଯ୍ୟ ଚକିତ ହେଲି ପ୍ରଥମେ।ସେ ମୋତେ କହିଲା ଏ କଥା !! ଚାରି ଆଡକୁ ଅନେଇଲି ଭଲରେ । ନା .... କେହି ବି କୁଆଡେ ନାହାଁନ୍ତି । ମୁଁ ଏକା ତା ସାମ୍ନାରେ।ଯେଉଁମାନେ ବି ସବୁ ଦୂରରେ ଦୂରରେ ବସିଛନ୍ତି ସେମାନେ ସବୁ ଝାଲମୁଢି ବାଦାମ ଭଜା ଖାଇବାରେ ବ୍ୟସ୍ତ କିମ୍ବା ଫୋଟୋ ଉଠେଇବାରେ ମସଗୁଲ। ତାହେଲେ ସେ ମୋତେ ହିଁ କହିଲା । ତା ମାନେ ସେ କଣ ମୋତେ ଭଲ ପାଏ ?? ମୁଁ ଆଶ୍ଚର୍ଯ୍ୟ ଚକିତ ହେଲି । ନିଜକୁ ବିଶ୍ୱାସ କରି ପାରୁ ନଥିଲି । ମନଟା ଗର୍ବରେ ଫାଟି ପଡୁଥିଲା।ଯାହା ହେଉ କେହିତ ଜଣେ ପଟିଛି ଏ ପୋଡା ଅଙ୍ଗାର ଭଳି କାଳିଆ ଚେହେରାର ଭୁବନେଶ୍ୱରିଆ ମାର୍କା ଷ୍ଟାଇଲରେ।କିଛି କହିବାକୁ ଚାଁହୁଥିଲି କିନ୍ତୁ ସେ ଚାଲି ଯାଉଥିଲା ମୋ ସାମ୍ନାରୁ ତା ଦୁପଟ୍ଟାକୁ ହାଲକା ପବନରେ ଉଡେଇ ଉଡେଇ। ନୀରବ ନୀରବରେ କିଛି ସମ୍ପର୍କର ମୁଳୁଦୁଆ ପଡିବା ଆରମ୍ଭ ହୋଇଥିଲା ବୋଧେ।
ରାତିଯାକ ଆଉ ନିଦ ହେଲାନି ମୋତେ। ସଂଧ୍ୟାବେଳର ଖୁସିଟା ଧୀରେଧୀରେ ଅସହିଷ୍ଣୁତାରେ ଭରି ଯାଉଥିଲା।ମୁଁ ଭିତରେ ଭିତରେ ଛାଟିପିଟି ହୋଇ କଡ଼ ଲେଉଟାଉଥିଲି।ମନେ ମନେ ଠାକୁରଙ୍କୁ ଡାକୁଥିଲି ତା ବାହାଘର ଭାଙ୍ଗିଯାଉ ବୋଲି। ପରମୁହୂର୍ତ୍ତରେ ପୁଣି ନିଜକୁ ନିଜେ ଗାଳି କରୁଥିଲି । ଛିଃ ... ଏମିତି କ'ଣ କିଏ କାହାର ଅମଙ୍ଗଳ ଚିନ୍ତା କରେ ?? ପୁଣି ଠାକୁରଙ୍କୁ ଡାକିଲି , " ହେ ପ୍ରଭୁ... ତା ବାହାଘର ଭଲରେ ଭଲରେ ହୋଇଯାଉ।" ପାଟି ସିନା ଏ କଥା କହୁଥିଲା କିନ୍ତୁ ମନଟା ଭିତରୁ ଚିତ୍କାର କରୁଥିଲା ..... ନା ନା .... ତା ବାହାଘର ଭାଙ୍ଗିଯାଉ କିଛି ବି କାରଣରୁ।କିନ୍ତୁ ଏମିତି କ'ଣ ପାଇଁ ??? ମୁଁ ମୋ ମନକୁ ପଚାରିଲି .... ମନ କହିଲା ତୁ ତାକୁ ଭଲପାଉ।ଏଥର ମୁଁ ପୁରାପୁରି ଡୁବିଗଲି ତାର ସେ ଗାଲର ଭଉଁରୀ ଭିତରେ।
ପରଦିନ ତାକୁ ମୁଁ ତାକୁ ଠାକୁରଙ୍କ ବେଢାରେ ପଚାରିଲି ....
__ ତୋ ବାହାଘର ଠିକ ହେଲା ?
__ ହଁ .... ସେମାନେ ରାଜି ଯେ .... କିନ୍ତୁ ବାପା ପାଖରେ ଏତେ ପଇସା ନାହିଁ ସେମାନଙ୍କ ଡିମାଣ୍ଡ ପୂରଣ କରିବା ପାଇଁ।ଯଦି ପଇସା ଯୋଗାଡ଼ ହୋଇ ପାରିଲା ତାହେଲେ ଆସନ୍ତା ତିଥିରେ ବାହାଘର ହେବ।କିନ୍ତୁ ବାପା କହୁଥିଲେ ଏତେ ଜଲଦି ପଇସା ଯୋଗାଡ଼ କରିବା ସମ୍ଭବ ନୁହେଁ ବୋଲି।
___ ତୋର ଇଚ୍ଛା ଅଛି ସେଠି ବାହାହେବାକୁ ??
__ ନା .... ବାପାକୁ ଧାର କରଜରେ ବୁଡ଼େଇ ମୋତେ ବାହା ହେବା ପାଇଁ ଜମା ଇଚ୍ଛା ନାହିଁ।
___ ବିନା ଯୌତୁକରେ କିଏ ରାଜି ହେଲେ ତୁ ବାହା ହୋଇଯିବୁ ??
___ ହଁ .... ଖୁସିରେ ।
___ ଯଦି ସେ ବହୁତ କଳା ଆଉ ତୋ ତୁଳନାରେ ଅସୁନ୍ଦର ହୋଇଥାଏ ତେବେ ??
___ ତେବେ ବି ବାହା ହୋଇଯିବି।
___ ମୋ ପରି କଳା ହେଲେ ବି ବାହା ହୋଇଯିବୁ ?
ସେ ମୁହଁ ତଳକୁ କରି ହସିଦେଲା ।
__ ମୁଁ ପହରଦିନ ସକାଳୁ ଚାକିରୀ ଜାଗାକୁ ଚାଲିଯିବି । ମୋ ଛୁଟି ସରିଗଲା।ପୁଣି ଆରବର୍ଷ ଆସିବି।
___ ହୁଁ ...
ତା ପରଦିନ ସକାଳୁ ଉଠୁ ଉଠୁ ପରିଆ ଦା' ଙ୍କୁ ଦେଖିଲି ଆମଘରେ।କ'ଣ ବାହାଘର ପ୍ରସ୍ତାବ ନେଇ ଆସିଛନ୍ତି ନା କ'ଣ ? ସେ ବୋଧେ ଘରେ ବିନା ଯୌତୁକ କଥାଟା କହିଛି।ମନଟା ଖୁସିରେ କୁରୁଳି ଉଠିଲା। ଫଗୁଣିଆ ସକାଳର ପବନରେ ସାହାନାଇର ସ୍ୱର ଶୁଣାଗଲା ମୋତେ। ପରିଆ ଦା ' ବାପାଙ୍କ ସହ ଗପୁଥିଲେ । ମୁଁ କାନ ଡେରିଲି। ନା .... ବାହାଘର ପ୍ରସ୍ତାବ ନୁହେଁ । ସେ ବାପାଙ୍କୁ ତିରିଶ ହଜାର ଟଙ୍କା ଧାର ମାଗୁଥିଲେ ତାଙ୍କ ଝିଅ ବାହାଘର ପାଇଁ। ଆହୁରି ପୁଣି କହୁଥିଲେ ଯେ ଏ ତିରିଶ ହଜାର ବାଦ ସେ ଗାଁର ଆଉ ଦୁଇଜଣଙ୍କ ଠାରୁ ମଧ୍ୟ କିଛିକିଛି ଧାର ଆଣିବେ ଆଉ ଖୁବ ଜଲଦି ବାହାଘରଟା ସାରିଦେବେ। ମନଟା ପିତା ହୋଇଗଲା ମୋର।
ବାପା ମୋର ବଡ଼ ଦୟାବନ୍ତ । ଗରିବ ଗୁରୁବାଙ୍କୁ ସାହାଯ୍ୟ କରିବାକୁ ତାଙ୍କ ହାତ ସବୁବେଳେ ଖୋଲା।ସେ ସାଙ୍ଗେ ସାଙ୍ଗେ ତିରିଶ ହଜାର ଟଙ୍କା ଗଣିଦେଲେ ଯଥାଶୀଘ୍ର ସୁଝିଦେବାର ଚେତାବନୀ ଦେଇ।ମୋର ଇଚ୍ଛା ହେଉଥିଲା ବାପାଙ୍କୁ ମନା କରିଦେବା ପାଇଁ। ଇଚ୍ଛା ହେଉଥିଲା କହିବା ପାଇଁ ଯେ ଟଙ୍କାଟିଏ ବି ଦିଅନା ତୁମେ ।.... ଭାଙ୍ଗି ଯାଉ ତା ବାହାଘର।କିନ୍ତୁ ମୁଁ କିଛି କରି ପାରିଲିନି।
ତା ପରଦିନ ସକାଳୁ ମୁଁ ଚାଲିଗଲି ମୋ କର୍ମପଥରେ ଗୋଟିଏ ଭାରାକ୍ରାନ୍ତ ମନକୁ ସାଙ୍ଗରେ ନେଇ।ପାଞ୍ଚମାସ ପରେ ମୋତେ ପୁଣି ଗାଁକୁ ଫେରିବାକୁ ପଡିଲା ବାପାଙ୍କ ଦେହାନ୍ତ ଖବର ପାଇ।ଗାଁ ରେ ପହଞ୍ଚି ଶୁଣିଲି ପରିଆ ଦା' ର ପରିବାରଟା ପୁରା ଖିନଭିନ ହୋଇଯାଇଛି।ପରିଆ ଦା' ମରିବା ଚାରି ମାସ ହୋଇଗଲାଣି। ଝିଅ ବାହାଘର ପାଇଁ କିଣାକିଣି କରିବ ବୋଲି ସହରକୁ ଯାଉଥିଲା ସେ। ଗାଡି ଧକ୍କାରେ ମରିଗଲା। ଝିଅ ବାହାଘର ପାଇଁ ସେ ଯୋଗାଡ଼ କରିଥିବା ଟଙ୍କା ସବୁ ତା ଝିଅ ତା ଶୁଦ୍ଧିଘରରେ ଖର୍ଚ୍ଚ କରିଦେଲା।
ଗାଁରେ ଗୋଟେ ରୀତିମତ ଟୁପଟାପ ଚାଲିଥିଲା ତା ନାଁରେ। ଲୋକମାନେ ସିଧା ସଳଖ ତା ଚରିତ୍ରକୁ ଆକ୍ଷେପ କରି କଥା କହୁଥିଲେ। ସେ ବାର ଲୋକଙ୍କ ସହ ନସରପସର ହୋଇ ଅସତ ଉପାୟରେ ପଇସା ରୋଜଗାର କରୁଛି ବୋଲି ବି ମୋ କାନରେ କଥା ବାଜିଲା।
ମନଟା ଭାଙ୍ଗିଗଲା ମୋର। ସ୍ବପ୍ନର ସୌଧ ଭାଙ୍ଗି ଚୁରମାର ହୋଇଗଲା।ମୁଁ ତାକୁ ଘୃଣା କରିବାକୁ ଚେଷ୍ଟା କରୁଥିଲି।ଦୁଃଖକୁ ଲୁଚେଇବା ପାଇଁ ଅନବରତ ହସି ଚାଲିଲି ତ ସାଙ୍ଗସାଥି ମାନେ କହିଲେ ପାଗଳାଟା।ଯନ୍ତ୍ରଣାକୁ ବୁହାଇଦେବା ପାଇଁ ଅନବରତ କାନ୍ଦି ଚାଲିଲି ତ ପରିବାର ଲୋକ କହିଲେ ପାଗଳଟା।ନିଜକୁ ବ୍ୟସ୍ତ ରଖି ସବୁକିଛି ଭୁଲାଇ ଦେବା ପାଇଁ ବହୁତ ଅନାବଶ୍ୟକ ଗପିଲି ତ ଏଥର ବି ଲୋକ କହିଲେ ପାଗଳଟା।
ମୋର ଦୁର୍ବିସହ ଜୀବନର ସମସ୍ତ କ୍ରୋଧାଗ୍ନି ଯାଇ ପଡିଲା ତା ଉପରେ।ରାଗ ସୁଝାଇବା ପାଇଁ ତାକୁ ସନ୍ଧ୍ୟାବେଳେ ଠାକୁରଙ୍କ ବେଢାରେ ଭେଟିବା ପାଇଁ ସ୍ଥିର କଲି।ଭାବିଲି କିଛି ଗୋଟେ ହିସାବ ନିକାଶ କରିଦେବି। ସନ୍ଧ୍ୟାର ଯଥେଷ୍ଟ ପୂର୍ବରୁ ମୁଁ ଯାଇ ବସିଲି କୁମୁଡ଼ା ପାହାଡ଼ର ଏକ ପଥର ମୁଣ୍ଡିଆ ଉପରେ। ଚାହିଁଲି ଦୂର ଦିଗ୍ ବଳୟକୁ।ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲିମାରେ ରକ୍ତିମ ଦିଶୁଥିଲା ଆକାଶ। ଆଖି ପାଉଥିବା ଯାଏ ଦୂରର ଗଛପତ୍ର ସବୁ ଦିଶୁଥିଲା ଧୂଆଁଳିଆ ଧୂଆଁଳିଆ। ହାଲକା କୁହୁଡ଼ିର ବଳୟ ଭିତରେ ସୂର୍ଯ୍ୟ ଫିକା ପଡୁଥିଲେ ଧୀରେ ଧୀରେ। ପାହାଡ଼ର ଆହୁରି ଉପରେ ଠିଆ ହୋଇଥିବା ଲୋକମାନେ ଦିଶୁଥିଲେ କାନ୍ଥବାଡ଼ରେ ଅଙ୍କିତ ଗୁଡିଏ ରେଖାଚିତ୍ର ଭଳି। ପିଲାମାନେ ଖାଇ ପକେଇଥିବା ଚିପ୍ସ ଜରି ଗୁଡିକ ହାଲକା ପବନରେ ଉଡୁଥିଲେ ଇତସ୍ତତଃ ହୋଇ। ଆକାଶ ବୁକୁରେ ଉଡିଯାଉଥିଲେ ଦଳ ଦଳ ଘରବାହୁଡା ପକ୍ଷୀ ମାନେ କିଚିରିମିଚିରି ଶବ୍ଦ କରି। ପାହାଡ଼ ଉପରେ ସଗର୍ବେ ଲହରେଇ ହୋଇ ଉଡୁଥିଲା ତ୍ରିରଙ୍ଗା .....ଶାନ୍ତି , ମୈତ୍ରୀ , ଅହିଂସା ଆଉ ଭାଇଚାରାର ଭାବକୁ ବିଚ୍ଛୁରିତ କରି। ଟିଟିଲାଗଡ ସହରଟି ପାହାଡ଼ ଉପରୁ ଦିଶୁଥିଲା କୋଉ ଏକ ସ୍କୁଲ ଛାତ୍ରର ସୋଲ ତିଆରି ପ୍ରୋଜେକ୍ଟ ଭଳି।
ପାହାଡ଼ତଳ ମନ୍ଦିରରୁ ଭାସି ଆସିଲା ଘଣ୍ଟ ଆଳତିର ଧ୍ଵନି। ମୁଁ ପାହାଡ଼ ଉପରୁ ଓହ୍ଲାଇ ମନ୍ଦିରକୁ ଗଲି। ସେଠାରେ ପହଞ୍ଚି ଦେଖିଲି ସେ ଠାକୁରଙ୍କ ଆଗରେ ଆଣ୍ଠୁମାଡ଼ି ବସି କାନ୍ଦୁଥିଲା।ମୋତେ ଦେଖି ସେ ଚମକି ପଡିଲା ଜୋରରେ ଆଉ ବାହାରି ଆସିଲା ମନ୍ଦିରରୁ ।ମୁଁ ବି ତା ପଛେ ପଛେ ଆସି ଖପ କରି ତା ହାତକୁ ଧରି ପକେଇଲି।ସେ ପୁଣି ଥରେ ଚମକି ପଡି ନିଜକୁ ମୋ ଠାରୁ ଛଡେଇବାକୁ ଚେଷ୍ଟା କଲା ଏବଂ ପାହାଡ଼ର ଉପରକୁ ଚଢ଼ିବାକୁ ଲାଗିଲା।ମୁଁ ତାର ବାଟ ଓଗାଳି ତାକୁ ପଚାରିଲି
__ କୁଆଡେ ଯିବୁ ??
__ ମରିବାକୁ ...
__ କାହିଁକି ...???
___ ବାପାର କରଜ ସୁଝି ସୁଝି ମୁଁ ଆଜି ଲୁଣ୍ଠିତା । ଧନ , ମନ , ମାନ , ସମ୍ମାନ ସବୁ କିଛି ହରେଇ ମୁଁ ଆଜି ନିଃସ୍ୱ ।କରଜର ବୋଝ ଓହ୍ଲାଉ ଓହ୍ଲାଉ ମୁଁ ଆଜି କଳଙ୍କର ବୋଝ ମୁଣ୍ଡେଇଛି।ଅପବାଦର ବୋଝ ବୋହିବାର ସାମର୍ଥ୍ୟ ଆଉ ମୋର ନାହିଁ।
__ କରଜର ବୋଝ !!!
___ ହଁ ..... ପିଲାଦିନୁ ମାଆକୁ ହରେଇଛି। ତା ମୁହଁ ବି ଆଉ ମନେ ନାହିଁ ମୋର।ବାପାର ଛତ୍ରଛାୟା ତଳେ କେତେବେଳେ ମୁଁ ଧୀରେ ଧୀରେ ଜବାନ ବୟସରେ ପହଞ୍ଚିଗଲି ଜାଣି ପାରିଲିନି।କିନ୍ତୁ ବାପା ବି ମରିଗଲା। କାହାର ଗୋଟେ ସୁରକ୍ଷା ଆଉ ସାହାରା ଲୋଡୁଥିବା ଏଇ ଜବାନ ଝିଅଟାକୁ ରାସ୍ତାରେ ଏକୁଟିଆ ଛାଡ଼ିଦେଇ ଚାଲିଗଲା।ମୁଣ୍ଡ ଉପରେ ଯେଉଁ ଚିରୁଡ଼ାଏ ଆକାଶ ଥିଲା ସେତିକି ବି ହଟିଗଲା।ଗାଁ ଲୋକେ ସାହାଯ୍ୟ କରିବେ କଣ ଓଲଟା ବାପା କରିଥିବା ଧାର ଟଙ୍କା ସୁଧମୂଳ ସହ ମୋ ଠାରୁ ଆଦାୟ କରିବାକୁ ଚାହିଁଲେ।ମୋ ପାଖରେ କଣ ଥିଲା ଯେ ମୁଁ ସେମାନଙ୍କ ଧାର ସୁଝିଥାନ୍ତି।ପ୍ରତି ରାତିରେ ଆସି କବାଟ ବାଡେଇ ମୋ ଘରେ ଜବରଦସ୍ତି ପଶିଲେ ମୋ ବାପାକୁ ଅସୁବିଧା ବେଳେ ଧାର ଦେଇଥିବା ଦୟାଳୁ ପୁରୁଷମାନେ।ସୁଧମୂଳ ସବୁ କଡ଼ାଗଣ୍ଡା କରି ହିସାବ କରିନେଲେ ଅନ୍ଧାର ରାତିରେ।ପ୍ରତି ରାତିରେ ସେମାନଙ୍କ କରଜ ସୁଝି ସୁଝି ମୁଁ ମୋର ସର୍ବସ୍ୱ ଲୁଟେଇଦେଲି।ଏ ଦୁଃଖ ସବୁ ଛାତିତଳେ ରହି ଭାରି କଷ୍ଟ ଦେଉଛି। ଏ ପାହାଡ଼ ସଦୃଶ ଜୀବନକୁ ମୁଣ୍ଡେଇ ଆଉ ବଞ୍ଚି ପାରିବିନି ମୁଁ।
___ ସମସ୍ତଙ୍କ କରଜ ସୁଝିଦେଲୁ ??
__ ହଁ ...
___ ମୋ ବାପା ବି ତୋ ବାପାଙ୍କୁ ତିରିଶ ହଜାର ଟଙ୍କା ଧାର ଦେଇଥିଲେ ପାଞ୍ଚମାସ ତଳେ ତୋ ବାହାଘର ପାଇଁ।ଆଉ ମୋର ଯେତିକି ଦୃଢ଼ ବିଶ୍ୱାସ ମୋ ବାପା କେବେବି ତୁମ ଦୁଆରମୁହଁ ମାଡି ନଥିବେ କରଜ ଆଦାୟ ପାଇଁ।ତାକୁ କିଏ ସୁଝିବ ? ମୋ କରଜ ନ ସୁଝି କୁଆଡେ ମରିବାକୁ ବାହାରିଲୁ ??
ସେ ବିକଳ ହୋଇ ମୋତେ ଚାହିଁଲା।ଧାର ଧାର ଲୁହ ତା ଗାଲ ଦେଇ ବୋହି ଆସି ଭିଜାଉଥିଲା ତା ବେକକୁ।ସେ ଅସହାୟଙ୍କ ପରି ଉପରକୁ ମୁହଁ କରି ଆଖିକୁ ବୁଜିଲା।ଆଉ ଦୀର୍ଘଶ୍ବାସଟିଏ ଛାଡିଲା। ନିଜ ଭିତରେ କିଛି ସାହସ ଗୋଟାଉଥିଲା ବୋଧେ ।ଏଥର ସେ ପାଟି ଖୋଲିଲା।
___ ମୋ ପାଖରେ ଗୋଟାଏ ବି ଟଙ୍କା ନାହିଁ ତୁମ କରଜ ସୁଝିବା ପାଇଁ ।କୁହ .... କେଉଁବାଟେ ତୁମେ ତୁମ କରଜ ଆଦାୟ କରିବାକୁ ଚାଁହୁଛ। ମରିବା ଆଗରୁ ନିଶ୍ଚୟ ସୁଝିଦେବି।
___ ତୁ ମୋତେ ବାହାହୋଇ ମୋ ପାଖରେ ମୋ ଘରେ ସାରାଜୀବନ ରହିବୁ । ମରିବାଯାଏଁ ମୋର ଆଉ କେବଳ ମୋର ହୋଇ ରହିବୁ।ମୁଁ ତୋତେ ବହୁତ ଭଲପାଏ ଆଉ ମୁଁ ତୋତେ ଯେତିକି ଭଲପାଏ ତୁ ମୋତେ ତା ଠାରୁ ବେଶୀ ଭଲ ପାଇବୁ।
ତା ଗାଲରେ ଖେଳିଗଲା ଏକ ଭଉଁରୀ। ଆଉ ମୁଁ ପୁଣିଥରେ ଡୁବିଗଲି ସେ ଭଉଁରୀ ଭିତରେ।