Gargi Mishra

Drama Tragedy

5  

Gargi Mishra

Drama Tragedy

ପଡୋଶୀ

ପଡୋଶୀ

6 mins
526


            

ସକାଳେ ପଡିଶାଘରୁ ଜୋର ପାଟିତୁଣ୍ଡ ଶୁଭୁଥିଲା l ସମସ୍ତେ ଜାଣି ଗଲେଣି ଜେନାବାବୁଙ୍କ ସ୍ତ୍ରୀଙ୍କୁ l ଭାରି କ୍ଷଣକୋପୀ ପରି ଜଣାଯାଆନ୍ତି l ସମୟ ଅସମୟ ନାହିଁ... ଆରମ୍ଭ ହୋଇଯିବେ l ଆରମ୍ଭ ହୋଇଯିବେ ଯେ ପାଟିରେ ବାଡ଼ ବତା ରହିବନି l ଦେଖିଲେ ଦରପାଗିଳି ପରିକା ଦିଶନ୍ତି l ଲୁଗା ପଟାର ଠିକଣା ନଥାଏ l କେରା କେରା ଚୁଳ ମୁହଁ ଆଗକୁ ପଡିଥାଏ l ହେଲେ ଜେନାବାବୁଙ୍କ ପାଟି ଟିକେ ବି ଶୁଭେନାହିଁ l କେଡେ ମାଇଚିଆ ଲୋକଟା କେଜାଣି? ସ୍ତ୍ରୀକୁ ଜବତ କରି ଆସୁନି l ମିନା ଝରକାଫାଙ୍କରୁ ଦେଖୁଥାନ୍ତି ଏସବୁ l


ସେମାନେ ଭଡାଟିଆ l ମାଲିକ ଜାଣିଲେ ବଳେ ବାହାର କରିଦେବ ଭାବି କମ୍ପ୍ଲେନ କରିବାକୁ କହିଲେ ସ୍ୱାମୀ ଦିଲୀପଙ୍କୁ l ଟିକେ ଶାନ୍ତିରେ ନିଶ୍ୱାସ ମାରିବ ମଣିଷ l ଏମିତି କଣ ସଭ୍ୟ ସମାଜର ଲୋକ ବ୍ୟବହାର କରନ୍ତି?

ପାଖ ପାର୍କରେ ପ୍ରାତଃ ଭ୍ରମଣସାରି ଦିନେ ବସିଗଲେ ମିନା ବେଞ୍ଚରେ l ଜେନା ବାବୁ ମ୍ୟାଗାଜିନଟିଏ ଧରି ବସିଥିଲେ l ଆଗରୁ କେବେ କେମିତି ଦେଖିଛନ୍ତି l କିନ୍ତୁ ଏତେ ପାଖରୁ ଆଜି ଦେଖିବାକୁ ପାଇଲେ l

ଓଃ!! ବିଚରା ଲୋକଟିକୁ ଦେଖିଲେ ଭାରି ଦୟାଲାଗେ l କେମିତି କେଜାଣି ସହୁଛି ଏପରି ସ୍ତ୍ରୀକୁ l କିଏବି ଛାଡି ସାରନ୍ତାଣି l ପିଲାଙ୍କପରି ସରଳ ଚାହାଣି l ଝାଳ ପୋଛୁ ପୋଛୁ ହାତରୁ ମୋବାଇଲ ତଳେ ପଡିଗଲା ମିନାଙ୍କର l ଦେଖିବାକୁ ଭାରି ଶାନ୍ତ,ଭଦ୍ର ଲୋକଟିଏ l ସଙ୍ଗେ ସଙ୍ଗେ ଗୋଟାଇ ଆଣି ନିଜ ରୁମାଲରେ ପୋଛି ବଢ଼ାଇଦେଲେ ମିନାଙ୍କ ହାତକୁ l 

- ଆସୋସିଏସନ ସେକ୍ରେଟାରୀ ଦିଲୀପ ମହାନ୍ତିଙ୍କ ୱାଇଫ ନା ଆପଣ ? ଆଜି ଦିଲୀପ ବାବୁ ଗ୍ରୁପରେ ମେସେଜ କରିଥିଲେ ପାଟିତୁଣ୍ଡ ହେତୁ ବହୁତ ହଇରାଣ ହେଉଛନ୍ତି ଵୋଲି l ଯିଏବି ହେଲେ ଏମିତି କରିଥାନ୍ତା l ମୁଁ କ୍ଷମାଚାହୁଁଛି ଆପଣଙ୍କୁ ଆମପାଇଁ ବହୁତ ଅଶାନ୍ତି ହେବାକୁ ପଡୁଥିବ ଆଜ୍ଞା l

- ଆପଣ କାହିଁକି?? ବୟସରେ ମୁଁ ଖୁବ ସାନ.. ମୋତେ ମିନା ଡାକନ୍ତୁ l ଏସବୁତ ଘର ଘର କଥା l ବାସ ପିଲାଙ୍କ ବୋର୍ଡ ପରୀକ୍ଷା ଆଗକୁ ତ l ଜଣଙ୍କ ମାଟ୍ରିକ ଆରଟିର ଇଣ୍ଟରମିଡିଏଟ l ସେଥିଲାଗି..

ହସି ହସି କହିଲେ ମିନା l 


- ମୁଁ ସମସ୍ତଙ୍କୁ ଆପଣ ବୋଲି ସମ୍ବୋଧନ କରେ l ପୁରୁଣା ଅଭ୍ୟାସ l

ପ୍ରୀୟା - ମାନେ ମୋ ୱାଇଫ ସେମିତି ନଥିଲେ l ଘର ସଫା କରି ସଜା ସଜି କରି ରଖିବା, ଭେରାଇଟି ରୋଷେଇ କରି ପୂଜା, କଥା ଆଦିର ଆୟୋଜନ କରି ସାହି ପଡିଶାଙ୍କୁ ଡାକିବା, ପ୍ରସାଦ ବାଣ୍ଟିବା ଆଦି କରନ୍ତି l ନିଜକୁ ଭିନ୍ନ ଭିନ୍ନ କାମରେ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତି l ମୋ କହିବା ଆଗରୁ ହାତ ପାଖରେ ଜିନିଷ ଆଣି ରଖିଦିଅନ୍ତି l ବନ୍ଧୁ ବାନ୍ଧବ ସମସ୍ତଙ୍କ ଜନ୍ମଦିନ, ବିବାହ ବାର୍ଷିକୀ କମ୍ପ୍ୟୁଟର ପରି ମୁଣ୍ଡରେ ଫିଡ଼ ହୋଇ ରହିଥାଏ l ସଜ ହେବାକୁ ଖୁବ ପସନ୍ଦ କରନ୍ତି l 

 ଆଜିକୁ ପ୍ରାୟ ସାତ ବର୍ଷ ତଳେ ପୁଅକୁ ଛାଡି ଫେରୁ ଫେରୁ ସିଡିରୁ ଖସିଯାଇଥିଲେ l ମୁଣ୍ଡ ପଛ ମାଡ଼ ହୋଇ ଶକ୍ତ ଆଘାତ ଲାଗିଥିଲା l ଡ଼ାକ୍ତର କହିଲେ, ତାଙ୍କର ଆଙ୍ଗଜାଇଟି ଈସ୍ୟୁ ରହିବ l ଅକେଜନାଲି ଚିଲା ଚି଼ଲ୍ଲୀ, ପାଟିଗୋଳ ଏସବୁ ସିମଟମ ରହିବ l କୌଣସି କଥା ଠିକ ମନେ ରହିବନି l ଚିଡି ଚିଡି ହେବେ l ଔଷଧ ନିୟମିତ ଭାବେ ଦେଲେ କମିଯିବ l

ଔଷଧ ପ୍ରଭାବରେ ସେମିତି ଶୋଇରହନ୍ତି ପ୍ରାୟ l କାମ କଲେ ଓଲଟା ସବୁ ବିଗାଡି ଦିଅନ୍ତି l ଚିନି ଜାଗାରେ ଲୁଣ, ପାଣି ଜାଗାରେ ତେଲ ପକେଇ ଦିଏ l ମୁଁ କୁକ ରଖିଛି l ଘରୁ ପ୍ରାୟ କାମକରେ l ମୋ ଭଉଣୀ ଆଉ ମୁଁ ଏଇ ଏକା ସହରରେ l ପାଖରେ ରହେ l ବେଳେ ବେଳେ ଆସି ସାହାଯ୍ୟ କରିଦେଇ ଯାଏ l ତା' ଘର ପାଖରେ ବୋଲି ଘର ନେଲି l ଏବେ ଭଉଣୀ ଆମଘରେ ଅଛି l ସେଥିପାଇଁ ନିଶ୍ଚିନ୍ତ ହୋଇ ପାର୍କରେ ବସିଛି l ମୋର ଗୋଟିଏ ପୁଅ ରାହୁଲ l କୋଟାରେ ପଢୁଛି l ମୁଁ ଅନ୍ୟ ଘର ଦେଖୁଛି l ଆମେ ଏ ଫ୍ଲାଟଛାଡି ତୁରନ୍ତ ସିଫ୍ଟ କରିଯିବୁ l

ଆଛା, ମୋତେ ଏବେ ଯିବାକୁହେବ l ଘରଆଡ଼େ ଆସନ୍ତୁ କେତେବେଳେ ଫ୍ୟାମିଲିସହ l ମୋ ଭଉଣୀ ସଙ୍ଗେ ଭେଟ କରାଇଦେବି l ଆପଣଙ୍କ ବୟସର ପ୍ରାୟ ହେବ l ଆରାମସେ କଥା ହେବା l 

ମିନାଙ୍କୁ ଲାଜ ମାଡି ପଡୁଥିଲା l ଦେଖୁଥିଲେ ଲୋକଟି ଜୀବନରେ ଏତେ କଷ୍ଟ? ଅଥଚ କେମିତି ଆଡ଼ଜଷ୍ଟ କରୁଛି l ବେଳେବେଳେ ଅନ୍ୟର ହିସାବରେ ଜୀବନ ଜିଁବା ଶୈଳୀ ଦେଖିଲେ ନିଜେବି ଖୁବ ଶିଖିବା ଆରମ୍ଭ କରିଦିଅନ୍ତି ଆମେ l

ସମୁଦ୍ରର ଲହଡିରେ ଉତ୍ଥାନ ପତନ ତ ରହିବା ସ୍ୱଭାବିକ l ଜାହାଜଟିଏ ଲହଡିକୁ ଡରି କୁଳରେ ଡେରା ପକେଇ ରହିଲେ କେମିତି ହେବ? କୁଳରୁ କିଛିବାଟ ଟପି ସମୁଦ୍ର ମଝିଆ ମଝି ପହଞ୍ଚିଗଲେ ଲହଡିବି ଶାନ୍ତ ପଡିଯାଏ ଆପଣା ଛାଏଁ l ନିଜ ଜୀବନରେ ଏମିତି କେତେ କେଜାଣି ଝଡ଼ ଝଞ୍ଜା, ଦିଲୀପ ଙ୍କ ସହ ନିତିଦିନିଆ ମନୋ ମାଳିନ୍ୟ, କଥା କଟା କଟି l କେଵେ ସେ ମନାନ୍ତି ତ କେବେ ମିନା l ଅଥଚ ଏ ଭଦ୍ରଲୋକଟି ଏକୁଟିଆ ବାହୁଛି ଜୀବନ ନାଁ l 

ତାଙ୍କ ଯିବାପଥକୁ ଅପଲକ ନୟନରେ ଚାହିଁରହିଲେ କିଛି ସମୟ ମିନା l ଆରେ ମ୍ୟାଗାଜିନଟା ବେଞ୍ଚରେ ହିଁ ରହିଗଲା l ଖାଲି ହାତରେ ନ ଯାଇ କିଛି ରସଗୋଲା ସହ ମ୍ୟାଗାଜିନଟି ଫେରାଇବାକୁ ଗଲେ l ଆଖି ଖୋଜୁଥିଲା ଯାହା ମିଳିଲାନି l ଜଣେ ଶିକ୍ଷିତା, ପତଳା ଗଢ଼ଣର, ଡେଙ୍ଗା ନାକ, ସୁନ୍ଦରୀ ସ୍ତ୍ରୀ ଲୋକ ଜଣଙ୍କ ସହ ଭେଟହେଲା l ହୁଏତ ଜେନା ବାବୁଙ୍କ ଭଉଣୀ l ତାଙ୍କ ପରି ଚେହେରା ପ୍ରାୟ l

ଶ୍ରଦ୍ଧାର ସହ ଭିତରକୁ ଡାକିଲା l ମାତ୍ର ସମୟ ନଥିବା ଆଳରେ ମ୍ୟାଗାଜିନ ଆଉ ମିଷ୍ଟାନ୍ନ ଦେଇ ଚାଲି ଆସିଲେ ମିନା....

ଦୀପାବଳିଦିନ ସକାଳେ ବେଲ ବାଜିଲା l ଝିଅକୁ ଆଣି ଜଣେ କେହି ଗାଜର ହଲୱା ଦେଲେ l କିଏ ବୋଲି ପଚାରି ସାମ୍ନାକୁ ଆସି ଦେଖିଲେ ଜେନା ବାବୁ .....ଆଖିରେ ଆଖି ପଡିଲାଠୁଁ ସ୍ମିତହସଟିଏ ଖେଳିଗଲା ଆଉ ତାର ପ୍ରତିବିମ୍ବ ମିନାଙ୍କ ଆଖିରେ ଝଲକିଗଲା l ପଡୋଶୀ ହିସାବରେ ଚାହା ପିଇବାକୁ ଘରକୁ ଡାକିଲେ ମିନାଙ୍କ ସ୍ୱାମୀ ଦିଲୀପ l

ପୂର୍ବରୁ ତାଙ୍କ ପରିବାର ସହିତ ହୋଇଥିବା ଦୁର୍ଘଟଣା ବିଷୟରେ ନ ଜାଣି କମ୍ପ୍ଲେନ କରିବାଟା ଅନୁଚିତ ଥିଲା ଏବଂ ଜାଣିବା ପରେ ଦୁଃଖିତ ବୋଲି ଧୀରେକି କହିଲେ ଦିଲୀପ l ସାହାଯ୍ୟ ପାଇଁ ଦରକାର ହେଲେ ଜଣାଇବେ ବୋଲି ଦିଲୀପ ପ୍ରସ୍ତାବ ଦେଲେ l 

ମିନା ରୋଷଇଘରୁ ଶୁଣୁଥାନ୍ତି ଜେନାବାବୁଙ୍କ କଥା l ବେଶ ମାର୍ଜିତ ଏବଂ ପରିପକ୍ୱ l ସୁନ୍ଦର ଶବ୍ଦଗୁନ୍ଥି ମନର ତନ୍ତ୍ରୀକୁ ଝଙ୍କୃତ କଲାପରି ଏକ ପ୍ରାକୃତିକ ମାଧୁର୍ଯ୍ୟରେ ଭରା ତାଙ୍କ କଥା l

ସେଦିନ ମ୍ୟାଗାଜିନ ଲେଉଟାଉ ଆଖି ପଡିଥାଏ ତାଙ୍କ ଫୋଟୋ ସହ ଏକ ଲେଖାରେ l ସୌରଭ ଜେନା, ତାଳଚେର, ଫୋନ ନମ୍ବର l ପଢି ଜାଣିବାକୁ ପାଆନ୍ତି ଯେ ଜୀବନର ଉପଲବ୍ଧିକୁ ପୁଟଦେଇ ସଠିକ ଚିତ୍ରଟିଏ ଅଙ୍କିବାର ଦୁର୍ଲଭ କଳା ତାଙ୍କଠି ଅଛି l 

କାଜୁ, ବାଦାମ ସହ ଗୁଡ଼ -ଡେ ବିସ୍କୁଟ ପ୍ଲେଟରେ ନେଇ ଚାହା ସହିତ ପରଷିଦେଲେ ମିନା l ଝିଅ ରାଇଟିଙ୍ଗ କଥା ପଚାରିଲାଠୁଁ ଲାଜେଇ ଗଲେ l କହିଲେ,

-ସେମିତି କୌଣସି ପୋଖତ ଲେଖକନୁହେଁ, ବାସ କେତେବେଳେ କେମିତି ଲେଖେ l


- ବହୁତ ଉତ୍କୃଷ୍ଟ ଧରଣର ଲେଖକ ସେ l ଅଙ୍କଲଙ୍କଠୁଁ ଲେଖିବାର ଟେକ୍ନିକ ଶିଖିଯା' l

 ଝିଅକୁ ମିନା କହିବା ଆଳରେ ବୁଲେଇ ବଙ୍କେଇ ପ୍ରଶଂସା କରୁଥାନ୍ତି ଜେନାବାବୁଙ୍କର l 

ଲେଖାରେ ଲେଖକଙ୍କ ବ୍ୟକ୍ତିତ୍ତ୍ୱ ସ୍ୱତଃ ଫୁଟିଉଠେ l ଅବଚେତନ ମନରେ ଉଙ୍କି ମାରୁଥିବା କଥାକାରଙ୍କର ସମସ୍ତ ଚିନ୍ତାଧାରା ଜୀବନ୍ୟାସ ପାଇଯାଆନ୍ତି ଯେମିତି l

ଧୀରେ ଧୀରେ ପଡିଶାଙ୍କ ଭିତରେ ବନ୍ଧୁତା ପ୍ରଗାଢ଼ ହୋଇଉଠେ l ପ୍ରତି ମାସ ଲେଖା ବାହାରେ l ଲେଖାର ଅନେକାଂଶରେ ମିନା ନିଜକୁ ପାଆନ୍ତି l କେତେବେଳେ ପାର୍କର କଣ ବେଞ୍ଚରେ ବସିବାବେଳେ ଉଭୟ ଢେର କଥା ହୁଅନ୍ତି l କେତେବେଳେ ଦିଲୀପଙ୍କ ସହ ହୋଇଥିବା ଝଗଡା କଥା ତ କେତେବେଳେ ଆଜିକାଲି ପିଲାଙ୍କ ବଦଳୁଥିବା ସ୍ଵଭାବ l ଦିନେ ହଠାତ ଜେନାବାବୁ ମ୍ୟାଗଜିନରେ ନିଜ ଲେଖାକୁ ଦେଖାଇ ମତାମତ ପଚାରନ୍ତି l ମିନାଙ୍କ ଆଖିରେ ଚିକ ମିକ କରୁଥିବା ଲୁହକୁ ଦେଖି ମୁହଁ ବୁଲାଇ ଖଣ୍ଡେ ଦୂରରେ ଛିଡା ହୋଇ ପଚାରନ୍ତି, 

-ବହୁତ ମନେ ପଡୁଛି କିଏ ନିଜଲୋକନା ? କଣ ଭୂଲ କହିଲି?

- ଆଃ!!!ଚମକି ପଡିଲେ ମିନା l ବୟସର ମଧ୍ୟ୍ୟନ୍ହରେ ଏ ପ୍ରଶ୍ନ? ହସ ଖୁସିର ପରିପୂର୍ଣ ପରିବାର ତାଙ୍କର...

- ମୋ ଲେଖାରେ ବିରହ l ପ୍ରେମ ନ କରି ବୁଝି ପାରିବନି ଜଣେ ଏ ବ୍ୟାଧି l ତୁମ ଆଖିର ଲୁହ କହୁଛି ତୁମେ ଭଲପାଇଛ l ସେ ଜଣଙ୍କୁ ଭୁଲିପାରିନା.... ଘା' ଟିଏ ଛାତିରେ ଏବେବି କଞ୍ଚା ଅଛି l ବାସ ମୁଁ ଉଖୁରେଇ ଦେଲି ନା?

ମନର କଷ୍ଟ ନିଆଁପରି l ଲୁଚାଇଲେ କେଉଁଠି ନା କେଉଁଠି ଧୂଆଁହୋଇ ଉଠେ l ଧରାପଡିଗଲେ ଲୁହହୋଇ ଆପେ ଗଡିଆସେ l 

କାନ୍ଦି କାନ୍ଦି ଘରକୁ ଚାଲି ଯାଇଥିଲେ ମିନା l ସେଦିନ ରାତିରେ ଦିଲୀପ ଟୁରରେ ଯାଇଥାନ୍ତି ଦୂରକୁ l ଘଡଘଡି ସହ ମେଘ l ଖୁବ କାନ୍ଦିଥିଲେ ଅମ୍ଳାନଙ୍କୁ ମନେ ପକାଇ ମିନା l କଲେଜ ବେଳର ସହପାଠୀ ଥିଲେ ଅମ୍ଲାନ l ପ୍ରେମର ଜାଗା ସେପରି ଶୂନ୍ୟ ରହିଥାଏ l 

ସେ ଜାଗା ବିବାହ କଣ ନେଇପାରେ? କେବେଠୁଁ ସେ ଗଳି ଛାଡି ଆସି ଭିନ୍ନ ସହରରେ ମିନା l ହେଲେ ପ୍ରେମ କଣ ଭୁଲିହୁଏ? ଦ୍ଵିତୀୟଥର ଏ ଅବାସ୍ତବିକ ପ୍ରେମକୁ ଭେଟିବେନି ବୋଲି ପଣ କରିଥିଲେ ବେଦୀ ଉପରେ ମିନା l ହେଲେବି ଜୀବନ ଏକ ଭିନ୍ନ ମୋଡ଼ ନେଇଗଲା l ପ୍ରଥମ ପ୍ରେମ, ଦ୍ଵିତୀୟ ପ୍ରେମ.... ହୁଏତ ପ୍ରେମ କେବଳ ନିଜ ମନର ଉଦ୍ଦୀପନା l ସେଥିରେ ମନ ପସନ୍ଦର ଚରିତ୍ର ଆତଜାତ ହୁଅନ୍ତି ଖାଲି ଯାହା l 

ପାର୍କରେ ସୌରଭଙ୍କ ସହ କଥା ହେଉ ହେଉ ଭାବୁଥିବା ନିଜ ଅତୀତ କୁ ନ ଡରି ସାମ୍ନା କରନ୍ତି ମିନା l କାହିଁକି ଅଲଗା ହେବାର କରିଥିଲେ ଅମ୍ଲାନ ବାହାନା.... ଫୋନ କରି ପଚାରନ୍ତି ସିଧାସଳଖ l ଯାହା ଜାଣିବାକୁ ପାଆନ୍ତି, ସ୍ପଷ୍ଟ ମନେ ହୁଏ ଯେ ତାଙ୍କର ପଇସା ଲୋଭ ତାଙ୍କୁ ବଡ଼ ଲୋକର ଝିଅ ସହିତ ବିବାହ କରିବାକୁ ବାଧ୍ୟ କରିଥିଲା l ଘୃଣା, ବ୍ୟଥିତ ସ୍ୱାଭିମାନ ଆଉ ମନ ଭିତର ସମସ୍ତ ଅବଦମିତ ଭାବନା ଝର ଝର ହୋଇ ବାହାରି ଆସେ ଆଉ ଏକ ଅପୂର୍ଣ୍ଣ କାହାଣୀରେ ଯବନିକା ପଡ଼ିଯାଏ l ଆଃ.. କି ସନ୍ତୋଷ l ଅପୂର୍ବ ପୁଲକ ଭରିଯାଏ ତାଙ୍କ ହୃଦୟତନ୍ତ୍ରୀରେ l ଏସବୁ କେବଳ ବନ୍ଧୁ ସୌରଭଙ୍କ ପାଇଁ ସମ୍ଭବପର ହୋଇଥାଏ l ମନେ ମନେ ଭଲ ପାଇ ବସନ୍ତି ସୌରଭଙ୍କୁ ମିନା l ସତ ଭଲ ପାଇବା l ପାଇବା ଜାଗାରେ ଯେଉଁଥିରେ ଥାଏ ଅଧିକ ଦେବାପଣ 

ସୌରଭ ବି ହୁଏତ ମିନାଙ୍କୁ.... ହାବ ଭାବରୁତ ମନେ ହୁଏ l

ଓଠରେ କେବେ ଫୁଟାନ୍ତିନାହିଁ l ତେଣୁ ପକ୍କା ଜଣାନାହିଁ l 

ନିଜଆଡୁ ପ୍ରଥମେ ଜଣାଇବା ପାଇଁ ଠିକ କରନ୍ତି ମିନା l

ଦିନେ ସକାଳୁ ସକାଳୁ ଦେଖିକରି କହିଦିଅନ୍ତି ମନ ଭିତର ଆବେଗ, ଭାବପ୍ରବଣତା ସବୁ ସ୍ପଷ୍ଟ ଭାବେ ମିନା l ଆଖି ଛଳ ଛଳ ହୋଇ ଉଠେ ସୌରଭଙ୍କର l ବୁଝାନ୍ତି,

ପ୍ରତ୍ୟେକ ମଣିଷର ଅନ୍ୟ ଏକ ମଣିଷ ସଙ୍ଗେ ଏମିତିହିଁ ଦେଖା ହୁଏନି l ଅନ୍ୟ ଜୀବନରେ କିଛି ଭୂମିକା ନିଶ୍ଚୟ ରହିଥାଏ l ବୋଧହୁଏ ତାଙ୍କ ଅତୀତକୁ ସାମ୍ନା କରେଇବା ଥିଲା ଏ ଜନ୍ମରେ ସୌରଭଙ୍କ ଭୂମିକା l ହେଲେ ଏସବୁ ଆଗକୁ ଯାଇ ଏପରି କୁତ୍ସିତ କଦାକାର ରୂପ ନ ନେଉ l ସାତ୍ଵିକ ରୂପେ ଭଲ ପାଇବା ସମସ୍ତଙ୍କ ଭାଗ୍ୟରେ ନଥାଏ l 

ଘର ଆଗରେ ପ୍ୟାକର୍ସ ଆଣ୍ଡ ମୁଭର୍ସ ଗାଡି l ଠିକ ତା'ପରଦିନ ହିଁ ସୌରଭ ଚାଲିଯାଆନ୍ତି ନିଜ ଦୁଃଖକୁ ଗଣ୍ଠିଲି କରି l ଗଢିଉଠୁଥିବା ଏକ ସମ୍ପର୍କକୁ ନିର୍ଭରଶୀଳତାର ନାମନଦେଲେ ହିଁ ଭଲ l 


l ତାଙ୍କ ଭୂମିକା କାହା ଜୀବନରେ ଭୂମିକମ୍ପ ନହେଉ l ପଡିଶାଘର ନିଜଲୋକ ପରି ହେଲେହେଁ ନିଜର ହୋଇପାରନ୍ତି ନାହିଁ l ବାସ୍ତବ ଜୀବନ ନିଜଲୋକଙ୍କୁ ନେଇ l ଅବ୍ୟକ୍ତ କଷ୍ଟରେ ଉଭୟ ପ୍ରାଣ କଲବଲ l ଏହାକୁ ଵିଧିର ନିର୍ଦ୍ଦେଶ ମାନି ସହିବାଛଡ଼ା ଚାରାନଥାଏ l କିଛିଦିନପରେ ପୁଣି ସାଧାରଣ ଜୀବନ ଯାତ୍ରା ଅବ୍ୟାହତ ହୋଇ ଯାଇଥାଏ l ପଡୋଶୀ ଜଣକ ଆବେଗର କୋଣାର୍କ ଗଢି ପୁଣି ତାକୁ ଭାଙ୍ଗିଦେଇ ଚାଲି ଯାଆନ୍ତି ଅନ୍ୟତ୍ର ହେଲେବି ମୁଖଶାଳାଟିଏ ରହିଯାଏ  ନିର୍ଜନତାର ସାଥିହୋଇ l


Rate this content
Log in

Similar oriya story from Drama