STORYMIRROR

Gargi Mishra

Abstract Drama Inspirational

4  

Gargi Mishra

Abstract Drama Inspirational

ସମାଧିପାଖ ଜମି

ସମାଧିପାଖ ଜମି

4 mins
7

 ଦିନସାରା ବ୍ୟସ୍ତ ରହନ୍ତି ପ୍ରଣବ। ସନ୍ଧ୍ୟା ବେଳେ କେବେ କେମିତି ସେ ଫ୍ରି ହୁଅନ୍ତି। ଚା' ଜଳଖିଆ ଦେଇ ସାରି ସ୍ୱାମୀଙ୍କୁ ବସି ବସି ବୁଝେଇଲି ସୁଚି ସମାଧି ଜମି କଥାଟା। ପ୍ରଣବ ବାବୁ କହିଲେ, -ଆମର ଯୌଥ ପରିବାର। ବାପାଙ୍କ ସର୍ତ୍ତ ଆମେ ଭାଇ ଭାଇ ମିଳିମିଶି ସବୁ ଭୋଗ କରିବୁ। କେବେବି ଅଲଗା ହେବାକଥା ମୁହଁରେ ଧରିବୁନି। -ଏସବୁ କଥା ପୁରୁଣା। ଆଗରୁ ନାନା ଧୋତି ପିନ୍ଧୁଥିଲେ। କୁଆଡେ ଗଲେ ଚାବି, ଚଷମା, ଚପଲ ଖୋଜୁଥିଲେ। ତୁମେ କିନ୍ତୁ କୁଆଡେ ଗଲେ ଖୋଜ କେବଳ ମୋବାଇଲ। ଗୋଟିଏ ମୋବାଇଲରେ ହିଁ ଘଣ୍ଟା, ମନିପର୍ସ, ଜି.ପି.ଏସ, ଫୋନ ସବୁକିଛି। ଯୁଗ ବଦଳି ଗଲାଣି। ଯୁଗ ସଙ୍ଗେ ବଦଳିବାହିଁ ନିୟମ। ମାନ୍ଧାତା ଅମଳ କଥା ଛାଡ଼। କେବେ କଣ କହିଥିଲେ...ଏବେତ ନାନା ଚାଲି ଗଲେଣି। ତୁମେ କଣ ଜାଣିନା ଭାଇ କେମିତି ଚଳନ୍ତି? ଦିନକୁ ପନ୍ଦର ରକମ ରୋଷଇ, ଚାକର, ପୁଝାରୀ, ହଳିଆ, ମୁଲିଆ ଗାଁ ରେ ତାଙ୍କ ସେବାରେ ଲାଗିଥାନ୍ତି। ନାନୀ ତ କେବଳ କାମ ସବୁ ସୁପରଭାଇଜ କରନ୍ତି। ନିଜେ କେବେ କଡା କରଚୁଲି ଧରନ୍ତିନି। ତାଙ୍କୁ କଣ ଜଣା ଆମେ ବାହାରେ ରହି କେତେ କଷ୍ଟ କରୁଛୁ। ଯୁଗ କେଡେ ମହର୍ଗ, ଦର ଦାମ ଯାଇ ଆକାଶ ଛୁଇଁଲାଣି। ଆମେ ଦୁହେଁ ନାକେ ଦମ ହୋଇ ରୋଜଗାର କଲେବି ନିଅଣ୍ଟ। ତାଙ୍କ ପରି ଆମର ପଞ୍ଝାଏ ପିଲା ତ ନୁହେଁ, ଗୋଟିଏ ମାତ୍ର ସନ୍ତାନ। ଆମଝିଅର ଲକ୍ଷ୍ୟ ମେଡିକାଲ କଲେଜରେ ଆଡ଼ମିସନ ନେବ। ତାକୁ ଜନ୍ମ ଦେଇଛୁ ଯେତେବେଳେ ଯେମିତି ସେମିତି ବଡ଼ କରି ଫୋପାଡ଼ି ଦେବୁ ନା କଣ? ଆମପରି ଜେନେରାଲ କ୍ୟାଟାଗୋରି ଲୋକଙ୍କୁ ସିଟ ମିଳିବା କଷ୍ଟ। ପ୍ରାଇଭେଟରେ ଆଡ଼ମିସନ ନେବା କେତେ ବ୍ୟୟବହୁଳ କୁହ...ମୋ କହିବା କଥା ତାକୁ ମଣିଷ କରି ଗଢିଲେ କାଲିକି ଦୋଷ ଦେବନି ଯେ ଜମିକୁ ଲୋଭରେ ସାଇତି ରଖିଲ। ମୋ ପାଇଁ କଣ କଲ? ମୋ କଥା ଶୁଣ..ଭାଇଙ୍କୁ କୁହ, ଚାଷ ଜମି ଦରକାର ନାହିଁ, ତୁମ ବାଡ଼ି ପଟରେ ଏଡ଼େ ବଡ଼ ମଶାଣି। ସେଇଟାର ଉପଯୋଗୀତା ବର୍ତ୍ତମାନ ଯୁଗରେ କଣ? ସ୍ତ୍ରୀ ଙ୍କ କଥା ଶୁଣି କ୍ଷୁବ୍ଦ ହୋଇ ଉଠିଲେ ପ୍ରଣବ। -ସେଇଟା ଆମର ଯୁଗ ଯୁଗରୁ ଅଛି। ପୀଢ଼ି ପରେ ପୀଢ଼ି ସେଇଠି ସମସ୍ତଙ୍କ ଜୁଇ ଜଳିଛି, ଆଗକୁ ବି ଜଳିବ। ଚକୁଣ୍ଡା ଗଛ ସବୁ ଲାଗିଛି କଟା ହୋଇ ଶୁଖିଲା କାଠ ରହେ, କ୍ରିୟା କର୍ମରେ ଲାଗିବ ବୋଲି।ମଶାଣିକୁ ଲାଗି ଯେଉଁ ଜମି ସେଠି ପୂର୍ବ ପୁରୁଷଙ୍କ ସମାଧି। ଅଭୟ ମୁଦ୍ରାରେ ବିରାଜମାନ ଶ୍ମାଶନ ଚଣ୍ଡୀଙ୍କ ମନ୍ଦିର ସେ ଭିତରେ। କେଉଁଟା ଅଦରକାରୀ ଶୁଣେ? -ଓହୋଃ ସବୁକଥାରେ ତୁମର ବିରୋଧ। ଝିଅ ଡାକ୍ତର ହେଲେ ପରିବାରରେ ଯେତେ ଲୋକଙ୍କର ରୋଗ ବୈରାଗକଥା ବୁଝିଦେବନି ଯେ ମଶାଣିରେ ଏତେ ଜାଗା ଦରକାର ପଡିବ? ତା ପରେ, ଆଜିକାଲି ତ ସବୁ ଇଲେକ୍ଟ୍ରି ଚୁଲାରେ ପୋଡା ହେଉଛନ୍ତି। ଆମର ସବୁତକ ଜାଗା ନେଇ କଣ ସ୍ୱର୍ଗକୁ ଯିବୁ? ସମାଧି ପାଖ ଜାଗା କେବଳ ଦୁଇ ଗୁଣ୍ଠ ବିକ୍ରି କରି ଆକାଉଣ୍ଟକୁ କ୍ରେଡିଟ କରିଦେବେ। ଯାହା ମିଳିଲା ମିଳିଲା... ସ୍ତ୍ରୀ ଙ୍କ କଥା ଶୁଣି ଭାବିଚିନ୍ତି ଦିନେ ବଡ଼ଭାଇଙ୍କୁ ସହର ବୁଲିଯିବାକୁ ଡାକିଲେ ପ୍ରଣବ ବାବୁ। ଗାଁ ଗୋଟାକ ଯାକର କାମ ଛାଡି ସପରିବାର ନ ଆସିପାରି କେବଳ ବଡ଼ ଭାଇ ପ୍ରକାଶ ସହରକୁ ଆସିଲେ।ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିବା ପାଠ ପଢୁଆ ଭାଇର ଡେଙ୍ଗା ଆପାର୍ଟମେଣ୍ଟ, ବାତାନୁକୁଳିତ ରୁମ, ପରିଷ୍କାର ପରିଛନ୍ନତା, ଚତୁର୍ପାର୍ଶ୍ଵରେ ସବୁଜିମା ଦେଖି ଖୁସି ହେଲେ। ବୁଲାବୁଲି ପରେ ହୋଟେଲରେ ନ ଖୁଆଇ ଘର ଖାଇବା ହିଁ ଖାଇବା ପାଇଁ ବାଧ୍ୟ କଲେ ସୁଚି। ମନ ଜାଣି ପ୍ରୀୟ ଖାଦ୍ୟ ଗୋଟି ଗୋଟିକରି ପରସି ଦେଲେ ଏବଂ ସମସ୍ତେ ଆସିଥିଲେ ଭଲ ହୋଇଥାନ୍ତା ବୋଲି କହିଲେ। ସପ୍ତାହକ ରହଣି ଭିତରେ କେତେ କଥା, କେତେ ବୁଲାବୁଲି, କେତେ ଆଦର ଯତ୍ନ। ଗେଲ୍ହେଇ, ମନେଇ ବାରମ୍ବାର ଜମିବିକ୍ରି କଥାଟା ଭାଇଙ୍କ କାନରେ ପକାଇବାକୁ କହିଦେଲେ ସୁଚି। ପ୍ରଣବ କିନ୍ତୁ କାହିଁ କହି ପାରିଲେନି ମଶାଣି ଜମି କଥା। ଭାଇ ଫେରିଗଲେ। ଯାହା ହେବାର ଥିବ ହେବ ଭାବି ଭାଗ୍ୟକୁ ହାତ ଟେକିଦେଲେ। ହୀରା ନୀଳା ମୋତି ମାଣିକ୍ୟ ପଡି ରହେ କେଉଁ ସମୁଦ୍ର ଗର୍ଭରେ ତ କେଉଁ ସିନ୍ଦୁକ ଭିତରେ ମୂଲ୍ୟବାନ ଅଥଚ ଅଲୋଡ଼ା ହୋଇ। ଝଡିଯିବା ପୂର୍ଵରୁ ସୁଗନ୍ଧ ଖେଳାଇ ହସି ଉଠୁଥିବା ଅତି ସାଧାରଣ ଫୁଲଟିକୁ ଠାକୁର କାହା ମାଧ୍ୟମରେ ନେଇ ଆସି ହୃଦୟରେ ଲଗାଇ ଦିଅନ୍ତି, ଏକାନ୍ତ ନିଜର କରି ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମନରେ ଭାବନା ପବିତ୍ର ଥିଲେ ଭଗବାନ ବି ପଢି ପାରନ୍ତି ବୋଧେ... ନିଟ ପରୀକ୍ଷା ରେଜଲ୍ଟ ବାହାରିଲା। ଭଲ ମାର୍କ ରଖିଥିବାରୁ ଝିଅ ଇଷିକା ଭାଗ୍ୟରେ କିନ୍ତୁ ଗଭର୍ନମେଣ୍ଟ ମେଡିକାଲ କଲେଜ ଥିଲା। ତାର ପଢା ଖର୍ଚ୍ଚ ନାମକୁ ମାତ୍ର ପଡିଲା। ଏମିତି ବର୍ଷ ବର୍ଷ କରି କୋଡିଏ ବର୍ଷ ଚାଲି ଗଲାଣି, ଟୋରୋଣ୍ଟରୁ ନିଜ ନନା ଓ ମାମାଙ୍କୁ ଧରି ଆସିଛି ଇଷିକା ନିଜ ଗାଁ ଘରକୁ । ସୁଚି ବର୍ତମାନ ରକ୍ତ କର୍କଟ ରୋଗୀ। ଜୀବନର ଶେଷ ସଂଘର୍ଷ ମୟ ମୁହୂର୍ତ ଘରଲୋକଙ୍କ ସହିତ କାଟିବାକୁ ତାଙ୍କର ଶେଷ ନିଷ୍ପତ୍ତି... ପ୍ରଣବ ଟାଳିବେ କେମିତି? ହୁଇଲ ଚେୟାରରେ ବସାଇ ମଶାଣିଜମି ଆଡ଼େ ଆଣି ଆସିଥାନ୍ତି ତାଙ୍କୁ ପ୍ରଣବ। ସେଇ ଜମି ଯାହାକୁ ବିକ୍ରି କରିବାକୁ ଜିଦ ଧରିଥିଲେ କିଛି ବର୍ଷ ତଳେ। ଧାଡି ଧାଡି ଚକୁଣ୍ଡା ଗଛର ଛାଇ କଡେ କଡେ ସଡ଼କଟିଏ ଲମ୍ବିଛି ଗାଁ ମୁଖ୍ୟରାସ୍ତା ଯାଏ। ପରିବେଶରେ କି କୁହୁଡିଆ କୁହୁଡିଆ ଶାନ୍ତି!! କୁଳୁ କୁଳୁ ହୋଇ ଗୀତ ଗାଉଛି ଦୁଧିଆ ରଙ୍ଗର ଝରଣାଟିଏ ଠିକ ପାହାଡ଼ ମଝିରୁ । କୁମ୍ଭାଟୁଆ, କୋଇଲି ମାନେ କଳରବ କରୁଛନ୍ତି ଏ ଡ଼ାଳ ସେ ଡ଼ାଳ ଡେଇଁ। ଦଳ ପୋଖରୀରେ କଇଁଫୁଲର ଶୁଭ୍ର ସମ୍ମୋହନୀ ହସ, ହେନାଫୁଲର ସୁଗନ୍ଧି ଯୁକ୍ତ ଥଣ୍ଡା ମିଠା ବାସ୍ନାରେ ଚହଟୁଛି ଚଉଦିଗ, ହାବୁକାଏ ପବନ ସୁଚିଙ୍କ ନିର୍ଜୀଵ ପ୍ରାଣରେ ଯେମିତି ସ୍ପନ୍ଦନ ଭରିଦେଲା। ସ୍ୱର୍ଗ କଣ ୟା ଠାରୁ ସୁନ୍ଦର? ଏ ଜମି ଯାହା ଆଜି କାହିଁ କେଜାଣି କେବଳ ଜମି ପରି ଦେଖା ଯାଉନାହିଁ ସେ ଆଜି ଦିଶୁଛି ହୃଦୟର ସାଇତା ଚାଖଣ୍ଡେଜାଗା ପରି..... ପୁଅଟିଏ ବଞ୍ଚେଇ ରଖିଛି ନିଜ ମା'ବାପଙ୍କ ପାଇଁ, ବାପର ତା' ବାପମା' ଙ୍କ ପାଇଁ ଓ ତା ବାପର ତା' ବାପମା'ଙ୍କ ପାଇଁ। ସେଥିପାଇଁ ସେଦିନ ପ୍ରଣବ ଚାହିଁ ମଧ୍ୟ ବିକ୍ରି କରିବା କଥା ଉଠାଇ ପାରି ନଥିଲେ ଭାଇଙ୍କ ଆଗରେ। ସବୁକାଳେ ସବୁ ଯୁଗରେ ମଣିଷ ପରିସ୍ଥିତି ଆଗରେ ଦାସ। ପୂର୍ଵ ପୁରୁଷମାନେ କଣ କେବେ ଜୀବନରେ ଅଭାବ, ଅନାଟନ ବା କଷ୍ଟକର ପରିସ୍ଥିତି ଦେଇ ଗତି କରି ନଥିବେ? ହେଲେବି ସେ ଜମିକୁ ପରକୁ ବିକି ଦେଇ ପାରି ନାହାନ୍ତି....ବାପା ମା'ଙ୍କ ଇଛାକୁ, ନିଜ ଭିତର ଆଦର୍ଶକୁ, ମୌଳିକ ମାନବିକତାକୁ, ନୈତିକତାକୁ ଓ ପୂର୍ଵ ପୁରୁଷଙ୍କ ପାଇଁ ଶ୍ରଦ୍ଧାକୁ କିଛିଟା ଅର୍ଥ ବଦଳରେ ନିଲାମ କରିଦେଇ ପାରି ନାହାନ୍ତି। ସେ ଜମିର ମାଟି ମାଟି ନୁହେଁ ତା ଭିତରେ ଏକ ମା'ର ହୃଦୟ ଓ ଆତ୍ମା ଥିଲାପରି ଲାଗୁଥାଏ। ଆଉ ସମ୍ଭାଳି ନ ପାରି ପ୍ରଣାବଙ୍କୁ ସୂଚୀ ନିଜ ଶେଷଇଚ୍ଛା କହି ପକାଇଲେ... - ଶୁଣ, ମୁଁ ଆଉ କୁଆଡେ ଯିବିନାହଁ।ଏଇଠି ରହିବି ସବୁଦିନ, ତୁମ ମାନଙ୍କୁ ଚାହିଁ ରହିଥିବି। ସମସ୍ତଙ୍କ ମଙ୍ଗଳ ମନାସୁଥିବି ଅଲକ୍ଷରେ। ଏ ଜମି ପାଖକୁ ଡାକୁଛି ଆ, ମୋ କୋଳକୁ ଆ' ବୋଲି। ଏଇ ହେବ ମୋର ନୂଆ ଠିକଣା। ଲୁଚାଇ ଲୁଚାଇ ଲୁହ ପୋଛୁଥିଲେ ପ୍ରଣବ।


Rate this content
Log in

Similar oriya story from Abstract