STORYMIRROR

Siddhartha Sankar Tripathy

Abstract Inspirational

5  

Siddhartha Sankar Tripathy

Abstract Inspirational

ଅତିଶୟତା

ଅତିଶୟତା

5 mins
406


    ଅଶାନ୍ତ ସମୁଦ୍ର । ଖୋଜିବୁଲୁଛି ନଈଟିକୁ । ମିଳନ ବିନା ଅଶାନ୍ତ ମନ । ଠିକ୍ ସେମିତି ମୋ ମନ ବି ଅଶାନ୍ତ । କାରଣ ଜୀବନ ତରୀରୁ ଲମ୍ଫଦେଇ ପ୍ରତିମାର ପଳାୟନ ପରଠାରୁ ମୁଁ ଅଶାନ୍ତ ସତ କିନ୍ତୁ ପ୍ରକୃତିରେ ଅଦ୍ଭୁତପୁର୍ବ ପରିବର୍ତ୍ତନ । ମୋର ଉଗ୍ର ସ୍ୱଭାବ ଥଣ୍ଡା ପଡ଼ିଯାଇଛି । ଚିଡିଚିଡା ଭାବ ପୁରା ଉଭେଇ ଯାଇଛି । ସେହି ଉଚ୍ଚ ପାଟିରେ କଥାବାର୍ତ୍ତା ନାହିଁ । ଏବେ ମୁଁ ଧିରେ, ସ୍ଥିର, ଶୀତଳ, ଶାନ୍ତ । ଫ ଫ ତମ୍ପଟା ଗୋଟିଏ ଧଣ୍ଡ ପାଲଟି ଯାଇଛି।


      ମୋ ସ୍ତ୍ରୀ କିପରି ଗଲା, କାହିଁକି ଗଲା, ପଳେଇଗଲା ନା ଘଉଡିଦିଆଗଲା, ମୋ ଚରିତ୍ର ଖରାପ ଥିଲା, ନା ତା'ର ଆବଶ୍ୟକତା ପୂରଣ କରିବାରେ ମୁଁ ଅସମର୍ଥ ଥିଲି ସେ ବିଷୟରେ ନାନା ମୁନି ନାନା ମତ । ସାହି ଭାଇ ଟୁପୁରୁ ଟାପର । କିଏ କ'ଣ ସତରେ ଜାଣିଛି, କିଏ କ'ଣ ସତରେ ଦେଖିଛି । ଯାହା ପାଟିକୁ ଯାହା ଆସିଲା କହିଗଲା । କା' ତୁଣ୍ଡରେ ତ ବାଡିବତା ନାହିଁ ।


     ସବୁ ଶେଷର ଆରମ୍ଭ ଥାଏ, ହେଲେ ସବୁ ଆରମ୍ଭର ଶେଷ ନଥାଏ । ଜନ୍ମ ଜୀବନର ଆରମ୍ଭ ହୋଇପାରେ କିନ୍ତୁ ମୃତ୍ୟୁ...!! ନା ନା ମୃତ୍ୟୁ ଜୀବନର ଶେଷ ନୁହେଁ । ଆତ୍ମା ଅଜର, ଅମର, ଅବିନଶ୍ୱର । ଜୀବନ ଥିଲେ ଯନ୍ତ୍ରଣା ଅନିବାର୍ଯ୍ୟ । ଯନ୍ତ୍ରଣା ଥିଲେ ହିଁ ଜୀବନ ଥିଲାଭଳି ଅନୁଭବ କରିହୁଏ । ଜୀବନ ହିଁ ଯେମିତି ଯନ୍ତ୍ରଣା । ପୃଥିବୀର କୋଣେ ଅନୁକୋଣେ ଅଜସ୍ର ଯନ୍ତ୍ରଣାର ସ୍ୱର ଅହରହ ବାଜୁଥାଏ । ଅଥଚ ତାକୁ କେହି କାନଡେରି ଶୁଣେ ନାହିଁ।


     କାନ ବନ୍ଦକଲେ କିଛି ଶୁଣାଯାଏ ନାହିଁ । କିନ୍ତୁ ଶବ୍ଦତରଙ୍ଗର ଗତି.....!! ନା ନା ସେ ତ ବନ୍ଦ ହୁଏ ନାହିଁ । ନାଟକର ଲଜ୍ଜାକର ଦୃଶ୍ୟ ନଦେଖିବା ପାଇଁ ଆଖି ବନ୍ଦ କରିଦେଲେ କିଛି ଦିଶେ ନାହିଁ । କିନ୍ତୁ ନାଟକ ତ ଚାଲିଥାଏ, ଦୃଶ୍ୟ ପରେ ଦୃଶ୍ୟ ଯବନିକା ପତନ ପର୍ଯ୍ୟନ୍ତ, ଠିକ୍ ଯେମିତି ଘଟି ଚାଲିଛି ମୋ ଜୀବନାକାଶରେ ।


       ସବୁକିଛି ନାଟକର ଅଶ୍ଳୀଳ ଦୃଶ୍ୟ ନଦେଖିବା ପାଇଁ ସଦ୍ୟ ହରାଇଥିବା/ ଦୂରେଇ ଯାଇଥିବା ପତ୍ନୀଙ୍କ ଦୁଃଖରୁ କିଞ୍ଚିତ ମୁକ୍ତି ପାଇବା ପାଇଁ କିଛି ଦିନ ଓଡ଼ିଶା ବାହାରେ ଘୁରି ଆସିବାକୁ ମନସ୍ଥ କରି ମୁଁ ରେଳଯାତ୍ରା ଆରମ୍ଭ କଲି କଲିକତା ଅଭିମୁଖେ। ହଠାତ୍ ଶୀତତାପ ନିୟନ୍ତ୍ରିତ ବଗିର ଯୋଗାଡ଼ ହୋଇପାରିଲା ନାହିଁ। ତେଣୁ ଯାତ୍ରା ଆରମ୍ଭ କଲି ଦ୍ୱିତୀୟ ଶ୍ରେଣୀ ବଗିରେ ।


      ପାଖ ବର୍ଥରେ ନବବିବାହିତା ଦମ୍ପତ୍ତି ରଶ୍ମିତା ଓ ଅତନୁ । ସେମାନେ ବୋଧହୁଏ ରାସ୍ତାରେ କେଉଁଠି ଓହ୍ଲାଇଯିବେ । ଓଃ, କି ଅଶ୍ଳୀଳ, ଧିର କଥାବାର୍ତ୍ତା । ତେବେ ମୋ କାନକୁ ସବୁ ଶୁଣାଯାଉଥାଏ । ସେ ମୁହୂର୍ତ୍ତରେ ମୋ ଦେହରେ ଜ୍ୱ।ଳା । ଜଳି ଉଠୁଥିଲା ଦେହ । ଅସଂଯତ, ଅଭଦ୍ର ଆଚରଣ ସର୍ବସାଧାରଣ ସ୍ଥାନରେ । ବିଦ୍ରୋହ କରୁଥିଲା ମନ । ଇଚ୍ଛା ହେଉଥିଲା ଉଠିଯାଇ ଶକ୍ତ ଚାପୁଡ଼ା ଟିଏ ମାରିଦେବାକୁ । ହେଲେ ମୁଁ ପରା ଦଦରା ଡଙ୍ଗାର ନାଉରୀ । ସମ୍ଭାଳି ନେଲି ନିଜକୁ ନିଜେ।


      ଆକାଶ ପିଙ୍ଗଳ ବର୍ଣ୍ଣ । ଖୁବ୍ ଧୁଳି ଉଡୁଛି ଚତୁର୍ଦ୍ଦିଗରେ । ଝାଳର ଟୋପା ଗଡିପଡୁଛି ଦେହରୁ । ଝାଳର ଟୋପା କପାଳରୁ ଗଳିଆସି ଆଖି ଝାପସା କରିଦେଉଛି । ରୁମାଲଟା ଖୁବ୍ ଅସନା, ଆଖି ପୋଛିଲେ ଆଖି ପୋଡିବ । ଝାଳରେ ଭିଜୁଥିବା ଗଞ୍ଜିଟାର ଉତ୍କଟ ଗନ୍ଧ ସ୍ପଷ୍ଟ ବାରିହେଉଥିଲା ।


    କାଠ କୋଇଲାରେ ଦାନ୍ତ ଘସି ବଡପାଟିରେ କଳାକଳା ଦାନ୍ତ ନିକୁଟି ଛୁଆଟା କହୁଥିଲା ବାବୁ! ପଇସାଟିଏ । ବଗିର ଅପର ମୁଣ୍ଡରେ ଛୁଆଟିଏ ନିଜର କ୍ରିଡ଼ା କୌଶଳ ଛୋଟ ରିଙ୍ଗ ଭିତରେ ଦେଖାଉଥିଲା। ପଛେ ପଛେ ଛୋଟ ଛୁଆଟିଏ କାଖରେ ବାନ୍ଧି ବୋଧେ ଏମାନଙ୍କ ସ୍ନେହମୟୀ ଜନନୀ ବାଜା ବଜାଉଥିଲା। ପାଖକୁ ଡାକି ସମସ୍ତଙ୍କୁ ବସିବାକୁ କହିଲି ମୁଁ । ଭ୍ରୁକୁଞ୍ଚନ କରି ମୁହଁ ମୋଡୁଥିଲେ ପାଖରେ ଥିବା ନବବିବାହିତ ଦମ୍ପତ୍ତି ରଶ୍ମିତା ଓ ଅତନୁ। ବୋଧେ ସେମାନଙ୍କୁ ପସନ୍ଦ ନଥିଲା ମୋ ସହାନୁଭୂତି। ସେମାନଙ୍କ ପ୍ରେମ.... ନା...ନା... ଅଶ୍ଳିଳତାରେ ବ୍ୟାଘାତ ହେବାର ଭୟ ଘାରିଥିଲା ଦୁହିଁଙ୍କୁ । ଅତି ସନ୍ତର୍ପଣରେ ଛୁଆ ତିନୋଟି ସହ ମୋ ପାଖରେ ବସିଗଲା ସ୍ତ୍ରୀ ଲୋକଟି।


     ଅତନୁ ସମ୍ଭାଳି ନପାରି କହିଉଠିଲା, ଓ ବାବୁ! ଏମାନଙ୍କୁ ପାଖରେ ବସାନ୍ତୁ ନାହିଁ, ଚୋରି ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ମୁଁ ତୁରନ୍ତ ଉତ୍ତର ଦେଲି, ଏମାନେ ଗରୀବ ।ସୁଦୂର କଲିକତା ଯାଏଁ ଛୁଆ ଗୁଡାକ ଠିଆ ହୋଇ ଗଲେ ସେମାନଙ୍କ ଅବସ୍ଥା କ'ଣ ହେବ। ତାଛଡା ମୋର ଶୋଇବାର ନାହିଁ । ଚୋରି କାହିଁକି ହେବ? 


       ମନର କ୍ରୋଧ ମନରେ ମାରି ସ୍ତ୍ରୀଲୋକଟିକୁ ପଚାରିଲି, ମାଆ, ସରକାରଙ୍କ ଏତେ ଗୁଡ଼ିଏ ଆଖିଦୃଶିଆ ଲୋକାଭିମୁଖୀ ଯୋଜନା ରହିଛି । ତୁମେ କ'ଣ ସେସବୁରୁ ବଞ୍ଚିତ ?? ଛୁଆମାନେ ପାଠ ପଢନ୍ତେ ତୁମେ ପେନସନ ଓ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ଯୋଗ୍ୟା ବି । ହେଲେ, ଛୁଆଗୁଡିକୁ ଧରି ରେଳରେ ଭିକ୍ଷା ମାଗୁଛ କାହିଁକି? ସ୍ତ୍ରୀଲୋକଟି ଉତ୍ତର ଦେଲା; ବାବୁ! ମୋ ନାଆଁ ଗଙ୍ଗା । ଗରିବ ଘରର ଝିଅ । ପଞ୍ଚମ ପାଠ ପଢ଼ୁଥିଲି ବନ୍ୟାରେ ସବୁ ଭାସିଗଲେ । ଗାଁରେ ଘରେ ଘରେ କାମ କରି ପେଟପୋଷି ବଡହେଲି । ଅଧିକ ପଇସା ଉପାର୍ଜନ ପାଇଁ ସହରକୁ ଚାଲି ଆସିଲି । ମୁଣ୍ଡ ଗୁଞ୍ଜିବାକୁ ଯାଗା ନଥିଲା । ତେଣୁ ଷ୍ଟେସନ ହିଁ ସବୁଠାରୁ ସୁରକ୍ଷିତ ସ୍ଥାନ ମଣିଲି । ଷ୍ଟେସନରେ କିଛି ଦିନ ପରେ ଭେଟ ହେଲା ଗୁରିଆ । ଆସ୍ତେ ଆସ୍ତେ ସେ ଭଲ ଲାଗିଲା । ବୟସର ଜ୍ୱ।ଳା, ଶରୀରର ଭୋକର ମିଶ୍ରିତ ଉପହାର ତିନୋଟି ସନ୍ତାନ । ହଠାତ୍ ତିନିଟି କନ୍ୟା ସନ୍ତାନ ଉପହାର ଦେଇ ହଠାତ୍ ଅନ୍ତର୍ଦ୍ଧାନ ହୋଇଗଲା ଗୁରିଆ । ବହୁତ ଖୋଜିଲି ହେଲେ ପତ୍ତା ପାଇଲିନି ତା'ର । ମରିଲା, ହଜିଲା କି ଧୋକାଦେଲା ତାହା ଉପନ୍ୟାସର କାହାଣୀ ପରି ରହିଗଲା । ଭାଗ୍ୟକୁ ଆଦରି ଅନ୍ୟ ରାସ୍ତା ନପାଇ ଏହି ରାସ୍ତା ବାଛିନେଲି।


ମୁଁ ଦୟାର ସାଗର । ତେଣୁ ତ ସ୍ତ୍ରୀ ପରିତ୍ୟକ୍ତା । ଆଗକୁ କିଛି କରିବି କାରଣ ବଳ, ବୟସ ଅଛି । ଭାବି ସ୍ତ୍ରୀ ଲୋକଟିକୁ ପ୍ରସ୍ତାବ ଦେଲି, ଶୁଣ ଗଙ୍ଗା, ମୋର ଗୋଟିଏ ଅନୁରୋଧ ରକ୍ଷା କରିବ ? କ'ଣ କୁହନ୍ତୁ କହିଲା ଗଙ୍ଗା । ତୁମର ଗୋଟିଏ ଝିଅକୁ ମୁଁ ଝିଅକରି ତାକୁ ପ୍ରତିଷ୍ଠିତ କରାଇ ବାହାଘର କରାଇଦେବି । ମୋର ତ କେହି ନାହାନ୍ତି । ମୋତେ ବି ବଞ୍ଚିବାର ମାଧ୍ୟମ ମିଳିଯିବ।


     ଚମକି ଉଠିଲା ଗଙ୍ଗା । ନା ବାବୁ ନା! ଏତେ ଦୟାର ଆବଶ୍ୟକତା ନାହିଁ । ଆମ ରାସ୍ତାରେ ଆମେ ଠିକ୍ ଅଛୁ । ବାବୁ! ଜାଣିଛ, ପ୍ରେମ କରିବା, ଯନ୍ତ୍ରଣାରେ ଉବୁଟୁବୁ ହେବା ବା ଆନନ୍ଦ ଅତିଶଯ୍ୟାରେ ନିଜକୁ ପାଶୋରିଯିବା ବେଳେ କାହା ପ୍ରଶ୍ନକୁ ଖାତିରି ନକରିବା ହେଲା ଧର୍ମ । ଯାହା ମୋ ଜୀବନରେ ଘଟିଛି।


      ତୁମେ ହେମାଳକୁ ଭଲ ପାଇଲେ ସେ ଦେବ ଜାଡ, ତୁମେ ଖରାକୁ ଭଲପାଇଲେ ସେ ଦେବ ଉତ୍ତାପ, ତୁମେ ଗରୀବକୁ ଭଲ ପାଇଲେ ସେ ଦେବ ପ୍ରତାରଣା। କେଉଁଥିରେ ନିସ୍ତାର ନାହିଁ। ମୋ ପ୍ରଶ୍ନର ଉତ୍ତର ଏୟା ନୁହଁ କହିଲି ମୁଁ । ନା ବାବୁ ନା ! ଏହି ତିନୋଟି ମୋ ରୋଜଗାରର ମାଧ୍ୟମ । ଏବେ ମୋ ପାଖରେ ବେଶ୍ ଦୁଇପଇସା । ସରକାରଙ୍କ ଅନୁଦାନକୁ ପଚାରେ କିଏ? ମୁଁ ନିଜେ ଘର ତୋଳିବା ଆରମ୍ଭ କରିଛି । ଏହି ଛୁଆଙ୍କ ପାଇଁ ମୋତେ କଷ୍ଟ କରିବା ପାଇଁ ପଡିବ ନାହିଁ । ବଡ଼ ହେଲେ ଏମାନେ ଯେ ଝା ରାସ୍ତାରେ ଚାଲି ଯିବେ । ଆମଦେଶରେ ଗୁରିଆଙ୍କ ଅଭାବ ନାହିଁ । ବରଂ କିଛି ଅର୍ଥ ସାହାଯ୍ୟ କର, ଆମେ ଚାଲିଯିବୁ।ସୁଟକେସରୁ ତିନିଶହ ଟଙ୍କା ବାହାର କରି ଦେଲି ଓ ସେମାନେ ବଗି ଛାଡ଼ି ଚାଲିଗଲେ ବୋଧେ ଅନ୍ୟ ବଗିରେ ଖେଳ ଦେଖାଇବେ।


     ଅତନୁ ଓ ରଶ୍ମିତା ଯୋଡି ଶାନ୍ତିରେ ନିଶ୍ୱାସ ମାରିଲେ ଓ କହିଲେ ବୁଝିଲେ ଆଜ୍ଞା ଏଗୁଡାକ ଛୋଟ ଲୋକ । ଆମର ଛୁଆ ହେଲେ ଦେଇଦେବୁ, ମଣିଷ କରିଦିଅ କହି ଠୋ ଠୋ ହସି ଉଠିଲେ ଦୁହେଁ । ମୋ ମନରେ ଆନ୍ଦୋଳିତ ହେଉଥିଲା ତଳ ଦିନର କଥା । ହଁ ମୁଁ ବି ଏମିତି ସ୍ୱପ୍ନ ଦେଖୁଥିଲି । ପିଲା, ଛୁଆ ସୁନ୍ଦର ସଂସାର । ଛୁଆଙ୍କୁ ବଡ ମଣିଷ କରି ଗଢିତୋଳିବାର ସୁନ୍ଦର ସ୍ୱପ୍ନ । ହେଲେ ସେମାନଙ୍କ ପାଇଁ ମୁଁ ଆଜି ବଣମଣିଷ । ଅଜଣା, ଅଚିହ୍ନା ବ୍ୟକ୍ତିତ୍ୱ । ସବୁକିଛି ପାଣି ଫୋଟକା ପରି ମିଳେଇଗଲା।ବହିଗଲା ସମୟ ସ୍ରୋତରେ।


      ଭାବୁ ଭାବୁ ଆଖି ଲାଗିଗଲା। କିଛି ସମୟ ପରେ ପ୍ରବଳ ପାଟିଗୋଳରେ ନିଦ ଭାଙ୍ଗିଗଲା। ଉଠି ଦେଖିଲା ବେଳକୁ ଅତନୁକୁ ଲୋକ ପ୍ରବଳ ମାଡ଼ ମାରୁଛନ୍ତି । ବଗି ଭିତରେ ଅତନୁ କୁଆଡେ଼ କୈାଣସି ମହିଳାଙ୍କୁ ଅସଦାଚରଣ କରିବାର ଉଦ୍ୟମ କରି ଧରାପଡିଥିଲା । ଚୁପଚାପ୍ ଆଖିରୁ ଲୁହ ଗଡାଉଥିଲା ଅସୁମାରୀ ସ୍ୱପ୍ନର ତାଜମହଲ ଉପରେ ଠିଆ ହୋଇ ବଞ୍ଚିବାକୁ ଚାହୁଁଥିବା ରଶ୍ମିତା । ତଳକୁ ଅନାଇ ଦେଖିଲା ବେଳକୁ ମୋ ସୁଟକେସ ଆଉ ନାହିଁ । ମୁଣ୍ଡ ଘୁରିଗଲା । ଖବର ନେଲାବେଳକୁ ଜଣାପଡିଲା ସେ ବାରବୁଲା ସ୍ତ୍ରୀ ଲୋକଟି ତିନି ଛୁଆ ସହ ଦୁଇଟି ସୁଟକେସ ଧରି ପୁର୍ବ ଷ୍ଟେସନରେ ଓହ୍ଲାଇ ଯାଇଥିଲା।


      ମନେ ମନେ ନିଜକୁ ଗାଳି ଦେଉଥିଲି ମୁଁ । ଦୁନିଆଁର ସବୁ ଦୁଃଖ ଦୂରକରିଦେବାର ପ୍ରତିଶ୍ରୁତି ଦେବା ପାଇଁ ମୁଁ କିଏ ??ପ୍ରବଞ୍ଚନା କଥାରେ ପେଟପୁରେ ନାହିଁ । ସବୁ କଥାରେ ଅତିଶୟତା ଥିଲା ମୋ ସମସ୍ୟା !!!


Rate this content
Log in

Similar oriya story from Abstract