ଭଲ ପାଇବାର ପରିଭାଷା
ଭଲ ପାଇବାର ପରିଭାଷା


ଶୋଭା ଆଉ ରାକେଶକୁ ଆଜି ଛାଡ଼ପତ୍ର ହେବାର କାଗଜ ମିଳିଗଲା। ଦୁଇଜଣ ସାଥି ହୋଇ କୋର୍ଟରୁ ବାହାରକୁ ଆସିଲେ। ସେ ଦୁଇଜଣଙ୍କର ଘର ଲୋକେ ସାଥିରେ ଥିଲେ ଆଉ ତାଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା। ଦୀର୍ଘ ଚାରି ବର୍ଷର ଏହି କୋର୍ଟ ଲଢେଇ ଆଜି ଯାଇ ନିଷ୍ପତି ହୋଇଗଲା।
ବିବାହ ହେବାର ଦଶ ବର୍ଷ ହେଇଗଲା କିନ୍ତୁ ସାଥି ହେଇ ମାତ୍ର ଛଅ ବର୍ଷ ହିଁ ରହି ପାରିଥିଲେ। ଚାରି ବର୍ଷ କେବଳ ଛାଡ଼ପତ୍ର ପାଇଁ କୋର୍ଟରେ ଲାଗିଗଲା।
ଶୋଭା ହାତରେ ଯୌତୁକ ଦେବାର ଲିଷ୍ଟଟା ଥିଲା। ଯାହା ଏବେ ରାକେଶର ଘରୁ ନେବାର ଅଛି। ଆଉ ରାକେଶର ହାତରେ ଗହଣାର ଲିଷ୍ଟ ଯୋଉଟାକି ଶୋଭା ପାଖରୁ ନେବାକୁ ଅଛି। ସାଥିରେ କୋର୍ଟର ଗୋଟିଏ ଆଦେଶ ନାମା ମଧ୍ୟ ଅଛି ଯାହା ରାକେଶ ଦଶ ଲକ୍ଷ ଟଙ୍କା ଶୋଭାକୁ ଦେବାପାଇଁ।
ଶୋଭା ଆଉ ରାକେଶ ଗୋଟିଏ ଅଟୋରେ ବସି ରାକେଶର ଘରେ ପହଞ୍ଚିଲେ। କାହିଁକିନା ଯୌତୁକରେ ଦେଇଥିବା ସବୁ ସାମାନ ଶୋଭାକୁ ବାଛିକି ନେବାକୁ ହେବ। ଚାରିବର୍ଷ ପରେ ଶୋଭା ଶଶୁର ଘରକୁ ଆସିଛି। ଶେଷ ଥର ପାଇଁ ଏହାପରେ ଆଉ କେବେ ମଧ୍ୟ ଆସିବାର ନାହିଁ।
ସବୁ ଲୋକେ ଯେ ଯାହା ଘରକୁ ଚାଲିଗଲେଣି କେବଳ ତିନିଜଣ ହିଁ ରହିଥିଲେ। ରାକେଶ, ଶୋଭା ଆଉ ଶୋଭାର ମାଆ।
ରାକେଶ ଘରେ ଏକା ହିଁ ରହେ। ବାପା ମାଆ ଆଉ ଭାଇ ଏବେ ମଧ୍ୟ ଗାଁରେ ରହନ୍ତି।
ଶୋଭା ଆଉ ରାକେଶର ଗୋଟିଏ ବୋଲି ପୁଅ ଯାହାକୁ ଏବେ ସାତ ବର୍ଷ ହେଇଛି। କୋର୍ଟଙ୍କ ନିଷ୍ପତି କ୍ରମେ ମାଇନର ପର୍ଯ୍ୟନ୍ତ ସେ ଶୋଭା ପାଖରେ ହିଁ ରହିବ। ରାକେଶ ପ୍ରତି ମାସରେ ଥରେ ଯାଇ ଦେଖା କରିପାରିବ।
ଘର ଭିତରେ ପଶୁ ପଶୁ ପୁରୁଣା କଥା ସବୁ ମନରେ ଆସିଗଲା। କେତେ କଷ୍ଟ କରି ଏ ଘରକୁ ସଜାଇଥିଲା ଶୋଭା। ଗୋଟିଏ ଗୋଟିଏ ଜିନିଷରେ ତାର ଜୀବନ ଥିଲା। ସବୁ ଜିନିଷ ତାର ଆଖି ସାମନାରେ ହେଇଥିଲା। ଗୋଟିଏ ଗୋଟିଏ ଇଟାରେ ତିଆରି ହୋଇଥିବା ଏହି ଘର ପୁରା ହେବାଟା ଦେଖିଥିଲା ସେ। ଏଇଟା ତାର ସ୍ଵପ୍ନର ଘର ଥିଲା । କେତେ ଆଦରରେ ରାକେଶ ତିଆରି କରିଥିଲେ ତାର ସ୍ଵପ୍ନକୁ ପୁରା କରିବାପାଇଁ।
ରାକେଶ ପୁରା ପୁରି ଥକି ପଡିଥିଲା, ଶାରୀରିକ ନୁହଁ ମନରୁ ଭାଙ୍ଗି ପଡ଼ିଥିଲେ। ସୋଫାଟା ଉପରେ ବସିପଡ଼ିଲେ କହିଲେ " ନେଇ ଯାଆ ଯାହା ନେବା କଥା ତାହା ନେଇଯାଅ ମୁଁ କୋଉଟାକୁ ମଧ୍ୟ ମନା କରିବି ନାହିଁ।"
ଶୋଭା ଏବେ ରାକେଶକୁ ଚାହିଁଲା । ଚାରି ବର୍ଷ ଭିତରେ କେତେ ବଦଳି ଗଲେଣି। ମୁଣ୍ଡର ବାଳ ଗୋଟିଏ ଗୋଟିଏ ଧଳା ହେଇଗଲାଣି। ପୁରା ଦେହଟା ଝଡି ଗଲାଣି। ଚାରିବର୍ଷରେ ଦେହର ସୁନ୍ଦରତା ହଜିଗଲାଣି।
ଶୋଭା ଷ୍ଟୋର ରୁମ ଆଡକୁ ଚାଲିଲା ଯୋଉଠି ଅଧିକାଂଶ ଯୌତୁକ ଜିନିଷ ରହିଥିଲା। ସେସବୁ ସାମାନ ପୁରୁଣା ଫେସନର ଥିଲା ଏଥି ପାଇଁ ସେ ସବୁକୁ ଅଦରକାରୀ ଭଳି ଷ୍ଟୋର ରୁମରେ ରଖାଯାଇଥିଲା। ତାକୁ ଯୌତୁକ ମିଳିଥିଲା ବା କେତେ। ପ୍ରେମ ବିବାହ ହୋଇ ଥିଲା ଦୁହିଁଙ୍କର। ଘରଲୋକେ ବାଧ୍ୟ ବାଧକତାରେ ସହଯୋଗ କରିଥିଲେ। ପ୍ରେମ ବିବାହ ହୋଇଥିଲା ବୋଲି କାହାର ନଜର ଲାଗିଗଲା। କାହିଁକିନା ପ୍ରେମୀ ଯୋଡି କେମିତି ଭାଙ୍ଗିବ ସେଇଟା ସମସ୍ତେ ଦେଖିବାକୁ ଚାହାନ୍ତି।
କେବଳ ଥରେ ପିଇକରି ଆସିଥିଲା ରାକେଶ। ହାତ ଉଠାଇ ଦେଇଥିଲା ତା ଉପରକୁ। ସେଇଥିପାଇଁ ସେ ରାଗିକରି ଚାଲିଯାଇଥିଲା ତାଙ୍କ ମାଆ ଘରକୁ। ତାପରେ ଲଗା ଜୁଟା କରିବା ଆରମ୍ବ ହେଇ ଯାଇଥିଲା। ଏପଟେ ରାକେଶର ଭାଇ ଆଉ ଭାଉଜ ଆଉ ସେପଟେ ଶୋଭାର ମାଆ। ଏମିତିରେ କଥାଟା କୋର୍ଟ ପର୍ଯ୍ୟନ୍ତ ଚାଲିଗଲା ଆଉ ଛାଡ଼ପତ୍ର ମଧ୍ୟ ହେଇଗଲା ଶୋଭା ଫେରି ଆସିଲାନି କି ରାକେଶ ଆଣିବା ପାଇଁ ବି ଗଲାନାହିଁ।
ଶୋଭାର ମାଆ କହିଲା " କାହିଁ କୋଉଠି ଅଛି ତୋର ସାମାନ? ଏପଟେ ତ କୋଉଠି ଦେଖାଯାଉନି। ମଦୁଆ ବିକି ଦେଇଥିବ ସେସବୁ ମଦ ପିଇବା ପାଇଁ। "
"ଚୁପ ହେଇ ରୁହ ମାଆ " ଶୋଭାକୁ କାହିଁକି କେଜାଣି ଭଲ ଲାଗିଲାନି ରାକେଶଙ୍କୁ ମଦୁଆ କହିବାଟା।
ପୁଣି ଷ୍ଟୋର ରୁମରେ ପଡ଼ିଥିବା ସବୁ ସାମାନ ସହିତ ଲିଷ୍ଟରେ ଦେଖି ମିଶାଉଥିଲା। ଆଉ ଅନ୍ୟ ରୁମରେ ଥିବା ସାମାନ ସବୁ ଲିଷ୍ଟ ଦେଖି ଜମା କରୁଥିଲା। ଶୋଭା କେବଳ ନିଜ ସାମାନକୁ ଛାଡି ଦେଲେ ରାକେଶର କୌଣସି ସାମାନକୁ ଜମା ହାତ ଲଗାଇ ନଥିଲା। ତାପରେ ଶୋଭା ବ୍ୟାଗରେ ଧରିଥିବା ଗହଣା ସବୁ ରାକେଶ ହାତକୁ ବଢ଼ାଇ ଦେଲା। କିନ୍ତୁ ରାକେଶ ସେହି ବ୍ୟାଗକୁ ଫେରାଇ ଦେଲା ଆଉ କହିଲା "ତୁମେ ରଖିନିଅ, ମୋର ଦରକାର ନାହିଁ ତୁମର କାମରେ ଆସିବ ଅସୁବିଧା ସମୟରେ।"
ସବୁ ଗହଣାର ମୂଲ୍ୟ ପ୍ରାୟ ପନ୍ଦର ଲକ୍ଷ ଟଙ୍କାରୁ କମ ହେବ ନାହିଁ। " କାହିଁକି, କୋର୍ଟରେ ତ ତୁମ ଓକିଲ କେତେ ଥର କହୁଥିଲେ ଖାଲି ଗହଣା ଗହଣା ବୋଲି " "କୋର୍ଟର କଥା କୋର୍ଟରେ ହିଁ ସରିଗଲା ଶୋଭା। ସେଇଠି ମୋତେ ମଧ୍ୟ ଦୁନିଆର ସବୁଠାରୁ ଖରାପ ପଶୁ ଆଉ ମଦୁଆ କରି ଦିଆ ଯାଇଥିଲା।" ଏ କଥା ଶୁଣି ଶୋଭାର ମାଆ ମଧ୍ୟ ନାକଟାକୁ ଛିଞ୍ଛାଡି ଦେଇ କହିଲା "ଦରକାର ନାହିଁ ସୁନା ଗହଣା । ସେଇ ଦଶ ଲକ୍ଷ ଟଙ୍କା ମଧ୍ୟ ଦରକାର ନାହିଁ।" ରାକେଶ ମଧ୍ୟ ସୋଫା ଉପରୁ ଉଠି କହିଲା "କାହିଁକି ?"
"ବାସ ଏମିତି "ଶୋଭା ଏତିକି କହି ମୁହଁ ବୁଲାଇ ଦେଲା। "ଏତେ ବଡ଼ ଲମ୍ବା ଜୀବନ ପଡିଛି କେମିତି କାଟିବ ? ନେଇ ଯାଅ ତୁମର କାମରେ ଆସିବ।" ଏତିକି କାହି ରାକେଶ ମଧ୍ୟ ମୁହଁ ବୁଲାଇ ନେଲା ଆଉ ଅନ୍ୟ ରୁମକୁ ଚାଲିଗଲା। ବୋଧେ ଆଖିର ଲୁହକୁ ଲୁଚାଇବା ମଧ୍ୟ ତାପାଇଁ ଜରୁରୀ ଥିଲା। ଶୋଭାର ମାଆ ଗାଡି ଵାଲାକୁ ଫୋନ କରିବାରେ ବ୍ୟସ୍ତ ଥିଲା। ତେଣୁ ଶୋଭାକୁ ସୁବିଧା ହେଲା ସେ ମଧ୍ୟ ରାକେଶ ଯାଇଥିବା ରୁମକୁ ଚାଲିଗଲା।
ସେ କାନ୍ଦୁଥିଲେ। ଅଲଗା ପ୍ରକାର ମୁହଁ କରିକି ଯେମିତି ହୃଦୟ ଭିତରେ କିଛି ଗୋଟିଏ କଥାକୁ ଛୁପାଇବାର ଚେଷ୍ଟା କରୁ ଥିଲେ। ଶୋଭା କେବେହେଲେ ରାକେଶ ଏମିତି କାନ୍ଦିବାଟା ଦେଖିନଥିଲା। ଆଜି ପ୍ରଥମ ଥର ପାଇଁ ଦେଖିଲା। କେଜାଣି କାହିଁକି ଆଜି ହୃଦୟଟା ହାଲକା ଲାଗୁଛି।
କିନ୍ତୁ ବେଶି ଭାବୁକ ହେଉ ନଥିଲା। ହୃଦୟକୁ ଜୋର ଦେଇ କହିଲା " ଏତେ ଚାହୁଁଥିଲ ଯଦି ଛାଡ଼ପତ୍ର କାହିଁକି ଦେଉଥିଲ ? "
" ମୁଁ ଛାଡ଼ପତ୍ର ଦେଇନି ତୁମେ ଦେଲ "
" ଦସ୍ତଖତ ତୁମେ ମଧ୍ୟ କରିଥିଲ ନା, କ୍ଷମା ତ ମାଗି ପାରିଥାନ୍ତ? "
" ତୁମ ଘର ଲୋକ ମୌକା କେବେ ଦେଲେ। ଯେତେବେଳେ ଫୋନ କରିଲି ଫୋନ କାଟିଦେଲେ। "
ଘରକୁ ତ ଆସି ପାରିଥାନ୍ତ?"
" ମୋର ସାହସ ନଥିଲା "
ସେତେବେଳେ ଶୋଭାର ମାଆ ଆସିଗଲା ଆଉ ତାର ହାତ ଧରି ବାହାରକୁ ନେଇ କହିଲା " ଏବେ କାହିଁକି ତା ସହିତ ଯୁକ୍ତି କରୁଛୁ। ସବୁ ସମ୍ପର୍କତ ଏବେ କଟିଗଲା।"
ମାଆ ଝିଅ ବାହାରେ ପଡ଼ିଥିବା ସୋଫା ଉପରେ ବସିଗଲେ ଆଉ ଗାଡି ଆସିବାକୁ ଅପେକ୍ଷା କରିଥିଲେ।
ଶୋଭାର ହୃଦୟ ଭିତରେ ମଧ୍ୟ ଗୋଟିଏ କଷ୍ଟ ହେଉଥିଲା। ସେ ବେଳୁ ବେଳ ଭାଙ୍ଗି ପଡୁଥିଲା। ଯୋଉ ସୋଫା ଉପରେ ବସିଥିଲେ ତାକୁ ଟିକିଏ ଦେଖିଲା। କେତେ କଷ୍ଟରେ ପାଇ ପାଇ ବଞ୍ଚାଇକି ସେ ଆଉ ରାକେଶ ମିଶିକି ସୋଫା କିଣିଥିଲେ। ପୁରା ସହରଟାରେ ଖୋଜି ଖୋଜି ଏହି ସୋଫାଟାକୁ ପସନ୍ଦ କରି ଆଣିଥିଲା। ପୁଣି ତା ନଜରଟା ଶୁଖିଯାଇଥିବା ତୁଳସୀ ଗଛ ଉପରେ ପଡିଲା। କେତେ ଯତ୍ନରେ ସେ ଦେଖା ରେଖା କରୁଥିଲା। ତା ସହିତ ତୁଳସୀ ମଧ୍ୟ ଘର ଛାଡି ଦେଉଛି ।
ସେ ପୁଣି ଉଠି କରି ଭିତରକୁ ଚାଲିଗଲା। ମାଆ ପଛରୁ ତାକୁ ଡାକୁଥାଏ ସେ ସେହି ଡାକ କୁ ନଶୁନି ଚାଲିଗଲା। ରାକେଶ ଶେଯଟା ଉପରେ ମୁହଁ ମାଡି ପଡି ରହିଥିଲା। ପୁଣି ଥରେ ତାକୁ ଦୟା ଆସିଲା ତାଙ୍କ ଉପରେ। ସେ ଜାଣିଥିଲା ଏବେ ସବୁ ଶେଷ ହେଇଯାଇଛି। ଏଥି ପାଇଁ ବେଶି ଭାବନା ନକରିବା ଭଲ। ସେ ରୁମଟାକୁ ଟିକିଏ ନଜର ପକାଇ ଦେଖିନେଲା ସବୁ କିଛି ଅସ୍ତବ୍ୟସ୍ତ ହୋଇ ପଡିଛି। କୋଉଠି କୋଉଠି ବୁଡିଆଣି ଜାଲ ବାନ୍ଧି ଦେଇଛି। ସିଏ କେତେ ଘୃଣା କରୁନ ଥିଲା ସେହି ବୁଢିଆଣୀ ଜାଲକୁ।
ପୁଣି ଆଖି ତାର ଚାଲିଗଲା କାନ୍ଥରେ ଟଙ୍ଗା ଯାଇଥିବା ତାର ଆଉ ରାକେଶର ଫୋଟ ଉପରକୁ। ଯୋଉଥିରେ ରାକେଶ ସହିତ ଜାକି ହୋଇ ହସୁଥିଲା । କେତେ ସୁନ୍ଦର ଦିନ ଥିଲା ସେଦିନ।
ଏତିକି ବେଳେ ପୁଣି ତା ମାଆ ଆସି ଗଲା ଆଉ ତାର ହାତ ଧରି ବାହାରକୁ ନେଇଗଲା। ବାହାରେ ଗାଡି ଆସିଗଲାଣି। ସାମାନ ସବୁ ଗାଡ଼ିରେ ଲଦା ହେବାରେ ଲାଗିଛି। ଶୋଭା ବସିଛି। ରାକେଶ ଗାଡି ଶବ୍ଦ ଶୁଣି ବାହାରକୁ ଆସିଗଲା। ହଠାତ ରାକେଶ କାନ ଧରି ଆଣ୍ଠୁ ମାଡି ବସିଗଲା। କହିଲା, " ମୋତେ କ୍ଷମା କରିଦିଅ ଶୋଭା, ତୁମେ ମୋତେ ଛାଡି ଜମା ଯାଅନି।"
ପ୍ରକୃତରେ ଏହି ଶବ୍ଦ ହିଁ ଥିଲା ଯାହା ଶୁଣିବାକୁ ତାକୁ ଚାରି ବର୍ଷ ହେଲା ଅପେକ୍ଷା କରି ଜଳୁଥିଲା।
ଅପେକ୍ଷାର ସବୁ ବନ୍ଧ ଏକା ସହିତ ଭାଙ୍ଗି ଗଲା। ଶୋଭା ହାତରେ ଧରିଥିବା କୋର୍ଟର ନିଷ୍ପତି ନାମା କାଗଜ ଟାକୁ କାଢ଼ି ଚିରି ପକାଇଲା। ଆଉ ତାର ମାଆ କିଛି କହିବା ପୂର୍ବରୁ ରାକେଶର ଛାତିରେ ଲୋଟି ପଡିଲା। ସାଥି ହୋଇ ଦୁହେଁ ବହୁତ କାନ୍ଦୁଥିଲେ।
ଦୂରରେ ଠିଆ ହେଇ ଶୋଭାର ମାଆ ଏ ସବୁ ଦେଖି ବୁଝିଗଲା ଯେ କୋର୍ଟର ଆଦେଶ ହୃଦୟ ଆଗରେ ସେଇଟା କାଗଜଠୁ ଅଧିକ କିଛି ନାହିଁ।
ଭଲ ହୋଇ ଥାନ୍ତା ତାଙ୍କୁ ପୂର୍ବରୁ ମିଶିବାକୁ ଦେଇଥିଲେ।
ଯଦି କ୍ଷମା ମାଗିଦେଲେ ସମ୍ପର୍କ ଭାଙ୍ଗିବା ବଦଳରେ ଯୋଡି ଯାଉଛି, ତାହେଲେ କ୍ଷମା ମାଗିନେବା ଉଚିତ.....।