ଜୀବନଯାତ୍ରା
ଜୀବନଯାତ୍ରା
ଆଜି ରବିବାର ତେଣୁ ଅଭୟର ଛୁଟି ଥିବା ହେତୁ ନିଜ ରୁମରେ ବସି ଖବର କାଗଜ ପଢୁଥିଲା। ଅକସ୍ମାତ ତାଙ୍କ କକା ରମେଶଙ୍କ ଉପରେ ନଜର ପଡିଗଲା। ସେ ସାମନାରେ ବହୁତ ଉଦାସ ଆଉ ଶାନ୍ତ ଭାବରେ ଠିଆ ହୋଇଥିଲେ ଜଣେ ନିରୀହ ମଣିଷ ଭଳି ଅଭୟ ତାଙ୍କୁ ବସିବାକୁ କହି ପଚାରିଲେ "କଣ ହେଲା କକା କିଛି ଅସୁବିଧା ହେଇଛି କି ମନଟା ଉଦାସ ଜଣା ପଡୁଛନ୍ତି ଆପଣଙ୍କ ଦେହ ଭଲ ଅଛି ତ?" ରମେଶ କହିଲେ "ମୁଁ ଭଲ ଅଛି ତୋତେ ଗୋଟିଏ କଥା କହିବି ବୋଲି ଭାବୁଛି," ସେ ଚୌକିରେ ବସିପଡି ଅଭୟକୁ ବଡ଼ ନିରୀହ ଭାବରେ ଚାହିଁଲେ। ଅଭୟ ଖବର କାଗଜଟାକୁ ଗୋଟିଏ ପାଖରେ ରଖି କହିଲା "ହଁ କୁହନ୍ତୁ ନା କକା" କିନ୍ତୁ ରମେଶ କିଛି ନ କହି ଶାନ୍ତ ଭାବରେ ବସି ରହିଲେ ତାଙ୍କ ଅବସ୍ଥା ଦେଖି ପୁଣି ଅଭୟ କହିଲା। "କଣ ହେଇଛି କକା ଯାହା ଅସୁବିଧା ଅଛି ମୋତେ ଖୋଲିକି କହି ଦିଅନ୍ତୁ, ଆପଣଙ୍କ କଥା ମୋ ପାଇଁ ଆଦେଶ ହିଁ ହେବ" ତାଙ୍କରି ହାବଭାବ ଦେଖି ଅଭୟ ମଧ୍ୟ ଚିନ୍ତାରେ ପଡିଗଲା ତା ଭାବନାରେ ପୂରଛେଦ ଟାଣି ରମେଶ କହିଲେ, "ଦେଖ ଅଭୟ ତୁ ମୋ କଥାକୁ ଆଜିଯାଏ କେବେ ଅବମାନନା କରିନୁ ଆଜି ମଧ୍ୟ ସେହି ଆଶା ନେଇ ତୋ ପାଖକୁ ଆସିଛି ତୋ କାକି ଆଉ ମୁଁ ଅନେକ ଚିନ୍ତା କରିସାରିବା ପରେ ଆମର ବିଚାର ଏହିକି ଯେ ତୁ ଅସୀମାକୁ ବିବାହ କରିନିଏ ତାକୁ ଟିକିଏ ସାହାରା ଦେଇଦିଏ, ବିଚାରି ବହୁତ କମ ବୟସରେ ବିଧବା ହେଇଗଲା ବିଚାରୀଟା ଏହି ଦୁନିଆରେ ସେ ଏକଲା ହେଇଗଲା, ଆଉ ତାର ବାପା ଘରେ ମଧ୍ୟ କେହି ନାହାନ୍ତି ଆମେ ବୁଢା ବୁଢ଼ୀ ଦୁଇଜଣଙ୍କର କଣ ଭରସା ଅଛି ଆଜି ଅଛୁ ତ କାଲି ନଥିବୁ ତାହେଲେ ସେ ଏକା କୁଆଡେ ଯିବ।" ରମେଶ ବାବୁ ଧିରେ ଧିରେ ନିଜ କଥାକୁ ଅଭୟ ପାଖରେ କହିଦେଲେ ତାଙ୍କ ଆଖି ଦୁଇଟି ଛଳ ଛଳ ହୋଇ ଯାଇଥିଲା, କଣ୍ଠଟା ଅବରୁଧ ହୋଇଯାଇଥିଲା ଅଭୟ କିଂକର୍ତ୍ତବ୍ୟବିମୂଢ଼ ହୋଇ ରମେଶ ବାବୁଙ୍କ କଥା ଶୁଣୁଥିଲା ଆଉ ମନେ ମନେ ଭାବୁଥିଲା ତାଙ୍କୁ କଣ କହି ବୁଝାଇବ ସେ କଥା ନିଜେ ବୁଝିପାରୁନଥିଲା। ଗୋଟିଏ ପଟେ କକା କାକିଙ୍କ ନିର୍ଣ୍ଣୟ ଥିଲା ଆଉ ଗୋଟିଏ ପଟେ ନିଜର ଭଲପାଇବା ଯାହା ଶେଷ ପର୍ଯ୍ୟାୟରେ ସେ ଭାବୁଥିଲା ଏହି କଥା ସତ ଯେ ଜୀବନ ପଥର ଆଗକୁ ଆସୁଥିବା ରାସ୍ତାଟା କଣ ହେବ କେହି ଜାଣିପାରୁନଥିଲେ। ଆଜିର ଜୀବନ ପଥଟା ସକ୍ଷମ ହୋଇ ପାରୁନଥିଲା ଯାହା ନିଜ ପରିବାର ପ୍ରତି କର୍ତ୍ତବ୍ୟ ଆଉ ନିଜର ଭଲପାଇବା ଏହି ଦୁଇଟିରୁ କାହାକୁ ବାଛିବାକୁ ହେବ। ଅଭୟର ଜୀବନୀ ଭିତରେ ପିଲାବେଳଟା ଆରମ୍ଭରୁ ଅତି ସୁନ୍ଦର ଭାବରେ ଚାଲିଥିଲା,ସେ ତାଙ୍କ ବାପା ମାଆଙ୍କର ଏକୋଇରବଳା ବିସିକେଶନ ଥିଲା,ତା ବାପା ଗୋଟିଏ ବ୍ୟାଙ୍କରେ ମେନେଜର ଥିଲେ ଆଉ ମା ଜଣେ ଅଭିଜ୍ଞ ଗୃହିଣୀ ଥିଲେ। ତାଙ୍କ ବାପା ଘରର ବଡ଼ ପୁଅ ଥିଲେ ଆଉ ମା ଜଣେ ଭଲ ସ୍ଵଭାବର ଗୃହିଣୀ। ତେଣୁ ତାଙ୍କ ବୃଦ୍ଧା ଜେଜେମା ତାଙ୍କରି ପାଖରେ ରହୁଥିଲେ। ଅଭୟକୁ ବହୁତ ଭଲପାଇବା ବାପା ମାଙ୍କ ପରେ ମଧ୍ୟ ଜେଜେମା ଅଧିକ ସ୍ନେହ ଦେଉଥିଲେ। ଜୟପୁରର ସବୁଠାରୁ ଭଲ ସ୍କୁଲରେ ଅଭୟକୁ ପଢ଼ାଇବା ପାଇଁ ଛାଡିଥିଲେ। ପାଠରେ ବହୁତ ଆଗ୍ରହ ଥିଲା ଅଭୟର ପ୍ରଥମରୁ ହିଁ ସେ ଜଣେ ମେଧାବୀ ଛାତ୍ର ଭାବରେ ସମସ୍ତଙ୍କ ପାଖରେ ପ୍ରିୟ ପାତ୍ର ଥିଲା। ଭଲ ନମ୍ବର ରଖିବା ସହ ଖେଳକୁଦ, ଗୀତ ଗାଇବାରେ ମଧ୍ୟ ବିଶେଷ ରୁଚି ଥିଲା। ଅଭୟକୁ ତାଙ୍କ ମାଁ ବାପାଙ୍କ ଠାରୁ ଅଧିକ ପ୍ରୋତ୍ସାହନ ମିଳୁଥିଲା। ଏଇଥି ପାଇଁ ସବୁ କ୍ଷେତ୍ରରେ ଭଲ କରି ପରିବାର ଏବଂ ସ୍କୁଲରେ ସମସ୍ତଙ୍କ ଆଖିର ତାର ହୋଇ ରହିଥିଲା। ହଠାତ ଅଭୟର ଜୀବନରେ ସମୟର ଚକ୍ରଟା ଘୁରିଗଲା ବହୁତ କଠିନ ସମୟ ଆସି ଛିଡା ହୋଇଗଲା। ସେତେବେଳେ ଅଭୟ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲା। ଗୋଟିଏ ରୋଡ଼ ଏକ୍ସିଡେଣ୍ଟରେ ତା ବାପା ମାଙ୍କର ଦେହାନ୍ତ ହୋଇଗଲା। ଗୋଟିଏ ଛୋଟିଆ ଛୁଆଟିର ଏତେବଡ ଦୁଃଖକୁ ସହିବାର କ୍ଷମତା ନଥିଲା ସେ ହତାଶ ଆଉ ଜୀବନ ଯୁଦ୍ଧରେ ହାରିଯାଇ କେବଳ କାନ୍ଦିବା ଛଡା ଆଉ କିଛି କରିବାର ରାସ୍ତା ନଥିଲା। ଏଭଳି ଏକ କଠିନ ସମୟରେ ଜେଜେମା ସାହସ ବାନ୍ଧି ଅଭୟକୁ ତାଙ୍କ କକା ରମେଶଙ୍କ ଘରକୁ ନେଇଆସିଲେ। ସେଇଦିନୁ ଅଭୟ ତା କକା କାକିଙ୍କ ସହିତ ଭୁବନେଶ୍ୱରରେ ରହିଲା।ରମେଶ ବାବୁଙ୍କର ମଧ୍ୟ ଗୋଟିଏ ପୁଅ ଆକାଶ ଥିଲା ସେ ଅଭୟ ଠାରୁ ଦୁଇବର୍ଷ ଛୋଟ ଥିଲା ଅଭୟକୁ ନେଇ ତାଙ୍କ କକା ଆକାଶର ସ୍କୁଲରେ ନାମ ଲେଖାଇଦେଲେ। ସେହି ସ୍କୁଲରେ ମଧ୍ୟ ଅଭୟ ଭଲ ନମ୍ବର ରଖିବାରେ ଲାଗିଲା। ତା କକା ତାର ରହିବା, ଖାଇବା ପିଇବା ଆଉ ପଢାଲେଖାର ସମସ୍ତ ବ୍ୟବସ୍ତା ନିଜେ ବୁଝୁଥିଲେ। କିନ୍ତୁ ଆକାଶ ଆଉ ଅଭୟଙ୍କ ପ୍ରତି ବ୍ୟବହାରରେ ଟିକିଏ ତଫାତ ରହୁଥିଲା, ଯେମିତି କାକି ଅଭୟର ପଛରେ ଆକାଶକୁ ଭଲ ଖାଇବା ଦେଉଥିଲେ, କିନ୍ତୁ ଆକାଶକୁ ଅଭୟ ବାରମ୍ବାର ମନା କରିବା ସତ୍ୱେ ସେହି କଥା ଗୁଡିକ ଅଭୟକୁ ସେର କରୁଥିଲା।ଅଭୟ ମଧ୍ୟ ସେସବୁ କଥାକୁ ଅଣଦେଖା କରି ହୃଦୟରୁ ସେମାନଙ୍କୁ ଧନ୍ୟବାଦ ସହ ଇଜ୍ଜତ ମଧ୍ୟ ଦେଉଥିଲା କାରଣ ଏହାଯେ ଅଭୟ ଭଳି ଗୋଟିଏ ବେସାହାରାକୁ ସେମାନେ ସାହାରା ଦେଇଛନ୍ତି ଏବଂ ଗୋଟିଏ ଭଲ ସ୍କୁଲରେ ନାମ ଲେଖାଇଛନ୍ତି। ଅଭୟର ଜେଜେମା ଯୋଉ ପର୍ଯ୍ୟନ୍ତ ଥିଲେ ସେ ତାକୁ ଅଧିକ ଧ୍ୟାନ ଦେଉଥିଲେ କିନ୍ତୁ ତାଙ୍କ ମାବାପାଙ୍କ ଆକସ୍ମିକ ନିଧନ ହେବା ହେତୁ ଜେଜେମା ସମ୍ପୂର୍ଣ ରୂପରେ ଭାଙ୍ଗି ପଡ଼ିଥିଲେ ସେମାନେ ଯିବାର ଦୁଇବର୍ଷ ପରେ ଜେଜେମା ମଧ୍ୟ ଆରପାରିକୁ ଚାଲିଗଲେ। କକା କାକି ଆକାଶର ଉଚ୍ଚ ଶିକ୍ଷା ପାଇଁ ପ୍ରାୟତଃ ଚର୍ଚ୍ଚା କରୁଥିଲେ କିନ୍ତୁ ଅଭୟ ନିମନ୍ତେ ସେମିତି କିଛି ଜିଜ୍ଞାସା ବ୍ୟକ୍ତ କରୁନଥିଲେ। ଅଭୟ ପ୍ଲସଟୁପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖି ଉତୀର୍ଣ୍ଣ କରିଥିଲା। ତାପରେ ବି. କାମ. କରିବାପରେ ବ୍ୟାଙ୍କ ପରୀକ୍ଷା ଦେଇ ସେଥିରେ ଉତୀର୍ଣ୍ଣ ହୋଇ ଗୋଟିଏ ସରକାରୀ ବ୍ୟାଙ୍କରେ ପି. ଓ. ଭାବରେ ଚାକିରୀ କରିଲେ ଭାଗ୍ୟକୁ ସେହି ଭୁବନେଶ୍ୱରରେ ହିଁ ଚାକିରୀ ମିଳିଥିଲା ତେଣୁ ସେ ତାଙ୍କ କକା କାକିଙ୍କ ପାଖରେ ହିଁ ରହିଥିଲେ। ଯାହାଦ୍ୱାରା ସେମାନଙ୍କ ସହିତ ରହି ସେମାନଙ୍କୁ ସହଯୋଗ କରିବାର ସୌଭାଗ୍ୟ ମିଳିଥିଲା କାହିଁକିନା ସେମାନଙ୍କ ଏଭଳି ବୟସାଧିକ ସମୟରେ ସ୍ୱାସ୍ଥ୍ୟ ସମସ୍ୟା ପ୍ରାୟ ଲାଗି ରହୁଥିଲା। ଆକାଶ ବେଙ୍ଗାଲୁରରେ ରହି ଏମ. ବି. ଏ. କରିଲା ଏବଂ ସେଇଠାରେ ହିଁ ଗୋଟିଏ ମଲ୍ଟି କମ୍ପାନୀରେ ସେଲେକ୍ସନ ହୋଇଯାଇଥିଲା। ପରିବାରରେ ସମସ୍ତେ ଏଥିରେ ଖୁସି ଥିଲେ ସେଥିରେ ଅଭୟ ମଧ୍ୟ ଖୁସି ଥିଲା। ଆକାଶ ତା କମ୍ପାନୀର ଜଣେ ଜୁନିଅର ଅସୀମା ସହିତ ପ୍ରେମ ରଜୁରେ ବାନ୍ଧି ହୋଇଗଲା। ରମେଶ ବାବୁ ଆଉ ତାଙ୍କ ଧର୍ମପତ୍ନୀ ଆକାଶର ପସନ୍ଦକୁ ଆନନ୍ଦର ସହ ଗ୍ରହଣ କରି ଅତି ଧୂମଧାମରେ ତାଙ୍କର ବାହାଘରଟା ସାରିଦେଲେ। ବିବାହ ପରେ ଆକାଶ ଆଉ ଅସୀମା ଦୁହେଁ ବେଙ୍ଗାଲୁର ଚାଲିଗଲେ। ଆକାଶର ବାହାଘର ପରେ ଅଭୟ ନିଜକୁ ଟିକିଏ ଏକଲାପଣ ଅନୁଭବ କରିଥିଲା। ଏହାରି ଭିତରେ ମିନତୀ କେତେବେଳେ ଅଭୟର ହୃଦୟରେ ଘର କରିନେଲା କିଛି ଜଣାପଡିଲା ନାହିଁ। ଅଭୟ ଯିବା ଆସିବା ବସରେ ହିଁ ମିନତୀ ଯିବା ଆସିବା କରୁଥାଏ, ସେ ସୁନ୍ଦର, ସୁଶୀଲ ଆଉ ସଭ୍ୟ ଗୋଟିଏ ବିଶାଳ ହୃଦୟର ଅଧିକାରିଣୀ ଭଳି ଜଣା ପଡୁଥାଏ। କାହିଁକିନା ସବୁ ସମୟରେ ସମସ୍ତଙ୍କ ସହାୟତା ହେତୁ ସବୁବେଳେ ତତ୍ପର ଥାଏ, କେବେ କୋଉ ଅନ୍ଧକୁ ରାସ୍ତା ପାର କରାଇଥାଏ ତ କେବେ କୋଉ ଗରିବ ପିଲାଙ୍କୁ ସାହାଯ୍ୟ କରିଥାଏ। ବସରେ କେବେ କେବେ କୋଉ ବୃଦ୍ଧା କିମ୍ବା ଗର୍ଭବତୀ ମହିଳାଙ୍କୁ ନିଜେ ବସିଥିବା ସିଟ ଖଣ୍ଡିକ ଦେଇଦେଇଥାଏ। ଏମିତି ସବୁ କାର୍ଯ୍ୟକଳାପ ଅଭୟକୁ ବହୁତ ଆକର୍ଷିତ କରିଥିଲା କାହିଁକିନା ତାଙ୍କର ସ୍ୱଭାବ ସହିତ ଅଭୟର ସ୍ୱଭାବ ସପୂର୍ଣ ରୂପରେ ମେଳ ଖାଉଥିଲା। ସେ ଦୁଇଜଣଙ୍କ ଭିତରେ ପ୍ରଥମେ ଛୋଟ ଛୋଟ ବାର୍ତାଳାପ ଆରମ୍ଭ ହେଲା ତାପରେ ଧିରେ ଧିରେ ନିଜ ନିଜ ଭିତରେ ସିଟ ରଖି ସାଥି ହୋଇ ଯିବା ଆସିବା କରିବାରେ ଲାଗିଲେ। ଦୁଇଜଣ ନିଜ ନିଜ ଭିତରେ ନିଜକୁ ଭଲ ଲାଗିବାକୁ ଲାଗିଲା। ଅଭୟ ତାଙ୍କ ପ୍ରତି ଆକର୍ଷିତ ହେବା ଅନୁଭବ କରିଲା କିନ୍ତୁ ତାଙ୍କ ସାମନାରେ ନିଜର ମନ କଥା କହି ପାରୁନଥିଲା। ଠିକ ସେମିତି ମିନତୀଙ୍କ ଦଶା ମଧ୍ୟ ଅଭୟଙ୍କ ଭଳି ଥିଲା କାହିଁକିନା ତାଙ୍କ ଆଖିରେ ସମର୍ପଣ ଦେଖା ଯାଉଥିଲା କିନ୍ତୁ ଲାଜ ସରମର ବନ୍ଧନ ତାଙ୍କୁ ବାନ୍ଧି ରଖିଥିଲା। ଅଭୟ ନିଜ ବିବାହ ବିଷୟରେ କାକିଙ୍କ ସହିତ କଥା ହେବାପାଇଁବହୁତ ଥର ଚେଷ୍ଟା କରିଛି କିନ୍ତୁ କହିବାକୁ ସାହସ ପାଇନଥିଲା। କେତେଥର ଆକାଶର ସାହାଯ୍ୟ ନେବାକୁ ମଧ୍ୟ ପ୍ରୟାସ କରିଛି କିନ୍ତୁ ସେ ତାର ଚାକିରୀ ଆଉ ଗୃହସ୍ତୀ ଭିତରେ ଏତେ ବ୍ୟସ୍ତ ରହୁଥିଲା ଯେ ତା ସହିତ ଏକାନ୍ତରେ ବସି ଟିକିଏ କଥା ହେବାର ସୁଯୋଗ ମିଳିନଥିଲା। ଏତଦବ୍ୟତୀତ ସେ କ୍ଵଚିତ ସମୟ ପାଇଁ ଆସି ଚାଲିଯାଉଥିଲା ତେଣୁ ଅଭୟ ବିଶେଷ କିଛି ସମ୍ଭବତ ଏହି ବିଷୟରେ ଆଲୋଚନା କରିପାରିନଥିଲା। ଅସୀମା ଗର୍ଭବତୀ ହେବା ହେତୁ ତା କାକି ଲମ୍ବା ଛୁଟି ମଗାଇ ନିଜ ପାଖକୁ ନେଇଆସିଲେ। ସେତେବେଳକୁ ଅସୀମା ପାଞ୍ଚ ମାସର ଗର୍ଭ ହୋଇଥାଏ। ତାଙ୍କ କାକି ବହୁତ ଜାଗ୍ରତ ସହକାରେ ତାଙ୍କର ଦେଖଭାଲ କରୁଥାନ୍ତି। ଘରକୁ ନୂଆଁ ଅତିଥି ଆସିବା ଖୁସିରେ ଘରେ ପ୍ରାୟ ସବୁବେଳେ ଯେମିତି ପର୍ବ ପାଳିବା ପରି ଜଣାଯାଉଥିଲା। ଏତିକି ଦିନ ଭିତରେ ଅଭୟ ଅସୀମା ସହିତ କେବେ କେବେ ପଦେ ଦିପଦ କଥା ହେଇଥିବେ। ଜୀବନର ଗତି ନିଜ ହିସାବରେ ଚାଲିଥାଏ। ହଠାତ ଦିନେ ଆକାଶର ରୋଡ଼ ଏକ୍ସିଡେଣ୍ଟରେ ମୃତ୍ୟୁ ହେଇଗଲା ଏତେ ବଡ଼ ଦୁଃଖଦ ଖବର ଶୁଣି ପରିବାର ଭିତରେ ଯେମିତି ଆକାଶଟା ଛିଣ୍ଡି ପଡିଲା। ଆକାଶର ବାପା ମାଙ୍କ ଅବସ୍ଥା ଅତି ଶୋଚନୀୟ ହେଇଗଲା ଆଉ ଅସୀମା ଯେମିତି ଗୋଟିଏ ପାଷାଣ ପାଲଟିଗଲା। ଅଭୟ ନିଜକୁ ସମ୍ଭାଳିବା ସହ ସମସ୍ତଙ୍କୁ ସମ୍ଭାଳିବା ପାଇଁ ଅନେକ ପ୍ରଚେଷ୍ଟା କରିଛି। ଅସୀମାକୁ ଅନେକ ବୁଝାଇବାପାଇଁ ଚେଷ୍ଟା କରି କହିଛି " ନିଜ କଥା ନହେଲା ନାହିଁ ଅତି କମରେ ପେଟରେ ବଢୁଥିବା ଛୁଆଟାର କଥା କୁ ଭାବ ତାରି ଉପରେ ଖରାପ ପ୍ରଭାବ ପଡିଲେ ମା ଛୁଆ ଦିଜଣଙ୍କ କ୍ଷତିହେବ"ଏହି କଥା ଶୁଣି ଆଖିରୁ ଲୁହ ପୋଛି ଅତି କଷ୍ଟରେ ମନର ଦୁଃଖକୁ ଚାପିରଖିବାକୁ ଚେଷ୍ଟା କରୁଥିଲା ଅସୀମା। ଆକାଶ ଯିବାପରେ ଆମ ସମସ୍ତଙ୍କ ଜୀବନଟା ରଙ୍ଗହୀନ ହୋଇଗଲା। ଆମେ ସମସ୍ତେ ଯେମିତି ଗୋଟିଏ ଗୋଟିଏ ଯନ୍ତ୍ରମାନବ ପାଲଟିଗଲୁ। ନିଜ ନିଜ କାମ କରି କିଏ କାହାକୁ କିଛି କଥାବାର୍ତ୍ତା କରିବାଟା ମଧ୍ୟ କମିଗଲା। ଜୀବନ ଯାତ୍ରାର ଅଙ୍କା ବଙ୍କା ରାସ୍ତାରେ ଅଭୟର ମନ ମତିଷ୍କ ଭିତରେ ଗୋଟିଏ ଆନ୍ଦୋଳନ ସୃଷ୍ଟି ହେଉଥିଲା। ତା କକା ଅସୀମା ସହିତ ବିବାହ କରିବା କଥା କହିସାରିବା ପରେ ଅଭୟର ଉତ୍ତରକୁ ଅପେକ୍ଷା କରି ଗୋଟାଏ ନିଶ୍ଟିତ ଆଶା ରଖି ଚାହିଁଥିଲେ। ଅଭୟର ବିତିଯାଇଥିବା ସମୟ ଆଉ ଆଜିର ସମୟ ସହିତ ତୁଳନା କରିଲେ ଯାହା ଜଣାପଡେ ଯେ। ଅଭୟ ଯେତେବେଳେ ମା ବାପାଙ୍କ ହାତ ମୁଣ୍ଡ ଉପରୁ ଉଠିଗଲା ପରେ ଏହି କକା କାକି ହିଁ ସାହାରା ଦେବାପାଇଁ ଆସି ଛିଡା ହୋଇଥିଲେ। ଯଦି ସେତେବେଳେ ସେମାନେ ସାହାରା ଦେଇନଥାନ୍ତେ ତାହେଲେ ଅଭୟର ଅବସ୍ଥା ଆଜି କଣ ହେଇଥାନ୍ତା କିଏ ଜାଣେ। ଇତିହାସ ସତ୍ୟ ନିଜକୁ ପୁନଶ୍ଚ ମନେପକାଇ ଦିଏ। ଆଜି କକା ଯଦି ଜୀବନ ମାଗିଥାନ୍ତେ ତାହେଲେ ବିନା ଭାବନାରେ ଖୁସିରେ ଦେଇ ଦେଇଥାନ୍ତି କିନ୍ତୁ ତା କକା କେବଳ ଅସୀମା ସହିତ ବିବାହର ପ୍ରସ୍ତାବ ରଖି ଅଭୟକୁ ଦ୍ଵନ୍ଦ ଭିତରେ ପକାଇ ଦେଲେ। ଅଭୟ ଅତି ଧୀର ଭାବରେ କହିଲା "କକା ଅସୀମାକୁ ମୁଁ ସବୁବେଳେ ନିଜର ଛୋଟ ଭଉଣୀ ଭଳି ଦେଖିଛି ଏମିତିରେ ମୁଁ ତା ସହିତ କେମିତି ବିବାହ କରି ପାରିବି।" "ଅଭୟ, ତୁ ଏମିତି ମୋତେ ନିରାଶ କରିଦେଲେ ଆମେ ଆଉ କୁଆଡେ ଯିବୁ" ଏମିତି କହି ରମେଶ ବାବୁ କାନ୍ଦି ପକାଇଲେ, ଅଭୟ ତାଙ୍କୁ ଆଶ୍ୱାସନା ଦେଇ କହିଲା "କକା, ନିଜକୁ ଟିକିଏ ସମ୍ଭାଳି ନିଅନ୍ତୁ, ଏମିତି ନିରାଶ ହେଲେ ସମସ୍ୟାର ସମାଧାନ କେମିତି ହେବ। ମୁଁ ଏକଥା ଜାଣି ନାହିଁ ଯେ ଆପଣ ଅସୀମାର ପୁର୍ନରବିବାହ କରିବା ପାଇଁ ଚିନ୍ତା କରିଛନ୍ତି ବୋଲି, ପ୍ରକୃତରେ ମୋର ସାଙ୍ଗ ପ୍ରଦୀପ ତା ନିଜର ବଡ଼ ଭାଇ ପ୍ରତାପ ପାଇଁ ମୋତେ ଅସୀମା ବିଷୟରେ ପଚାରିଥିଲା କିନ୍ତୁ ମୁଁ ତା ପ୍ରସ୍ତାବକୁ ନଶୁଣିବା ଭଳି ଏଡେଇ ଦେଇଥିଲି କାରଣ ବିଚାରୀ ଅସୀମା ଏଯାଏ ଆକାଶର ଦୁଃଖକୁ ଭୁଲିପାରି ନାହିଁ ତାଛଡା ତାର ଛୁଆଟା ଏବେ ଅସୀମାର ପେଟରେ ବଢୁଛି। ଏମିତି ପରିସ୍ଥିରେ ତାଙ୍କୁ ବିବାହ ବିଷୟରେ କେମିତି କହିଥାନ୍ତି। ତଥାପି ପ୍ରଦୀପ ମୋତେ ବହୁତ ବୁଝାଇଥିଲା। "ଦେଖ ଅଭୟ ଏହି ବିଷୟରେ ଟିକିଏ ଗଭୀର ଭାବରେ ବିଚାର କର, ଯାହା ହେଲା ତାହା ବହୁତ ବଡ଼ ଅସୁବିଧା ହେଲା ସେସବୁ ତ ହେଇଯାଇଛି ଏବେ ସେଥିରୁ ବାହାରିବା ପାଇଁ ଉପାୟ ଚିନ୍ତା କରିବା କଥା ମୋର ଭାଉଜ ପୁଅଟିଏ ଜନ୍ମ ଦେଇ ଆଖି ବୁଜିଦେଲେ। ଆଜି ପୁଅକୁ ଦେଢ଼ ବର୍ଷ ହେଇଗଲାଣି ମୋର ମା ପୁଅର ଦେଖା ଚାହାଁ କରୁଛି କିନ୍ତୁ ସେ ଏହି ବୁଢ଼ୀ ବୟସରେ ପୁଣି ପ୍ରାୟତଃ ତାଙ୍କ ଦେହ ଅସୁସ୍ଥ ରହୁଛି । ମୋ ଭାଇ ପୁଣି ବିବାହ କରିବା ପାଇଁ ଅମଙ୍ଗ ହେଉଛି ଏଇଥି ପାଇଁ ଯେ ଯଦି ସେ ଦ୍ୱିତୀୟ ବିବାହ କରନ୍ତି ତାଙ୍କ ଜୀବନ ଠାରୁ ଅଧିକା ଭଲପାଉଥିବା ତାଙ୍କ ପୁଅ ସହିତ ବ୍ୟବହାରରେ ପାତର ଅନ୍ତର ହେଲେ ସେ ସହି ପାରିବେ ନାହିଁ, ଠିକ ସେମିତି ଅସୀମା ସହିତ ଯଦି ତାହା ହୁଏ ତାହାହେଲେ ସେ ଜୀବନଟା କେମିତି କାଟିବ। ଦେଖ ସାଙ୍ଗ ମୋର ଭାଇ ଆଉ ଅସୀମା ସେ ଦୁଇଜଣ ସଂଯୋଗବଶତଃ ନିଜ ଜୀବନସାଥୀ ଠାରୁ ଅଲଗା ହୋଇ ଅଧୁରା ରହିଗଲେ। ଆମେ ଦୁଇଜଣ ସେ ଦୁଇଜଣଙ୍କୁ ମିଳାଇ ଦେଇ ସେମାନଙ୍କ ଜୀବନକୁ ସରସ ସୁନ୍ଦର ଏବଂ ସଫଳ କରିପାରିବା ତାହେଲେ ଏହାହିଁ ପ୍ରକୃତରେ ଉଚିତ ହେବ। ମୁଁ ବହୁତ ଚିନ୍ତା କରିସାରିବା ପରେ ଏହି ପ୍ରସ୍ତାବ ଦେଲି। ଦୁହେଁ ନିଜ ନିଜର ଛୁଆଙ୍କୁ ନିଜର କରି ଜୀବନସାଥୀ ହୋଇ ସୁନ୍ଦର ସଂସାର କରିପାରିବେ ଏଥିରେ ଦୁହିଁଙ୍କ ସୁଖ, ଯାହା ଘଟିଗଲା ତାକୁତ ବଦଳାଇ ପାରିବା ନାହିଁ କିନ୍ତୁ ସେମାନଙ୍କ ଭବିଷ୍ୟତ ନିଶ୍ଚୟ ସୁଧୁରି ଯିବ।" ଏତେ ସବୁ କଥା ଶୁଣିବାପରେ ଅଭୟ କହିଲା କକାଙ୍କୁ, " ମୁଁ ଗଭୀର ଭାବରେ ବିଚାର କରିବା ପରେ ମୋତେ କାହିଁକି ପ୍ରଦୀପର କଥା ଉଚିତ ମନେହେଲା। କିନ୍ତୁ ଆପଣ ମାନଙ୍କ ସାମନାରେ ଏହି ବିଷୟରେ ଚର୍ଚ୍ଚା କରିବାକୁ ମୋର ଜମା ସାହସ ହୋଇନଥିଲା। ଆଜି ଆପଣ ଏହି ବିଷୟ କହିଲେ ବୋଲି ମୁଁ ସାହସ କରି ଆପଣଙ୍କୁ କହିପାରିଲି। " ଏତେବେଳ ଯାଏ ରମେଶ ବାବୁ ଅଭୟର କଥା ଗୁଡିକ ମନ ଧ୍ୟାନ ଦେଇ ଶୁଣୁଥିଲେ ଆଉ ଭଲରେ ବୁଝୁଥିଲେ କାରଣ ଏବେ ତାଙ୍କ ମୁହଁରେ ଟିକିଏ ଖୁସିର ଝଲକ ଉଙ୍କି ମାରୁଥିଲା। ଏତେବେଳ ଯାଏ ଅଭୟର କାକି ଦ୍ୱାରର ପରଦା ପଛରେ ରହି ଶୁଣୁଥିଲେ ଅତି ଶୀଘ୍ର ସେ ଏମାନଙ୍କ ସାମନାକୁ ଆସିଗଲେ। ଏକା ଥରକେ ପଚାରିଦେଲେ " ପୁଅ ପ୍ରଦୀପର ଭାଇ କେମିତି ପିଲାଟା ଭଲ ପିଲା ନା? ସିଏ କଣ କରନ୍ତି? ତାଙ୍କ ବୟସ କେତେହେବ? ତୁମେ ତାଙ୍କ ସହିତ କେବେ ମିଶିଛ " ଏମିତି ଅନେକ ପ୍ରଶ୍ନ ଏକା ନିଶ୍ୱାଷରେ ପଚାରିଦେଲେ। ଅଭୟ ତାଙ୍କୁ ପଲଙ୍କ ଉପରେ ବସାଇ ଦେଇ କହିଲା " କାକି, ପ୍ରଥମେ ଆପଣ ଏଇଠି ବସନ୍ତୁ ମୁଁ ସବୁ କହୁଛି, ପ୍ରତାପ ବହୁତ ଭଲ ମଣିଷଟିଏ, ସଂସ୍କାରି ମଧ୍ୟ, ସରକାରୀ ସ୍କୁଲରେ ସେ ଶିକ୍ଷକତା କରନ୍ତି ଆଉ ମୋ ବୟସର ହେବେ। ପ୍ରଥମେ ଆପଣମାନେ ତାଙ୍କ ସହ ଦେଖା ସାକ୍ଷାତ କରନ୍ତୁ ତାପରେ ନିର୍ଣ୍ଣୟ ନେବେ। ମୁଁ ଅସୀମାଙ୍କୁ ଦେଖି ଚିନ୍ତାରେ ପଡିଯାଉଛି, ବୁଝିପାରୁନି ସିଏ ଏହି ପ୍ରସ୍ତାବକୁ ଗ୍ରହଣ କରିବ କି ନାହିଁ। " ପୁଅ, ତୁମେ ସେବିଷୟରେ ଜମା ଚିନ୍ତା କରନା, ତାଙ୍କୁ ବିବାହ କରିବା ପାଇଁ ଆମେ ସମସ୍ତେ ପ୍ରୋତ୍ସାହନ ଦେବାକୁ ହେବ। ବାହାଘର ହେଲାପରେ ସେ ନିଜକୁ ସୁରକ୍ଷିତ ମନେକରିବ। ଯାହା ଅସୀମାଙ୍କ ଗର୍ଭ ଉପରେ ସକାରାତ୍ମକ ପ୍ରଭାବ ପଡିବ ସେ ଏବେ ନିଜକୁ ଏକଲା ଆଉ ଅସୁରକ୍ଷିତ ବୋଲି ଭାବୁଛି। ଗୋଟିଏ ସ୍ତ୍ରୀ ହେଇଥିବା ହେତୁ ମୁଁ ଗୋଟିଏ ନାରୀର ଭାବନାକୁ ଭଲଭାବରେ ବୁଝିପାରୁଛି। ଯଦି ତାକୁ ସାହାରା ମିଳିଯିବ ତାହେଲେ ସେ ଦୁନିଆ ଆଉ ଜୀବନର ଆଲୋକ ପାଇଯିବ। ଆମ ମାନଙ୍କ ସାହାଯ୍ୟ ଆଉ ସହଯୋଗ ପାଇଲେ ଜୀବନର ଚଲାପଥଟା ତାର ସହଜ ଆଉ ସରଳ ହେଇଯିବ। " ଟିକିଏ ନିରବ ରହିବା ପରେ ପୁଣି କାକି କହିଲେ " ଅସୀମା ଆଉ ପ୍ରତାପଙ୍କ ବାହାଘର ପରେ ଆମେ ତୁମର ମଧ୍ୟ ବାହାଘର କରିଦେବାକୁ ଚାହୁଁଛୁ। " ଏକଥା ଶୁଣି ଅଭୟ ଟିକିଏ ହସିଦେଇ କହିଲା, " ଠିକ ଅଛି କାକି କିନ୍ତୁ ଏବେ ଆମକୁ ଅସୀମାଙ୍କ ବିଷୟରେ ଚିନ୍ତା କରିବା କଥା, କମ ବୟସରେ ଅସୀମା ଉପରେ ଗୋଟିଏ ବଡ ବିପଦ ପଡିଗଲା। " ପ୍ରତାପ ସହିତ ଅସୀମାର ବାହାଘର ନିରାଡ଼ମ୍ବରରେ ବିବାହ ସମ୍ପର୍ଣ ହୋଇଗଲା ସମସ୍ତଙ୍କ ସହଯୋଗରେ ଅସୀମା ନିଜକୁ ସ୍ୱାଭାବିକ କରିନେଲା। ଠିକ ସମୟରେ ଅସୀମା ଗୋଟିଏ ଝିଅକୁ ଜନ୍ମ ଦେଲା। ଏଥିରେ ସମସ୍ତେ ଖୁସି ମନାଇଲେ ସବୁଠାରୁ ବଡ଼ କଥା ହେଲା ଅସୀମା ବହୁତ ଖୁସି ଜଣାପଡୁଥିଲା ପ୍ରତାପ ସେହି ଝିଅକୁ ନିଜ କୋଳକୁ ନେଇ ଆତ୍ମ ବିଭୋର ହେଉଥିଲା। ଏହିଠାରୁ ଅସୀମା ଆଉ ପ୍ରତାପଙ୍କ ଜୀବନ ଯାତ୍ରାର ଶୁଭାରମ୍ଭ ହେଇଥିଲା। କିନ୍ତୁ ଅଭୟର ଜୀବନ ଯାତ୍ରା ନିମନ୍ତେ ସମସ୍ତେ ତତ୍ପର ହୋଇ ଉଠିଥିଲେ ଖୁବ କମ ଦିନ ଭିତରେ ଅଭୟ ଆଉ ମିନତୀର ବିବାହ ବଡ଼ ଧୂମଧାମରେ ସାରିଦେଇଥିଲେ......। ବୀଣା ନାୟକ
