ବାପା
ବାପା
ଆଜି ପୁଣି ଚାକିରୀରୁ ବାହାର କରିଦିଆଗଲା। ନାନା କଟୁ ମନ୍ତବ୍ୟ ଦେଇ ସବୁ ଦିନ ପାଇଁ ଅଫିସରୁ ବାହାର କରିଦେଲେ ଅଙ୍କିତକୁ। ପୂର୍ବ ବର୍ଷକ ଭିତରେ ତୃତୀୟ ଥର ତାଙ୍କୁ ଚାକିରୀରୁ ବାହାର କରିଦିଆଗଲା। ରାତି ହେଇ ଯାଇଥାଏ ସେ ବଜାର ଭିତରେ ଥିବା ଗୋଟିଏ ଗଛ ତଳେ ପଡ଼ିଥିବା ବେଞ୍ଚ ଉପରେ ବସିଥିଲା। ଘରକୁ ଯିବାପାଇଁ ଜମା ମନ ହେଉନଥିଲା। ସେଇଠି ବସି ତାଙ୍କ ବନ୍ଧୁଙ୍କୁ ବାରମ୍ବାର ଫୋନ ଲଗାଉଥିଲା। ତାଙ୍କୁ ଫୋନ କରିବାର କାରଣ ଏହାଯେ ଯଦି କୋଉଠି ଖାଲି ଥିବ ତାହେଲେ ସେ କହି ଅଙ୍କିତକୁ କୋଉଠି କାମରେ ରଖିଦେବେ। ତାକୁ ବର୍ତ୍ତମାନ ସ୍ଥିତିରେ ଚାକିରୀଟିଏ ନିହାତି ଜରୁରୀ।
ଅଙ୍କିତ କାମରେ ଠକିବା ଲୋକ ନୁହଁ ସେ ଜଣେ କର୍ମଠ ମଣିଷ ତାର କେବଳ ଏତିକି ଭୁଲଯେ ବର୍ତ୍ତମାନ ସମୟର କମ୍ପୁଟର ଯୁଗରେ ସେ ଏତେଟା କମ୍ପୁଟର ଚଳାଇବା ଜାଣିନଥିଲା। ଅବଶ୍ୟ ସେ ଅଳ୍ପ ବହୁତ କମ୍ପୁଟର ଚଳାଇବା ଶିଖିଯାଇଥିଲା ହେଲେ ଆଜିକାର ପିଲାମାନେ ଯୋଉ ଭଳି ଚଳାଉଛନ୍ତ ସେହି ଭଳି ସେ ଚଳାଇପାରୁନଥିଲା ଏଇଥିପାଇଁ ତାର ପ୍ରାୟତଃ ଭୁଲ ହେଇଯାଉଥିଲା ତେଣୁ ସେ ସବୁ ସମୟରେ ଗାଳିମନ୍ଦ ମଧ୍ୟ ଶୁଣିବାକୁ ପଡୁଥିଲା।
ଘଣ୍ଟାରେ ରାତି ଦଶଟା ବାଜିବାର ସୂଚନା ଅଙ୍କିତ ନିରାଶ ଆଉ କୀକର୍ତ୍ତବ୍ୟ ହୋଇ ହତାଶ ହୋଇ ଘରେ ପହଞ୍ଚିଲା।
ଘରେ ପଶୁ ପଶୁ ସ୍ତ୍ରୀ ଅଳକା ବଡ଼ ପାଟିକରି କହିଲା " କୋଉଠି ଥିଲ ଏତେ ରାତିଯାଏ ?
କାହା ସହିତ ରହିଥିଲ ଏତେବେଳ ଯାଏ?
ତୁମକୁ ଟିକିଏ ଲାଜ ସରମ ନାହିଁ ନା କଣ?
ଘରେ ଯବାନ ପୁଅ ଝିଅ ବସିଛନ୍ତି। ତାଙ୍କର ବିବାହ ବୟସ ଚାଲିଯାଉଛି। କେବେ ଚେତା ପଶିବ ମୁଣ୍ଡରେ? ଯଦି ସେମାନଙ୍କର ଦାୟିତ୍ୱ ତୁଲାଇବା ଶକ୍ତି ନଥିଲା ସେମାନଙ୍କୁ ଜନ୍ମ ଦେଉଥିଲ କାହିଁକି?"
ଅଙ୍କିତ କିଛି ହେଲେ ପ୍ରତିଉତ୍ତର ଦେଲାନାହିଁ। ତା ସ୍ତ୍ରୀର ଏହି ପ୍ରତିଦିନ ଏମିତି ଗାଜୁରୁ ବାଜୁରୁ ହେବା ଉପରେ ସେ ଉତ୍ତର ଦେବାଟା କେବେଠାରୁ ଛାଡିଦେଲାଣି। ଏବେ ସେ ବାହାରେ ରହିଥିବା ପାଣି ଟାଙ୍କିରେ ଲାଗିଥିବା ନଳରେ ମୁହଁ ହାତ ଧୋଉଥିବା ସମୟରେ ତା ଝିଅ ପାଖକୁ ଆସି କହିଲା
" ବାପା ମୋ ପାଇଁ ମୋବାଇଲ ଆଣିଲ କି? "
ଅଙ୍କିତ ଝିଅକୁ ମଧ୍ୟ କିଛି ନକହି ନିରବ ରହିଲା। ଝିଅ ପୁଣି ପଚାରିଲା " ବାପା ତୁମେ କିଛି କହୁନ କାହିଁକି? ସକାଳେ ତ ମୋତେ କହିକି ଯାଇଥିଲ ଯେ ରାତିକୁ ଆସିଲାବେଳେ ମୋ ପାଇଁ ମୋବାଇଲ ଆଣିବ ବୋଲି " ଅଙ୍କିତ ପୁଣି ଚୁପ ହିଁ ରହିଲା।
ସେ ଯଦି କହିଥାନ୍ତା ତାହେଲେ କଣ କହିଥାନ୍ତା। ଝିଅର ମୋବାଇଲ ପାଇଁ ଆଡ଼ଭାନ୍ସ ମାଗିବା ହେତୁ ତ ତାର ମାଲିକ ତାକୁ ଚାକିରୀରୁ ବାହାର କରିଦେଇଛି।
ଝିଅ ତା ହାତରେ ଧରିଥିବା ପୁରୁଣା ମୋବାଇଲଟାକୁ ଦେଖାଇକି କହିଲା " ତୁମକୁ କଣ ମୁଁ ମିଛ କହୁଛି? ଦେଖ ଏହି ମୋବାଇଲଟା ସତକୁ ସତ ଖରାପ ହେଇଯାଇଛି, ଅନ କରିବା ମାତ୍ରେ ଆପେ ଆପେ ହେଙ୍ଗ ହେଇଯାଉଛି "
ଅଙ୍କିତ ତଥାପି ଚୁପ ଥିଲା। ନିଜର ଚାକିରୀ ଚାଲିଯିବା କଥାଟା ସେ କାହାକୁ ଜଣାଇବାକୁ ଚାହୁଁନଥିଲା। କାହିଁକିନା ସେ ଜାଣିଥିଲା ଯଦି ସିଏ କଥାଟା କହିଦେବ ତାହେଲେ ପୁଅ, ଝିଅ ଆଉ ପତ୍ନୀ ସମସ୍ତେ ମିଶି ତା ପଛରେ ପଡିଯିବେ ଆଉ କହିବେ ଠିକରେ କାମ କରୁନଥିବ ତେଣୁ ପ୍ରତି ଚାରି ମାସରେ ତାକୁ ଚାକିରୀରୁ ବାହାର କରିଦେଉଛନ୍ତି।
ମୁହଁ ହାତ ଧୋଇସାରିବା ପରେ ସେ ସିଧା ନିଜ ରୁମକୁ ଚାଲିଗଲା। ଯୋଉଠି ଶେଯଉପରେ ଶୋଇ ମୋବାଇଲ ଚଲାଉଥିଲା ତାଙ୍କ ପତ୍ନୀ । ଯାହାର ଆଖି ମୋବାଇଲ ସ୍କ୍ରିନ ଉପରେ ଥିଲା କିନ୍ତୁ କାନଟା ଘରେ ହେଉଥିବା କଥା ଶୁଣୁଥିଲା।
ଅଙ୍କିତ ଯେମିତି ରୁମ ଭିତରେ ପାଦ ରଖିଛି ସିଏ ବଡ଼ ପାଟିରେ କହିଲା "ତାର ଉତ୍ତର କାହିଁକି ଦେଉନ, କାଲା ହେଇଗଲନା କଣ। ଝିଅକୁ ମୋବାଇଲ କାହିଁକି ଆଣି ଦେଲନି ।"
ଅଙ୍କିତ ବହୁତ ଧୀର ସ୍ୱରରେ କହିଲା "ହାତରେ ପଇସା ନଥିଲା ପଇସା ମିଳିଲେ ଆଣିଦେଵି "
ତାଙ୍କ ସ୍ତ୍ରୀ କହିଲା ହାତରେ ପଇସା ଯଦି ନଥିଲା କାହାଠାରୁ ଧାର ଆଣିଥାନ୍ତ, ତୁମେ ତ ଜାଣିଛ ସିଏ କମ୍ପିଟିସନ ପାଇଁ ପ୍ରିପେର ହେଉଛି ମୋବାଇଲ ନହେଲେ ସେ କେମିତି ପଢିବ। "
ଅଙ୍କିତ ପାଖରେ ତାର ଉତ୍ତର ଦେବାପାଇଁ ଅନେକ କଥା ଥିଲା କିନ୍ତୁ ସେ ଚୁପ ରହିବାଟା ଉଚିତ ମନେକରି ନିରବ ରହିଗଲା। ସିଏ ରୋଷେଇ ଘରକୁ ଗଲା ନିଜେ ଥାଳି ଧରି ଖାଇବା ବାଢ଼ୀ ଆଣି ଖାଇନେଲା।
ଅଙ୍କିତର ଝିଅ ଏବେ ବାଇଶି ବର୍ଷର ହେଇଗଲାଣି ଆଉ ପୁଅ ଚବିଶ ବର୍ଷର ହେଇଗଲାଣି। ସେ ଦୁଇଜଣ ପାଠ ପଢ଼ାରେ କମ କିନ୍ତୁ ସୋସିଆଲ ମେଡିଆରେ ଅଧିକ ସମୟ ବିତାନ୍ତି। ଏଇଥିପାଇଁ ସେ କମ୍ପିଟିସନରେ ପାଇବାଟା ପ୍ରଶ୍ନହିଁ ଉଠୁନି। ଏବେ ଅଙ୍କିତ ଖାଇବା ସମୟରେ ତା ପୁଅ ବାହାରୁ ଗୋଟିଏ ଗୀତର ସ୍ବରକୁ ଗୁଣୁ ଗୁଣୁ ହୋଇ ସିଧା ରୋଷେଇ ଘରକୁ ଆସିଲା କିନ୍ତୁ ସେଇଠି ଅଙ୍କିତକୁ ଖାଇବା ଦେଖି ତା ରୁମକୁ ଚାଲିଗଲା।
ତାର ଚାଲି ଚଳନରୁ ଜଣା ପଡୁଥିଲା ସାଙ୍ଗ ସାଥୀଙ୍କ ସହିତ ମିଶି ମଦ ପିଇ ଆସିଛି।
ପ୍ରଥମେ ପ୍ରଥମେ ଯେତେବେଳେ ତା ପୁଅ ପିଇକରି ଘରକୁ ଆସୁଥିଲା ସେତେବେଳେ ଅଙ୍କିତ ତାକୁ ବହୁତ ଗାଳିମନ୍ଦ କରୁଥିଲା। ଦିନକର କଥା ତା ପୁଅ ମୁହଁରେ ଉପରେ ଜବାବ ଦେଇଦେଲା ତେଣୁ ରାଗରେ ପୁଅ ଉପରକୁ ହାତଟା ଉଠିଗଲା ହେଲେ ପୁଅ ହାତଟାକୁ ତାର ଧରିଦେଲା ଆଉ ରାଗରେ ଅଙ୍କିତକୁ ଆଖି ଦେଖାଇଦେଲା। ସେଇଦିନୁ ପୁଅକୁ କୌଣସି କଥା କହିବାଟା ପୁରାପୁରି ଛାଡିଦେଲା ଅଙ୍କିତ ।
ସେ ଖାଇସାରିବା ପରେ ରୁମକୁ ଆସିଲା
ପୁଣି ତା ସ୍ତ୍ରୀ କିଚି କିଚି ହେବା ଆରମ୍ଭ କରିଦେଲା। କିନ୍ତୁ ସେ ଚୁପ ହେଇ ସବୁ ସହି ରହିଗଲା।
ସକାଳୁ ସେ ଶୀଘ୍ର ଉଠି ନିଜର ନିତ୍ୟକର୍ମ ସାରି କାମ ଖୋଜିବାକୁ ଚାଲିଗଲା। ସେ ଜାଣିଥିଲା କାମ ନକରିଲେ ସବୁକିଛି ଅସୁବିଧା ହେଇଯିବ। ପୁଣି ଘର ଖର୍ଚ୍ଚ ପାଇଁ ପଇସା ଦରକାର। ପିଲାଙ୍କ ପାଠ ପଢା ପାଇଁ ପଇସା ଦରକାର। ତାଙ୍କୁ ବିବାହ କରିବାପାଇଁ ଟଙ୍କା ଦରକାର। ସନ୍ଧ୍ୟା ପର୍ଯ୍ୟନ୍ତ ସେ ଭୋକରେ ଏ ଅଫିସରୁ ସେ ଅଫିସ କେବଳ ବୁଲୁଥିଲା। ଖାଲି ପେଟରେ ରହିବା ଯୋଗୁଁ ସୁଗାରର ମାତ୍ରାଟା କମି ଯାଇଥିଲା। ଶରୀରରେ ଦୁର୍ବଳତା ଆସିଯାଇଥିଲା। ମନରେ ଅନେକ ଭାବନାକୁ ନେଇ ରାସ୍ତା ଚାଲୁଥିଲା। ଜଣା ପଡିଲାନି କେତେବେଳେ କଡେ କଡେ ଯାଉଥିବା ମଣିଷଟା ରାସ୍ତା ମଝିକୁ ଆସିଯାଇଥିଲା ଆଗପଟରୁ କ୍ଷିପ୍ର ଗତିରେ ଆସୁଥିବା ହାଇବା ଗାଡ଼ିଟା ତାଉପରେ ମାଡିଦେଇ ଚାଲିଗଲା। ଅଙ୍କିତକୁ ଆଉ ଛଟପଟ ହେବାକୁ ମଧ୍ୟ ସମୟ ମିଳିନଥିଲା ଏକା ଥରରେ ରାସ୍ତାଟା ଉପରେ ହିଁ ଜୀବନଟା ଚାଲିଗଲା।
ଅଙ୍କିତର ପୁଅ, ଝିଅ ଆଉ ସ୍ତ୍ରୀ କାନ୍ଦି କାନ୍ଦି ତାର ଅନ୍ତିମ ସଂସ୍କାର କରିଦେଲେ। ତାର ମୃତୁପରେ ଘରର ଅବସ୍ତତା ସମ୍ପୂର୍ଣ ବଦଳିଗଲା ଯୋଉ ଲୋକମାନେ ଧାର ଉଧାର ଦେଇଥିଲେ ସେମାନେ ଘରକୁ ଆସୁଥିଲେ ପଇସା ମାଗିବାପାଇଁ। ଆପଣାର ଲୋକମାନେ ଆଉ ଫୋନ ଉଠାଇବା ବନ୍ଦ କରିଦେଲେ। ଘରର ୱାଇଫାଇ କନେକ୍ସନ କଟିଗଲାଣି। ଘରେ ନେଟ ଚାଲିବା ବନ୍ଦ ହେଇଗଲା।ପୁଅ ଝିଅ ଏବେ ଖାଇବାରେ ଆଉ ବାଛୁନାହାନ୍ତି ଯାହା ମିଳିଲା ତାକୁ ଖାଇଦେଉଛନ୍ତି। ପୁଅର ସ୍ୱଧିନତା ସରିଗଲା। ଏବେ ସିଏ ଗୋଟିଏ ଲୁଗା ଦୋକାନରେ କାମ କରୁଛି ମାସିକ ସାତ ହଜାର ଟଙ୍କା ଦରମାରେ। ଝିଅ ଗୋଟିଏ ପ୍ରାଇଭେଟ ସ୍କୁଲରେ ମାସିକ ପାଞ୍ଚ ହଜାର ଟଙ୍କାରେ କାମ କଲାଣି।
ସ୍ତ୍ରୀ ପାଇଁ ସବୁକିଛି ବଦଳିଗଲା ମଥାର ସିନ୍ଦୁର ଆଉ ହାତର ଶଙ୍ଖା ଚାଲିଗଲା ପରେ ଏବେ ଆଉ ଶୃଙ୍ଗାର କରିବାପାଇଁ ଦର୍ପଣ ସାମନାରେ ଛିଡା ହେବାକୁ ପଡୁନି। ସ୍ୱମୀ ଦେଖୁ ଦେଖୁ କିଚି ମିଚି ଆରମ୍ଭ କରୁଥିବା ସ୍ତ୍ରୀଟା ଏବେ ତାର ପାଟି ଶୁଭିବାଟା ବନ୍ଦ ହେଇଗଲାଣି। ସ୍ୱାମୀ ଯେତେବେଳେ ବଞ୍ଚିଥିଲା ସେତେବେଳେ ସେ ନିଶ୍ଚିନ୍ତରେ ଶୋଇପଡୁଥିଲା କିନ୍ତୁ ସ୍ୱାମୀ ଗଲାପରେ ଏବେ ଘରେ ଟିକିଏ ଶବ୍ଦ ହେଲେ ଡରି ଯାଉଛି। ସାରା ରାତି ନିଦପାଇଁ ଚିନ୍ତାରେ ରହୁଛି।
ଅଙ୍କିତର ମୃତୁ ପରେ ପୁରା ପରିବାରକୁ ଜଣା ପଡିଲା ଯେ ସେ ତାଙ୍କ ପାଇଁ କଣ ଥିଲା। ସେ ସୁଖ ଥିଲା, ସେ ନିଦ ଥିଲା ସେ ଭାତ, ଲୁଗା, ଘର ଥିଲା, ସେ ବଜାର ଥିଲା ସେ ସବୁ ଆଶାର ବିଶ୍ୱାସ ଥିଲା ସେ ବଞ୍ଚିଥିବା ସମୟରେ ତାର ମୂଲ୍ୟ ତାଙ୍କୁ ଜଣା ନଥିଲା।
ବୀଣା ନାୟକ,
