ବିଶ୍ୱାସ
ବିଶ୍ୱାସ
ଡାକ୍ତର ଅନିଲ ମିଶ୍ର ଏବେ ପଞ୍ଚଚାଳସୀ ବର୍ଷର ହେଇ ଯାଇଥିଲେ ଆଉ ତାଙ୍କ ପରିବାର କହିଲେ ମାଆ, ତାଙ୍କ ସ୍ତ୍ରୀ ଲତା ଆଉ ଦୁଇଟି ଛୁଆ ଥିଲେ ଯାହାକି ଛୁଆ ମାନେ ଏବେ ସ୍କୁଲରେ ପଢୁଥିଲେ।
ତାଙ୍କୁ ଛାଡିଦେଲେ ଆଉ ତାଙ୍କ ପରିବାରର ସମସ୍ତେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି। ମାଆ ଆଉ ଲତା ସବୁ ଦିନ ଭୋଗ ଧରି ମନ୍ଦିର ଯାଆନ୍ତି ଏବଂ ମନ୍ଦିରରେ ସବୁ ଶ୍ରଦ୍ଧାଳୁଙ୍କୁ ଆଦରରେ ଭୋଗ ଦିଅନ୍ତି। ତାଙ୍କ ମାଆ ପ୍ରାୟତ କୁହନ୍ତି "ପୁଅ, ମନ୍ଦିରରେ ଭଗବାନଙ୍କୁ ପ୍ରଣାମ କରି କାମକୁ ଯାଉଥା, ଏଥିରେ ତୋର ଦିନଟି ଭଲରେ କଟିବ।" କିନ୍ତୁ ଡାକ୍ତର ଅନିଲ ତାଙ୍କ ମାଆଙ୍କର ଏହି କଥାକୁ କେବେ ଗଭୀର ଭାବରେ ନିଅନ୍ତି ନାହିଁ। ଆଉ ତାଙ୍କ ସ୍ତ୍ରୀ ଲତା ମଧ୍ୟ ଏହି କଥା କହିବାଟା ଛାଡି ଦେଲେଣି। ସେ ଏହି କଥା ବୁଝିଯାଇଥିଲେ ଯେ ସେ ଯେତେ ଚେଷ୍ଟା କଲେ ମଧ୍ୟ ଡାକ୍ତର ତାର ବିପରୀତ ହିଁ କରିବେ। ଲତାଙ୍କୁ ବିଶ୍ୱାସ ଅଛି ଯେ ଦିନେ ନା ଦିନେ, ଡାକ୍ତର ଅନିଲ ଇଶ୍ୱର ବିଶ୍ୱାସୀ ହେବେ। ଲତା ଯେତେବେଳେ ମନ୍ଦିର ଯିବାକୁ ବାହାରୁଥିଲେ ସେତେବେଳେ ଡାକ୍ତର ଅନିଲଙ୍କୁ କହୁଥିଲେ। "ମାଆ ଆଉ ମୁଁ ମନ୍ଦିର ଯାଉଛୁ ତୁମର ଆଉ ପିଲାମାନଙ୍କର ଜଳଖିଆ ଟେବୁଲ ଉପରେ ରଖି ଦେଇଛି, ତୁମେ ସବୁ ଖାଇନେବ।" ନିଜ ସ୍ତ୍ରୀଙ୍କ କଥା ଶୁଣି ଡାକ୍ତର ଅନିଲ ପୁଣି ଚାଦର ଘୋଡ଼ି ହୋଇ ଶୋଇ ଯାଉଥିଲେ ଆଉ ଲତା ଏ କଥା ମଧ୍ୟ ଜାଣିଥିଲେ ଯେ ସେ ମନେ ମନେ ହସୁଥିବେ ଆଉ ସେ ଅନ୍ଧବିଶ୍ୱାସକୁ ଜମା ପସନ୍ଦ କରନ୍ତିନି। ଏହାର କାରଣ ବୋଧେ ଏହା ହେଇଥିବ କି ସେ ଜଣେ ବିଜ୍ଞ୍ୟାନର ଛାତ୍ର ଥିଲେ ଆଉ ବିଜ୍ଞ୍ୟାନ ପାଠ ପଢି ସେ ଗୋଟିଏ ଭଲ ଡାକ୍ତର ହେଇଛନ୍ତି। ସେ କେବଳ ଆଖିରେ ଦେଖିବା ଆଉ କାନରେ ଶୁଣିବା କଥାକୁ ହିଁ ବିଶ୍ୱାସ କରୁଥିଲେ, କିନ୍ତୁ ଏହି କଥା ମଧ୍ୟ ସତ୍ୟ ଯେ ସେ କେବେ ମଧ୍ୟ କାହାର ବିଶ୍ୱାସକୁ ହସରେ ଉଡାଇ ଦେଉନଥିଲେ । ଲତା ମନ୍ଦିର ଯାଇ ସବୁବେଳେ ସମସ୍ତଙ୍କ ମଙ୍ଗଳ କାମନା କରନ୍ତି ଆଉ ଭଗବାନଙ୍କ ପାଖରେ ସମସ୍ତଙ୍କ ପାଇଁ ପାର୍ଥନା କରନ୍ତି।
ଡାକ୍ତର ଅନିଲ ମିଶ୍ର ଜଣେ ବହୁତ ଦୟାଳୁ ଡାକ୍ତର। ସେ ସବୁବେଳେ ଗୋଟିଏ ଭଲ ଡାକ୍ତରର କର୍ତ୍ତବ୍ୟ ପାଳନ କରନ୍ତି। ଦିନେ ଡାକ୍ତର ଅନିଲ ନିଜ କାରରେ ହସ୍ପିଟାଲ ଯାଉଥିଲେ ସେତିକି ବେଳେ ଜଣେ ବୁଢା ଲୋକ ରାସ୍ତା ପାର ହେବା ବେଳେ ତାଙ୍କ କାର ସାମନାରେ ପଡି ବେହୋସ ହେଇଗଲେ, ଡାକ୍ତର ଅନିଲ ତୁରନ୍ତ କାରକୁ ରାସ୍ତା କଡରେ ରଖି ନିଜର ଡାକ୍ତରି ବ୍ୟାଗ ଧରି ସେହି ବୁଢା ଜଣକୁ ଚିକିତ୍ସା କରିବାରେ ଲାଗିପଡିଲେ, କିନ୍ତୁ ତାଙ୍କୁ ସେହି ରୋଗର କିଛି କାରଣ ଜାଣି ପାରିଲେନି। ସେ ଭିତରେ ହସ୍ପିଟାଲରୁ ଆମ୍ବୁଲାନ୍ସ ଫୋନ କରି ମଗାଇଲେ ଆଉ ଅତି ଶୀଘ୍ର ସେଠାରୁ ରୋଗୀ ଜଣକୁ ନେଇଯିବାକୁ କହିଲେ।
ସେହି ବୁଢ଼ା ଲୋକଟାକୁ ପାଖାପାଖି ସତୁରି ବର୍ଷ ହେବା ଭଳି ଲାଗୁଥିଲା ଆଉ ତାଙ୍କ ପୋଷାକ ପତ୍ରରୁ ଜଣେ ଭିକାରୀ ଭଳି ଜଣାପଡୁଥିଲେ, କିନ୍ତୁ ତାଙ୍କ ବ୍ୟକ୍ତିତ୍ବ ବହୁତ ଆକର୍ଷକ ଥିଲା, ତାଙ୍କ ଉଚକପାଳ, ବଡ଼ ବଡ଼ ଆଖିରେ ବିନମ୍ରତା ଥିଲା, ମୋଟାମୋଟି କହିଲେ ସେ ଜଣେ ଭଲ ମଣିଷ ଭଳି ଜଣାପଡୁଥିଲେ। ଡାକ୍ତର ଅନିଲ ସେହି ବୁଢ଼ାଙ୍କୁ ପ୍ରାଥମିକ ଚିକିତ୍ସାର ଉପଚାର କରିଦେଲେ। ତାଙ୍କର ରକ୍ତ ନମୁନା ପରୀକ୍ଷା କରିବାପାଇଁ ଲେବକୁ ପଠାଇଦେଲେ। ସେହି ବୁଢ଼ା ଲୋକଟାର ରୋଗ ବିଷୟରେ ଅନ୍ୟ ଡାକ୍ତରଙ୍କ ସହ ବିଚାର ବିମର୍ଶ କରିଥିଲେ। ସେହି ଡାକ୍ତର କହିଲେ "ବୋଧେ ତାଙ୍କର ଦୁର୍ବଳତା ହେତୁ ମୁଣ୍ଡ ବୁଲାଇ ଦେଇଥାଇ ପରେ " ତଥାପି ଡାକ୍ତର ଅନିଲ ତାଙ୍କର ECG କରିଥିଲେ ସେଥିରେ ମଧ୍ୟ ସବୁ କିଛି ଭଲ ଥିବାର ଦେଖିଥିଲେ। ଏପର୍ଯ୍ୟନ୍ତ ରକ୍ତ ପରୀକ୍ଷାର ରିପୋର୍ଟ ଆସିନଥିଲା ତେଣୁ ସେହି ରିପୋର୍ଟକୁ ଅପେକ୍ଷା କରିଥିଲେ। ତାଙ୍କୁ ସନ୍ଦେହ ଥିଲା ଯେ କାଳେ ବ୍ଲଡ଼ କ୍ଲାଣ୍ଟ ହେଇ ନାହିଁତ ଯଦି ସେମିତି ହେଇଥିବ ତାହେଲେ ବ୍ଲଡ଼ ରିପୋର୍ଟରେ ଗୋଟିଏ ପ୍ରକାର ଏଲର୍ଜି ନିଶ୍ଚୟ ଦେଖା ଦେବ।
ଡାକ୍ତର ଅନିଲ ଯେତେବେଳେ ଜାଣିଲେ ଯେ ବୁଢ଼ା ଲୋକ ଜଣକ ଏବେ ଭଲ ଅଛନ୍ତି ଆଉ ସେ ବିପଦ ମୁକ୍ତ ସେତେବେଳେ ତାଙ୍କୁ ହସ୍ପିଟାଲର ଗୋଟିଏ କେବିନକୁ ସିଫ୍ଟ କରିଦେଲେ। ହସ୍ପିଟାଲର ସମସ୍ତ ବିଲ ନିଜେ ଦେଇଦେଲେ। ବୁଢ଼ା ଲୋକଟାର ଯେତେବେଳେ ଚେତା ଆସିଲା ସେତେବେଳେ ଡାକ୍ତର ଅନିଲ ବହୁତ ସମ୍ନାନ ସହକାରେ କହିଲେ" ଡରିବାର କିଛି ନାହିଁ ବାବା ଏବେ ଆପଣ ପୁରା ଠିକ ଅଛନ୍ତି ଆଉ ହସ୍ପିଟାଲରେ ରହିଛନ୍ତି "ସେ ବୁଢ଼ା ଲୋକଟା ଟିକିଏ ହସି ଦେଲେ ଆଉ ହାତ ଯୋଡି ଡାକ୍ତର ଅନିଲଙ୍କୁ ଧନ୍ୟବାଦ ଦେଇ କହିଲେ " ମୋ ପାଖରେ ତ ପଇସା ନାହିଁ ହସ୍ପିଟାଲର ଖର୍ଚ୍ଚ ଦେବାପାଇଁ।" ଡାକ୍ତର ଅନିଲ ହସ ହସ ମୁହଁରେ ତାଙ୍କ ହାତଟାକୁ ନିଜ ହାତରେ ନେଇ ଅତି ଆଦରରେ କହିଲେ "ଆପଣ ହସ୍ପିଟାଲର ଖର୍ଚ୍ଚ ବିଷୟରେ ଜମା ଚିନ୍ତା କରନ୍ତୁନି, ମୁଁ ସେସବୁ ବିଲ ଦେଇସାରିଛି।" ଏକଥା ଶୁଣି ବୁଢ଼ା ଲୋକଟାର ଆଖିରେ ଆଖିଏ ଲୁହ ଆସିଗଲା ଆଉ ସେ ଡାକ୍ତର ଅନିଲଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇଲେ ସେତେବେଳକୁ ତାଙ୍କ ହାତ ଦୁଇଟି ଥରି ଉଠିଥିଲା।
ଡାକ୍ତର ଅନିଲ ବହୁତ ସ୍ନେହ ଆଉ ଆଦରରେ ତାଙ୍କୁ କହିଲେ "ଆପଣ ଜମା ଡରନ୍ତୁ ନାହିଁ, ଆପଣ ଅତି ଶୀଘ୍ର ଭଲ ହେଇଯିବେ " ଏତିକି କହି ତାଙ୍କ ପାଖରେ ଥିବା ସେବିକାଙ୍କୁ କିଛି କଥା କହିଦେଇ ଅନ୍ୟ ରୋଗୀଙ୍କୁ ଦେଖିବା ପାଇଁ ଚାଲିଗଲେ।
ରାତିରେ ଯତେବେଳେ ଡାକ୍ତର ଅନିଲ ଘରକୁ ଫେରିଲେ, ଆଉ ପୋଷାକ ବଦଳାଇ ସେ ଟିକିଏ ଶାନ୍ତିରେ ସୋଫାଟା ଉପରେ ବସିଗଲେ। ଲତା ଆସି ଦେଖିଲେ ଆଉ ସ୍ନେହରେ ପଚାରିଲେ "ତୁମ ପାଇଁ ଟିକିଏ ଚା ଆଣିଦେଵି କି।" ଡାକ୍ତର କହିଲେ "ନା ଥାଉ ଆଉ ଟିକିଏ ପରେ ମୁଁ ଭାତ ଖାଇନେବି।" ଅନିଲ ତାଙ୍କ ମାଆ ଆଉ ସ୍ତ୍ରୀ ଲତାଙ୍କୁ ସକାଳେ ଘଟି ଯାଇଥିବା ସବୁ ଘଟଣା ଯାହା ତାଙ୍କ ଗାଡି ଆଗରେ ସେ ବୁଢ଼ା ବେହୋସ ହେବାଠାରୁ ଆରମ୍ଭ କରି ତାଙ୍କୁ ହସ୍ପିଟାଲ ନେବା ଯାଏ ସବୁ କଥା କହିଲେ। ଏ କଥା ଶୁଣି ତାଙ୍କ ମାଆ ଡାକ୍ତର ଅନିଲଙ୍କ ପାଖକୁ ଆସି ତାଙ୍କ ମୁଣ୍ଡ ଉପରେ ହାତଟାକୁ ବୁଲାଇ କହିଲେ " ତୁମେ ବହୁତ ଭଲ କାମଟିଏ କରିଲୁ ଅନିଲ, କିଏ ଜାଣେ ସେ ବୁଢ଼ା ଲୋକଟାର କିଏ ଅଛନ୍ତି କି ନାହିଁ " ଏହି କଥା କହି ତାଙ୍କ ମାଆ କିଛି ଭାବିବାକୁ ଲାଗିଲେ। ଡାକ୍ତର ଅନିଲ ତାଙ୍କ ମାଆଙ୍କୁ ଚାହିଁ ଟିକିଏ ହସିଦେଇ କହିଲେ "ତୁମେ କାହିଁକି ଚିନ୍ତା କରୁଛ ମାଆ, ସେ ଏବେ ପୁରା ପୁରି ଭଲ ଅଛନ୍ତି, ଯେତେ ଦୂର ସମ୍ଭବ ଦୁଇଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ଛାଡି ଦିଆଯିବ।"
ଡାକ୍ତର ଅନିଲଙ୍କ ମାଆ କହିଲେ "ଭଗବାନ ନିଶ୍ଚୟ ତୁମର ଭଲ କାମ ପାଇଁ ଫଳ ଦେବେ " ଏହା ଶୁଣି ଡାକ୍ତର ଅନିଲ ଟିକିଏ ହସି ଦେଇ ମାଆଙ୍କୁ କହିଲେ "ମାଆ ମୁଁ ଏହି କାମ କିଛି ଫଳ ମିଳିବା ପାଇଁ କରିନାହିଁ, ମୁଁ ହେଉଛି ଜଣେ ଡାକ୍ତର
ଏଇଟା ହେଉଛି ମୋର କର୍ତ୍ତବ୍ୟ " ସେଠାରେ ଥିବା ଲତା ତାଙ୍କ ସ୍ୱାମୀଙ୍କ କଥାଶୁଣି ତାଙ୍କୁ ଅତି ସ୍ନେହରେ ଦେଖୁଥିଲେ ଆଉ ମନେ ମନେ ତାଙ୍କୁ ବହୁତ ଭଲ ପାଉଥିଲେ।
ସକାଳେ ଡାକ୍ତର ଅନିଲ ଯେତେବେଳେ ହସ୍ପିଟାଲ ଯିବାକୁ ବାହାରିଲେ, ସେତେବେଳେ ତାଙ୍କ ମାଆ ହାତରେ ଗୋଟିଏ ଟିଫିନ ବକ୍ସ ଧରି ଆସି ଡାକ୍ତର ଅନିଲଙ୍କୁ ଦେଇ ଥିଲେ, ଏକଥା ଦେଖି ଡାକ୍ତର ଅନିଲ ବଡ଼ ଆଶ୍ଚର୍ଯ୍ୟରେ ତାଙ୍କ ମାଆଙ୍କୁ ଦେଖୁଥିଲେ ମାଆ କହିଲେ "ଏହି ଖାଇବାଟା ମୁଁ ମୋ ନିଜ ହାତରେ ସେହି ରୋଗୀ ପାଇଁ କରିଛି, ଜଣା ନାହିଁ ସେ ବିଚାରା ଲୋକଟା ଖାଇଛି କି ନାହିଁ।" ଟିକିଏ ହସିଦେଇ ମାଆଙ୍କୁ କହିଲେ " ମାଆ, ହସ୍ପିଟାଲରେ ସବୁ ମିଳୁଛି, ତଥାପି ତୁମେ ଏତେ ଆଦରରେ ତାଙ୍କ ପାଇଁ ରୋଷଇ କରି ଦେଇଛ ଯେତେବେଳେ ମୁଁ ନିଶ୍ଚୟ ଦେଇଦେବି। " ଏତିକି କହି ଟିଫିନ ନେଇ ହସ୍ପିଟାଲକୁ ଚାଲିଗଲେ. ଯିବା ବାଟରେ ସେହି ବୁଢ଼ା ଲୋକଟା ପାଇଁ ହଳେ ପିନ୍ଧିବା ପାଇଁ ଲୁଗା ଆଉ କମିଜ କିଣି ନେଲେ।
ଡାକ୍ତର ଅନିଲ ସେହି ବୁଢ଼ା ରୋଗୀର କେବିନକୁ ଗଲେ, ବୁଢ଼ା ଜଣକ ବହୁତ ସୁସ୍ଥ ଆଉ ଭଲ ଥିବାର ଦେଖିଲେ ଟିକିଏ ହସିଦେଇ ତାଙ୍କ ମାଆ ଦେଇଥିବା ଟିଫିନଟିକୁ ବୁଢ଼ା ହାତକୁ ବଢ଼ାଇ ଦେଇ କହିଲେ, "ଏହି ଖାଇବାଟା ମୋ ମାଆ ତାଙ୍କ ନିଜ ହାତରେ ଆପଣଙ୍କ ପାଇଁ ରୋଷେଇ କରି ପଠାଇଛନ୍ତି।" ଏହା ଶୁଣି ବୁଢ଼ାଙ୍କ ଆଖିରେ ଲୁହ ଆସିଗଲା, ଡାକ୍ତର ଅନିଲ ହାତରେ ଧରିଥିବା ଲୁଗା ପେକେଟଟିକୁ ବଢାଇଦେଲେ। " କିଛି ଲୁଗା ଆଉ କମିଜ ଆପଣଙ୍କ ପାଇଁ ଏହାକୁ ପିନ୍ଧି ଦିଅ।"
ବୁଢ଼ା ଜଣକ କେବଳ ଚାହିଁଥିଲେ ଆଉ ଗଦ ଗଦ କଣ୍ଠରେ କହିଲେ "ମୁଁ ଆପଣଙ୍କ ଏହି ଉପକାର କେମିତି ସୁଝିବି।" ଡାକ୍ତର ଅନିଲ ବୁଢ଼ା ଲୋକଟାର ଆଖିରେ ଦେଖିଲେ ସେ ଯେମିତି ଅଧିକ ଭାବୁକ ହେଇ ପଡୁଥିଲେ। ଯାହା ଜଣାପଡୁଥିଲା ସେ ବୁଢ଼ା ଲୋକଟା ଯଦି ଖଟିଆରୁ ଓଲ୍ଲାଇବାର ଶକ୍ତି ଥାଆନ୍ତା ତାହେଲେ କେତେବେଳୁ ତାଙ୍କ ଗୋଡ଼ ତଳେ ପଡି କାନ୍ଦି ପକାଇ ଥାନ୍ତା।
ଡାକ୍ତର ଅନିଲ ଅତି ସ୍ନେହରେ ଆଉ ସମ୍ମାନର ସହିତ କହିଲେ "ମଣିଷ ହିଁ ମଣିଷର କାମରେ ଆସେ, ଆଉ ଏହାତ ମୋର କର୍ତଵ୍ୟ। ଆପଣ ଏବେ ଟିକିଏ ବିଶ୍ରାମ ନିଅନ୍ତୁ ଆଉ ଅଧିକ କିଛି ଭାବନ୍ତୁ ନାହିଁ, ଧିରେ ଧିରେ ସବୁ ଠିକ ହେଇଯିବ।" ଏତିକି କହି ସେ ହସ୍ପିଟାଲର ଅନ୍ୟ ରୋଗୀଙ୍କୁ ଦେଖିବା ପାଇଁ ଚାଲିଗଲେ।
ରାତିରେ ହସ୍ପିଟାଲରୁ ଘରକୁ ଯିବା ପୂର୍ବରୁ ସେ ବୁଢ଼ା ରୋଗୀଙ୍କ ସହ ସାକ୍ଷାତ କରି ଯିବାଟା ଠିକ ହେବ ବୋଲି ବିଚାର କରିଲେ। ତାଙ୍କର ବ୍ଲଡ଼ ରିପୋର୍ଟ ଆସିଯାଇଥିଲା, ଯାହାକି ସବୁ କିଛି ଠିକ ଥିଲା। ଏହି ସବୁ କଥା କହିବା ପାଇଁ ଡାକ୍ତର ଅନିଲ ବୁଢ଼ା ଲୋକଟାର କେବିନ ଭିତରକୁ ପଶିଗଲେ ସେଇଠି ଯାହା ଦେଖିଲେ ସେ ଟିକିଏ ବିଚଳିତ ହେଇଗଲେ ବେଡ଼ରେ ସେହି ବୁଢ଼ା ରୋଗୀ ଜଣକ ନଥିଲେ ସେ ଚାରି ଆଡକୁ ନଜର ବୁଲାଇ ଦେଖିଲେ ଟେବୁଲ ଉପରେ ଗୋଟିଏ ଚିଠି ଥିଲା ଆଉ ସେହି ଚିଠି ଉପରେ ଗୋଟିଏ ଫୁଲ ରଖାଯାଇଥିଲା। ଡାକ୍ତର ଅନିଲ ଚିଠିଟିକୁ ଉଠାଇ ପଡିଲେ, ଆଉ ମନେ ମନେ ହସିଦେଲେ ତାପରେ ଘରକୁ ଚାଲିଗଲେ। ସେହି ଚିଠିଟି ବୁଢ଼ା ଜଣକ ଡାକ୍ତର ଅନିଲଙ୍କୁ ଲେଖିଥିଲେ ଆଉ ସେଥିରେ ଲେଖା ଥିଲା ଯେ "ମୁଁ ଆପଣଙ୍କ ଉପକାରର ମୂଲ୍ୟ ସାରା ଜୀବନରେ ସୁଝି ପାରିବି ନାହିଁ, କିନ୍ତୁ ମୁଁ ଆପଣଙ୍କୁ ଆଶ୍ରିବାଦ ନିଶ୍ଚୟ ଦେଇପାରିବି, ଆପଣ ଆପଣଙ୍କର ପ୍ରତେକ କାମରେ ସଫଳତା ମିଳୁଥାଉ ଆଉ ଆପଣଙ୍କ ସପରିବାରଙ୍କ ଉପରେ ଭଗବାନଙ୍କ କୃପା ସବୁବେଳେ ରହି ଥାଉ " ଚିଠିର ଶେଷରେ ଲେଖା ଥିଲା "ଆପଣଙ୍କ ମାଆଙ୍କ ହାତ ରନ୍ଧା ଖାଇବାଟା ବହୁତ ସ୍ୱାଦିଷ୍ଟ ଥିଲା, ଆପଣ ମୋ ତରଫରୁ ତାଙ୍କୁ ଧନ୍ୟବାଦ ଜଣାଇ ଦେବେ, ଭଗବାନ ଆପଣଙ୍କୁ ସବୁବେଳେ ସୁଖୀ ରଖନ୍ତୁ।"
ଡାକ୍ତର ଅନିଲ ସେହି ଚିଠିଟିକୁ ବାରମ୍ବାର ପଡ଼ିଥିଲେ ଆଉ ହସୁଥିଲେ ଆଉ ଚିଠିଟିକୁ ପକେଟରେ ରଖିଦେଲେ।
ଡାକ୍ତର ଅନିଲ ଘରେ ପହଞ୍ଚିଲା ପରେ ସବୁ କଥା ତାଙ୍କ ମାଆ ଆଉ ସ୍ତ୍ରୀଙ୍କୁ କହିଥିଲେ। ତାଙ୍କ ମାଆ ଏହି ସବୁ କଥା ଶୁଣିବା ପରେ କହିଲେ " ସେହି ବୁଢ଼ା ଲୋକଟା କେତେ ଅସୁବିଧାର ସମୁଖୀନ ହେଇନଥିବ, ବିଚାରା। " ତାପରେ ସମସ୍ତେ ସେହି କଥାକୁ ଭୂଲି ଯାଇ ରାତିର ଭୋଜନ କରିନେଲେ, କିନ୍ତୁ ଡାକ୍ତର ଅନିଲ ସେ ସମୟରେ ମଧ୍ୟ ତାଙ୍କ ମୁଣ୍ଡରେ ସେହି ବୁଢ଼ା ଲୋକଟାର ହସ ହସ ମୁହଁଟା ତାଙ୍କ ମାନସ ପଟରେ ପ୍ରତିଫଳନ ହେଉଥିଲା।
ତା ପାର ଦିନ ଡାକ୍ତର ଅନିଲ ହସ୍ପିଟାଲ ଗଲାବେଳେ ଯୋଉ ଜାଗା ପାଖରେ ସେହି ବୁଢ଼ା ଲୋକଟା ସହିତ ଭେଟ ହୋଇଥିଲା ସେଇ ପାଖା ପାଖି ନଜର ବୁଲାଇ ନେଉଥିଲେ କାଳେ ସେହି ଲୋକଟା ପୁଣି ଦେଖା ହେଇପାରେ। କିନ୍ତୁ ତାଙ୍କର କୋଉଠି ବି ଦେଖା ମିଳିଲା ନାହିଁ। ଡାକ୍ତର ଅନିଲ ବହୁତ ଦିନ ଯାଏ ହସ୍ପିଟାଲ ଗଲାବେଳେ ସେହି ଜାଗାରେ ପ୍ରାୟତ ନଜର ବୁଲାଇ ନିଅନ୍ତି ତଥାପି ନିରାଶ ହୋଇ ଚାଲିଯାନ୍ତି।
ଦିନକର କଥା ଡାକ୍ତର ଅନିଲ ହସ୍ପିଟାଲରେ ଚତୁର୍ଥ ମହଲାକୁ ଯିବା ପାଇଁ ଲିଫ୍ଟରେ ଯାଉଥିଲେ କିନ୍ତୁ ଲିଫ୍ଟଟା ଚତୁର୍ଥ ମହଲାରେ ପହଞ୍ଚିଲା ହେଲେ କବାଟ ଖୋଲିଲା ନାହିଁ, ପଞ୍ଚମ ମହଲାରେ ଯାଇ କବାଟ ଖୋଲିଲା। ଏମିତି ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ପୁଣି ଚତୁର୍ଥ ମହାଲାକୁ ଆସିବା ପାଇଁ ସେହି ଲିଫ୍ଟରେ ଆସିଲେ ତଥାପି ଚତୁର୍ଥ ମହଲାରେ ସେହିଭଳି କବାଟ ନଖୋଲି ତୃତୀୟ ମହଲାରେ କବାଟ ଖୋଲିଗଲା। ଡାକ୍ତର ଅନିଲ ଲିଫ୍ଟ ବାହାରକୁ ଆସି ପୁଣି ପାହାଚ ଚଢି ଚତୁର୍ଥ ମହଲାକୁ ଆସିଲେ ସେଇଠି ଦେଖିଲେ ଯେ ଗୋଟିଏ ଲୋକ ଲିଫ୍ଟର ସାମ୍ନାରେ ପଡିଛି ଆଉ ତାଙ୍କ ମୁଣ୍ଡରୁ ରକ୍ତ ବୋହୁଛି। ସେ ଅତି ଶୀଘ୍ର ଘଟଣା ବିଷୟରେ ବୁଝି ହସ୍ପିଟାଲର ଷ୍ଟାପଙ୍କୁ ଜଣାଇ ସେହି ଲୋକଟାକୁ ହସ୍ପିଟାଲରେ ଏଡମିସେନ କରାଇଦେଲେ। ସେହି ଲୋକଟା ବିଷୟରେ ବୁଝିବା ପରେ ଜଣା ପଡିଲା ଯେ ତାଙ୍କର କେହି ସମ୍ପର୍କୀୟ ହସ୍ପିଟାଲରେ ସିକିତ୍ସିତ ହେଉଥିବା ହେତୁ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ। ଲିଫ୍ଟ ଆଗରେ ସଫାଈ କର୍ମଚାରୀଙ୍କ ଅସାବଧାନତା ହେତୁ ସେଠାରେ ସାବୁନ ପାଣି ପଡିଥିଲା। ଲୋକଟାର ଗୋଡ଼ ଖସି ସେଇଠି ପଡି ତାଙ୍କ ମୁଣ୍ଡରେ ମାଡ଼ ହେଇଥିଲା। ଡାକ୍ତର ଅନିଲ ସେହି ସଫାଇ କର୍ମଚାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିବାରୁ କର୍ମଚାରୀ ଜଣକ ନିଜର ଦୋଷକୁ ସ୍ୱୀକାର କରି କ୍ଷମା ପ୍ରାଥନା କରିଥିଲେ। କିଛି ସମୟ ପରେ ହସ୍ପିଟାଲର ଜଣେ କର୍ମଚାରୀ ଆସି ଜଣାଇଲେ ଯେ ଯୋଉ ଲୋକଟା ଲିଫ୍ଟ ଆଗରେ ପଡିଯାଇଥିଲେ ସେ ଏବେ ଠିକ ଅଛି ଆଉ ମୁଣ୍ଡରେ ସାମାନ୍ୟ ଟିକିଏ ମାଡ଼ ହେଇଛି। ଏହି କଥା ଶୁଣି ଡାକ୍ତର ଅନିଲ ଅନ୍ୟ ରୋଗୀଙ୍କୁ ଦେଖିବା ପାଇଁ ଚାଲିଗଲେ।
ଡାକ୍ତର ଅନିଲ ରାତିରେ ଘରକୁ ଫେରିଲା ବେଳେ ରାସ୍ତାରୁ କିଛି ଫୁଲ ତାଙ୍କ ମାଆଙ୍କ ପୂଜା ପାଇଁ କିଣିଲେ। ତାଙ୍କ ଘରେ ହସ୍ପିଟାଲରେ ଘଟି ଯାଇଥିବା କଥାକୁ କିଛି ହେଲେ ତାଙ୍କ ମାଆ ଆଉ ସ୍ତ୍ରୀଙ୍କୁ କହିନଥିଲେ। ସେ ଜାଣିଥିଲେ ଏ କଥା ଶୁଣିଲା ପରେ ତାଙ୍କ ମାଆ ବହୁତ ଚିନ୍ତାରେ ପଡିଯିବେ।
ତାପର ଦିନ ହସ୍ପିଟାଲ ଗଲାବେଳେ ସେ କିଛି ଜିନିଷ କିଣିବା ପାଇଁ କାରକୁ ଗୋଟିଏ ପାଖରେ ରଖିଥିଲେ ଆଉ କାରରୁ ବାହାରକୁ ବାହାରିବା ପାଇଁ ଯେତେବେଳେ ଡୋର ଖୋଲିଲେ ଡ୍ରାଇଭର ସିଟ ପାଖ ଡୋର ଟି ବହୁତ ଜାମ ହୋଇଯାଇଥିଲା ବହୁତ ଚେଷ୍ଟା କରି ମଧ୍ୟ ଖୋଲିନଥିଲା। କଣ ହେଇଛି କିଛି ଜାଣିନପାରି ଅନ୍ୟ ପଟର ଡୋର ଖୋଲି ବାହାରକୁ ବାହାରିବା ପାଇଁ ଭାବିବା ବେଳକୁ ସେ ଦେଖିଲେ ଗୋଟିଏ କାର ଅତି ଦ୍ରୁତଗତିରେ ତାଙ୍କ କାର ଆଡକୁ ମାଡି ଆସୁଛି ଆଉ ତାଙ୍କ କାରର ଡ୍ରାଇଭର ସିଟ ପାଖ ଡୋରରେ ଘସିହୋଇ ଗୋଟିଏ ଗଛରେ ବାଢ଼େଇ ହୋଇଗଲା ଆଉ ସେହି ଡ୍ରାଇଭରଙ୍କୁ ମାଡ଼ ହେଇଗଲା। ଡାକ୍ତର ଅନିଲ ଏହି ଘଟଣାକୁ ନେଇ ବଡ଼ ଆଶ୍ଚର୍ଯ୍ୟ ହେଇଗଲେ ସେ ବୁଝି ଯାଇଥିଲେ ଯେ ଯଦି ତାଙ୍କ କାରର ଡ୍ରାଇଭର ସିଟ ପାଖ ଡୋର ଖୋଲା ହୋଇଥିଲେ ତାଙ୍କୁ କେତେ ବଡ଼ ମାଡ଼ ହେଇଥାନ୍ତା ସେ କଥା ଭାବି ଡାକ୍ତର ଅନିଲଙ୍କ ହୃଦୟ ଭିତରେ ଗୋଟିଏ କମ୍ପନ ସୃଷ୍ଟି ହେଇଗଲା। ପୋଲିସ ବାଲା ଆସି ଯାଞ୍ଚ ଆରମ୍ବ କରି ଦେଇଥିଲେ. ପୋଲିସ ଅଧିକାରୀ କହିଲେ ଯେ ସେହି ଡ୍ରାଇଭରର କିଛି ଦୋଷ ନାହିଁ। ତାଙ୍କ କାରର ବ୍ରେକ ହଟାତ ଫେଲ ହୋଇଯିବା ହେତୁ ଲୋକଙ୍କୁ ବଞ୍ଚାଇବା ପାଇଁ ସେ ତାଙ୍କ କାରକୁ ଜାଣିଶୁଣି ଗଛରେ ବାଢ଼େଇ ଦେଇଛନ୍ତି। କିନ୍ତୁ ଭଗବାନଙ୍କ ଦୟାରୁ ସେହି ଡ୍ରାଇଭରଙ୍କୁ ବିଶେଷ କିଛି ମାଡ଼ ମଧ୍ୟ ହେଇନି। ଏମିତି ଦୁର୍ଘଟଣା ଘଟିବାଟା ବଡ଼ ଆଶ୍ଚର୍ଯ୍ୟ ଜନକ ଥିଲା।
ସେହି ଡ୍ରାଇଭର ଜଣକ ଆସି ଡାକ୍ତର ଅନିଲଙ୍କୁ କ୍ଷମା ମଧ୍ୟ ମାଗିନେଲା। ଏହି ଦୁର୍ଘଟଣାରୁ ଯାହା ଅନୁମାନ କରାଯାଉଛି ଯେ ଯଦି ଡାକ୍ତର ଅନିଲଙ୍କ କାରର ଡ୍ରାଇଭର ସିଟ ପାଖର ଡୋର ଖୋଲି ଥାନ୍ତା ତାହେଲେ ଆଜି ଡାକ୍ତର ଅନିଲ ହୁଏତ ଆଉ ବଞ୍ଚିନଥାନ୍ତେ। ଆଉ ଏହି କଥାକୁ କେବଳ ଡାକ୍ତର ଅନିଲ ହିଁ ଅନୁମାନ କରି ରୋମାଞ୍ଚିତ ହୋଇ ପଡୁଥିଲେ। ସେ ଅତି ଭୟଭୀତ ଆଉ ଚିନ୍ତିତ ହୋଇ ହସ୍ପିଟାଲରେ ପହଁଚି ଥିଲେ। କିଛି ସମୟ ସେହି ଦୁର୍ଘଟଣା ଉପରେ ଚିନ୍ତା କରିଥିଲେ। ସେ ବଡ଼ ଆଶ୍ଚର୍ଯ୍ୟ ହେଉଥିଲେ ଯେ ଏତେ ବଡ଼ ଭୟଙ୍କର ଦୁର୍ଘଟଣା ହେବା ପରେ ମଧ୍ୟ ତାଙ୍କ ଦେହରେ ଟିକିଏ ମଧ୍ୟ ଆଞ୍ଚୁଡ଼ି ହୋଇନଥିଲା କିନ୍ତୁ ତାଙ୍କ ଗାଡିର ଡ୍ରାଇଭର ସିଟ ପାଖ ଡୋରରେ ଧକା ହେଇଥିବାରୁ ଟିକିଏ ଖରାପ ହେଇ ଯାଇଥିଲା। ଡାକ୍ତର ଅନିଲ ମନେ ମନେ ନିଶ୍ଚୟ କରି ନେଇଥିଲେ ଯେ ଏହି ଦୁର୍ଘଟଣା ବିଷୟରେ ଘରେ କିଛି ହେଲେ କହିବେନି।
ବହୁତ ରାତି ପର୍ଯ୍ୟନ୍ତ ସେହି ଦୁଇଟି ଘଟଣା ଉପରେ ଭାବି ଭାବି କେତେବେଳେ ଗଭୀର ନିଦ୍ରାରେ ଶୋଇ ପଡ଼ିଥିଲେ। ସେହି ନିଦ୍ରା ଭିତରେ ସେ ସ୍ୱପ୍ନରେ ଦେଖିଲେ ସେହି ବୁଢ଼ା ରୋଗୀ ଜଣକ
ହସ ହସ ମୁହଁରେ ତାଙ୍କୁ କହିଲେ "ଡାକ୍ତର ଅନିଲ, ଯଦି ମୁଁ ତୁମକୁ ଅଟକାଇ ନଥାନ୍ତି ତାହେଲେ ତୁମେ ଚତୁର୍ଥ ମହଲରେ ଲିଫ୍ଟରୁ ବାହାରିବା ପରେ ତୁମର ଗୋଡ଼ ଖସି ଦୁର୍ଘଟଣାର ଶିକାର ହୋଇଥାନ୍ତ, ମୁଁ ହିଁ ତୁମକୁ ଚତୁର୍ଥ ମହଲାରେ ହିଁ ଲିଫ୍ଟର କବାଟ ବନ୍ଦ କରି ତୁମକୁ ବାହାରିବାକୁ ଦେଇନଥିଲି। ତୁମର ଯେବେ କାର ଦୁର୍ଘଟଣା ହୋଇଥିଲା ମୁଁ ଡ୍ରାଇଭର ସିଟ ପାଖ ଡୋରକୁ ଲକ କରିଦେଇଥିଲି କାହିଁକିନା ତୁମେ ବଡ଼ ଦୁର୍ଘଟଣାରୁ ବଞ୍ଚିବା ପାଇଁ। ଡାକ୍ତର ଅନିଲ, ତୁମେ ବହୁତ ଦୟାଳୁ ଆଉ ଗୋଟିଏ ଭଲ ମଣିଷ ଏହି ଦୁନିଆରେ ତୁମ ଭଳି ଜଣେ କର୍ତ୍ତବ୍ୟ ନିଷ୍ଠା ହୋଇଥିବା ମଣିଷ ହିଁ ବହୁତ ଆବଶ୍ୟକ " ଏତିକି କହି ବୁଢ଼ା ଲୋକଟା ଡାକ୍ତର ଅନିଲଙ୍କ ସ୍ୱପ୍ନରୁ ଅଦୃଶ୍ୟ ହୋଇଗଲା।
ଡାକ୍ତର ଅନିଲଙ୍କର ତନ୍ଦ୍ରା ତୁଟି ଯାଇଥିଲା ସେ ନିଦରୁ ଉଠି ହଠାତ ବସି ପଡିଲେ ଏପଟ ସେପଟକୁ ଚାହିଁଲେ ସ୍ୱପ୍ନ ଦେଖି ଅତି ମାତ୍ରାରେ ଘାବରେଇ ଯାଇଥିଲେ। ସେ ଆଶ୍ଚର୍ଯ୍ୟ ହେଉ ଥିଲେ ଯେ ସେହି ସବୁ ଦୁର୍ଘଟଣା ବିଷୟରେ ସେହି ବୁଢ଼ା ଲୋକଟା ଜାଣିଲା କେମିତି ସେ ଏହି କଥା ଭାବିଲା ସମୟରେ ତାଙ୍କ ପତ୍ନୀ ଲତା ଉଠି ପଡିଲେ ଆଉ ସେ ଡାକ୍ତର ଅନିଲଙ୍କୁ ନିଦରୁ ଉଠି ବସି ଥିବାର ଦେଖି ପଚାରିଲେ " ତୁମର ଦେହ ଭଲ ଅଛିତ " ଡାକ୍ତର ଅନିଲ ତାଙ୍କ ସ୍ତ୍ରୀଙ୍କୁ ସ୍ବପ୍ନ କଥା କହି ତାଙ୍କୁ ବିଚଳିତ କରିବାକୁ ଚାହୁନଥିଲେ ତେଣୁ ସେ ଲତାଙ୍କୁ କେବଳ ଏତିକି କହିଲେ " ମୁଁ ପୁରା ପୁରି ଭଲ ଅଛି ମୁଁ କେବଳ ପାଣି ପିଇବାପାଇଁ ଉଠିଥିଲି " ଆଉ ସେ ପାଣି ପିଇବା ବାହାନାରେ ଖଟରୁ ଓହ୍ଲାଇ ପଡ଼ିଥିଲେ। ଆଉ ସେ ପୁରା ଘରଟାକୁ ବୁଲି ବୁଲି ଦେଖିଥିଲେ, ତାଙ୍କ ମାଆ ଆଉ ଛୁଆ ବହୁତ ଆରାମରେ ସୋଇଥାନ୍ତି, ପୁଣି ସେ ଫେରି ଆସିଲେ ନିଜ ଶୋଇବା ପାଖକୁ। ହଠାତ ତାଙ୍କର ମନେ ପଡିଗଲା ସେହି ବୁଢ଼ା ଲୋକଟା ଲେଖି ଥିବା ଚିଠି କଥା। କାଳ ବିଳମ୍ବ ନକରି ସେ ରଖିଥିବା ତାଙ୍କର ପକେଟରେ ଖୋଜିବାକୁ ଲାଗିଲେ କିନ୍ତୁ ସେ ଚିଠି ତାଙ୍କୁ କୋଉଠି ବି ମିଳିଲା ନାହିଁ।ମନେ ମନେ ଭାବିଲେ ସେହି ଚିଠି ତ ସେ ତାଙ୍କ ପକେଟରେ ରଖିଥିଲେ ହେଲେ ଚିଠିଟା ଗଲା କୁଆଡେ ? କାଳେ ଲତା କୋଉଠି ରଖିଦେଇଥିବେ ଏମିତି ଭାବି ଭାବି କଡ଼ ଲେଉଟାଉ ଲେଉଟାଉ କେତେବେଳେ ଗଭୀର ନିଦରେ ଶୋଇ ପଡ଼ିଥିଲେ।
ସକାଳୁ ଯେତେବେଳେ ସେ ଉଠିଲେ ଦେଖିଲେ ଯେ ତାଙ୍କ ମାଆ ଆଉ ଲତା ମନ୍ଦିର ଯିବାପାଇଁ ଭୋଗ ସଜାଇବାରେ ଲାଗିଛନ୍ତି। ସେତେବେଳେ ସେ ତାଙ୍କ ସ୍ତ୍ରୀଙ୍କୁ ପଚାରିଲେ " ଲତା, ତୁମକୁ ମୋ ପକେଟରୁ କିଛି ଚିଠି ମିଳିଥିଲା କି ? " ଲତା ବଡ଼ ଆଶ୍ଚର୍ଯ୍ୟରେ ଡାକ୍ତର ଅନିଲଙ୍କୁ ଚାହିଁଥିଲେ ଆଉ କହିଲେ " କାହିଁ ନାହିଁତ, କଣ କୋଉଠି ହଜି ଗଲକି? " ଲତାର ବିଚଳିତ ହେବା ଦେଖି ଡାକ୍ତର ଅନିଲ କହିଲେ " ନାଇଁ ସେମିତି କିଛି ନାହିଁ, ହସ୍ପିଟାଲର ଗୋଟିଏ ବିଲ ଥିଲା ସେମିତି କିଛି ଜରୁରୀ ନୁହଁ। " ସେ ଜାଣିପାରିଲେ ଯେ ଏହି ବିଷୟ ନେଇ ଅଧିକ କିଛି କହିବାଟା ଠିକ ନାହିଁ ତେଣୁ ସେ ସବୁ କଥାକୁ ସେଇଠି ରଖି ଡାକ୍ତର ଅନିଲ ତାଙ୍କ ମାଆଙ୍କୁ କହିଲେ " ମାଆ ଆଜି ମୁଁ ମନ୍ଦିର ଯିବି ଆଉ ଠାକୁର ଦର୍ଶନ କରିବା ପାଇଁ। "ଡାକ୍ତର ଅନିଲଙ୍କ ମୁହଁରୁ ଏମିତି କଥା ଶୁଣି ତାଙ୍କ ମାଆ ଆଉ ପତ୍ନୀ ବଡ଼ ଆଶ୍ଚର୍ଯ୍ୟ ପୁର୍ଣ୍ଣ ଢଙ୍ଗରେ ଚାହିଁଥିଲେ ଆଉ ମନେ ମନେ ସେମାନେ ବହୁତ ଖୁସି ହେଉଥିଲେ, ଏଇଥି ପାଇଁ ସେମାନେ ଭଗବାନଙ୍କ ଉଦେଶ୍ୟରେ ହାତ ଯୋଡି ଧନ୍ୟବାଦ ଜଣାଇ ଥିଲେ। ମନ୍ଦିର ଯିବା ପାଇଁ ତାଙ୍କ ମାଆ ଆଉ ଲତା ଯେବେ ଗାଡ଼ିରେ ବସିବାକୁ ଗଲେ ଦେଖିଲେ ଗାଡିର ଡୋରରେ ମାଡ଼ ହେଇଛି ଡାକ୍ତର ଅନିଲଙ୍କୁ ଏକା ସାଙ୍ଗରେ ତାଙ୍କ ମାଆ ଆଉ ଲତା ଦୁଇଜଣ ପଚାରିଲେ " ଗାଡ଼ିରେ ଏହି ମାଡ଼ କେମିତି ହେଲା? " ଏ କଥା ଶୁଣି ଡାକ୍ତର ଅନିଲ ଟିକିଏ ହସିଦେଇ କହିଲେ " ସେଇଟା କିଛି ନାହିଁ ମାଆ ଗୋଟିଏ ଛୋଟ ଛୁଆର ଦୁଷ୍ଟାମୀ ପାଇଁ ଟିକିଏ ମାଡ଼ ହେଇ ଯାଇଛି।" ତାଙ୍କ କାରଟି ମନ୍ଦିର ଆଡକୁ ଛୁଟି ଥିଲା ଡାକ୍ତର ଅନିଲଙ୍କ ପରିବର୍ତ୍ତନ ତାଙ୍କ ମାଆ ଆଉ ପତ୍ନୀ ଦୁହେଁ ବହୁତ ଖୁସି ହେଉଥିଲେ.....।
