ପ୍ରିୟ ପୁସ୍ତକ ଚରିତ୍ର(ଜାଜ୍ଞସେନୀ)
ପ୍ରିୟ ପୁସ୍ତକ ଚରିତ୍ର(ଜାଜ୍ଞସେନୀ)
ଆଜି ବୟସର ଅପରାହ୍ନରେ ପହଞ୍ଚିବା ପରେ ରମା ବସି ଭାବୁଛି ତାର ପିଲାଦିନ କଥା।ପାଠ ପଢୁଥିବା ସମୟରେ ବହୁତ ଭଲ ଲାଗେ ତାକୁ ବହି ପଢବାକୁ।ମାତ୍ର ବାପାଙ୍କର ସ୍ୱଳ୍ପ ସମ୍ବଳ ଭିତରେ କିଣି ପଢିବା କଷ୍ଟକର ହୋଇପଡେ।ତେଣୁ ମାଧ୍ୟମ ସାଜେ ପାଠାଗାର।ଯେତେବେଳେ ସମୟ ପାଏ ପାଠାଗାର ହୁଏ ତାର ଅବସର ବିନୋଦନ ସ୍ଥଳ।ସମୟ ଗଡିଚାଲେ ତା ସହ ବୟସ।ସେହି ଅନୁପାତରେ ବଢିଚାଲେ ପଢିବାର ଆଗ୍ରହ।ମହାବିଦ୍ୟାଳୟ ରେ ଦେଖେ ପ୍ରସସ୍ଥ ପାଠାଗାର।ପାଠପଢା ଭିତରେ ସମୟ ବାହାର କରି ପଢିବାରେ ଲାଗେ ଗୋଟି ଗୋଟି କରି ପୁସ୍ତକ ସବୁ।ବେଳେବେଳେ ଏପରି ହୁଏ ନିଜକୁ କାହାଣୀର ନାୟିକା ବୋଲି ଭାବିନିଏ।କାହାଣୀ ପଢିଲାବେଳେ ନିଜକୁ ହଜେଇଦିଏ ତା ଭିତରେ।ଦିନେ ଦିନେ ଏପରି ହୁଏ କେତେବେଳେ ମହାବିଦ୍ୟାଳୟ ର ପାଠପଢା ସରି ବନ୍ଦ ହେବା ସମୟ ହୋଇଯାଏ ତାକୁ ଜଣାନଥାଏ। ପିଅନ ଆସି ଡାକିବା ପରେ ତାର ବାସ୍ତବିକତା ଫେରିପାଏ।ଏହିପରି ବହି ପଢିବା ଭିତରେ ତାର ଦୃଷ୍ଟି ଗୋଚର ହୁଏପ୍ରତିଭା ରାୟଙ୍କ ଲିଖିତ ଜାଜ୍ଞସେନୀ ପୁସ୍ତକ ଉପରେ।
ମନକୁ ଅଟକାଇ ନପାରି ଆଗେଇଚାଲେ ସେହି ପୁସ୍ତକ ଅଭିମୁଖେ।ପ୍ରଥମ ପୃଷ୍ଠା ପଢି ତାର ଅନ୍ତର୍ମନ କହିଲା ଜଜ୍ଞରୁ ଜାତ ହୋଇଥିବାରୁ ଦ୍ରୌପଦୀଙ୍କ ନାମକରଣ ହେଲା ଜାଜ୍ଞସେନୀ।ପୁଣି ତାଙ୍କ ପୁସ୍ତକ।ପାଞ୍ଚ ପତି ବରଣ କରି ସେ ହେଲେ ସତୀ।ସତିତ୍ୱର ଆଖ୍ୟା ପାଇଥିବା ନାରୀ ପ୍ରକୃତରେ ମହାନ।କୁରୁସଭାତଳେ ବସ୍ତ୍ର ହରଣର ଦୃଶ୍ୟ ଆଖି ସାମନାରେ ଭାସିଉଠିଲା।ଏ ସେହି ଦ୍ରୌପଦୀ ଯାହା ପାଇଁ କୁରୁବଂଶ ନାଶ ଗଲା।ସେ ପାଇଲେ କଣ।
ପ୍ରଥମ ଦେଖାରେ ଭଲ ପାଇଥିବା ମଣିଷକୁ ପାଇପାରିଲେ ନାହିଁ ମାତ୍ର ପାଞ୍ଚ ପତି ବରଣ କଲେ।ତାଙ୍କ ଚରିତ୍ର ଟି ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ସମ୍ପୂର୍ଣ୍ଣ ପୁସ୍ତକକୁ ଏକ ନିଃଶ୍ୱାସ ରେ ଶେଷ କରିଥିଲା ପ୍ରଥମ ଥରରେ।ଦ୍ରୌପଦୀ ଚରିତ୍ର କୁ ବେଳେବେଳେ ନିଜ ବୁଦ୍ଧିରେ ସମୀକ୍ଷା କରିବାକୁ ଲାଗିଲା।ମାତ୍ର କାହିଁ ପ୍ରତିଭା ରାୟଙ୍କ ଚିତ୍ରିତ ଚରିତ୍ର କାହିଁ ସାଧାରଣ କନ୍ୟା ରମାର ଚିନ୍ତଧାରା।ଖାପ ଖାଇଲା ନାହିଁ।ମାତ୍ର ଜାଜ୍ଞସେନୀ ଚିର ଜିବୀତ ରହିଲେ ରମାର ମନରେ।
ସମୟ ଗଡିଚାଲିଲା।ଅର୍ଥ ଅଭାବ ଯୋଗୁଁ ଅଧା ପାଠପଢାରେ ଡୋରି ବନ୍ଧା ହେଲା।ବାପା ମାଆ ଉଭୟ ରୋଗଗ୍ରସ୍ତ।ଦୁଇ ଭାଇ ଭଉଣୀ ମିଶି ସେମାନେ ଚାରି ଜଣ ।ସର୍ବମୋଟ ଛଅ ପ୍ରାଣୀ କୁଟୁମ୍ବ ସେମାନେ ସମସ୍ତେ ସାନ ସେ ବଡ।ତା ଉପରେ ପଡିଲା ଘରର ସବୁ ଦାୟିତ୍ୱ। ସାନ ମାନଙ୍କ ପାଠପଢାର ଦାୟିତ୍ୱ ତା ଉପରେ ନ୍ୟସ୍ତ ହେଲା।ସ୍ୱଳ୍ପ ଜ୍ଞାନ ଭିତରେ କିଛି ପିଲାଙ୍କୁ ପାଠପଢେଇବା ଆରମ୍ଭ କଲା।ଯାହା କିଛି ରୋଜଗାର ହୁଏ କଷ୍ଟେମଷ୍ଟେଚଳିଯାଆନ୍ତି।ମାତ୍ର କେବେ ପେଟଭରି ଖାଇପାରନ୍ତି ନାହିଁ।ସେହି ଭିତରେ ବି ସଞ୍ଚୟ କରି ଜାଜ୍ଞସେନୀ ବହିଟିକୁ କିଣି ଆଣିଥାଏ।ସତେ ଯେମିତି ତାର ଆତ୍ମା ବସିଛି ସେଥିରେ।
କିଛି ଦିନ ଏହିପରି ଗତିକଲା।ଦିନେ ଭେଟ ହେଲା ବିଦ୍ୟାଳୟ ସମୟର ସଖୀ ରିନା ସହ।ତାର ଭାବଭଙ୍ଗୀ ଦେଖି ତାକୁ ଲାଗିଲା ସେ ବହୁତ ଧନୀଘରର ବୋହୁ ହୋଇସାରିଛି।ରିନା ମଧ୍ୟ ରମାକୁ ଦେଖି ଭାରି ଖୁସି ହୋଇ ତାଘରକୁ ଜବରଦସ୍ତି ଡାକିନେଲା।ଘର ଦେଖି ଆଚମ୍ବିତ ହୋଇଗଲା ରମା।ଏତେ ବିରାଟ ଅଟ୍ଟାଳିକା।ପଚାରିବସିଲା ,ଏହା କଣ ତୋର ନିଜସ୍ୱ।ରିନା ଖୁସିରେ କହିଲା ,ହଁ ଏହା ମୋର ନିଜସ୍ୱ।
ଏଥିରେ ତୋର କଣ ସନ୍ଦେହ ଅଛି।ମୁଣ୍ଡ ହଲାଇ ନାଁ ଭରିଲା ରମା।ଘରେ ଚାକର ଚାକରାଣୀ କାର୍ଯ୍ୟରତ।ପହଞ୍ଚିବା କ୍ଷଣି ଚା' ଜଳଖିଆର ବନ୍ଦୋବସ୍ତ କରିଦେଲେ।ଭୋକିଲା ପେଟ ଖାଦ୍ୟ ଦେଖି ଆଉକି ସମ୍ଭାଳି ହୁଏ।ପେଟ ଭରି ଖାଇଲା ସେଦିନ।ମନେ ମନେ ଧନ୍ୟବାଦ ଦେଉଥାଏ ରିନାକୁ କାରଣ ତାର ପରିସ୍ଥିତି କହିବାକୁ ତାକୁ ଖରାପ ଲାଗୁଥାଏ।
ଭାବୁଥାଏ "କାହିଁ ରାଣୀ କାହିଁ ଚନ୍ଦକାଣି"
ଏମିତି ଭିତରେ ସମୟ କଟିଲା ରିନା ତା ବିଷୟରେ ପଚାରିଲାରୁ ନିଜକୁ ସଞ୍ଜତ କରି କହିଲା ହଁ ସବୁ ଠିକ । ତାପରେ ଦୁଇ ବାନ୍ଧବୀ ଉଠିଲେ।ରିନା ତା ବଡ ଗାଡିରେ ରମାକୁ ଛାଡିବାକୁ କହିଲାରୁ ରମା ଵ୍ୟସ୍ତ ହୋଇ ମନାକରି ତରତର ହୋଇ ପଳେଇଗଲା।
ରାତିସାରା ନିଦ ନଥାଏ ରମାକୁ।ରିନାର ଚାକଚକ୍ୟ ଭରା ଦୁନିଆରେ ସେ ସମ୍ପୂର୍ଣ୍ଣ ରୂପେ ହଜିଯାଇଥିଲା।ତାପରଦିନ ସକାଳେ ଦେଖେତ ତା ବାପାଙ୍କ ଅବସ୍ଥା ସଙ୍କଟାପନ୍ନ।ଡାକ୍ତର କହିଲେ ଅପରେସନ ଟେ ଦରକାର ହେବ।ପାଞ୍ଚଲକ୍ଷ ଟଙ୍କା ଖର୍ଚ୍ଚ ହେବ।ଏତେ ପଇସା କେଉଁଠୁ ଆସିବ । ଘରେ ମାଆ ଓ ଭାଇ ଭଉଣୀ ମାନେ କାନ୍ଦି କାନ୍ଦି ଅଥୟ।କଣ କରିବ କିଛି ବୁଦ୍ଧି ଦିଶୁନଥାଏ।ମନେ ପଡିଲା ରିନା କଥା ।ସିଧା ଧାଇଁଲା ତା ପାଖକୁ । ରିନା ସବୁ ଶୁଣି କହିଲା ,ମୋ ପାଖରେ ତ ଏତେ ପଇସା ହେବନି ମାତ୍ର ତତେ କେମିତି ତୋର ଆବଶ୍ୟକତା ଅନୁଯାୟୀ ଅର୍ଥ ମିଳିବ ତାର ବ୍ୟବସ୍ଥା ମୁଁ କରେଇଦେବି ,ଯଦି ତୁ ରାଜି ହେବୁ ତ।ଅନ୍ୟନ୍ୟୋପାୟ ହୋଇ "ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ପୁରେଇବା" ପାଇଁ ରାଜି ହୋଇଗଲା।ଠିକ ଅଛି କହି ରିନା ଚାଲିଗଲା ରମାକୁ ଅପେକ୍ଷା କରିବାକୁ କହି।କିଛି କ୍ଷଣପରେ କିଛି ନୂତନ ପୋଷାକ ଧରି ଆସି ପହଞ୍ଚିଗଲା ଏବଂ ଯେଉଁ ପୋଷାକ ଭଲ ଲାଗୁଛି ପିନ୍ଧି ବାକୁ କହିଲା।ରମା ଦେଖେତ ଏପରି ପୋଷାକ କେବଳ ସେ ଚଳଚ୍ଚିତ୍ର ରେ ଦେଖିଛି ଯିହାକଙ ପିନ୍ଧି ଯଦି ନାୟିକା ବାହାରିଲା ତେବେ ଗାଁ ର ଡହରା ଟୋକା ହୁଇସିଲ ମାରନ୍ତି ଓ ଅଶ୍ଳୀଳ ଇଙ୍ଗିତ କରନ୍ତି।ଏକ ଆଶ୍ଚର୍ଯ୍ୟ ଓ ପ୍ରଶ୍ନ ଭରା ମୁହଁ ରେ ସେ ରିନା ଆଡକୁ ଚାହିଁଲା।ରମାର ମୁହଁକୁ ଦେଖି ରିନା ସବୁ ବୁଝି କେବଳ ଗୋଟିଏ କଥା କହିଲା ଯଦି ତୋର ବାପାଙ୍କୁ ବଞ୍ଚୈଇବାର ଅଛି ଓ ଭାଇ ଭଉଣୀ ଙ୍କୁ ମଣିଷ କରିବାର ଅଛି ତେବେ ପିନ୍ଧି ନହେଲେ ରଖିଦେଇ ତୋ ରାସ୍ତା ଦେଖେ।
ବାସ୍ ଏତିକିରେ ବୁଝିଗଲା ରମା ଯେ ଆଜି ଭିନ୍ନ ଏକ ଜାଜ୍ଞସେନୀ ଜନ୍ମ ନେବାକୁ ଯାଉଛି।ତାର ପ୍ରିୟ ପୁସ୍ତକ ଚରିତ୍ର ଯେ ସେ ନିଜେ ଧାରଣ କରିବ ଏହା ଭାବି ଆଖିରୁ ଧାରଧାର ଲୁହ ବହିଗଲା।ସେ କୋହକୁ ଦେଖିବାକୁ କି ଅନ୍ତର୍ମନ କୁ ପଢିବାକୁ କେହି ନାହିଁ।ସେ ନିଜେ ନାୟିକା ଓ ନିଜେ ଦର୍ଶକ ସାଜିଲା।
ଅନ୍ଧାରରେ ବିବର୍ଣ୍ଣ ହୋଇଗଲା ତାର ସତୀତ୍ୱ।ସାଜିଲା ଅନେକଙ୍କ ଲାଳସାର ,ଶୋଷ ମେଣ୍ଟାଇବାର ସାଧନ।
ଆଜି ସେ ମଧ୍ୟ ଏକ ବହୁତଳ ପ୍ରାସାଦର ଅଧିକାରିଣୀ।ଭାଇ ଭଉଣୀ ସମସ୍ତେ ନିଜ ମସ୍ତିଷ୍କ କୁ ଉଚ୍ଚକରି ଆଜି ରାସ୍ତାରେ ଭଦ୍ର ସମାଜର ଭଦ୍ରବ୍ୟକ୍ତତ୍ୱ।ବାପା ମାଆ ସମ୍ପୂର୍ଣ୍ଣ ସୁସ୍ଥ।
ପ୍ରତି ମୁହୂର୍ତ୍ତରେ ନିଜକୁ ଜାଳି ପରିବାର ସଦସ୍ୟ ଙ୍କ ପଥକୁ ନିଷ୍କଣ୍ଟକ କରିଦେଲା।ଯେତେଥର ସେ ସେହି ଅନ୍ଧକାର କୁ ସାମନା କରିଛି ସେତେଥର ସେ ଜାଜ୍ଞସେନୀ କୁ ଜିଇଁଛି।
ମାତ୍ର ସତୀତ୍ୱ କାହିଁ ?????????? ଆଜି ତା ପରିବାର ତାକୁ ନିଜ ପରିବାରର ସଦସ୍ୟ ରୂପେ ଗ୍ରହଣ କରିବାକୁ କୁଣ୍ଠିତ।ତାଙ୍କ ପାଇଁ ସେ ଏକ ଅଚିହ୍ନା ଅସ୍ତିତ୍ଵ।ହଁ ପରିବାର ପାଇଁ ତିଳତିଳ ହୋଇ ଜଳିବା ମୁଁ ଦେଖିଛି।ମୁଁ ତ ମୋ ଖୁସିପାଇଁ ଅନେକର ନାୟିକା ସାଜିଲି ମାତ୍ର ରମା ...........କେଉଁଠି ସେ ନିଜକୁ ସତୀ ବେଶରେ ସଜେଇ ହେବାକୁ ଚେଷ୍ଟାକରୁଥିଲା ନିଜ ପ୍ରିୟ ପୁସ୍ତକ ଚରିତ୍ର ଭଳି, କେଉଁଠି ସେ ସଜେଇ ହେଲା ବିନା ବିବାହିତା ନାରୀ।ହାଏରେ ଦୁନିଆ, ଏଇଆ ତୋ ନ୍ୟାୟ.......
ରମାକୁ ଦେଖିଲେ ଆଜି ମୋ ନିଜକୁ ଘୃଣ୍ଯ ଚକ୍ଷୁରେ ଦେଖୁଛି ମାତ୍ର କେବେହେଲେ ରମା ମନରେ ମୋ ପାଇଁ ତିକ୍ତତା ର ତିଳେମାତ୍ର କୁଞ୍ଚନ ଦେଖିନାହିଁ।ଧନ୍ୟ ତୁ ନାରୀ।