Er. Suchismita Satpathy

Abstract Inspirational

4.2  

Er. Suchismita Satpathy

Abstract Inspirational

ଜୀବନର ଦୋଛକି

ଜୀବନର ଦୋଛକି

5 mins
487


କାହିଁକି କେଜାଣି ଆଜି ନୂଆ ନୂଆ ଲାଗୁଛି ଏ ଆମ୍ବ ତୋଟା, ନଈ ପଠା, ଓ ଏଇ ପିଜୁଳି ଗଛର ମିଠା ପିଜୁଳି।ମନ କହୁଛି ଏଇଠି ଏମିତି ବସି ରହନ୍ତି ସବୁ ଦିନ ସବୁ ରାତି।


"ମନ ଖୋଜିବୁଲେ ଅନନ୍ତ ଆକାଶ,ପ୍ରାଣ ଖୋଜିବୁଲେ ତପନ ପ୍ରକାଶ, ଆଖି ଖୋଜିବୁଲେ ମିଳନ୍ତାକି ଟିକେ ମନ ବୁଝୁଥିବା ପିରତି ପରସ ।"


ଲାଗୁଛି ଆଜି କିଚିରି ମିଚିରି କରୁଥିବା ଚଢେଇ ଗୁଡିକ କିଛି କହିବା ପାଇଁ ଚତୁର୍ଦ୍ଦିଗ ପଇଁତରା ମାରୁଛନ୍ତି।ବୋଧେ ଏ ଅବୋଧ ଓ ନିଷ୍ପାପ ବିହଙ୍ଗ ମାନେ ମତେ ଚିନ୍ହି ପାରିଛନ୍ତି ତାଙ୍କ ସହ ସକାଳର କୁଆଁରି କିରଣରେ ତାଙ୍କ ଚିଁ ଚିଁ ଶବ୍ଦ ସହ ତାଳ ଦେଇ ଗୁଣୁଗୁଣୁ ଗାଇ ବୁଲୁଥିବା ସେହି ହଜିଯାଇଥିବା ମନଟିକୁ। ବୋଧେ ସେମାନେ ଚିହ୍ନି ପାରିଛନ୍ତି ତାଙ୍କ ସହ ତାଳ ଦେଇ ନାଚୁଥିବା କୁନି ଝିଅଟିକୁ । ବୋଧେ ଖୋଜି ପାଇଛନ୍ତି ତାଙ୍କ ଦରଦି ବନ୍ଧୁ କୁ ଯିଏ ଟାଇଁ ଟାଇଁ ଖରାରେ ପାଣି ଧରି ଧାଇଁ ଯାଏ ତାଙ୍କ ପାଇଁ, ସୂର୍ଯ୍ୟଙ୍କ ପ୍ରଖର ତାତିକୁ ଖାତିର ନକରି। ସେଥିପାଇଁ ବୋଧେ ସେମାନେ ଆଜି ଛାଡିଯିବାକୁ ପ୍ରସ୍ତୁତ ନୁହନ୍ତି।

ଏଇ ବର ଗଛର ଓହଳ ଆସି ଛୁଇଁ ଯାଉଛି ନିଜର ଭାବି।ସେ ବି ମତେ ଦେଖି ଚିହ୍ନି ପାରିଛି।


ମାତ୍ର ମୋର ତ କାହିଁ ମନେ ପଡୁନି ମୁଁ କାହାକୁ ଚିହ୍ନିଥିବା ପରି। ତଥାପି କାହିଁକି ଅତି ଆପଣାର ଲାଗୁଛନ୍ତି ଏମାନେ।

ବୋଧେ ଏଥିପାଇଁ ଯେ ମନୁଷ୍ୟ ସ୍ୱାର୍ଥପର। କାର୍ଯ୍ୟ ସରିଗଲେ ତୁ କିଏ ନା ମୁଁ କିଏ।


ସ୍ରଷ୍ଟାଙ୍କ ସୃଷ୍ଟିର ନିଆରା ହୋଇପାରେ ମନୁଷ୍ୟ ମାତ୍ର ନିଆରା ତ ଏଇ ପଶୁ ପକ୍ଷୀ,ଗଛଲତା ପ୍ରକୃତରେ ମହାନ। ସାରା ଜୀବନ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏମାନେ କେବଳ ଦେଇ ଜାଣିଛନ୍ତି ବିନା କିଛି ଦ୍ୱିଧାରେ, ବିନା କିଛି ଲୋଭ ଓ ମୋହରେ।ନା ଏମାନଙ୍କ ର ଅଛି ରାଗ ନା ଅଭିମାନ।


ଏମିତି ଭାବୁ ଭାବୁ ନିନା ପାଖରେ ବସିଥିବା ବଣିଟିକୁ ଧରିବା ନିମନ୍ତେ ହାତ ବଢେଇଲା, ତତ୍କ୍ଷିଣାତ ପକ୍ଷୀଟି ଟିକେ ଦୂରକୁ ଘୁଞ୍ଚି ଗଲା ବୋଧେ ଡରରେ। ଏ କଣ ? ହଠାତ ନିନାର ଆଖି ପଡିଲା ହାତ ଉପରେ।ହାତ ପାପୁଲି ଦୁଇଟିକୁ ଲୁହରେ ଢଳ ଢଳ ହୋଇ ଯାଉଥିବା ଆଖି ଆଗକୁ ଆଣିବା କ୍ଷଣି ଲୋତକ ପୂର୍ଣ୍ଣ ଚକ୍ଷୁ ଯୁଗଳରୁ ଧାରା ଶ୍ରାବଣ ପରି ଝରିବାକୁ ଲାଗିଲା ଲୋତକ ଗୁଡିକ।ଅମାନିଆ ମନ ବୈଶାଖୀର ଝଡ ପରି ଝିଞ୍ଜାଡି ହୋଇଗଲା । ଅନ୍ତରର କୋହ ଫାଟି ଚିତ୍କାର ର ରୂପ ଧାରଣ କରିବାକୁ ଲାଗିଲା ଚାପି ହୋଇ ରହିଥିବା ଅକୁହା କୋହ ଗୁଡିକ।

ଆଉ ବୋଲ ମାନିବାକୁ ପ୍ରସ୍ତୁତ ନଥିଲା ମନ ଓ ତାର ସ୍ୱର।କୋହଫଟା କାନ୍ଦ ଦେଖି ଗଗନ ପବନ ବି ସ୍ତବ୍ଧ ହୋଇଗଲେ।କିଚିରି ମିଚିରି କରୁଥିବା ପକ୍ଷୀ ଗୁଡିକ ବି ହଠାତ ଏ ଭୟଙ୍କର ଶବ୍ଦରେ ନିରବ ଦ୍ରଷ୍ଟା ସାଜିଲେ।ଗଛଲତା ମଧ୍ୟ ନିଜର କାୟାକୁ ସଙ୍କୁଚିତ କରିବାକୁ ପଛେଇଲେନି। ସେହି ଲୁହର ଧାରା ଭିତରେ ନିନା ଦେଖିବାକୁ ପାଇଲା ନିଜ ହସ୍ତରେଖା ଗୁଡିକୁ।


ମନେ ପଡିଗଲା ତାର ସେହି ପିଲାଦିନ କଥା । ନିମାଇଁ ପଣ୍ଡିତେଙ୍କ କଥା।କହିଥିଲେ ବହୁତ ଶିଘ୍ର ଝିଅର ଭାଗ୍ୟରେଖା ବଦଳିଯିବ। ବୋଧେ ତାଙ୍କ କଥା ଠିକ ଥିଲା।ଭାଗ୍ୟ ବଦଳିଲା ମାତ୍ର ଜୀବନଟା ଆଗେଇବା ପରିବର୍ତ୍ତେ ଅନ୍ଧାର ଭିତରକୁ ଠେଲି ହୋଇଗଲା।ପାଠପଢାରେ ଡୋରୀ ବନ୍ଧାହେଲା।ମଖମଲ ଓ ମହଲରୁ ଯାଇ ଦାଣ୍ଡବାଡି ଝାଟି ସଫା କରିବାକୁ ପଡିଲା। ହସ ଓ ଖୁସି ପାଇଁ ଚବିଶ ଘଣ୍ଟାର କାମବି ନିଅଣ୍ଟ ପଡିଲା।

ଯେଉଁ ନଖରୁ ନେଲପଲିସ ଲିଭୁ ନଥିଲା ଆଜି ତାର ସ୍ଥାନ ନେଇଛି କଳା ହାଣ୍ଡି ଓ କରେଇ ର କଳା ଯାହାକୁ ଯେତେ ଛଡେଇଲେ ବି ସେ ଯିବାର ନା ଧରୁନି।

ଗୋଡର ଅଳତାର ସ୍ଥାନ ନେଇଛି ପାଣିଖାଇ ଫାଟି ଯାଇଥିବା ଗୋଡ। ଏମିତି ଭାବି ଭାବି ଆଗୋଉଥାଏ ନିନା।


ସ୍ନାତକ ପଢାପରେ ଗାଁ କୁ ଫେରିଥାଏ ନିନା।ଆଖପାଖ ଖଣ୍ଡ ମଣ୍ଡଳର ପାଠୋଇ ଝିଅ ଭାବେ ତାର ଖୁବ ଚର୍ଚ୍ଚା।ତାର ବହୁତ ଇଛା ଆଗକୁ ଆହୁରି ପାଠ ପଢିବ ଓ ନିଜର ପରିଚୟ ସୃଷ୍ଟି କରିବାକୁ।ତେଣୁ ଅନେକ ଆଶା ନେଇ ଛୁଟିରେ ଫେରିଥାଏ ଗାଁ କୁ।ଗାଁ ରେ ନିଜ ଜେଜେମା, ଜେଜେବାପା,ମାଆ ଓ ବାପା ଅପେକ୍ଷା କରିଥାନ୍ତି ନିନାର ଆସିବାକୁ।ତାଙ୍କ ମନରେ ବସା ବାନ୍ଧି ଥାଏ ନିନାର ବାହାଘର। ଏକ ମାତ୍ର ଅଲିଅଳି ଝିଅର ବାହାଘର ଖୁବ ଧୂମଧାମରେ କରିବା ପାଇଁଆଖପାଖ ତିନି ଚାରି ଖଣ୍ଡ ଗାଁ ଭିତରେ ଧଡିଆ ଅବଧାନେ ଙ୍କ ନାଁ ଡାକ। ହଜାର ହଜାର ପିଲାଙ୍କୁ ପାଠ ପଢେଇଛନ୍ତି।ସବୁବେଳେ ସମସ୍ତ ଙ୍କୁ ଉପଦେଶ ଦିଅନ୍ତି ପୁଅଝିଅ ସମାନ।ଉଭୟଙ୍କର ସମାନ ଅଧିକାର ବାବଦରେ। ଶିକ୍ଷା କ୍ଷେତ୍ରରେ ମଧ୍ୟ ସମ ଅଧିକାର କହି ବୁଝାନ୍ତି ମାତ୍ର ମାଇନର ପରେ ଝିଅଟି ରହିଯାଏ ଚୁଲିମୁଣ୍ଡକୁ ଓ ପୁଅଟି ଚାଲିଯାଏ ଆର ଗାଁ କୁ।

ବେଳେବେଳେ ତାଙ୍କ ଆତ୍ମା ବି ରକ୍ତାକ୍ତ ହୋଇଯାଏ ଏ ମଣିଷ ମାନଙ୍କର ଚିନ୍ତା ଧାରାକୁ ନେଇ।

ସବୁ କରିହେବ ମାତ୍ର ମଣିଷକୁ ଓ ତା ଚିନ୍ତାଧାରା କୁ ବଦଳେଇହେବ ନାହିଁ।

ବୋଧେ ସେଥିପାଇଁ ତିନି ପୁରୁଷ ପରେ ତାଙ୍କ ଘରକୁ ଲକ୍ଷ୍ମୀ ରୂପେ ପଦାର୍ପଣ କରିଥିଲା ନୀନା।

ପିଲାଟି ବେଳରୁ ତାଙ୍କର ଇଛା ତାକୁ ପାଠପଢେଇ ମଣିଷ କରି ଗଢିତୋଳିବା ପାଇଁ।ତେଣୁ ମାଇନର ପରେ ନିଜେ ନେଇ ନୀନାକୁ ଛାଡନ୍ତି ହାଇସ୍କୁଲ ରେ ଓ ତାପରେ ସହରରେ। ଆଜି ତାଙ୍କ ମନ ବହୁତ ଖୁସି ।ତାଙ୍କ ସ୍ୱପ୍ନ ସାକାର ହେବାର ରୂପ ନେବା ଉପରେ।ଅପେକ୍ଷା ରେ ଥାନ୍ତି ତାଙ୍କ ଅତି ପ୍ରିୟ ନାତୁଣୀ ର ସ୍ୱାଗତ କରିବା ପାଇଁ ମାତ୍ର ସେ ଅବଗତ ନଥାନ୍ତି ତାଙ୍କ ସହଧର୍ମିଣୀ ଓ ସୁପୁତ୍ର ଙ୍କର ଚିନ୍ତା ଧାରା ବାବଦରେ।


ସେପଟେ ନିନା ମନରେ ଅନେକ ଆଶା ଘରକୁ ଫେରି ତାର ଉଚ୍ଚ ଶିକ୍ଷା ନିମନ୍ତେ ଆଲୋଚନା କରି ଆଗତ ଭବିଷ୍ୟତ ର କାର୍ଯ୍ୟ ପନ୍ଥା ସ୍ଥିର କରିବ।ଶେଷରେ ସମସ୍ତ ଙ୍କ ଅପେକ୍ଷାର ଅନ୍ତ ଘଟିଲା। ଅତି ଆନନ୍ଦରେ ନିନାର ସ୍ୱାଗତ ହେଲା। ତାର ଖୁସିର ସୀମା ନଥିଲା ସେଦିନ।

ସେଦିନ ସମସ୍ତ ଙ୍କ ସମୟ ଖୁସିରେ କଟିଲା। 

ତାର ଦୁଇଦିନ ପରେ ଅବଧାନେ ଦେଖିଲେ ଶ୍ରୀମତୀ ଙ୍କ ଦୂର ସମ୍ପର୍କୀୟ ଙ୍କ ସହ ଦୁଇ ଜଣ ଅଜଣା ବନ୍ଧୁ ଆସି ପହଞ୍ଚିଛନ୍ତି। କଥା ପଚାରି ବୁଝୁବୁଝୁ କଣ ନା ନିନାକୁ ଦେଖିବାକୁ ଆସିଛନ୍ତି।ଏହା ଶୁଣି ଅବଧାନେ ରାଗି ଲାଲ ହୋଇଗଲେ।

ଅନେକ ଯୁକ୍ତିତର୍କର ସମାଧାନ ସ୍ୱରୂପ ଶ୍ରୀମତୀ ଙ୍କ କଥା ରହିଲା କାରଣ ତାଙ୍କର ଏକା ଯିଦ ଭଲ ଘର ଭଲ ବର ଓ ବାହାଘର।ପରେ ନିନାକୁ ପାଠ ପଢିବାର ସୁଯୋଗ ଦେବେ।ସବୁ ଶୁଣିଲାପରେବି ଅବଧାନେ କେମିତି ତାଙ୍କ ଅଲିଅଳି ନାତୁଣୀ କୁ ବୁଝେଇବେ ଜାଣିପାରୁନଥିଲେ।


ନିନା ସବୁ ଶୁଣିଲା ପରେ ତା ପାଦତଳୁ ଯେମିତି ଭୂଇଁ ଖସିଗଲା ପରି ଲାଗିଲା।ସେ ବୁଝିସାରିଥିଲା ଯେ ତାର ଏତିକିରେ ପାଠପଢା ଶେଷ।ଆଉ ତା କଥା କି ତା ସ୍ୱପ୍ନ ର କିଛି ମହତ୍ତ୍ୱ ରହିବ ନାହିଁ।ଝିଅର କଥାର ମହତ୍ତ୍ଵ କାଳେକାଳେ ନଥାଏ ତେଣୁ କେହି କିଛି ବୁଝିଲେ ନାହିଁ ।ଶେଷରେ ଅବଧାନେ ନିନାକୁ ନିଜର ଅକ୍ଷମତା ପାଇଁ କ୍ଷମା ପ୍ରାର୍ଥନା କଲେ।


ଶାଶୁଘର ଲୋକ ବିବାହ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ନିନାର ପାଠପଢାର ଦାୟିତ୍ୱ ବହନ କରିବେ । ସବୁ ସୁରୁଖୁରୁରେ ସରିଲା।ବିବାହ ସମ୍ପନ୍ନ ହେଲା। ଶାଶୁଘର ଯାଇ ଦୃଖିଲା ସେଠିକାର ପରିବେଶ ଭିନ୍ନ। ଚଳନି ତାଙ୍କ ଘରଠାରୁ ସମ୍ପୂର୍ଣ୍ଣ ଅଲଗା। ଚୁଲି ରୋଷେଇକୁ କଳାହାଣ୍ଡି ଓ କରେଇ ମଜା।ରୋଷେଇ ଓ ବାସନ ମାଜିବା ଭିତରେ କେତେବେଳେ ଏକ ବର୍ଷ ବିତିଗଲା ସେ ଜାଣିନାହିଁ।ସେ ଭିତରେ ଜେଜେବାପା ଓ ଜେଜେମାଆ ଆରପାରି ଚାଲିଯାଇଥିଲେ। ମାଆ ରୋଗିଣା ହୋଇଯାଇଥିଲା।ବାପା ଏକା ଘର ସମ୍ଭାଳିବାକୁ।ସବୁବେଳେ ମନସ୍ତାପରେ ରୁହନ୍ତି ଝିଅ କଥା ନଶୁଣି ତା ଭବିଷ୍ୟତକୁ ନଷ୍ଟ କରିଦେଇଥିବାରୁ।

ଅବଧାନେଙ୍କର ଶେଷ ସମୟର ଦୁଃଖ ଥିଲା ତାଙ୍କ ନାତୁଣୀ ପାଠପଢି ପାରିଲା ନାହିଁ ଓ ସେଥିପାଇଁ ସେ ହିଁ ଦାୟୀ।ଏଇ କଥାଟି ତାଙ୍କ ମନ ଓ ହୃଦୟକୁ ଘାଇଲା କରି ରଖୁଥାଏ ପ୍ରତି ମୁହୂର୍ତ୍ତରେ।ଏତେ ଦିନପରେ ଝିଅକୁ ଏପରି ଅବସ୍ଥାରେ ଦେଖି ସେ ଆହୁରି ଭାଙ୍ଗି ପଡିଥିଲେ।

ଏମିତି ଭାବୁ ଭାବୁ କେତେବେଳେ ପଶ୍ଚିମ ଆକାଶରେ ସୂର୍ଯ୍ୟ ନଇଁ ଆସିଥିଲା ଜାଣିନଥିଲା ନିନା।

ହଠାତ ପ୍ରକୃତିସ୍ଥ ହେଲା ଆଖିରୁ ଲୁହ ପୋଛି ଦୃଖିବାକୁ ଲାଗିଲା ହାତର ରେଖାଗୁଡିକ କଳାହାଣ୍ଡି ସଫାକରିବାରେ ତାର ଅସ୍ତିତ୍ଵ ହଜେଇ ଦେଇଛନ୍ତି।ଯେଉଁ ହାତ ରେ ମେହେନ୍ଦୀ ଲାଗିଲେ ତାର ରଙ୍ଗରେ ତାର ଘର ମହକି ଉଠୁଥିଲା ଆଜି ଅଙ୍ଗାର କଳା ଓ ବାସନ ମଜା ଓ ତେଲ ହଳଦୀର ବାସରେ ତା ଶରୀରର ନିଜସ୍ୱ ଗନ୍ଧ ହଜିଯାଇଛି।ଭୂଲି ଯାଇଛି ସେ ଅତରର ବାସ୍ନା ଯାହା ନହେଲେ ସେ ଘରୁ ପଦାକୁ ଗୋଡ କାଢୁ ନଥିଲା।ଏମିତି ଭାବୁ ଭାବୁ ଆଖିରୁଲୁହ ପୋଛି ବାକୁଲାଗିଲା।

ଅନେକ ଦିନ ପରେ ମାଆର ଦେହ ଖରାପଯୋଗୁଁ ତାକୁ ସୁଯୋଗ ମିଳିଲା ଘରକୁ ଆସିବାକୁ ଯେଉଁଠି ତାର ଆତ୍ମା ରହିଯାଇଥିଲା।ଏଠି ଗୋଡ ଦେବା ପରେ ଆଉଫେରିବାର ଇଚ୍ଛା ନଥିଲା ତାର । ନିନାର ଏଇ ମନୋଭାବକୁ ପଢିପାରିଥିଲେ ତାର ବାପା ଦିନାନାଥ ବାବୁ ଏବଂ ସ୍ଥିର କରିଥୀଲେ ଆଉ ଝିଅକୁ ନପଠେଇବା ପାଇଁ।

ଶେଷରେ ଶାଶୁ ଘର ମଧ୍ୟ କିଛି ଦିନ ରହିବାର ଅନୁମତି ଦେଲେ ଏହା କହି ଯେ ତାଙ୍କ ପୁଅ ବେପାର କାମରେ ବାହାରକୁ ଯାଉଛି ତେଣୁ ସେ ଆସିବା ପର୍ଯ୍ୟନ୍ତ ସେ ଏଠାରେ ରହିପାରିବ। ଏହା ଶୁଣି ଦିନାନାଥ ବାବୁ ଖୁସି ହୋଇଥିଲେ ଏବଂ ମନେ ମନେ ସ୍ଥିର କରିଥିଲେ ଝିଅର ପାଠକୁ ଆଗେଇବା ପାଇଁ।

ଶେଷରେ ତାହାହିଁ ହେଲା । ନିନାର ଉଚ୍ଚ ଶିକ୍ଷାର ଦାୟିତ୍ୱ ସେ ବହନ କରି ତାକୁ ସହରକୁ ପାଠ ପଢିବାପାଇଁ ପଠେଇଦେଲେ। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହିଁ। ପ୍ରକୃତରେ ନାରୀର ଜୀବନ ଟା ସଦା ସର୍ବଦା ଜୀବନର ଦୋଛକିରେ।


Rate this content
Log in

Similar oriya story from Abstract