ଉଚ୍ଚିଷ୍ଟ
ଉଚ୍ଚିଷ୍ଟ


ହାତରେ ମୁଠାଭିତରେ ଜାବୁଡି ଧରିଥିବା କେଇଫର୍ଦ୍ଦ ଭିଜିବା ଆରମ୍ଭ କଲାଣି। ଆଖିର ଲୁହ ସିଧା ହାତରେ ଥିବା ଚିଠିଉପରେ ଥପଥପ ହୋଇ ଝରିପଡୁଥିଲା।କାଠଚେୟାରଟା କଁ କଁ ହେଉଥିଲା ସତେଯେମିତି ପଛପଟରୁ ଆରିଫାର ଭୁତ ଚୌକିଟିକୁ ଦୁଇହାତରେ ଝୁଲୋଉଛି।
ପ୍ରେମ........
କିଏ କହେ ମରିଚୀକା।
କିଏ କହେ ଧୋକାବାଜ।
କିଏ କହେ କାମରୂପୀ ତୋଫାନର ପୁର୍ବାଭାଷ।
କାହିକି ???
ତାହେଲେ.......
ହିରରାଂଝା, ସୋନିମହିୱାଲର ପ୍ରେମ।
ଲୈଲା ମଜୁନୁର ପ୍ରେମ ।
ସେସବୁ ତ ଇତିହାସ ପୃଷ୍ଠାର ପ୍ରେରଣା।
ଏକବିଂଶ ଶତାବ୍ଦୀରେ ପ୍ରେମର ପରିଭାଷା ବଦଳିଲା କେମିତି ?
କାରଣ ଖୋଜୁଥିଲା ଅମରେନ୍ଦ୍ର। ହାତରେ ଧରିଥିବା ଆରିଫାର ଲେଖାଗୁଡିକୁ ସାମ୍ନାରେ ଥିବା ଛୋଟ ଟେବୁଲ୍ ଉପରେ ଯତ୍ନରେ ରଖିଲା। ସାମ୍ନାର ଟିପୟଟାର ଉପର ପରସ୍ତ ଉଡିଗଲାଣି। ଗୋଟେ ଗୋଡ ଭାଙ୍ଗି ସାହିର ବୁଲାକୁକୁର ରଙ୍ଗା ଛୋଟେଇଲା ପରି ଗୋଟେପଟକୁ ଢଳି ରହିଛି ସତେ ଯେମିତି ଅସୁରକ୍ଷିତ ପ୍ରେମ, ଅସହାୟ ଜୀବନ।
ଛାତର ଅଳନ୍ଧୁଲଗା ପଙ୍ଖାଟା ଘୁରୁଛି କି ବନ୍ଦ ଅଛି ଜାଣିବାର ମୌକା ଦେଉନାହିଁ। ମଝିମଝିରେ ପଡିଶାଘର ବିଶୁବୁଢା କାଶିଲା ପରି ଘର୍ ଘର୍ କରୁଛି। ସେମିତି ହିଁ ଆଜି ପାଲଟିଯାଇଛି ଅମରେନ୍ଦ୍ରର ଜୀବନଧାରା, ବିଶେଷକରି ଆରିଫା ଇହଧାମ ତ୍ୟାଗ କଲା ପରଠୁ।
ଭାବିଚାଲିଥିଲା ଅମରେନ୍ଦ୍ର ....
ଆଜିକାଲିର ପ୍ରେମ....
ଦୁଇଦିନର ପରିଚୟ, ତାପରେ...
ପ୍ରେମର ସଙ୍ଗୀତରେ ମତୁଆଲା ପ୍ରେମୀଯୁଗଳ ଖୋଜିବୁଲନ୍ତି ଏକାନ୍ତ ସ୍ଥାନ।
ପ୍ରେମର ଦ୍ୱାହି ଦେଇ ପାର୍କ ଠାରୁ ଆରମ୍ଭ କରି ମଲ୍ ର ନିଭୃତ ସ୍ଥାନରେ ଶରୀରର ଉତ୍ତାପ ମାପିଚାଲନ୍ତି....
ତାପରେ ଗାଳ୍ପିକର ଗଳ୍ପର ଫ୍ରେମରେ ବନିଯାଆନ୍ତି...
ମରୀଚିକା ପ୍ରେମ !
ଧୋକାଦିଆ ପ୍ରେମ!
ଏସବୁର ମସଲାଦିଆ ପାଠକଙ୍କ ଆଦୃତିଲବ୍ଧ କାହାଣୀ।
ସେଇଥିପାଇଁ ତ ପ୍ରେମ, ଫ୍ରେମର ପାଲରେ ନପଡି ଦଶଦିଗପାଳଙ୍କୁ ସାକ୍ଷୀରଖି ବାହାହୋଇ ଆରିଫାକୁ ଆଣିଥିଲା ଅମରେନ୍ଦ୍ର ।
ଏମିତି କ'ଣ ହୋଇଗଲା ଯେ ଆରିଫା ବିଷପାନ କରି ଆତ୍ମହତ୍ୟାକୁ ବାଛି ନେଲା। ସେଇ ଅଡୁଆ ସୁତାର ଖିଅ ଖୋଜୁଛି ଅମରେନ୍ଦ୍ର ।
ଅମରେନ୍ଦ୍ର ଖୋଲିଲା ଆରିଫାର ହାତଲେଖା ଫର୍ଦ୍ଦ :
ମୁଁ ମଧ୍ଯବିତ୍ତ ପରିବାରର ସନ୍ତୋଷ ଲଳନା ଆରିଫା। ଜୀବନ କାହାଣୀ ଲେଖିବସିଲେ ତ ମନୋଜ ଦାସଙ୍କ କାହାଣୀପେଢି ପରି ପୁସ୍ତକ ହୋଇଯିବ, ତାଛଡା ଏହି ଚିରାଚିଠିସବୁ ପଢିଲାବେଳକୁ ତମ ପାୱାର ଚଷମା ଭିତରୁ ଆଖି ଲୁହ ଝରି ଅଧାଲେଖା ଲିଭେଇଦେବ। ତେଣୁ ଗୋଟିଏ ନାରୀର କିଛିକଥା କିଛିବ୍ୟଥା ଲିପିବଦ୍ଧ କରୁଛି।
ଆଜି ତ ଆମର ବିବାହରୂପି ଖେଳଘର ଭାଙ୍ଗିସାରିଛି। ଜୀବନର ସୁନ୍ଦର ରାଗିଣୀ ଗାନକରୁଥିବା ଚିଠିସବୁ ଚିରିଯାଇଛି। ଗୋଟିଏ ହୃଦୟ ପଞ୍ଚଭୂତରେ ବିଲିନ ହୋଇସାରିଛି ।ଆରେ.....
ଆଁ କରି କ'ଣ ଅନେଇଛ ? ମୋ କହିବାର ମାନେ ମୋ ଶରୀର ପଞ୍ଚଭୂତରେ ଲୀନ ହୋଇସାରିଛି। ଆଜି ମୁଁ ଅଶରୀରୀ।
କିନ୍ତୁ........
ଦେଖିପାରୁଛି ତମ ହୃଦୟର ନିଃଶବ୍ଦ ରକ୍ତକ୍ଷରଣ। ଜାଣିଛ ଅମରେନ୍ଦ୍ର ! ତମର କ୍ଷରିତ ରକ୍ତର ରଙ୍ଗ ଲାଲ୍ ନୁହଁ, କଳା। ସେଇ ଥୋପଥୋପ କଳାରକ୍ତରେ ତମ ପାୱାର ଚଷମା ଭିଜି ତମକୁ ଆଉ କିଛି ଦୃଶ୍ୟମାନ ହେଉନାହିଁ। ସବୁକିଛି ଅନୁଜ୍ୱଳ, ଅସ୍ପଷ୍ଟ। ଆଗକୁ ମୋ ଚିଠି କେମିତି ପଢିବ ?
ଆଖି ସଫାକରି ପଢିବାକୁ ଲାଗିଲା ଅମରେନ୍ଦ୍ର ।
ନାରୀଟିଏ ସବୁ ସମୟରେ, ସବୁ ପରିସ୍ଥିତିରେ ଗୋଟିଏ ପ୍ରଶ୍ନବାଚୀ। ମୁଁ କନିଷ୍ଠ କନ୍ୟା। ପାପାଙ୍କ ଗେହ୍ଲା, କିନ୍ତୁ ମାମା ମନର କୌଣସି ନା କୌଣସି କୋଣରେ ପୁଅଟିଏ ପାଇଁ ଅବଶୋଷ ସ୍ପଷ୍ଟ ଲକ୍ଷକରେ ମୁଁ।
ବେଳେବେଳେ...
କିଛି ଅଘଟଣ ଘଟିଗଲେ ମାମା କହେ, ପୁଅ ହୋଇଥିଲେ ଏହି ଅସୁବିଧା ହୋଇନଥାନ୍ତା। ମନଟା ବିଦ୍ରୋହ କରିଉଠେ। ବହୁତ ଭଲପାଉଥିବା ମାମା ପ୍ରତି ମୋ ମନଅଗଣାର କୌଣସି ଏକ କୋଣରେ ଅସନ୍ତୋଷର ବ
ିଜବପନ ହୁଏ। ଛୋଟବେଳୁ ହିଁ ଘରେ ନଜରବନ୍ଦୀ। ଅଙ୍ଗବିନ୍ୟାଶ ହେବା ପୁର୍ବରୁ ହିଁ ଖୋଲାଦେହ ମନା। ପଡୋଶୀ ଘର ପୁଅ ରାଜେଶ ବିନା ଜାମାରେ ବିଦ୍ୟାଳୟ ଚାଲିଯାଏ । କି ଖରା,କି ବର୍ଷା, କି ଶୀତ , ୩୬୫ ଦିନ ଶରୀର କପଡାରେ ଢାଙ୍କି ହୋଇରହେ। ପୁତିଗନ୍ଧମୟ ଶରୀର ବହନ କରିବା ବୋଧେ ଝିଅଙ୍କର କପାଳ ଲିଖନ।
ହଁ, ଦଶମ ଶ୍ରେଣୀର କଥା । ଗାଆଁମୁଣ୍ଡ ବରଗଛ ସେପାରି ଆର ସାହିରେ ରୁନୁଅପା ଘରକୁ ଟିଉସନ ପଢିବାକୁ ଯାଉଥିଲି ମୁଁ। ସେଦିନ ରୁନୁଅପା ବ୍ୟସ୍ତ ଥିଲେ। ଆମେ ଟୁପୁରୁ ଟାପୁରୁ ହେଉଥିଲୁ। ମୁଁ ଭାବୁଥିଲି ;
ଆଜି ବି ଛାତିରେ ହାତରଖି କହିବି କୌଣସି ପ୍ରେମୀଯୁଗଳ କେବଳ ପ୍ରେମରେ ସିମୀତ ରହିବା ସମ୍ଭବ ନୁହେଁ। ସେଇଠି ହିଁ ଅପମାନିତ ହୁଏ ପ୍ରେମ ଓ ତାର ଅଭିଶାପରେ ହିଁ ପ୍ରାୟତଃ ଅସଫଳ ପ୍ରେମକାହାଣୀ।
କିନ୍ତୁ.......
ସେଇଦିନ.....
ହଠାତ ବର୍ଷା ଆରମ୍ଭ ହେଲା। ଆମ ସାହିର ମୁଁ ଏକା ଝିଅ। ଅନ୍ଧାର ରାତି। ବର୍ଷା ଛାଡିବାର ନାଆଁ ନେଉନଥାଏ। ସବୁ ପିଲା ଚାଲିଗଲେ। ନବ ବିବାହିତା ରୁନୁଅପାକୁ ତା ସ୍ଵାମୀ ଇଶାରା କରୁଥିଲେ। ବାଧ୍ୟ ହୋଇ ସାହସ ସଞ୍ଚୟ କରି ମୁଁ ଉଠିଗଲି।
ବର୍ଷାର ପ୍ରାବଲ୍ୟରେ ଗଛ ସବୁ ଦୋହଲୁଥିଲା, ଲାଗୁଥିଲା କେହି ପିଛା କରୁଛି। ସେଇ ବରଗଛ ପାଖରେ ପଛରୁ ଦୁଇଜଣ ଜାବୁଡ଼ି ଧରିଲେ, ଜଣେ ମୋ ପାଟିରେ ଅସନା ଗାମୁଛା ଠୁଙ୍କିଦେଲା। ମୋତେ ଲାଗୁଥିଲା ସତେ ଯେମିତି ବାନ୍ତି ହେଇଯିବ। କଳା କଳା ଦାନ୍ତ ନିକୁଟି ଜଣେ ଖଇନି ପାଟିରେ ଭରି ମୋ ଜାମା ଉଠେଇ ଦେଲା। ମୋ ଶରୀରରେ ଅନ୍ତବସ୍ତ୍ର ନଥିଲା। ଚାରିଜଣ ମୋତେ ଧର୍ଷଣ କଲେ।
କାନ୍ଦି କାନ୍ଦି କଷ୍ଟରେ ଘରକୁ ଫେରିଲି ମୁଁ। ପାପାଙ୍କୁ ସବୁ କହିଲି। ପେଇନକିଲର ଦେଇ ଚୁପ୍ ରହିବାକୁ କହିଲେ ମୋତେ। ସମୟ ସହ ତାଳ ଦେଇ ଆଗକୁ ବଢ଼ିଲି ମୁଁ କିନ୍ତୁ ସେଇ ଅଭିଶପ୍ତ ରାତି ପ୍ରତ୍ୟହ ମୋ କାନ୍ଧରେ ଛିଡ଼ା ହୋଇ ମୋତେ ଭୟଭୀତ କରାଏ।
ସତୀତ୍ୱ ନାରୀର ଗହଣା। ଅସମୟରେ ଅବୟସରେ ମୁଁ ତାକୁ ହରେଇ ସର୍ବସ୍ବାନ୍ତ ହୋଇସାରିଥିଲି। ବାପା ମାଆ ବି ଘୃଣା ଚକ୍ଷୁରେ ଦେଖୁଥିଲେ ମୋତେ। ମୋ ଶରୀର ରୋଗଗ୍ରସ୍ତ ହୋଇସାରିଥିଲା। ତମ ପ୍ରେମର ପରଶରେ ମୁଁ ଟିକେ ସୁଖ ସାଉଁଟି ସ୍ୱାର୍ଥପର ହୋଇ ଯାଇଥିଲି ଓ ତମଠୁ ମୋ ଅତୀତ ଅଛପା ରଖିଥିଲି।
ଏତେ ଜ୍ଞାନୀଲୋକଟା ମୋ ପରି ଉଚ୍ଚିଷ୍ଟକୁ ଗ୍ରହଣ କରି ନିଜକୁ ଭାଗ୍ୟର ହିମାଳୟର ଶିଖରରେ ବସେଇପାରିଲ କେମିତି ? ବିବାହର ଅଳ୍ପକିଛିମାସ ଭିତରେ ତମେ ମୋର ମନ କିଣି ନେଇଥିଲ।
ବଞ୍ଚିବାର ପ୍ରବଳ ଇଚ୍ଛା ଥିଲା ମୋର। ତମର ସର୍ତ୍ତ ଥିଲା, ଶାରୀରିକ ମିଳନ ଦୁହିଁଙ୍କର ଇଚ୍ଛାରେ ହେବ। ସୁଗନ୍ଧିତ ବିଛଣାରେ ମୁହଁବୁଲେଇ ଶୋଇଗଲେ ବି ତମର ମୂର୍ଖ ଭଦ୍ରାମୀକୁ ମୁଁ ମନେମନେ ଗାଳି ଦେଉଥିଲି।
କିନ୍ତୁ........
ତମ ଶରୀରକୁ ସ୍ପର୍ଶ କରିବାକୁ ଅଗ୍ରସର ହେବା ସମୟରେ.....
ସେଦିନ ରାତି....!
ସେଇ ବରଗଛ....!
ମୋ ଶରୀରରେ କଳଙ୍କର ଦାଗ.......!
ଅଟକାଇଦିଏ ମତେ।
ନିଜେ ଜଳି ତମକୁ ଜଳେଇବା ଅପେକ୍ଷା ତମକୁ ଶାନ୍ତିରେ ବଞ୍ଚିବାର ରାସ୍ତା ଦେଖେଇବା ପାଇଁ ମୋ ପାଖରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ରାସ୍ତା ନଥିଲା । ତାଛଡ଼ା ମୁଁ ଦୁରାରୋଗ୍ୟ ବ୍ୟାଧିର ଶୀକାର ହୋଇ ସାରିଥିଲି।
ମତେ କ୍ଷମା କରିଦେବ ଅମରେନ୍ଦ୍ର। ହଁ ଯଦି ପାରୁଛ ଆଉ ବାହା ହେବନାହିଁ।ଗରୀବ ହେଲେ କ'ଣ ହେଲା, ତମେ ଜଣେ ସିଦ୍ଧପୁରୁଷ।
ମୁଁ ଜଣେ ନାରୀ। ପ୍ରେମର ସ୍ୱାଦ ଚାଖିଥିବା ନାରୀ। ପରପୁରୁଷକୁ ପ୍ରେମକରି ଶରୀର ଦାନ କରି ଆଉଜଣେ ଦେବତାର ଜୀବନ କେମିତି ନଷ୍ଟ କରିଥାଆନ୍ତି ମୁଁ ?
ମତେ କ୍ଷମା କରିଦେବ ଅମରେନ୍ଦ୍ର।
ହେ ଆଧୁନିକ ସଭ୍ୟତାର ପ୍ରଭାବରେ ପ୍ରଭାବିତ ଯୁବପିଢି।
ପ୍ରେମ ଭୁଲ୍ ନୁହେଁ। ପରିବାରକୁ ପ୍ରେମ କର। ପ୍ରେମ ନାମରେ ଫ୍ରେମ୍ ହୁଅନାହିଁ। ଆମେ ପରା ନାରୀ।
ଅମରେନ୍ଦ୍ରର ଲୁହରେ ଚିଠିଗୁଡିକ ସମ୍ପୂର୍ଣ୍ଣ ଭିଜିଯାଇଥିଲା। ହାତମୁଠା ଶକ୍ତ ହୋଇଉଠୁଥିଲା। ଆଖିଡୋଳା ଦୁଇଟି ବାହାରକୁ ବାହାରି ଆସୁଥିଲା। ଫ୍ୟାନଟା ଘଁ ଘଁ କରି ଘୁରୁଥିଲା, କିନ୍ତୁ ଥଣ୍ଡା ଗରମର ଅନୁଭବ ଆଉ ନଥିଲା ଅମରେନ୍ଦ୍ରର।