Siddhartha Sankar Tripathy

Romance

4  

Siddhartha Sankar Tripathy

Romance

ଭାଇନା ଭାଉଜଙ୍କ ପ୍ରେମ

ଭାଇନା ଭାଉଜଙ୍କ ପ୍ରେମ

3 mins
13



ଲେଖିବା ନିଶା ପ୍ରକୃତ ଲେଖକକୁ ସର୍ବଦା ଘାରେ। ଯେଉଁଦିନ କର୍ମଜୀବନରେ ଟିକେ ଫୁରୁସତ ମିଳେ ମନଟା ଗୋଳେଇ ଘାଣ୍ଟି ହୁଏ କିଛି ଲେଖିବାକୁ। ଏକାନ୍ତ ଜୀବନରେ ମୋବାଇଲରେ ଭିଡ ଜମାଇଥିବା ପ୍ରେମିକା/ ନିଜ ଲୋକଙ୍କ ବାର୍ତ୍ତା ସାଉଁଟୁ ସାଉଁଟୁ ଆନମନା ମନ ପଚାରିବସେ, କିଛି ନୂତନ ଭାବନା ଅଛି କି ମୋ ଲେଖନୀ ଚଳଚଞ୍ଚଳ କରିବାପାଇଁ ? ପ୍ରାୟତଃ ସମସ୍ତେ କୁହନ୍ତି, ତମେ ଲେଖକ ଲୋକ ତମେ ଭାବିବ ନା ଆମେ କ'ଣ କହିବୁ ?

ମୋ ମନରେ ବିଭିନ୍ନ ଭାବନା ଆସେ କିନ୍ତୁ ସବୁ ଅସଜଡା ଲାଗେ ଓ ମୁଁ ଲେଖିବାରୁ ନିବୃତ ରୁହେ। ମନଟା ହୁପିଂ କାଶ ପରି ଗୋଳେଇ ଘାଣ୍ଟି ହୁଏ। ଆମ ଦପ୍ତରରେ ସବୁ ଯନ୍ତ୍ରୀ ଭିତରେ ଜଣେ ସହକାରୀ ଯନ୍ତ୍ରୀ, ମୋ ଠୁଁ ବୟସରେ ବଡ଼ ତେଣୁ ତାଙ୍କ ଉପରିସ୍ଥ ଅଧିକାରୀ ହେଲେ ବି ମୁଁ ସମ୍ମାନ ଦିଏ ଓ ଭାଇନା ଡାକେ।

ସବୁ ମଣିଷର ଅତୀତ ଥାଏ। ତାଙ୍କର ବି ସେମିତି ଅଶ୍ରୁଳ ଯୌବନ ଥିଲା, ଯେଉଁ ଯୌବନ ସୋମରଶର କଳା ଦାଗରେ କଳଙ୍କିତ। ସେ ମାନେ ଭାଇନା ସେ କଳା ଦାଗ ଆଡ଼କୁ ପିଠି କରି ଆଗକୁ ବଢିବା ସମୟରେ ଭାଉଜ କଟାକ୍ଷ କରନ୍ତି ଓ ସେ ଯୌବନର ସୋମରଶ ପୁଣି ସାମ୍ନାରେ ନାଚି ଯାଏ ଓ ବିରକ୍ତିରେ ଭାଇନା ବେଳେ ବେଳେ ଆକଣ୍ଠ ପାନ କରି ଅନ୍ୟମାନଙ୍କୁ ଗାଳି ଦେଇ ଆତ୍ମତୃପ୍ତି ଲାଭ କରନ୍ତି।

ମୁଁ ଦିନେ ଦିନେ ଲକ୍ଷ୍ୟକରେ ଛୁଟିଦିନରେ ଭାଇନା କୌଣସି ପରିସ୍ଥିତିରେ ବି ଭାଉଜ ପାଖକୁ ଯିବାକୁ ବାଧ୍ୟ। ଅନ୍ୟ ବିଭାଗ କଥା ଅଲଗା କିନ୍ତୁ ପଞ୍ଚାୟତିରାଜ ବିଭାଗରେ ତା ପୁଣି ଯନ୍ତ୍ରୀ ର ଛୁଟି ହିସାବ ନଥାଏ।

ଦିନେ ଭାଇନାଙ୍କୁ କହିଲି, ତମେ ସବୁ ଛୁଟିରେ ବ୍ରହ୍ମପୁର ଗଲେ ଏପଟେ କାର୍ଯ୍ୟ ବ୍ୟାଘାତ ହେଉଛି। କିଛି କହିଲେନି ସେ, କିନ୍ତୁ ସନ୍ଧ୍ୟାରେ ମାତ୍ରାଧିକ ସୋମରଶ ପାନ କରି ବଜାରରେ ମୋତେ ହିଁ ଗାଳି ଦେଉଥିଲେ।

ପରଦିନ ଦପ୍ତରରେ ପଚାରିଲି, ଭାଇନା ! ଗତକାଲି ବଜାରରେ ମଦ୍ୟପାନ କରି କ'ଣ ମୋତେ ଗାଳି ଦେଉଥିଲ ? ଭାଇନା ସ୍ମିତହସି କହିଲେ, ହଇହୋ ଅଫିସର ଭାଇ ! ମୋତେ ବର୍ତ୍ତମାନ ଅଠାବନ। ଆଉ ଦୁଇବର୍ଷରେ ସରକାରୀ ଚାକିରିରୁ ଅବସର ।

ମୁଁ କହିଲି, ତା ତ ଠିକ୍ ହେଲେ ତମେ ରାତ୍ରୀଭୋଜନ କରନାହିଁ, ତମର ମୋଟ ଓଜନ ୪୪ କିଲୋ। ତାସହ ଦିନରେ ଖାଇବା ବି ଠିକ୍ ନାହିଁ, ତମେ ନିଜେ ରୋଷେଇ କରନାହିଁ କିମ୍ବା ଘରେ ରୋଷେଇ କରିବାକୁ କେହି ନାହିଁ। ଏମିତିରେ ସିଗାରେଟ ଓ ମଦ୍ୟପାନ କଲେ ତମ ସ୍ବାସ୍ଥ୍ୟାବସ୍ଥା କ'ଣ ହେବ କହିଲ ? ତମେ କାହିଁକି ଏପରି କରୁଛ ?

ଭାଇନା ଆରମ୍ଭ କଲେ, ଅଫିସରଭାଇ ! ତମ ଭାଉଜକୁ ମୁଁ ଭୟ କରେ। ପ୍ରତ୍ୟହ କଥା ନହେଲେ ଅଥବା ଛୁଟିରେ ନଗଲେ ତମ ଭାଉଜ ମୋତେ ସନ୍ଦେହ କରେ ଓ ଛୁଟିରେ ମୁଁ ନଗଲେ ସେ ୟାଡୁସ୍ୟାଡୁ ଔଷଧ ପୁଳାଏ ଖାଇଦିଏ। ତେଣୁ ମୁଁ ସବୁ ଛୁଟିରେ ଘରକୁ ଯିବାକୁ ବାଧ୍ୟ।

ମୋ ମନ ଦୁଃଖରେ ଭରିଗଲା। ମୁଁ ଭାବିଲି ପ୍ରକୃତରେ ଲୋକଟା ନଖାଇନପିଇ କେତେ କଷ୍ଟ ପାଉଛି ଅଥଚ ଏମିତି ସ୍ତ୍ରୀ ? ଦୁଇଦିନ ପରେ ଭାଉଜ ଏଠାକୁ ପଦାର୍ପଣ କଲେ। ମୁଁ ସାକ୍ଷାତ କଲି। ହୃଷ୍ଟପୃଷ୍ଟ ଚେହେରା, ପୃଥୁଳକାୟ ଶରୀର। କଥାବାର୍ତ୍ତା ଆରମ୍ଭ କଲି। ଭାଉଜ ଭାଇନାଙ୍କ ସୋମରଶ ପାନ ବୃତ୍ତାନ୍ତ ବର୍ଣ୍ଣନା କଲେ। ନିଜ ଜୀବନର ଦୁଃଖ ବଖାଣିଲେ।

ମୋ ଲେଖକ ମନ ଦ୍ବନ୍ଦରେ ପଡ଼ିଲା। କିଏ ଠିକ୍ କିଏ ଭୁଲ୍ ଅଥବା ରହସ୍ୟ କ'ଣ ଜାଣିବାର ଆଗ୍ରହ ବଡିବାର କାରଣ ପ୍ରକୃତ ତଥ୍ୟ ଜାଣିବା ସହ ରୋଚକ କାହାଣୀ ତା ବି ସତ୍ୟ ମୋତେ ମିଳିଯିବ। ଭାଉଜ କିଛିଦିନ ରହି ଚାଲିଗଲେ। ତା ଭିତରେ ମୁଁ ଭାଇନା ବିରୁଦ୍ଧରେ କିଛି କହିଲେ ଭାଉଜ ଚିଡନ୍ତି ଓ ଭାଉଜ ବିଷୟରେ କିଛି କହିଲେ ଭାଇନା ଚିଡନ୍ତି। ସତ୍ୟ ଜାଣିବାକୁ ମୋ ମନ ଗୋଳେଇ ଘାଣ୍ଟି ହୁଏ।

ଆଜିକାଲି ମୋବାଇଲ ଯୁଗ। ଭାଇନା କେବେ ମୋବାଇଲ ହାତଛଡ଼ା କରନ୍ତି ନାହିଁ। ଦିନେ ସୁଯୋଗ ଦେଖି ମୋବାଇଲ ହାତରୁ ନେଇଗଲି।

ଦେଖିଲି ସନ୍ଧ୍ୟା ମାନେ ମୋ ଭାଉଜଙ୍କ ବାର୍ତ୍ତା।

ମୋ ଧନ ଦୁନିଆର ସବୁଠୁଁ ସୁନ୍ଦର ବ୍ୟକ୍ତିତ୍ଵ। ତା ସହ ଜାନୁ, ସୋନା , ବେବି ଇତ୍ୟାଦି।

ଏପଟୁ ଭାଇନାଙ୍କ ଉତ୍ତର : ହେ ମୋ ପ୍ରାଣପ୍ରିୟା, ଜୀବନସଙ୍ଗିନୀ ଇତ୍ୟାଦି। ଆଉ କିଛି ବାର୍ତ୍ତା ମୁଁ ଏହି ସାହିତ୍ୟପୃଷ୍ଠାରେ ପ୍ରକାଶ କରିବାକୁ ଅକ୍ଷମ।

ହଠାତ ଭାଇନା ଜାଣିପାରିଲେ ମୁଁ ତାଙ୍କରି ମୋବାଇଲ ଦେଖୁଛି। ମୋ ହାତରୁ ଟାଣି ନେଇ ଲାଜେଇ ଗଲେ ସେ। ଭାଇନା ଭାଉଜର ପ୍ରେମ ଦେଖି ଖୁସି ଲାଗିଲା ହେଲେ ଆଜିବି ବୁଝିପାରେନି କେତେଟା କଥା।

ଆଜିକାଲି ପୁଅ ଝିଅ ଦୁଇଦିନିଆ ପ୍ରେମରେ ବି ଡିଣ୍ଡିମ ପିଟନ୍ତି, ହେଲେ ଏମାନେ ଏତେ ଦିନରେ ପ୍ରେମରେ ବି ଶତ୍ରୁ ପରି ପ୍ରତିତ ହୁଅନ୍ତି।

ବୋଧେ ଏହା ସେକାଳ ପଖାଳ ବନାମ ଏକାଳ ବିରୀୟାନି।

ଯାହାହେଉ ଭାଇନା ଭାଉଜଙ୍କ ପ୍ରେମ ଏମିତି ଲୁଚାଛପା ଥାଉ ପଛେ ଅତୁଟ ଥାଉ। ଏତିକି କାମନା।

ଲେଖିଲାବେଳେ ଭାବୁଛି, ଏ କଳିଯୁଗରେ କିସ ପୁଣି ଦେଖା ନଯାଏ ????


Rate this content
Log in

Similar oriya story from Romance