Rabinarayan Senapati

Abstract Romance Classics

4.3  

Rabinarayan Senapati

Abstract Romance Classics

ବୃତ୍ତଚିତ୍ର ଏକ ଶ୍ରଦ୍ଧାଞ୍ଜଳିର

ବୃତ୍ତଚିତ୍ର ଏକ ଶ୍ରଦ୍ଧାଞ୍ଜଳିର

18 mins
295


ନାତିବୃହତ ଦ୍ବିତଳ ପ୍ରାସାଦର ନାମ 'କବିତା କୁଞ୍ଜ'। ବେଳାଭୂମିର କୋଳାହଳ ଯେଉଁଠି କ୍ଷୀଣ, ସେଇଠି ନିରୋଳାରେ ସମୁଦ୍ରର ଗର୍ଜନକୁ ନିରନ୍ତର ପ୍ରତିଧ୍ଵନିତ କରୁଥିବା ଏ ନିବାସର ଗୃହକର୍ତ୍ତା ପ୍ରଣବ କିଶୋର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି। ହଠାତ୍ ଜୀବନ ଯାତ୍ରାରୁ ଅବ୍ୟାହତ ନେଇଗଲେ ପତ୍ନୀ କବିତା। ହଠାତ୍ ଆଉ କ'ଣ? ସପ୍ତାହ ତଳେ ତାଙ୍କ ଅଶିତମ ଜନ୍ମଦିନ ନିରାଡମ୍ବର ପାଳନ କରିଥିଲେ, କେତେଜଣ କବି ବନ୍ଧୁ ଓ କବିତାଙ୍କର ସମସାମୟିକ ପ୍ରଶାସନିକ ଅଧିକାରୀଙ୍କ ଗହଣରେ। 


 ଭୁବନେଶ୍ଵରର କୋଳାହଳରୁ ମୁକ୍ତି ଏବଂ କାଳିଆର ଚରଣରେ ଶେଷ ଜୀବନ କାଟିବା ପାଇଁ ଏ ସ୍ଥାନକୁ ବାଛିଥିଲେ। ଏମନ୍ତ ଇଛା ପ୍ରକୃତରେ କରିଥିଲେ ପ୍ରଣବ କିଶୋରଙ୍କ ବାପା ବିକ୍ରମ କିଶୋର ଓ ମାତା ସୌଭାଗ୍ୟ ଲକ୍ଷ୍ମୀ। ଘର ସମ୍ପୂର୍ଣ୍ଣ ହେବା ପୂର୍ବରୁ ସେମାନେ ଚାଲିଗଲେ। କବିତାଂକ କ୍ଷମତା ବଳରୁ ଏ ବାସଗୃହ ହୋଟେଲ୍ ଶିଳ୍ପ ଦାଢରୁ ବର୍ତ୍ତି ଯାଇଛି। କବିତା ଅବସର ନେଲେ ବରିଷ୍ଠ ସଚିବ ପଦରୁ କୋଡିଏ ବର୍ଷ ତଳେ। କାଳିଆର ଡୋରି ଲାଗିଲା ମାତ୍ର ଛଅବର୍ଷ ତଳେ। 


ପୁଅ ଅଜୟ ଓ ଝିଅ ଅଞ୍ଜଳି ଯୁକ୍ତରାଷ୍ଟ୍ର ଆମେରିକାରେ। ଓଡ଼ିଶା ଆସିବା ପ୍ରାୟ ଶୂନ୍ୟ, ଭୁବନେଶ୍ଵର ଭାରି ଭାରି ଲାଗିଲା। ମନେ ହେଲା କୁଆଡେ ଗୋଟେ ଛାଡି ପଳାଇବେ। ପିଲାଏ ଭାବନ୍ତି ପ୍ରଶାସନିକ ଅଧିକାରୀ ବୃଦ୍ଧା ହୁଅନ୍ତି ନାହିଁ, ସର୍ବଦା ସମର୍ଥ, ଅଭ୍ୟାସ ବଶତଃ ଆପଣା ଆଦେଶରେ ନିଜକୁ ପରିଚାଳିତ କରନ୍ତି। କବି ପ୍ରଣବ ତ ଚିର ସବୁଜ ପୁଣି ନାମ ମଧ୍ୟରେ ଲାଗିଛି କିଶୋର। ଏକଦା ନାସ୍ତିକ ଓ ବାମପନ୍ଥୀ କବି ଦିନେ ଜିଦ୍ କଲେ ଚାଲ ପୁରୀରେ ରହିବା। କବିତା କୃଷ୍ଣ ପ୍ରେୟସୀ ରାଧା। ସେମାନେ ଚାଲିଆସିଲେ 'କବିତା କୁଞ୍ଜ'କୁ। ରାଜଧାନୀ ଘର ଭଡ଼ାରେ ଓ ମରାମତି ଦାୟିତ୍ଵ ଚୁକ୍ତି ଅନୁଯାୟୀ ଭଡାଟିଆଙ୍କର। ଆଉ ଭୁବନେଶ୍ବର ଯିବା ଆବଶ୍ୟକ ହୁଏନାହିଁ।


 ବ୍ୟକ୍ତିଗତ ସହାୟକ, ସାରଥୀ, ଗୃହ ପରିଚାଳକ ଓ ଜଣେ ଅନାଥ ଜଗା ଅଟୋବାଲାକୁ ଠିକ୍ କରିଦେଇଥିଲେ ବେଳାଭୂମି ଥାନା ଅଧିକାରୀ। ସମ୍ପର୍କ ଓ ନିର୍ଭରଶୀଳତା ବଢ଼ି ଚାଲିଲା। କେତେବେଳେ ସେ ବାବା ମାଆ ଡାକିବା ଆରମ୍ଭ କରିଦେଲା, କେତେବେଳେ ତା ଅଟୋ ବଦଳି ଗଲା ଏକ ସୌଖିନ କାରକୁ ଜଣାପଡ଼ିଲା ନାହିଁ। ଆଜି ଜଗାର ପରିବାର ଅଛି, ପତ୍ନୀର ନାମ ଶ୍ରୀ ଓ ସେମାନଙ୍କ କୁନି ଝିଅର ନାମ କାବ୍ୟା। ଏ କାବ୍ୟା'ଟି ପ୍ରଣବ କିଶୋରଙ୍କ ଜୀବନ। କାବ୍ୟା ଗପ ଶୁଣିବା ବୟସର ହେଲାଣି। ସେମାନେ ଚାଲିଆସନ୍ତି ସକାଳେ। ନିଜ ନିଜ କାମରେ ଲାଗନ୍ତି, ରାତିରେ ଫେରନ୍ତି। କାବ୍ୟା ସବୁବେଳେ କହୁଥିବ, "ଜେଜେ ଆଉ ଗୋଟେ ଗପ କୁହ, ଆଉ ଗୋଟେ ପୁଣି ଗୋଟେ"। ପ୍ରଣବ କିଶୋରଙ୍କ କବିତା ଲେଖିବା ସମ୍ପୂର୍ଣ୍ଣ ଵନ୍ଦ କରିପାରିଛି କାବ୍ୟା। ସେ ଗପ କହୁ କହୁ ପାଠ ପଢ଼ା ମଧ୍ୟ ଆଗେଇ ନିଅନ୍ତି। ଉଭୟ ପରିବାର ଏବେ ପରସ୍ପରର ନାଥ, ଏସବୁ ଜଗନ୍ନାଥଙ୍କ ଭିଆଣ।


ପ୍ରଣବ କିଶୋର ବୃତ୍ତି ଚୟନ କରିଥିଲେ ଶିକ୍ଷକତା, ଅନ୍ୟ  ସବୁ ସମୟ ଯାଏ ସାହିତ୍ୟ ସାଧନାରେ। ତାଙ୍କ କବିତା ପ୍ରେମରେ ଅତିଷ୍ଠ ପତ୍ନୀ, ଏ କାବ୍ୟାର କାରନାମାରେ ଖୁସ୍। କହନ୍ତି, "ବୁଝିଲୁ ମା ଶ୍ରୀ, କାବ୍ୟା ବଳିଗଲା ମୋତେ, ଏ ମଣିଷ ପୁଣି ଲେଖନୀ ଧରୁନାହାନ୍ତି କାବ୍ୟା ପ୍ରେମରେ। ହେଉ, ଭଲ ଭଲ।"


ସବୁଦିନ ପରି ସେ ପ୍ରତ୍ୟୁଷରେ ସେମାନେ ପଦଚାଳନା କରୁଥିଲେ ସମ୍ମୁଖସ୍ଥ ଜନ ବିରଳ ଘରୋଇ ବେଳାଭୂମିରେ। ସ୍ଥାନୀୟ ବରିଷ୍ଠ ନାଗରିକ ହେତୁ ବାରଣ ନାହିଁ ସେମାନଙ୍କୁ। ସମୁଦ୍ରରୁ ଉଠି ଆସିଲେ ସୁରୁଜ ଜଗନ୍ନାଥଙ୍କୁ ପ୍ରଣାମ ମୁଦ୍ରାରେ। କୁରୁଳି ଉଠିଲେ କବିତା ଓ ପର ମୁହୂର୍ତ୍ତରେ ବିଷର୍ଣ୍ଣ ହୋଇ ପ୍ରଣବଙ୍କ ହାତକୁ ମୁଠେଇ ଧରି ସ୍ବଭାବିକ ଭାବେ କହିଲେ, "ବୁଝିଲ କି, ଦେଖୁଛ ଏ ବାଳାଦିତ୍ୟକୁ କେମିତି ଆମ୍ଭଙ୍କୁ ଦେଖୁଛି କପଟରେ? ସେମିତି କପଟରେ ଥିବ ଅସ୍ତାଚଳରେ ସେଇଠି ଯୁକ୍ତରାଷ୍ଟ୍ରରେ, ଅନାଇଥିବେ ଆମ ଅଜୁ ଅଞ୍ଜୁ। ସେ ଆମକୁ ଦେଖୁଛି, ସେମାନଙ୍କୁ ବି, ଅତ୍ର ତତ୍ର ସର୍ବତ୍ର ସାରା ପରିବାରକୁ। ହେଲେ ହାୟ ଆମର ଭାଗ୍ୟ!" 


ଆଉ କ'ଣ କହିଲେ ବୁଝି ହେଲାନାହିଁ, ପାଟି ଖନି ମାରିଗଲା, ହାତ ହୁଗୁଳା ହୋଇଗଲା, ପ୍ରଣବଙ୍କ ଆଡ଼କୁ ଲୋଟିପଡିଲା ତଥାପି ନିଖୁଣ ଶରୀର, ଉଭୟ ହେଲେ ଭୂପତିତ। ପ୍ରଣବ କିଶୋର ବସି ପଡ଼ିଥିଲେ, ନିଶ୍ଚଳ କବିତାଙ୍କ ମସ୍ତକ ଥିଲା ତାଙ୍କ କୋଳରେ। ଭୟଙ୍କର ଏକ ଲହଡ଼ି ଆସି ସମୁଦ୍ର ଦିଗରେ ପଡିଥିବା ପାଦ ଦୁଇକୁ ଭିଜାଇ ପୁଣି ଫେରିଗଲା ମହୋଦଧିର କୋଳକୁ। ପ୍ରଣବଙ୍କ ଚିତ୍କାର, ପ୍ରଣବ ଧ୍ବନି ପ୍ରାୟ ବାହିନେଲା ସାମୁଦ୍ରିକ ପବନ ଘରୋଇ ତଟରକ୍ଷୀଙ୍କ ନିକଟକୁ, ସହାୟତା ପାଇଁ ଦୌଡିଆସିଲେ। 


ଜିଲ୍ଲା ଡ଼ାକ୍ତରଖାନାକୁ ନେବାରେ କେବଳ ମାତ୍ର ଥିଲା ଔପଚାରିକତା।


 ଅଚାନକ ଅପ୍ରତ୍ୟାଶିତ ଝଡ ଅପ୍ରସ୍ତୁତ ପ୍ରଣବଙ୍କୁ କରିଦେଲା ସମ୍ପୂର୍ଣ୍ଣ ନୀରବ। ନୀରବତାର କୋଳାହଳ ବ୍ୟାପକ। ବିଜୁଳି ବେଗରେ ପ୍ରଚାରିତ ହୋଇଗଲା କବିତାଙ୍କ ମୃତ୍ୟୁ ଖବର। ସ୍ଥାନୀୟ ଜିଲ୍ଲାପାଳ ସୁପ୍ରକାଶ ପ୍ରଣବଙ୍କ ଛାତ୍ର। ସୁପ୍ରକାଶଙ୍କ ଉଦ୍ୟମରେ ସର୍ବୋତ୍ତମ ଉପାୟରେ ସଂରକ୍ଷଣ ରଖାଗଲା କବିତାଙ୍କ ପାର୍ଥିବ ଶରୀର କବିତା କୁଞ୍ଜରେ।


 ପିଲାମାନଙ୍କୁ ଜଗା ଅବଗତ କରାଇଥିଲେ ଏ ଦୁଃଖଦ ଖବର। ପ୍ରଣବ କେବଳ କହିଥିଲେ ଗୋଟିଏ ବାକ୍ୟ। "ଚାଲିଆସ ମା ଅପେକ୍ଷା କରିଛି।" ପିଲାଏ ପହଞ୍ଚୁ ପହଞ୍ଚୁ ଆସନ୍ତା କାଲି ସଂଧ୍ୟା।


 ଚୌକି ଉପରେ ବସିଥାନ୍ତି ପ୍ରଣବ କିଶୋର ଏକ କାବ୍ୟର ମୂର୍ତ୍ତିମନ୍ତ ସ୍ଥୂଳ ସ୍ବରୂପ ଯେମିତି। ଅନେକ ସମୟରେ କାବ୍ୟା ବସିପଡୁଥାଏ କୋଳରେ। ତା ଶିଶୁ ମନ ଆପଣାଛାଏଁ ନିଜକୁ ବାରଣ କରୁଥାଏ; ଜେଜେ ଗପକୁହ କହିବାକୁ। ବନ୍ଧୁ ବାନ୍ଧବ, ଚିହ୍ନା ଅଚିହ୍ନା, ସାଧାରଣ ଜନତା, ପ୍ରଶଂସକ, କବିକୁଳ, ବରିଷ୍ଠ ନାଗରିକ, ପୂର୍ବତନ ପ୍ରଶାସନିକ ଅଧିକାରୀ ଆସୁଥାନ୍ତି ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ। ସେମାନଙ୍କ ପ୍ରତି ସୌଜନ୍ୟ ଦିଗଟି ସମ୍ଭାଳୁ ଥାଆନ୍ତି ଶ୍ରୀ ଓ ଜଗା ତଥା ପହଞ୍ଚି ଯାଇଥିବା ପ୍ରଣବଙ୍କ ପରିବାର ଲୋକେ। ପଦେ ଅଧେ ସମବେଦନା କବି ମାନସରେ କ'ଣ ପ୍ରଭାବ ପକାଉଥିବ ଜାଣିବା ସହଜ ନୁହେଁ। 


 କବିତା କୁଞ୍ଜରେ ଗହଳି ଚହଳି କମିଗଲାଣି। କିଛି କୁଟୁମ୍ବ ଲୋକେ, ଆତ୍ମୀୟ ସ୍ବଜନ ମଧ୍ୟ ଫେରିଗଲେ କାଲି ଆସିବାର ପ୍ରତିଶୃତି ଦେଇ, ସମୟର ମିତବ୍ୟୟିତା ସାମ୍ପ୍ରତିକ ସମୟର ଚଳନି। ପ୍ରଣବଙ୍କ ଦୁଇ ସମୁଦି, ଜଣେ ମାମୁଁ ପୁଅ ଭାଇ ଓ ଜଣେ ପିଉସା ପୁଅ ଭାଇ ରହିଗଲେ। ଏତେ ଜଣଙ୍କର ଉପସ୍ଥିତିରେ ମଧ୍ୟ କବିତା କୁଞ୍ଜରେ ବିରାଜମାନ କଲା ମହା ନୀରବତା, ଏକ ପାର୍ଥିବ ଶରୀର ପ୍ରାୟ ନୀରବ।


ଅତଃପର ନୀରବତା ଭେଦ କରି କଦବାୟ କେତେଜଣ ଆସିଥିଲେ, ସେମାନେ ବିଶେଷ ମଣିଷ। ସେମାନଙ୍କୁ ପ୍ରଣବ ଚିହ୍ନନ୍ତି ତଥା ସେମାନେ ପ୍ରଣବଙ୍କୁ। କିନ୍ତୁ ପରିଚୟର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଜଣା ଦିଗଟି ସବୁଦିନ ପରସ୍ପରଠୁ ମିଛିମିଛିକା ଗୋପନ ରଖି ଆସିଛନ୍ତି ସେମାନେ।


ଅପରାହ୍ନ ଚାରିଟାରେ ଶାଳକ ପ୍ରଦୀପ ପହଞ୍ଚିଲେ। କବିତାଙ୍କ ପୈତୃକ ଗ୍ରାମ ଦଶପଲ୍ଲାରେ ରୁହନ୍ତି ସାନଭାଇ। ଆସୁ ଆସୁ ସଫେଇ ଦେଲେ, ଗାଡ଼ି ମୋଟର କଥା, ବିକ୍ରମ ବାବୁ ଖବର ଶୁଣି କ'ଣ ରହିପାରିଥାନ୍ତେ? 


ବିକ୍ରମ ବାବୁ ବରିଷ୍ଠ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ଜଣେ ମାଟିର ମଣିଷ, ଗାଁକୁ ଫେରିଗଲେ।


 ସେ ସମୟରେ ସେ ଥିଲେ ମେଧାବୀ ଛାତ୍ର, ରେଭେନ୍ସା ଓ ବିଜେବି ମହାବିଦ୍ୟାଳୟରେ। କବିତାଙ୍କ ପରିବାର ସହ ବେଶ୍ ଘନିଷ୍ଠ, ଉଭୟ ପରିବାର ନିଗମାନନ୍ଦଙ୍କ ଆଶ୍ରୀତ ହେତୁ। କବିତା କହିଥିଲେ ପ୍ରଣବଙ୍କୁ ଏକଥା ତାଙ୍କ ଆଦ୍ୟ ସମ୍ପର୍କ କାଳରେ। 


କବିତା ଯେବେ ଅଷ୍ଟମ ଶ୍ରେଣୀର ଛାତ୍ରୀ ବିକ୍ରମ ଭାଇ ଉପାଧି ଶ୍ରେଣୀରେ। ଛୁଟି ହେଲେ ଗାଁକୁ ଆସନ୍ତି। କବିତାକୁ ଭଲ ଛାତ୍ରୀ ହେବାକୁ ଉଦବୁଦ୍ଧ କରନ୍ତି। ଏକ ଅଭିଭାବକ ପଣ ଜାହିର କରନ୍ତି। ଏ ଅଭିଭାବକ ପଣରେ ଥାଏ ଅଧିକାରର ଛିଟା। କିଶୋରୀ କବିତା ଏ ଅଧିକାର ଭାବନାକୁ ସହିନେବାକୁ ଆପଣାର କଅଁଳ ମନରେ ଭାବି ନିଏ କର୍ତ୍ତବ୍ୟ। କ୍ରମେ କେମିତି ଆବଦ୍ଧ ହୋଇପଡେ ଓ ଦ୍ବନ୍ଦ୍ବରେ ପଡ଼େ; ଏହା କ'ଣ ତାହେଲେ ପ୍ରେମ? ବୁଝିପାରେ, ହଁ, ବିକ୍ରମ ଭାଇ ତାକୁ ଭଲ ପାଉଛନ୍ତି। ତାଙ୍କ ଚିଠିରେ ଥିବା ପ୍ରେରଣା ଭାଗ ଓ ପ୍ରେମ ଅନୁରାଗର ସମତୁଲ ଅବସ୍ଥାକୁ କେଜାଣି କ'ଣ ବୁଝେ କବିତା! ସେ ମଧ୍ୟ ଚିଠି ଲେଖେ। ଚିଠିରେ କପଟ ନଥାଏ। କିଶୋରୀ ମନର ଇନ୍ଦ୍ରଧନୁକୁ ପରିପ୍ରକାଶ କରିବା ପାଇଁ ଚେଷ୍ଟା କରେ। ଯେ କେହି ଭାବିବେ ବଡ଼ ଭାବପ୍ରବଣ କିନ୍ତୁ ସ୍ଥିର ମସ୍ତିସ୍କର ଯୁବତୀ ଜଣେ ଲେଖିଛନ୍ତି। ସେ ବିକ୍ରମ ଭାଇଙ୍କ ସମକକ୍ଷ ଭାଷାରେ ଲେଖିବାକୁ ଚେଷ୍ଟା କରେ, ଅନ୍ତତଃ ବିକ୍ରମ ଭାଇ ତାକୁ ଛୋଟ ପିଲା ନଭାବନ୍ତୁ। ଲୁଚାଇବାକୁ ଚେଷ୍ଟା କରେ ଯେ ଚପଳ ବୟସଟି ତା'ର, ପ୍ରେମ କ'ଣ ତାହା ସଠିକ ବୁଝିବାର ସମୟ ହୋଇନି। ଏ ଚିଠି ପତ୍ର ଦିଆନିଆ ହୁଏ ପାପୁନି ଅପା ମାଧ୍ୟମରେ। ସେ ବିକ୍ରମଙ୍କ ଭଉଣୀ। ବିକ୍ରମ ଡାକରେ ପଠାଇଥାନ୍ତି ପାପୁନି ଅପା ପାଖକୁ।


ହଠାତ୍ ଦିନେ ଚିଠିଟିଏ ଭୁଲରେ କବିତା ପାଖକୁ ଚାଲି ଆସିଲା ଯାହା ପ୍ରକୃତରେ ଲେଖା ଯାଇଥିଲା ଆଉ ଜଣେ ଝିଅ ଗୀତା ଅପାର ନାମରେ ଓ ସେ ମଧ୍ୟ ସ୍ଥାନୀୟ ଦଶପଲ୍ଲାର। ସେ ଚିଠିରୁ ଜଣାପଡିଲା ବିକ୍ରମ ଗୀତା ଅପାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି କି ସେ ଅଯଥା ସନ୍ଦେହ କରୁଛନ୍ତି ବାସନ୍ତୀକୁ ନେଇ। ବାସନ୍ତୀ ସହ ତାଙ୍କର ସମ୍ପର୍କ ସେମିତି କିଛି ନାହିଁ। କବିତା ଆକାଶରୁ ତଳକୁ ଯେମିତି ଖସି ପଡ଼ିଲା। କବିତା, ଗୀତା ବାସନ୍ତୀ ଓ ହୁଏତ ଏ ତାଲିକା ଦୀର୍ଘ। ତା ବୁଦ୍ଧି ଖର୍ଚ୍ଚ କରି ପାପୁନି ଅପା ଓ ଗୀତା ଅପାଙ୍କ ଠାରୁ କିଛି କିଛି ଗୋଳମାଳିଆ ତଥ୍ୟ ପାଇଲା ପରେ ଏକ ଘୃଣା ଭାବ ସୃଷ୍ଟି ହେଲା ବିକ୍ରମଙ୍କ ପାଇଁ। ମନେ ହେଲା ତାଙ୍କର ସ୍ପର୍ଶ ଥିଲା ପାପ। ତାକୁ ବାନ୍ତି ଲାଗିଲା। ସେ ତିନି ପରସ୍ତ ସାବୁନ ଲଗାଇ ଗାଧୋଇ ନିଜକୁ ପରିସ୍କାର କରିବାକୁ ଚାହିଁଲା। ତା ପବିତ୍ର ମନରେ ପଶିଥିବା ବିଷ ପ୍ରଭାବରୁ ମୁକ୍ତ ହେବାର ପ୍ରୟାସରେ ସେ ସଫଳ ହେଲା।


ଏଣିକି ସେ ମୁହଁ ଦେଖାଏ ନାହିଁ ବିକ୍ରମ ଭାଇଙ୍କୁ। 


 ପ୍ରଣବ ଓ କବିତାଙ୍କ ଆଦ୍ୟ ସମ୍ପର୍କ ସତର ଓ ଶୋହଳ ବର୍ଷର କାହାଣୀ। ସେ ବୟସରେ ଏମିତି ବିବେକ ପରିଚାଳିତ ସ୍ପଷ୍ଟୋକ୍ତିର ପ୍ରଭାବ ବେଶ୍ ଗାଢା। 


କେତେ ବର୍ଷ ପରେ ବିକ୍ରମଙ୍କ ସହ ଜେଏନୟୁରେ ଦେଖା। କବିତା ସେଠାରେ ଉପାଧି ଶ୍ରେଣୀରେ ପଢୁଥାନ୍ତି। ବିକ୍ରମ ପିଏଚଡ଼ି କରୁଥାନ୍ତି। ପ୍ରଣବ ଯାଇଥାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଦଳ ସହ ଯୋଗଦେବାକୁ ଏକ ସର୍ବଭାରତୀୟ ଛାତ୍ର ସମାବେଶରେ। ବଡ଼ଦିନ ଛୁଟିର ସମୟ। ରହୁଥାନ୍ତି ଛାତ୍ରାବାସରେ ଜଣେ ବନ୍ଧୁଙ୍କ ଆନୁକୁଲ୍ୟରେ। ଦୂର ସ୍ଥାନରେ ବେଶ୍ ମୁକ୍ତ ବିଚରଣ କରୁଥାନ୍ତି କବିତାଙ୍କ ସହ। ବିକ୍ରମ ବୋଧହୁଏ ଯନ୍ତ୍ରଣା ପାଉଥାନ୍ତି ଇର୍ଷାରେ। ନୂଆବର୍ଷ ଦିନ ପ୍ରଣବଙ୍କୁ ନିଜ ପ୍ରକୋଷ୍ଠକୁ ଡାକିଲେ। ବଡ଼ ନିର୍ଲଜ ଭାବେ ତାଙ୍କ ମନରେ ବିଷ ଭରିଲେ। କିଶୋରୀ କବିତାର ଚିଠି ସବୁକୁ ସାଇତି ରଖିଛନ୍ତି ଓ ସେ ସବୁରେ କୁଆଡେ ପ୍ରମାଣ ରହିଛି କବିତା କେତେ ପୋଖତ ପ୍ରେମିକା ହୋଇ ସାରିଥିଲା କଞ୍ଚା ବୟସରୁ। ଆହୁରି କିଛି କହିଲେ ଯାହା ଅଭଦ୍ରୋଚିତ।


ପ୍ରଣବ କଷ୍ଟ ପାଇବା ସତ୍ତ୍ୱେ ପ୍ରଶ୍ନଟିଏ ପଚାରି ଥିଲେ, - ତାହେଲେ ଏ ସମ୍ପର୍କ ଭାଙ୍ଗିଲା କାହିଁକି?


ଜେଏନୟୁ ପିଏଚଡ଼ି ଛାତ୍ର ବିକ୍ରମଙ୍କ ପାଟିରେ ବେଙ୍ଗ ପଶିଗଲା। ସେ ଉଦ୍ଭଟ କିଛି ସଫେଇ ଦେଇଥିଲେ ଯହିଁରେ କୌଣସି ତାଳ ମେଳ ନଥିଲା। ପ୍ରଣବ ବେଶ୍ ପ୍ରଫୁଲ୍ଲ ଅନୁଭବ କଲେ। ତାଙ୍କୁ କଷ୍ଟ ଦେବାପାଇଁ ବିକ୍ରମଙ୍କ ପ୍ରୟାସ ହୁଏତ ବୁମେରାଂ ହୋଇଯାଇଥିଲା। ମୁଁହରେ ତାଙ୍କର ଖେଳିଯାଇଥିଲା ପରାଜୟର ଗ୍ଳାନି। ବିଜୟର ସ୍ବାଦନେଇ ଫେରିଥିଲେ ପ୍ରଣବ। କେବେ କେବେ ପ୍ରଣବଙ୍କ ସହ ସମ୍ପର୍କକୁ ନେଇ କବିତା ଓ ତାଙ୍କ ପରିବାରକୁ ପରିହାସ କରିବା ଏଣିକି ବନ୍ଦ କଲେ ବିକ୍ରମ।


ଜଣେ ବରିଷ୍ଟ ପ୍ରଶାସନିକ ଅଧିକାରୀ ହିସାବରେ ସେ କିନ୍ତୁ କେବେ ବିପରୀତ ସ୍ବଭାବ ଦେଖାଇ ନାହାନ୍ତି କବିତା ଓ ପ୍ରଣବଙ୍କ ସହ ପରବର୍ତ୍ତୀ କାଳରେ। କ୍ରମଶଃ ସହଜ ହେବାକୁ ଚେଷ୍ଟା କରିଛନ୍ତି।


ଆଜି ବାର୍ଦ୍ଧକ୍ୟର ଶେଷ ସୋପାନରେ ବିକ୍ରମ ଅବଶ୍ୟ ଚାଷ କାମ କରି ସୁସ୍ଥ ରହିଛନ୍ତି। ଦିବଂଗତ ଆତ୍ମା ସହ କି'ବା ଆବିଳତା। ଯାହା କିଛି ଅବଶିଷ୍ଟ ରହିଥିଲା ବୃଦ୍ଧ ମନର ଶିଶୁସୁଲଭ ଗମ୍ଭୀରା ମଧ୍ୟରେ ତାହା ମଧ୍ୟ ଧୋଇଗଲା ଦୁଇଟୋପା ଲୁହ ଓ ମୁଠାଏ ପୁଷ୍ପର ଶ୍ରଦ୍ଧାଞ୍ଜଳିରେ।   




କବିତାଙ୍କର କେହି ନିଜ ଭଉଣୀ ନଥିଲେ, ମାମୁଁଙ୍କ ଝିଅ ଜୟା ବୟସରେ ତିନି ବର୍ଷ ସାନ କିନ୍ତୁ ଦୁହେଁ ଅନ୍ତରଙ୍ଗ। ଜୟାଙ୍କ ପତିଦେବ ପ୍ରଭାତ ଉଭୟ କବିତା ଓ ପ୍ରଣବଙ୍କ ପ୍ରାକ ଉପାଧି ବେଳର ଶ୍ରେଣୀସାଥୀ। ସେ ଦୁହେଁ ପହଞ୍ଚିଲେ। ଏ ବୁଢ଼ୀ କାଳରେ ବି ଜୟା ନିଜକୁ ସମ୍ଭାଳି ନପାରି ବୁକୁଫଟା ରୋଦନ କଲେ। ପ୍ରଦୀପ ତାଙ୍କୁ ସମ୍ଭାଳି ନେଲେ।


ଦେଢଶାଶୁ କବିତାଙ୍କ ମରଶରୀରକୁ ସମ୍ମାନ ଜଣାଇ ନତମସ୍ତକ ହୋଇ ଠିଆହେଲେ ପ୍ରଭାତ। 


ପ୍ରଭାତ ଥିଲେ ବେଶ୍ ବିଦ୍ୱାନ। ପାଠ ବାହାରର ବହୁତ କଥା ସେ ପଢନ୍ତି। ଦେଶ ବିଦେଶ ଉପରେ ଭରପୁର ଥିଲା ତାଙ୍କର ଜ୍ଞାନ। ବେଶ୍ ସୌମ୍ୟ ସୁଦର୍ଶନ ଯୁବକ ପ୍ରଭାତ। କବିତାଙ୍କ ପ୍ରତି ପ୍ରଣୟ ଅଭିଳାଷ ଥିଲା ପ୍ରବଳ। ଯେତିକି ଥିଲା, ଆଉ ସେତିକି ମିଶାଇ ସେ ସାଙ୍ଗସାଥିଙ୍କୁ ଗପିବାରେ ପାଉଥିଲେ ଆନନ୍ଦ। କଲେଜ ଛାତ୍ରାବାସରେ ଉଭୟଙ୍କ ନାମ ଖୁବ୍ ଆଲୋଚିତ ହେଉଥିଲା। କବିତାଙ୍କୁ ପଢାଖାତା ଓ ବିଭିନ୍ନ ପତ୍ରପତ୍ରିକା ଦେଇ ତାଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିଲେ। ତାଙ୍କ ଘର ଦକ୍ଷିଣରେ ପୁରୀ ଜିଲ୍ଲାର ସାତପଡ଼ା ହୋଇଥିବା ସତ୍ତ୍ଵେ ଏକଦା ଛୁଟି ଦିନରେ ପହଞ୍ଚି ଯାଇଥିଲେ ଦଶପଲ୍ଲାରେ। କେମିତି ଗବେଷଣା କରି କବିତାଙ୍କ ଠିକଣା ଠାବ କରିଥିଲେ! ହଠାତ୍ ତାଙ୍କ ଉପସ୍ଥିତି କବିତାଙ୍କୁ ସୁଖକର ମନେ ହୋଇଥିଲେ ମଧ୍ୟ ସୃଷ୍ଟି କଲା ଏକ ଅପ୍ରୀତିକର ପରିସ୍ଥିତି। ମାଆ ଜିଜ୍ଞାସା କରିଥିଲେ ପ୍ରଭାତଙ୍କ ଆଗମନର ହେତୁ। ପ୍ରଭାତଙ୍କ ପାଟି ଖନି ମାରିଯାଇଥିଲା। ଅବଶ୍ୟ ମାଆ ତାଙ୍କ ଚର୍ଚ୍ଚାରେ ଉଣା କରିନଥିଲେ। ପରେ କବିତାଙ୍କୁ ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା। ସମୟଟି ଥିଲା ଭିନ୍ନ। ଯୁବକ ଯୁବତୀଙ୍କ ମଧ୍ୟରେ ସାଧାରଣ ବନ୍ଧୁତା ସୃଷ୍ଟି କରୁଥିଲା ଏକ ପ୍ରେମ ସମ୍ପର୍କର ସନ୍ଦେହ। 


ଏ ସନ୍ଦେହ ବହଳ ହୋଇଥିଲା ପ୍ରଭାତ ସେଦିନ କବିତାଙ୍କୁ ଦେଇଥିବା ଆର୍ଚିଜ ସଂସ୍ଥାର ସୁନ୍ଦର ନୂଆବର୍ଷ ଅଭିନନ୍ଦନ ପତ୍ରରୁ ଯେଉଁଥିରେ ନୀଡ଼ ଉଦ୍ଦେଶ୍ୟରେ ଉଡ଼ି ଯାଉଥିଲେ ଏକ ଯୋଡ଼ି ସୁନ୍ଦର ସାରସ।


ଏ ସମସ୍ତ କଥା କବିତା ଗପୁଥିଲେ ପ୍ରଣବଙ୍କ ପାଖରେ। ଏ ବାବଦରେ ନା କବିତା ନା ପ୍ରଣବ ଚିନ୍ତା କରୁଥିଲେ ଖୁବ୍ ବେଶୀ। ଜଣେ ବନ୍ଧୁ ହିସାବରେ ପ୍ରଭାତଙ୍କ ସହ ଉଭୟଙ୍କ ସମ୍ପର୍କ ଥିଲା ଖୁବ୍ ଭଲ। କଲେଜ ପରିସରରେ ପ୍ରଭାତ ଓ କବିତାଙ୍କ ସମ୍ପର୍କ ଥିଲା ଆଲୋଚନାରେ ସୀମିତ। କାନ୍ଥ ବାଡ଼ରେ ଯୁକ୍ତ ଚିହ୍ନ ସହ ସେମାନଙ୍କ ନାମ ଲେଖାହେବା ପର୍ଯ୍ୟନ୍ତ କଥା ଯାଇନଥିଲା। ଉପାଧି ଶ୍ରେଣୀର ପ୍ରଥମ ବର୍ଷ ମଧ୍ୟ ତିନିହେଁ ସାଥିରେ ପଢୁଥିଲେ। କବିତା ଜେଏନୟୁ ପଳାଇଲା ପରେ ମଧ୍ୟ ଏ ଆଲୋଚନା ଜାରି ରହିଥିଲା। ପ୍ରଭାତ ଥରେ ଦିଲ୍ଲୀ ଚାଲିଗଲେ, ଆଜିର ମୋବାଇଲ ଫୋନ ସମୟରେ ବୁଝିବା ସହଜ ନୁହେଁ ଦୂର ଦିଲ୍ଲୀକୁ ଯାଇ ଜଣେ ଯୁବତୀଙ୍କୁ ଦେଖା କରିବାର କଷ୍ଟସାଧ୍ୟ ଦିଗଟି। କୌଣସି ଅସୌଜନ୍ୟତା ଦେଖାଇ ନଥିଲେ ମଧ୍ୟ କବିତା ଚାହିଁଲେ ପ୍ରଭାତଙ୍କ ଏତାଦୃଶ ଏକତରଫା ଅଗ୍ରଗତିରେ ପୂର୍ଣ୍ଣଛେଦ ପକାଇବାକୁ। 


ପ୍ରଣବଙ୍କ ଅନ୍ତରଙ୍ଗ ସାଥୀ ବୀରେନ ମତଦେଲେ, ସେ ନିଜେ ଦିନେ ବାରଣ କରୁ ପ୍ରଭାତକୁ। କେଜାଣି କାହିଁକି ବଡ଼ ଦୟା ଲାଗିଲା। ଦିନେ ଆଳାପ ଆଲୋଚନା ମଧ୍ୟରେ ପ୍ରଭାତଙ୍କୁ ସ୍ପଷ୍ଟ ଜଣାଇ ଦେଲେ ପ୍ରଣବ ଯେ ଉଭୟ ବାଗଦତ୍ତା। 


ଏହି ପ୍ରଭାତ, ସମୟ କ୍ରମେ ହୁଅନ୍ତି ଜୟାଙ୍କ ପତି, ଅର୍ଥାତ୍ ପ୍ରଣବଙ୍କ ସଢୁଭାଇ। ଉଭୟ ପରିବାର ଘନିଷ୍ଠ। ଅନେକ ବାର କବିତାଙ୍କ ପ୍ରଶାସନିକ ପଦବୀର ସାହାଯ୍ୟ ନେଇଛନ୍ତି ପ୍ରଭାତ। ଏହା ସତ୍ତ୍ଵେ କେବେ କ'ଣ ମୃତ ହୋଇଥିଲା ପ୍ରଭାତଙ୍କ ସମ୍ଭାବ୍ୟ ଆଦ୍ୟ ପ୍ରେମର ଅଙ୍କୁର? ନା। ହୁଏତ ଏକ ବୋନସାଇ ବୃକ୍ଷ ଭାବେ ଛୁପାଇ ରଖିଥିଲେ ପ୍ରଭାତ। ବିଶ୍ବବିଦ୍ୟାଳୟ ଅବସରପ୍ରାପ୍ତ କୁଳପତି ପ୍ରଭାତ ଗୁଛାଏ ଗୋଲାପ ଦେଇ ପ୍ରଣାମ କରୁଛନ୍ତି ଦେଢଶାଶୁଙ୍କ ଅମର ଆତ୍ମା ପ୍ରତି, ଚକ୍ଷୁ ଲୋତକାଦ୍ର।


ପ୍ରତି ସଫଳ ନାରୀ ଆବୋରି ନିଏ ଓ ଗୋପନ ରଖେ ତା ନାରୀ ଜୀବନର ଅନେକ ଅନୁଭୂତି। ଅବଶ୍ୟ ଗୋପନୀୟ ବୋଲି କିଛି ନଥାଏ, ବରଂ ସବୁ ଜାଣି ଶୁଣି ତଥାପି ଗୋପନୀୟତାର ଫଳକ ଲଗାଇ ସମସ୍ତେ ନିଶ୍ଚିତରେ କାଳ ଯାପନ କରନ୍ତି। ଏ ଫଳକ ପଛରେ ଜୟା ଓ କବିତା ପରସ୍ପର ସ୍ନେହ ଶ୍ରଦ୍ଧାରେ ବାନ୍ଧି ଦେଇଥିଲେ ଦୁଇ ପରିବାରକୁ।


ବିକ୍ରମ ଫେରିଗଲେଣି, ପ୍ରଭାତ ପରିବାର ସହ ରହିଲେ ଅଞ୍ଜୁ ଅଜୁଙ୍କ ପ୍ରତୀକ୍ଷାରେ।


 ପ୍ରଣବ ସେମିତି ବସିଥାନ୍ତି ଅକର୍ତ୍ତବ୍ୟ। ଭାଳି ହେଉଥାନ୍ତି ଆପଣାର ସନ୍ତାନ ମାନଙ୍କୁ ଓ କ୍ରମଶଃ ମେଲାଣି ନେଉଥାନ୍ତି କବିତା। କାବ୍ୟା ତାଙ୍କ ଚାରିକଡେ ଡିଆଁ ଡିଇଁ କରୁଥାଏ, ପୁଣି ବସିପଡୁଥାଏ ପ୍ରଣବଙ୍କ କୋଳରେ।


ସଂଧ୍ୟା ଆସନ୍ନ, ଶ୍ରୀ ପଚାରିଲେ, - ମାଉସୀ ଆଜି ସଞ୍ଜବତି ଜଳିବ କି ନାହିଁ? ଜୟା ଶୁଣାଇଲେ ନାସ୍ତିବାଣି। ସନ୍ତର୍ପଣରେ ବିଜୁଳି ବତି ସବୁ ଜଳାଇଲେ ଶ୍ରୀ। ମୁଖ୍ୟ ଫାଟକ ମଧ୍ୟ ଦେଇ ପ୍ରବେଶ କରୁଥିଲେ ଶୁଭ୍ର ବସ୍ତ୍ର ପରିହିତ ଜଣେ ବୃଦ୍ଧ, ସାଥିରେ କେତେଜଣ ଅନୁଚର। ସେମାନେ ସବୁ ବଗିଚା ମଧ୍ୟରେ ଅଟକି ଗଲେ। 


ବୃଦ୍ଧ ଅମିୟ ଦଳବେହେରା ବିଧାନ ସଭାର ସବୁଠୁ ବୟସ୍କ ବିଧାୟକ। ଅମିୟଟି କବିତାଙ୍କ ସାନ ଭାଇ ଭଳି। ତା ସହ ସମ୍ପର୍କ ଗଢିଉଠିଥିଲା ବସ ଯାତ୍ରା କାଳରେ। ସେ ପ୍ରାକ ଉପାଧି କାଳର ପ୍ରଥମ ବର୍ଷ ଛାତ୍ର ବେଳେ କବିତା ଉପାଧି ଶ୍ରେଣୀର ପ୍ରଥମ ବର୍ଷର। ବାବାଙ୍କ ଶରୀର ସେ ବର୍ଷ ବଡ଼ ଅସୁସ୍ଥ ରହୁଥିଲା। କବିତା ପ୍ରତି ଶନିବାର ଘରକୁ ଆସୁଥିଲେ ଓ ସୋମବାର ଲେଉଟାଣି। ଅମିୟଙ୍କ ବାପା ସୋନପୁରରେ ସରକାରୀ କର୍ମଚାରୀ। ଚଣ୍ଡୀ ନାମକ ବସଟି ସେ ପଥରେ ଛାତ୍ରମାନଙ୍କର ଥାଏ ପ୍ରିୟ। ସାତଟା ବେଳେ ଭୁବନେଶ୍ୱରରେ ପହଞ୍ଚି ଯାଏ। କବିତା ଦଶପଲ୍ଲାରୁ ଉଠନ୍ତି। ସିଟ୍ ମିଳେନାହିଁ ନୟାଗଡ଼ ପର୍ଯ୍ୟନ୍ତ। ଥରେ ଅମିୟ ଆପଣାର ସିଟ୍ ଛାଡିଦେଇ କହିଲେ ଦିଦି ତୁମେ ବସିଯାଅ। ସେଦିନରୁ ପରିଚୟ। ଅମିୟ ରହିପାରେ ନାହିଁ ଆବଶ୍ୟକତା ଥାଏ କିମ୍ବା ଖାସ୍ କବିତା ଦିଦିର ସହଯାତ୍ରୀ ହେବା ପାଇଁ ସବୁ ସପ୍ତାହରେ ସେ ମଧ୍ୟ ସୋନପୁର ଫେରେ ସୋନି ବସରେ। କଣ୍ଡକ୍ଟର ତାଙ୍କ ପଛ ସିଟ୍ ଯୋଡ଼ିକ ଏ ଦୁହିଁଙ୍କ ପାଇଁ ରଖି ଥାଆନ୍ତି। ଅମିୟକୁ ଭାରି ଭଲଲାଗେ ଦିଦିର ସାନିଧ୍ୟ। 


ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଆବେଶ ପରିଚାଳିତ ହୋଇ ସବୁବେଳେ ଅମିୟର ମନଟି ଥାଏ କେମିତି ଦିଦିକୁ ଟିକେ ଦେଖିବ, ଦୁଇପଦ କଥା ହେବ, ଦିଦି ତାକୁ ତାଗିଦ୍ କରିବ, ପାଠ ବତାଇଦେବ। କଥା ସେତିକିରେ ସୀମିତ ରହିଲେ ବି ଚଳନ୍ତା। ସେ ସହିପାରେନି ପ୍ରଣବଙ୍କୁ। ତା'ର ମନେହୁଏ ଏ ପ୍ରଣବ ପାଇଁ ତା ଦିଦି ତାକୁ କମ ସମୟ ଦେଉଛି। ପ୍ରଣବଙ୍କୁ ଦିଦି ଅଧିକ ନିଜର ଭାବୁଛି, ତାଙ୍କୁ ଅଧିକ ଭଲ ପାଉଛି। ଭାରି ଚିଡି ଚିଡି ଲାଗେ। ପ୍ରକାଶ୍ୟରେ କିଛି କହେନି, ସେ ଡରେ, କାଳେ ଦିଦି ରାଗିଯିବ।


କେବେ କେବେ ତିନିହେଁ ଦେଖା ଯାଆନ୍ତି ସାଥିରେ, କଲେଜ କାଣ୍ଟିନରେ। କଲେଜରେ କେହି କେହି ଟୁପୁରୁଟାପୁରୁ ହୁଅନ୍ତି। କଲେଜ ବେଳରେ ବର୍ଷଟିଏ କନିଷ୍ଠ ହେଲେ ମନେ ହୁଏ ଏକ ପିଢ଼ି ତଳର, ଅମିୟ ତ ଦୁଇବର୍ଷ ସାନ। କବିତା ବା ପ୍ରଣବଙ୍କୁ କିଛି ଫରକ ପଡେନା। ଉଭୟ ଅମିୟର ଦାୟିତ୍ଵ ନିଅନ୍ତି। ଅମିୟ ସାଥିରେ ଯିବା ଆସିବା କରୁଥିବାରୁ କବିତାଙ୍କ ପରିବାର ଓ ପ୍ରଣବ ସମସ୍ତେ ଆଶ୍ବସ୍ତ ଅନୁଭବ କରନ୍ତି। 


କବିତା ଓ ପ୍ରଣବଙ୍କ ଅମିୟ ପ୍ରତି ଥାଏ ଦରଦ ଭାବ ଯାହାର ସୁନିର୍ଦ୍ଦିଷ୍ଟ ଆକାର ପ୍ରକାର ନଥାଏ। ଭୟ ମଧ୍ୟ ଥାଏ, କାଳେ ଅମିୟର ପାଠରେ ବ୍ୟାଘାତ ହେଉଥିବ। ବର୍ଷଟିଏ ପରେ ଦିଦି ଦିଲ୍ଲୀ ଚାଲିଗଲେ। କବିତା ଦିଲ୍ଲୀ ଯିବାପରେ ଅମିୟର ଭାରି ଭଲପଡେ ପ୍ରଣବଙ୍କ ସହ। ବିଚିତ୍ର ଏ ମଣିଷର ମନ।


ଭାବିଲେ ଏ ସମ୍ପର୍କ ଆବିଳତା ଶୂନ୍ୟ କିନ୍ତୁ ଏ ସମ୍ପର୍କର ପୃଷ୍ଠଭୂମି ତ ନାରୀ ଓ ପୁରୁଷ। ଏ ସମ୍ପର୍କ ଲାଗିରହିଛି ସାରାଜୀବନ। ଅମିୟ ଯେମିତି ପ୍ରଣବଙ୍କୁ ଏକଦା ସହିପାରୁନଥିଲେ ଠିକ୍ ସେମିତି ତାଙ୍କ ପତ୍ନୀ ସୁଧାଦେବୀ ଆଦୌ ସହିପାରନ୍ତି ନାହିଁ ଅମିୟ କଥା କଥାରେ ଦିଦିର ନାମ ଧରିଲେ। ଅମିୟ ଦଳବେହେରା ଦୀର୍ଘ ବର୍ଷଧରି ବିଧାୟକ ଓ ମନ୍ତ୍ରୀ। କବିତାଙ୍କୁ କେବେ ଭୁବନେଶ୍ୱର ବାହାରକୁ ବଦଳି ନହେବାର କାରଣ ଏହି ଅମିୟ।


ଅମିୟ ଆସିଛି କହି ନୀରବ ରହିଲେ ପ୍ରଣବ। ପ୍ରଦୀପ ଓ ପ୍ରଭାତ ତତ୍ପର ହୋଇଉଠିଲେ। ଏ କ'ଣ, ରାଜ୍ୟର ଏତେ ନାମକରା ବୃଦ୍ଧ ମଣିଷ ଭେଁ ଭେଁ ହୋଇ ବିଳାପ କରୁଛନ୍ତି? ତାଙ୍କୁ ସମ୍ଭାଳିବା କଷ୍ଟସାଧ୍ୟ ଥିଲା। ହେଲେ ସ୍ବଳ୍ପ ସମୟ ପରେ ତାଙ୍କୁ ଯିବାକୁ ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଡାକରାରେ।


ସଂଧ୍ୟା ନଇଁଲା। ସହରର ଏ ଶେଷ ପ୍ରାନ୍ତଟି ଶାନ୍ତ ପଡିଗଲା, କବିତା କୁଞ୍ଜ ଭଳି। ମନେହେଲା ସମୟ ମଧ୍ୟ କବିତାଙ୍କ ସ୍ନେହରେ ଅନ୍ତରରେ ବାହୁନି ଉଠୁଛି। ଯତକିଞ୍ଚିତ ଆହାର ବ୍ୟବସ୍ଥା ପ୍ରସ୍ତୁତ। ଶ୍ରୀ କହିଲେ, - ବାବା! କାବ୍ୟା ପିଲା ଲୋକ ଭୋକ ଉପାସରେ ଅଛି, ଏକା ଯିଦ୍ ଜେଜେଙ୍କ ହାତରୁ ଖାଇବି, ଗପ ପାଇଁ ଅଳି କରିବି ନାହିଁ। କାବ୍ୟା ଆସି ପ୍ରଣବଙ୍କୁ ଟାଣିଲା। କବିତାଙ୍କ ଶରୀର  ସେଇଠି ସେମିତି ପୁଷ୍ପାବୃତ୍ତ ଅବସ୍ଥିତ। କାଲିର ଲକ୍ଷ୍ମୀଙ୍କୁ ଆଜି ଏଡାଇ ଯାଇ ସଭିଏଁ ଆହାର ଗ୍ରହଣ କରିବେ, ଜଠରର ଅଗ୍ନି ଆହୁତି ଅପେକ୍ଷାରେ, ସମସ୍ତେ ଜଣେ ଜଣେ କାବ୍ୟା।


କାବ୍ୟା ଖୁବ ଶୀଘ୍ର ଶୋଇପଡ଼ିଲା। ଜଗା ସମସ୍ତଙ୍କ ଶୟନର ବ୍ୟବସ୍ଥା କରିସାରିଥିଲେ। ପ୍ରଣବ ଫେରିଆସିଲେ ଚୌକି ଉପରକୁ। ଶ୍ରୀ ମୃଦୁ ଭାବେ କହିଲେ, - ବାବା! ଏବେ କ୍ଷଣେ ବିଶ୍ରାମ ନିଅନ୍ତୁ। 


  • ଏହି ଚୌକିରେ ଶୋଇପଡିବି। ତୁମେ ମାନେ ଶୋଇପଡ଼। କିଏ ଜାଣେ ନିରୋଳାରେ ମୋତେ ଯଦି କିଛି ନିର୍ଦ୍ଦେଶ ମିଳେ? ପିଲାମାନେ କେଉଁ ମୂହୁର୍ତ୍ତେ ଆସିଯିବେ। ମୁଁ ଶୋଇଲେ ଚଳିବ? ଯଦି ନଉଠିଲି!


ଶେଷ ପଦକ କଥା ଶ୍ରୀ ଓ ଜଗାଙ୍କୁ ଭେଦିଗଲା। ଚାହିଁଲେ ମଧ୍ୟ ସେମାନେ କହିପାରିଲେ ନାହିଁ - ଛି ବାବା, ସେମିତି କ'ଣ କହନ୍ତି! ଆମେ ପୁଣିଥରେ ଅନାଥ ହେବୁ?


ରାତ୍ରୀ ଗହନ ହେଲା। ଚିରନିଦ୍ରାର କବିତାଙ୍କୁ ଜଗିରହିଲେ ଉଜାଗର ତିନିହେଁ।


କେଜାଣି କେତେ ରାତି ହେଲାଣି, ଶ୍ରୀ ଓ ଜଗାଙ୍କ ଆଖି ଲାଗିଯାଇଛି। ପ୍ରଣବ କିଶୋର ଭାଳି ହେଉଛନ୍ତି ଅଜୁ ଓ ଅଞ୍ଜୁଙ୍କୁ। ସମସ୍ତ ବାତାୟନ ବନ୍ଦ ରହିଛି। ଧୂପ ଧୁଆଁରେ ପୂର୍ଣ୍ଣ ହୋଇଯାଇଛି ବୈଠକ ଘର। ପ୍ରଣବ କିଶୋର ସହିନେଉଥିଲେ କିନ୍ତୁ ତାଙ୍କର ସ୍ମରଣ ହେଲା କବିତାଙ୍କୁ ଶ୍ବାସ, ସେ କ'ଣ ସହିପାରୁଥିବେ? ଶରୀରଟି ସିନା ନିଶ୍ଚଳ, ଏଇଠି କେଉଁଠି ଥିବ ତାଙ୍କର ପ୍ରାଣସତ୍ତା ସନ୍ତାନ ମାନଙ୍କୁ ଅପେକ୍ଷାମାଣ। ସେ କଷ୍ଟ ପାଉଥିବେ। ଧୂପମାନଙ୍କୁ ଲିଭାଇଦେଲେ। ଔଷଧୀୟ ଘ୍ରାଣଯନ୍ତ୍ରଟି ଖୋଜି ଆଣି କବିତାଙ୍କୁ ଦେଲେ। ଚୁପି ଚୁପି କହିଲେ, - ପିଲାଏ ଆସୁଛନ୍ତି, ଆମ ପିଲା, ତାଙ୍କୁ ଅଭିମାନ କରନି, ଆଶିଷ ଦିଅ।


ରାତ୍ରୀର ନିସ୍ତବ୍ଧ ଅବସ୍ଥାରେ ବ୍ୟାଘାତ କଲା କୌଣସି ଏକ ଶବ୍ଦ। ମନେହେଲା ମୁଖ୍ୟ ଫାଟକ ଦିଗରୁ। ପିଲାଏ ଆସିଗଲେ କି? ପ୍ରଣବ କିଶୋର ସିସିଟିଭି ପରଦାକୁ ଚାହିଁଲେ। ମନୁଷ୍ୟ ଜଣେ ଫାଟକ ଡେଇଁ କବିତା କୁଞ୍ଜ ଆଡ଼କୁ ଆସୁଛନ୍ତି। କ୍ରମେ ସ୍ପଷ୍ଟ ହୋଇଉଠିଲା ତାଙ୍କ ଚେହେରା। ଏ ଯେ କୁଖ୍ୟାତ ଅପରାଧୀ କାଳିଘନିଆ। ଆଜୀବନ କାରାଦଣ୍ଡର ସଜ୍ଜା ଭୋଗୁଥିଲା। ମାଆଙ୍କ ଶେଷକୃତ୍ୟ ପାଇଁ ଅନୁକମ୍ପାମୂଳକ ସାମୟିକ ମୁକ୍ତି ମିଳିଥିଲା। କିନ୍ତୁ ସେ ଫେରାର ହୋଇଗଲା। ସେ ଅନେକ ବର୍ଷ ତଳର କଥା।


 ଏମିତି ବୁଢ଼ା ମଣିଷଟା ଏତେ ବଡ଼ ଫାଟକ ଡେଇଁ ପାରିଲା! ପ୍ରଣବ କବାଟ ଖୋଲିଲେ। କିଛି ହେଲେ କହିଲେ ନାହିଁ। କାଳିଘନିଆ ସାଷ୍ଟାଙ୍ଗ ପ୍ରଣିପାତ ମୁଦ୍ରାରେ ଲୋଟିପଡିଲା।


କାଳିଘନିଆ ସହ କବିତାଙ୍କ ସମ୍ପର୍କର ଚେର ଲମ୍ବିଛି ଦଶପଲ୍ଲା ପର୍ଯ୍ୟନ୍ତ। ସେଇଠି ତା ମାମୁଁଘରେ ରହି ପାଠ ପଢୁଥିଲା। କବିତା ମାତ୍ର ଚାରିବର୍ଷର ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମାରେ ବଡିଭୋରୁ ଡଙ୍ଗା ଭସାଇବା ବେଳେ କବିତାର ଗୋଡ଼ ଖସିଗଲା। ସେ ଆହୁରି ଭିତରକୁ ଟାଣି ହୋଇଗଲା। ମାଇପେଙ୍କ ଘାଟ। ସନ୍ତରଣ ଜଣା ନଥିଲା କାହାକୁ, ହାଉଳି ହେବା ସାର। ରକ୍ଷା କରିବାକୁ ଆର ଘାଟରୁ କେହି ଆସିଲା ବେଳକୁ କବିତା କି ଆଉ ଥିବ? ହଠାତ୍ ସେଠାରେ ଉପସ୍ଥିତ ଦଶବର୍ଷର ବାଳକ କାଳିଘନିଆ ଦେବଦୂତ ସାଜି ଲମ୍ଫଦେଲା। 


ପରିବାରଟିର ସ୍ନେହ ଶ୍ରଦ୍ଧା ଓ କୃତଜ୍ଞତା ସବୁଦିନ ପାଇଁ ଅଜାଡ଼ି ହୋଇପଡ଼ିଲା କାଳିଘନିଆ ଉପରେ। 


ଆଦ୍ୟ ଯୌବନରେ କିନ୍ତୁ ଏ ସମ୍ପର୍କରେ ସଂଘର୍ଷ ଦେଖାଦେଲା। କାଳିଘନିଆ ଏକଦା ବିକ୍ରମଙ୍କ ସହ ହାତାହାତି ହୋଇଗଲା। କବିତା ହାଇସ୍କୁଲ ଛାତ୍ରୀ। ତାଗିଦ୍ କଲା ବିକ୍ରମଙ୍କୁ କବିତା ଠାରୁ ଦୁରେଇ ଯିବାକୁ। ବିକ୍ରମ ତାକୁ ଗଧ ବୋଲି ସମ୍ବୋଧନ କଲାରୁ ପିଟି ପକାଇଲା। ଆଉଥରେ ବସରେ ଆସୁଥାଏ, ଦେଖିଲା ଅମିୟ ସହ ବସିଛି କବିତା କଣ୍ଡକ୍ଟର ପଛ ସିଟରେ। ତାକୁ ଟାଣି ବାହରକରିଦେଇ ନିଜେ ବସିଗଲା। କଣ୍ଡକ୍ଟର ଓ କ୍ଲିନର ହସ୍ତକ୍ଷେପ କରି ତଳକୁ ଓହ୍ଲାଇ ଦେଉଥିଲେ। କିନ୍ତୁ କବିତା କହିଲାରୁ ସେମାନେ ତହିଁରୁ ନିବୃତ୍ତ ହେଲେ। ଶୁଣାଯାଏ ପ୍ରଭାତଙ୍କୁ ମଧ୍ୟ ସେ ଧମକାଇ ଥିଲା ଭୁବନେଶ୍ୱରରେ। ସେ ଗବେଷଣା କରୁଥିଲା କବିତା ପଛରେ କିଏ ପଡିଛନ୍ତି।


କ୍ରମେ କାଳିଘନିଆ ଅପରାଧ ଜଗତରେ ପାଦଦେଲା। ତା ମନର ଅବଶିଷ୍ଟ ନରମ ଭାବନା ସବୁ ହଜିଗଲା। ସେ ନିଜେ ମଧ୍ୟ ହଜିଗଲା କବିତାଙ୍କ ଜୀବନରୁ। ଦଶପଲ୍ଲାରେ କେତେକ କହୁଥିଲେ, ସେ କୁଆଡେ କଲିକତାରେ ଜେଲରେ ଅଛି।


ଅନେକ ବର୍ଷ ପରେ ସେ ଦିନେ କବିତା ଓ ବିକ୍ରମଙ୍କ ବାସଗୃହକୁ ଆସିଥିଲା ଏକ ମର୍ସିଡେଜ ଗାଡ଼ିରେ। ଉଭୟଙ୍କ ପାଇଁ ଆଣିଥିଲା ବହୁତ ଦାମୀ ଉପହାର। ଗ୍ରହଣ ନକରିବାରୁ ଧମକାଇଲା, ଉଡ଼ାଇ ଦେବ କହିଲା। ପ୍ରଣବ କହୁଥିଲେ ଥାନାରେ ଏତଲା ଦେବାପାଇଁ। କବିତା ତଥ୍ୟ ସଂଗ୍ରହ କରିନେଲେ ସେ ଏବେ ବିଶାଳ ଅପରାଧ ସାମ୍ରାଜ୍ୟର ମାଲିକ। ସରକାରୀ ଦଳକୁ ଦିଏ ପ୍ରଚୁର ଚାନ୍ଦା। କେତେ ଜଣ ମନ୍ତ୍ରୀଙ୍କୁ ସେ କାବୁ କରି ରଖିଛି। ଅସହାୟ ଅନୁଭବ କଲେ କବିତା। ଦିନେ ତାଙ୍କ ଜୀବନ ରକ୍ଷା କରିଥିଲା ସେ। ପୁଣି ଅଜୁ, ଅଞ୍ଜୁ ଓ ପ୍ରଣବଙ୍କ ସୁରକ୍ଷା ପାଇଁ ଭୟ ପାଇଲେ ସେ। ସମ୍ଭବତଃ କାଳିଘନିଆ ମାନସିକ ରୋଗରେ ପୀଡିତ ଥିଲା। ନଚେତ୍ ସେ କ'ଣ ଦିନେ ଏମିତି ଅଶ୍ଳୀଳ ଓ ଅଶିଷ୍ଟ କଥା କହିଥାନ୍ତା? ଜଣେ ମହିଳା, ପ୍ରଶାସନିକ ଅଧିକାରୀ, ଦୁଇ ସନ୍ତାନର ଜନନୀକୁ ସେ ପ୍ରସ୍ତାବ ଦେଉଛି, ସବୁ ଛାଡିଦେଇ ଚାଲିଆ ଆମେ ଆକାଶରେ ଉଡ଼ିବା, ତୁମେ ବିଧାୟକ ପ୍ରାର୍ଥୀ ହେବ। 


ଏହି ସମୟରେ ଅନେକ ଲୋକଙ୍କ ଠାରୁ ଅନେକ ସମୟରେ କବିତାଙ୍କ ପାଖକୁ ଫୋନ ଆସେ। କାହା ବଳରେ ଏମିତି ଫୋନ ଆସୁଛି? କବିତା ଡିଜି ସାହେବଙ୍କୁ ଦେଖାକଲେ। ଭିନ୍ନ ଭିନ୍ନ ଏସଟିଡି ବୁଥରୁ ଏହି ଫୋନ କଲ୍ ଆସୁଥିଲା। ପୋଲିସ ତା ବାଟରେ ଜାଣିନେଲା, ଏ ସବୁ କାଳିଘନିଆର କାରବାର। 


ଅମିୟଙ୍କ ବାଧ୍ୟରେ ସରକାର ମଧ୍ୟ ଏଣିକି ତାକୁ ବଳି ପକାଇବାକୁ ଚାହିଁଲେ।  

 

ରାଷ୍ଟ୍ରଶକ୍ତି ଅପାର, କାଳିଘନିଆର ମୁଖ୍ୟ ରୋଜଗାର ଥିଲା ମଣିଷ ଚାଲାଣ। ବିଚାର ପରେ ଆଜୀବନ କାରାଦଣ୍ଡ ମିଳିଲା ତା'କୁ। 


କାଳିଘନିଆ ନାକ ଘଷି ହେଉଥିଲା, କାନ ମୋଡ଼ି ହେଉଥିଲା। ପ୍ରଣବଙ୍କୁ କହିଲା, -ନର୍କକୁ ଯିବା ପୁର୍ବରୁ କ୍ଷମା ଚାହେଁ କବି। କାଲି ଆତ୍ମସମର୍ପଣ କରିବି। ସେ ଚାଲିଗଲା। ତା ଆସିବା ଯିବା କେହି ଜାଣିପାରିଲେ ନାହିଁ। ଛୟାଅଶି ବୟସରେ ସେ ପୁଣି କରିବ ଆତ୍ମ ସମର୍ପଣ?  ଗ୍ରହଟି ଯିବା ଉତ୍ତାରେ ପ୍ରାୟ ଅଧଘଣ୍ଟା କାଳ ପ୍ରଣବ ଦଣ୍ଡାୟମାନ ଅନାଇ ରହିଲେ ପତ୍ନୀଙ୍କୁ। ଶୋକ ଭାଗଟି ଗୌଣ୍ୟ ହୋଇସାରିଥିଲା କିନ୍ତୁ ଅକଥନୀୟ ନିଃସଙ୍ଗତା। ବାଉଳି ହେଲା ପ୍ରାୟ କହିଲେ, ପିଲାଏ ଆସିଯିବେ। ନିଜକୁ ନା କବିତାଙ୍କୁ?


ଚୌକି ଉପରେ ବସିରହି ଅବଶିଷ୍ଟ ରାତି ବିତାଇ ଦେଲେ କବି। ସ୍ନାନ ଶୌଚ ହୋଇ ନିଜକୁ ସମ୍ଭାଳି ବସିଲେ। କ୍ଷଣକୁ କ୍ଷଣ ଅନାଉଥାନ୍ତି ସିସିଟିଭି ପରଦାକୁ ଓ କାନ୍ଥଘଣ୍ଟାକୁ। ସେ ଜାଣନ୍ତି ପୁତ୍ର କନ୍ୟା ଆସିବେ ଅନେକ ବିଳମ୍ବରେ କିନ୍ତୁ ସେ ଅବଗଣନାରୁ ନିବୃତ୍ତ ହେଉନାହାନ୍ତି।


ପ୍ରଭାତ ହେଲାଣି, କାଳିଆର ସହରର ଚତୁର୍ଦ୍ଦିଗରେ ଶୁଭିଲାଣି ଜୀବନ ସଙ୍ଗୀତ । କାଲି ପ୍ରତ୍ୟୁଷରୁ ଆଜି, ଦିବସ ଏକ ଅତିକ୍ରାନ୍ତ।


ଆତ୍ମୀୟ ସ୍ବଜନ ମାନେ ପୁଣି ଏକତ୍ରିତ ହେଲେଣି। ସୁପ୍ରକାଶ କବିଙ୍କୁ ଭେଟି ଫେରିଲେଣି।


ପହଞ୍ଚିଲେ ମହେନ୍ଦ୍ର ଏକ ବିଶାଳ ପୁଷ୍ପଫଳକ ସାଥିରେ। ପିଲାବେଳ ତାଙ୍କର କଟିଯାଇଛି ଦଶପଲ୍ଲାରେ। ବାପା ସେଠାରେ ଥିଲେ ଡାକ୍ତର। ସରକାରୀ ବାସଗୃହର ଏକ ଅଂଶ ହଠାତ୍ ଭାଙ୍ଗିଗଲା ପରେ ଭଡ଼ାରେ ରହୁଥିଲେ କବିତାଙ୍କ ଘରେ। ଯୋଗକୁ ଅତନୁ ବାବୁ ଏବେ ମାତ୍ର ଖାଲିକରିଥିଲେ ଏହି ଭଡାଘରଟି।


ଅତନୁ ବାବୁ ସ୍ଥାନୀୟ ନବଗଠିତ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ। ସେ ଘର ଛାଡ଼ିବା ସ୍ବଭାବିକ ଥିବା ଅବିଶ୍ବାସ କରନ୍ତି କବିତା।


ଏହା କବିତାଙ୍କ ଷଷ୍ଠ ଶ୍ରେଣୀର କଥା। ମହେନ୍ଦ୍ର ପଢୁଥିଲା ସପ୍ତମ ଶ୍ରେଣୀରେ ତାଙ୍କ ଭଗ୍ନୀ ମୈତ୍ରୀ ପଢ଼ୁଥିଲା ପଞ୍ଚମ ଶ୍ରେଣୀରେ। ପ୍ରଦୀପ ଓ କବିତାଙ୍କ ସହ ବେଶ୍ ଜମିଉଠିଲା ସେମାନଙ୍କ ବନ୍ଧୁତା। ମହେନ୍ଦ୍ର ସପ୍ତମ ବୋର୍ଡ ପରୀକ୍ଷାରେ ସାରା ରାଜ୍ୟରେ ହୋଇଥିଲେ ପ୍ରଥମ। ନାନା ପ୍ରତିଭାର ଅଧିକାରୀ ଏ ବାଳକର ସୁପ୍ରଭାବ ସବୁ ପିଲାଙ୍କ ଉପରେ ପଡିଥିଲା। ସେମାନେ ମଧ୍ୟ ନିଗମାନନ୍ଦଙ୍କ ଆଶ୍ରୀତ। ସହରରେ କଥା ହେଉଥିଲେ ଏସବୁ କାଳେ ଗୁରୁକୃପା।


ଅତନୁଙ୍କ ଏକମାତ୍ର ପୁଅ ପୂଣ୍ୟଶ୍ଳୋକକୁ ଆଉ ଝୁରି ହେଉନଥିଲେ କବିତା କିମ୍ବା ପ୍ରଦୀପ।


ଅନେକ ବର୍ଷ ରହିଲେ ସେମାନେ। ମହେନ୍ଦ୍ର ହାଇସ୍କୁଲ ପରୀକ୍ଷାରେ ମଧ୍ୟ ରାଜ୍ୟରେ ତୃତୀୟ ହୋଇଥିଲେ। 


ପିଲାମାନଙ୍କର କିଶୋର ସମୟଟି ବଡ଼ ବିଚିତ୍ର। କେତେ କଟି ପଡିଛି ଓ ଫିଟିଛି ପିଲାଦିନେ କିନ୍ତୁ ମହେନ୍ଦ୍ର କେବେ ନିଜଆଡୁ ଫିଟାଏ ନାହିଁ କଟି। ଆତ୍ମଗର୍ବ ଅଧିକ। କବିତାଙ୍କ ନବମ ଶ୍ରେଣୀର କଥା। କିଶୋରୀ ମନର କ୍ରମବର୍ଦ୍ଧିଷ୍ଣୁ ବ୍ୟକ୍ତିତ୍ବ ଚିହ୍ନିପାରୁଥିଲା ମହେନ୍ଦ୍ରଙ୍କ ଅହଂଭାବକୁ। ଯୁଦ୍ଧ ହେଲା ମାନସିକ ସ୍ତରରେ। ଖବର ପାଇଲା ମହେନ୍ଦ୍ର ତା ସାଥିମାନଙ୍କୁ କହୁଛି ଯେ କବିତାର ମନଜିତିବା ତା ପାଇଁ ବାଁ ହାତର ଖେଳ କିନ୍ତୁ ସେ ତାକୁ ପସନ୍ଦ କରେନି। ତା ସାଙ୍ଗମାନେ କବିତା ଓ ବିକ୍ରମଙ୍କ ସମ୍ପର୍କକୁ ନେଇ କବିତାଙ୍କ ଚାରିତ୍ରିକ ଆକ୍ଷେପକୁ ପ୍ରତିବାଦ କରିନଥିଲା ମହେନ୍ଦ୍ର। 


ସେ ଯେଉଁ କଟିପଡିଲା ତାହା ଆଉ ଫିଟିଲା ନାହିଁ। ମୈତ୍ରୀ ସହ ବନ୍ଧୁତା ଥାଏ ଅତୁଟ।


ଦୀର୍ଘ ଆଠବର୍ଷ ପରେ କବିତାଙ୍କ ଶେଷବର୍ଷ ଉପାଧି ଶ୍ରେଣୀ। ମହେନ୍ଦ୍ର ଆଇଆଇଟି କାନପୁରରୁ ସଦ୍ୟ ଉତ୍ତୀର୍ଣ୍ଣ ହୋଇଥାନ୍ତି। ଅପ୍ରତ୍ୟାଶିତ ଦେଖାକଲେ କବିତାଙ୍କୁ। କ୍ଷମା ମାଗିଲେ। କବିତା ତରଳିଗଲେ, କଟିଫିଟିଗଲା। ମଧ୍ୟାହ୍ନ ଭୋଜନର ନିମନ୍ତ୍ରଣ ଗ୍ରହଣ କଲେ।


ଭୋଜନ ଅବସରରେ ବଡ଼ ବ୍ୟାକୁଳ ହୋଇ କହିଲେ, ଏତେଦିନ ସେ କବିତାଙ୍କୁ କେବଳ ଝୁରି ହୋଇଛନ୍ତି। ତାଙ୍କ ଏରୁଣ୍ଡି ଟପିବାକୁ ଦେଇନାହାନ୍ତି କୌଣସି ଯୁବତୀଙ୍କୁ, ସେ କବିତାଙ୍କୁ ଭଲପାଆନ୍ତି, ଜର୍ମାନ ଯିବା ପୂର୍ବରୁ ବାହା ହେବାକୁ ଚାହାନ୍ତି। ସେ ଜାଣନ୍ତି ଉଭୟ ପରିବାର ଏଥିରେ ଖୁସି ହେବେ।


କବିତା କହିଲେ, - ମହେନ୍ଦ୍ର ଭାଇ, ଏ ପ୍ରସ୍ତାବ ଦେବା ପୂର୍ବରୁ ମୋ ବାବଦରେ କିଛି ଗବେଷଣା କରିବା ଜରୁରୀ ଥିଲା।


  • କରିଛି। ଜାଣେ ତୁମର ପ୍ରଣବଙ୍କ ସହ ପ୍ରେମସମ୍ପର୍କ। ସେ ତୁମ ଶ୍ରେଣୀ ସାଥୀ। ଆଡବାଇଆ କବିଟିଏ। ତୁମେ ବୁଢ଼ୀ ହେଲାବେଳକୁ ସେ ତୁଳନାତ୍ମକ ଭାବେ ଯୁବକ ଥିବେ। ତୁମ ପ୍ରତି ଆକର୍ଷଣ ନଥିବ। ତାଙ୍କ ସହ କ'ଣ ସୁଖରେ ରହିପାରିବ?


କବିତା ଏକ ମୃଦୁହାସ୍ୟରେ ଲୁଚାଇ ଦେଲେ ସମସ୍ତ ତାତ୍ସଲ୍ୟ। ମହେନ୍ଦ୍ର ଭାଇଙ୍କ ଆତ୍ମଗର୍ବରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେ ନିଜକୁ ଖୁବ୍ ବଡ଼ ଭାବୁଛନ୍ତି। ସେ ତ ମାତ୍ର ଏକବର୍ଷ ବଡ଼। ବୟସ ବାବଦରେ ଯାହା କହିଲେ ସେକଥା ତାଙ୍କ ପାଇଁ ବି ପ୍ରଯୁଜ୍ୟ। କ'ଣ ଜର୍ମାନୀରେ ନେଇ ବାର୍ବି କରି ସାଇତିବେ? ଜେଏନୟୁ ଶେଷବର୍ଷର ଛାତ୍ରୀ ମନରେ ତାଙ୍କର ଆଇଏଏସ୍ ହେବାର ବିଶ୍ବାସ ଭରା ଅଭିଳାଷ। ସେ ପୁଣିଥରେ ହସିଲେ, ପ୍ରଣବଙ୍କ ପାଇଁ ନୂଆ କବିତାର ପଟ୍ଟଭୂମିଟିଏ ମିଳିଗଲା। ସେ ଚାହିଁନଥିଲେ ରେସ୍ତୋରାଂରେ କିଛି ନାଟକ କରିବାକୁ।


ଅବଶ୍ୟ ନିଜ ବାହାଘରରେ ମହେନ୍ଦ୍ରଙ୍କୁ ନିମନ୍ତ୍ରଣ ଜଣାଇଥିଲେ ଓ ସେ ମଧ୍ୟ ଆସିଥିଲେ। ଦଶବର୍ଷ ଜର୍ମାନୀରେ ରହିବାପରେ ମହେନ୍ଦ୍ର ବାହୁଡ଼ି ଆସିଥିଲେ ସ୍ବଦେଶ।


ମହେନ୍ଦ୍ରଙ୍କ ବିଶାଳ ପୁଷ୍ପଫଳକର ହେତୁ କେବଳ ତାଙ୍କ ଅହଂ।



ଅନେକ ଛୋଟ ବିକ୍ରମ, ଛୋଟ ପ୍ରଭାତ, ଛୋଟ ଅମିୟ ଓ ଛୋଟ ମହେନ୍ଦ୍ର ମାନେ ମଧ୍ୟ ଇତି ମଧ୍ୟରେ ଆସି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କେବେ ନା କେବେ ସେମାନଙ୍କ କଥା ସବୁ ବଖାଣି ଥିଲେ କବିତା। ବଡ଼ ବିଚିତ୍ର ଭାବେ ପିଲାଳିଆ ଥିଲେ କବିତା। ଅକାରଣେ ସେ ଭାବୁଥିଲେ ସମସ୍ତେ ଉଡାଧୁଳି ହୋଇ ଲେସି ହୋଇଛନ୍ତି ତାଙ୍କ ଏ ନାରୀଜନ୍ମର ଜୀବନଯାତ୍ରା କାଳରେ। ଏସବୁରୁ ସ୍ବଛ ହେବାର ଏକ ମାତ୍ର ଉପାୟ ପ୍ରଣବଙ୍କ ନିକଟରେ ଗପିଦେବା।


ପ୍ରଣବ ଥଟ୍ଟାରେ କହନ୍ତି, ଏ କ'ଣ ଅସରନ୍ତି ଗପ ଚଢ଼େଇ ଉଡିଗଲା ଫୁର୍ର। କବିତା କହନ୍ତି, ଶୁଣିନକି ଟାଇଟାନିକ ସିନେମାରେ ବୃଦ୍ଧା ନାଇକାଙ୍କ ସଂଳାପ। ଜଣେ ନାରୀର ହୃଦୟ ଗୋପନୀୟତାରେ ଭରପୁର ଏକ ଗଭୀର ମହାସାଗର।


  • ଗୋପନୀୟ ରଖ ତାହେଲେ।

  • ହୃଦୟଠାରେ ଆଉ କି ଗୋପନୀୟ ଥାଏ।

  • କିଛି ତ ଥିବ!

  • ଅଛି କିନ୍ତୁ ସେଇଟା ମୁଁ ମଲେ ଯାଇ ତୁମେ ଜାଣିବ।


ପ୍ରଣବ ଉତ୍କଣ୍ଠିତ ହୋଇ ଉଠୁଥିଲେ। ଏବେ ନିଶ୍ଚିତ ପହଞ୍ଚିବେ ଅଜୁ ଅଞ୍ଜୁ।


ସେମାନେ ପହଞ୍ଚିଲେ ନିଜ ନିଜର ପରିବାର ଧରି। ସମୁଦି ଦୁହେଁ ଏବେ ତତ୍ପର ହୋଇ ଉଠିଲେ। ଦୁଃଖ ମଧ୍ୟରେ ସମସ୍ତେ ଯେମିତି କୋଟିନିଧି ପାଇଗଲେ। ଆଉ ନାହିଁ ଶୋଚନା କିଛି। ବୋହୂ ଓ ଜ୍ବାଇଁ ତଥା ନାତି ନାତୁଣୀ ମାନଙ୍କ ଆଗମନ ପ୍ରଣବଙ୍କୁ ସ୍ବସ୍ତି ଆଣିଦେଲା। କବିତାଙ୍କ ନିକଟକୁ ଯାଇ କହିଲେ, - ଦେଖ ସଭିଏଁ ପରା ଆସିଛନ୍ତି। ତୁମେ ତ ଆଉ ଉଠିବନି, ହେଉ ହେଲା ସେମିତି ଶୋଇରହି ଆଶୀର୍ବାଦ ଦିଅ। ଚାହୁଁ ଚାହୁଁ କବିତା କୁଞ୍ଜ କରୁଣ ଭାବେ ଗୁଞ୍ଜରିତ ହେଲା ଏକ ସମୁହ କ୍ରନ୍ଦନ ଧ୍ବନିରେ।


ସେମାନଙ୍କ ସହ ଆସିଛନ୍ତି ଜଣେ ବୃଦ୍ଧ। ଅଜୁ ତାଙ୍କର ପରିଚୟ ପ୍ରଦାନ କଲେ।


ସେ ପୁଣ୍ୟଶ୍ଳୋକ ମାମାଙ୍କ ଅତି ପିଲାବେଳର ସାଙ୍ଗ। ଯୁକ୍ତରାଷ୍ଟ୍ରରେ ବେଶ୍ ନାମକରା ଯୋଗ ଶିକ୍ଷକ। 


ହୋଇଥିବେ ନହେଲେ ଏତେ ସୁସ୍ଥ କେମିତି ଦେଖାଯାନ୍ତେ।


କବିତା କେତେ ବାର କହିଛନ୍ତି ପୂଣ୍ୟଶ୍ଳୋକଙ୍କ ବାବଦରେ। ସେ ଦୁଇ ଶ୍ରେଣୀ ଉପରେ ପଢ଼େ। ପିଲାବେଳୁ ସେ ଯୋଗାସନ, ବ୍ୟାୟାମ, କ୍ରୀଡ଼ା ଓ କୁସ୍ତି କରି ଏକ ବଳିଷ୍ଠ ଶରୀର ଗଠନ କରିଥିଲା। ଯୋଗାସନରେ ସେ ପ୍ରବୀଣ। କବିତା ଓ ପ୍ରଦୀପ ତାଙ୍କୁ ନକଲ କରି ଶିଖିଯାଉଥିଲେ। ଷଷ୍ଠ ଶ୍ରେଣୀର କଥା, କବିତା ବୟଃପ୍ରାପ୍ତ ହେଲା। ନାନାଦି କଥାରେ ଆକଟ କରାଗଲା ତାକୁ। କେଜାଣି କ'ଣ ଓ କି ଉପାୟରେ କୁହାଗଲା ପୂଣ୍ୟଶ୍ଳୋକକୁ, ସେ ଏଣିକି କବିତା ଠାରୁ ଦୂରତା ରକ୍ଷା କଲା। ଏ ପରିସ୍ଥିତି ଉଭୟଙ୍କ ମନରେ କୌତୁହଳ ସୃଷ୍ଟିକଲା। ଜଣାନାହିଁ କୌତୁହଳ ପାଇଁ ଅବା ମନରେ ଘଟୁଥିବା ନୂତନ ପରିବର୍ତ୍ତନ ପାଇଁ ସେମାନେ ପରଖିବାକୁ ଲାଗିଲେ ପରସ୍ପରକୁ ଦୂରରୁ। ପୁଣ୍ୟଶ୍ଳୋକ ଖୁବ୍ ଭଲପିଲା ଥିଲା କବିତା କହନ୍ତି।


ତାଙ୍କ ବାପା ଅତନୁ ମଉସା ଘରକୁ ଆଣନ୍ତି ଅନେକ ପତ୍ର ପତ୍ରିକା। ତାଙ୍କର ଏକ ପାଠାଗାର ଥାଏ, ବହି ସବୁ ପାଇଥାନ୍ତି ଏକ ଏକ କ୍ରମିକ ସଂଖ୍ୟା। ସେଇଠି ସମସ୍ତେ ପଢନ୍ତି କବିତା ମଧ୍ୟ ପଢ଼େ। ଦିନେ ସେ ଜହ୍ନମାମୁଁ ପଢ଼ୁଥିଲା‌ ଏକୁଟିଆ। ଅତନୁ ମଉସା ପାଖରେ ବସିଲେ। ତାକୁ ଗେହ୍ଲା କଲେ ପିଲାବେଳେ ଆଗରୁ ଯେମିତି କରନ୍ତି? ଏବେ କିନ୍ତୁ କବିତାଙ୍କୁ ଏହା ଭଲ ଲାଗିଲା ନାହିଁ। କ୍ରମେ ତା ପିଲା ମନରେ ସେ ବୁଝିଗଲା ମଉସା ତାକୁ ଏକୁଟିଆ ପାଇଲେ ଏମିତି ସ୍ନେହ କରୁଛନ୍ତି। ଜଣେ ବଡ଼ ମଣିଷର ଶରଧା ପ୍ରତି କେମିତି ଏକ ସତର୍କ ଓ ଘୃଣା ଭାବ ଆସିଗଲା। ସେ ଏଣିକି ତାଙ୍କ ଘରକୁ ଯିବା ବନ୍ଦ କରିଦେଲା। ମାଆଙ୍କୁ କହିଲା ଅତନୁ ମଉସା ଭଦ୍ରମଣିଷ ନୁହନ୍ତି।


ସେ ଜାଣେନି ଏହାପରେ କ'ଣ ହେଲା। ମଉସା ହଠାତ୍ ଦଶପଲ୍ଲା ଛାଡି ଭିନ୍ନ ସହରକୁ ଚାଲିଗଲେ ଭିନ୍ନ ଏକ କଲେଜକୁ। ସେମାନଙ୍କ ସହ ସମ୍ପର୍କ ସବୁଦିନ ପାଇଁ ବନ୍ଦ ହୋଇଗଲା। ଅନେକ କାଳ ମନେ ମନେ ଝୁରି ହେଉଥିଲେ ପୂଣ୍ୟଶ୍ଳୋକକୁ। 


ପ୍ରଣବ ମଜା ମଜାରେ କବିତାଙ୍କୁ କହନ୍ତି, ତାହେଲେ ପୂଣ୍ୟଶ୍ଳୋକ କ'ଣ ପ୍ରଥମ କ୍ରସ୍?


କବିତା ସଠିକ କହିପାରନ୍ତି ନାହିଁ, ସେ ତ କେବଳ ଏଗାର ବାର ବର୍ଷର ଥିଲା। 


ହଁ ଏକଥା ସତ ସେମାନଙ୍କ ଅଚାନକ ଚାଲିଯିବା ଓ କେବେ ମଧ୍ୟ ପରେ ସାକ୍ଷାତ ନହେବା ସର୍ବଦା ଏକ ପ୍ରହେଳିକା ହୋଇ ରହିଲା। ବୟସ ବଢିଲା ପରେ ଅତନୁ ମଉସାଙ୍କ ପ୍ରତି କବିତା ମନର ଘୃଣାଭାବ ଆହୁରି ବଢି ଯାଇଥିଲା।


ବହୁତ ବର୍ଷ ପରର କଥା। କବିତା ଏକ ରାତ୍ରି କାଳୀନ ବସରେ ଯାତ୍ରା କରୁଥାଏ ଦିଲ୍ଲୀରୁ ଜୟପୁର, ଏକ ଦୁଇଟିକିଆ ସିଟରେ ସେ ଏକୁଟିଆ। ଦୁଇଜଣ ଚଢିଲେ।


 - ଆରେ କବିତା! ଚିହ୍ନି ପାରୁଛୁ? ମୁଁ ପୂଣ୍ୟଶ୍ଳୋକ। ଏ ମୋ ସାନଭାଇ ପୂଣ୍ୟପ୍ରସନ୍ନ। 

- ଆରେ କି ଭାଗ୍ୟ। ତୁମକୁ ଚିହ୍ନି ପାରୁଛି। ହେଲେ ପ୍ରସନ୍ନ ମାତ୍ର ତିନି ଚାରି ବର୍ଷର ହୋଇଥିଲା ତାକୁ କ'ଣ ଚିହ୍ନି ହେବ?


ସେମାନଙ୍କର ପଛ ସିଟ୍ ହୋଇଥାଏ। ପ୍ରସନ୍ନ ପଛକୁ ଚାଲିଗଲା। ପୂଣ୍ୟଶ୍ଳୋକ ସେଇଠି ବସିପଡ଼ିଲା ଓ ଭଲମନ୍ଦ ଗପିଲେ ସେମାନେ। ସେ ମିତ୍ରପୁରା ନାମକ ସହରକୁ ଯାଉଥାଏ ଏକ ଯୋଗ କାର୍ଯ୍ୟକ୍ରମରେ। ଗପ ସବୁ ସରିବାପରେ ତଥାପି ସେ ଗପ ଲମ୍ବାଉଥାଏ। କବିତା ସେଦିନ ବହୁତ ଥକ୍କିଯାଇଥାଏ। ଢୋଳ ଲାଗୁଥାଏ। ସୌଜନ୍ୟ ଦୃଷ୍ଟିରୁ ମୁହଁ ଖୋଲି କହିପାରୁ ନଥାଏ ପୂଣ୍ୟଶ୍ଳୋକକୁ ତା ସିଟକୁ ଯିବାକୁ। ମାଡ଼ି ମାଡି ପଡୁଥିଲେ ବି ସେ ଆଉ ନିଜକୁ ରୋକି ପାରିଲା ନାହିଁ। 


ସେ ସଠିକ କହିପାରିବ ନାହିଁ କିନ୍ତୁ ତା'ର ମନେ ହେଲା, ପୂଣ୍ୟଶ୍ଳୋକ ଯେମିତି ବାପାକୁ ସେମିତି ପୁଅ। ଯୋଗ ଶିଖାଉଛି ନା ଛେନାଗୁଡ? ଯାହା ହେଉ ମିତ୍ରପୁରା ଆସିଗଲା। ଦୁଇଭାଇ ଓହ୍ଲାଇଗଲେ। ସବୁଦିନ ପାଇଁ ସେ ଓହ୍ଲେଇ ଯାଇଥିଲା ଭାବନାର ପରିଧି ମଧ୍ୟରୁ।


ସେହି ପୂଣ୍ୟଶ୍ଳୋକ ସାତ ସମୁଦ୍ର ତେର ନଈ ପାରରୁ ଚାଲି ଆସିଛନ୍ତି କେଉଁ ହଜିଲା ଅତୀତକୁ ମେଲାଣି ଦେବାକୁ! ସେ ତାହେଲେ ଅନେକ କାଳରୁ ଜାଣନ୍ତି ଅଞ୍ଜୁ ଓ ଅଜୁ କବିତାଙ୍କ ସନ୍ତାନ। 


ବିଶେଷ ବିଳମ୍ବ ନକରି ସମସ୍ତେ ଚାଲିଥିଲେ ସ୍ଵର୍ଗଦ୍ଵାର ଅଭିମୁଖେ। 


ଦିବସ ଅତିକ୍ରାନ୍ତ। ଶ୍ରୀ ଓ ଜଗା କହିଲେ ଯେ ବାବା ଆଦୌ ବିଶ୍ରାମ ନେଇ ନାହାନ୍ତି। ବାବାଙ୍କୁ ଅଜୁ ଅଞ୍ଜୁ ଟାଣିନେଲେ ଶେଯ ଉପରକୁ। କାବ୍ୟା ବିଦେଶରୁ ଆସିଥିବା ନୂଆ ସାଙ୍ଗ ମାନଙ୍କ ସହ ଖେଳୁଥାଏ, ଭାଷା ବୁଝି ନପାରିବା ସତ୍ତ୍ୱେ। ସେ ଆଜି ଜେଜେଙ୍କ ପାଖରେ ଅଳି କରୁନଥିଲା। ଅନ୍ୟ ନାତି ନାତୁଣୀ ମଧ୍ୟ ଗ୍ରାଣ୍ଡପାଙ୍କୁ ନିରୋଳାରେ ଛାଡି ଦେଇଥାନ୍ତି। ଅଜୁ ଓ ଅଞ୍ଜୁ ବେଫିକର ଗପୁଥାନ୍ତି, ବାବାଙ୍କୁ ବୁଝାଉଥାନ୍ତି ସେମାନଙ୍କ ସହ ଆମେରିକା ଯିବା ପାଇଁ। ଏକଦା ନାସ୍ତିକ ପ୍ରଣବ କିଶୋର କହୁଥାନ୍ତି ଜଗାକୁ ଛାଡି କୁଆଡେ ଯିବେ? ଅନାଥ ଜଗା ଅବା ନାଥ ଜଗା? କେତେବେଳେ ବାବା ନିଦ୍ରା ଗଲେ। ଦୁଇଦିନର ନିଦ୍ରା, ପୁତ୍ର କନ୍ୟା ନାତି ନାତୁଣୀ ନିକଟରେ ଥିବା ନିଦ୍ରା, ଦାୟିତ୍ଵ ସବୁ ସମର୍ପଣ ପରର ନିଦ୍ରା। କିଏ ଜାଣିଥିଲା ପ୍ରଭାତରେ ଜଣାପଡ଼ିବ ଏ ଯେ ମହାନିଦ୍ରା। କବିତାଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି। ପିଲାମାନଙ୍କୁ ଏକ ସଙ୍ଗେ ଶୋକ ପାଳନର ସୁବନ୍ଦୋବସ୍ତ କରି ପ୍ରେମର ଏକ ମହାକାବ୍ୟ ସମାପ୍ତ କଲେ ପ୍ରଣବ କିଶୋର।




Rate this content
Log in

Similar oriya story from Abstract