Rabinarayan Senapati

Abstract Classics

4.5  

Rabinarayan Senapati

Abstract Classics

ସମୟର ଦୃଶ୍ୟପଟ୍ଟ

ସମୟର ଦୃଶ୍ୟପଟ୍ଟ

7 mins
364


 


କେତେ ମାସ ତଳର କଥା। କଥାଟି ମନରୁ ଯାଉନି। ସେମିତି ଗୁରୁତ୍ବପୂର୍ଣ୍ଣ ମନେ ହୋଇଥିଲେ ତ ଲେଖି ଦେଇଥାନ୍ତି। କିନ୍ତୁ ଆଜି କାହିଁକି କଥାଟି ସମ୍ପୂର୍ଣ୍ଣ ଭାବେ ପ୍ରତିଭାତ ହେଲା ଯେବେ ମୁଁ ଠିକ୍ ସେହି ସ୍ଥାନରେ ଦେଖିଲି କେତୋଟି ଶିଶୁଙ୍କୁ ତାଙ୍କ ବାପାମାନେ ବ୍ୟାୟାମ ଶିଖାଉଛନ୍ତି। ଭୂମି ସମାନ୍ତରାଳ ହୋଇ ଉଚ୍ଚରେ ଲାଗିଥିବା ଷ୍ଟିଲ୍ ପାଇପରୁ ସେମାନଙ୍କୁ ଝୁଲାଉ ଝୁଲାଉ କହୁଥିଲେ ମାର୍ ଚିଲିଂ, ମାର୍।


ମୁଁ ସେ ବାପା ମାନଙ୍କ ମଧ୍ୟରେ ଖୋଜୁଥିଲି ସେହି ଦୁଇଜଣ ଯୁବକଙ୍କୁ ଯେଉଁମାନଙ୍କୁ ସେଦିନ ସେଠି ବ୍ୟାୟାମ କରିବାର ଦେଖିଥିଲି। ହୁଏତ ସେମାନେ ଥିଲେ କିନ୍ତୁ ମୁଁ ଚିହ୍ନିପାରୁନଥିଲି। କିନ୍ତୁ ସେମାନେ ତ ଥିଲେ ନବ ଯୁବକ, ଏତେ ଶୀଘ୍ର ବାପା ହୋଇ ନଥିବେ!


 ସମୟ ଯେ ବଡ଼ ଆପେକ୍ଷିକ। ସମୟର ଦୃଶ୍ୟପଟରେ ସେଦିନ ଦେଖିଥିଲି ଯୌବନ ଓ ବାର୍ଦ୍ଧକ୍ୟ ଦେଖିନଥିଲି ଶୈଶବ। ଆଜି ସେ ଅଂଶଟି ପୁରଣ ହେଲା।


ଘଟଣାଟି ଥିଲା ଏମିତି। ମୋ ସରକାରୀ ବାସଭବନରୁ ବାହାରି ବୈତରଣୀ ତଟରେ ପହଞ୍ଚିଲା ବେଳକୁ ସକାଳୁ ସକାଳୁ ଝାଡେଶ୍ବର ମନ୍ଦିର ନିକଟରୁ ଶୁଭୁଥିଲା ବଂଶୀର ସୁଲଳିତ ସ୍ବନ। ଏ ନିଶ୍ଚିତ ଆମ ଡାକ୍ତରଖାନା କର୍ମଚାରୀ ସନ୍ତୋଷର କାମ। ଅତି ସୁନ୍ଦର। କ୍ରମଶଃ ସ୍ପଷ୍ଟ ଶୁଭିଲା, ସୁନ୍ଦର ଶିବ ବନ୍ଦନାର ବଂଶୀ ମୁର୍ଛନା। ମନ୍ଦିରକୁ ଅତିକ୍ରମ କରି ମୁଁ ବାରେଜ୍ ଆଡ଼କୁ ଚାଲିଲି, ଆଉ ଶୁଭୁନଥିଲା ସଙ୍ଗୀତ। ବାରେଜ୍ ଏପାଖରେ ଶୁଷ୍କ ନଦୀରେ କୁଳୁକୁଳୁ ତାନ ଖୋଜିବା ମୋ ମୁର୍ଖତା ସ୍ପଷ୍ଟ କରୁଥିଲା। ସମ୍ଭବତଃ ସବୁତକ ଗେଟ୍ ବନ୍ଦ। ବାରେଜ୍ ଅତିକ୍ରମ କଲି। ପାଣି ପଟେ କିମ୍ବା ଶୁଖିଲା ପଟେ କେହି ଜଣେ ମଧ୍ୟ ମାଛ ଧରୁନଥିଲେ। ନଦୀରେ ମଣିଷଟିଏ ନଦେଖିବା ମୋତେ ବହୁତ ଅଡ଼ୁଆ ଲାଗିଲା। ମୋ କଡ ଦେଇ ପିକଅପଟିଏ ଉଡିଗଲା। ତା ଡାଲାରେ ଖେନ୍ଦି ହୋଇଥିଲେ ମଣିଷ। ସେମାନେ କାମକୁ ଦୌଡୁଛନ୍ତି ଏ କଅଁଳ ପ୍ରଭାତରୁ। ସ୍ବାଧୀନ ମଣିଷ ନଦୀରୁ ନିରୁଦ୍ଦିଷ୍ଟ। ବନ୍ଦୀ ମଣିଷ ବନ୍ଧା ହୋଇ ଚାଲିଛି ଖଟିବ। ଏ ମଧ୍ୟରେ ଆମ ସନ୍ତୋଷର ବଂଶୀ ଯେମିତି ସ୍ବାଧୀନତାର ଶେଷ ଅବଶିଷ୍ଟାଂଶ। ସେ ବି ହୁଏତ ସମ୍ପୂର୍ଣ୍ଣ ମୁକ୍ତ ନୁହେଁ। କେବେ କେବେ ସେ ନିଶା ଅଣାୟତ୍ତ ହୋଇ କାହାକୁ କାହାକୁ ଗାଳି ମନ୍ଦ ଦେବା ଦେଖିଛି।


ମୋତେ ବି ଦୌଡ଼ିବାକୁ ଇଛା ହେଲା। ଅଳ୍ପ ସମୟରେ ବେଶୀ ବ୍ୟାୟାମ ହେବ। ମୁଁ ଟିକେ ଦୌଡିଲା ବେଳକୁ ଅଣନିଃଶ୍ବାସୀ ହୋଇ ପଡିଲି। ମୁଁ ଶାରୀରିକ ଭାବେ ଅସମର୍ଥ ହୋଇ ପଡ଼ିଲାଣି ନିଶ୍ଚିତ। ଯେଉଁ ଶରୀର ଥିଲା ମୋ ପାଇଁ ଶ୍ରୀଗଣେଶ, ମହା ସରସ୍ଵତୀ ଓ ପରେ ଶ୍ରୀଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ର ପ୍ରାୟ, ତାହା ଏବେ ଯେମିତି ଆପଣାର ବୋଝ। ଆଉ କିଛିଦିନ ପରେ ପୁଣି ସମୟ ବଦଳିଯିବ। ଜୀବନ ଦର୍ଶନର ଯେଉଁ ବିଭାଗଟି ଏ ଶରୀରର ମାନସ ପଟରେ ରହିଛି, ସେହି ଗୋଟିକ ମଧ୍ୟ ମଳିନ ପଡ଼ିଯିବ। ମୁଁ ହସିଲି ଦୃଶ୍ୟପଟ ବଦଳିଗଲା। ମୁଁ ପହଞ୍ଚିଗଲି ବାରେଜ୍ ରାସ୍ତା ଯେଉଁଠି ମିଶିଛି ଆନନ୍ଦପୁର କରଞ୍ଜିଆ ରାସ୍ତା ସହ, ଜେଲ୍ ଛକ।


ସେଇଠି ଦୁଇଜଣ ସୁଠାମ ଯୁବକ ଉଚ୍ଚରେ ଥିବା ଭୂସମାନ୍ତରାଳ ଷ୍ଟିଲ ପାଇପରୁ ଝୁଲି କେଜାଣି କେତେଥର ଚିଲିଂ ମାରୁଥିଲେ। ସେମାନଙ୍କ ବାଇସେପ୍ ଓ ଟ୍ରାଇସେପ୍ ଓ ଅନ୍ୟାନ୍ୟ ମାଂସପେଶୀ ସବୁ ମୋ ଆଦ୍ୟ ଡାକ୍ତରୀ ପାଠ୍ୟବହି ମନେ ପକାଇଦେଲା। କିଛି ସମୟ ପାଇଁ ମୁଁ ସେଠି ଅଟକି ଗଲି। ସାମ୍ନାରେ ଡାହାଣ ପାଖେ କାରାଗାର। ମନେହେଲା ସେଇଠି ସୁଧାର ହେଉଛନ୍ତି ଅନେକ ଅପରାଧୀ। ସେମାନେ ଭାଗ୍ୟବାନ ବୋଲି ଏକ ଅବାନ୍ତର କଥା ମଗଜକୁ ଧରିଲା। ଆପଣା ଜୀବନରେ ନିଜେ କରିଥିବା ଅପରାଧ ଯେତିକି ତାପଛକୁ ପଛ ମଶାଲ ଶୋଭାଯାତ୍ରାରେ ବାହାରି ଆସିଲେ। ହୁଏତ ଅଭିଯୋଗ ହୋଇ ବିଚାର ହୋଇଥିଲେ ସଜା ହୋଇଥାନ୍ତା, ଏମିତି ସୁଧାର କେନ୍ଦ୍ରରେ ରହିବାର ସୁଯୋଗ ମିଳିଥାନ୍ତା। 


ଯୁବକ ଦ୍ବୟ ବ୍ୟାୟାମ କରି କରି ଥକି ଗଲେ। ଚୁପଚାପ ଘଡ଼ିଏ ଠିଆ ହେଲେ। ମୋର କାହିଁକି ତାଙ୍କ ପାଇଁ ବହୁତ ସମ୍ମାନ ବଢ଼ିଗଲା। ମନୋଜ ଦାସଙ୍କ ଗପ ପୃଥିରାଜଙ୍କ ଘୋଡ଼ା କଥା ମନେ ପଡ଼ିଲା। ସତରେ ତ ଏ ଦୁହେଁ ଏହି କ୍ଷଣି ଚାହିଁଲେ ମୋତେ ଆକ୍ରମଣ କରିପାରନ୍ତେ। ଅଥଚ କେତେ ଭଲ ସେମାନେ! ଏମାନଙ୍କ ପାଇଁ ଏ ସୁଧାର କେନ୍ଦ୍ର ବା ବନ୍ଦୀଶାଳାର ଆବଶ୍ୟକତା ନାହିଁ।


ସାମ୍ନାରେ ବାଁ ପଟେ କେନାଲ କୂଳ ରାସ୍ତାରେ ଗଲେ ଆଗକୁ ପଡ଼ିବ ବିଖ୍ୟାତ ଓକିଲ ପଟ୍ଟନାୟକ ବାବୁଙ୍କ ଚାଷ ଖେତ; ଆଧୁନିକ ଓ ଉନ୍ନତ। ଏ ଯୁବକ ଦୁହେଁ ସେଇଠି ପରିଚାଳକ ନୁହନ୍ତି ତ? ଏମାନେ ତାଙ୍କଠୁ କାମ ଛାଡି ମୋ ପାଖରେ କାମ କରନ୍ତେ ନାହିଁ? ଜଣେ ହୁଅନ୍ତା ସାରଥୀ ଓ ଆର ଜଣେ ବ୍ୟକ୍ତିଗତ ସହାୟକ। କେତେ ହେବା କଥା ଏମାନଙ୍କର ଦରମା? ଅନ୍ୟୁନ ତିରିଶି ହଜାର। ନା ବାବା ନା, ମୁଁ ପାରିବି ନାହିଁ। ଷାଠିଏ ହଜାର କିଏ ମୁଁ କିଏ? ବରଂ ସେମାନେ ସୈନ୍ୟ ବାହିନୀରେ ମିଶନ୍ତୁ, ଦେଶର ରକ୍ଷା କବଚ। ନଚେତ୍ ସେମାନେ ବାରଣାସୀ ଯାଇ ଗଙ୍ଗା ଆରତୀ ଦଳରେ ମିଶନ୍ତୁ। ବିରାଟ ବିରାଟ ଦୀପ ହାତରେ ଧରି ଘଣ୍ଟା ଘଣ୍ଟା ଆରତୀ କରିବାକୁ ଏମିତି ହୃଷ୍ଟପୁଷ୍ଟ ଯୁବକ ଉପଯୁକ୍ତ।


ମୋ ଓଜନିଆ ଶରୀରକୁ ଲମ୍ଫ ଦିଆଇ ମୁଁ ସେ ଷ୍ଟିଲ୍ ପାଇପରୁ ଓହଳି ପଡିଲି। କିନ୍ତୁ ପାଖାପାଖି ଅଶି କିଲୋର ଏ ଦୈବ ଶ୍ରୀ ଯନ୍ତ୍ରକୁ ଉପରକୁ ଉଠାଇବା ବଡ଼ ଜଟିଳ କଥା। ଦୁଇଥର ଉପରକୁ ଟେକି ହେଲା ପରେ ମନେ ହେଲା ଛାତିରେ ହେଉଛି ଯନ୍ତ୍ରଣା। ଓଃ ତାହେଲେ, ମୁଁ ସତର୍କ ହେବା କଥା ହୃଦଘାତ ପ୍ରତି। ମୋ ଦେହରୁ ପୁଣି ଥରେ ଝାଳ ବୋହିଗଲା। ମୁଁ କଣେଇ ଚାହିଁଲି। ସେମାନେ ନିଜ ନିଜ ମଧ୍ୟରେ କଥା ହେଉଛନ୍ତି। ମୋର ଦୁରବସ୍ଥା ଦେଖିବାକୁ ତାଙ୍କର ଆଗ୍ରହ ନାହିଁ। ଏମାନେ ଉତ୍ତମ ମଣିଷ। ନଚେତ୍ ଆଜିକାଲି ଏମନ୍ତ କଥାରେ ସମସ୍ତଙ୍କର ଖୁସି। ମୋର ସେମାନଙ୍କ ପ୍ରତି ସମ୍ମାନ ଆହୁରି ବଢିଗଲା। 


ଇଛା ହେଉଥିଲା ନିଜର ପରିଚୟ ଦେଇ ସମ୍ମାନ ହାସଲ କରିବି ଓ ଯାଚିକି କଲ୍ୟାଣ କରିବି। ପୁଣି ମୁରୁକି ହସଟିଏ ଉକୁଟି ପଡ଼ିଲା; ଯାଚି କଇଲାଣ ମାଗି ଜୁହାର?


ମୋର ଝାଳ ମରିଲା, ମୁଁ ବୁଲିପଡ଼ି ଫେରି ଚାଲିଲି ଡାକ୍ତରଖାନା ଦିଗରେ। 


କ୍ରମଶଃ କାର୍ଯ୍ୟ ବ୍ୟସ୍ତ ରହି କଥାଟି ଭୁଲିଗଲି। 


ସେଦିନ ଥାଏ ବୁଧବାର। ସଂଧ୍ୟାରେ ଫକୀରପୁର ଗଲି, ପୁଣି ସେହି ରାସ୍ତାରେ। ଏଥର ମୋ ହଡା ଗାଡ଼ିରେ। ଗାଡ଼ିଟି ଦେଢ଼ ଲକ୍ଷ କିଲୋମିଟର ଚାଲିଲାଣି। ସକାଳ ବେଳର ଯୁବ ସୁଲଭ ଚିତ୍ରପଟ୍ଟ ବଦଳି ଯାଇଥିଲା। ମୋ ଆଠଶହ ସିସି ଗାଡ଼ିର ଧିମା ଆଲୋକ ଓ ମୋ ଆଖିର ଦୁର୍ବଳ ଦୃଷ୍ଟିଶକ୍ତିକୁ ସମାନ କରି ସମୟର ଦୃଶ୍ୟପଟ୍ଟ ମଧ୍ୟ ବଦଳି ଯାଇଥିଲା। ଝାଡେଶ୍ବର ମନ୍ଦିରରେ ସଂଧ୍ୟା ଆଳତି ସମୟରେ କାହିଁକି କେଜାଣି ଭିଡ଼ ନଥିଲା!୯ ବଂଶୀ ବାଜୁନଥିଲା। ନଦୀ କୁଳରେ ମୁଁ ଚାଳିଶି ବର୍ଷ ତଳର ନଦୀକୁଳ ଖୋଜିଲେ କାହୁଁ ମିଳନ୍ତା ଯେ? ସବୁଆଡେ ଯେମିତି ଖେଳି ଯାଇଛି ଏକ ବାର୍ଦ୍ଧକ୍ୟର କୁହୁଡି। ଡଙ୍ଗା ଘାଟ ନହେଲେ ଏବେ ହୋଇଥାନ୍ତା ଚଳ ଚଞ୍ଚଳ ଏପଟ ଲୋକ ସେପଟକୁ ଓ ସେପଟ ଲୋକ ଏପଟକୁ ଆସୁଥାନ୍ତେ ଘର ବାହୁଡ଼ାର ଆନନ୍ଦ ନେଇ। କିନ୍ତୁ ନା, ଆଉ ସେ ସମୟ ନାହିଁ।


ଗୁପଚୁପ୍ ବିକାଳି ଜଣେ, ମାତ୍ର ଦୁଇଜଣ ଗରାଖ ଧରି ଏକ ମିଁ ମିଁ ଏଲଇଡି ବତୀର ସାହାରାରେ ବେପାର କରୁଥିଲା ଠିକ୍ ବାରେଜ୍ ଯେଉଁଠି ସରିଛି। ମୁଁ ଗାଡ଼ି ଧିମା କଲି, ଇଛା ହେଲା ଗୁପଚୁପର ମଜା ନେବି। କେଜାଣି କାହିଁକି କାରର ଦ୍ବାର ଖୋଲିବାକୁ ଇଛା ହେଲା ନାହିଁ। ମୋ ବୁଢା ମନକୁ ମାରି ଦେଲି।


ସକାଳର ସେ ଛକରେ ପହଞ୍ଚିଲି। ସେଇଠି ବସିଛନ୍ତି ଲୁଙ୍ଗି ପିନ୍ଧି ଦୁଇଜଣ ବୃଦ୍ଧ। ଫାଳେ ଦିନରେ ସମୟ ଏତେ ବଦଳି ଯାଇପାରେ? ବଳିଷ୍ଠ ମାଂସପେଶୀ ସେମାନଙ୍କର ଶିଥିଳ ହୋଇଗଲା? ଏମାନେ ମନେ ହେଉଛନ୍ତି ସେଇ ଦୁଇ ଯୁବକଙ୍କ ବିଗଳିତ ଶରୀର ଶ୍ରୀଯନ୍ତ୍ର। ଏତେ ସହଳ ଏମିତି ହୁଏ? ଜୀବନ କ'ଣ ସତରେ ଏକ ପାଣି ଫୋଟକା? ମୁଁ ଅଟକି ଗଲି। ସକାଳର  ଭାବନାରେ ଥିଲା ଉତ୍ସାହ, ଏବେର ଭାବନା ନିରୁତ୍ସାହରେ ଟୁଲଟୁଲ୍। ମୋତେ ବହୁତ ଭୟ ଲାଗିଲା। କାରାଗାର ନିକଟରେ। କେତେ ସବୁ ଅପରାଧୀଙ୍କ ଚିପିଚାପି ବନ୍ଦହୋଇ ପଡ଼ିଥିବା ଅପରାଧ ସବୁ ଯେମିତି ମୋ ମୁଣ୍ଡରେ ଅଜାଡ଼ି ହୋଇ ପଡିବେ। ମୋର ଇଛା ହେଲା ବୁଢା ଦୁହିଁଙ୍କୁ କୁଣ୍ଢେଇ ଧରି ଭୋ ଭୋ କାନ୍ଦିବାକୁ। ମୁଁ ବି ବୁଢା, ତୁମ ଭଳି ବୁଢ଼ା, ତୁମେ ମୋତେ ସାଥୀ କର। ଏ ଅପରାଧୀ ମାନଙ୍କ ଆକ୍ରମଣକୁ ଚାଲ ମିଳିମିଶି ମୁକାବିଲା କରିବା। ତୁମେ ଲୁଙ୍ଗି ପିନ୍ଧିଛ ମୁଁ ପେଣ୍ଟ ସାର୍ଟ କିନ୍ତୁ ମୁଁ ବି ତୁମ ଭଳି ବୁଢ଼ା, ତୁମ ଭଳି ଘରେ ଲୁଙ୍ଗି ପିନ୍ଧୁଛି। ତୁମେ ବିଶ୍ବାସ କର ତୁମେ ଯଦି ମୋତେ ସାଥୀ ଦେବ ମୁଁ ବିପ୍ଳବ କରିବି। ଆମେ ଜୀର୍ଣ୍ଣ ଶୀର୍ଣ୍ଣ ନୁହନ୍ତି, ଆମେ ସମାଜର ଏକ ବଡ଼ ଭାଗ। ଆମେ ଚାହିଁଲେ ସରକାର ବଦଳେଇ ପାରିବା, ଏ ସଜା କାଟୁଥିବା କଏଦୀମାନଙ୍କୁ ଡରିବା କିଆଁ। ସମସ୍ତଙ୍କ କାରାଦଣ୍ଡକୁ ଆଜୀବନ କରି ପକାଇବା।


ଜଣେ ଆଉ ଜଣଙ୍କୁ କହିଲା, ଏ ପରା ଡାକ୍ତର ବାବୁ। ଏ କ'ଣ ପାଗଳ ହୋଇଗଲେ?


ହଠାତ୍ ମୁଁ ସମ୍ଭ୍ରମତା ଫେରି ପାଇ ଲାଜେଇ ଗଲି। ହସିଦେଇ କହିଲି, ଏଠି ସକାଳେ କିଏ ଦୁଇଜଣ ବ୍ୟାୟାମ କରୁଥିଲେ? ଚିହ୍ନିଛ ଟି? 

ଓ ହୋ, ଜଗା ଆଉ ବଳିଆ କଥା କହୁଛନ୍ତି ଆପଣ? ସେ ଦିହେଁ ପୋଲିସ କନେଷ୍ଟବଳ ଚାକିରି ପାଇଁ ମାତିଛନ୍ତି। ଦେଖାଯାଉ, ହେଲେ କୀଳାପୋତେଇ ଦେବାକୁ ଧନ କାହିଁ?


ମୁଁ ପଚାରି ପାରିଲି ନାହିଁ, ସେମାନେ କ'ଣ ତୁମ ପୁଅ ନା ପୁତୁରା?


ମୁଁ କାର୍ ଖୋଲି ବସିଲା ବେଳେ ସେ ଦୁହେଁ ନମସ୍କାର ଜଣାଇଲେ। ମୋତେ ଲାଗିଲା ମୋ ଉପରେ ଲାଗିଥିବା ପାଗଳର ମୋହରଟିକୁ ଲିଭାଇବାରେ ତାଙ୍କ ନମସ୍କାର ସମର୍ଥ ହେଲାନାହିଁ। ମୁଁ ପ୍ରତି ନମସ୍କାର ଜଣାଇ ଗାଡ଼ି ଷ୍ଟାର୍ଟ କଲି। ଇଛା ହେଉଥିଲା ପଟ୍ଟନାୟକ ବାବୁଙ୍କ ବଗିଚାକୁ ଯାଇ ଘଡ଼ିଏ ବସିବାକୁ କିନ୍ତୁ ଫକୀରପୁରରେ କାମ ଅଛି ଯେ। ଅଗତ୍ୟା ମୁଁ କର୍ମ ଆଦରି ଚାଲିଲି। 


ଏହା ମଧ୍ୟରେ ଅନେକ ଦିନ ଗଲାଣି। କଥାଟି ମନ ଗହନର କେଉଁ କୋଣରେ ଲୁଚିଯାଇଥିଲା। ସେ ବିନ୍ଦୁଟିରେ ଘଟିଥିବା ସେଦିନର ଦୁଇ ଦୃଶ୍ୟପଟ୍ଟ ମଉଳି ଗଲାଣି। କିନ୍ତୁ କେମିତି ଏକ ସାଙ୍କେତିକ ଉଦବେଳନ ଯେମିତି ଜୁକୁ ଜୁକୁ ହୋଇ ପାଉଁଶ ତଳେ ତଥାପି ଜାହିର କରେ ନିଜର ଉପସ୍ଥିତି। କେବେ କେବେ ଭାବେ ଲେଖିବି କି? ପୁଣି ଭାବେ କିବା କଥା ଯେ ଲେଖିବି? ଗୋଟିଏ ଦିନ ମଧ୍ୟରେ ସେମିତି କିଛି ପରିବର୍ତ୍ତନ ହେବାର ସମ୍ଭାବନା ନଥିଲା। ସବୁତକ ମୋ ନିଜ ମନର ପରିବର୍ତ୍ତନ। ଛାଡ ସେକଥା।


ରଜ ପର୍ବ ସମୟର କଥା। ରଜ ସବୁ ନିରୁଦ୍ଦିଷ୍ଟ ଗ୍ରାମ୍ୟ ପରିବେଶରୁ କିନ୍ତୁ ସହରରେ ଏବେ ରଜ ମହୋତ୍ସବ। ତାଳମାଳରେ ତାଳସଜ ମିଳେନି, ସବୁ ଯାଏ ସହରକୁ। ସହରରେ କିଛି ଫଳେନି ସଵୁମିଳେ, ଗାଁରେ ସବୁ ଫଳେ କିଛି ମିଳେନି। ଗାଁ ମାନଙ୍କରୁ କେତେ ଶିଶୁ କିଶୋର ଆସିଛନ୍ତି ଆନନ୍ଦପୁରରେ ରଜ ଦେଖିବେ। ସେଇଠି କିଛି ଶିଶୁଙ୍କୁ ଦେଖିଲି। ତାଙ୍କ ବାପା ମାନେ ତାଙ୍କୁ ସେଇଠି ଖସରାରେ ଖସରଉଛନ୍ତି, ଦୋଳିରେ ଝୁଲାଉଛନ୍ତି। ପୁଣି ସେ ପାଇପରୁ ଝୁଲାଇ ବ୍ୟାୟାମ ଶିଖାଉଛନ୍ତି। ପିଲାଏ ଉଚ୍ଚାରୁ ଓହଳିବାକୁ ଡରୁଛନ୍ତି। ବାପା ମାନେ ବାଧ୍ୟ କରୁଛନ୍ତି। 


ସେମାନଙ୍କର କନେଷ୍ଟବଳ ଚାକିରି ପାଇଁ ବ୍ୟାୟାମର ଆବଶ୍ୟକତା ନାହିଁ। ସେମାନେ ସବଳ ଓ ଦୁର୍ବଳର ସଂଜ୍ଞା ଜାଣନ୍ତି ନାହିଁ। ଶିଶୁମାନଙ୍କ ଉପସ୍ଥିତିରେ କାରାଗାର ହରାଇଛି ମୋ ମନରେ ତା'ର ପ୍ରଭାବ। 


ସ୍ବାଧୀନତା ଓ ପରାଧୀନତାର କୌଣସି ମାନେ ନାହିଁ ତାଙ୍କ କୋମଳମତି ମନରେ। ମନେହେଲା ମୋ ପିଲାବେଳେ ମୋ ଦୁନିଆଟି ଯେତିକି ମନଲୋଭା ଥିଲା ଆଜି ବି ଏ ପିଲାଙ୍କ ଦୁନିଆ ତାଙ୍କ ପାଇଁ ସେତିକି ମନଲୋଭା। ସମୟ ଆଦୌ ବଦଳି ନାହିଁ। କିଛି ବି ବଦଳି ନାହିଁ। ଚକ ଗଡୁଛି। ଦିନ ପରେ ଦିନ ଯାଉଛି, ଋତୁ ପରେ ଋତୁ। ପବନ ବହୁଛି, ବର୍ଷା ହେଉଛି, ଫଳ ଫସଲ ଉତ୍ତୁରୁଛି। ସମୟ ବଦଳି ଯାଉଛି ଭାବିବାଟା ଯେମିତି ଏକ ଭ୍ରମ। କେମିତି ସେକଥା ଜାଣି ହେବ। ଏକ ନିର୍ଦିଷ୍ଟ ସମୟ ଏକ ନିର୍ଦ୍ଦିଷ୍ଟ ବୟସରେ ହାଜିରା ଦେଉଛି। ମୋ ପିଲାବେଳର ସମୟକୁ ମାପୁଥିଲା ଏକ ପିଲା। ଆଜିର ସମୟକୁ ମାପୁଛି ଗୋଟିଏ ବୁଢା। ହୁଏତ ଆଜି ଯଦି ସେମିତି ପିଲା ଥାଆନ୍ତି ଆଜି ବି ସମୟଟିକୁ ମୁଁ କହୁଥାନ୍ତି ବେଶ୍ ମଜାଦାର। ରଜରେ ଅପେକ୍ଷା କରୁଥାନ୍ତି ପିଠାପଣା, ବେଶ ପୋଷାକ ଓ ମାମୁଁଙ୍କ ଆଗମନକୁ। ଏସବୁକୁ ଅପେକ୍ଷା ନକରୁଥିବା ଏକ ବୁଢ଼ା ମଣିଷ ଓ ଅପେକ୍ଷା କରୁଥିବା ଏକ ଶିଶୁ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖର ଓ ନିର୍ଦ୍ଦିଷ୍ଟ ବେଳାର ଦୃଶ୍ୟପଟ୍ଟ ମଧ୍ୟରେ ବହୁତ ତଫାତ। 


ମୋ ମନଟା କେମିତି କେମିତି ହାଲୁକା ଲାଗିଲା। ଇଚ୍ଛା ହେଲା ଗୋଟେ ଗୋଟେ ଟଫି ଧରାଇବାକୁ ପ୍ରତିଟି ଶିଶୁକୁ। ମୁଁ ସେ କାମଟି କରି ଅପାର ଆନନ୍ଦ ଲାଭ କଲି। ପର ମୁହୂର୍ତ୍ତରେ ମନେ ହେଲା ମୁଁ ସତକୁ ସତ ପାଗଳ ନୁହେଁ ତ? କାହାକୁ ପଚାରିବି। ପିଲାଏ ଟଫି ଖାଇ ପୁଣି ହାତ ପତାଉଥିଲେ। ମୁଁ ବି ଦିନେ ଏମିତି ଥିଲି। କିଏ ମୋତେ ଶିଖାଇଲା ଯେ ମାଗିବା କଥାଟି ଭୁଲ୍? କିଏ ଅପହରଣ କଲା ମୋର ଶୈଶବ। କିଏ ମୋତେ ପାଗଳ ସଜାଇଲା, ସମୟ ନା ମୁଁ ନିଜେ? ସେ ଯାହା ହେଉ ଏତେ ଦିନ ହେଲା ମୋ ସହ ଲୁଚକାଳି ଖେଳରେ ଜିତି ଯାଉଥିବା ଦୁଇ ଦୃଶ୍ୟପଟ୍ଟରେ ଏ ତୃତୀୟଟି ମିଶାଯାଇ ସବୁତକ ଲିପିବଦ୍ଧ ହେବାକୁ ମୋତେ ବାଧ୍ୟ କଲେ। ମୋ ମଧ୍ୟରେ ସଂଘଟିତ ଏ ଭାବନାର ସାରଣୀ ମନେ ହେଲା ସତକୁ ସତ ଏକ ବିପ୍ଳବ ଓ ମୁଁ ବିଜୟୀ।


Rate this content
Log in

Similar oriya story from Abstract